Unknown

 

 

 

 

 

 

 

 

 

 

 

ପ୍ରବନ୍ଧ ସାହିତ୍ୟ

କାଳିନ୍ଦୀ ଚରଣ ପାଣିଗ୍ରାହୀ

 

ସୂଚୀପତ୍ର

 

୧.

ସତ୍ୟ ଶିବ ସୁନ୍ଦର

୨.

ତ୍ୟାଗ ଓ ପ୍ରେମ

୩.

ଉତ୍ତରାଧିକାର

୪.

ତାମିଲ-ସାହିତ୍ୟର ଶ୍ରେଷ୍ଠକବି

୫.

ପୁରାଣର ବିଦୂଷୀ

୬.

କେମାଲପାଶା ଓ ତୁର୍କସମାଜ

୭.

ସାହିତ୍ୟରେ ବ୍ୟବସାୟ

୮.

ସଭ୍ୟତାର ପହିଲି ପେଶା

୯.

ମାର୍କଟ୍ୱେନ୍

୧୦.

ବେଗହିଁ ଉନ୍ନତିର ଲକ୍ଷଣ

୧୧.

ହିନ୍ଦୀ ସାହିତ୍ୟର କଥା ସମ୍ରାଟ ପ୍ରେମଚନ୍ଦ

୧୨.

କୈଶୋର ଜ୍ଞାନ

୧୩.

ମୋହେନ-ଜୋ-ଦାରୋ

୧୪.

ବାରିସପାସ୍ତରନାକ

୧୫.

ଲାବଣ୍ୟବତୀରେ ଉପେନ୍ଦ୍ରଭଞ୍ଜ

୧୬.

ରବୀନ୍ଦ୍ର-ସାହିତ୍ୟରେ ବିଶ୍ୱପ୍ରେମ

୧୭.

ଫକୀରମୋହନଙ୍କ ଚରିତ୍ର ଚିତ୍ରଣ

୧୮.

ବିଶ୍ୱରୂପ-ଦର୍ଶନ

୧୯.

ଓଡ଼ିଆ ସାହିତ୍ୟର ପରମ୍ପରା

୨୦.

ଓଡ଼ିଆ ନାଟକ ଓ ରଙ୍ଗମଞ୍ଚର ଐତିହାସିକ ଅଭ୍ୟୁତ୍‌ଥାନ

୨୧.

ଦକ୍ଷିଣାୟନ

୨୨.

ଆଧୁନିକ ନାରୀ

୨୩.

କହି ପୁଚ୍ଛି ଜାଣେ ଯେ

୨୪.

ବୌଦ୍ଧଯୁଗର ଚିତ୍ରକଳା

Image

 

ସତ୍ୟ ଶିବ ସୁନ୍ଦର

 

ସଭ୍ୟତାର ଆଦିକାଳରୁ ଗୋଟିଏ ବସ୍ତୁ ଜଗତରେ ବିଜୟୀ ହୋଇ ଆସିଅଛି–ଚିନ୍ତା । କେତେ ରାଜ୍ୟର ସ୍ୱାଧୀନତା ଲୁପ୍ତ ହୋଇଅଛି, କେତେ ରାଜ୍ୟ ପୁଣି ସ୍ୱାଧୀନ ହୋଇ ମସ୍ତକ ଉତ୍ତୋଳନ କରିଛନ୍ତି, କେତେ ରାଜମୁକୁଟ ରାଜାର ମସ୍ତକ ସହ ଭୂଲୁଣ୍ଠିତ ହୋଇଅଛି, କେତେ ସିଂହାସନ ଦରିଦ୍ରର କୁଟୀର ଚଟାଣରେ ପରିଣତ ହୋଇଅଛି । କେଉଁ ରାଜପୁତ୍ର ଅଭିଷେକର ପୂର୍ବ ମୁହୂର୍ତ୍ତରେ ବଳ୍‌କଳ ପିନ୍ଧି ବନବାସୀ ହୋଇଅଛି । କିଏ ସୁନ୍ଦରୀ ପ୍ରେୟସୀର ବାହୁବେଷ୍ଟନରୁ ମୁକ୍ତ ହୋଇ ଯେଉଁ ବସ୍ତୁର ପରିବର୍ତ୍ତନ ନାହିଁ, ଧ୍ୱଂସ ନାହିଁ, ତାହାରି ଅନ୍ୱେଷଣରେ ଭିକ୍ଷୁବ୍ରତ ଗ୍ରହଣ କରିଅଛି । କିଏ ଗୋଟିଏ ନୀତି ଗୋଟିଏ ଭାବକୁ ଏକାନ୍ତ ସତ୍ୟରୂପେ ଉପଲବ୍ଧି କରି ସେଥିପାଇଁ ଜୀବନ ପଣ କରିଅଛି, ନିଜର ମସ୍ତକ ସୁଖ ସ୍ୱାଚ୍ଛନ୍ଦ୍ୟ ବିଳାସିତା ତାହାରି ପାଇଁ ଉତ୍ସର୍ଗ କରିଅଛି, ଆଉ କିଏ ଏହି ନୀତିକୁ ଭ୍ରାନ୍ତ ଜ୍ଞାନ କରି ଉପହାସ କରୁଅଛି । ଜଣେ ମାନବଜାତିର କଲ୍ୟାଣ କାମନାରେ କଠିନ ତପସ୍ୟାକରି ଏକ ସତ୍ୟ ପ୍ରଚାର କଲେ–‘‘ଅହିଂସା ପରମୋ ଧର୍ମଃ’’ । ଆଉ ଜଣେ ନିଜକୁ ସ୍ୱୟଂ ଭଗବାନ ବୋଲି ପରିଚୟ ଦେଇ ଉପଦେଶ ଦେଲେ–‘‘ଯୁଦ୍ଧାୟ କୃତନିଶ୍ଚୟଃ-।’’

 

ଅଦ୍ଭୁତ ମାନବର ଗତି ! ବିଚିତ୍ର ତାହାର କାର୍ଯ୍ୟକଳାପ । ସବୁ ବୈପରୀତ୍ୟ ବିଦ୍ରୋହ ମଧ୍ୟରେ, ହିଂସା ଅହିଂସା ମଧ୍ୟରେ ଜୟଲାଭ କରିଅଛି ସେହି ଏକମାତ୍ର ବସ୍ତୁ–ଚିନ୍ତା ।

 

ଅସଂଖ୍ୟ ମତ–ଅସଂଖ୍ୟ ଚିନ୍ତାର ଧାରା । ଏହା ମଧ୍ୟରେ ସତ୍ୟ କିଏ ? ଶିବ କିଏ ? ସୁନ୍ଦର କିଏ ? ସତ୍ୟର ଯାଥାର୍ଥ୍ୟ ହିନ୍ଦୁ ପକ୍ଷରେ ଯାହା, ମୁସଲମାନ ପକ୍ଷରେ ତାହା, ଖ୍ରୀଷ୍ଟିୟାନ ପକ୍ଷରେ ମଧ୍ୟ ତାହା, ବୌଦ୍ଧ, ଜୈନ, ଜୋରୋଆଷ୍ଟ୍ରିଆନ, ରାଜା, ଜମିଦାର, କୃଷକ, ସୈନିକ, ଧନୀ, ନିର୍ଦ୍ଧନ, ରୁଗ୍‌ଣ, ସୁସ୍ଥ, ସମସ୍ତଙ୍କ ପକ୍ଷରେ ସମାନ । ସମଗ୍ର ମାନବଜାତି, ସମଗ୍ର ବିଶ୍ୱପାଇଁ ତାହା ସତ୍ୟ–ସେହିପରି ଶିବ, ସେହିପରି ସୁନ୍ଦର । କିନ୍ତୁ ରୀତିଭେଦରେ, ରୁଚିଭେଦରେ ଖ୍ରୀଷ୍ଟିୟାନ ପକ୍ଷରେ ଯାହା ସତ୍ୟ, ହିନ୍ଦୁ ପକ୍ଷରେ ତାହା ମିଥ୍ୟା । ଯେପରି ଜନ୍ମାନ୍ତର ବାଦରେ ଖ୍ରୀଷ୍ଟିୟାନ ଅବିଶ୍ୱାସ କରେ, ହିନ୍ଦୁ ବିଶ୍ୱାସ କରେ ।

 

ଗୋହତ୍ୟାକୁ ହିନ୍ଦୁ କହିବେ ଅସତ୍ୟ, ଅଶିବ, ଅସୁନ୍ଦର; ଗୋବ୍ରାହ୍ମଣ ହିତାୟ ଚ । ମୁସଲମାନ କହିବେ, ଗୋରୁପ୍ରତି ଆମର ଶ୍ରଦ୍ଧା ଯଥେଷ୍ଟ-କାରଣ ତାହାର ମାଂସ ସୁସ୍ୱାଦୁ ଓ ତାକୁ ହଲାଲ କରିବାରେ ଆନନ୍ଦ ।

 

ଅନ୍ଧ କହିବ ସୂର୍ଯ୍ୟ ଚନ୍ଦ୍ର ତା’ ପକ୍ଷରେ ଅଖଣ୍ଡ ଅନ୍ଧକାର, ବଧିର କହିବ ଜଗତ ତା’ ପକ୍ଷରେ ଶବ୍ଦହୀନ, ନୀରବ, ମୂକ ।

 

ଅନ୍ଧପାଇଁ ଗୋଟାଏ ସତ୍ୟ, ବଧିର ପାଇଁ ଗୋଟାଏ ସତ୍ୟ, ହିନ୍ଦୁ ଖ୍ରୀଷ୍ଟିୟାନ ମୁସଲମାନଙ୍କ ପାଇଁ ଗୋଟାଏ ଗୋଟାଏ ସତ୍ୟ । କିନ୍ତୁ ଯାହା ଯଥାର୍ଥ ସତ୍ୟ, ତାକୁ ହିନ୍ଦୁ, ଖ୍ରୀଷ୍ଟିୟାନ, ମୁସଲମାନ ବୌଦ୍ଧ, ଅନ୍ଧ, ବଧିର, ସମସ୍ତେ ସ୍ୱୀକାର କରିବେ ।

 

ସୂର୍ଯ୍ୟ ଚନ୍ଦ୍ରର ସତ୍ୟତା–ଆଲୋକ । ପୃଥିବୀର ଏକ ଲକ୍ଷ ଅନ୍ଧ ମିଶି ତାକୁ ଏପର୍ଯ୍ୟନ୍ତ ଅନ୍ଧକାର ବୋଲି ପ୍ରମାଣିତ କରିପାରି ନାହାନ୍ତି । ହିନ୍ଦୁ, ଖ୍ରୀଷ୍ଟିୟାନ, ବୌଦ୍ଧ, ମୁସଲମାନ, ସବୁ ଜାତି, ସବୁ ଶ୍ରେଣୀର ଲୋକଙ୍କର ଜନ୍ମ ଅଛି, ମୃତ୍ୟୁ ଅଛି, ସୁଖ ଅଛି, ଦୁଃଖ ଅଛି, ଆଲୋକ ଅଛି, ଅନ୍ଧକାର ଅଛି, ନିଦ୍ରା ଅଛି, ଜାଗରଣ ଅଛି, –ଏହାକୁ ମିଥ୍ୟା ବୋଲି କେହି ଅସ୍ୱୀକାର କରିବେ ନାହିଁ ।

 

ସତ୍ୟ ଶିବ ସୁନ୍ଦର–ଏହା ବ୍ୟକ୍ତି, ସମଷ୍ଟି ବା ଜାତିର ଏକଚାଟିଆ ବସ୍ତୁ ନୁହେଁ । ସମଗ୍ର ଜଗତ ପାଇଁ ଯାହା ସତ୍ୟ ତାହାହିଁ ସତ୍ୟ; ଯାହା ଶିବ, ତାହା ଶିବ; ଯାହା ସୁନ୍ଦର, ତାହା ସୁନ୍ଦର ।

 

ବ୍ୟକ୍ତିର ସ୍ୱାର୍ଥ ସମଷ୍ଟିର ସ୍ୱାର୍ଥରେ ସଂଯୁକ୍ତ ନ ହେଲେ ଏ ଲପଲବ୍ଧି ହୁଏ ନାହିଁ । ମାନବ ନିଜର ସ୍ୱାର୍ଥକୁ ସମଗ୍ର ଜାତିର ସ୍ୱାର୍ଥରେ ଯୋଗ କରି ନ ପାରିଲେ, ନିଜକୁ ବିରାଟ ମାନବଜାତିର ସୁଖ, ଦୁଃଖ, ତାହାର ଐଶ୍ୱର୍ଯ୍ୟ, ତାହାର ମାତ୍ସର୍ଯ୍ୟ, ତାହାର ଦୀନତା ଓ ଅକିଞ୍ଚନତା ବୁଝିବାର ସାମର୍ଥ୍ୟ ନଥିଲେ ଏ ସତ୍ୟ ହୃଦୟଙ୍ଗମ ହୁଏ ନାହିଁ-ଯୋ ବୈ ଭୂମା ତତ୍ ସୁଖମ୍, ନାଳ୍ପେ ସୁଖମସ୍ତି ।

 

ଯୁଗେ ଯୁଗେ ଜଣେ ଜଣେ ପୁରୁଷାବତା’ର ଏହି ସତ୍ୟ ଅନୁସନ୍ଧାନରେ ରାଜ୍ୟ ଛାଡ଼ି, ବିଳାସ ଛାଡ଼ି, ଦାରିଦ୍ର୍ୟ ଦୁଃଖକୁ ହାସ୍ୟମୁଖରେ ବହନ କରି ଜଗତର ପଥ-ପ୍ରଦର୍ଶକ ହୋଇଅଛନ୍ତି । ମାନବଜାତି ନୀରବରେ ସେମାନଙ୍କର ପଶ୍ଚାତ୍ ଅନୁସରଣ କରିଅଛି ।

 

ସତ୍ୟଂ ଶିବଂ ସୁନ୍ଦରମ୍ । ସମଗ୍ର ଜଗତରେ ଏହି ତିନିଗୋଟି ଲକ୍ଷ୍ୟବସ୍ତୁ–ତିନିଗୋଟି ପ୍ରିୟ ଓ ଶ୍ରେୟ । ଏହା ମଧ୍ୟରେ ସୁଖ ସ୍ୱାଚ୍ଛନ୍ଦ୍ୟର ସ୍ଥାନ ନାହିଁ, ଦୁଃଖ ବେଦନାର କଳ୍ପନା ନାହିଁ, କେବଳ ସତ୍ୟଂ ଶିବଂ ସୁନ୍ଦରମ୍ ।

 

ମାନବର ସୁଖ ସ୍ୱାଚ୍ଛନ୍ଦ୍ୟ ବଢ଼ାଇବା ପାଇଁ ବିଜ୍ଞାନର ଏହି ଯେ ବିରାଟ ଆୟୋଜନ, ଏହାର ଚରମ ପରିଣତି କେଉଁଠାରେ ? କେଉଁଠାରେ ମାନବ କଣ୍ଠରୁ ସ୍ୱସ୍ତିବାଚନ ଶୁଣାଯିବ–ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ । ନବ ନବ ଅଭାବର ଆବିଷ୍କରଣାହିଁ ବର୍ତ୍ତମାନ ସଭ୍ୟତାର ଚିହ୍ନ ଏବଂ ତାହାର ପୂରଣରେ ବିଜ୍ଞାନର ଆନନ୍ଦ ।

 

କିନ୍ତୁ ଜଗତରେ ଏହି ସତ୍ୟ ଶିବ ସୁନ୍ଦରର ଯେଉଁଠାରେ ପ୍ରତିଷ୍ଠା, ସେଠାରେ ବିଜ୍ଞାନର ଦାନ ଅତ୍ୟନ୍ତ ମୂଲ୍ୟହୀନ, ବ୍ୟକ୍ତିର ସୁଖ ଦୁଃଖର ଆକାଙ୍‌କ୍ଷା ଅତ୍ୟନ୍ତ ତୁଚ୍ଛ । ସେଠାରେ ନିଜର ଅସ୍ଥିଦାନ କରିବା ପାଇଁ ଦଧିଚିର ଆତଙ୍କ ଜନ୍ମେ ନାହିଁ, ସମଗ୍ର ରାଜ୍ୟ ଦାନ କରି ଆତ୍ମ ବିକ୍ରୟ କରିବାକୁ ମଧ୍ୟ ହରିଶ୍ଚନ୍ଦ୍ର କାର୍ପଣ୍ୟ ଜ୍ଞାନ କରେ ନାହିଁ, କାରଣ ସେଠାରେ ସମଷ୍ଟିର ଆନନ୍ଦରେ ବ୍ୟକ୍ତିର ଆନନ୍ଦ, ସମଷ୍ଟିର କଲ୍ୟାଣରେ ବ୍ୟକ୍ତିର କଲ୍ୟାଣ–ତାହା ହିଁ ସତ୍ୟଂ ଶିବଂ ସୁନ୍ଦରମ୍ ।

 

ବିଶ୍ୱପକ୍ଷରେ ଯାହା ସତ୍ୟ, ମଙ୍ଗଳମୟ ଏବଂ ସୁନ୍ଦର, ବ୍ୟକ୍ତିପକ୍ଷରେ ମଧ୍ୟ ତାହା ହିଁ ସକଳ କଲ୍ୟାଣ ଓ ଆନନ୍ଦର ସମଷ୍ଟି । ସୂର୍ଯ୍ୟ ଯେପରି ଅନ୍ଧ ଓ ଚକ୍ଷୁଷ୍ମାନଙ୍କ ପାଇଁ ଆଲୋକ ଓ ଅନ୍ଧକାର ଉଭୟବିଧରୂପୀ ପ୍ରମାଣିତ ହୋଇନପାରେ, ସତ୍ୟ ସେହିପରି ବ୍ୟକ୍ତିଭେଦରେ, ସ୍ଥାନଭେଦରେ ମିଥ୍ୟାବୋଲି ପ୍ରମାଣିତ ହୋଇପାରେ ନାହିଁ ।

 

ସତ୍ୟ ସାଧନାର ବସ୍ତୁ, ଶିବ ଆରାଧନାର ବସ୍ତୁ, ସୁନ୍ଦର ଦର୍ଶନ ବା ଜ୍ଞାନର ବସ୍ତୁ । ଏମାନେ ସମସ୍ତେ ପରସ୍ପର ସାପେକ୍ଷ । ଗୋଟିଏ ଅନ୍ୟ ଦୁଇଟିର ସାପେକ୍ଷ ।

 

ସକଳ ଧର୍ମ, ସକଳ ମତରେ ଏହା ସମାନ–ଏହାର କ୍ଷୟ ବୃଦ୍ଧି ନାହିଁ, ପରିବର୍ତ୍ତନ ନାହିଁ-। ଯିସ୍‌ସ୍‌ କହିଲେ, ‘‘Other sheep I have which are not of this fold” କେବଳ ଖ୍ରୀଷ୍ଟିୟାନ ତାଙ୍କର ନୁହନ୍ତି, ଇହୁଦିମାନେ ମଧ୍ୟ ତାଙ୍କରି, ହିଦେନ ସମସ୍ତେ ତାଙ୍କରି-। ସ୍ପିନୋଜୋ କହିଅଛନ୍ତି, ‘‘Religion is universal to the human race; wherever justice and charity have the force of law and ordinance, there is God’s kindness” ଧର୍ମ ସମଗ୍ର ମାନବ ଜାତିଙ୍କ ପାଇଁ ସମଭାବରେ ପରିବ୍ୟାପ୍ତ । ଯେଉଁଠାରେ ନ୍ୟାୟ ଓ କରୁଣା ଆଇନ କାନନ ପରି ଶକ୍ତିଶାଳୀ, ସେଠାରେ ହିଁ ଭଗବାନଙ୍କର ରାଜ୍ୟ ବିଦ୍ୟମାନ ।

 

ନିଜର ସଂକୀର୍ଣ୍ଣ ସ୍ୱାର୍ଥରୁ ମୁକ୍ତ ନ ହେଲେ ସତ୍ୟ ଦର୍ଶନ ସମ୍ଭବପର ହୁଏନାହିଁ । ମହାଭାରତ ଯୁଦ୍ଧର ଆରମ୍ଭରେ ଅର୍ଜ୍ଜୁନଙ୍କର ବିଷାଦ ଯୋଗ ଜାତହେଲା କାହିଁକି ? ଅର୍ଜ୍ଜୁନ ଜ୍ଞାନୀ–ନିଜର କ୍ଷୁଦ୍ର ସ୍ୱାର୍ଥପାଇଁ; ନିଜର ରାଜ୍ୟ ଭୋଗପାଇଁ ଭୀଷ୍ମ, ଦ୍ରୋଣ, କର୍ଣ୍ଣ ପ୍ରଭୃତି ଆପଣାର ଗୁରୁ ଓ ଆପଣାର ପ୍ରିୟଜନଙ୍କୁ ତାଙ୍କୁ ହତ୍ୟା କରିବାକୁ ହେବ ।

 

ଅର୍ଜ୍ଜୁନଙ୍କର ବୈରାଗ୍ୟ ଜନ୍ମିଲା । ମସସ୍ତ ଅଙ୍ଗରେ ଅବସାଦ ଜାତ ହେଲା । ଗାଣ୍ଡୀବ ହସ୍ତରୁ ସ୍ଖଳିତ ହେଲା ।

 

‘‘ନ କାଂକ୍ଷେ ବିଜୟଂ କୃଷ୍ଣ ହତ୍ୱା ସ୍ୱଜନମାହବେ ।’’

 

ହେ କୃଷ୍ଣ, ଯୁଦ୍ଧରେ ସ୍ୱଜନ ନିଧନ କରି ମୁଁ ବିଜୟର ଅଭିଳାଷୀ ନୁହେଁ । ଶେଷ ! ମହାଭାରତ ଯୁଦ୍ଧ ଏହିଠାରେ ସ୍ଥଗିତ ହେବ । ଏତେବଡ଼ ବିପୁଳ ଆୟୋଜନ ଏହିଠାରେ ପଣ୍ଡ !

 

ସାରଥି ଯଦି ଏହିଠାରୁ ରଥ ଲେଉଟାଇ ନେଇଥାନ୍ତେ, ତେବେ ମଧ୍ୟ ମହାବୀର ଧନଞ୍ଜୟଙ୍କର ଏ ଆଦର୍ଶ ପୃଥିବୀର ଇତିହାସରେ ଅତ୍ୟୁଚ୍ଚ ଗୌରବମୟ ଚିହ୍ନ ସ୍ୱରୂପ ବିରାଜିଥାନ୍ତା । ‘‘ଅହିଂସା ପରମୋଧର୍ମଃ’’ ପ୍ରଚାର କରିବାକୁ ଶାକ୍ୟ ସିଂହଙ୍କର ଆବିର୍ଭାବର ପ୍ରୟୋଜନ ନଥାନ୍ତା; କିନ୍ତୁ ସେଥିରେ ମଧ୍ୟ କ୍ଷତି ଘଟିଥାନ୍ତା–ଗୀତାପରି ଗ୍ରନ୍ଥ ଲାଭରୁ ଜଗତ୍ ବଞ୍ଚିତ ହୋଇଥାନ୍ତା ।

 

ଅର୍ଜ୍ଜୁନଙ୍କ ଉପରେ ପ୍ରଥମ ଯୁକ୍ତି ବର୍ଷିତ ହେଲା–କ୍ଷତ୍ରିୟ ହୋଇ ଯୁଦ୍ଧଭୂମିରେ ତାଙ୍କର ଏପରି ଅବସାଦ ଅନାର୍ଯ୍ୟୋଚିତ ଓ କ୍ଳୀବତ୍ୱର ପରିଚାୟକ । ଅର୍ଜ୍ଜୁନଙ୍କ ସ୍ୱାର୍ଥ ସଂକୀର୍ଣ୍ଣତମ । ସେ ନିଜର ଏବଂ ଅନ୍ୟ ପାଞ୍ଚଭାଇ ପ୍ରଭୃତି ଏକାନ୍ତ ଆତ୍ମୀୟମାନଙ୍କ ସ୍ୱାର୍ଥକୁ ଉପେକ୍ଷା କରିଅଛନ୍ତି ସତ୍ୟ; କିନ୍ତୁ ଗୁରୁଜନ ସ୍ୱଜନମାନଙ୍କ ପ୍ରତି ଯେ ସ୍ୱଭାବିକ ମମତା, ସେଥିରୁ ଉତ୍ତୀର୍ଣ୍ଣ ହୋଇପାରି ନାହାନ୍ତି । ‘‘ଅହିଂସା ପରମୋ ଧର୍ମଃ’’–ଏ ଦୀକ୍ଷାରେ ସେ ଦୀକ୍ଷିତ ନୁହନ୍ତି ।

 

ପିତାମହ ଭୀଷ୍ମ, ଅସ୍ତ୍ରଗୁରୁ ଦ୍ରୋଣ ଏବଂ ଜ୍ୟେଷ୍ଠଭ୍ରାତା କର୍ଣ୍ଣ, ଦୁର୍ଯ୍ୟୋଧନ ପ୍ରଭୃତିଙ୍କ ବିରୁଦ୍ଧରେ ସେ ଯୁଦ୍ଧଭୂମିରେ ଦଣ୍ଡାୟମାନ, ଏହାହିଁ ତାଙ୍କର ଆକ୍ଷେପର କାରଣ ।

 

କିନ୍ତୁ ଏହା କ୍ଷତ୍ରିୟୋଚିତ ନୁହେ, ପୁରୁଷୋଚିତ ନୁହେ ଏହା ଅନାର୍ଯ୍ୟୋଚିତ–କ୍ଳୀବତ୍ୱ ।

 

ଜଳଦ ଗମ୍ଭୀର ସ୍ୱରରେ ଗୀତା’ର ନିଃସାରଣ ହେଲା । ‘‘ହେ ଧନଞ୍ଜୟ ! ଉତ୍ତିଷ୍ଟ ଯୁଦ୍ଧାୟ କୃତନିଶ୍ଚୟଃ’’–ହେ ଅନ୍ଧ ! ଚକ୍ଷୁ ଉନ୍ମୋଚନ କର । ଏ କେଉଁ ରୂପ ଦର୍ଶନ କରୁଅଛ ? ଏଠାରେ କାହା ସହିତ କି ସମ୍ପର୍କ ? ଭୀଷ୍ମ, ଦ୍ରୋଣ, କର୍ଣ୍ଣ, କିଏ କାହାର ? ଜନ୍ମ କରୁଅଛି କିଏ, ମାରୁଅଛି କିଏ-? ହେ ସବ୍ୟଶାଚିନ୍, ତୁମେ ନିମିତ୍ତ ମାତ୍ର–ଯଥାର୍ଥ କର୍ତ୍ତା ତୁମେ ନୁହ । ଏ ଅଭିମାନ ତୁମେ ତ୍ୟାଗ କର । ତୁମେ ହିଂସ୍ର ନୁହ, ଅହିଂସ ନୁହ, କର୍ତ୍ତା ନୁହ, କର୍ମ ନୁହ–ନିମିତ୍ତମାତ୍ର ତୁମେ ।

 

ଅର୍ଜ୍ଜୁନଙ୍କ ଦୃଷ୍ଟି ଖୋଲିଗଲା । ଚକ୍ଷୁ ସମକ୍ଷରେ ଯେ ସ୍ୱାର୍ଥ ମମତା’ର ଆବରଣ ଥିଲା, ତାହା ମୁହୂର୍ତ୍ତକେ ଅପସାରିତ ହେଲା । ସମଗ୍ର ବିଶ୍ୱ ଚିତ୍ରପଟ ପରି ଉଦ୍ଭାସିତ । ଅର୍ଜ୍ଜୁନଙ୍କର ଅହଂକାର କ’ଣ ? ସେ କାହାକୁ ହତ୍ୟା କରିବାକୁ ଯାଉଅଛନ୍ତି ?

 

‘‘ବାସାଂସି ଜୀର୍ଣ୍ଣାନି ଯଥା ବିହାୟ

ନବାନି ଗୃହ୍ନାତି ନରୋଽପରାଣି ।’’

 

ଆତ୍ମା ଅମର । ତାହାର ହତ୍ୟା ଅର୍ଜ୍ଜୁନଙ୍କ ହାତରେ ନାହିଁ, ସେ ବିଭିନ୍ନ ରୂପରେ ଜଗତରେ ଲୀଳାୟମାନ-ଏକ ରୂପ ପରିତ୍ୟାଗ କରି ସ୍ୱଚ୍ଛନ୍ଦରେ ଅନ୍ୟ ରୂପରେ କ୍ରୀଡ଼ାକରେ । ମୃତ୍ୟୁ ଗୋଟାଏ ସାମାନ୍ୟ ପରିବର୍ତ୍ତନ ମାତ୍ର । ପୁରାତନ ବସ୍ତ୍ର ପରିତ୍ୟାଗ କରି ନୂତନ ବସ୍ତ୍ର ଗ୍ରହଣ କରିବା ପରି ଆତ୍ମା ଏକ ଶରୀର ତ୍ୟାଗ କରି, ଅନ୍ୟ ଶରୀର ସୃଷ୍ଟି କରେ । ଟେମ୍ପେଷ୍ଟର ଜଳମଗ୍ନ ମୃତମାନଙ୍କୁ ଉଦ୍ଦେଶ୍ୟ କରି କବି ସେକ୍ସପିଅର କହିବା ପରି–But hath suffer a sea-change.

 

ଅର୍ଜ୍ଜୁନଙ୍କର ଯୁଦ୍ଧରେ ଉଦ୍ଦେଶ୍ୟ କ’ଣ ? ସିଂହାସନ ଲାଭ, ରାଜ୍ୟଭୋଗ ? ଏହି ସ୍ୱାର୍ଥ ଆଶାରେ ସେ ରଣକ୍ଷେତ୍ରରେ ଅବତୀର୍ଣ୍ଣ ?

 

ନାହିଁ ! ଲାଭ, ଅଲାଭ, ଜୟ, ପରାଜୟ, ସକଳ କ୍ଷେତରେ ତାଙ୍କୁ ସମଭାବ ଗ୍ରହଣ କରିବାକୁ ହେବ–‘‘କର୍ମଣ୍ୟେଽ ବାଧିକାରସ୍ତେ ମା ଫଳେଷୁ କଦାଚନ ।’’ ଯୁଦ୍ଧ କରିବା ତୁମର କର୍ତ୍ତବ୍ୟ । ବାସ୍‌, ସେହି ପର୍ଯ୍ୟନ୍ତ । ଆଉ କାହିଁରେ ତମର ଅଧିକାର ନାହିଁ । ଯୁଦ୍ଧରେ ଜୟଲାଭ କର ଅଥବା ପରାଜିତ ହୁଅ, ରାଜ୍ୟ ଲାଭ କର ବା ହରାଅ, ସେ ବିଷୟର ବିଚାର ତମ ହାତରେ ନାହିଁ ।

 

‘‘ହତୋ ବା ପ୍ରାପ୍‌ସ୍ୟସେ ସ୍ୱର୍ଗଂ ଜିତ୍ୱା ବା ଭୋକ୍ଷସେ ମହୀଂ ।’’ ସୁତରାଂ ତୁମ ପକ୍ଷରେ ଜୟ ଯାହା–ପରାଜୟ ତଦପେକ୍ଷା ମହତ୍ତର; ମଲେ ସ୍ୱର୍ଗବାସ, ଜିତିଲେ ପୃଥିବୀର ଅଧିପତି । ଏ ସମରରେ ତୁମର କାହାରି ପ୍ରତି ହିଂସା ନାହିଁ, ଈର୍ଷା ନାହିଁ, ଦ୍ୱେଷ ନାହିଁ । ତୁମେ ରକ୍ତପାତ କରିବ, ଅନ୍ୟର ହତ୍ୟା ବିଧାନ କରିବ, ତଥାପି ତୁମେ ସଂପୂର୍ଣ୍ଣ ଅହିଂସା । ରଣକ୍ଷେତ୍ରରେ ପୃଷ୍ଠଭଙ୍ଗ ଦେବା ଅହିଂସ ଭାବର ପରିଚାୟକ ନୁହେଁ–ତାହା କ୍ଳୀବତ୍ୱ ।

 

କିନ୍ତୁ ତୁମେ ରକ୍ତପାତ କରିବ, ଅନ୍ୟର ହତ୍ୟା ବିଧାନ କରିବ–ତଥାପି କହିବ ‘‘ଅହିଂସା ପରମୋ ଧର୍ମଃ’’ ।

 

ହଁ, ତଥାପି କହିବ, ଅହିଂସା ପରମୋ ଧର୍ମଃ । କାରଣ ଏଠାରେ ‘ତୁମେ’ ହୋଇ କେହି ନାହିଁ, ‘ଅନ୍ୟ’ ହୋଇ କେହି ନାହିଁ । ତୁମେ ମୁକ୍ତ–ତୁମର ଆତ୍ମପର ନାହିଁ, ଭେଦବୁଦ୍ଧି ନାହିଁ । ତୁମେ ନିର୍ଲିପ୍ତ–ତୁମର କାହାରି ପ୍ରତି ହିଂସା ନାହିଁ ।

 

ଏ ଯୁଦ୍ଧରେ ତୁମର ନିଜର କୌଣସି ସ୍ୱାର୍ଥ ନାହିଁ–ଜୟ, ପରାଜୟ, ଜୀବନ ମୃତ୍ୟୁ, ତୁମ ପକ୍ଷରେ ସମାନ । ତେବେ ଯୁଦ୍ଧର ପ୍ରୟୋଜନ କ’ଣ ?

 

ଯୁଦ୍ଧର ପ୍ରୟୋଜନ ! ଯୁଦ୍ଧର ପ୍ରୟୋଜନ ତୁମ ସ୍ୱାର୍ଥ ପାଇଁ ନୁହେ, ବିଶ୍ୱର ସ୍ୱାର୍ଥ ପାଇଁ, ବିଶ୍ୱର କଲ୍ୟାଣ ପାଇଁ । ହେ ଧନଞ୍ଜୟ, ଗାଣ୍ଡୀବ ଉତ୍ତୋଳନ କର–ଦୁର୍ଯୋଧନ, ଦ୍ରୋଣ, କର୍ଣ୍ଣ ବିରୁଦ୍ଧରେ ନୁହେ–ଅନ୍ୟାୟ ଅତ୍ୟାଚାର କୁଶାସନ ବିରୁଦ୍ଧରେ । କୁରୁକ୍ଷେତ୍ର ଧର୍ମକ୍ଷେତ୍ର; ଭାରତଯୁଦ୍ଧ; ଧର୍ମଯୁଦ୍ଧ ସେଥିରେ ତୁମର ମୃତ୍ୟ ଶ୍ରେୟ, ଜୀବନ ଶ୍ରେୟ, ଜୟ ଶ୍ରେୟ, ପରାଜୟ ଶ୍ରେୟ ।

 

ଯେଉଁଠାରେ ଧର୍ମର ଗ୍ଳାନି, ଅସତ୍ୟର ରାଜତ୍ୱ–ସେଠାରେ ମୁଁ ଆପଣାକୁ ସୃଷ୍ଟି କରେଁ । ହେ ପାର୍ଥ, ଏଥିପାଇଁ ଆଜି ଯୁଦ୍ଧର ପ୍ରୟୋଜନ । ଅସତ୍ୟ ଅନ୍ୟାୟର ଧ୍ୱଂସ–ସତ୍ୟ ଶିବ ସୁନ୍ଦରର ଯୁଦ୍ଧର ପ୍ରୟୋଜନ ପ୍ରତିଷ୍ଠା ପାଇଁ । ଏଠାରେ ଯୁଧିଷ୍ଠିର, ଭୀମ, ଅର୍ଜୁନ, ନକୁଳ, ସହଦେବ ଏକ ପକ୍ଷ, କିମ୍ବା ଭୀଷ୍ମ, ଦ୍ରୋଣ, କର୍ଣ୍ଣ, ଜୟଦ୍ରଥ, ଦୁର୍ଯ୍ୟୋଧନ, ଦୁଶାସନ ଅନ୍ୟପକ୍ଷରେ ନାହାନ୍ତି । ଏଠାରେ ଏକ ପକ୍ଷରେ ସତ୍ୟ, ଅନ୍ୟ ପକ୍ଷରେ ଅସତ୍ୟ; ଏକ ପକ୍ଷରେ ଶିବ, ଅନ୍ୟ ପକ୍ଷରେ ଅଶିବ; ଏକ ପକ୍ଷରେ ସୁନ୍ଦର, ଅନ୍ୟ ପକ୍ଷରେ ଅସୁନ୍ଦର ।

 

ଯେତେବେଳେ ଧର୍ମର ଗ୍ଳାନି, ଅଧର୍ମର ଅଭ୍ୟୁତ୍‌ଥାନ ହୁଏ, ସେହି ସନ୍ଧି କ୍ଷଣରେ ମୁଁ ଆତ୍ମ ପ୍ରକାଶ କରେଁ । କୁରୁସଭାତଳେ ଭାରତର ସାଧ୍ୱୀ ମହିମମୟୀ ନାରୀର ମର୍ଯ୍ୟାଦା ଉପରେ ଯେତେବେଳେ ଆଘାତ ଆସେ, ତେତେବେଳେ ମୁହିଁ ତା’ର ସମ୍ମାନ ରକ୍ଷା କରେଁ । ଦୁଷ୍ଟର ବିନାଶ, ସାଧୁର ପରିତ୍ରାଣ, ସତ୍ୟ ଓ ଧର୍ମର ପ୍ରତିଷ୍ଠା–ଏଥିପାଇଁ ଯୁଗେ ଯୁଗେ ମୋତେ ଧରାବକ୍ଷରେ ଅବତୀର୍ଣ୍ଣ ହେବାକୁ ହୁଏ । ହେ ସବ୍ୟଶାଚିନ୍, ତୁମେ ନିମିତ୍ତ ମାତ୍ର–ଧନୁଶର ଉତ୍ତୋଳନ କର ।

 

ଅର୍ଜ୍ଜୁନଙ୍କ ଦୃଷ୍ଟି ଫେରିଗଲା । ସେ ଯେଉଁ ରୂପ ସନ୍ଦର୍ଶନ କଲେ, ତାହା ନିକଟରେ ସିଂହାସନ, ରାଜ୍ୟ, ଭୋଗବିଳାସ, ଜୟ ପରାଜୟ ସମସ୍ତ ତୁଚ୍ଛ । ଆଶ୍ଚର୍ଯ୍ୟ !

 

ଯେଉଁ ସତ୍ୟ, ଯେଉଁ ଶିବ ଓ ସୁନ୍ଦରର ପ୍ରତିଷ୍ଠା ପାଇଁ ଅର୍ଜ୍ଜୁନଙ୍କ ଅବସାଦ ଦୂର ହେଲା, ସେ ବୀରବିକ୍ରମରେ ଧନୁଶର ଉତ୍ତୋଳନ କରି ସମର ପ୍ରାଙ୍ଗଣରେ ଅବତୀର୍ଣ୍ଣ ହେଲେ, ସେହି ସତ୍ୟର ପ୍ରତିଷ୍ଠା ପାଇଁ ଯୁଧିଷ୍ଠିରଙ୍କୁ ମିଥ୍ୟା କହିବାକୁ ହେଲା ।

 

ସତ୍ୟର ଅତି ନିକଟତମ ମିଥ୍ୟା । ହଁ ଅଶ୍ୱତ୍‌ଥାମା ମରିଛି–ସେ କିନ୍ତୁ ମନୁଷ୍ୟ ହୋଇପାରେ ଅଥବା ସେହି ନାମର ହସ୍ତୀ ହୋଇପାରେ । ସନ୍ଦେହାତ୍ମକ–ସମ୍ପୂର୍ଣ୍ଣ ମିଥ୍ୟା ନୁହେ । ବୃହତ୍ତର ସତ୍ୟ ପାଇଁ କ୍ଷୁଦ୍ରତର ସତ୍ୟକୁ ଧର୍ମରାଜ ଯୁଧିଷ୍ଠିର ଉତ୍ସର୍ଗ କଲେ । ନିଜେ ଆଜୀବନ ମିଥ୍ୟା କହି ନାହାନ୍ତି । କିନ୍ତୁ ଏହି ଯେ ବିଶ୍ୱର କଲ୍ୟାଣ ପାଇଁ ତାଙ୍କୁ ମଧ୍ୟ ମିଥ୍ୟା କହିବାକୁ ହେଲା, ଏହା ତାଙ୍କ ପକ୍ଷରେ ଅଳ୍ପ ତ୍ୟାଗ ନୁହେ । ଯୁଧିଷ୍ଠିରଙ୍କ ମିଥ୍ୟା ବାକ୍ୟରେ ଜଗତରେ ମଙ୍ଗଳର ପ୍ରତିଷ୍ଠା, ସତ୍ୟର ପ୍ରତିଷ୍ଠା ହେଲା । ବ୍ୟକ୍ତିଗତ ଭାବରେ ଏହି ମିଥ୍ୟା ଭାଷଣ ପାଇଁ ତାଙ୍କୁ ପୁରସ୍କାର ମିଳିଲା ନରକ ଦର୍ଶନ । ଏକ ଦିଗରେ ଯୁଧିଷ୍ଠିରଙ୍କର ନରକ ଦର୍ଶନ । ଅପର ଦିଗରେ ଦେଶରେ ସତ୍ୟ ଓ ନ୍ୟାୟର ପ୍ରତିଷ୍ଠା–ଦୁଇ ଦିଗ ତୁଳନା କଲେ ମନେହୁଏ, ସମୂହର କଲ୍ୟାଣ ଉଦ୍ଦେଶ୍ୟରେ ଅଧିକ ମିଥ୍ୟା କହି ତାଙ୍କୁ ଯଦି ନରକପତନ ଦଶା ଘଟିଥାନ୍ତା, ତେବେ ମଧ୍ୟ ସେ ତାହା ବରଣ କରିବାକୁ ପଶ୍ଚାତ୍‌ପଦ ହୋଇନଥାନ୍ତେ ।

Image

 

ତ୍ୟାଗ ଓ ପ୍ରେମ

 

ତ୍ୟାଗ ଓ ପ୍ରେମ ଦୁଇଟା ଅଭେଦ ବସ୍ତୁ । ଯେଉଁଠାରେ ପ୍ରେମ ନାହିଁ, ସେଠାରେ ତ୍ୟାଗ ନାହିଁ । ବିପରୀତ ଦିଗରୁ ଦେଖିଲେ ମଧ୍ୟ ଠିକ୍ ସେହିପରି ।

 

ମନୁଷ୍ୟ ଯେତେଦିନ ନିଜକୁ ସ୍ୱତନ୍ତ୍ର ରୂପରେ ପ୍ରେମ କରେ, ସେତେଦିନ ସେ ତ୍ୟାଗ କରିପାରେ ନିଜପାଇଁ-ବର୍ତ୍ତମାନକୁ ତ୍ୟାଗ କରିପାରେ ଭବିଷ୍ୟତର ନିଜପାଇଁ–ବର୍ତ୍ତମାନର ସୁଖ ସମ୍ଭୋଗ ତ୍ୟାଗ କରିପାରେ ଭବିଷ୍ୟତର ସଞ୍ଚୟ ପାଇଁ ।

 

ସେଠାରେ ସ୍ୱାର୍ଥଲାଭ ଆଶାରେ ସ୍ୱାର୍ଥତ୍ୟାଗ । ଆଉ ଟିକିଏ ନିରେଖି ଦେଖିଲେ ସେ ତ୍ୟାଗ ସ୍ୱାର୍ଥର ନାମାନ୍ତର ମାତ୍ର, ରୂପାନ୍ତର ମାତ୍ର ।

 

ନାରୀ ପୁରୁଷର ପ୍ରେମ ଯେତେଦିନ ଏହିପରି ଲାଭ ଆଶାରେ ତ୍ୟାଗ ସ୍ୱୀକାର କରେ, ସେ ତ୍ୟାଗ ନୁହେ-ସ୍ୱାର୍ଥର ରୂପାନ୍ତର ମାତ୍ର, ନାମାନ୍ତର ମାତ୍ର ।

 

ମନୁଷ୍ୟ ସେତେବେଳେ ନିଜର କ୍ଷୁଦ୍ର ସୀମାଭିତରେ ଆବଦ୍ଧ । ନିଜ ପ୍ରତି ପ୍ରେମବଶତଃ ତ୍ୟାଗକରେ ନିଜପାଇଁ । ସେତେବେଳେ ସେ ନିଜକୁ ଏକାକୀ ପଥର ପଥିକ କରି ଦେଖେ-ସେ ତାହାର ଦୈନ୍ୟ, ସୁତରାଂ ଦୁଃଖ । କିନ୍ତୁ ଯେତେବେଳେ ସେ ନିଜକୁ ବହୁ ମଧ୍ୟରେ ଅନୁଭବ କରେ, ସେତେବେଳେ ତାହାର ପ୍ରେମ ବହୁ ମଧ୍ୟରୁ ନିଜକୁ ଫେରିପାଏ । ଅଥଚ ସ୍ୱତନ୍ତ୍ର ରୂପରେ ନିଜକୁ ଦେଖିବାରେ ସେ ନିଜକୁ ଲାଭକରେ ନାହିଁ, ହଜାଇ ବସେ ।

 

ନିଜର ସଂକୀର୍ଣ୍ଣ ଗଣ୍ଡୀ ଭେଦକରି ଯେତେବେଳେ ସେ ଜଗତକୁ ପ୍ରେମ କରେ, ସେତେବେଳେ ଦେଖେ ସେ ନିଜକୁ ଜଗତ୍ ଆକାରରେ ପ୍ରେମ କରୁଛି । ଏହି ସମଦର୍ଶନ ଯେଉଁ ପ୍ରେମରେ ଅନୁସୃତ, ତାହା ବିଶ୍ୱବିସ୍ତୃତ-ବିରାଟ ।

 

ବୋୟେରଙ୍କର (Johan Bojer) ପିୟାରର (Peer) ଯେ ଅନନ୍ତ କ୍ଷୁଧା (Great Hunger) ତାହାର ପରିଣତି ହୋଇଛି ଏହି ତ୍ୟାଗ ଅଥବା ପ୍ରେମରେ ।

 

ପିତୃମାତୃହୀନ ଦରିଦ୍ର କୃଷକ ବାଳକ ବୁଦ୍ଧି ଓ ବାହୁବଳରେ ସମାଜର ଉଚ୍ଚଜତମ ସୋପାନକୁ ଉଠିଗଲା । ଦେଶବିଖ୍ୟାତ ଧନିକର କନ୍ୟାକୁ ପତ୍ନୀ ରୂପରେ ଲାଭ କଲା । ପୁଣି ଦିନେ ଆକସ୍ମିକ ଭାବରେ ତାହାର ପତନ । ଜଗଦ୍ ବିଖ୍ୟାତ୍ ଇଞ୍ଜିନିୟରର ବହୁମୂଲ୍ୟ ହର୍ମ୍ୟରୁ ପତନ ଘଟିଲା ଏକାବେଳକେ କୃଷକର କୁଟୀର ମଧ୍ୟରେ ।

 

ମୁର୍ହୁମୁର୍ହୁ ଭୀଷଣ ପରିଣତି । ବିପୁଳ ବିଳାସମୟ ଜୀବନରୁ ଓହ୍ଳାଇ ଆସିଛି ଦାରିଦ୍ର୍ୟର ନିମ୍ନତମ ସୋପାନକୁ । ଅତିରିକ୍ତ ଉପଭୋଗରୁ ଏକାବେଳକେ ରିକ୍ତତା । ଏତେବଡ଼ ପରିବର୍ତ୍ତନ ପାଇଁ ଆଗରୁ କେହି ପ୍ରସ୍ତୁତ ରହିପାରେ ନାହିଁ । ସହସ୍ର ମେସିନ୍ ଚକ୍ର ତାହା ମସ୍ତକରେ ଅହରହ ଘର୍‌ ଘର୍ ଶବ୍ଦ କରି ଘୂରିବାକୁ ଲାଗିଲା । ସେ ଭୂଖଣ୍ଡରେ ବସି ଶୂନ୍ୟଦୃଷ୍ଟିରେ ସେହି ଶବ୍ଦ ଶୁଣୁଛି । ସମ୍ମୁଖରେ ପତ୍ନୀ ଚିତ୍କାର କରୁଛି; ପିୟର ! ପ୍ରାଣର ପ୍ରିୟ ! ସେ କିନ୍ତୁ କିଛି ଦେଖି ପାରୁନାହିଁ–କିଛି ଶୁଣିପାରୁ ନାହିଁ ।

 

ପିୟରର ଯେପରି ପରିବର୍ତ୍ତନ, ସେଥିରେ ମନୁଷ୍ୟ ବାତୁଳ ନ ହୋଇ ସ୍ଥିର ରହିବା ସହଜ ନୁହେ । ସେଥିପାଇଁ ସେ ନଗର ତ୍ୟାଗ କରି ପଲ୍ଲୀରେ ବାସ କରିଛି–ଗୋଟିଏ ସାମାନ୍ୟ କୃଷକ ରୂପରେ ଏହି ଅବସ୍ଥାରେ ତାହାର ଦିଓଟି କନ୍ୟା ଓ ଗୋଟିଏ ପୁତ୍ର ଚିତ୍ତବିନୋଦର ସାମଗ୍ରୀ–କିନ୍ତୁ ତାହା ମଧ୍ୟ ବେଶି ଦିନ ପାଇଁ ନୁହେ ।

 

ତାହାର ଶ୍ୱଶୂରର ଭଗିନୀ ନିଃସନ୍ତାନା, ପ୍ରଭୂତ ସମ୍ପତ୍ତି । ପ୍ରସ୍ତାବ ଆସିଲା–ଗୋଟିଏ ପୁତ୍ର ଓ ଗୋଟିଏ କନ୍ୟାର ଶିକ୍ଷା ଓ ପାଳନ ଭାର ଏହି ଆତ୍ମୀୟା ହାତରେ ଦେବାକୁ ହେବ ! ପିତା’ର ସ୍ନେହ ଏ ଦୀନତା କିପରି ସ୍ୱୀକାର କରିବ । କିନ୍ତୁ ନା, ଏଥିପାଇଁ ଲଜ୍ଜ୍ୟାନାହିଁ–ସନ୍ତାନର ଯେ ଭବିଷ୍ୟତ ଅଛି । ସେ ବଡ଼ହେଲେ ତା’ର ପିତାକୁ କ’ଣ ଭାବିବ !

 

ବର୍ତ୍ତମାନ ତାହାର ଏକମାତ୍ର ନୟନ ମଣି ପାଞ୍ଚବର୍ଷର ଆସ୍ତା । ପତ୍ନୀ ମାର୍ଲ କହେ, ଆସ୍ତାର ଗୋଟିଏ ଖେଳନା ଦରକାର । ପିୟର ଶୂନ୍ୟ ଦୃଷ୍ଟିରେ ସ୍ତ୍ରୀ ମୁଖକୁ ଚାହିଁ ଭାବେ, ସତ କଥା ତ, ଗୋଟିଏ ଖେଳନା ଦରକାର !

 

ପିଅର ତାହାର ମସ୍ତିଷ୍କର ବିକାର ରୋଧ କରିବାପାଇଁ ନିଜକୁ କାମରେ ଲଗାଏ । ମାର୍ଲ କୃଷକରମଣୀର ପରିଚ୍ଛଦରେ ଗୃହର ସମସ୍ତ କାର୍ଯ୍ୟ କରିଯାଏ ।

 

ପିୟର ମୁଣ୍ଡିଆରୁ ପଥର ତାଡ଼ୁଥିବା ବେଳେ ଆସ୍ତା ଆସି କହେ, ‘‘ବାପା, ଖାଇବାକୁ ଯିବ ନାହିଁ କି ?’’ ‘‘ବାପା, କେତେବେଳେ ହେଲାଣି, ଆଜି ଗାଧୋଇବ ନାହିଁ କି ?’’ ଏ ତ ପ୍ରଶ୍ନ ନୁହେଁ, ହୁକୁମ । ଏ ହୁକୁମ୍ କିନ୍ତୁ ପିୟର ଜୀବନର ସର୍ବଶ୍ରେଷ୍ଠ ଲାଭ ।

 

ସେହି ଆସ୍ତା କେବଳ ଆଳୁ ଓ ଦଧି ମିଶ୍ରିତ ଅତି ଦୀନ ଖାଦ୍ୟକୁ ପିତା ନିକଟରେ ବସି ବହୁ ମୂଲ୍ୟ ସାମଗ୍ରୀ ପରି ଉପଭୋଗ କରେ ।

 

କିନ୍ତୁ ତାହା ମଧ୍ୟ ଚିରଦିନ ନୁହେଁ । ବେଜିୟାରର ବୁଲ୍‌ଡ଼ଗ ଦ୍ୱାରା ଆସ୍ତା ଆଜି ନିହତ । ବେଜିୟାର ଜଣେ ପଡ଼ୋଶୀ କୃଷକ । ଆସ୍ତାର ଅପରାଧ, ସେ ତାହାର ବଗିଚା ଭିତରୁ ତଳେ ପଡ଼ିଥିବା କୋଳି ଦୁଇଟି ଗୋଟାଉ ଥିଲା । ଏହି ଅସହାୟ ଶିଶୁ ଉପରେ ବେଜିୟାର ତାହାର ନୃଶଂସ ବୁଲ୍‌ଡ଼ଗକୁ ଲଗାଇ ଦେଲା । ତାହାର ନିର୍ମମ ସ୍ୱାର୍ଥ ଭିତରେ କୋମଳତା’ର ଟିକିଏ ଫାଁକ୍ ନାହିଁ । ଆସ୍ତା ନୀରବରେ ପଡ଼ିରହିଲା । ମାର୍ଲ ଦୂରରୁ ଧାଇଁ ଆସିଲା । ଜନନୀର ବିକଳ ଚିତ୍କାର ଶୁଣି ପିୟର ଅସ୍ତବ୍ୟସ୍ତ ହୋଇ ଆସି ଦେଖେ, ଗୋଟିଏ ଛୋଟ ଲୁଗା ମେଞ୍ଚା ଉପରେ ଏକ ଭୀଷଣ ଜାନୁଆର, ଏବଂ ତା’ପରେ ? ତା’ପରେ ମାର୍ଲ କହେ, ସେହି ଜାନୁଆର ମୁଖରୁ ସେ ତାହାର ଆସ୍ତାକୁ ଛଡ଼ାଇ ଆଣିଥିଲା ।

 

ଆସ୍ତାପାଇଁ ଡାକ୍ତର ଅଣାଗଲା । ଡ଼ାକ୍ତର ମାତୃ ହୃଦୟର ଲୋତକ ରୁଦ୍ଧ କରିପାରିଲେ ନାହିଁ ।

 

ତତ୍ପରେ ଜନନୀ ଅନ୍ତରର ବ୍ୟଥାର ଅଭିନୟ । କି କରୁଣ ସେ–କି ମର୍ମନ୍ତୁଦ ! ସେହି ଅତି ନିଦାରୁଣ ସତ୍ୟ–ମୃତ୍ୟୁକୁ ସ୍ୱଚକ୍ଷୁରେ ଦେଖି ମଧ୍ୟ ଜନନୀପ୍ରାଣ ବିଶ୍ୱାସ କରିପାରୁ ନାହିଁ । ସେଥିପାଇଁ ଏକ ସମୟରେ ଏହି ଦେଶବିଖ୍ୟାତ୍ ଧନୀର କନ୍ୟା ଓ ମହା ବିଭବଶାଳୀ ସ୍ୱାମୀର ସହଧର୍ମିଣୀ ଦରିଦ୍ର କର୍ମକାରର ପତ୍ନୀବେଶରେ ବାରମ୍ବାର ଡାକ୍ତରର ଦ୍ୱାରସ୍ଥ ହୋଇ କାକୁତି କରୁଛି–ଆଉଥରେ ପରୀକ୍ଷା କର ! ନା, ନା, ଆସ୍ତା ମରିନାହିଁ । ଧନ ସମ୍ପଦ ମିଥ୍ୟା ହୋଇପାରେ; କିନ୍ତୁ ଆସ୍ତା କିପରି ମିଥ୍ୟା ହେବ !

 

ଆଉ ପିୟାର–ସେ ଶୂନ୍ୟ ଦୃଷ୍ଟିରେ ଝରକା ବାଟେ ପଦାକୁ ଚାହିଁ ରହିଛି ଏବଂ ପର ପର ହୋଇ ବାୟସ୍କୋପର ଛବିପରି କେତେ ଚିତ୍ରପଟ ତାହାର ଦୃଷ୍ଟି ଅତିକ୍ରମ କରିଯାଉଛି-ତାହାର ବାଲ୍ୟ, ତାହାର ଯୌବନ, ତାହାର ଆଶା ଆନନ୍ଦ, ତାହାର ଦୁଃଖ ଓ ଦାରିଦ୍ର୍ୟ ।

 

ବେଜିୟର ନର ପିଶାଚ । ସବୁବେଳେ ସେ ଶଙ୍କାନ୍ୱିତ, ତାହାର ଗ୍ରାସ ଅପର କେହି ଅପହରଣ କରୁଛି । ନିରୀହ ପିୟାର ଉପରେ ସେ ଅକାରଣ ଶତ୍ରୁତା କରିଛି । ବିନା କାରଣରେ ସେ ଦିନେ ପିୟାର ଉପରକୁ ମଧ୍ୟ ତାହାର ବୁଲ୍‌ଡ଼ଗ ଲଗାଇ ଦେଇଛି ଓ ତାହାର ସ୍ନେହର ଦୁଲାଳୀ ଆସ୍ତାର ମୃତ୍ୟୁର କାରଣ ହୋଇଛି ।

 

ତଥାପି ସେ କ୍ଷମାର ପାତ୍ର, ଦୟାର ପାତ୍ର । ପିୟାରର ଆତ୍ମପ୍ରେମ ବିଶ୍ୱପ୍ରେମରେ ପରିଣତ ହୋଇଅଛି । ତାହାର ଆତ୍ମୋନ୍ନତି, ତାହାର ଖ୍ୟାତି, ତାହାର ଧନ ସମ୍ପଦ ଭୂମିସାତ୍ ହୋଇ ଜଗତ୍‍ମୟ ବ୍ୟାପ୍ତ ହୋଇ ପଡ଼ିଛି । ସେ ନିଜକୁ ବିଶ୍ୱପାଇଁ ତ୍ୟାଗ କରି ଶିଖିଛି, ଯେ ହେତୁ ସେ ନିଜକୁ ବିଶ୍ୱରୂପରେ ଦର୍ଶନ କରିପାରିଛି ।

 

ମନୁଷ୍ୟ ମନୁଷ୍ୟ ମଧ୍ୟରେ ପ୍ରତିଯୋଗିତା, ରକ୍ତାରକ୍ତି, ଈର୍ଷା ଓ ପ୍ରବଞ୍ଚନା ଅବଲୋକନ କରି ଅନୁକମ୍ପାରେ ପିୟାରର ପ୍ରାଣ ଆପ୍ଲୁତ । ତାହାର ହୃଦୟ-ଦେବତା ଜାଗ୍ରତ ହୋଇ ଉଠିଛନ୍ତି, ସେ ମନୁଷ୍ୟର ଅସୀମ କ୍ଷମତାର ଯତ୍କିଞ୍ଚିତ୍ ଉପଲବ୍‌ଧି କରିଛି । ସେ ଭଗବାନ ବିଶ୍ୱାସ କରେ ନାହିଁ, କିନ୍ତୁ ମନୁଷ୍ୟକୁ ବିଶ୍ୱାସ କରେ–ତାହାର ଶକ୍ତି, ତାହାର ସାହସ, ତାହାର ଦୟା, ତାହାର ଦାକ୍ଷିଣ୍ୟ, ତାହାର ପ୍ରେମ, ତାହାର ଦେବତ୍ୱ ।

 

କିନ୍ତୁ ହାୟ ! ଏହି ଅସୀମ କ୍ଷମତାପୂର୍ଣ୍ଣ ଜୀବ ଆପଣାର ଚତୁପାର୍ଶ୍ୱରେ ହାହାକାରମୟ ରକ୍ତଲାଳସାର ସୃଷ୍ଟି କରି ସେଥିରେହିଁ ନିଜକୁ ଆବଦ୍ଧ ରଖିଛି ।

 

ଆଜୀବନ ଏହି ଶକ୍ତିର ଉପାସନା କରି ପିୟାର କେତେ ଜଡ଼ ପ୍ରାସାଦ ହର୍ମ୍ୟର ସୃଷ୍ଟି କରିଛି–ମାନବର ଐନ୍ଦ୍ରଜାଲିକ ଶକ୍ତି ପ୍ରଦର୍ଶନ କରି ଶେଷରେ ପରାସ୍ତ ହୋଇଛି । ତାହାର ସମସ୍ତ କୌଶଳ ସମସ୍ତ ବୁଦ୍ଧି ପରାଜିତ ।

 

ତେବେ ସେ ଜୀବନ-ଯୁଦ୍ଧରେ ଜୟୀ, ନା ପରାସ୍ତ ? ନା, ନା, ସେ ପରାସ୍ତ ହେବାକୁ ଆସିନାହିଁ–ଜୟୀ, ଜୟୀ,–ଚିରକାଳ ଜୟୀ !

 

ଏତେଦିନ ସେ ଲୌହ ପାଷାଣ ରାଜ୍ୟର ନିର୍ଜୀବ ଅଟ୍ଟାଳିକା, ସୁଡ଼ଙ୍ଗ ସୃଷ୍ଟି କରିଆସିଛି । ଆଜି ସେ ସଜୀବ ମନୁଷ୍ୟ ରାଜ୍ୟରେ ଦେବତା’ର ସୃଷ୍ଟି କରିବ । ଏହି ତାହାର ଅନନ୍ତ ବୁଭୁକ୍ଷା (Great Hunger) ।

 

ପିୟାରର ପ୍ରାଣ ଅନନ୍ତ କ୍ଷୁଧାରେ କ୍ଷୁବ୍ଧ ହୋଇଉଠିଲା, ଏହି କୋଟି କୋଟି ଈର୍ଷା ଦ୍ୱେଷ ଦୁଃଖ ଦୈନ୍ୟ ପୂର୍ଣ୍ଣ ପିଶାଚଗଣ ମଧ୍ୟରେ ଭଗବାନଙ୍କର ସୃଷ୍ଟି କରିବାପାଇଁ–ଏହି ଦୁଃଖ ଓ ଗ୍ଳାନିର ରାଜ୍ୟକୁ ଟିକିଏ ଆନନ୍ଦର କଣା ଆଣିବାଲାଗି, ଏହି ଈର୍ଷା ଦ୍ୱେଷ ଉପରେ ଟିକିଏ ପ୍ରେମର ଟିକିଏ ପ୍ରାଣର ସ୍ପର୍ଶ ଲଗାଇବାକୁ ।

 

ପିୟାର ଚକ୍ଷୁର ଆବରଣ ଖୋଲିଯାଇଛି । ନିଜ ପ୍ରେମକୁ ବିଶ୍ୱପ୍ରେମରେ ସେ ଉପଲବ୍ଧି କରିଛି ।

 

ଏହି ପ୍ରେମ ତାହାର ସକଳ ରିକ୍ତତାକୁ ଐଶ୍ୱର୍ଯ୍ୟମଣ୍ଡିତ କରିଛି, ତା’ର ସକଳ ବ୍ୟର୍ଥତାକୁ ତ୍ୟାଗର ମହାତ୍ମ୍ୟରେ ଭୂଷିତ କରିଛି । ସେ ତାହାର ସକଳ ବିଭବ, ସକଳ ସ୍ୱାଚ୍ଛନ୍ଦ୍ୟରୁ ବିଚ୍ୟୁତ ହୋଇଛି; ସେଥିପାଇଁ ଦୁଃଖ ନାହିଁ । ତାହାର ପୁତ୍ର କନ୍ୟା ବାରମ୍ବାର ସେହି ଦୀନ କୁଟୀରକୁ ଫେରି ଆସିବାକୁ ମିନତି କରିଛନ୍ତି, ସେମାନଙ୍କ ଭବିଷ୍ୟତ୍ ପାଇଁ ସେ ସେମାନଙ୍କୁ ତ୍ୟାଗ କରିଛି–ସେଥିପାଇଁ ଅନୁଶୋଚନା ନାହିଁ । ସ୍ନେହର ଦୁଲାଳୀ ଆସ୍ତା ନୃଶଂସ ଭାବରେ ନିହତ ହୋଇଛି–ସେଥିପାଇଁ ତାହାର ଦ୍ୱେଷ ନାହିଁ ।

 

ଆଉ କ’ଣ ? ଆଉ ମାର୍ଲ, ତାହାର ସୁଖଦୁଃଖର ସଙ୍ଗିନୀ ମାର୍ଲ-ଦୈନ୍ୟନିପୀଡ଼ିତ ହୋଇ ଦିନକୁଦିନ ସେ ଦ୍ରୁତଗତିରେ ବାର୍ଦ୍ଧକ୍ୟ ଆଡ଼କୁ ଅଗ୍ରସର ହେଉଛି; ତା’ର ସୌନ୍ଦର୍ଯ୍ୟ ତିଳେ-ତିଳେ ବିନାଶ ପଥରେ–ଭାଲଦେଶରେ ଦୁଶ୍ଚିନ୍ତାରେ ରେଖାପାତ; ଅଧର ମଳିନ; ଚକ୍ଷୁ ତେଜୋହୀନ, ସର୍ବାଙ୍ଗ କ୍ଷୀଣ; କିନ୍ତୁ ପିୟାରଚକ୍ଷୁରେ ତାହାର ସୌନ୍ଦର୍ଯ୍ୟ ଆଜି ଜଗତରେ ଅତୁଳନୀୟ । ସେ ସୌନ୍ଦର୍ଯ୍ୟ ମାର୍ଲର ଯୌବନରେ ମଧ୍ୟ ସେ ଦେଖି ନଥିଲା ।

 

ବାକି ଅଛି ବେଜିୟାର-ତାହାର ସନ୍ତାନହନ୍ତା । ବିନା କାରଣରେ ସେ ପିୟାରପ୍ରତି ଶତ୍ରୁତାଚରଣ କରିଛି-ପ୍ରତିହିଂସା ! ବେଜିୟାର ତାହାର କଟା ଘାରେ ଚୂନ ଲେପି ଦେଇଛି । ତାହାରି ଉପରେ ପ୍ରତିହିଂସା ନେବାର ସମୟ ଆଜି ଉପଗତ । ପଶ୍ଚିମ ବତାସ ତାହାର ବାର୍ଲିକ୍ଷେତ୍ରଟିକୁ ନଷ୍ଟ କରିଛି । ବେଜିୟାରର ନୂଆ ମଞ୍ଜି ଦରକାର; କିନ୍ତୁ ପଡ଼ୋଶୀମାନେ କେହି ସେ ନୃଶଂସକୁ ସାହାଯ୍ୟ କଲେ ନାହିଁ-ଆସ୍ତାର ମୃତ୍ୟୁ ବିବରଣ ସ୍ମରଣ କରି । ଦ୍ୱାରେ ଦ୍ୱାରେ ବୁଲି ସେ ହତାଶ ହୋଇ ଫେରିଲା ।

 

ଅର୍ଦ୍ଧରାତ୍ରି । ପ୍ରିୟାରେ ଚକ୍ଷୁକୁ ନିଦ୍ରା ନାହିଁ । ରାତି ଦୁଇଟା ବାଜେ । ସେ ଶଯ୍ୟାତ୍ୟାଗ କରି ପୋଷାକ ପିନ୍ଧିବାକୁ ଆରମ୍ଭ କଲା । ସ୍ତ୍ରୀ ପଚାରିଲା, ‘‘ଏତେ ରାତିରେ କୁଆଡ଼େ ?’’

 

‘‘ମାର୍ଲ, ଆମ ଘରେ ବାର୍ଲି ଅଛି ?’’

 

‘‘ବାର୍ଲି ? ଏତେ ରାତିରେ ବାର୍ଲି–’’

 

‘‘ହଁ, ବାର୍ଲି ଦରକାର, ଅଛି ତ କାଢ଼ି ଦିଅ ।’’

 

‘‘ଅଛି ! ସମସ୍ତ ଗୃହର ଏକମାତ୍ର ସଞ୍ଚିତ ଧନ ଅଧ ସେର ବାର୍ଲି–’’

 

‘‘ଦିଅ ମାର୍ଲ, ଡେରି କର ନାହିଁ–ବେଜିୟାରର କ୍ଷେତପାଇଁ–’’

 

ସନ୍ତାନହୀନା ଜନନୀର ହୃଦୟ କମ୍ପିତ ହୋଇଉଠିଲା । ‘‘ବେଜିୟାରର ।’’

 

‘‘ହଁ ! ବେଜିୟାରର କ୍ଷେତପାଇଁ ମଞ୍ଜି ଦରକାର । ସେ ବାର୍ଲି ଖୋଜିଲା; କିନ୍ତୁ କେହି ତାକୁ ଦେଲେ ନାହିଁ । ଆମର ତ ଅଛି, ନ ଦେଲେ ତା’ କ୍ଷେତ ଖଣ୍ଡି ଉଠିଆ ହେବ କିପରି ?’’

 

ଯଥାର୍ଥ କଥା ! ପିୟାର ବାର୍ଲି ନ ଦେଲେ ବେଜିୟାରର କ୍ଷେତ ଉଠିଆ ହେବ କିପରି ?

 

ମାର୍ଲ ତଥାପି ଇତସ୍ତତଃ କଲା–‘‘କିନ୍ତୁ କାଲି ଦିନଟାପାଇଁ ଆମର ଯେ ଏତିକି ମାତ୍ର ସମ୍ବଳ !’’

 

‘‘ଚିନ୍ତା ନାହିଁ । କାଲି କଥା ଦେଖାଯିବ । କିନ୍ତୁ ଆଜି ଯେ କାଲି ଅପେକ୍ଷା ବହୁତ ବେଶି ଆବଶ୍ୟକ । ହଁ, ଏହି ରାତିରେ ଯାଇ ବେଜିୟାରର କ୍ଷେତରେ ମଞ୍ଜି ବୁଣି ଆସିବାକୁ ହେବ । ଦରିଦ୍ର ମୁଁ–ପଡ଼ୋଶୀମାନେ ଯେପରି ନ ଜାଣନ୍ତି-ଏପରି ଦାନ କରିବାକୁ କ୍ଷମା କରିବାକୁ, ମୋର ମଧ୍ୟ ଆସ୍ପର୍ଦ୍ଧା ଅଛି !’’

 

ସେହି ନୀରବ ଅର୍ଦ୍ଧଯାମରେ ପିୟାର ବାର୍ଲି ମୁଠିଟି ଧରି ଏହି ନିରୀଶ୍ୱର ଭୂପୃଷ୍ଠରେ ଭଗବାନଙ୍କର ସୃଷ୍ଟି କରିବା ପାଇଁ (In the creating of God) ବାହାରିଲା । ଦୁଃଖ ସୁଖ ସବୁ ଅବସ୍ଥାରେ ସ୍ୱାମୀର ସଙ୍ଗିନୀ ସହଧର୍ମିଣୀ ମାର୍ଲ ମଧ୍ୟ ସେହି ନିଶୀଥରେ ଏକାକୀ ସ୍ୱାମୀର ସହଗାମିନୀ ହେଲା ବେଜିୟାରର ବାର୍ଲିକ୍ଷେତକୁ ! ପିୟାର ମଞ୍ଜି ବୁଣିବାକୁ ଲାଗିଲା । ଆଉ ମାର୍ଲ କ୍ଷେତ୍ରର ଏକ ପାର୍ଶ୍ୱରେ ଦଣ୍ଡାୟମାନ ହୋଇ କୃଷକ ରମଣୀ ପରି ମସ୍ତକରେ ରୁମାଲ ବାନ୍ଧି ନିର୍ନିମେଷ ଦୃଷ୍ଟିରେ ସ୍ୱାମୀର କାର୍ଯ୍ୟ ପର୍ଯ୍ୟବେକ୍ଷଣ କଲା ।

 

ଭୟ ନାହିଁ–ଆସ୍ତାର ମୃତ୍ୟୁ ଘଟଣା ପରେ ବେଜିୟାରର ବୁଲ୍‌ଡ଼ଗ୍ ଆଜି ନିହତ । ଗ୍ରାମବାସୀମାନେ ତାକୁ ମାରି ପକାଇଛନ୍ତି ।

 

ଅଭେଦ୍ୟ ଅନ୍ଧକାର । ପ୍ରାସାଦ କୁଟୀର ଏକାକାର ହୋଇପଡ଼ିଛି । ପ୍ରକାଣ୍ଡ ହର୍ମ୍ୟ ସୁଡ଼ଙ୍ଗର ନିର୍ମାତା ଆଜି ନିଃସ୍ୱ ହୋଇ ଏହି ଅନ୍ଧକାର ଭିତରେ ଭଗବାନଙ୍କର ସୃଷ୍ଟି କରିବାରେ ବାହାରିଛି । ଆଉ ମହା ବିଳାସ ବ୍ୟସନରେ ପ୍ରତିପାଳିତା ଧନିକ କନ୍ୟା ତାହାର ସ୍ତ୍ରୀ ମାର୍ଲ-ସେ ସ୍ଥିର ଦୃଷ୍ଟିରେ ସ୍ୱାମୀ ନିକଟରେ ଦଣ୍ଡାୟମାନା । ଏହି ନିବିଡ଼ ଅନ୍ଧକାର ଉଭୟଙ୍କୁ ଅତି ନିକଟତମ କରିଦେଲା-ତାହାର ସମସ୍ତ ଉତ୍ସବମୟ ଅତୀତ ଜୀବନରେ ପିୟାର ଯାହା ଅନୁଭବ କରିନାହିଁ ।

 

ପୂର୍ବଦିଗ ପରିଷ୍କାର ହୋଇ ଆସିଛି । ମାର୍ଲ ଚକ୍ଷୁରେ ଦିବସର ପ୍ରଥମ ଆଲୋକ ପଡ଼ିଛି-। ପିୟାରର ବାର୍ଲି ବୁଣା ଶେଷ ହୋଇଛଇ । ଅସ୍ପଷ୍ଟ ଛାୟା ଓ ଆଲୋକର ମିଶ୍ରଣରେ ମାର୍ଲର ମୁଖ ସେ ଭଲରୂପେ ଦେଖି ପାରୁନାହିଁ । ନିକଟକୁ ଯାଇ ଦେଖେ, ମାର୍ଲ ତାହାରି ଆଡ଼କୁ ଚାହିଁ ମୃଦୁ ମୃଦୁ ହସୁଛି । ଏହି ନିରୀଶ୍ୱର ଧରଣୀ ବକ୍ଷରେ ମାର୍ଲ ମଧ୍ୟ ଆଜି ଭଗବାନଙ୍କୁ ସୃଷ୍ଟି କରିବାରେ ଯୋଗ ଦେଇଛି ।

 

ଏହି ତ୍ୟାଗ ଓ ପ୍ରେମର ପରାକାଷ୍ଠା ଫୁଟି ଉଠିଛି, ଭାରତୀୟ ପୁରାଣରେ ଗୋଟିଏ ନାରୀ ଚରିତ୍ରରେ ।

 

ସେ କୁଷ୍ଠରୋଗୀ ସ୍ୱାମୀର ଆକାଙ୍‌କ୍ଷା ପୂରଣ ଲାଗି ତାକୁ ସ୍କନ୍ଧରେ ବସାଇ ବେଶ୍ୟା ଭବନକୁ ଘେନିଗଲା । ସେଥିରେ ସେ ଯାହା ତ୍ୟାଗକଲା, ତାହାକୁ ସହସ୍ର ଗୁଣରେ ଫେରିପାଇଲା । ତା’ର ସ୍ୱାମୀଭକ୍ତି ଅନ୍ଧଭକ୍ତି ନୁହେଁ; ତାହା ପ୍ରୟୋଜନହୀନ–ତହିଁରେ ପ୍ରତ୍ୟୁପକାରର ଆଶା ନାହିଁ । ସେ ସ୍ୱାମୀକୁ ଭକ୍ତି କରେ କେବଳ ସ୍ୱାମୀ ରୂପରେ ନୁହେ, ଅନ୍ଧଭାବରେ ଚକ୍ଷୁ ବନ୍ଦ କରି ସ୍ୱାମୀର ରୂପ ଗନ୍ଧ ନ ବୁଝି କେବଳ ନାମ ମାତ୍ରରେ ନୁହେ ।

 

ତାହାର ସମସ୍ତ ରୂପ ବୁଝି, ସମସ୍ତ ଅନ୍ତର ଭେଦ କରି ସେ ତାକୁ ପ୍ରେମ ଦେଇଛି, ଭକ୍ତି ଦେଇଛି । କିନ୍ତୁ ତାହାର ବୋଧ ଏତେ ଗଭୀର, ତାହାର ଭେଦ ଏତେ ନିବିଡ଼, ସେ ପ୍ରତ୍ୟାଶାକୁ ପଛକୁ ଫିଙ୍ଗି ଦେଇଛି । ସେଥିଲାଗି ନାରୀ ହୋଇ ମୃଦୁ ହାସ୍ୟରେ ସେ ସ୍ୱାମୀକୁ ସ୍କନ୍ଧରେ ଧରି ବେଶ୍ୟାଗୃହର ଅଭିମୁଖରେ ।

 

ସେ ସ୍ୱାମୀକୁ ଭଲକରି ବୁଝିଛି । ତାହାର ସମସ୍ତ ବିନିମୟରେ ସ୍ୱାମୀ ସୁଖୀ ହେବ, ସ୍ୱାମୀର ବାସନା ପୂର୍ଣ୍ଣ ହେବ–ସେ ତାହାର କାମନା, ସେ ତାହାର ସାଧନା ।

 

ତୁମେ ମୋତେ ତୁଚ୍ଛକରି ବେଶ୍ୟାଳୟକୁ ଯାଅ–ମୋର ସ୍ଥିତି, ମୋର ଧର୍ମ, ମୋର ସେବା ତୁମକୁ ସେ ପ୍ରବୃତ୍ତିରୁ ନିବୃତ୍ତି କରିପାରି ନାହିଁ–ସେ ମୋର ପାପ, ମୋର ଦୁର୍ବଳତା ।–ତୁମେ ମଦ୍ୟପ, ସେ ମୋରି ଦୋଷ; ତୁମେ ରୁଗ୍‌ଣ, ‘ସେ ମୋରି କର୍ମଫଳ’ ମୋରି ପାପ । ସେଥିପାଇଁ ତୁମକୁ ଦୁଃଖ ଦେଇ ଏଥିରୁ ମୁଁ ନିବୃତ୍ତ କରିବି, ସେ ମୋର କର୍ମ ନୁହେଁ । ମୁଁ ଏହା ବହନ କରିବି, ସୁଖରେ ।

 

କାରଣ ତୁମ ସୁଖରେ ମୋର ସୁଖ, ତୁମ ଦୁଃଖରେ ମୁଁ ଦୁଃଖିନୀ । ତୁମର ଅବୟବ ଚଳତ୍‌ଶକ୍ତିଶୂନ୍ୟ, ତୁମର ଅଭିଳାଷ ପୂରଣହିଁ ମୋର ଧର୍ମ ।

 

ଦାନର ଐଶ୍ୱର୍ଯ୍ୟରେ ମୋ ପ୍ରେମ ଉଦ୍ଭାସିତ, ପ୍ରତ୍ୟାଶାର ଦୀନତାରେ ତାହା ମଳିନ । କାରଣ ତୁମେ ମୋର ସ୍ୱାମୀ । ତୁମେ ବେଶ୍ୟାସକ୍ତ ହୁଅ, ହୀନ ହୁଅ, ମଦ୍ୟପ ହୁଅ, ନୀଚ ହୁଅ, ନିର୍ମମ ହୁଅ–ତୁମେ ସ୍ୱାମୀ, ତୁମେ ଦେବତା, ତୁମେ ଧର୍ମ, ତୁମେ ସ୍ୱର୍ଗ, ତୁମେ ଧ୍ୟାନ, ତୁମେ-ତୁମେ ।

 

ନାରୀ ଏଠାରେ ପୁରୁଷକୁ ଅସୀମ କରି ଦେଖିଛି, ବିଶ୍ୱମୟ କରି ପାଇଛି । ସେଥିପାଇଁ ନାରୀର ଅର୍ଘ୍ୟ ଏହି ତ୍ୟାଗ ଓ ପ୍ରେମରୂପରେ ସୁବାସିତ ହୋଇ ଉଠିଛି ।

Image

 

ଉତ୍ତରାଧିକାର

 

ଯେତେ ବଡ଼ ଶୋକ ଆସୁ ପଛକେ ତହିଁରେ କାତର, କ୍ଳୀବ ବା ଅଥର୍ବ ହୋଇ ରହିବା ଗାନ୍ଧି-ନୀତିର ବିରୋଧୀ । ସେ ନୀତି ସବୁ ଅବସ୍ଥାରେ ଆଶାବନ୍ତ ଓ ଅଗ୍ରଗାମୀ । ଗାନ୍ଧି-ହତ୍ୟାର ବିରାଟ କଠୋରତା ଆଗରେ ଆଶାବନ୍ତ ହୋଇ ଅଗ୍ରଗାମୀ ଚିନ୍ତାକରିବା ଏକ ଅସମ୍ଭବ ବ୍ୟାପାର ବୋଲି ମନେ ହୋଇପାରେ; କିନ୍ତୁ ଗାନ୍ଧି-ନୀତି ପୃଥିବୀର ଯେ କୌଣସି ଅସମ୍ଭବକୁ ମଧ୍ୟ ଅସ୍ୱୀକାର କରେ । ତାହାର ଅନେକ ପ୍ରମାଣ ଆମେ ଗଲା ତିନିଟା ଦଶନ୍ଧି ଭିତରେ କେତେକ ଘଟଣାରେ ଦେଖି ଆସିଛୁଁ ।

 

ପୃଥିବୀର ରାଜନୀତିକ ଇତିହାସରେ ଯେତେଗୁଡ଼ିଏ ନୀତିର ପ୍ରଚଳନ ଦେଖାଯାଏ ଗାନ୍ଧି-ନୀତି ତାହା ଭିତରେ ସମ୍ପୂର୍ଣ୍ଣ ଅଭିନବ । ଆନ୍ତର୍ଜାତିକ ରାଜନୀତି କ୍ଷେତ୍ରରେ କାର୍ଲ ମାର୍କ୍ସ ବା ଲେନିନ୍ ଯାହା ଲୋଡ଼ିଥିଲେ, ଗାନ୍ଧି ମଧ୍ୟ ସେହିଭଳି ଚରମପନ୍ଥୀ । ସବୁଠାରୁ ବେଶି ଲୋକଙ୍କର ହିତଦୃଷ୍ଟିରୁ ସେହିମାନଙ୍କ ସମ୍ମତି ଉପରେ ଶାସନ ପ୍ରତିଷ୍ଠା କରିବା, ସମାଜର ପ୍ରତି ଅବୟବକୁ ସୁସ୍ଥ ସ୍ୱାଧୀନ କରିବା କାର୍ଲ ମାର୍କ୍ସ ବା ଲେନିନ୍‌ଙ୍କ ଭଳି ଗାନ୍ଧିଜୀଙ୍କର ମଧ୍ୟ ଚୂଡ଼ାନ୍ତ ଲକ୍ଷ୍ୟ ଥିଲା । କେବଳ କାର୍ଯ୍ୟପନ୍ଥା ଫରକ । ମାର୍କ୍ସବାଦର ଅସ୍ତ୍ର ହିଂସା, ଗାନ୍ଧିବାଦର ଅହିଂସା ।

 

ଗାନ୍ଧିବାଦର ସମାଲୋଚକ କହନ୍ତି, ଅହିଂସା କେବଳ ଗାନ୍ଧିଜୀଙ୍କ ଛଡ଼ା ତାଙ୍କର କେହି ପଟ୍ଟଶିଷ୍ୟ ମଧ୍ୟ କାର୍ଯ୍ୟରେ ପରିଣତ କରୁଥିଲା ଭଳି ଅନେକ ସମୟରେ ଜଣାପଡ଼ନ୍ତି ନାହିଁ । ପୁଣି ଅହିଂସା ହେଉଛି ସଭ୍ୟତାର ଶେଷ ନିଦାନ । ରାଜନୀତି କ୍ଷେତ୍ରରେ ଏଭଳି ଏକ ନୀତିର ପ୍ରଚଳନ ଆଦୌ ସମ୍ଭବ ବୋଲି ମଧ୍ୟ ଅନେକଙ୍କ ମନରେ ବିଶ୍ୱାସ ଆସେ ନାହିଁ । ତଥାପି ରାଜନୀତି କ୍ଷେତ୍ରରେ ମଧ୍ୟ ଯଦି ଅସ୍ତ୍ରବଳରେ ପୃଥିବୀର ସର୍ବଶ୍ରେଷ୍ଠ ଶକ୍ତିକୁ ହଟେଇ ଦିଆଯାଇପାରେ, ପୁଣି ଏହି ନୀତିକୁ ପୂର୍ଣ୍ଣରୂପେ ଅନୁସରଣ କରି ଯଦି ଜଣେ ଲୋକ ୭୮ ବର୍ଷ ପର୍ଯ୍ୟନ୍ତ ବହୁ ଶତ୍ରୁଙ୍କ ଭିତରେ ଏକାନ୍ତ ନିରସ୍ତ୍ର ଅସହାୟ ହୋଇ ବଞ୍ଚିରହିପାରେ, ତେବେ ଅନ୍ୟ ମନୁଷ୍ୟ ପକ୍ଷରେ ତାହା ଯେ ଏକାବେଳକେ ଅସମ୍ଭବ, ସେ କଥାକୁ କୌଣସି ନ୍ୟାୟଶାସ୍ତ୍ର ସମର୍ଥନ କରିବ ନାହିଁ । ସତକୁ ସତ ଆଜି ଗାନ୍ଧି ହତ୍ୟା ଭିତରେ ଯେଉଁ ରହସ୍ୟ ନିହିତ ଅଛି, ତାହା ଅନୁସନ୍ଧାନ କଲେ ମନ ଭିତରେ ଆଗ ହୋଇ ଗୋଟାଏ ପ୍ରଶ୍ନ ପହଞ୍ଚେ, ୭୮ ବର୍ଷ ବୟସ ପର୍ଯ୍ୟନ୍ତ ତାଙ୍କୁ ହତ୍ୟା କରାନଯାଇ କିପରି ଛାଡ଼ି ଦିଆଗଲା ? କିମ୍ବା ଭାରତ ସ୍ୱାଧୀନତା ପୀଠରେ ଏହା ହିଁ କ’ଣ ଶ୍ରେଷ୍ଠତମ ବଳୀ ରୂପେ ଆଗରୁ ରଖା ହୋଇଥିଲା ?

ତାହାର କାରଣ, ରାଜନୀତିକ ବିଜୟ ହାସଲ କରିବା ଯେଉଁମାନଙ୍କ ଜୀବନର ବ୍ରତ ହୋଇଛି, ଦେଶଜୟୀ ସମ୍ରାଟ, ରାଜା, ସେନାପତି, ମନ୍ତ୍ରୀ, ଜନନାୟକ ବା ବିପ୍ଲବୀ ନେତା ରୂପେ ସବୁ ଯୁଗରେ ସବୁ ଦେଶର ଇତିହାସରେ ଯାହାଙ୍କ ନାମ ଲିପିବଦ୍ଧ ରହିଛି, ସବୁରି ଭିତରେ ହିଁ ଗାନ୍ଧିଜୀ ଯେପରି ଏକକ ଓ ସ୍ୱତନ୍ତ୍ର । ସବୁ ଯୁଗରେ ସବୁଦେଶର ଇତିହାସରେ ଯେଉଁମାନଙ୍କ ନାମ ଲିପିବଦ୍ଧ ରହିଛି, ସେମାନଙ୍କ କୃତିତ୍ୱ ମଧ୍ୟରେ, କିଏ ନିଜ ପକ୍ଷରୁ କିମ୍ବା ପ୍ରତିଦ୍ୱନ୍ଦୀ ପକ୍ଷରୁ କେତେ ହଜାର ହଜାର ବା କେତେ ଲକ୍ଷ ନରନାରୀଙ୍କ ରକ୍ତରେ ନିଜ ହାତକୁ ରଙ୍ଗାଇ ପାରିଛନ୍ତି । ପୁରାଣ ଯୁଗରୁ ଆରମ୍ଭ କରି ଆଜିଯାକେ କେବଳ ରକ୍ତାକ୍ତ ଲଢ଼େଇର କାହାଣୀ ହିଁ ଆମ୍ଭେମାନେ ଶୁଣି ଆସିଛୁଁ ।

କେଉଁଠାରେ ନର ଓ ରାକ୍ଷସ ମଧ୍ୟରେ, କେଉଁଠାରେ ଭାଇ ଭାଇ ଭିତରେ କିମ୍ବା ଗୋଟିଏ ରାଜ୍ୟ ସଙ୍ଗେ ଅପର ରାଜ୍ୟର ସଂଘର୍ଷ ହୋଇ ଏକପକ୍ଷ ବିଜୟ ହାସଲ କରିଛନ୍ତି । ବର୍ତ୍ତମାନ ଯୁଗରେ ମଧ୍ୟ ରାଜନୀତିକ ବିଜୟ ଲାଭପାଇଁ ରକ୍ତାକ୍ତ ଯୁଦ୍ଧବିପ୍ଲବର ଉଦାହରଣ ସବୁ ଦିନର ଘଟନା ରୂପେ ଆମ ଆଖି ଆଗରେ ନାଚୁଛି । କେବଳ ରକ୍ତହୀନ ଯୁଦ୍ଧ ଓ ରକ୍ତହୀନ ବିପ୍ଲବର ନିଶାଣ ଧରି ସବୁରି ଊର୍ଦ୍ଧ୍ୱରେ ଭାରତବର୍ଷ ଠିଆ ହୋଇଛି, ମଣିଷ ଜାତିର ହଜାର ହଜାର ବର୍ଷର ଇତିହାସକୁ ଉପହାସ କରି । ନବ ଭାରତର ସର୍ବଶ୍ରେଷ୍ଠ ଭାସ୍କର, ସବୁଠାରୁ ବଡ଼ ବିନ୍ଧାଣୀ ଗାନ୍ଧିଜୀ । ହିଟଲର, ମୁସୋଲିନି, ନେପୋଲିୟନ, ଆଲେକଜାଣ୍ଡର, ଲିଂକନ୍, ଓ୍ୱାଶିଂଟନ, ରୋସୋ, ସକ୍ରେଟିସ୍‌ଙ୍କ କଥା ଆମେ ଅଳ୍ପ ବହୁତ ଜାଣୁ । ରାମ, କୃଷ୍ଣ, ଯୁଧିଷ୍ଠିର, ଶଙ୍କର, ଚୈତନ୍ୟ, ନାନକ ପ୍ରଭୃତି ପ୍ରାଚ୍ୟ ବୀର ମନୀଷୀମାନଙ୍କର ଆଦର୍ଶରେ ଆମେ ଅନୁପ୍ରାଣିତ । ଯିଶୁ, ମହମ୍ମଦ, କନଫୁସିଅସ୍, ବୁଦ୍ଧ ପ୍ରଭୃତି ଧର୍ମସଂସ୍କାରକ ବା ଧର୍ମ ପ୍ରଚାରକ ମଧ୍ୟ ପୃଥିବୀରେ ଜନ୍ମଲାଭ କରିଥିଲେ । ଦର୍ଶନ, ବିଜ୍ଞାନ, କଳା, ସାହିତ୍ୟ ବା ଇତିହାସରେ ବହୁ ମନୀଷୀ ଦେଶ ଓ ସମାଜକୁ ବହୁ ଅମୂଲ୍ୟ ଦାନ ଦେଇ ଯାଇଛନ୍ତି ।

କିନ୍ତୁ ରାଜନୀତି କ୍ଷେତ୍ରରେ ଗାନ୍ଧି ଯେଉଁ ଅହିଂସା ଅସ୍ତ୍ର ଧରାଇ ଦେଇଗଲେ, ପୃଥିବୀର ସୃଷ୍ଟିକାଳରୁ ଆଉ କେହି ତାହା ଦେଇନଥିଲେ । ଏହି ଅସ୍ତ୍ର ସାହାଯ୍ୟରେ ଯୁଦ୍ଧ କରି ମଧ୍ୟ ମନୁଷ୍ୟ ଯେ ପ୍ରବଳ ଶତ୍ରୁକୁ ଜୟ କରିପାରେ, ତାହା ଗାନ୍ଧି ଜୀବନରେ ହିଁ ପ୍ରମାଣିତ ହେଲା ।

ଅହିଂସାର ଅବତାର ରୂପେ, ଭାରତର ପୁଞ୍ଜୀଭୂତ ତପସ୍ୟାରୂପେ ଯେଉଁ ଜୀବନ ଗଢ଼ା ହୋଇଥିଲା, ତାହାର ସମାପ୍ତି ହେଲା ଗୁଳି ଚୋଟରେ । ସେ ଚୋଟ ମୂଳରେ ଯେତେ ଷଡ଼ଯନ୍ତ୍ର ବା ରାଜନୀତିକ ଅଭିସନ୍ଧି ଥିଲେ ମଧ୍ୟ, ଯେତେ ହୀନତମ ସ୍ୱାର୍ଥ ଓ ବ୍ୟକ୍ତିଗତ ହିଂସା ଜଡ଼ିତ ଥିଲେ ମଧ୍ୟ ତାହାର ଆବାଜ ଆଜି ପୃଥିବୀପୃଷ୍ଠରେ କେଉଁ ବାଣୀ ଶୁଣାଇଛି ? ଗତ ମହାଯୁଦ୍ଧର ପ୍ରାରମ୍ଭରେ ଯେଉଁ ବିରାଟ ପୁରୁଷ ହିଟଲର ମୁସୋଲିନିଙ୍କୁ ମଧ୍ୟ ଅହିଂସା ନୀତିରେ ଦୀକ୍ଷିତ କରିବାକୁ ଦୁରାଶା ପୋଷଣ କରିଥିଲେ, ଅହିଂସା ବଳରେ ଇଂଲଣ୍ଡ ମଧ୍ୟ ଯୁଦ୍ଧଜୟୀ ହେବ ବୋଲି ଯେ ପରାମର୍ଶ ଦେଇଥିଲେ, ପୁଣି ଯାହାଙ୍କ ନୀତି ଓ ପରାମର୍ଶ ଆଜି ମଧ୍ୟ ରକ୍ତାକ୍ତ ଧରଣୀର ଲୋକ ବୁଝିବାକୁ ଅସମର୍ଥ, ମୃତ୍ୟୁର ଅଳ୍ପଦିନ ପୂର୍ବରୁ ଭାରତରେ ସାମ୍ପ୍ରଦାୟିକ ହତ୍ୟା ବିଭୀଷିକାର ଦମନ ପାଇଁ ଯେ ଆମରଣ ଅନଶନ କରି ଆଶ୍ଚର୍ଯ୍ୟ ରୂପେ କୃତକାର୍ଯ୍ୟ ହୋଇଥିଲେ, ଯାହାଙ୍କ ଜୀବନର ପ୍ରତି ଘଟଣା ଅସାଧାରଣ-ତାହାଙ୍କର ମୃତ୍ୟୁ ଆଉ ସାଧାରଣ ହୁଅନ୍ତା କିପରି ?

 

ଆମରଣ ଅନଶନର ଯେଉଁ ପ୍ରଭାବ ଭାରତ ଉପରେ ପଡ଼ିଥିଲା, ଶେଷରେ ତାହାଙ୍କ ହତ୍ୟା ସମଗ୍ର ପୃଥିବୀର ରାଜନୀତି–କ୍ଷେତ୍ରରେ ହିଂସା ଓ ରକ୍ତପାତ ପ୍ରତି ଅଙ୍ଗୁଳି ସଙ୍କେତ ଦେଲା । ଯଥାର୍ଥରେ ସେ ଗୁଳି ମାନବ ସଭ୍ୟତାର ଘୃଣ୍ୟତମ କଳଙ୍କ ପ୍ରତି ଆଜି ପୃଥିବୀର ଦୃଷ୍ଟି ଆକର୍ଷଣ କରିଛି । ତାହାର ଆବାଜ ବାଜିଛି ବହୁ ମାନବର ହୃଦୟରେ । ସର୍ବଶ୍ରେଷ୍ଠ ଅହିଂସ ପୁରୁଷ ବକ୍ଷରେ ଯେଉଁ ଗୁଳି ବାଜିଲା, ତାହା ଆଜି ଭାରତୀୟ ପ୍ରାଣକୁ ବିପନ୍ନ କରିନାହିଁ କି ? ଆଜି କେବଳ ଭାରତ ତାହାର ସ୍ୱାଧୀନତାପୀଠରେ ଶ୍ରେଷ୍ଠତମ ବଳିଦାନ କରିନାହିଁ, ସମଗ୍ର ପୃଥିବୀର ମାନବସମାଜର ସ୍ୱାଧୀନତା ପାଇଁ ରକ୍ତହୀନ ସମରରେ ଡେଇଁ ପଡ଼ିବାକୁ ତାହା ଡାକ ଦେଇଛି । ଆଜୀବନ ସେ ଭାରତ ପାଇଁ ଆତ୍ମୋତ୍ସର୍ଗ କରିଥିଲେ; କିନ୍ତୁ ଶେଷରେ ସେ ଯେଉଁ ମୃତ୍ୟୁବରଣ କଲେ ତାହା ଯେମିତି ସମଗ୍ର ପୃଥିବୀ ପାଇଁ ।

 

ଗାନ୍ଧି-ଜୀବନଠାରୁ ଗାନ୍ଧି-ମରଣ ଅଳ୍ପ ଗୌରବମୟ ହୋଇ ନାହିଁ । ଗାନ୍ଧି-ଜୀବନର ଆଲୋକ ପ୍ରଧାନତଃ ଭାରତକୁ ଆଲୋକିତ କରୁଥିଲା । ଗାନ୍ଧି-ମରଣ ଆଜି ସମଗ୍ର ପୃଥିବୀକୁ ପ୍ରତିଭାତ କଲା । ସେ ଆଲୋକକୁ ଅଧିକ ସ୍ଥାୟୀ ଓ ଉଜ୍ଜ୍ୱଳତର କରିବାର ଭାର କୋଟି କୋଟି ଗାନ୍ଧି ଦାୟାଦଙ୍କ ହାତରେ ଉତ୍ତରାଧିକାର ସୂତ୍ରେ ନ୍ୟସ୍ତ ରହିଲା ।

Image

 

ତାମିଲ-ସାହିତ୍ୟର ଶ୍ରେଷ୍ଠକବି

 

ସ୍ୱାଧୀନତା ପରେ ସାହିତ୍ୟ ସଂସ୍କୃତି କ୍ଷେତ୍ରରେ ନୂତନ ଚେତନାର ସ୍ପର୍ଶ ଦେଖାଯାଏ । ସରକାରୀ ତଥା ସାଧାରଣ ଉଦ୍ୟମ ଦ୍ୱାରା ସଙ୍ଗୀତ, ନାଟକ, କଳା, ସାହିତ୍ୟର ଉନ୍ନତି ଲାଗି ଏକାଧିକ ନୂତନ ଅନୁଷ୍ଠାନ ଗଢ଼ି ଉଠିଛି । ରାଜ୍ୟ ସରକାର ତଥା କେନ୍ଦ୍ର ସରକାରଙ୍କର ଉତ୍ସାହ ଉଦ୍ୟମ ମଧ୍ୟ ଏଥିଲାଗି ଦାୟୀ । ତାହାଛଡ଼ା କେତେକ ସରକାରୀ ବିଭାଗ ମଧ୍ୟ ଜାତୀୟ ସାହିତ୍ୟ ସଂସ୍କୃତିର ଉଦ୍‌ବୋଧନ ପାଇଁ ତତ୍‌ପର ଥିବାର ଜଣାପଡ଼େ । ବିଭିନ୍ନ ସରକାରୀ ବିଭାଗୀୟ ପତ୍ରପତ୍ରିକାର ପ୍ରକାଶନ ତାହାର ଏକ ନିଦର୍ଶନ ।

 

ଭାରତୀୟ ଡାକ-ତାର ବିଭାଗ ଦ୍ୱାରା ଯେଉଁ ନୂଆ ନୂଆ ଡାକ-ଟିକଟ ବା ଷ୍ଟାମ୍ପ ପ୍ରକାଶିତ ହେଉଛି, ତହିଁରେ ଦେଶର ବିଶିଷ୍ଟ କଳା, ସ୍ଥାପତ୍ୟର ଚିତ୍ର ସହିତ ଶ୍ରେଷ୍ଠଜନନାୟକ, ବିଜ୍ଞ, କବି, ସଙ୍ଗୀତଜ୍ଞମାନଙ୍କର ଚିତ୍ରମାନ ମଧ୍ୟେ ମଧ୍ୟେ ପ୍ରକାଶ ପାଉଛି । ସାହିତ୍ୟ ସଂସ୍କୃତିର ସ୍ମାରକ ରୂପେ ଏହି ଡାକଟିକଟର ମୂଲ୍ୟ ସାମାନ୍ୟ ନୁହେଁ । ଭବିଷ୍ୟତର ଐତିହାସିକମାନଙ୍କ ପାଇଁ ଏଗୁଡ଼ିକ ଉପାଦେୟ ଉପାଦାନ ରୂପେ ପରିଗଣିତ ହେବ ।

 

୧୮୬୦ ଖ୍ରୀଷ୍ଟାବ୍ଦ ଫେବୃୟାରି ମାସ ୧୫ ତାରିଖରେ ତାମିଲ ସନ୍ଥକବି ତିରୂଭଲ୍ଲୁଭରଙ୍କ ପବିତ୍ର ସ୍ମୃତି ଉଦ୍ଦେଶ୍ୟରେ ଡାକ-ତାର ବିଭାଗ ଏକ ବିଶେଷ ଡାକଟିକଟ ପ୍ରକାଶ କରିଛନ୍ତି । ଚତୁର୍ଥ ଶତାବ୍ଦୀର ପ୍ରାରମ୍ଭରେ ତାମିଲ-ସାହିତ୍ୟରେ ଏକ ନବଜାଗରଣର ସୂଚନା ମିଳେ-। ତାମିଲନାଡ଼ୁର ରାଜାମାନେ ପ୍ରାଚୀନ କବିତାର ସଂଗ୍ରହ ଓ ସଂରକ୍ଷଣ ପାଇଁ ମନ ବଳାନ୍ତି-। ତିରୁଭଲ୍ଲୁଭ ତାମିଲ ପ୍ରସିଦ୍ଧ କବିମାନଙ୍କ ମଧ୍ୟରେ ଅନ୍ୟତମ । ପଣ୍ଡିତ ମୂର୍ଖ ଉଭୟର ସେ ଆନନ୍ଦବର୍ଦ୍ଧନ କରିଥିଲେ । ତାଙ୍କ ଜୀବନୀ ବିଷୟରେ ବେଶି କିଛି ଜଣାଯାଏ ନାହିଁ । କେହି କେହି କହନ୍ତି, ସେ ଜନ୍ମରୁ ଜାତିଚ୍ୟୁତ ଥିଲେ । ଆଉ କାହାରି କାହାରି ମତରେ ସେ ଜାତିରେ ତନ୍ତୁବାୟ ଥିଲେ । ତାଙ୍କ ଜନ୍ମସ୍ଥାନ ବିଷୟରେ ମଧ୍ୟ ସେହିଭଳି ସ୍ଥିରତା ନାହିଁ । ବର୍ତ୍ତମାନ ମାନ୍ଦ୍ରାଜ ନଗର ଅନ୍ତର୍ଭୁକ୍ତ ମାୟଲାପୁରରେ ସେ ଜନ୍ମଲାଭ କରିଥିବାର କେହି କେହି କହନ୍ତି । ପୁଣି ଅନ୍ୟ ମତରେ ମଦୁରାଇ ତାଙ୍କର ଜନ୍ମସ୍ଥାନ । ପଞ୍ଚମ ଓ ସପ୍ତମ ଶତାବ୍ଦୀରେ ଏହି ଉଭୟ ସ୍ଥାନରେ ଜୈନଧର୍ମ୍ମର ପ୍ରାଦୁର୍ଭାବ ଥିଲା । ତୀରୁଭଲ୍ଲୁଭର ମଧ୍ୟ ଜଣେ ଜୈନ ଥିଲେ । ତାଙ୍କର ପ୍ରସିଦ୍ଧ ରଚନା ‘‘କୁରାଲ’’ ଗ୍ରନ୍ଥର ପ୍ରଥମ ଦୁଇ ଭାଗକୁ ଲାଟିନ ଭାଷାରେ ଅନୁବାଦ କରିଥିବା ଜଣେ ୟୁରୋପୀୟ ପଣ୍ଡିତ ତାହାଙ୍କୁ ପ୍ଳାଟୋଙ୍କ ସହିତ ତୁଳନା କରିଛନ୍ତି । ପାଣ୍ଡ୍ୟର ରାଜାମାନେ ରାଜଧାନୀ ମଦୁରାଇରେ ଯେଉଁ ବିଖ୍ୟାତ ତାମିଲ ଏକାଡେମୀ ପ୍ରତିଷ୍ଠା କରିଥିଲେ, ଉକ୍ତ ଏକାଡେମୀ ଦ୍ୱାରା ‘‘କୁରାଲ’’ ଗ୍ରନ୍ଥ ଉଚ୍ଚପ୍ରଶଂସିତ ହୋଇଥିଲା । ତାମିଲ-ସାହିତ୍ୟରେ ଏହି ଯୁଗକୁ ‘‘ସଙ୍ଗମ’’ ଯୁଗ ବୋଲାଯାଏ ।

 

ତାଙ୍କର ଅନ୍ୟତମ ରଚନା ‘‘ତିରୁକୁରଲ’’ ବା ‘‘ପବିତ୍ର କବିତା’’ ନୈତିକ ବିଚାରକୁ ଘେନି ରଚିତ । ବୌଦ୍ଧ, ଜୈନ, ଶୈବ ବୈଷ୍ଣବ ପ୍ରତ୍ୟେକ ସମ୍ପ୍ରଦାୟ ଏହି ଗ୍ରନ୍ଥକୁ ଆପଣାର ବୋଲି ଦାବୀ କରିଥିଲେ । ତାଙ୍କ ରଚନାଗୁଡ଼ିକୁ ତିନିଭାଗରେ ବିଭକ୍ତ କରାଯାଏ । ପ୍ରଥମ ଭାଗ ‘‘ଅରମ’’ ବା ଧର୍ମ୍ମ; ଦ୍ୱିତୀୟ ଭାଗ ‘‘ପୋରୁଲ’’ ବା ଅର୍ଥ ଏବଂ ତୃତୀୟ ଭାଗ ‘‘ଇନ୍‌ଦାମ’’ ବା କାମ । ଗୃହସ୍ଥାଶ୍ରମ, ସନ୍ନ୍ୟାସ–ଆଶ୍ରମ, ରାଜା ଓ ସେମାନଙ୍କର କର୍ତ୍ତବ୍ୟ, ପୁଣି ବିବାହର ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ପ୍ରେମର ଚିତ୍ର ଏହି ଗ୍ରନ୍ଥଗୁଡ଼ିକରେ ବର୍ଣ୍ଣିତ ହୋଇଛି ।

 

ପ୍ରେମ ଓ ଦୟାକ୍ଷମାକୁ ହିଁ ସମାଜର ସୁଦୃଢ଼ ଭିତ୍ତି ରୂପେ ସେ ବର୍ଣ୍ଣନା କରିଛନ୍ତି । ‘‘ତିରୁକୁରାଲ’’ ଗ୍ରନ୍ଥକୁ ଇଂରାଜୀ ଭାଷାରେ ଅନୁବାଦ କରି ଡକ୍ଟର ଜି, ଭି, ପୋପ୍ କହିଚନ୍ତି-ତାଙ୍କର ଅତ୍ୟନ୍ତ ସରଳ ଭାଷା, ସ୍ୱଚ୍ଛ ସୁନ୍ଦର ବର୍ଣ୍ଣନା, ସଂଯତ ଓ ଶକ୍ତିଶାଳୀ ପ୍ରକାଶ ଭଙ୍ଗି, ଗଭୀର ପାଣ୍ଡିତ୍ୟ; ଅନ୍ତର୍ଦୃଷ୍ଟି ପୁଣି ମଧୁର ହାସ୍ୟରସର ଅବତାରଣା ତାହାଙ୍କୁ ଚିରକାଳ ପାଇଁ ଶ୍ରଦ୍ଧା ଓ ଭକ୍ତିର ଆସନ ଦାନକରିଛି ଏବଂ ତାମିଲମାନଙ୍କ ଦ୍ୱାରା ତାହାଙ୍କ ଗ୍ରନ୍ଥ ବେଦ ଭଳି ଆଦୃତ ଓ ସମ୍ମାନିତ ହୁଏ । ତାହାଙ୍କ ରଚନା ୟୁରୋପ ଓ ଭାରତର ପ୍ରାୟ ସକଳ ପ୍ରଧାନ ପ୍ରଧାନ ଭାଷାରେ ଅନୁଦିତ ହୋଇଛି ତାଙ୍କ ରଚନାର ଚମତ୍କାରିତା’ର ଗୋଟିଏ ନମୁନା ଏଠାରେ ଦିଆଯାଉଛି ।

 

‘‘ଯେଉଁମାନେ ଦୁଃଖ କଷ୍ଟ ଦିଅନ୍ତି, ସେମାନଙ୍କ ପ୍ରତି ମଧ୍ୟ ସୁଖ ବିଧାନ କରିନପାରିଲେ ପ୍ରକୃତ ମହତ୍ୱର ମୂଲ୍ୟ କ’ଣ ? ମନ୍ଦ କର୍ମପ୍ରତି ଭୟ କରିବାକୁହିଁ ପ୍ରକୃତ ବିନୟ କୁହାଯାଏ । ଆଉ ସବୁପ୍ରକାର ବିନୟ କେବଳ ସାଧ୍ୱୀ କନ୍ୟାମାନଙ୍କର ଲଜ୍ଜ୍ୟା ବ୍ୟତୀତ ଆଉ କିଛି ନୁହେ ।’’

 

‘‘ଏହି ସୁନ୍ଦରୀ କଜ୍ଜ୍ୱଳରଞ୍ଜିତ ନୟନଯୁଗଳର ଦୁଇଟି ଦୃଷ୍ଟି ଅଛି । ସେଥି ମଧ୍ୟରୁ ଗୋଟିଏ ଦୁଃଖ ଦିଏ ଏବଂ ଅନ୍ୟଟି ସେ ଦୁଃଖର ଉପଶମ କରେ ।’’

 

ଡକ୍ଟର ଆଲ୍‌ବାର୍ଟ ସୁଇତ୍‌ଜାର୍ ‘‘ତିରୁକୁରଲ’’ ଗ୍ରନ୍ଥର ନୀତିବାକ୍ୟ ଗୁଡ଼ିକ ସମ୍ବନ୍ଧରେ କହିଛନ୍ତି, ‘‘ବିଶ୍ୱ ସାହିତ୍ୟରେ ଏଭଳି ଗ୍ରନ୍ଥ କ୍ୱଚିତ୍ ଅଛି, ଯାହା ଏପରି ସୁମହତ ନୀତିବାକ୍ୟ ଦ୍ୱାରା ଐଶ୍ୱର୍ଯ୍ୟଶାଳୀ ।’’

 

ଭାରତର ବିଭିନ୍ନ ପ୍ରାନ୍ତର ଯେଉଁ ଅତୁଳନୀୟ ସାହିତ୍ୟ ସୃଷ୍ଟିର ପରମ୍ପରା ରହିଅଛି; ଏବଂ ଯେଉଁ ମହାନ୍ କବି ସାହିତ୍ୟକଗଣ ସେହି ପରମ୍ପରାକୁ ସୁଦୃଢ଼ କରିଛନ୍ତି, ବହୁପୂର୍ବରୁ ସେସବୁ ପାଶ୍ଚାତ୍ୟ ପଣ୍ଡିତମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଭାରତର ଗୋଟିଏ ପ୍ରାନ୍ତର ସାହିତ୍ୟ ଅନ୍ୟ ପ୍ରାନ୍ତରେ ସୁପରିଚିତ ନଥିଲା । ସ୍ୱାଧୀନତା ପରେ ନବଜାଗରଣର ଯେଉଁ ସୂଚନା ସର୍ବତ୍ର ମିଳିଛି ଏବଂ ସାହିତ୍ୟ ଏକାଡେମୀ ଦ୍ୱାରା ଆଞ୍ଚଳିକ ସାହିତ୍ୟମାନଙ୍କର ବିଭିନ୍ନ ଭାରତୀୟ ଭାଷାରେ ଅନୁବାଦ କରାଯାଉଛି, ତାହାଦ୍ୱାରା ଏହି ଅଭାବ କେତେକାଂଶରେ ପୂରଣ ହେବା ଏକ ଆନନ୍ଦର ବିଷୟ ।

Image

 

ପୁରାଣର ବିଦୂଷୀ

 

କୌଣସି ଦେଶକୁ ବୁଝିବାକୁ ହେଲେ ତାହାର ବର୍ତ୍ତମାନ ଅବସ୍ଥା ଆଲୋଚନା କରିବା ଯେପରି, ସେହିପରି ତାହାର ଅତୀତ ସଙ୍ଗେ ପରିଚିତ ହେବା ମଧ୍ୟ ଆବଶ୍ୟକ । ପ୍ରତି ମନୁଷ୍ୟର ଜୀବନ ତାହାର ବାଲ୍ୟ ଏବଂ ଯୌବନର ଅବସ୍ଥା ଓ କାର୍ଯ୍ୟ ସଙ୍ଗେ ଜଡ଼ିତ; ପ୍ରତି ସମାଜ ମଧ୍ୟ ସେହିପରି ଅତୀତ ଉପରେ ଗଢ଼ା ହୋଇଥାଏ । ଭାରତବର୍ଷର ପୁରାଣ-ଇତିହାସରୁ ଏହି ଅତୀତ ସମାଜର ଚିତ୍ର ଆମ୍ଭମୋନେ ପାଇଥାଉଁ । ପୁରାଣ-ଭାରତରେ ପୁରୁଷ ପରି ନାରୀର ପ୍ରତିଭା ମଧ୍ୟ ନାନା ବିଭାଗରେ ବିକଶିତ ହୋଇଥିବାର ପ୍ରମାଣ ମିଳେ । ଭାରତୀୟ ନାରୀ ଯେ କେବଳ ରନ୍ଧନଶାଳା ପାଇଁ ଉପଯୁକ୍ତ ନୁହେ, ଏ ଦେଶର ବହୁ କାବ୍ୟ, ପୁରାଣ ଓ ଇତିହାସ ସେ କଥାର ସାକ୍ଷ୍ୟ ଦେଇଥାଏ ।

 

ଭାରତର ଇତିହାସ ଯେପରି ରାଜପୁତଲଳନା ପଦ୍ମିନୀଙ୍କର ସାହସ ଓ ବିଚକ୍ଷଣତା ପାଇଁ ଗର୍ବିତ, ସେହିପରି ତାହା ଲୀଳାବତୀଙ୍କର ଅଙ୍କଶାସ୍ତ୍ରରେ ପାଣ୍ଡିତ୍ୟ କିମ୍ବା ମୋଗଲ ସମ୍ରାଟ ବାବରକନ୍ୟା ରୁଲ୍‌ବଦନ ବା ଔରଙ୍ଗଜେବ-ଦୁହିତା-ଜେବ୍ଉନ୍ନିସାଙ୍କର ଗଭୀର ସାହିତ୍ୟାନୁରାଗ ଯୋଗୁଁ ଉଜ୍ଜ୍ୱଳ ହୋଇ ଉଠିଅଛି । ଭାରତୀୟ କାବ୍ୟପୁରାଣ ମଧ୍ୟ ସୀତାଙ୍କର ସତୀତ୍ୱ, ସାବିତ୍ରୀଙ୍କର ପାତିବ୍ରତ୍ୟ, ଉମାଙ୍କର ତପସ୍ୟା, ସୁଜାତାଙ୍କର ଧର୍ମନିଷ୍ଠା କିମ୍ବା ଶକୁନ୍ତଳାଙ୍କ ରୂପଗୁଣ ଆଦି ବହୁ ଉପାଖ୍ୟାନରେ ପୂର୍ଣ୍ଣ । ପାଣ୍ଡିତ୍ୟ ବା ଶାସ୍ତ୍ରଜ୍ଞାନରେ ନାରୀର ଆସନ ଯେ ଅତି ଉଚ୍ଚରେ ପ୍ରତିଷ୍ଠିତ ଥିଲା, ପୌରାଣିକ ଭାରତରେ ସେଭଳି ଉଦାହରଣର ଅଭାବ ନାହିଁ । ମୈତ୍ରେୟୀ, ଗାର୍ଗୀ ବା ମଦାଳସାଙ୍କର ଉପାଖ୍ୟାନ ଏହି ପାଣ୍ଡିତ୍ୟର ପରିଚୟ ଦେଇଥାଏ ।

 

ବିମ୍ବିସାରଙ୍କ ସଭାକୁ କାଳିଦାସ ପ୍ରଭୃତି ନବରତ୍ନ ଯେପରି ମଣ୍ଡିତ କରିଥିଲେ, ପୌରାଣିକ ଯୁଗରେ ମଧ୍ୟ ସୁପଣ୍ଡିତ ଅଧ୍ୟାପକମାନଙ୍କୁ ଉତ୍ସାହ ଦେବାପାଇଁ ରାଜଦରବାର ସେହିପରି ଉନ୍ମୁକ୍ତ ଥିଲା । ମହାନୁଭବ ପ୍ରାଚୀନ ରାଜାମାନଙ୍କ ସଭାରେ ପଣ୍ଡିତ ପଣ୍ଡିତ ମଧ୍ୟରେ ଶାସ୍ତ୍ର ବିଷୟରେ ବିଚାର ହୁଏ ଏବଂ ସେଥିରେ ଯେ ଜୟଲାଭ କରନ୍ତି, ରାଜାଙ୍କଦ୍ୱାରା ସେ ବିଶେଷ ପୁରସ୍କୃତ ହୁଅନ୍ତି । ରାଜର୍ଷି ଜନକଙ୍କ ସଭାରେ ଏହିପରି ଥରେ ବିଚାର ହୋଇଥିଲା ଏବଂ ମହାପଣ୍ଡିତ ଯାଜ୍ଞବଲ୍‌କ୍ୟ ସବୁ ପ୍ରଶ୍ନର ଉତ୍ତର ଦେଇ ପୁରସ୍କାରସ୍ୱରୂପ ଦଶହଜାର ଗାଈ ଜନକଙ୍କଠାରୁ ପାଇଥିଲେ । ଏହି ଗାଈଗୁଡ଼ିକର ପ୍ରତି ଶିଙ୍ଗରେ ଦଶଟି ଲେଖାଏଁ ସୁନା ମୋହର ବନ୍ଧା ହୋଇଥିଲା । ହୋତ୍ରୀଅଶ୍ୱଳ, ଆର୍ତ୍ତଭାଗ, ଭୁଜ୍ୟଲାହାୟଣ, ଚାତ୍ରାୟଣ, କହୋଳ, କୌଶିତକେୟ, ଉଦ୍ଦାଳକ ଏବଂ ଅରୁଣି ପ୍ରଭୃତି ଭାରତର ଶ୍ରେଷ୍ଠ ମନୀଷୀଗଣ ଯାଜ୍ଞବଲ୍‌କ୍ୟଙ୍କ ଦ୍ୱାରା ପରାସ୍ତ ହୋଇଥିଲେ ।

 

ଏହି ସମୟରେ ଜଣେ ବିଦୂଷୀ ମହିଳା ସଭାମଧ୍ୟରେ ଦଣ୍ଡାୟମାନ ହେଲେ । ସେ ଯୁଗରେ ଭାରତୀୟ ନାରୀର ଯେ ଅବରୋଧ ପ୍ରଥା ନ ଥିଲା, ଏହି ଘଟଣା ହିଁ ତାହାର ସୁଷ୍ପଷ୍ଟ ପ୍ରମାଣ । କାରଣ ସଭାମଧ୍ୟରେ ଏହି ରମଣୀଙ୍କୁ ଦେଖି କେହି ସଭାସଦ ବିଚଳିତ ବା ଆଶ୍ଚର୍ଯ୍ୟ ହେବା କଥା ପୁରାଣରେ ଉଲ୍ଲେଖ ନାହିଁ । ଏହି ମହୀୟସୀ ମହିଳାଙ୍କର ନାମ ଗାର୍ଗୀ । ସମଗ୍ର ବେଦଶାସ୍ତ୍ରରେ ସେ ସୁପଣ୍ଡିତା ଥିଲେ । ଯାଜ୍ଞବଲ୍‌କ୍ୟଙ୍କୁ ସେ କହିଲେ, ‘‘ମୁଁ ଆପଣଙ୍କ ସଙ୍ଗେ ଶାସ୍ତ୍ରଯୁଦ୍ଧ କରିବାକୁ ଆସିଅଛି । ମୋ ପ୍ରଶ୍ନର ଉତ୍ତର ଦିଅନ୍ତୁ ।’’ ତତ୍‌ପରେ ସେ ଦୁଇଟି ଦୁରୂହ ପ୍ରଶ୍ନ କଲେ ଏବଂ ଯାଜ୍ଞବଲ୍‌କ୍ୟ ମଧ୍ୟ ଅବଲୀଳାକ୍ରମେ ସେ ପ୍ରଶ୍ନର ମୀମାଂସା କରିଦେଲେ । ଯାଜ୍ଞବଲ୍‌କ୍ୟଙ୍କ ନିକଟରେ ପରାସ୍ତ ହେଲେ ମଧ୍ୟ ଗାର୍ଗୀ ଜନକସଭାରେ ସମ୍ମାନିତା ହୋଇଥିଲେ ଏବଂ ସ୍ୱୀୟ ଜ୍ଞାନ ଓ ପାଣ୍ଡିତ୍ୟବଳରେ ପ୍ରାଚୀନ ଭାରତର ଶ୍ରେଷ୍ଠ ମନୀଷୀମାନଙ୍କ ମଧ୍ୟରେ ତାଙ୍କର ସ୍ଥାନ ସୁପ୍ରତିଷ୍ଠିତ ।

 

ମହାଯଶା ଯାଜ୍ଞବକ୍‌ଳ୍ୟଙ୍କର ପତ୍ନୀ ମୈତ୍ରେୟୀ ମଧ୍ୟ ପରମବିଦୂଷୀ ଥିଲେ । ସେକାଳର ପଣ୍ଡିତମାନେ ଗୃହସ୍ଥାଶ୍ରମ ପରେ ସଂସାର ତ୍ୟାଗ କରି ସନ୍ନ୍ୟାସ ଗ୍ରହଣ କରୁଥିଲେ । ଯାଜ୍ଞବଲ୍‌କ୍ୟ ଗୃହତ୍ୟାଗ କରି ଯିବା ସମୟରେ ମୈତ୍ରେୟୀଙ୍କୁ କହିଲେ, ‘‘ଆର୍ଯ୍ୟେ ! ମୁଁ ବର୍ତ୍ତମାନ ସନ୍ନ୍ୟାସ କରିବାକୁ ବାହାରିଲି । ମୋହର ଉପାର୍ଜିତ ସବୁ ଧନରତ୍ନ ତୁମକୁ ଦେଇଯାଉଛି । ତୁମେ ଏହି ସମସ୍ତ ନେଇ ସୁଖରେ ରହ ।’’ ପରମ ବିଦୂଷୀ ମୈତ୍ରେୟୀ ସେତେବେଳେ ସ୍ୱାମୀଙ୍କୁ ପ୍ରଶ୍ନ କଲେ, ‘‘ଏହି ସବୁ ଧନରତ୍ନ ନେଇ ମୁଁ କ’ଣ ଅମୃତର ସନ୍ଧାନ ପାଇବି ?’’ ଯାଜ୍ଞବଲ୍‌କ୍ୟ ଉତ୍ତର ଦେଲେ, ‘‘ନା, ସେ ସନ୍ଧାନ ତୁମେ ପାଇବ ନାହିଁ ସତ; କିନ୍ତୁ ସାଧାରଣ ଧନଶାଳୀ ଲୋକେ ଯେପରି ସୁଖ ସ୍ୱାଚ୍ଛନ୍ଦ୍ୟରେ ରହନ୍ତି, ତୁମେ ମଧ୍ୟ ସେହିପରି ରହିପାରିବ ।’’ ମୈତ୍ରେୟୀ କହିଲେ, ‘‘ଯହିଁରେ ମୁଁ ଅମୃତର ସନ୍ଧାନ ପାଇବି ନାହିଁ, ସେ ସବୁ ଧନରତ୍ନ ଘେନି ମୁଁ କରିବି କ’ଣ ? ନା, ନା, ଏ ସମସ୍ତ ମୋର ଲୋଡ଼ା ନାହିଁ । ଯହିଁରେ ସର୍ବଶ୍ରେଷ୍ଠ ଆନନ୍ଦର ଉପଲବ୍ଧି ହୁଏ, ତାହା ହିଁ ମୋତେ ଦାନ କର-।’’ ସେତେବେଳେ ମୈତ୍ରେୟୀ ବ୍ରହ୍ମ ଉପଦେଶ ପାଇବାକୁ ଯୋଗ୍ୟତା ଅର୍ଜନ କରିଥିବାର ବୁଝିପାରି ଯାଜ୍ଞବଲ୍‌କ୍ୟ ପତ୍ନୀଙ୍କ ନିକଟରେ ତାହା ବ୍ୟାଖ୍ୟାନ କଲେ । ଯାଜ୍ଞବଲ୍‌କ୍ୟଙ୍କର ଏହିସବୁ ଉପଦେଶ ବୃହଦାରଣ୍ୟକ ଉପନିଷଦରେ ଲିପିବଦ୍ଧ ହୋଇଅଛି । ଏହି ଉପଦେଶଗୁଡ଼ିକୁ ଆୟତ୍ତ କରି ମୈତ୍ରେୟୀ ସ୍ୱୀୟ ଜ୍ଞାନ ଏବଂ ପାଣ୍ଡିତ୍ୟର ପରାକାଷ୍ଠା ଦେଖାଇଅଛନ୍ତି ।

 

ମାର୍କଣ୍ଡେୟ ପୁରାଣର ମଦାଳସା ମଧ୍ୟ ଜଣେ ମହୀୟସୀ ଲଳନା ଥିଲେ । ତାଙ୍କ ପରି ବିଦୂଷୀ ଓ ମନସ୍ୱିନୀ ନାରୀର ତୁଳନା ଅଳ୍ପ ଦେଖାଯାଏ । ଗନ୍ଧର୍ବରାଜ ବିଶ୍ୱକେତୁଙ୍କର କନ୍ୟା ମଦାଳସା ବାଲ୍ୟ ବୟସରୁ ହିଁ ଉପଯୁକ୍ତ ଶିକ୍ଷାଲାଭ କରି ସକଳ ଶାସ୍ତ୍ରରେ ପଣ୍ଡିତା ଥିଲେ । ତାଙ୍କ ସହିତ ଶତ୍ରୁଜିତ୍ ରାଜାଙ୍କର ପୁତ୍ର ଋତୁଧ୍ୱଜଙ୍କର ବିବାହ ହୋଇଥିଲା । ମଦାଳସାଙ୍କର ପ୍ରଥମ ସନ୍ତାନଟି ପୁତ୍ର ହେବାର ଦେଖି ରାଜା ଋତୁଧ୍ୱଜଙ୍କର ଆନନ୍ଦର ସୀମା ରହିଲା ନାହିଁ । ରାଜବଂଶର ଭାବୀ ଉତ୍ତରାଧିକାରୀଙ୍କର ଅଭ୍ୟର୍ଥନା ପାଇ ରାଜନବରରେ ଏବଂ ରାଜ୍ୟମୟ ମହାସମାରୋହରେ ଉତ୍ସବ ପାଳିତ ହେଲା । ବୀରତ୍ୱ ହିଁ କ୍ଷତ୍ରିୟ ରାଜାମାନଙ୍କର ଏକାନ୍ତ ଆଦର୍ଶ । ତେଣୁ ରାଜା ପୁତ୍ରର ନାମ ଦେଲେ ବିକ୍ରାନ୍ତ; କିନ୍ତୁ ସ୍ୱାମୀଙ୍କ ମୁଖରୁ ପୁତ୍ରର ଏହି ନାମ ଶୁଣି ମଦାଳସା ହସି ଉଠିଲେ । ସେ କାଳରେ ଜନନୀଠାରେ ହିଁ ଶିଶୁର ପ୍ରଥମ ଶିକ୍ଷାଭାର ନ୍ୟସ୍ତ ଥିଲା । ପୁତ୍ରର ଜ୍ଞାନୋଦୟ ପୂର୍ବରୁ ହିଁ ମଦାଳସା ତାକୁ ଶିକ୍ଷା ଦେବାକୁ ଲାଗିଲେ, ‘‘ତୋହର ନାମ ବିକ୍ରାନ୍ତ ରଖାଯାଇଅଛି; କିନ୍ତୁ ଅନ୍ୟଦ୍ୱାରା ପ୍ରଦତ୍ତ ନାମର କୌଣସି ସାର୍ଥକତା ନାହିଁ । ଆତ୍ମା ହିଁ ଯଥାର୍ଥ ସତ୍ୟ ବସ୍ତୁ; ଦେହ ଏବଂ ନାମ କଳ୍ପିତ ଓ ମିଥ୍ୟା । ମନୁଷ୍ୟ ଶୁଭ ଅଶୁଭ ନାନା କର୍ମ କରେ ବୋଲି ତାହାକୁ ଜନ୍ମଗ୍ରହଣ କରିବାକୁ ହୁଏ । ପିତା, ମାତା, ଆତ୍ମୀୟ, ଅନାତ୍ମୀୟ କାହାରି ପ୍ରତି ଆସକ୍ତ ହୁଅ ନାହିଁ ସୁଖ ଦୁଃଖ ଆଦି କୌଣସି ଅବସ୍ଥାରେ ଅଭିଭୂତ ହେବା ଉଚିତ ନୁହେ ।’’

 

ବିଦୂଷୀ ମା’ଙ୍କଠାରୁ ସବୁବେଳେ ଏହିପରି ଉପଦେଶ ପାଇ ପୁତ୍ରର ମନ ସଂସାରରେ ଲାଗିଲା ନାହିଁ । ରାଜସିଂହାସନଠାରୁ ବୈରାଗ୍ୟକୁ ହିଁ ବିକ୍ରାନ୍ତ ବଡ଼ ମନେ କଲେ । ତାହାପରେ ମଦାଳସାଙ୍କର ଦ୍ୱିତୀୟ ପୁତ୍ର ଜାତ ହେଲାରୁ ରାଜା ଋତୁଧ୍ୱଜ ତାହାର ନାମ ସୁବାହୁ ଏବଂ ତୃତୀୟ ପୁତ୍ରର ନାମ ଶତ୍ରୁମର୍ଦ୍ଦନ ରଖିଲେ । ସେମାନଙ୍କର ନାମକରଣ ଶୁଣି ମଧ୍ୟ ମଦାଳସା ଉପହାସ କଲେ । ବାଲ୍ୟବୟସରୁ ସେମାନେ ଜନନୀଙ୍କଠାରୁ ଆତ୍ମଜ୍ଞାନ ପାଇ ସଂସାରକୁ ମାୟାମୟ ଓ ମିଥ୍ୟା ଜ୍ଞାନ କଲେ ଏବଂ ରାଜଭବନ ଛାଡ଼ି ତପସ୍ୟା କରିବା ପାଇଁ ବନକୁ ପ୍ରସ୍ଥାନ କଲେ ।

 

ଏହା ଦେଖି ରାଜାଙ୍କ ମନରେ ବଡ଼ ବିଷାଦ ଜାତ ହେଲା । ତାଙ୍କର ସବୁ ସନ୍ତାନ ଯଦି ଏହିପରି ବନବାସୀ ହୁଅନ୍ତି, ତାହାହେଲେ ରାଜଗାଦିରେ ବସିବ କିଏ ଏବଂ ରାଜ୍ୟ ରକ୍ଷା ହେବ କିପରି ? ନାରୀର ଜ୍ଞାନ ଓ ପାଣ୍ଡିତ୍ୟ ନିକଟରେ ପୁରୁଷର ଶୌର୍ଯ୍ୟ, ବୀର୍ଯ୍ୟ, ଦମ୍ଭ ଏବଂ ଅଭିମାନ ପରାଜିତ ହେଲା । ତେଣୁ ଚତୁର୍ଥ ପୁତ୍ରର ଜନ୍ମ ହେବା ପରେ ରାଜା ମଦାଳସାଙ୍କୁ ମିନତି କଲେ, ‘‘ମୁଁ ସବୁ ପୁଅଙ୍କର ବାଛି ବାଛି ଯେତେ ନାମ ଦେଲି, ସବୁ ନାମକୁ ତୁମେ ଉପହାସ କଲା । ଏଥର ମୁଁ ଆଉ ନାମ ଦେବି ନାହିଁ, ତୁମେ ନିଜେ ଦିଅ ।’’

 

ମଦାଳସା ପୁଅର ନାମ ରଖିଲେ ‘ଅଳର୍କ’, ଅର୍ଥାତ୍ ବାୟା କୁକୁର ! ରାଜା ନିଜ ସନ୍ତାନର ଏପରି ନୀଚ ନାମ ଦେଖି ବଡ଼ ବିଚଳିତ ହୋଇପଡ଼ିଲେ ଏବଂ ମହାଦୁଃଖରେ ମହାଳସାଙ୍କୁ କହିଲେ, ‘‘ରାଣୀ, ଏହାକୁ ହିଁ ତୁମେ ମୋର ବଂଶଧରର ଉପଯୁକ୍ତ ନାମ ବୋଲି ବିଚାରିଲ ?’’

 

ହସି ହସି ମଦାଳସା ଉତ୍ତର ଦେଲେ, ‘‘ମହାରାଜ ! ତୁମର ବଂଶମର୍ଯ୍ୟାଦା ଓ ଉପାଧି ପାଇଁ ତୁମେ ବାୟା କୁକୁରଠାରୁ ମଧ୍ୟ ବେଶି ବାୟା ହୋଇପଡ଼ିଛ । ସଂସାରର ଅଧିକାଂଶ ବ୍ୟକ୍ତି ଏହି ନାମ ଏବଂ ଉପାଧି ଲାଳସାରେ ପାଗଳା କୁକୁରଠାରୁ ଅଧିକ ହୀନ ହୋଇପଡ଼ୁଛନ୍ତି । ମୋ ସନ୍ତାନର ନାମକରଣ ଜଗତର ଉପାଧିପ୍ରିୟ, ଅସତ୍ୟ, କୁଟିଳପ୍ରକୃତି ଲୋକଙ୍କ ବିରୁଦ୍ଧରେ ଗୋଟାଏ ଜବାବ । ନାମ ବା ଉପାଧି ମନୁଷ୍ୟର ସତ୍ୟ ପ୍ରକୃତିକୁ ଗୋପନ କରେ । ଚଣ୍ଡାଳ ନର-ପିଶାଚକୁ ମଧ୍ୟ ଉଚ୍ଚ ଉପାଧିରେ ଭୂଷିତ ହେବାର ଦେଖାଯାଏ । ସୁତରାଂ ନାମ ଯାହାହେଉ ପଛକେ, ସେଥିରେ ଯାଏ ଆସେ କେତେ ? ବରଂ ଖରାପ ନାମଟିଏ ଦେଲେ ପୁତ୍ରର ସେହି ନାମ ପ୍ରତି କୌଣସି ମମତା ରହିବ ନାହିଁ । ସେ ଅଳ୍ପ ଅହଙ୍କାରୀ ହେବ ଏବଂ ପ୍ରକୃତ ଜ୍ଞାନଲାଭ କରିବା ତାହା ପକ୍ଷରେ ସହଜ ହୋଇପାରିବ ।’’

 

ରାଣୀଙ୍କର କଥାଗୁଡ଼ିକ ହୃଦୟଙ୍ଗମ କରି ୠତୁଧ୍ୱଜ କହିଲେ, ‘‘ତୁମେ ଯାହା କହୁଛ, ତାହା ଯଥାର୍ଥ ସତ୍ୟ; କିନ୍ତୁ ରାଜା ଯଦି ସମ୍ପୂର୍ଣ୍ଣ ନିରହଙ୍କାର ହୁଏ, ତାହାହେଲେ ରାଜ୍ୟରକ୍ଷା ଅସମ୍ଭବ-। ମୋର ଜଣେମାତ୍ର ପୁତ୍ର ରାଜ୍ୟ ପାଳନ କରିବାକୁ ଉପଯୁକ୍ତ ହେବା ତ ଦରକାର । ସେଥିପାଇଁ ମୋହର ଅନୁରୋଧ, ରାଣୀ ! ତୁମେ ଆଉ ଏ ସନ୍ତାନଟିକୁ ସନ୍ନ୍ୟାସୀ କରିଦିଅ ନାହିଁ । ବରଂ ଏହାକୁ ଏପରି ଭାବରେ ଲେଖାପଢ଼ା ଶିଖାଅ, ଯହିଁରେ ସେ ପରାକ୍ରମଶାଳୀ ଆଦର୍ଶ ରାଜା ହୋଇପାରେ-।’’

 

ମଦାଳସା ସ୍ୱାମୀଙ୍କ ଅନୁରୋଧର ଔଚିତ୍ୟ ସ୍ୱୀକାର କଲେ । ସକଳ ବିଦ୍ୟାରେ ସେ ସୁପଣ୍ଡିତା ଥିଲେ; ତେଣୁ ପୁତ୍ର ଅଳର୍କକୁ ତତ୍ତ୍ୱଜ୍ଞାନ ନ ଦେଇ ହିନ୍ଦୁଶାସ୍ତ୍ରୋକ୍ତ ଚାରିଗୋଟି ଆଶ୍ରମ ମଧ୍ୟରୁ ପ୍ରଥମେ ବ୍ରହ୍ମଚର୍ଯ୍ୟ ଓ ପରେ ଗାର୍ହସ୍ଥ୍ୟଧର୍ମ ଶିକ୍ଷା ଦେଲେ । ରାଜପୁତ୍ର ଅଳର୍କଙ୍କୁ ବ୍ରହ୍ମଚାରୀର କଠୋର ଅନୁଶାସନଗୁଡ଼ିକ ପାଳିବାକୁ ହେଲା । ରାଜପ୍ରାସାଦର ବିଳାସ ଏବଂ ଐଶ୍ୱର୍ଯ୍ୟ ମଧ୍ୟରେ ରହି ମଧ୍ୟ ତହିଁରେ ଅନାସକ୍ତ ହୋଇ ତାଙ୍କର ଜୀବନ ଗଠିତ ହେଲା । ଆଦର୍ଶ ଗୃହସ୍ଥ ହେବା ପାଇଁ ପରିବାର, ଭୃତ୍ୟ ଓ ପ୍ରଜାମାନଙ୍କୁ କିପରି ଭାବରେ ଦେଖିବାକୁ ହେବ, କିପରି ରାଜ୍ୟର ଶାସନ ଓ ପ୍ରଜାପାଳନ କରିବାକୁ ହେବ, ସେ ସମସ୍ତ ଅଳର୍କ ମାଙ୍କଠାରୁ ହିଁ ଶିଖି ପାରିଥିଲେ ।

 

ପୁତ୍ର ବଡ଼ ହେବାରୁ ମଦାଳସା ତାଙ୍କୁ ରାଜଧର୍ମ ଓ ରାଜନୀତି ଶିକ୍ଷା ଦେଲେ । ଭାରତର ମହିଳାଙ୍କଠାରୁ ଜଣେ ରାଜପୁତ୍ର ଦିନେ ରାଜନୀତି ଶିକ୍ଷା କରି ଆଦର୍ଶ ରାଜା ହୋଇଥିଲେ, ଏ କଥାରେ ବିଶ୍ୱାସ କରିବା ମଧ୍ୟ ଆଜି କଠିନ ହୋଇ ପଡ଼ିଅଛି । ପୁରାଣର କଥା ସତ କି ମିଛ, ଏଠାରେ ତାହା ଆଲୋଚନା କରାହେଉ ନାହିଁ; କିନ୍ତୁ ପୌରାଣିକ ଯୁଗରେ ନାରୀର ଆଦର୍ଶ ଏତେଦୂର ଉଚ୍ଚ ଓ ଉଜ୍ଜ୍ୱଳ ଥିଲା, ସେଥିରେ ତ ସନ୍ଦେହ ପାଇଁ ଅବକାଶ ନାହିଁ !

Image

 

କେମାଲପାଶା ଓ ତୁର୍କସମାଜ

 

ଗୋଟଏ ଗୋଟିଏ ମହାଯୁଦ୍ଧରେ ଯେଉଁ ଭୟାବହ କ୍ଷତି ଘଟିଥାଏ ଏବଂ ପୃଥିବୀ ଉପରେ ଯେଉଁ ରୁଧିର-ବନ୍ୟା ବହିଯାଏ, ସେ ରୁଧିର ସମାଜକୁ ଉର୍ବର କରି କବି, କର୍ମବୀର, ଧର୍ମବୀର ବା ଜ୍ଞାନବୀରମାନଙ୍କୁ ଉତ୍ପନ୍ନ କରିବାର ଦେଖାଯାଏ । ଇତିହାସର ଅତୀତ ହେଲେ ହେଁ ରାମାୟଣ ଯୁଗରେ କିମ୍ବା କୁରୁକ୍ଷେତ୍ରରେ ଯେଉଁ ସମର ସଂଘଟିତ ହୋଇଥିଲା, ତାହା ମହାକାବ୍ୟ ଓ ମହା ଆଦର୍ଶର ସୃଷ୍ଟି କରି ଆଜିସୁଦ୍ଧା ସମାଜକୁ ପ୍ରଭାବିତ କରୁଅଛି । ଦୁଇ ହଜାର ବର୍ଷ ପୂର୍ବେ କଳିଙ୍ଗ ସମରରେ ଯେଉଁ ଧନକ୍ଷୟ ଓ ଲୋକକ୍ଷୟ ଘଟଥିଲା, ତାହାରି ଫଳରେ ଚୀନ, ଜାପାନ ଓ ସିଂହଳ ଆଦି ଏସିଆ ମହାଦେଶର ଅର୍ଦ୍ଧେକ ଭୂମିର ଅଧିବାସୀ ଅହିଂସା ଧର୍ମରେ ଦୀକ୍ଷିତ ହେଲେ । ବିରାଟ ଭାରତ ସାମ୍ରାଜ୍ୟଲିପ୍‌ସା ନରରକ୍ତଲାଳସୀ ଚଣ୍ଡାଶୋକଙ୍କ ଜିହ୍ୱା ଉଚ୍ଚାରଣ କଲା-ସବ ମନୁଷା ମେ ପୁତ୍ତା-ସମଗ୍ର ମାନବଜାତି ହିଁ ମୋହର ସନ୍ତାନ । ଓଡ଼ିଶାର ଧଉଳି ଓ ଉଦୟଗିରିରୁ ବ୍ରାହ୍ମୀ ଅକ୍ଷରରେ ଲିଖିତ ଯେଉଁ ଅଶୋକ ଅନୁଲିପି ମିଳିଅଛି, ତାହାରି ମଧ୍ୟରୁ ଏହା ଗୋଟିଏ ଉକ୍ତି ।

 

ଅତୀତ ଭାରତରେ ଯାହା ଦେଖାଯାଏ, ଅନ୍ୟ ସବୁ ଦେଶରେ ମଧ୍ୟ ଗୋଟିଏ ମହାଯୁଦ୍ଧ ପରେ ବିଶୃଙ୍ଖଳ ମନୁଷ୍ୟ ସମାଜର କଲ୍ୟାଣକର ବହୁ ପ୍ରଚେଷ୍ଟାର ଉଦାହରଣ ମିଳେ । ଅତୀତରେ ଅବଶ୍ୟ ବର୍ତ୍ତମାନ ପରି ଯାତାୟାତ ବା ବ୍ୟବସାୟ ବାଣିଜ୍ୟ ଦ୍ୱାର ଦେଶ ଦେଶ ମଧ୍ୟରେ ଭାବବିନିମୟ, ଶତ୍ରୁତା କିମ୍ବା ସଦ୍ଭାବର ପଥ ସୁଗମ ନଥିଲା । ତେଣୁ ସ୍ୱତନ୍ତ୍ର ଧର୍ମ, ସାହିତ୍ୟ ବା କୃଷ୍ଟି ଏବଂ ସ୍ୱତନ୍ତ୍ର ରାଜନୀତି ବା ଅର୍ଥନୀତିଦ୍ୱାରା ଏକ ଦେଶ ଅନ୍ୟଠାରୁ ବହୁ ପରିମାଣରେ ବିଚ୍ଛିନ୍ନ ରହିଥିଲା ଏବଂ ଆଭ୍ୟନ୍ତରୀଣ ଯୁଦ୍ଧବିଗ୍ରହଦ୍ୱାରା ପ୍ରଭାବିତ ହେଉଥିଲା ।

 

କିନ୍ତୁ ଚଳିତ ଶତାବ୍ଦୀରେ ୧୯୧୪ ମସିହାରେ ୟୁରୋପଖଣ୍ଡରେ ଯେଉଁ ମହାଯୁଦ୍ଧ ଅଭିନୀତ ହେଲା, ତାହା ସମଗ୍ର ପୃଥିବୀକୁ ହିଁ ପ୍ରଭାବିତ କରିଅଛି । ଏହି ଯୁଦ୍ଧଫଳରେ ସମସ୍ତ ମାନବସମାଜରେ ତୁମୂଳ ବିପ୍ଲବ ଦେଖା ଦେଇଅଛି । ଧର୍ମ, ଦର୍ଶନ, ସାହିତ୍ୟ, ବିଜ୍ଞାନ, ରାଜନୀତି କିମ୍ବା ଅର୍ଥନୀତି ଆଦି ସକଳ କ୍ଷେତ୍ରରେ ମନୁଷ୍ୟର ଚିନ୍ତା ଆନ୍ଦୋଳିତ ହୋଇ ଉଠିଅଛି । ଏକ ନୂତନ ଦୃଷ୍ଟିକୋଣରୁ ସବୁ ବିଭାଗର ବିଚାର ହୋଇଅଛି । ନାନା ଦିଗରେ ବଡ଼ ବଡ଼ କର୍ମବୀର ଓ ଚିନ୍ତାବୀରଙ୍କର ଉଦ୍ଭବ ହୋଇଅଛି ।

 

ୟୁରୋପର ଗତ ମହାସମରରେ ଯେତେ ସଂଖ୍ୟକ ଲୋକଙ୍କର ଦୈହିକ ଓ ମାନସିକ ବିକୃତି ଘଟିଥିଲା, ତାହା ଛଡ଼ା କେବଳ ମରି ଶୋଇଥିଲେ ୭୪, ୫୦, ୦୦୦ ଏବଂ ଗୋଟିଏ ଗୋଟିଏ ଦେଶରୁ ସ୍ତୂପାକାର ଅର୍ଥବ୍ୟୟ ହୋଇଥିଲା । ଏହି ବିପୁଳ ମୂଲ୍ୟ ଦେଇ ପୃଥିବୀ କ୍ରୟ କରିଛି କ’ଣ ? ଏ ପ୍ରଶ୍ନର ଉତ୍ତର ଖୋଜିବାକୁ ଗଲେ ଦେଖାଯାଏ, ମାନବସମାଜର ତୁମୂଳ ଧ୍ୱଂସଲୀଳା ପରେ ସୃଷ୍ଟି ଓ ସଂଗଠନ ପାଇଁ ସବୁ ଦେଶରେ ହିଁ ଏକ ବିରାଟ ଜାଗରଣ ଦେଖା ଦେଇଅଛି । ଲକ୍ଷ ଲକ୍ଷ ମାନବର ରୁଧିର ତର୍ପଣର ଫଳରେ ମହାଯୁଦ୍ଧର ଧ୍ୱଂସସ୍ତୂପ ମଧ୍ୟରୁ କେତେ ଜଣ ଅଗ୍ରଦୂତ ଉଭାହୋଇ ନିରାଶାର ସୂପ୍ତିଜଡ଼ିତ ମନୁଷ୍ୟଜାତିକୁ ଉଦ୍‌ବୋଧନ ଦେଇଅଛନ୍ତି ।

 

ଏମାନଙ୍କ ମଧ୍ୟରୁ ନବତୁର୍କିର ମନ୍ତ୍ରଦାତା ସୁସ୍ତାଫା କେମାଲପାଶା ଏକମତ । ମରଣପଥରୁ ଟାଣି ଆଣି ୟୁରୋପର ଗୋଟିଏ ରୁଗ୍‌ଣ ଜାତିକୁ ସେ ଖେଳିବାକୁ, ଡେଇଁବାକୁ, ନାଚିବାକୁ, ଗାଇବାକୁ, କହିବାକୁ ଓ ହସିବାକୁ ଶିଖାଇଅଛନ୍ତି । ତାହା ଭିତରେ ସ୍ୱାସ୍ଥ୍ୟ ଓ ସମ୍ପଦ, ଜୀବନ ଓ ଯୌବନ ଫେରାଇ ଆଣି ଅଦ୍ଭୁତ କୁହୁକଶକ୍ତିର ପରିଚୟ ଦେଇଅଛନ୍ତି ।

 

୧୮୮୦ ଖ୍ରୀଷ୍ଟାବ୍ଦରେ ମୁସ୍ତାଫା କେମାଲପାଶା ଭୂମିଷ୍ଠ ହୋଇଥିଲେ । ଅଧିକାଂଶ ଅଖ୍ୟାତ ପୁରୁଷଙ୍କ ପରି ଧନ ଓ ସ୍ୱାଚ୍ଛନ୍ଦ୍ୟ ମଧ୍ୟରେ ଲାଳିତ ହେବାରୁ ସେ ବଞ୍ଚିତ ଥିଲେ ଏବଂ ବହୁ କ୍ଷଣଜନ୍ମା ପୁରୁଷ ପରି ଅଭାବ ଓ ଦାରିଦ୍ର୍ୟ ମଧ୍ୟରେ ହିଁ ତାଙ୍କ ବାଲ୍ୟଜୀବନ କଟିଥିଲା । ତାଙ୍କର ପିତା ଜଣେ ସାମାନ୍ୟ ରାଜକର୍ମଚାରୀ ଥିଲେ । କିଛି କାଳ ପରେ ରାଜକର୍ମ ଛାଡ଼ି ସେ କାଠ ବ୍ୟବସାୟ କଲେ ଏବଂ କେମାଲଙ୍କର ଅତି ଶୈଶବରେହିଁ ପୃଥିବୀରୁ ବିଦାୟ ନେଇଥିଲେ । ତେଣୁ ପିତା ଅପେକ୍ଷା ମାତାର ପ୍ରଭାବ ତାଙ୍କ ଚିରିତ୍ରରେ ବେଶି ପରିମାଣରେ ପଡ଼ିଥିଲା ।

ବାଲ୍ୟଶିକ୍ଷା ପରେ ଯୁଦ୍ଧବିଦ୍ୟା ଶିଖିବାପାଇଁ କେମାଲ ଗୋଟିଏ ସୈନିକ ବିଦ୍ୟାଳୟରେ ପ୍ରବେଶ କରିଥିଲେ । ସେଠାରେ ସେ ଅଙ୍କଶାସ୍ତ୍ରରେ ଊଲ୍ଲେଖଯୋଗ୍ୟ ପାରଦର୍ଶିତା ଦେଖାଇ ପାରିଥିଲେ । ତତ୍ପରେ ତୁର୍କିର ସୁଲତାନଙ୍କ ସୈନ୍ୟବିଭାଗରେ ବିଭିନ୍ନ କାର୍ଯ୍ୟରେ ନିଯୁକ୍ତ ହୋଇ ନିଜର ଶକ୍ତି ଏବଂ ବୁଦ୍ଧିର ପରିଚୟ ଦେଇଥିଲେ । ବିଗତ ମହାଯୁଦ୍ଧରେ ଏହି ଶକ୍ତି ଏବଂ ବୁଦ୍ଧିବଳରେ ତୁର୍କିର ସୈନ୍ୟବିଭାଗରେ ତାଙ୍କର ପ୍ରତିପତ୍ତି ବଢ଼ିଯାଇଥିଲା ଏବଂ ଯୁଦ୍ଧପରେ ତୁର୍କିର ରାଜନୀତିକ୍ଷେତ୍ରରେ ସେ ଅଗ୍ରଣୀ ହୋଇପାରିଥିଲେ । ୧୯୧୯ ଖ୍ରଷ୍ଟାବ୍ଦରେ ତୁର୍କିରେ ଏକ ଜାତୀୟ ଅନୁଷ୍ଠାନ ଗଢ଼ି ସେ ତାହାର ନେତୃତ୍ଵ ଗ୍ରହଣ କଲେ । ଅଳ୍ପ ସମୟ ମଧ୍ୟରେ ଉକ୍ତ ଅନୁଷ୍ଠାନ ଏପରି ଶକ୍ତିଶାଳୀ ହୋଇ ଉଠିଲା ଯେ ‘‘କନ୍‌ସ୍ତାନ୍ତିନୋପ୍ମର’’ ରାଜସରକାର ତାହା ତୁଳନାରେ ଦୁର୍ବଳ ଓ ଶକ୍ତିହୀନ ହୋଇ ପଡ଼ିଲେ ଏବଂ ତୁର୍କିର ସୁଲତାନ ଶାସନଭାର ତ୍ୟାଗ କରି ରାଜ୍ୟରୁ ପଳାୟନ କଲେ । ତୁର୍କିର ଜାତୀୟ ଅନୁଷ୍ଠାନ କେନ୍ଦ୍ରରୂପେ ‘ଆଙ୍କରା’ ନଗରରେ ନୂତନ ରାଜଧାନୀ ପ୍ରତିଷ୍ଠିତ ହେଲା । ୧୯୨୩ ମସିହା ଅକ୍ଟୋବର ମାସ ୨୯ ତାରିଖରେ ରାଜତନ୍ତ୍ର ଶାସନ ବଦଳରେ ତୁର୍କିରେ ସାଧାରଣତନ୍ତ୍ର ଶାସନ ଚଳିଲା । ତତ୍ପରେ ସ୍ୱଜାତିକୁ ଦୃଢ଼ରୂପେ ସଂଗଠିତ ଓ ସଂସ୍କୃତ କରିବା ଦିଗରେ କେମାଲ ଧ୍ୟାନ ଦେଲେ ।

୧୯୨୩ ମସିହାଠାରୁ ୧୯୩୩ ମସିହା ପର୍ଯ୍ୟନ୍ତ ମାତ୍ର ଦଶଟି ବର୍ଷ ଭିତରେ ତୁର୍କିର ସମାଜିକ ରଙ୍ଗମଞ୍ଚରେ ଯେଉଁ ସମ୍ପୂର୍ଣ୍ଣ ନୂତନ ପଟପରିବର୍ତ୍ତନ ହେଲା, ତାହାର ପ୍ରଧାନ ନାଟ୍ୟକାର ଥିଲେ, ସୁସ୍ତାଫା କେମାଲପାଶା । ତୁର୍କିସମାଜ ପୃଥିବୀର ଗୋଟିଏ ପ୍ରାଚୀନତମ ଧର୍ମରେ ଅବଲମ୍ବୀ-। ମହାମାନବ ମହମ୍ମଦ ପ୍ରଚାରିତ ମୁସଲମାନ ଧର୍ମରେ ହିଁ ସେ ସମାଜ ଦୀକ୍ଷିତ-। ତାହାର ଜ୍ୟୋତିଷ, ଦର୍ଶନ, ଶିଳ୍ପ, ସାହିତ୍ୟ ବା କଳା ପୃଥିବୀପୃଷ୍ଠରେ ଦିନେ ଆଦର୍ଶସ୍ଥାନୀୟ ଥିଲା ଏବଂ ଯୁରୋପ ଓ ଏସିଆର ପ୍ରାଚୀନ ଆର୍ଯ୍ୟସଭ୍ୟତାକୁ ତାହାର ଦାନ ଉଲ୍ଲେଖ ଯୋଗ୍ୟ-। ପୃଥିବୀର ସାତଗୋଟି ଆଶ୍ଚର୍ଯ୍ୟ ମଧ୍ୟରୁ ବେବିଲୋନର ଦୋଳାୟମାନ ଉଦ୍ୟାନ, ମିଶରର ପିରାମିଡ କିମ୍ବା ଭାରତର ତାଜମହଲ ଏହି ଧର୍ମରହିଁ କୀର୍ତ୍ତି ଘୋଷଣା କରୁଅଛି । କଏରୋ କିମ୍ବା ବେବିଲୋନ ପରି କନ୍‌ସ୍ତାନ୍ତି, ନୋପ୍ଳର ସିଂହାସନ ତଳେ ପଶ୍ଚିମ-ଏସିଆ, ଉତ୍ତର ଆଫ୍ରିକା ଏବଂ ଦକ୍ଷିଣ-ୟୁରୋପକୁ ଘେନି ଏକ ବିଶାଳ ସାମ୍ରାଜ୍ୟ ପୃଥିବୀ ଇତିହାସରେ ଶତାବ୍ଦୀବ୍ୟାପୀ ଖ୍ୟାତି ବିସ୍ତାର କରିଥିଲା-

ସୁତରାଂ, ପ୍ରାଚୀନ ନୀତି ଓ ପଦ୍ଧତି ପ୍ରତି ଆକୃଷ୍ଟ ହେବା ଏ ଜାତିର ସଂସ୍କାରଗତ ଓ ସ୍ୱଭାବଗତ ହୋଇ ପଡ଼ିଥିଲା । ତୁର୍କିର ପୁରୁଷ ତାହାର ଐତିହାସିକ ଟୋପି, ପାଇଜାମା ବା ଆଲଖାଲ୍ଲ ବ୍ୟତୀତ ଅନ୍ୟ ପ୍ରକାର ପୋଷାକ ପିନ୍ଧିବାକୁ ଯେପରି ରାଜି ନ ଥିଲା, ତୁର୍କ ରମଣୀ ମଧ୍ୟ ପାଦଠାରୁ ମୁଣ୍ଡଯାଏ ଘୋଡ଼ାଇ ହୋଇ ସୂର୍ଯ୍ୟାଲୋକରୁ ଦୂରରେ ରହିଥିଲା । ଜଣେ ଜଣେ ପୁରୁଷ ଜଣକରୁ କେତେ ବେଶି ସ୍ତ୍ରୀ ଗ୍ରହଣ କରିପାରିବେ, ତାହାର କୌଣସି ସୀମା ନିର୍ଦ୍ଦିଷ୍ଟ ନଥିଲା । ଜଣେ ଜଣେ ଧନିକ ବ୍ୟକ୍ତି ଶହେ ଜଣ ସ୍ତ୍ରୀ ବିବାହ କରି ମଧ୍ୟ ସମାଜରେ ସମ୍ଭ୍ରାନ୍ତ ବୋଲାଉଥିଲେ । ବଜାରର ପନିପରିବା ପରି ନାରୀର କାରବାର ଚଳୁଥିଲା ଏବଂ ବ୍ୟକ୍ତିତ୍ୱ ବୋଲି ସମାଜରେ କୌଣସି ବସ୍ତୁ ନଥିଲା । ଫଳସ୍ୱରୂପ, ଉଭୟ ନାରୀ ଓ ପୁରୁଷ ଦିନକୁ ଦିନ ଦେହମନରେ କ୍ଳୀବ ହୋଇପଡ଼ୁଥିଲେ ଏବଂ ସେହିମାନଙ୍କର ସନ୍ତାନମାନଙ୍କୁ ଘେନି ତୁର୍କିର ଭବିଷ୍ୟତ୍‌ଉଜ୍ଜ୍ୱଳ ହେବାର ସମ୍ଭାବନା ନ ଥିଲା ।

ଏହି ଅସ୍ୱାସ୍ଥ୍ୟକର ଅବସ୍ଥାନର ଉନ୍ନତି ପାଇଁ ଗୋଟିଏ ଆଇନ ପ୍ରଣୟନଦ୍ୱାରା କେମାଲ ବହୁ-ସ୍ତ୍ରୀବିବାହ ପ୍ରଥା ନିରୋଧ କରି ଦେଇଥିଲେ । ଆଇନ ଜାରି ହେବା ଦିନଠାରୁ ଏପରି କାର୍ଯ୍ୟ କଲେ କଠୋର ଦଣ୍ଡରେ ଦଣ୍ଡିତ ହେବାକୁ ପଡ଼ିଲା । ବାହାରେ ମୁହଁ ଦେଖାଇ କୌଣସି ସାଧାରଣ ଅନୁଷ୍ଠାନରେ ଯୋଗ ଦେବା ନାରୀପକ୍ଷରେ ଲଜ୍ଜ୍ୟାର ବିଷୟ ହୋଇ ସମାଜର ଅସ୍ୱାଭାବିକ ଓ ରୁଗ୍‌ଣ ଅବସ୍ଥାର ପରିଚୟ ଦେଉଥିଲା । ତାହା ମଧ୍ୟ ଆଇନବଳରେ ବନ୍ଦ କରି ଦିଆଗଲା । ପୁରୁଷମାନେ ଚିରପ୍ରଚଳିତ ମୁସଲମାନୀ ଟୋପି ଓ ପୋଷାକ ଛାଡ଼ି ୟୁରୋପୀୟ ଟୋପି, ପୋଷାକ ପିନ୍ଧିଲେ । ଏହାଦ୍ୱାରା ତାଙ୍କର ଧର୍ମଗତ ପୂଜା ଅନୁଷ୍ଠାନରେ ବାଧା ପଡ଼ିଲା; କାରଣ ଆଣ୍ଠୁ ମାଡ଼ି, ମୁଣ୍ଡ ନୁଆଇଁ ଦୈନିକ ପାଞ୍ଚଥର ନମାଜ କରିବା ସେମାନଙ୍କର ବହୁକାଳର ଅଭ୍ୟାସ ଥିଲା । ୟୁରୋପୀୟ ପୋଷାକ, ଟୋପି ପିନ୍ଧି ତାହା କରିବା ଆଦୌ ସୁବିଧାଜନକ ନୁହେ । ମୁସଲମାନ ଧର୍ମଶାସ୍ତ୍ର କୋରାନଲିଖିତ କ୍ରିୟାପଦ୍ଧତି ଓ ସାମାଜିକ ଆଚାର ବ୍ୟବହାର ବ୍ୟତୀତ ମୁସଲମାନର ଆଉ କିଛି ଗ୍ରାହ୍ୟ ନୁହେ ବୋଲି ବହୁକାଳରୁ ଲୋକଙ୍କ ମନରେ ଯେଉଁ ବିଶ୍ୱାସ ଥିଲା, ଏହିରୂପ କୌଶଳ ପ୍ରୟୋଗ କରି କେମାଲ ସେ ବିଶ୍ୱାସକୁ ଶିଥିଳ କରିପାରିଥିଲେ । ତହିଁରୁ ଧର୍ମସଂସ୍କାରରେ ତାଙ୍କର ବିଚକ୍ଷଣତା ପ୍ରକାଶ ପାଇଥିଲା ।

ମୁସଲମାନ ଧର୍ମହିଁ ରାଜସରକାରଙ୍କ ଧର୍ମ ବୋଲି ପୂର୍ବେ ଯେଉଁ ବ୍ୟବସ୍ଥା ଥିଲା, ସାଧାରଣତନ୍ତ୍ରର ବିଧାନରେ ୧୯୨୮ ମସିହାରେ ଏକ ସଂଶୋଧନ କରି ସେ ବ୍ୟବସ୍ଥା ଉଠାଇ ଦିଆଗଲା । ତେଣୁ ତୁର୍କି ରାଜ୍ୟରେ ବର୍ତ୍ତମାନ ଇସଲାମ୍‌ ଧର୍ମ ଯେପରି, ଅନ୍ୟ ସବୁ ଧର୍ମ ମଧ୍ୟ ସେହିପରି ସ୍ୱାଧୀନ । ପ୍ରତ୍ୟେକ ତୁର୍କ ମୁସଲମାନ ହୋଇପାରେ; କିନ୍ତୁ ମୁସଲମାନ ହେବା ହିଁ ତାହାର ପ୍ରଥମ ପରିଚୟ ନୁହେ । ତାହାର ପ୍ରଥମ ପରିଚୟ ସେ ଜଣେ ଦେଶଭକ୍ତ ତୁର୍କ । ସେ ପଛେ ଖ୍ରୀଷ୍ଟିୟାନ ହେଉ, ଇହୁଦୀ ହେଉ, ମୁସଲମାନ ହେଉ, ଆରବୀୟ ହେଉ, ଆର୍ମିନୀୟ ହେଉ, ବୁଲ୍‌ଗେରୀୟ କିମ୍ବା ଆସିରୀୟ ହେଉ, ପ୍ରଥମେ ସେ ତୁର୍କ, ତାହାପରେ ଆଉ କିଛି । ଏପରି କି ପୂର୍ବେ ତୁର୍କିର ମୁସଲମାନମାନେ ଫେଜ୍‌ଟୋପି ନାମକ ଏକପ୍ରକାର ଗୋଜିଆ ଧରଣର ଟୋପି ପିନ୍ଧି ଅନ୍ୟ ଜାତି ଓ ଧର୍ମାବଲମ୍ବୀଙ୍କଠାରୁ ନିଜର ପାର୍ଥକ୍ୟ ରକ୍ଷା କରିଥିଲେ । ଆଇନଦ୍ୱାରା ସେହି ଫେଜ୍‌ଟୋପି ପିନ୍ଧିବାକୁ ମଧ୍ୟ ମନା କରିଦିଆଗଲା । ଏହାଦ୍ୱାରା ଦେଶରେ ଜାତି ଜାତି ଓ ଧର୍ମ ଧର୍ମ ମଧ୍ୟରେ ଯେଉଁ ବୈରଭାବ ଥିଲା, ତାହା କ୍ରମେ ସାମାନ୍ୟ ହୋଇ ପଡ଼ିଲା ଏବଂ ତୁର୍କିରାଜ୍ୟ ଓ ରାଜସରକାର ହିଁ ସବୁ ତୁର୍କବାସୀଙ୍କର ଜାତି ବା ଧର୍ମଠାରୁ ବଡ଼ହେଲା । ଜାତି ଓ ଧର୍ମଭେଦ ସତ୍ତ୍ୱେ ଦେଶବାସୀଙ୍କ ମଧ୍ୟରେ ଏକତା ବୃଦ୍ଧି ପାଇଲା । ତୁର୍କି ରାଜ୍ୟ ଓ ସରକାର ସହିତ ସବୁ ଦେଶବାସୀଙ୍କର ସ୍ୱାର୍ଥ ଏବଂ କଲ୍ୟାଣ ଯେ ଜଡ଼ିତ ଏବଂ ସେଠାରେ ଯେ ଜାତି ଧର୍ମର ସ୍ଥାନ ନଗଣ୍ୟ, ଏହି ଦେଶାତ୍ମବୋଧ ଜାଗ୍ରତ ହେଲା । ଆପଣାର ସଂଜ୍ଞାକୁ ମଧ୍ୟ ବଦଳାଇ ‘ମୁସ୍ତାଫା କେମାଲପାଶା’ ସ୍ଥାନରେ ସେ କେମାଲ ‘ଏଟାଟର୍କ’ ବା ‘ମହାନ୍‌ତୁର୍କ’ ନାମ ଗ୍ରହଣ କରିଥିଲେ ।

କେମାଲଙ୍କର ସଂସ୍କାରଚେଷ୍ଟା ସହଜ ଓ ସ୍ୱାଭାବିକ ଗତିରେ ସମାଜ ମଧ୍ୟରେ ପ୍ରବେଶ କଲା । ସାଧାରଣ ମତିଗତି ଲକ୍ଷ୍ୟ କରି ସେ ଏ ଦିଗରେ ଯତ୍ନବାନ୍‌ ହେଲେ । ପୁରୁଷମାନେ ୟୁରୋପୀୟ ପୋଷାକ ଯେପରି ପିନ୍ଧିଲେ, ସ୍ତ୍ରୀ ମଧ୍ୟ ଘୋଡ଼ଣୀ ଘାଘରା ଛାଡ଼ି ସେମିଜ, ଗାଉନ୍‌ ଗ୍ରହଣ କଲା ଏବଂ କ୍ରମେ ସମାଜର ସବୁ କ୍ଷେତ୍ରରେ ପୁରୁଷ ସହିତ ପ୍ରତିଯୋଗିତା ଆରମ୍ଭ କରିଦେଲା । ସ୍କୁଲ କଲେଜକୁ ପୁଅମାନଙ୍କ ସଙ୍ଗେ ଝିଅମାନେ ମଧ୍ୟ ଚାଲିଲେ । ସଭାସମିତି, ବାୟସ୍କୋପ, ହୋଟେଲ, କଳକାରଖାନା, ସ୍ନାନାହାର, କ୍ରୀଡ଼ାକୌତୁକ ଆଦି ସବୁଠାରେ ହିଁ ପୁରୁଷ ସଙ୍ଗେ ନାରୀକୁ ସମକକ୍ଷ ହୋଇ ଚାଲିବାର ଦେଖାଗଲା ।

 

ତୁର୍କିର ଶିକ୍ଷାକ୍ଷେତ୍ରରେ ମଧ୍ୟ କେମାଲ ଏକ ବିରାଟ ପରିବର୍ତ୍ତନର ସୂଚନା ଦେଲେ । ୧୯୧୮ ମସିହାରେ ତୁକର ବିଦ୍ୟାଳୟମାନଙ୍କରେ ଆରବୀ ସ୍ଥାନରେ ରୋମକ ଅକ୍ଷରରେ ଛାତ୍ରମାନଙ୍କୁ ଶିକ୍ଷା ଦିଆଗଲା । ଏହାଦ୍ୱାରା ଇଂରାଜୀ, ଫରାସୀ ଆଦି ୟୁରୋପୀୟ ଉନ୍ନତ ଭାଷା ଓ ସାହିତ୍ୟରେ ସେମାନଙ୍କର ପ୍ରବେଶ ସହଜ ହେଲା ଏବଂ ୟୁରୋପୀୟ ସଭ୍ୟତା ସଙ୍ଗେ ତୁର୍କିର କୃଷ୍ଟିଗତ ମିଳନର ପଥ ସୁଗମ ହେଲା । ୟୁରୋପୀୟ ଶିଳ୍ପସଭ୍ୟତାକୁ ପୂର୍ଣ୍ଣରୂପେ ହଣ କରି ବହୁ କଳକାରଖାନା ପ୍ରତିଷ୍ଠିତ ହେଲା । କେବଳ ପ୍ରାଚୀନ ଧରଣର କୃଷିକର୍ମ ଉପରେ ନିର୍ଭର ନ କରି ଏବଂ ନୂତନ ଶିଳ୍ପ ଓ କଳକାରଖାନାରେ କାର୍ଯ୍ୟ କରି ଲୋକେ ଧନ ଓ ସୁଖସ୍ୱାଚ୍ଛନ୍ଦ୍ୟର ଅଧିକାରୀ ହେଲେ । ନୂଆ ଆଇନ ଅନୁସାରେ ପ୍ରତ୍ୟେକ ତୁର୍କ ପଢ଼ି ଜାଣିବା ଓ ଲେଖି ଜାଣିବାକୁ ବାଧ୍ୟ ହେଲା-। ତୁର୍କ ଜାତୀୟ ପରିଷଦର ସଭାପତି କେମାଲଙ୍କ ନିର୍ଦ୍ଦେଶ ଏ କ୍ଷେତ୍ରରେ ମଧ୍ୟ ପ୍ରତି ତୁର୍କକୁ ମାନିବାକୁ ହୋଇଅଛି । କାରଣ ସେ ତୁର୍କିରାଜ୍ୟକୁ ବହୁ ଆକ୍ରମଣ ଓ ଆପଦରୁ ରକ୍ଷା କରିଥିଲେ ଏବଂ ତୁର୍କିର ମଙ୍ଗଳ ଯହିଁରେ ନିହିତ, ସେ କଥା ତାହାଙ୍କୁହିଁ ଭଲରୂପେ ଜଣା ଥିଲା ।

 

ତୁର୍କିର ମଙ୍ଗଳ ପାଇଁ ନିଜର ମନ, ବୁଦ୍ଧି ଓ ପରିଶ୍ରମ ପ୍ରୟୋଗ କରି ଏବଂ ତୁର୍କି ଜାତୀୟ ପରିଷଦକୁ ସ୍ୱୋପାର୍ଜିତ ସମସ୍ତ ସମ୍ପତ୍ତି ଦାନକରି ମୁସ୍ତାଫା କେମାଲ ନିଜର ‘ଗାଜି’ ଅର୍ଥାତ୍‌ ‘ବିଜୟୀ’ ଉପାଧିକୁ ସାର୍ଥକ କରିଅଛନ୍ତି । ୧୯୩୮ ମସିହାର ଶେଷଭାଗରେ ତାଙ୍କର ମୃତ୍ୟୁ ହୋଇଅଛି, କିନ୍ତୁ ତୁର୍କଜାତିକୁ ସେ ଯେଉଁ ଜୀବନ ଦେଇ ଯାଇଅଛନ୍ତି, ମୁତ୍ୟୁଠାରୁ ତାହା ଏତେ ବଡ଼ ଯେ, ସେ ଦେଶରୁ ତାଙ୍କର ସ୍ମୃତି ସହଜେ ନିଭିବାର ନୁହେ ।

Image

 

ସାହିତ୍ୟରେ ବ୍ୟବସାୟ

 

ବର୍ତ୍ତମାନ ଯୁଗର କଳକାରଖାନା ହିଁ ଅଳ୍ପ ଲୋକଙ୍କର ବିଳାସ ଓ ସ୍ୱାଚ୍ଛନ୍ଦ୍ୟ ସାମଗ୍ରୀକୁ ବହୁ ମଧ୍ୟରେ ପ୍ରଚାର କରିପାରିଅଛି । ବହୁ ଜନାକୀର୍ଣ୍ଣ ନଗର, ବହୁ ସଂଖ୍ୟାରେ ଦ୍ରବ୍ୟ ଉତ୍ପାଦନ, ବହୁ ଲୋକ ଏକ ସଙ୍ଗରେ ଯିବା ଆସିବା ପାଇଁ କିମ୍ବା ବହୁ ଦ୍ରବ୍ୟ ଏକକାଳୀନ ନେବା ଆଣିବା ପାଇଁ ରେଳ, ଜାହଜ ଆଦି; ବହୁ ଛାତ୍ର ଏକ ସଙ୍ଗରେ ଅଧ୍ୟୟନ କରିବା ପାଇଁ ବିଶ୍ୱବିଦ୍ୟାଳୟ; ବହୁ ଲୋକଙ୍କର ଉପଭୋଗ ପାଇଁ ବାଏସ୍କୋପ କିମ୍ବା ରେଡ଼ିଓ; ବିରାଟ କଳକାରଖାନାମାନଙ୍କରେ ବହୁ ଲୋକଙ୍କର ନିଯୁକ୍ତି ଏବଂ ସମାନ ଦାବୀ, ସମାନ ଅଧିକାର ଓ ସମାନ ଅଭାବ ନେଇ ଯେଉଁ ସବୁ ଗଣ-ଆନ୍ଦୋଳନ ଆଜି ଦେଖାଯାଏ, ସେଗୁଡ଼ିକୁ ଏହି ଯନ୍ତ୍ର ସଭ୍ୟତାର ହିଁ ବିଭିନ୍ନ ଦିଗର ପ୍ରକାଶ ବୋଲିବାକୁ ହେବ ।

 

ଚାଷ କିମ୍ବା କାରିଗରୀ, ବିକାକିଣା କିମ୍ବା ଯିବାଆସିବା ଆଦି ସବୁ କାର୍ଯ୍ୟ ଲାଗି କଳକାରଖାନା ବସିବାଦ୍ୱାରା ଖାଇବା ପିନ୍ଧିବାଠାରୁ ଆରମ୍ଭ କରି ଦୈନିକ ବ୍ୟବହାର କରିବାର ଚିଜଗୁଡ଼ିକୁ ଯେପରି ବହୁ ଲୋକଙ୍କ ପାଇଁ ଶସ୍ତା ଓ ସହଜଲଭ୍ୟ ହୋଇଅଛି, ଛାପାଖାନା ବସିବା ଦ୍ୱାରା ସେପରି ବହୁ ଲୋକଙ୍କର ଜ୍ଞାନଚର୍ଚ୍ଚାର ପଥ ସୁଗମ ହୋଇପାରିଅଛି । ଆଗେ ତାଳପତ୍ର କିମ୍ବା ଭୁଜପତ୍ରରେ କବି ବା ଗ୍ରନ୍ଥକାର ନିଜର ଯେଉଁ ରଚନା ଲେଖୁଥିଲେ, ପାଠକ ତାହାର ନକଲ କରିନେଉଥିଲେ କିମ୍ବା ବ୍ୟବସାୟୀ ଲୋକେ ତାହା ନକଲ କରି ପାଠକମାନଙ୍କୁ ବିକ୍ରି କରୁଥିଲେ । ଖଣ୍ଡେ ଖଣ୍ଡେ ବଡ଼ ବଡ଼ ପୋଥି ନକଲ କରିବା ପାଇଁ ଜଣେ ଜଣେ ଲୋକର ମାସ ମାସ ବିତି ଯାଉଥିଲା । ଫଳତଃ ଜ୍ଞାନଚର୍ଚ୍ଚା ମଧ୍ୟ କାଶ୍ମୀରୀ ଶାଲ ପରି କେବଳ ରାଜଉଆସର ସାମଗ୍ରୀ ଥିଲା କିମ୍ବା ବ୍ରହ୍ମପୁରୀ ପାଟପରି ସୌଭାଗ୍ୟଶାଳୀ ଅତି ଅଳ୍ପ ଲୋକଙ୍କ ଭିତରେ ଆବଦ୍ଧ ରହୁଥିଲା । କାଳିଦାସ ବା ଧନ୍ୱନ୍ତରୀ ଆଦି କବିପଣ୍ଡିତମାନେ ରାଜନବରରେ ହିଁ ବଢ଼ିଥିଲେ । ବର୍ତ୍ତମାନ କିନ୍ତୁ ଏ ଅବସ୍ଥାର ସମ୍ପୂର୍ଣ୍ଣ ପରିବର୍ତ୍ତନ ଘଟିଅଛି । ରାଜା କିମ୍ବା ଧନିକର ବିନା ଆଶ୍ରୟରେ ସାହିତ୍ୟର ସମୃଦ୍ଧି ସମ୍ଭବପର ହୋଇଅଛି । ବ୍ରହ୍ମପୁରୀ ପାଟ ବା କାଶ୍ମୀରୀ ଶାଲ ପରି ରାଜଦରବାରରୁ ଆସି ସର୍ବସାଧାରଣରେ ତାହା ପ୍ରସାର ଲାଭ କରିଅଛି । ରାଜକୋଷ ହିଁ ଦିନେ ଯାହାର ପ୍ରଧାନ ଅବଲମ୍ବନ ଥିଲା, ଆଜି ଏହି ଗଣତନ୍ତ୍ରଯୁଗରେ ସର୍ବସାଧାରଣର ଧନ ସହାନୁଭୂତି ଦ୍ୱାରା ତାହା ଲାଳିତ ।

 

ବହୁ ଲୋକଙ୍କର ଖାଇବା ପିନ୍ଧିବା କିମ୍ବା ଶୋଇବା ବୁଲିବା ଆଦି ପ୍ରତିଦିନର ବ୍ୟବହାର ପାଇଁ ଯେପରି ପ୍ରଚୁର ଜିନିଷର ଉତ୍ପାଦନ ଓ ଆହରଣ ହେଉଅଛି; ସାହିତ୍ୟକ୍ଷେତ୍ରରେ ମଧ୍ୟ ସେହିପରି ବହୁ ଲେଖକ ଓ ବହୁ ପାଠକର ଆବିର୍ଭାବ ଦ୍ୱାରା ଅବିକଳ ବଜାର କାରବାରର ସୃଷ୍ଟି ହୋଇଅଛି । ଲ୍ୟାବେରେଟରି ବା ବିଜ୍ଞାନାଗାରରେ ବୈଜ୍ଞାନିକ ଯେଉଁ ନୂଆ ଉଦ୍ଭାବନ କରୁଅଛି କିମ୍ବା କଳ କାରଖାନାର ମାଲିକ ଯେଉଁ ନୂଆ ଧରଣର ଯୋତା ବା ନୂଆ କିସମର ଧଡ଼ି ଦେଇ ଲୁଗା ବାହାର କରୁଅଛି, ସେଗୁଡ଼ିକର ବହୁଳ ପ୍ରଚାର ପାଇଁ ନେବା ଆଣିବାର ଯେପରି ସୁବିଧା ରହିଅଛି, କବି ବା ଗ୍ରନ୍ଥକାରର ରଚନା ସହିପରି ଆଜି ନାନା ଭାଷାରେ ତର୍ଜମା କରାଯାଇ ଓ ବହୁସଂଖ୍ୟାରେ ମୁଦ୍ରିତ ହୋଇ ସବୁ ଦେଶରେ ପ୍ରଚାରିତ ହୋଇପାରୁଅଛି ।

 

ବହୁ ମଧ୍ୟରେ ନିଜକୁ ପ୍ରକାଶ ଓ ପ୍ରଚାର କରିବାହିଁ ପ୍ରତି କବି, ବୈଜ୍ଞାନିକ, ଶିଳ୍ପୀ ବା ବ୍ୟବସାୟୀର ଲକ୍ଷ୍ୟ ଏବଂ ସାଧନା । ଏହି ସତ୍ୟହିଁ ପ୍ରାଚୀନ ଆର୍ଯ୍ୟୠଷିଙ୍କ ମୁଖରୁ ଦିନେ ମନ୍ତ୍ରରୂପେ ନିଃସୃତ ହୋଇଥିଲା-‘ଯୋବୈଭୂମା ତତ୍‌ସୁଖମ୍‌, ନାଳ୍ପେ ସୁଖମସ୍ତି ।’ ବହୁ ବା ବିରାଟର ଅନୁଭୂତିହିଁ ଆନନ୍ଦ ଦେଇଥାଏ; କ୍ଷୁଦ୍ର କିମ୍ବା ଅଳ୍ପରେ ସୁଖ ନାହିଁ । ଆଧ୍ୟାତ୍ମକ ଅନୁଭୂତି ବା ଚିନ୍ତାକ୍ଷେତ୍ରରେ ଯେଉଁ କଥା, ବୈଷୟିକ ଜୀବନରେ ମଧ୍ୟ ତାହା ଆଜି ପ୍ରତ୍ୟକ୍ଷ ଉପଲବ୍ଧି କରାଯାଉଅଛି । ଯନ୍ତ୍ର ବା କଳକାରଖାନା ବଢ଼ିବା ଯୋଗୁଁ କେବଳ ଯେ ଶିଳ୍ପବାଣିଜ୍ୟର ଉନ୍ନତି ଘଟିଅଛି ତାହା ନୁହେ; ସାହିତ୍ୟ, କଳା, ଦର୍ଶନ, ବିଜ୍ଞାନ ଆଦି ଭାବୁକତାର କ୍ଷେତ୍ର ପୃଥିବୀମୟ ବ୍ୟାପ୍ତ ହୋଇ ପଡ଼ିଅଛି । ରେଳ, ମଟର ବା ବ୍ୟୋମଯାନରେ ବୁଲିବାକୁ ମଣିଷର ଆଗ୍ରହ ଯେମିତି ଅତିଶୟ ହୋଇଅଛି, ସଭା-ସମିତିରେ ବକ୍ତୃତା ଦେଇ ଶ୍ରୋତାମାନଙ୍କଠାରୁ କରତାଳି ଆଦାୟ କରିବା ଯେମିତି ଅନେକଙ୍କର ଏକ ଉଚ୍ଚ ଆକାଙ୍‌କ୍ଷାର ବିଷୟ, ଛପା ଅକ୍ଷରରେ ନିଜ ନାମକୁ ଦେଖିବା ପାଇଁ, ଛପା ଅକ୍ଷର ପଢ଼ି ଜାଣିବା ପାଇଁ ପ୍ରତି ଲୋକର ସେହିପରି ଏକ ଆନ୍ତରିକ ଅଭିଳାଷ ହୋଇ ଉଠିଅଛି ।

 

ଏହି ଅଭିଳାଷ ନାନା ଭାବରେ ଆଜି ପ୍ରକଟିତ । କେତେ ବାଟରେ କେତେ ଲୋକଙ୍କ ନାମ ଯେ ଛପା ଅକ୍ଷରରେ ପ୍ରକାଶିତ ହେଉଅଛି, ତାହାର ସଂଖ୍ୟା ସୁମାରି କରିବା ତାରା ଗଣିବା ପରି ଏକରକମ ଅସମ୍ଭବ ବୋଧହୁଏ । ଜ୍ଞାନର କ୍ଷେତ୍ର ବଢ଼ିବା ସଙ୍ଗେ ସଙ୍ଗେ ଏହା ବହୁ ବିଭାଗ ଓ ଉପବିଭାଗରେ ବିଭକ୍ତ ହୋଇଅଛି ଏବଂ ଗୋଟିଏ ଗୋଟିଏ ଉପବିଭାଗରେ ପାରଦର୍ଶିତା ଲାଭ କରିବା ପାଇଁ ମଧ୍ୟ ଜଣେ ଜଣେ ଲୋକର ଆୟୁଷ ଯଥେଷ୍ଟ ନୁହେ । ଅଥଚ ଏକ ଶତାବ୍ଦୀ ପୂର୍ବେ ଜଣେ ଜଣେ ପ୍ରତିଭାଶାଳୀ ଲୋକ ବହୁ ବିଦ୍ୟାରେ ପାରଦର୍ଶୀ ହୋଇଥିବାର ପ୍ରମାଣ ବିରଳ ନୁହେ-। ଉଦାହରଣସ୍ୱରୂପ, କବି ସାହିତ୍ୟକ କହିଲେ କବିତା, ନାଟକ, ଗଳ୍ପ ପ୍ରବନ୍ଧ ଆଦି ରଚନାରେ ପାରଗ ବ୍ୟକ୍ତିଙ୍କୁ ଆଗେ ବୁଝାଉଥିଲା । ବର୍ତ୍ତମାନ କିନ୍ତୁ ପ୍ରତି ବିଭାଗର ପରିସର ଏପରି ପ୍ରଶସ୍ତ ଯେ ଗୋଟିଏ ନିର୍ଦ୍ଦିଷ୍ଟ ବିଭାଗର ଚର୍ଚ୍ଚା ନ କଲେ ସାହିତ୍ୟକର ପ୍ରତିଷ୍ଠା ଦୁରୂହ । ଚିକିତ୍ସାବିଜ୍ଞାନରେ ସେହିପରି ଗୋଟିଏ ଗୋଟିଏ ବିଶେଷ ଅଙ୍ଗ-ନାକ, କାନ କିମ୍ବା ଆଖି ପ୍ରଭୃତି ପାଇଁ ପୃଥକ୍‌ବିଶେଷଜ୍ଞର ଆବଶ୍ୟକ ହୋଇ ପଡ଼ିଅଛି । ପଦାର୍ଥ ବା ରସାୟନ ବିଜ୍ଞାନରେ, ଜୀବ ବା ମନୋବିଜ୍ଞାନରେ, ଭୂତତ୍ତ୍ୱ ବା ପ୍ରତ୍ନତତ୍ତ୍ୱରେ ସେହିପରି ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ବିଷୟର ଆଲୋଚନା ବା ଅନୁଶୀଳନ ଦ୍ୱାରା ଜଣେ ଜଣେ ଲୋକ ନୂଆ ନୂଆ ତଥ୍ୟ ଆବିଷ୍କାର କରିବାର ଦେଖାଯାଏ । ପ୍ରତି ବିଭାଗକୁ ଏହିପରି ଶହ ଶହ ଲୋକଙ୍କର ଚିନ୍ତା ଓ ଚେଷ୍ଟା ପୁଷ୍ଟ କରିଅଛି ଏବଂ ସବୁ ବିଭାଗରେ ପର୍ବତପ୍ରମାଣ ଗ୍ରନ୍ଥ ଲେଖା ହୋଇ ସେମାନଙ୍କର କୀର୍ତ୍ତି ଘୋଷଣା କରୁଅଛି-

ସବୁ ବିଭାଗର ଗ୍ରନ୍ଥ ଆଲୋଚନା କରି ସେଗୁଡ଼ିକୁ ପୂର୍ଣ୍ଣରୂପେ ଆୟତ୍ତ କରିପାରିବା ଜଣେ କାହାରି ପକ୍ଷରେ ସମ୍ଭବ ନୁହେ; କିନ୍ତୁ ସବୁ ବିଷୟରେ କିଛି କିଛି ଜାଣି ରଖିବା ପ୍ରତି ଲୋକର କର୍ତ୍ତବ୍ୟ ଏବଂ ସେ ନିଜେ ଯେଉଁ ବିଭାଗ ପାଇଁ ଉପଯୁକ୍ତ, ସେ ସମ୍ବନ୍ଧେ ଭଲରୂପେ ଜାଣିବା ଆବଶ୍ୟକ । ଏଥିପାଇଁ ସହଜ ପନ୍ଥା ଫିଟାଇଅଛି ଏ ଯୁଗର ସମ୍ବାଦପତ୍ର । କବିତା, ନାଟକ, ଗଳ୍ପ, ପ୍ରବନ୍ଧ ଆଦି ସାହିତ୍ୟର ବିଭିନ୍ନ ବିଭାଗ ଏବଂ ଚିତ୍ର, ସ୍ଥାପତ୍ୟ, ଚିକିତ୍ସା, ରସାୟନ, ଭୂତତ୍ତ୍ୱ, ପ୍ରତ୍ନତତ୍ତ୍ୱ, ପ୍ରାଣୀତତ୍ତ୍ୱ, ପଦାର୍ଥତତ୍ତ୍ୱ, ଜ୍ୟୋତିଷ, ଇତିହାସ, ଧର୍ମ, ରାଜନୀତି ଆଦି ପୁରାତନ ଓ ନୂତନ ସକଳ ବିଷୟ ସ୍ଥାନ ପାଇଅଛି ଏହି ସମ୍ବାଦପତ୍ରରେ । କେବଳ ସେତିକି ନୁହେ, ମନୁଷ୍ୟର ଖାଇବା, ପିନ୍ଧିବାଠାରୁ ଆରମ୍ଭ କରି ଜୀବିକା ନିର୍ବାହର ପ୍ରତ୍ୟେକ ପେଶା, ପ୍ରତ୍ୟେକ ବ୍ୟବସାୟ ସମ୍ବନ୍ଧରେ ମଧ୍ୟ ନିଆରା ପତ୍ର ପତ୍ରିକା ପ୍ରକାଶିତ ହୁଏ । ମୋଟର, ଇଞ୍ଜିନିୟରିଂ, କୃଷି, ଗୋପାଳନ, ବେତାର, ବାୟସ୍କୋପ, ବାଣିଜ୍ୟ, କସରତ, ଶୀକାର, ମାଛଧରା, ଘର ସଜାଇବା, କୁକୁଡ଼ା ପୋଷିବା, ପୋଷାକ ଫେସନ, ଫଟୋଗ୍ରାଫ୍‌, ଷ୍ଟ୍ୟାମ୍ପ, ବଗିଚା, ରାନ୍ଧଣା ଆଦି ନାନା ବିଚିତ୍ର ବିଷୟରେ ବହୁ ପତ୍ରପତ୍ରିକା ଦେଖାଯାଏ । ଦୈନିକ ଖବରକାଗଜରେ ମଧ୍ୟ ବଜାର ଭାଉ ଓ ଖେଳ କୌତୁକ ପାଇଁ ଗୋଟିଏ ଲେଖାଏଁ ପୃଷ୍ଠା ପୂର୍ଣ୍ଣ ହୋଇଉଠୁଛି । ପ୍ରତି ସରକାର ଓ ବଡ଼ ବଡ଼ ବେସରକାରୀ ଅନୁଷ୍ଠାନରେ ପ୍ରକାଶ ବିଭାଗ ରଖାଯାଇ ମଧ୍ୟ କେତେ ପତ୍ରିକା ପ୍ରକାଶିତ ହେଉଅଛି । ବେଙ୍ଗଲ ନାଗପୁର ରେଲୱେ, ଟାଟା କମ୍ପାନି ବା ମାକ୍‌ମିଲନ୍‌ କମ୍ପାନିର ପ୍ରଚାର ବିଭାଗରୁ ଯେଉଁସବୁ ପତ୍ରିକା ପ୍ରକାଶିତ ହୁଏ, ତହିଁରେ ବ୍ୟବସାୟ ସମ୍ବନ୍ଧେ ଆଲୋଚନା ହେବା ସଙ୍ଗେ ସାଧାରଣ ଜଣିବା ପାଇଁ ମଧ୍ୟ ନାନା ବିଷୟରେ ଲେଖା ପ୍ରକାଶିତ ହୋଇଥାଏ । ଶିଶୁମାନଙ୍କ ପାଇଁ, ସ୍କୁଲ କଲେଜରେ ଛାତ୍ରଙ୍କ ପାଇଁ କିମ୍ବା ରମଣୀର ବେଶଭୂଷା ଓ ପ୍ରସାଧନ ସମ୍ବନ୍ଧରେ ବହୁ ସଚିତ୍ର ପତ୍ର ପତ୍ରିକା ଆଜି ପ୍ରଚଳିତ ।

ଏହିରୂପେ ଦୈନିକ, ସାପ୍ତାହିକ, ପାକ୍ଷିକ କିମ୍ବା ମାସିକ ଯେତେଗୁଡ଼ିଏ ପତ୍ରିକା ପୃଥିବୀପୃଷ୍ଠରେ ଦେଖାଯାଏ, ତାହାର ମୋଟାମୋଟି ସଂଖ୍ୟା ଷାଠିଏ ହଜାର ବୋଲି ହିସାବ କରାଯାଇଅଛି । ଗୋଟିଏ ଗୋଟିଏ ବଡ଼ ଦୈନିକ ଓ ସାପ୍ତାହିକର ଗ୍ରାହକସଂଖ୍ୟା ଦଶଲକ୍ଷକୁ ବଳି ପଡ଼ିଅଛି । ଗୋଟିଏ ଗୋଟିଏ ଇଂରାଜୀ ଦୈନିକର ଯେଉଁ ରବିବାର ସଂସ୍କରଣ ପ୍ରକାଶିତ ହୁଏ, ତାହାର ଆକାର ଅଶୀ ପୃଷ୍ଠା ପର୍ଯ୍ୟନ୍ତ ବୃଦ୍ଧି ପାଇଅଛି ଏବଂ ଗୋଟିଏ ଗୋଟିଏ ଦୈନିକ ପାଇଁ ହଜାର ହଜାର ଲୋକ କାମ କରୁଥିବା ବଡ଼ ବଡ଼ କାଗଜକଳମାନ ପ୍ରତିଷ୍ଠିତ ହୋଇଅଛି । ଏହି କାଗଜ କାଠ ବାଉଁଶରୁ ତିଆରି ହୋଇଥାଏ ଏବଂ ହିସାବ କରି ଦେଖାଯାଇଅଛି, ଏହିପରି ଏକ ବଡ଼ ମୁଦ୍ରଣ ପୃଥିବୀ ଉପରୁ ଖଣ୍ଡେ ଛୋଟ ଜଙ୍ଗଲକୁ ପଦା କରିଦିଏ ।

ଅଳ୍ପ ସମୟ ମଧ୍ୟରେ ବହୁ ସଂଖ୍ୟାରେ ପତ୍ରିକା ଛାପିବା ପାଇଁ ମଧ୍ୟ ସହଜ ଉପାୟମାନ ଅବଲମ୍ବନ କରାଯାଇଅଛି । ପୂର୍ବରୀତି ଅନୁସାରେ ଗୋଟିଏ ଗୋଟିଏ ଅକ୍ଷର ହାତରେ ଖଞ୍ଜ ଦୈନିକ ଲକ୍ଷ ଲକ୍ଷ ପତ୍ରିକା ଛାପିବା ସହଜ ନୁହେ । ତେଣୁ ଲିନୋଟାଇପ୍‌ କଳ ସାହାଯ୍ୟରେ ଠିକ୍‌ ଟାଇପ୍‌ କରିବା ପ୍ରଣାଳୀରେ ଜଣେ ଲୋକ ବସି ଗୋଟିଏ ଲେଖାଏଁ ଲାଇନ ବା ଧାଡ଼ି ମୁହୂର୍ତ୍ତ ମଧ୍ୟରେ ତିଆରି କରିପାରୁଛି ଏବଂ ପ୍ରତିଦିନ ନୂଆ ଅକ୍ଷରରେ ହିଁ ଏହିସବୁ ପତ୍ରିକା ଛାପା ହେଉଅଛି-। ଏହା ବ୍ୟତୀତ ଯେଉଁ ଆଧୁନିକ ଛାପାକଳ ନିର୍ମିତ ହୋଇଅଛି, ତାହାଦ୍ୱାରା ଛାପିବା, ଅଠା ଲଗାଇବା, ସିଲାଇ କରିବା, କାଟିବା, ଭାଙ୍ଗିବା ଆଦି ସବୁ କାମ ହୋଇ ଆଠପୃଷ୍ଠାବ୍ୟାପୀ ଗୋଟିଏ ଖବରକାଗଜ ଘଣ୍ଟାକେ ତିନିଲକ୍ଷ ପର୍ଯ୍ୟନ୍ତ ବାହାର ହୋଇଥାଏ । ଏହି ସବୁ ଛାପାକଳରେ ଯେଉଁ କାଗଜ ବ୍ୟବହୃତ ହୁଏ, ତାହା ଖଣ୍ଡ ଖଣ୍ଡ ନ ହୋଇ ଚାରି ହାତ ପର୍ଯ୍ୟନ୍ତ ଚୌଡ଼ା ଓ ମାଇଲ ମାଇଲ ଳମ୍ବା ଆକାରରେ ଗୁଡ଼ାହୋଇ ମସ୍ତ ମସ୍ତ କାଠଗଣ୍ଡିପରି କାଗଜ କାରଖାନାରୁ ଅଣାଯାଇଥାଏ-। ଆଧୁନିକ ଛାପାକଳ ଦ୍ୱାରା ଏହି କାଗଜମୋଡ଼ାରୁ ଘଣ୍ଟାକେ ୧୦୫ ମାଇଲ ଲମ୍ବର କାଗଜ ଛପାଯାଏ । କଲିକତା,ବମ୍ବେ, ଦିଲ୍ଲୀ ବା ମାନ୍ଦ୍ରାଜ ପ୍ରଭୃତି ବଡ଼ ବଡ଼ ସହରରୁ ଷ୍ଟେଟ୍‍ସ୍‌ମ୍ୟାନ୍‌, ଅମୃତବଜାର ପତ୍ରିକା, ଟାଇମ୍ସ ଅଫ୍‌ ଇଣ୍ଡିଆ, ହିନ୍ଦୁସ୍ଥାନ ଟାଇମ୍ସ ଓ ହିନ୍ଦୁ ଆଦି ବଡ଼ ବଡ଼ ପତ୍ରିକା ଏହି ଉପାୟରେ ଛପାହୋଇ ଶସ୍ତାରେ ସାଧାରଣଙ୍କ ହାତକୁ ଆସୁଅଛି ।

ଭାରତବର୍ଷ ଏହି ପତ୍ରିକାଗୁଡ଼ିକ ଇଂଲଣ୍ଡ, ଆମେରିକା, ପ୍ରଭୃତି ସ୍ୱାଧୀନ ଓ ସମୃଦ୍ଧିଶାଳୀ ଦେଶର ଲଣ୍ଡନ ଟାଇମ୍ସ, ଡେଲିମେଲ୍‍ ବା ନିଉୟର୍କ ଟାଇମ୍ସ ତୁଳନାରେ ବହୁ ଅଂଶରେ ଛୋଟ । ଏଗୁଡ଼ିକର ପରିଚାଳନାର ଯେଉଁ ସବୁ ସୂଚନା ଉପରେ ଦିଆଗଲା, ସେଥିପାଇଁ ଯେତେ ପରିମାଣ ଅର୍ଥ ଓ ଯେତେ ସଂଖ୍ୟାରେ କର୍ମୀ ଆବଶ୍ୟକ, ସମ୍ପାଦକୀୟ ବିଭାଗ ମଧ୍ୟ ସେହି ଅନୁପାତରେ ପ୍ରଶସ୍ତ । ଗୋଟିଏ ବଡ଼ କାଗଜର ପ୍ରଧାନ ସମ୍ପାଦକ ନିଜେ ହୁଏ ତ ଉକ୍ତ କାଗଜର ମାଲିକ କିମ୍ବା ମାଲିକମାନଙ୍କ ପାଖରେ ସବୁ ବିଷୟରେ ଦାୟୀ ରହନ୍ତି । ତାଙ୍କ ଅଧୀନରେ କାଗଜର ପରିଚାଳନା ଦିଗ ଦେଖିବାପାଇଁ ଜଣେ ସମ୍ପାଦକ, ଟେଲିଗ୍ରାଫ-ସମ୍ପାଦକ, ନଗର-ସମ୍ପାଦକ, ସାହିତ୍ୟ-ସମ୍ପାଦକ, ଅର୍ଥ-ସମ୍ପାଦକ, କ୍ରୀଡ଼ାବିଭାଗର ସମ୍ପାଦକ, ବିଜ୍ଞାପନ ବା ଆଇନ ଅଦାଲତ ବିଭାଗର ସମ୍ପାଦକ ପ୍ରଭୃତି ଏବଂ ପ୍ରତି ବିଭାଗରେ ବହୁ ସହକାରୀ ସମ୍ପାଦକ ପୁଣି ସମ୍ପାଦକୀୟ ସ୍ତମ୍ଭ ଲେଖିବା ପାଇଁ ସ୍ୱତନ୍ତ୍ର ସମ୍ପାଦକ ମଧ୍ୟ ନିଯୁକ୍ତ ଥାନ୍ତି । ଏହା ବ୍ୟତୀତ ଦେଶ ବିଦେଶରୁ ସମ୍ବାଦ ଯୋଗାଇବା ପାଇଁ ବିଦେଶର ବଡ଼ ବଡ଼ ସହରମାନଙ୍କରେ କିମ୍ବା ପ୍ରଦେଶର ପ୍ରତି ଛୋଟ ଛୋଟ ସହର, ଜିଲା ବା ମହକୁମାରେ ସମ୍ବାଦଦାତାମାନେ ନିଯୁକ୍ତ । ବ୍ୟବସ୍ଥାସଭାରେ, ବଡ଼ ବଡ଼ ସଭା ସମିତିରେ, ଯୁଦ୍ଧକ୍ଷେତ୍ରରେ, ନଦୀବୃଦ୍ଧି ବା ଭୂମିକମ୍ପ ଆଦି ପ୍ରାକୃତିକ ଦୁର୍ଘଟଣା ସ୍ଥଳରେ, ବଡ଼ ବଡ଼ ରୋଷଣୀ ବା ଉତ୍ସବ କ୍ଷେତ୍ରରେ ମଧ୍ୟ ବିଶେଷ ସମ୍ବାଦଦାତାମାନଙ୍କୁ ରଖାଯାଇଥାଏ । ଜଣେ ଜଣେ ସମ୍ବାଦଦାତା ରେଳ, ଜାହାଜ ବା ବ୍ୟୋମଯାନରେ ସମଗ୍ର ପୃଥିବୀ ଭ୍ରମଣ କରି ବିଭିନ୍ନ ଦେଶର ବିଶେଷ ବିଶେଷ ଘଟଣା, ଲୋକମାନଙ୍କର ରୀତିନୀତି ଏବଂ ବିଶିଷ୍ଟ ବ୍ୟକ୍ତିମାନଙ୍କ ସଙ୍ଗେ ସାକ୍ଷାତ କରି ବିବରଣୀମାନ ଲେଖିଥାନ୍ତି ଏବଂ ଏହି ଉପାୟରେ ପ୍ରଚୁର ଅର୍ଥ ମଧ୍ୟ ଉପାର୍ଜନ କରିଥାନ୍ତି ।

ଗଳ୍ପ, କିବତା ବା ପ୍ରବନ୍ଧ, ଦର୍ଶନ ବିଜ୍ଞାନ ବା ଇତିହାସ ଏବଂ କ୍ରୀଡ଼ା, କୌତୁକ ଓ ବ୍ୟବସାୟ ଆଦି ଯେ କୌଣସି ବିଷୟରେ ଲେଖକ ପାଇଁ ଅର୍ଥାଗମର ବାଟ ଫିଟିଅଛି ଏବଂ ପତ୍ର-ପତ୍ରିକାରେ ଲେଖି ହଜାର ହଜାର ଲେଖକ ପ୍ରତିପୋଷିତ ହେଉଅଛନ୍ତି । ସମୟର ଉପଯୋଗୀ ଗ୍ରନ୍ଥ ଲେଖି ମଧ୍ୟ ଲେଖକକୁଳର ଆର୍ଥିକ ଅଭାବ ବହୁପରିମାଣରେ ଦୂର ହୋଇଅଛି ପୁଣି ଏ ଦିଗରେ ସ୍ପନ୍ଦନପୂର୍ଣ୍ଣ ଘଟନାବଳୀର ଉପନ୍ୟାସହିଁ ସବୁଠାରୁ ଅଧିକ ଉପାର୍ଜନକ୍ଷମ ହୋଇଥିବାର ଜଣାଯାଏ । ଖଣ୍ଡିଏ ଉପନ୍ୟାସର ବିକ୍ରିର ପରିମାଣ ବର୍ଷ ଭିତରେ ଦଶ ଲକ୍ଷ ପର୍ଯ୍ୟନ୍ତ ହୋଇଥିବାର ହିସାବ ମିଳେ ଏବଂ ଜଣେ ଜଣେ ଔପନ୍ୟାସିକର ଆୟ ସପ୍ତାହକେ ଛଅ ସାତ ହଜାର ଟଙ୍କା । ପୁଣି ଟକି ବାଏସ୍କୋପ ବା ସବାକ୍‌-ଚଳଚ୍ଚିତ୍ର ପାଇଁ ହଜାର ହଜାର ଲେଖକ ଦୃଶ୍ୟାବଳୀ ରଚନା କରି ଜୀବିକା ନିର୍ବାହ କରିଥାନ୍ତି । ଡାକ୍ତର, ଓକିଲ ବା ହିସାବ-ପରୀକ୍ଷକ ଯେପରି ସ୍ୱାଧୀନ ଭାବରେ ବ୍ୟବସାୟ କରେ କିମ୍ବା ସରକାରୀ ବା ବେସରକାରୀ ଅନୁଷ୍ଠାନର କର୍ମଚାରୀ ରୂପେ ଉପାର୍ଜ୍ଜନ କରେ, ଲେଖକ ମଧ୍ୟ ସେହିପରି ପତ୍ରପତ୍ରିକାରେ କିମ୍ବା ସିନେମା କମ୍ପାନିରେ ଚାକିରି କରି ଅଥବା ସ୍ୱାଧୀନ ଭାବରେ ଜୀବିକା ଚଳାଏ ।

ଏଥିରୁ ବୁଝାଯାଏ ଯେ ବ୍ୟବସାୟହିଁ ବର୍ତ୍ତମାନ ସାହିତ୍ୟକୁ ଅର୍ଥକାରୀ କରିପାରିଅଛି ଏବଂ ସାହିତ୍ୟର ସର୍ବବିଧ ଉନ୍ନତି ମୂଳରେ ଏହି ବ୍ୟବସାୟହିଁ ପ୍ରତିଷ୍ଠିତ । ଗୋଟିଏ ବଡ଼ କାରଖାନା ପାଖରେ ଯେପରି ଆଉ ପାଞ୍ଚଟି ଛୋଟ କାରଖାନାର ଆବଶ୍ୟକ ହୋଇପଡ଼େ, ଟାଟା କମ୍ପାନିର ଲୁହା କାରଖାନା ପାଖରେ ଯେପରି ଟିଣ କମ୍ପାନି, ତା’ର କମ୍ପାନି ଆଦି ପ୍ରତିଷ୍ଠିତ କିମ୍ବା ସମ୍ବାଦପତ୍ର ପାଇଁ ଯେପରି କାଗଜ କାରଖାନାର ଆବଶ୍ୟକ, ସେହିପରି ବିଭିନ୍ନ ଦେଶର ବହୁ ବ୍ୟବସାୟ ମଧ୍ୟରେ ସାହିତ୍ୟ ମଧ୍ୟ ଏକ ବ୍ୟବସାୟରେ ପରିଣତ ହୋଇଅଛି । ବଡ଼ ସମ୍ବାଦପତ୍ରଟିଏ ବାହାରିବାପାଇଁ ସେଥିରେ ଯେପରି ବହୁ ବ୍ୟବସାୟୀଙ୍କର ବିଜ୍ଞାପନ ପ୍ରକାଶିତ ହୋଇ ଅର୍ଥାଗମର କାରଣ ହୁଏ, ଗ୍ରନ୍ଥରଚୟିତା ପାଇଁ ସେହିପରି ବହୁ ପାଠକର ଲୋଡ଼ା ହୋଇଥାଏ । ସୁତରାଂ, ବହୁସଂଖ୍ୟକ ଲୋକ ଯେରୂପେ ସାହିତ୍ୟକୁ ଆଦର କରିବେ, ସେହିରୂପ ସହଜ ସାହିତ୍ୟର ଆମଦାନି ଆଜି ଅଧିକ ହୋଇଅଛି । ଲୋକ-ସାହିତ୍ୟର ବହୁଳ ପ୍ରଚାର ଅନୁପାତରେ ଉଚ୍ଚାଙ୍ଗ ସାହିତ୍ୟର କ୍ଷେତ୍ର ମଧ୍ୟ ପ୍ରଶସ୍ତତର ହୋଇଅଛି ।

ଭାରତବର୍ଷରେ ଅବଶ୍ୟ ଲକ୍ଷ୍ମୀ ଏବଂ ସରସ୍ୱତୀ ଆଜି ପର୍ଯ୍ୟନ୍ତ ସପତ୍ନୀ ହୋଇ ରହିଅଛନ୍ତି । ଏବେ ମଧ୍ୟ ଏ ଦେଶରେ ସାହିତ୍ୟକ ଖ୍ୟାତିର କିଛି ଅର୍ଥ-ମୂଲ୍ୟ ନାହିଁ କହିଲେ ଚଳେ ଏବଂ ରାଜଦରବାରରୁ ମଧ୍ୟ ଏହା ବିତାଡ଼ିତ । କାରଣ ରାଜଦରବାର ବୋଲି ଏଣିକି ଏ ଦେଶରେ ଆଉ କିଛି ନାହିଁ । ତେଣୁ ଆଉସବୁ ବିଷୟ ପରି ଭାରତୀୟ ସାହିତ୍ୟ ମଧ୍ୟ ପୃଥିବୀରେ ଅନେକ ପଛରେ ପଡ଼ିଅଛି । ବର୍ତ୍ତମାନ ନିରକ୍ଷରତା ଦୂରକରି ଦେଶରେ ପାଠକସଂଖ୍ୟା ବଢ଼ାଇବା ଏବଂ ହିନ୍ଦୀକୁ ରାଷ୍ଟ୍ରଭାଷା କରି ତହିଁରେ ବିଭିନ୍ନ ପ୍ରାଦେଶିକ ଭାଷାରୁ ପୁସ୍ତକ ତର୍ଜମା କରାଇବା ଦିଗରେ ପ୍ରାଦେଶିକ ସରକାରମାନେ ଯେଉଁ ଉଦ୍ୟମ କରୁଅଛନ୍ତି, ସେଥିସଙ୍ଗେରେ ଦେଶର ସାଧାରଣ ବ୍ୟବସାୟ ବୃଦ୍ଧି ହେଲେ ଭାରତୀୟ ସାହିତ୍ୟର ଦୁର୍ଦ୍ଦଶା ଘୁଞ୍ଚିବ ବୋଲି ଆଶାହୁଏ ।

Image

 

ସଭ୍ୟତାର ପହିଲି ପେଶା

 

ମନୁଷ୍ୟସମାଜର ଇତିହାସ ଆଲୋଚନା କଲେ ଦେଖାଯାଏ ଯେ, ଆଦିମ ମାନବ ଜନ୍ତୁବିଶେଷ ଥିଲା । ଆଜି ମଧ୍ୟ ଆଫ୍ରିକାର କେତେ ଆଦିମ ଅଧିବାସୀଙ୍କ ପରି ବଣର ଫଳ ମୂଳ ଖାଇ କିମ୍ବା ପଶୁ, ପକ୍ଷୀ ବା ମାଛ ଶିକାର କରି ଦିନେ ସେ ଜୀବିକା ନିର୍ବାହ କରୁଥିଲା । ବନ୍ୟଜନ୍ତୁ ପରି ଖାଦ୍ୟ ଅନ୍ୱେଷଣ ପାଇଁ ତାହାକୁ ସ୍ଥାନେ ସ୍ଥାନେ ବୁଲିବାକୁ ହେଉଥିଲା । ସେତେବେଳେ କୌଣସି ଏକ ସ୍ଥାନରେ ଘରଦ୍ୱାର କରି ସ୍ଥାୟୀଭାବରେ ରହିବାର ସୁବିଧା ନଥିଲା । ତାହା ପରେ ମନୁଷ୍ୟ ଛେଳି, ମେଣ୍ଡା, ଓ ଗୋରୁ, ଘୋଡ଼ା ଆଦି ପଶୁ ପୋଷିବାକୁ ଶିଖିଲା ଏବଂ ସେମାନଙ୍କୁ ସଙ୍ଗରେ ଘେନି ପୂର୍ବପରି ସ୍ଥାନେ ସ୍ଥାନେ ବୁଲିଲା । ଆଜି ମଧ୍ୟ ଆଫ୍ରିକାର ମାସାଇ ଲୋକେ ଏବଂ ଏସିଆ ଓ ଅଷ୍ଟ୍ରେଲିଆର ବହୁ ବନ୍ୟଜାତି ଏହିଭାବରେ ଚଳନ୍ତି ।

 

କିନ୍ତୁ ମନୁଷ୍ୟ ଯେତେବେଳେ ଭୂମି ଚାଷ କରିବାକୁ ଶିଖିଲା ଏବଂ ସେଥିରୁ ତାହାର ଭୋଜନ ପାଇଁ ଯଥେଷ୍ଟ ଖାଦ୍ୟ ମିଳିଲା, ସେହି ସମୟରୁହିଁ ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ସ୍ଥାନରେ ବସତି କରି ରହିବା ତାହା ପକ୍ଷରେ ସମ୍ଭବ ହେଲା । ସେହି ସମୟରୁହିଁ ପୃଥିବୀପୃଷ୍ଠରେ ମାନବସଭ୍ୟତାର ଅୟମାରମ୍ଭ ବୋଲିବାକୁ ହେବ । ସେହି ସମୟରୁହିଁ ଯୁଗ ଯୁଗ ଧରି କେତେ ପ୍ରେରଣା, କେତେ ସାଧନା ଓ ତପସ୍ୟାବଳରେ ଏ ସଭ୍ୟତା ଉଜ୍ଜ୍ୱଳ ହୋଇ ଉଠିଅଛି । କେତେ ବିରାଟ ଚିନ୍ତା ଏ ସଭ୍ୟତା ମୂଳରେ ଜଳସେଚନ କରି ତାହାକୁ ସଜୀବ ଓ ସମୃଦ୍ଧ ରଖିଅଛି; କେତେ ବିପୁଳ କର୍ମପ୍ରବାହ ତାହାକୁ ଆହାର ଯୋଗାଇ ବଳିଷ୍ଠ ଓ ସୁପୁଷ୍ଟ କରିଅଛି । ଯୁଗ ଯୁଗ ବ୍ୟାପୀ କେତେ ଘର୍ମ, କେତେ ରୁଧିର, କେତେ ହାସ୍ୟ, କେତେ ଲୋତକର ପୁଞ୍ଜୀଭୂତ ପ୍ରକାଶ ଏହି ସଭ୍ୟତା । କେତେ ଉତ୍‌ଥାନ-ପତନ, ଯୁଦ୍ଧବିଗ୍ରହର କ୍ଷତଚିହ୍ନ ବକ୍ଷରେ ଧରି ଏହା ଗତି କରିଅଛି; କେତେ ଶିଳ୍ପକଳାର ଗୌରବରେ ଏହା ସୁଷମିତ । ମିଶର, ବେବିଲୋନ୍‌ ଓ ରୋମୀୟ ସଭ୍ୟତା ଦିନେ ଏ ଧରାକୁ ଆଲୋକିତ କରି ଆଜି ଭୂମିତଳେ ସମାଧି ଘେନିଅଛି । ଭାରତ ଓ ଚୀନର ପ୍ରାଚୀନ ସଭ୍ୟତା ତୈଳହୀନ ଦୀପ ପରି ମ୍ରିୟମାଣ । ସେହି ପ୍ରାଚୀନ ଭିତ୍ତି ଉପରେ ଦଣ୍ଡାୟମାନ ହୋଇ ନବଯୁଗର ଶିଳ୍ପ ବା ଯନ୍ତ୍ର-ସଭ୍ୟତାର ଜୟ ଦୁନ୍ଦୁଭି ପୃଥିବୀର ଏକପ୍ରାନ୍ତରୁ ଅନ୍ୟ ପ୍ରାନ୍ତଯାଏ ବାଜି ଉଠିଅଛି ।

 

ଭାରତ ଚୀନ ବା ମିଶର ପ୍ରଭୃତି ଅତୀତ ମହିମାରେ ମହିମାନ୍ୱିତ ଦେଶମାନ, ଏପରି କି ନିଗ୍ରୋ ବା କନ୍ଧ କୋଲ ପ୍ରଭୃତି ଆଦିମ ଜାତି ଆହାର ବିହାର ପରିଚ୍ଛଦ ଆଦି ନିତ୍ୟନୈମିତ୍ତିକ ବିଷୟରେ ମଧ୍ୟ ଏହି ନବସଭ୍ୟତା ଦ୍ୱାରା ପ୍ରଭାବିତ । ଦେହ ଓ ମନର ସ୍ୱାସ୍ଥ୍ୟ ଏବଂ ସ୍ୱାଚ୍ଛନ୍ଦ୍ୟ ପାଇଁ ଚାରୁକଳା ବା ସାହିତ୍ୟରେ ଭାସ୍କର୍ଯ୍ୟ ବା ସ୍ଥାପତ୍ୟରେ, ରଣକୌଶଳ ବା ଚିକିତ୍ସାବିଜ୍ଞାନରେ ମନୁଷ୍ୟ ଯେଉଁ ଅଦ୍ଭୁତ ଶକ୍ତିର ପରିଚୟ ଦେଇଅଛଇ, ସେଥିରୁ ମନେହୁଏ, ଜଗତରେ ଆଶ୍ଚର୍ଯ୍ୟ ହେବା ପାଇଁ ଆଉ ଯେପରି କୌଣସି ବିଷୟ ବାକି ନାହିଁ । ଗୋଟାଏ ଗୋଟାଏ ଜିଲ୍ଲା ବା ପ୍ରଦେଶରେ ଜନସଂଖ୍ୟା ଘେନି ପ୍ରକାଣ୍ଡ ନଗର ନିର୍ମାଣ, ଜଳଧିବକ୍ଷରେ ଗୋଟିଏ ଗୋଟିଏ ଭାସମାନ ନଗରପରି ପୋତ, ଆକାଶ ଉପରେ ଉଡ୍‌ଡୀୟମାନ ପ୍ରାସାଦ ପରି ବ୍ୟୋମଯାନ, ନଭଶ୍ଚୁମ୍ବୀ ଶତ ଶତ ପ୍ରାସାଦ ଗଠନ ଏବଂ ଏ ସକଳକୁ ମୁହୂର୍ତ୍ତରେ ଧୂମରେ ପରିଣତ କରି ଦେବାପାଇଁ ଅଦ୍ଭୁତ ଯୁଦ୍ଧୋପକରଣମାନ ଯୁଗସଭ୍ୟତାର କୀର୍ତ୍ତି ଓ ଅପକୀର୍ତ୍ତି ଘୋଷଣା କରୁଅଛି ।

 

ତଥାପି ଏହି ବିରାଟ ସାଜସଜ୍ଜା ମୂଳରେ କୁଟୀରବାସୀ ସେହି ମେଷପାଳକ ଆଦିମାନବର ରୂପ ଲୁଚି ରହିଅଛି । ଭୂମିକର୍ଷଣର ପ୍ରଥମ ଉପକରଣ କାଷ୍ଠଲଙ୍ଗଳ ଉପରେହିଁ ଆଜିର ଏହି ପ୍ରକାଣ୍ଡ କଳକାରଖାନାଗୁଡ଼ିକ ପ୍ରତିଷ୍ଠିତ । ଆଜି ମଧ୍ୟ ପୃଥିବୀ ଉପରୁ ଆଦିସଭ୍ୟତାର ଚିହ୍ନ ଏକାବେଳକେ ନିଭି ନାହିଁ । ଚୀନ ଏବଂ ଭାରତବର୍ଷ ପରି ଦୁଇଟି ମହାଦେଶ କୃଷି ଉପକରଣରେ ଆଦିମ ଚିହ୍ନ ଅଙ୍କିତ । ଦୁଇ ଆଙ୍ଗୁଳରୁ ଅଧିକ ଭୂଗର୍ଭକୁ ଯିବାର ଅନୁପଯୋଗୀ ପୁରାକାଳର ସେହି କାଷ୍ଠ ଲଙ୍ଗଳ ହିଁ ଏ ଦେଶରେ କୃଷିଉତ୍ପନ୍ନର ସାମଗ୍ରୀ ଏବଂ ପୃଥିବୀରେ ସବୁଠାରୁ ମନ୍ଥର ଗଧ, ବଳଦ ବା ମନୁଷ୍ୟ ଉପରେହିଁ କୃଷିଜାତ ଦ୍ରବ୍ୟଗୁଡ଼ିକ ନେବା ଆଣିବା ହୋଇଥାଏ ।

 

ଭାରତବର୍ଷ ବା ଚୀନରେ ଅଧିକାଂଶ ଅଧିବାସୀଙ୍କର ଯେଉଁ ପେଶା, ପୃଥିବୀର ସବୁ ଦେଶରେହିଁ ଲୋକେ ପ୍ରଥମେ ସେହି କୃଷିକୁ ପ୍ରଧାନ ଅବଲମ୍ବନ କରି ଚଲୁଥିଲେ; କିନ୍ତୁ ବଂଶବୃଦ୍ଧି ସଙ୍ଗେ ସଙ୍ଗେ ଏବଂ ସ୍ଥାନ ଓ ଜଳବାୟୁ ଭେଦରେ ମନଷ୍ୟର ପେଶା ମଧ୍ୟ ବଦଳି ଯାଇଅଛି । ପୃଥିବୀର ମାନଚିତ୍ରରୁ ଦେଖାଯାଏ, ଇଂଲଣ୍ଡ ଜର୍ମାନୀ ଫ୍ରାନ୍ସ ଇଟାଲୀ ପ୍ରଭୃତି ୟୁରୋପର ପଚିଶଟି ଦେଶ ଯେତିକି ଭୂଖଣ୍ଡରେ ଅବସ୍ଥିତ, ଏକା ଭାରତବର୍ଷର ଆକାର ହିଁ ସେତିକି; ଏବଂ ଜନସୁମାରିରୁ ଜଣାଯାଏ, ଏହିସବୁ ଦେଶର ଲୋକସଂଖ୍ୟାର ସମଷ୍ଟି ଭାରତର ଲୋକସଂଖ୍ୟା ସଙ୍ଗେ ପ୍ରାୟ ସମାନ । ଅଥଚ ଏହି ଦୁଇଟି ବିଷୟ ବ୍ୟତୀତ ଆଉ କାହିଁରେ ୟୁରୋପ ସଙ୍ଗେ ଭାରତବର୍ଷକୁ ତୁଳନା କରିବା ପାଇଁ ସାହସ ହୁଏ ନାହିଁ । ସେସବୁ ଦେଶରେ ଶିଳ୍ପବାଣିଜ୍ୟର ଉନ୍ନତିହିଁ ଏ ସମୃଦ୍ଧିର ସୁସ୍ପଷ୍ଟ କାରଣ ।

 

ବହୁନଦୀ ସେବିତ ଭାରତବର୍ଷର ମୃତ୍ତିକା ଏପରି ଉର୍ବର ଏବଂ କୃଷି ଉପଯୋଗୀ ସମତଳ ଭୂମି ତହିଁରେ ଏତେ ପ୍ରଚୁର ଯେ, କୃଷି ଅପେକ୍ଷା ଶିଳ୍ପକୁ ସେଠାରେ ଅଧିକ ପ୍ରାଧାନ୍ୟ ଦେବା ଆବଶ୍ୟକ ହୋଇନାହିଁ । ଗ୍ରୀଷ୍ମପ୍ରଧାନ ଦେଶ ହୋଇଥିବାରୁ ଥଣ୍ଡା ଦେଶ ପରି ପୋଷାକ-ପରିଚ୍ଛଦ, ବାସଗୃହ ବା ଯାନବାହନର ଉନ୍ନତି ପାଇଁ ସେଠାରେ ଲୋକଙ୍କୁ ୟୁରୋପୀୟମାନଙ୍କ ପରି ଚିନ୍ତା କରିବାକୁ ପଡ଼ି ନାହିଁ । ଏ ଦେଶର ବିସ୍ତୃତି ଓ ବିଶାଳତା ଲାଗି ମଧ୍ୟ ଏହାର ଅଧିବାସୀମାନଙ୍କର ଅନ୍ୟ ଦେଶରେ ଉପନିବେଶ କରିବାର ଆବଶ୍ୟକତା ଅନୁଭୂତ ହୋଇନାହିଁ । ଫଳତଃ ମଧ୍ୟ-ଏସିଆରୁ ଆର୍ଯ୍ୟମାନଙ୍କର ପ୍ରଥମ ଅଭିଯାନ ପରଠାରୁହିଁ ଭାରତୀୟମାନଙ୍କର ନିଜ ଦେଶ ଛାଡ଼ି ବାହାରକୁ ଯିବା ଯେତେ ଆବଶ୍ୟକ ହୋଇନାହିଁ, ବାହାର ଲୋକଙ୍କର ଏ ଦେଶକୁ ଆସିବା ସେତିକି ଆବଶ୍ୟକ ଓ ସୁବିଧା ହୋଇଅଛି । ଶକ, ହୁନ, ଗ୍ରୀକ୍‌, ମୋଗଲ, ଫରାସୀ, ଓଲନ୍ଦାଜ ବା ଇଂରେଜମାନେ ଦେଶଜୟ ବା ବ୍ୟବସାୟ ସୂତ୍ରରେ ଏ ଦେଶକୁ ଜଳ କିମ୍ବା ସ୍ଥଳପଥରେ ବହୁକାଳ ହେଲା ଆସିଅଛନ୍ତି । ଏ ଦେଶର ଚାଷଜମି ଯେପରି ପ୍ରତି ଚାଷୀପାଇଁ ଅତି ଛୋଟ ଛୋଟ ଖଣ୍ଡରେ ବିଭକ୍ତ ହୋଇ ଗ୍ରାମେ ଗ୍ରାମେ ଛୋଟ କଳିତକରାଳ ବା ମାଲିମକଦ୍ଦମାର ସୃଷ୍ଟି କରିଥାଏ, ସେହିପରି ଏ ଦେଶର ଶାସନ ସାନ ସାନ ରାଜ୍ୟ ବା ସରକାର ଦ୍ୱାରା ବିଭକ୍ତ ହୋଇ ପରସ୍ପର ମଧ୍ୟରେ କଳହ ଓ ଶତ୍ରୁତା ଲାଗିଥିବାରୁ ବାହାରର ଆଗନ୍ତୁକମାନଙ୍କ ପ୍ରତି ସମଷ୍ଟିଗତ ପ୍ରତିରୋଧ କରିବାର ଶକ୍ତି ଓ ସୁଯୋଗ ହରାଇଥିଲା । ସେଥିପାଇଁ ଭାରତ-ଇତିହାସରେ ଆଗନ୍ତୁକମାନେ ପ୍ରତି କେତେକ ସ୍ଥଳରେ କ୍ଷୀଣ ପ୍ରତିରୋଧ ଏବଂ ଅଧିକାଂଶ ସ୍ଥଳରେ ପରାଜୟ ବା ବନ୍ଧୁତା ସ୍ୱୀକାରର ଉଦାହରଣ ମିଳେ ଏବଂ ସବୁ ସ୍ଥଳରେହିଁ ଜୟ, ପରାଜୟ ବା ବନ୍ଧୁତାକୁ ବହୁମୂଲ୍ୟରେ ଏ ଦେଶକୁ କ୍ରୟ କରିବାକୁ ହୋଇଅଛି ।

 

ନିଜ ଚତୁଃସୀମା ମଧ୍ୟରେ ଆବଦ୍ଧ ରହି ଏ ଦେଶର ଦୃଷ୍ଟ ବାହାର ଅପେକ୍ଷା ଭିତରେହିଁ ଅଧିକ ନିବଦ୍ଧ ରହିଅଛି । ବିଦେଶୀ ଆକ୍ରମଣକାରୀ ଅପେକ୍ଷା ପଡ଼ୋଶୀ ହିଁ ବେଶୀ ଭୟ ଓ ଲଜ୍ଜ୍ୟାର କାରଣ ହୋଇଛନ୍ତି । ବାହାରର ଶତ୍ରୁ ଅପେକ୍ଷା ଭିତରର ଷଡ଼ରିପୁ ଦମନ ପାଇଁ ତାହାର ଉଦ୍ୟମ ପ୍ରବଳତର ହୋଇପଡ଼ିଅଛି । ଦେହର ସ୍ୱାସ୍ଥ୍ୟଠାରୁ ଅନ୍ତରର ଶୌଚ ପ୍ରତି ବେଶି ଦୃଷ୍ଟି ଦିଆଯାଇଅଛି । ବୈଷୟିକ ଉନ୍ନତି ଛାଡ଼ି ଆଧ୍ୟାତ୍ମିକ ଉନ୍ନତିରେ ତାହାର ମୁକ୍ତି ବୋଲି ଧାରଣା ଜନ୍ମିଅଛି । ସେଥିପାଇଁ ଚାରିମାଣ ଜମି ଚାଳିଶି ଖଣ୍ଡରେ ବିଭକ୍ତ ହୋଇଅଛି । ଚାରିଟି ଜାତି ଚାରିଶହ ଜାତିରେ ପରିଣତ ଏବଂ ଗୋଟିଏ ଦେବତା କୋଟିଏ ହୋଇଛନ୍ତି ।

 

ବର୍ତ୍ତମାନ କିନ୍ତୁ ୟୁରୋପ ବା ଆମେରିକାରେ ଅନ୍ୟ ସବୁ ବିଷୟ ପରି କୃଷିର ଯେଉଁ ଉନ୍ନତି ସାଧିତ ହୋଇଅଛି, ତାହା ଭାରତର ଚକ୍ଷୁକୁ ଖୋଲି ଦେଇଅଛି । ସେ ସବୁ ଦେଶର କୃଷକ ବୋଇଲେ ଅର୍ଦ୍ଧନଗ୍ନ ଅର୍ଦ୍ଧାହାରୀ ଓ ସ୍ୱଳ୍ପଜୀବୀ ଭାରତୀୟ କୃଷକର ଚିତ୍ର ଧାରଣାକୁ ଆସେ ନାହିଁ ! କୃଷକର ଗୃହ ବୋଇଲେ ଭାରତୀୟ କୃଷକର ଭଗ୍ନ ବିକଳ କୁଟୀରକୁ ବୁଝାଏ ନାହିଁ । କୃଷକଶିଶୁର ଅର୍ଥ ଭାରତୀୟ କୃଷକସନ୍ତାନର ରୁଗ୍‌ଣ, ଧୂସର, କାରୁଣ୍ୟର ଅବତାର ନୁହେ । ସେ ଦେଶର କୃଷକ ଯଥାର୍ଥରେ ଆଜି ସମାଜର ସ୍ତମ୍ଭ ହୋଇ ରହିଅଛି । ତାହାର ପରିଚ୍ଛଦ, ପାନାହାର ଓ ବାସଗୃହ ଏ ଦେଶର ବହୁ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ଅପେକ୍ଷା ମଧ୍ୟ ଉତ୍କୃଷ୍ଟତର । ସେ ଦେଶରେ ବହୁ କୃଷିକ୍ଷେତ୍ର କହିଲେ ଏକତ୍ରିତ ଶହ ଶହ ଏକର ଚାଷ ଜମିକୁ ବୁଝାଇଥାଏ । ଲଙ୍ଗଳ ପରିବର୍ତ୍ତରେ ବାଷ୍ପଚାଳିତ ବଡ଼ ବଡ଼ ଟ୍ରାକ୍ଟରଦ୍ୱାରା ଅଳ୍ପ ସମୟରେ ଶହ ଶହ ଏକର ଜମି ଚାଷ ହୁଏ-। ଦାଆ ସ୍ଥାନରେ ଯନ୍ତ୍ର ସାହାଯ୍ୟରେ ଶହ ଶହ ଏକର ଜମିର ଫସଲ ଅଳ୍ପ କେତେ ଘଣ୍ଟା ମଧ୍ୟରେ କଟାଯାଏ । ଜଳସେଚନ, ବୀଜବପନ ପାଇଁ ମଧ୍ୟ ଯନ୍ତ୍ରର ସାହାଯ୍ୟ ନିଆଯାଇଅଛି । ଶସ୍ୟକୁ କୀଟ ପତଙ୍ଗ ବା ପଶୁପକ୍ଷୀର ଆକ୍ରମଣରୁ ରକ୍ଷା କରିବାପାଇଁ ବୈଜ୍ଞାନିକ ଉପାୟମାନ ଉଦ୍ଭାବିତ ହୋଇଅଛି ଏବଂ ରାସାୟନିକ ସାର ପ୍ରଭୃତିଦ୍ୱାରା ବର୍ଷମଧ୍ୟରେ ଏକାଧିକ ଥର ଫସଲ ଆମଦାନିର ଚେଷ୍ଟା ମଧ୍ୟ ସଫଳ ହୋଇଅଛି । ଗୋଟିଏ କଥାରେ କହିବାକୁ ଗଲେ, ଭୂମିକର୍ଷଣ ଓ ବୀଜପବନଠାରୁ ଆରମ୍ଭ କରି ଆହାରରୂପେ ମନୁଷ୍ୟ ପାଖରେ ପରିବେଶଣ କରାଯିବା ପର୍ଯନ୍ତ ସବୁ କାର୍ଯ୍ୟହିଁ ଆଜି ଯନ୍ତ୍ରଦ୍ୱାରା ସମ୍ଭବ ହୋଇପାରିଅଛି ।

 

କୃଷକର ଯାତାୟାତ ପାଇଁ ପଥଘାଟର ସୁବିଧା କରିବା, କୃଷକପଲ୍ଲୀରେ ବିଦ୍ୟୁତ୍‌-ଆଲୋକ ଯୋଗାଇବା, ତାହାର ପାନୀୟ ଜଳ ପାଇଁ ବ୍ୟବସ୍ଥା କରିବା, ତାହାର ସନ୍ତାନର ଶିକ୍ଷା ପାଇଁ ଉତ୍କୃଷ୍ଟ ଧରଣର ବିଦ୍ୟାଳୟ, ବୟସ୍କ ସ୍ତ୍ରୀ-ପୁରୁଷଙ୍କ ପାଇଁ ପାଠାଗାର, ଚିକିତ୍ସା ପାଇଁ ନିକଟରେ ଡାକ୍ତରଖାନା, ଆମୋଦ ପ୍ରମୋଦ ପାଇଁ ଗ୍ରାମେ ଗ୍ରାମେ ବେତାର ରେଡ଼ିଓ ଯନ୍ତ୍ର ଓ କେନ୍ଦ୍ର ସ୍ଥାନମାନଙ୍କରେ ବାୟସ୍କୋପ, ସମ୍ବାଦ ନେବା ଆଣିବା ପାଇଁ ପୋଷ୍ଟ ଓ ଟେଲିଗ୍ରାଫ ଅଫିସ ଆଦି ସ୍ଥାପନ କରିବା ଦିଗରେ ସବୁ ଉନ୍ନତ ଦେଶର ସରକାର ତତ୍ପର ।

 

ଅବଶ୍ୟ ଭାରତବର୍ଷର ମେରୁଦଣ୍ଡ କୃଷକସମାଜର ବର୍ତ୍ତମାନ ଦୁର୍ଦ୍ଦଶା ମେଣ୍ଟାଇବା ପାଇଁ ଭାରତ ସରକାରଙ୍କର ବହୁମୁଖୀ ଉଦ୍ୟମ ସର୍ବଥା ଉଲ୍ଲେଖଯୋଗ୍ୟ ବିଭିନ୍ନ ରାଜ୍ୟରେ କୋଟି କୋଟି ମୁଦ୍ରା ବ୍ୟୟରେ ବନ୍ୟା ନିୟନ୍ତ୍ରଣ ଓ ଜଳସେଚନ ଲାଗି ଯେଉଁ ବିରାଟ ଜଳଭଣ୍ଡାରମାନ ସ୍ୱାଧୀନତା ପରେ ନିର୍ମିତ ହୋଇଛି; ପୁଣି ପଞ୍ଚବାର୍ଷିକ ଯୋଜନାଗୁଡ଼ିକରେ କୃଷକର ସର୍ବବିଧ ଉନ୍ନତି ଲାଗି ଯେଉଁ ବିସ୍ତୃତ ବ୍ୟବସ୍ଥାମାନ କାର୍ଯ୍ୟକାରୀ ହେଉଛି, ତାହାଫଳରେ ଅଚିରେ କୃଷକର ଅବସ୍ଥା ଉନ୍ନତ ହେବବୋଲି ସ୍ପଷ୍ଟ ସୂଚନା ମିଳୁଅଛି । କୃଷିସମ୍ବନ୍ଧେ ବିଶେଷଜ୍ଞମାନଙ୍କୁ ନେଇ ଭାରତୀୟ କୃଷି ଗବେଷଣା କେନ୍ଦ୍ର ପ୍ରତିଷ୍ଠିତ ହୋଇଅଛି ଏବଂ କୃଷିର ସମୂହ ଉନ୍ନତିପାଇଁ ସମ୍ୟକ୍‌ ଆଲୋଚନା କରାଯାଉଅଛି । ପ୍ରତି ଜିଲ୍ଲା ବା ମହକୁମାରେ ଆଦର୍ଶ କୃଷିଫାର୍ମ ଗଢ଼ାଯାଇ ତହିଁରେ ମୃତ୍ତିକାଭେଦରେ କି କି ଉନ୍ନତ ଫସଲ ଜନ୍ମିପାରେ, ତାହା ପରୀକ୍ଷିତ ହୋଇ ଲୋକଶିକ୍ଷା ଓ ପ୍ରଚାରପାଇଁ ସାହାଯ୍ୟ କରୁଅଛି । ପ୍ରତି ପ୍ରାଦେଶିକ ସରକାର କୃଷକକୁ ୠଣଭାରରୁ ମୁକ୍ତ କରିବାକୁ ଉଦ୍ୟମଶୀଳ ଏବଂ ନିଜେ ଚାଷ କରୁଥିବା ଜମି ଉପରେ ତାହାର ସ୍ୱତ୍ୱ କିପରି ପ୍ରତିଷ୍ଠିତ ହୋଇପାରେ, ସେଥିପାଇଁ ନୂତନ ଆଇନ ସଂଶୋଧନ କରିବା ଦିଗରେ ଧ୍ୟାନ ଦେଇଅଛନ୍ତି ।

 

ସୁତରାଂ, ଭାରତୀୟ କୃଷି ପୂର୍ବଠାରୁ ବର୍ତ୍ତମାନ ଅନେକ ପରିମାଣରେ ଅଗ୍ରସର ହୋଇପାରିଅଛି । ବିହାରର ପୁଷା କେନ୍ଦ୍ରରେ ଯେଉଁ ଗହମ ପରୀକ୍ଷିତ ହୋଇ ଉତ୍କୃଷ୍ଟ ବୋଲି ପ୍ରମାଣିତ, ତାହାର ଖ୍ୟାତି ଆଜି ଭାରତର ସୀମା ପାର ହୋଇଅଛି । ଏହି ଗହମ ଉତ୍ତର ଭାରତରେ ପ୍ରାୟ ଷାଠିଏ ଲକ୍ଷ ଏକର ଜମିରେ ଚାଷ କରାଯାଏ ଏବଂ ଉତ୍ତର-ପଶ୍ଚିମ ସୀମାନ୍ତ ପ୍ରଦେଶ, ବିହାର ତଥା ଓଡ଼ିଶାରେ ଏହି ଗହମହିଁ ପ୍ରଧାନ ବୋଲି ପ୍ରଚଳିତ । କୋଏମ୍ବାଟୁର ଏବଂ ଢାକାର କୃଷି-ଗବେଷଣା କେନ୍ଦ୍ରରେ ଉତ୍କୃଷ୍ଟ ଧାନ ବିହନ ପ୍ରସ୍ତୁତ କରାଯାଇଅଛି । ଆଖୁଚାଷର ଉନ୍ନତି ଭାରତୀୟ କୃଷି-ସଂସାରରେ ସବୁଠାରୁ ଏକ ଉଲ୍ଲେଖଯୋଗ୍ୟ ଘଟଣା । କୋଡ଼ିଏ ବର୍ଷ ପୂର୍ବେ ଭାରତକୁ ଜାଭା ଦ୍ୱୀପରୁ ଅନେକ ପରିମାଣରେ ଚିନି ରପ୍ତାନି ହେଉଥିଲା । ଅଥଚ ବର୍ତ୍ତମାନ ଏ ଦେଶରେ ପ୍ରାୟ ଦୁଇ ଶହ ଚିନି କାରଖାନା ପ୍ରତିଷ୍ଠିତ ହୋଇ ବିଦେଶରୁ ଚିନି ଆସିବା ବହୁ ପରିମାଣରେ କମିଯାଇଛି । ଦଶ ବର୍ଷ ପୂର୍ବେ ଆଖୁଚାଷ ସମଗ୍ର ଭାରତବର୍ଷରେ ମୋଟେ ପଚାଶ ହଜାର ଏକର ଜମିରେ କରାଯାଉଥିଲା; ବର୍ତ୍ତମାନ ଏ ସଂଖ୍ୟା ସତେଇଶ ଲକ୍ଷ ଏକରକୁ ଉଠିଅଛି । ପ୍ରତିବର୍ଷର ହିସାବ ସଂଗ୍ରହ କଲେ ସବୁ ବିଭାଗରେହିଁ କୃଷିର ଉନ୍ନତି ଘଟୁଥିବାର ସୂଚନା ମିଳେ ।

 

ତଥାପି ଭାରତୀୟ କୃଷକ ଅବନତିର ଯେଉଁ ଅତଳ ସ୍ତରରେ ପଡ଼ିଅଛି, ଏ ସକଳ ଉନ୍ନତି ତାହାର ଅବସ୍ଥାରେ ଆଶା ଅନୁରୂପ ପରିବର୍ତ୍ତନ ଘଟାଇପାରି ନାହିଁ । ଏସବୁ ଚେଷ୍ଟାସତ୍ତ୍ୱେ କୃଷିକର୍ମଦ୍ୱାରା ଚଷାର ପେଟ ପୁରୁନାହିଁ । ସେଥିପାଇଁ ଘର, ସଂସାର ଓ ଆପଣାର ପେଶା ଛାଡ଼ି ଆଜି ସେ ବିଦେଶକୁ କୁଲିକାମ କରିବାକୁ ଧାଉଁଅଛି । ଏସବୁ ଚେଷ୍ଟା ସତ୍ତ୍ୱେ ହଇଜା, ବସନ୍ତ ବା ବନ୍ୟା, ଦୁର୍ଭିକ୍ଷରେ ଗାଁ ଗାଁ ଲୋକ ଶୂନ୍ୟ ହେବାହିଁ ଭାରତବର୍ଷର ପ୍ରଧାନ ସମ୍ବାଦ ହୋଇ ରହିଛି । ଏସବୁ ଚେଷ୍ଟାସତ୍ତ୍ୱେ ଭାରତବାସୀର ସାଧାରଣ ପରମାୟୁ ଅଳ୍ପ । କୌଣସି ସଭ୍ୟଦେଶର ଶିଶୁମୃତ୍ୟୁ ବା ପ୍ରସୂତିମୃତ୍ୟୁର ସଂଖ୍ୟା ଏ ଦେଶ ପରି ରୋମାଞ୍ଚକର ନୁହେ ।

 

ଉନ୍ନତ ଦେଶର କୃଷକ ବନ୍ୟା ବା ବୃଷ୍ଟିଜଳକୁ କରାୟତ୍ତ କରି ଏବଂ ପ୍ରକୃତିର ସକଳ ବାଧାକୁ ପ୍ରତିରୋଧ କରି ଜୟୋଲ୍ଲାସରେ ଗତି କରୁଥିବାବେଳେ ଏ ଦେଶର ଚଷା ଜଳସେଚନ ବିଭାଗରେ ଇନ୍ଦ୍ର ବ୍ୟତୀତ କୃଷିର ଆଉ କେହି ପ୍ରଭୁ ଥିବାର ବିଶ୍ୱାସ କରେ ନାହିଁ । ଉନ୍ନତ ଦେଶର ଚାଷୀ ନିଜ ଦେଶ ଉଦ୍ଭାବିତଉତ୍କୃଷ୍ଟ କୃଷି ଉପାଦାନ ଓ ଯନ୍ତ୍ରଦ୍ୱାରା ସକଳ କୃଷିକର୍ମ ନିର୍ବାହ କରୁଥିବା ବେଳେ ଏ ଦେଶ କୃଷିର ସବୁ ଫଳାଫଳ କୃଷକର ଦୃଷ୍ଟିର ଅତୀତ । ଅତଏବ ଅଦୃଷ୍ଟହିଁ ତାହାର ଏକମାତ୍ର ଭରସା । ଜୀବନଧାରଣର ପ୍ରଧାନ ଅବଲମ୍ବନ କୃଷି ଯେପରି ଅଦୃଷ୍ଟଦ୍ୱାରା ନିୟନ୍ତ୍ରିତ, ଆଉ ସବୁ ବିଷୟରେ ମଧ୍ୟ ସେହିପରି ଏ ଦେଶ ଲୋକଙ୍କର ଆତ୍ମପ୍ରତ୍ୟୟ ଖର୍ବ ହୋଇ ଦୈବହିଁ ସର୍ବୋପରି ଶାସନ କରୁଅଛି । ମନୁଷ୍ୟ ଜାତିର ପହିଲି ପେଶା କୃଷିହିଁ ଏ ଦେଶର ଜୀବିକା ପାଇଁ ପ୍ରଧାନ ଅବଲମ୍ବନ ହୋଇଥିବାରୁ ଭାରତର ଧର୍ମ, ଦର୍ଶନ, ସାହିତ୍ୟ, ରାଜନୀତି ଆଦି ସମାଜର ସକଳ ବିଭାଗର ଉନ୍ନତି ବା ଅବନତି କୃଷି ଉପରେ ନିର୍ଭର କରୁଅଛି । କୃଷି ଉପରେହିଁ ଏ ଦେଶର ଶିକ୍ଷା, ସଭ୍ୟତା ନିହିତ ଏବଂ ଦେଶର ଶତ୍ରୁତା ବା ମିତ୍ରତା, ଦୁଃଖ ଅଥବା ସୁଖ କୃଷିଦ୍ୱାରାହିଁ ନିୟନ୍ତ୍ରିତ-। ଅତଏବ, କୃଷିର ଉନ୍ନତିବିଧାନ ଏବଂ କୃଷକର ଅବସ୍ଥା ସୁଧାରିବାପାଇଁ ପ୍ରତ୍ୟେକ ବ୍ୟକ୍ତିର ଚିନ୍ତା କରିବା ଉଚିତ । ଉପସ୍ଥିତ ଉନ୍ନତିକର ଯୋଜନା ଫଳରେ ଏହି ଅବସ୍ଥା ଅଚିରେ ବଦଳିଯିବ ବୋଲି ଆଶାକରିବାର ଯଥେଷ୍ଟ ପ୍ରମାଣ ମିଳୁଅଛି ।

Image

 

ମାର୍କ ଟ୍ୱେନ୍‌

 

ଆମେରିକାର ସାହିତ୍ୟ ଅପେକ୍ଷାକୃତ ଅଳ୍ପକାଳର । ଅଷ୍ଟାଦଶ ଶତାବ୍ଦିରେହିଁ ସାହିତ୍ୟ ପଦବାଚ୍ୟ ରଚନା ସେଠାରେ ଦେଖାଦେଇଥିଲା । ଅଥଚ ଏହି ଅଳ୍ପକାଳ ମଧ୍ୟରେ ସେ ଦେଶର ସାହିତ୍ୟ ଅଦ୍ଭୁତ ଅଗ୍ରଗତି କରି ପାରିଛି । ସେତେବେଳେ ବେଞ୍ଜାମିନ୍‌ ଫ୍ରାଙ୍କ୍‌ଲିନ୍‌ ଏବଂ ଓ୍ୟାଶିଂଟନ୍‌ ଆର୍‌ଭିଂ ପ୍ରମୁଖ ଲେଖକଗଣ ଥିଲେ ତାହାର କର୍ଣ୍ଣଧାର । ତାହାପରେ ଏକାଧିକ କବି, ନାଟ୍ୟକାର ଓ ଔପନ୍ୟାସିକମାନଙ୍କର ଲେଖନୀ-କୃତିତ୍ୱ ଯୋଗଁ ଆମେରିକାରେ ଇଂରାଜୀ ସାହିତ୍ୟର ଏକ ସ୍ୱତନ୍ତ୍ର ସୃଷ୍ଟିର ଧାରା ବିକଶି ଉଠିଲା । ତାହା ଫଳରେ ବିଶ୍ୱ ସାହିତ୍ୟ ଆଜି ସମୃଦ୍ଧ ।

 

ଯେଉଁମାନଙ୍କ ସାଧନା ବଳରେ ଏହା ସମ୍ଭବପର ହେଲା; ତାଙ୍କ ମଧ୍ୟରେ ମାର୍କ ଟ୍ୱେନ୍‌ ସର୍ବଥା ସ୍ମରଣୀୟ । ଆମେରିକାର ଗଦ୍ୟ ସାହିତ୍ୟକୁ ବିଶେଷ କରି ହାସ୍ୟରସ ଓ ବ୍ୟଙ୍ଗ ରଚନାକୁ ସେ ରୁଦ୍ଧିମନ୍ତ କରି ଯାଇଛନ୍ତି । ତାଙ୍କର ପ୍ରକୃତ ନାମ ସାମୁଏଲ୍‌ ଲ୍ୟାଙ୍ଗ୍‌ହର୍ନ୍‌ କ୍ଳିମେନସ୍‌ । ଫ୍ଳରିଡା ସହରରେ ନଭେମ୍ବର ୩୦ ତାରିଖ ୧୮୩୫ ଖ୍ରୀଷ୍ଟାବ୍ଦରେ ତାଙ୍କର ଜନ୍ମ । ତାଙ୍କର ଚାରିବର୍ଷ ବୟସରେ ତାଙ୍କ ପିତା ବ୍ୟବସାୟ ଉଦ୍ଦେଶ୍ୟରେ ହାନିବଲ ସହରକୁ ଉଠିଯାଇଥିଲେ ଏବଂ ଆଠ ବର୍ଷ ପରେ ପିତାଙ୍କର ମୃତ୍ୟୁ ଘଟେ । ତେଣୁ ମାର୍କ ଟ୍ୱେନ୍‌ ସ୍କୁଲ ଶିକ୍ଷାରେ ଆଗେଇପାରିଲେ ନାହିଁ । ଆର୍ଥିକ ସମ୍ବଳ ନଥିଲେ ମଧ୍ୟ ସେଠାରେ ମିସିସିପି ନଦୀର ତୀର ଏବଂ ନିଗ୍ରୋମାନଙ୍କର ଜୀବନ ଯାପନ ମାର୍କ ଟ୍ୱେନ୍‌ଙ୍କ କଳ୍ପନାକୁ ଯଥେଷ୍ଟ ଖୋରାକ ଯୋଗାଇଥିଲା ଏବଂ ଭବିଷ୍ୟତରେ ତାଙ୍କର ଶ୍ରେଷ୍ଠ ରଚନାମାନଙ୍କ ଲାଗି ସହାୟକ ହୋଇଥିଲା ।

 

ସ୍କୁଲରୁ ବାହାରି ଆସି ସେ ଗୋଟିଏ ଛାପାଖାନାରେ କାର୍ଯ୍ୟ କରିଥିଲେ । ସେଠାରେ ତାଙ୍କ ବଡ଼ଭାଇଙ୍କର ସହକାରୀରୂପେ ତାଙ୍କୁ ମୁଦ୍ରଣ କାର୍ଯ୍ୟ ଶିଖିବାକୁ ପଡ଼ିଥିଲା । ତାହାପରେ ମିସିସିପି ନଦୀରେ ଲଞ୍ଚ୍‌ ଚଳାଇବା କାମ କରି ପରେ ସେ ଜଣେ ସାମ୍ବାଦିକ ହୋଇଥିଲେ । ଏହି ସମୟରେ ସମ୍ବାଦପତ୍ରରେ ସେ ‘‘ମାର୍କ ଟ୍ୱେନ୍‌’’ ଛଦ୍ମନାମରେ ଲେଖିଲେ । ମିସିସିପିର ନୌଚାଳକମାନେ ଦୂରରୁ ଏହି ନାମରେ ଅନ୍ୟ ନୌଚାଳକକୁ ଡାକିଥାନ୍ତି । ଭୂମଧ୍ୟସାଗରରେ ନିଜ ଯାତ୍ରାର ବର୍ଣ୍ଣନା କରି ସେ ‘‘ବହିଃଜଗତ୍‌ର ନିରୀହମାନବ’’ (The Innocents Abroad) ନାମକ ୧୮୨୯ରେ ଯେଉଁ ହାସ୍ୟରସମୂଳକ ଭ୍ରମଣ କାହାଣୀ ଲେଖିଥିଲେ, ତାହା ଅକସ୍ମାତ ଅତ୍ୟନ୍ତ ଜନପ୍ରିୟ ହୋଇ ପଡ଼ିଲା । ୧୮୭୦ ଖ୍ରୀଷ୍ଟାବ୍ଦରେ ଅଲଭିୟା ଲ୍ୟାଙ୍ଗଡେନ୍‌ ନାମକ ଜଣେ ଯୁବତୀଙ୍କୁ ସେ ବିବାହ କଲେ । ତାଙ୍କର ସ୍ତ୍ରୀ ପ୍ରାଚୀନ-ପନ୍ଥୀ ପରିବାରରୁ ଆସିଥିବାରୁ ମାର୍କ ଟ୍ୱେନ୍‌ଙ୍କ ପ୍ରତିଭା ବିକାଶରେ କେତେକ ବାଧା ଉପୁଜିଥିଲା ବୋଲି ସମାଲୋଚକମାନେ କହନ୍ତି । କାହାରି କାହାରି ମତରେ ତାଙ୍କ ରଚନାଭଙ୍ଗି ପ୍ରଥମେ ହାସ୍ୟରସରୁ ଆରମ୍ଭ ହୋଇ ପରେ ତୀବ୍ର ବ୍ୟଙ୍ଗରେ ପରିଣତ ହୋଇଥିଲା । ‘‘ରାଜପୁତ୍ର ଏବଂ ଦରିଦ୍ର’’ (Prince and the Pauper) ନାମକ ଗ୍ରନ୍ଥରେ ଟୁଡର ଶାସନକାଳରେ ଇଂଲଣ୍ଡର ସାମାଜିକ ଦୁର୍ନୀତିଗୁଡ଼ିକ ଉପରେ ସେ ଘୋର ଆକ୍ରମଣ କରିଥିଲେ । ଏହା ୧୮୮୨ ଖ୍ରୀଷ୍ଟାବ୍ଦର ରଚନା । ଶିଶୁମାନଙ୍କ ଉଦ୍ଦେଶ୍ୟରେ ରଚିତ ହେଲେ ହେଁ ଏହା ସବୁ ଶ୍ରେଣୀର ପାଠକମାନଙ୍କ ଆଦର ଲାଭ କରିଥିଲା ।

 

ଏହାପରେ ମିସିସିପିରେ ଜୀବନଯାତ୍ରା ଓ ଟ୍ୱେନ୍‌ଙ୍କର ସର୍ବଶ୍ରେଷ୍ଠ ସୃଷ୍ଟି ‘‘ହକ୍‌ଲବେରି ଫିନ୍‌ର ଦୁଃସାହସିକ ଅଭିଜ୍ଞତା’’ (The Adventures of Huckleberry Finn) ପ୍ରକାଶିତ ହେଲା । ଉପନ୍ୟାସ, ଭ୍ରମଣ-କାହାଣୀ ଓ କ୍ଷୁଦ୍ରଗଳ୍ପ ବ୍ୟତୀତ ଲୋକ-ସାହିତ୍ୟ ରଚନାରେ ସେ ଯେଉଁ ସିଦ୍ଧିଲାଭ କରିଥିଲେ, ତାହା ତାଙ୍କୁ ବହୁକାଳ ପର୍ଯ୍ୟନ୍ତ ଜୀବିତ ରଖିଥିବ ।

 

୧୮୮୯ ଖ୍ରୀଷ୍ଟାବ୍ଦରେ ଆଉ ଗୋଟଏ ଗ୍ରନ୍ଥ ଲେଖି ତାଙ୍କର ଶକ୍ତିଶାଳୀ ଲେଖନୀ ସାମନ୍ତବାଦୀ ଅତ୍ୟାଚାର ପ୍ରତି ସୁତୀକ୍ଷ୍‍ଣ ବ୍ୟଙ୍ଗ ବିଦ୍ରୂପର ତୀର ନିକ୍ଷେପ କରିଥିଲା । ତାହାପରେ ଏକାଧିକ ଭ୍ରମଣ-କାହାଣୀ ଜୀବନୀ ଓ ଗଳ୍ପ ରଚନା କରି ସିଦ୍ଧିର ଶୀର୍ଷ ସୀମାରେ ପହଞ୍ଚିବା ବେଳେ ହଠାତ୍‌ତାଙ୍କର ପୁସ୍ତକ-ପ୍ରକାଶକମାନଙ୍କ ବ୍ୟବସାୟ ନଷ୍ଟ ହୋଇଗଲା । ଫଳରେ ମାର୍କ ଟ୍ୱେନ୍‌ ମଧ୍ୟ ଦେବାଳିଆ ହୋଇପଡ଼ିଲେ । ମାତ୍ର ଏହି ପତନରେ ସେ ଉତ୍ସାହ ହରାଇ ନାହାନ୍ତି । ବରଂ ସାର୍‌ ଓ୍ୟାଲ୍‌ଟର୍‌ ସ୍କଟ୍‌ଙ୍କ ଭଳି ସାହସ ସହିତ ସେ ବିପଦର ସମ୍ମୁଖୀନ ହେଲେ ଏବଂ ନାନା ଦେଶ ଭ୍ରମଣ କରି ଗ୍ରନ୍ଥ ଲେଖିବା ଏବଂ ବକ୍ତୃତା ଦେବାକୁ ଲାଗିଲେ । ଏହି ସମୟରେ ସେ ଅଷ୍ଟ୍ରେଲିଆ ପଥରେ ଭାରତକୁ ମଧ୍ୟ ଆସିଥିଲେ । ଦେଶ ବିଦେଶରେ ତାଙ୍କର ଖ୍ୟାତି ବିସ୍ତୃତ ହୋଇପଡ଼ିଲା । ଗୋଟିକ ପରେ ଗୋଟଏ ଗ୍ରନ୍ଥ ଲେଖି ସେ ସ୍ୱୀୟ ଲେଖନୀର ସାର୍ଥକତା ପ୍ରମାଣ କଲେ । ତାଙ୍କ ଲିଖିତ ଗ୍ରନ୍ଥ ସଂଖ୍ୟା ୭୦ରୁ ଅଧିକ । ଖ୍ୟାତି ସଙ୍ଗେ ପାରିବାରିକ ବିଚ୍ଛେଦ ଦୁଃଖ ମଧ୍ୟ ମାଡ଼ି ଆସିଥିଲା । ମାର୍କ ଟ୍ୱେନ୍‌ଙ୍କର ସ୍ତ୍ରୀ ବିୟୋଗ ଓ ଦୁଇ କନ୍ୟାଙ୍କର ମୃତ୍ୟୁ ଘଟିଲା । ତାହା ପରେ ତାଙ୍କ ରଚନାରେ ଏକ ଦୃଢ଼ତାବ୍ୟଞ୍ଜକ ଗଭୀର ବିଷାଦବାଦ ଦେଖିବାକୁ ମିଳେ ।

 

ହାସ୍ୟରସର ପ୍ରାଚୁର୍ଯ୍ୟ ମଧ୍ୟରେ ସାମାଜିକ ନ୍ୟାୟ ପାଇଁ ତାଙ୍କର ଐକାନ୍ତିକ ଇଚ୍ଛା ନିହିତ ଥିଲା । ଇଂଲଣ୍ଡରେ ତାଙ୍କର ଖ୍ୟାତି ଏତେଦୂର ପ୍ରତିଷ୍ଠିତ ହୋଇଥିଲା ଯେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ତାହାଙ୍କୁ ସମ୍ମାନସୂଚକ ଡକ୍ଟରେଟ୍‌ ଉପାଧିରେ ଭୂଷିତ କରିଥିଲେ ।

 

ପଞ୍ଚସ୍ତରି ବର୍ଷ ବୟସରେ ଏପ୍ରିଲ ୨୧ ତାରିଖ ୧୯୧୦ ଖ୍ରୀଷ୍ଟାବ୍ଦରେ ରେଡ଼ିଂଠାରେ ସେ ମୃତ୍ୟୁବରଣ କରନ୍ତି; ତେଣୁ ୧୯୬୦ ଏପ୍ରିଲ ତା ୨୧ରିଖରେ ବିଭିନ୍ନ ଦେଶରେ ତାଙ୍କର ପଞ୍ଚାଶତ ବାର୍ଷିକ ଶ୍ରାଦ୍ଧ ଦିବସ ପାଳିତ ହୋଇଛି । ମାର୍କ ଟ୍ୱେନ୍‌ଙ୍କ ମୁତ୍ୟୁର ପଚାଶ ବର୍ଷ ପରେ ମଧ୍ୟ ଆଜି ଜଣେ କୃତବିଦ୍ୟା ଲେଖକ ଓ ଆମେରିକା ଗଦ୍ୟ ରଚନାର ଶ୍ରେଷ୍ଠ ନିର୍ମାତାରୂପେ ସେ ସାହିତ୍ୟ ଜଗତରେ ବନ୍ଦନୀୟ ।

Image

 

ବେଗହିଁ ଉନ୍ନତିର ଲକ୍ଷଣ

 

ମଫସଲ ଗାଁରୁ ସହର ବଜାରକୁ ଗଲେ କିମ୍ବା ସାନ ସହରରୁ କଲିକତା ପରି ବଡ଼ ସହରକୁ ଗଲେ ମନୁଷ୍ୟ କିପରି ମହାବେଗରେ ଧାଇଁଛି, ତାହା ସଫା ଆଖିରେ ଦେଖିହୁଏ । ଗାଡ଼ି, ମଟର, ଟ୍ରାମ୍‌, ବାସ୍‌ରେ ସମସ୍ତ ମନୁଷ୍ୟସମାଜ ସେଠାରେ ଯେପରି ଚଞ୍ଚଳ ହୋଇ ଉଠିଅଛି । ସେଠାରେ ଯେପରି ପ୍ରତି ଲୋକ ଆଗୁଆ ହେବାପାଇଁ ଅନ୍ୟ ସହିତ ପ୍ରତିଯୋଗିତା କରିବାକୁ ଚାହେଁ; ପ୍ରତି ସାଇକେଲ, ପ୍ରତି ମଟର ଅନ୍ୟକୁ ପଛରେ ପକାଇ ଯିବାକୁ ବ୍ୟଗ୍ର, ପ୍ରତି ଦୋକାନୀ ଆଗ ନିଜର ଜିନିଷ ବିକ୍ରି କରିବାକୁ ଚିତ୍କାର କରୁଅଛି, ପ୍ରତି ଖରିଦ୍‍ଦାର ଆଗ କଣିବା ପାଇଁ ଭିଡ଼ ଭିତରେ ଠେଲି ଚାଲିଅଛି ।

 

ବଡ଼ ବଡ଼ ସହରକୁ ଗଲେ ଯାହା ଆଖି ଆଗରେ ପଡ଼େ, ଦେଶ ଦେଶ ଭିତରେ ମଧ୍ୟ ସେହି ପ୍ରତିଯୋଗିତା ଲାଗିଅଛି । ନାନା ଦିଗରେ ପ୍ରତି ଦେଶ ଅନ୍ୟ ଦେଶକୁ ପଛରେ ପକାଇ ଆପେ ଆପେ ଆଗୁଆ ହେବାର ଇଚ୍ଛାକୁ କାର୍ଯ୍ୟ ଉପରେ ପ୍ରମାଣ କରୁଅଛି । ଏହାର ଉଦାହରଣ ଆମେ ଭାରତବର୍ଷର ଦୂର ମଫସଲ ଗାଁରେ ରହି ମଧ୍ୟ ଅତି ପାଖରେ ଦେଖିବାକୁ ପାଉଁ । ଯେଉଁ ଲୁଗାଖଣ୍ଡି ପିନ୍ଧି ଆମେ ଲଜ୍ଜ୍ୟା ନିବାରଣ କରୁଁ, ଯେଉଁ ଲଣ୍ଠନଟି ଜାଳି ଆମର ଅନ୍ଧାର ଘର ଆଲୁଅ ହୁଏ, ସେ ସବୁ ଏହି ପ୍ରତିଯୋଗିତା ଭିତରେ ହିଁ ଆମ ହାତପାଖକୁ ଆସେ । ରାତିରେ ଶୋଇ ସକାଳେ ନିଦ ଭାଙ୍ଗିଲାବେଳକୁ ମନୁଷ୍ୟ ଆଜି ମାସ ମାସକର ବାଟ ପାର ହୋଇ ଆସୁଛି । ହଜାର ହଜାର ମହଣ ମାଲ ଶହ ଶହ ମାଇଲ ଦୂର ସ୍ଥାନକୁ ଅଳ୍ପ କେତେକ ଘଣ୍ଟା ମଧ୍ୟରେ ସହଜରେ ପଠାଯାଉଅଛି । ତଥାପି ରାତି ଭିତରେ ମନୁଷ୍ୟ ଯତିକି ବାଟ ଯାଇପାରୁଛି, ତାହାର ଦୁଇ ଗୁଣ ବାଟ କିପରି ଯାଇପାରେ, ଯେତେ ମହଣ ମାଲ ପଠା ହେଉଛି, ତାହାର ତିନି ଗୁଣ ମାଲ କିପରି ପଠାଯାଇପାରେ, ସେ ଦିଗରେ ସବୁ ପ୍ରଗତିଶୀଳ ଦେଶ ଓ ସମାଜ ଅବିରାମ ଚେଷ୍ଟା କରୁଅଛି ।

 

ଜର୍ମାନୀର ବ୍ରିମେନ୍‌ ନାମକ ଜାହାଜ ଆଟଲାଣ୍ଟିକ ମହାସାଗରକୁ ଯଦି ଚାରି ଦିନ ସାଢ଼େ ଚାରି ଘଣ୍ଟାରେ ପାର ହୋଇ ଜଳପଥରେ ପୂର୍ବବର୍ତ୍ତୀ ସବୁ ବେଗର ସୀମାକୁ ଟପିଗଲା, ତାହାହେଲେ ଫ୍ରାନ୍ସ୍ ‘ନରମାଣ୍ଡି’ ନାମକ ପୃଥିବୀରେ ସବୁଠାରୁ ଏକ ବଡ଼ ଜାହାଜ ନିର୍ମାଣ କରି ସେହି ଦୂରତାକୁ ଚାରିଦିନ ତିନି ଘଣ୍ଟା ମଧ୍ୟରେ ଜୟ କଲା ଏବଂ ଜଳଯାନ-ଜଗତରେ ବେଗ ଓ ଆକାର ତୁଳନାରେ ଆଜି ତାହା ଅଜୟ ହୋଇ ରହିଅଛି । ସ୍ଥଳପଥରେ ଇଂଲଣ୍ଡର ସିଲଭର ଜୁବିଲି ନାମକ ରେଲଗାଡ଼ି ୧୯୩୫ ମସିହାରେ ଘଣ୍ଟାକେ ୧୧୩ ମାଇଲ ବେଗରେ ଗତି କଲା । ଅଥଚ ସେହି ବର୍ଷହିଁ ଜର୍ମାନୀର ଷ୍ଟୀମ ଲାଇନ ଗାଡ଼ି ଘଣ୍ଟାକେ ୧୧୯ ମାଇଲ ବାଟ ଯାଇ ରାଲଗାଡ଼ି ବେଗରେ ସୀମା ନିର୍ଦ୍ଦେଶ କଲା ।

 

ପୃଥିବୀ ଏବଂ ସମୁଦ୍ର ଛଡ଼ା ଆକାଶାପଥରେ ମଧ୍ୟ ପ୍ରତ୍ୟେକ ଦେଶ ଆଜି ନିଜର ଶ୍ରେଷ୍ଠତା ବଢ଼ାଇବା ପାଇଁ ବ୍ୟାକୁଳ । ୧୯୩୩ ମସିହାରେ ଇଟାଲିର ଉଡ଼ାଳୀ ଓଆଲିପୋଷ୍ଟ ଆଠ ଦିନ ଭିତରେ ସମଗ୍ର ପୃଥିବୀ ପ୍ରଦକ୍ଷିଣ କରି ଆସିଛନ୍ତି । ତାହାର ପର ବର୍ଷ ଗୋଟିଏ ଉଡ଼ାଜାହାଜ ୪୭,୩୫୦ ଫୁଟ ବା ନଅ ମାଇଲ ଉପରକୁ ଉଠିଥିଲା । ଆମେରିକାର ବଡ଼ ବଡ଼ ବ୍ୟୋମଯାନଗୁଡ଼ିକ ବର୍ଷ ଭିତରେ ପ୍ରାୟ ୫ ଲକ୍ଷ ଯାତ୍ରୀ ଏବଂ କୋଟିଏ ପାଉଣ୍ଡ ଓଜନର ଡାକ ଧରି ୧୯,୦୦ ମାଇଲ ଆକାଶପଥରେ ଯେତେଥର ଯା’ଆସ କରେ, ତାହାର ମୋଟାମୋଟି ହିସାବ ନିଆଯାଇଅଛି ୪୨୦ ଲକ୍ଷ ମାଇଲ । ରାତିରେ ଯିବା ଆସିବା ପାଇଁ ଏହି ପଥଟି ପ୍ରଦର୍ଶକ ଆଲୋକଦ୍ୱାରା ଆଲୋକିତ । ଆଧୁନିକ ଯୁଦ୍ଧ-ବ୍ୟୋମଯାନ ଗୁଡ଼ିକ ମହଣ ମହଣ ଓଜନର ବୋମା ଧରି ଏବଂ ଶତ୍ରୁର ଆକାଶ ଆକ୍ରମଣରୁ ରକ୍ଷା ପାଇବା ପାଇଁ ଅନେକ ମେସିନ୍‌-ଗନ୍‌ ଚାଳକ ନେଇ ଘଣ୍ଟାରେ ଦୁଇ ଶହ ମାଇଲରୁ ଅଧିକ ବେଗରେ ଗତି କରୁଅଛି । ପୁଣି ଭିତରେ କୌଣସି ଚାଳକ ନ ଥାଇ ମଧ୍ୟ କେବଳ ରେଡ଼ିଓ ବା ବେତାର ଯନ୍ତ୍ର ସାହାଯ୍ୟରେ ଯୁଦ୍ଧ-ଏରୋପ୍ଲେନ୍‍ ଚଳାଇବାର ଚେଷ୍ଟା ଆଜି ସଫଳ ହୋଇଅଛି । ରେଲ କିମ୍ବା ଜାହାଜରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାକୁ ଯେତେ ସମୟ ଲାଗୁଥିଲା, ବର୍ତ୍ତମାନ ବ୍ୟୋମଯାନ ସାହାଯ୍ୟରେ ତାହାର ପ୍ରାୟ ଚାରି ଭାଗରୁ ଭାଗେ ସମୟ ଲାଗୁଅଛି । ଏବେ ପୁଣି ବ୍ୟୋମଯାନର ଗତି ସହିତ ପ୍ରତିଯୋଗିତା କରି ‘ଏଇଷ୍ଟାନ’ ନାମକ ମଟରଗାଡ଼ି ସ୍ଥଳପଥରେ ଘଣ୍ଟାକେ ୩୭୫ ମାଇଲ ବେଗରେ ଚାଲିବାର ନମୁନା ଦେଖାଇଅଛି । ଅର୍ଥାତ୍‌, ପଥରେ କୌଣସି ବାଧା ନଥିଲେ ଏକ ମିନିଟରେ ପ୍ରାୟ ୭ ମାଇଲ ବେଗରେ ଏହା ସମସ୍ତ ପୃଥିବୀପୃଷ୍ଠକୁ ମାପିପାରେ ।

 

କେବଳ ଯିବା ଆସିବାରେ ଯେ ମନୁଷ୍ୟ ନିଜର ବେଗ ବଢ଼ାଇବାକୁ ଚାହେଁ, ତାହା ନୁହଁ-। ନାନା କ୍ଷେତ୍ରରେହିଁ ବେଗର ଉଦାହରଣ ଦେଖିବାକୁ ମିଳେ ଏବଂ ଏଥିପାଇଁ ବହୁ ବିଚିତ୍ର ବୈଜ୍ଞାନିକ ଉଦ୍ଭାବନ ଆଜି ସମ୍ଭବପର ହୋଇଅଛି । ତା’ର ଏବଂ ବେତାର ଯନ୍ତ୍ର ସାହାଯ୍ୟରେ ହଜାର ହଜାର ମାଇଲ ବାର୍ତ୍ତା ମୁହୂର୍ତ୍ତକେ ମିଳୁଅଛି । ଶହ ଶହ ମାଇଲର ଘଟଣା ଟେଲିଭିଜନ୍‌ରେ ପ୍ରତ୍ୟକ୍ଷ କରି ହେଉଅଛି । ଜଳ, ସ୍ଥଳ ଓ ଆକାଶକୁ ମନୁଷ୍ୟ ଆଜି ଯେପରି ଜୟ କରିଅଛି, ତାହାଦ୍ୱାରା କୌଣସି ସ୍ଥାନ ସୁଦୂର ବା ଦୁର୍ଗମ ହୋଇନାହିଁ; କୌଣସି ଶିଖରୀ ଆଜି ସୁଉଚ୍ଚ ନୁହେ, କୌଣସି ସମୁଦ୍ର ଅସୀମ ହୋଇନାହିଁ । ଦେଶ ଦେଶ ବା ଜାତି ଜାତି ମଧ୍ୟରେ ଭାବବିନିମୟ ସହଜ ହୋଇଅଛି । ପ୍ରତି ଦେଶ ଅନ୍ୟ ଯେ କୌଣସି ଦେଶର ପଡ଼ୋଶୀ ହୋଇ ପଡ଼ିଅଛି-। ଅନ୍ୟ କଥାରେ ସମଗ୍ର ପୃଥିବୀଟାହିଁ ମନୁଷ୍ୟ ପାଖରେ ଆଜି ପୂର୍ବ ଅପେକ୍ଷା ବହୁ ଗୁଣରେ ଛୋଟ ହୋଇଅଛି ।

 

ମନୁଷ୍ୟର ପରମାୟୁ ଯେତେ ଦୂର ସୀମାବଦ୍ଧ ଅଥଚ ସେହି ସୀମା ମଧ୍ୟରେ ତାହାକୁ ଯେତେ କାମ କରିବାକୁ ହେବ, ଯେତେ ବିଷୟ ଜାଣିବାକୁ ଶୁଣିବାକୁ ବା ପଢ଼ିବାକୁ ହେବ ଏବଂ ଯେତେ ସ୍ଥାନ ଦେଖିବା ଆବଶ୍ୟକ, ତାହାର ସୀମା ଏପରି ବିରାଟ ଯେ ସେଥିପାଇଁ ଦ୍ରୁତଗାମୀ ହେବା ଅବଶ୍ୟମ୍ଭାବୀ । ସେଥିପାଇଁ ସମୟ ଓ ଦୂରତାକୁ ଜୟ କରିବାହିଁ ବହୁଯୁଗର ମନୁଷ୍ୟଜୀବନର ଲକ୍ଷ୍ୟ ହୋଇଅଛି ଏବଂ ଏହି ଲକ୍ଷ୍ୟ ଘେନି ପ୍ରଥମେ ସେ ଦୂରତାକୁ ଜୟ କଲା । ଆମେରିକା, ଆଫ୍ରିକା ବା ଅଷ୍ଟ୍ରେଲିଆ ପ୍ରଭୃତି ଯୁରୋପର ବହୁ ଦୂରବର୍ତ୍ତୀ ମହାଦେଶମାନ ଅନେକ ଆଗରୁ ଆବିଷ୍କୃତ ହୋଇଅଛି । ପୃଥିବୀ ଉପରର ଦୂରତାକୁ ବହୁ ପରିମାଣରେ ଜୟ କରିସାରି କଳକାରଖାନାର ପ୍ରସାରଦ୍ୱାରା ମନୁଷ୍ୟ ସମୟକୁ ମଧ୍ୟ ନିଜର ଆୟତ୍ତ କରିବାକୁ ଯାଇ ସମ୍ୟକ୍‌ ଫଳବାନ୍‌ ହୋଇଅଛ ଏବଂ ସବୁଠାରୁ କମ୍‌ ସମୟ ଭିତରେ ସର୍ବାଧିକ ବ୍ୟବହାର ସାମଗ୍ରୀ ପ୍ରସ୍ତୁତ ଲାଗି ଅହରହ ଚେଷ୍ଟା ଚାଲିଅଛି । ରେଲ, ମଟର, ଜାହାଜ ବା ବ୍ୟୋମଯାନର ବେଗ ପରି ପ୍ରତି କଳକାରଖାନା ଘଣ୍ଟାରେ କେତେ ପରିମାଣରେ ତିଆରି ମାଲ ଉତ୍ପନ୍ନ କରିପାରେ, ତାହାର ସୀମା ମଧ୍ୟ ନିର୍ଦ୍ଦିଷ୍ଟ । ଟାଟା କମ୍ପାନୀର ଲୁହା କାରଖାନା କେତେ ପରିମାଣରେ କଡ଼ି, ବର୍ଗା ଆଦି ଉତ୍ପନ୍ନ କରିପାରେ, ଜୋକୋସ୍ଳୋଭାକିଆର ବାଟା କମ୍ପାନୀ କେତେ ଯୋଡ଼ା ଯୋତା ତିଆରି କରିପାରେ କିମ୍ବା ଆମେରିକାର ଫୋର୍ଡ଼ କମ୍ପାନୀର କେତେଟା ମଟରଗାଡ଼ି ନିର୍ମାଣ କରିବାର ଶକ୍ତି ଅଛି, ଘଣ୍ଟା ଅନୁସାରେ ସେ ସବୁର ଗୋଟିଏ ଧରାବନ୍ଧା ହିସାବ ରହିଅଛି ।

 

ମନୁଷ୍ୟର ଉଦ୍ଭାବିତ କଳକାରଖାନା ସଙ୍ଗେ ତାହାର ସକଳ କର୍ମ ନିବିଡ଼ଭାବରେ ନିୟନ୍ତ୍ରିତ । ଯେଉଁ ବ୍ୟକ୍ତି ସମୟକୁ ଯେତେ ଆୟତ୍ତ କରିପାରେ, ସେହି ପରିମାଣରେ ସେ ଅଗ୍ରଗାମୀ ଏବଂ ପୃଥିବୀପୃଷ୍ଠରେ ବଞ୍ଚି ରହିବାର ଅଧିକାର ତାହାର ସେତିକି ବେଶି । ସେହି ଅନୁପାତରେ ହିଁ ଦୁନିଆ-ବଜାରରୁ ସେ ନିଜର ଦାମ ଅସୁଲ କରୁଛି । ଯେଉଁ ଟାଇପିଷ୍ଟ୍‌ ଘଣ୍ଟାକେ ସବୁଠାରୁ ବେଶି ଶବ୍ଦ ଟାଇପ୍‌ କରିପାରେ, ତାକୁ ଯେପରି ଆଗ ଚାକିରି ମିଳୁଅଛି, ଘୋଡ଼ା-ଦୌଡ଼ ପ୍ରତିଯୋଗିତାରେ ଯେଉଁ ସବାର ସମସ୍ତଙ୍କୁ ବଳି ଆଗୁଆ ହୁଏ, ସେ ଯେପରି ଲକ୍ଷ ଲକ୍ଷ ଟଙ୍କାର ପୁରସ୍କାର ପାଏ, ସେହିପରି ଯେଉଁ ଛାତ୍ର ଯେତେ କମ୍‌ ସମୟରେ ଯେତେ ବେଶି ବହି ପଢ଼ିପାରେ ବା ବେଶି ପାଠ ଆୟତ୍ତ କରିପାରେ, ବିଶ୍ୱବିଦ୍ୟାଳୟରେ ପ୍ରତିଷ୍ଠା ଏବଂ ଆଦର ତାହାର ସେତିକି ଅଧିକ ।

 

ସମାଜର ସବୁ କ୍ଷେତ୍ରରେ ହିଁ ବ୍ୟଗ୍ରତାର ବହୁ ଉଦାହରଣ ଦେଖି ଏହାର କାରଣ ବୁଝିବା କଠିନ ହୁଏନାହିଁ । ଶିଳ୍ପବିଜ୍ଞାନ ବା ବାଣିଜ୍ୟ ବ୍ୟବସାୟରେ ଆଗଭର ହେବାପାଇଁ ଦେଶ ଦେଶ, ଜାତି ଜାତି ବା ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଯେଉଁ ତୀବ୍ର ପ୍ରତିଯୋଗିତାର ଉଦ୍ଭବ ହୋଇଅଛି, ତାହାର ମୂଳରେ ନିହିତ ଅଛି ତୀବ୍ରତର ଜୀବନ-ସଂଗ୍ରାମ । ଜୀବନ ଧରି ରଖିବାପାଇଁ ମନୁଷ୍ୟର ଯାହା ଯାହା ଆବଶ୍ୟକ–କିପରି ଘର ହେଲେ ସେ ନିରାପଦରେ ରହିବ, କେଉଁ ଖାଦ୍ୟଦ୍ୱାରା ଦେହ ଶକ୍ତିଶାଳୀ ଓ କର୍ମଠ ହେବ, କିରୂପ ପରିଚ୍ଛଦରେ ଶୀତ ବା ବର୍ଷାରୁ ରକ୍ଷା ମିଳିବ ଏବଂ ରୋଗ ବ୍ୟାଧି ହେଲେ କିରୂପ ଚିକିତ୍ସା ଦରକାର, ଏହି ସବୁ ଆୟୋଜନ ପାଇଁ ତାହାକୁ କଠିନ ପରିଶ୍ରମ କରିବାକୁ ପଡ଼େ । ପ୍ରତି ଲୋକକୁହିଁ ପରିଶ୍ରମ କରିବାକୁ ହୁଏ ଏବଂ ପରସ୍ପର ପ୍ରତିଯୋଗିତାରୁ ମନୁଷ୍ୟ ବେଶି ପରିଶ୍ରମ କରିବାର ଉତ୍ତେଜନା ପାଇଥାଏ । ପ୍ରତି ଲୋକକୁହିଁ ନିଜର ଗ୍ରାସାଚ୍ଛାଦନର ଅନ୍ୱେଷଣହିଁ ତାହାର ଗତିକୁ ଆଜି ପ୍ରଖର କରି ଦେଇଅଛି । ଏହାର ଅଭିମୁଖରେ ହିଁ ଯେପରି ପ୍ରତି ଲୋକ ମହାବେଗରେ ଧାଇଁଅଛି । ବିଳମ୍ବ କଲେ ଅନ୍ୟ ପ୍ରତିନ୍ଦ୍ୱନ୍ଦୀ ତାହା ଅଧିକାର କରିନେବ । କାରଣ ‘ଆଗ’ ଯେ ସେହି କେବଳ ‘ସୁନା ପାଗ’ ର ଅଧିକାରୀ ।

 

ସୁତରାଂ ବେଗ ମନୁଷ୍ୟର ପ୍ରକୃତିଗତ; ଏହା ତାହାର ଦେହର ଧର୍ମ । ମନୁଷ୍ୟ ଶରୀରର ପ୍ରତି ଧମନୀରେ ହିଁ ରକ୍ତପ୍ରବାହ ମହାବେଗରେ ଧାବିତ । ଆଧୁନିକ ବସ୍ତୁବିଜ୍ଞାନ ପ୍ରମାଣ କରିଅଛି ଯେ, ଜଗତରେ କୌଣସି ଜୀବ ବା ଜଡ଼ ସ୍ଥାଣୁ ଅଥବା ଅଚଳ ହେଲେ ମଧ୍ୟ ତାହାର ଗତି ଅଛି । ଘଣ୍ଟାକଣ୍ଟାର ଗତିଠାରୁ ବହୁଗୁଣରେ ମନ୍ଥର ସେଗୁଡ଼ିକର ଗତି ଲକ୍ଷ୍ୟ କରିବାର ସୂକ୍ଷ୍ମ ଦୃଷ୍ଟିଶକ୍ତି ମନୁଷ୍ୟର ନାହିଁ । ପୁଣି ଜଡ଼ ପିଣ୍ତମାନ ଯେଉଁ ଉପାଦାନରେ ଗଢ଼ା ଏବଂ ଯେଉଁ ଅସଂଖ୍ୟ ଅଣୁପରମାଣୁର ତାହା ସମଷ୍ଟି, ସେହି ଅଣୁପରମାଣୁଗୁଡ଼ିକ ଅହରହ କ୍ଷିପ୍ରଗତିରେ ଧାବମାନ । ଅନ୍ୟାନ୍ୟ ଗ୍ରହ ଉପଗ୍ରହ ସହିତ ଆମ୍ଭମାନଙ୍କର ଏହି ପୃଥିବୀ ଯେପରି ସୂର୍ଯ୍ୟକୁ କେନ୍ଦ୍ରକରି ଗତି କରୁଅଛି ଏବଂ ସମଗ୍ର ସୌରଜଗତ ଯେପରି ଅନ୍ୟ ଏକ ଅଜ୍ଞେୟ କେନ୍ଦ୍ରର ଚତୁଷ୍ପାର୍ଶ୍ୱ ପ୍ରଦକ୍ଷିଣ କରେ, ସେହିପରି ପୃଥିବୀପୃଷ୍ଠରେ ପ୍ରତ୍ୟେକ ବସ୍ତୁହିଁ ଗତିଶୀଳ । ବସ୍ତୁ ଓ ଜୀବଭେଦରେ ଅବଶ୍ୟ ସେ ଗତିର ତାରତମ୍ୟ ଅଛି । ଜୀବଦେହରେ ସେ ଗତି ଉତ୍ତାପ ରକ୍ଷା କରେ ଏବଂ ତାହାକୁ ଅଲଗା କରିଦେଲେ ଦେହ ଶୀତଳ ହୋଇପଡ଼େ । ଅନ୍ୟ ଭାଷାରେ ଜୀବର ସେ ଅବସ୍ଥାକୁ ମୃତ୍ୟୁ କୁହାଯାଏ-। ତେଣୁ ଗତିହିଁ ଜୀବନର ଲକ୍ଷଣ ଏବଂ ଜୀବନର ସମୃଦ୍ଧି ବା ଉନ୍ନତି ପାଇଁ ଗତିର ପ୍ରଖରତା ସୁନିଶ୍ଚିତ ।

 

କିନ୍ତୁ ଏହି ବେଗର ସୀମା କେଉଁଠାରେ ? କେତେ ଦୂର ପର୍ଯ୍ୟନ୍ତ ଯାଇ ମନୁଷ୍ୟକୁ ଫେରିବାକୁ ହେବ ? କେଉଁ ସୀମାରେ ତାହାର ବିରାଟ ଯାତ୍ରାର ଅବସାନ ? କେଉଁଠି ତାହାର ଅସୀମ କ୍ଷୁଧାର ପରିତୃପ୍ତି ନିହିତ ? ତାହାର ଦେହ ବା ମନର ଉପାଦାନ କେତେ ଅଧିକ ବେଗ ସହିବାକୁ ଅନୁକୁଳ ? କୋଡ଼ିଏ ବର୍ଷ ପୂର୍ବେ ପଦାର୍ଥ-ବିଜ୍ଞାନବିତ୍‌ ପଣ୍ଡିତମାନେ ସ୍ୱୀକାର କରିଥିଲେ ଯେ, ବସ୍ତୁ ଏବଂ ଗତି ଅଭିନ୍ନ । ବସ୍ତୁଜଗତରେ ଏହି ଗତିର ବେଗ କେତେ ଗୁଣ ହୋଇପାରେ ଏବଂ ତାହାର ସୀମା କେଉଁଠାରେ ନିର୍ଦ୍ଦିଷ୍ଟ, ଆଧୁନିକ ପଣ୍ଡିତମାନେ ନାନା ଭାବରେ ତାହା ପରୀକ୍ଷା କରୁଅଛନ୍ତି । ଆମ୍ଭେମାନେ ରେଳଗାଡ଼ି କିମ୍ବା ବ୍ୟୋମଯାନର ଶବ୍ଦ ପ୍ରଥମେ ଶୁଣୁ, କିଛି ସମୟ ପରେ ତାହାକୁ ନିକଟରେ ଦେଖିବାକୁ ପାଉଁ । ପରୀକ୍ଷାଦ୍ୱାରା ପ୍ରମାଣିତ ହୋଇଅଛି, ବ୍ୟୋମଯାନର ଶବ୍ଦ ଘଣ୍ଟାକେ ପ୍ରାୟ ୭୫୦ ମାଇଲ ଗତି କରେ; ତେଣୁ ଗୋଟିଏ ବ୍ୟୋମଯାନ ଘଣ୍ଟାକେ ଯଦି ୭୫୦ ମାଇଲ ବେଗରେ ଚାଲେ, ତେବେ ତାହା ନିଜ ଶବ୍ଦ ସହିତ ସମାନ ବେଗରେ ଗତି କରିବ ଏବଂ ଶବ୍ଦକୁ ଆୟତ୍ତ କରିପାରିବ; କିନ୍ତୁ ତଦ୍ଦ୍ୱାରା ନିଜ ଗତିପଥରେ ଏହା ଯେଉଁ ପ୍ରବଳ ତୋଫାନ ସୃଷ୍ଟି କରିବ, ସେ ତୋଫାନରେ ନିଜେ ହୁଏ ତ ଭସ୍ମ ହୋଇ ଶତଖଣ୍ଡରେ ଭୂତଳରେ ପଡ଼ିବ ।

 

ତେଣୁ ବ୍ୟୋମଯାନର ବେଗ ଘଣ୍ଟାକେ ୭୫୦ ମାଇଲ କିମ୍ବା ତହିଁରୁ ବେଶି କରିବାକୁ ହେଲେ ସେଗୁଡ଼ିକୁ ଅନେକ ଭାରୀ ଓଜନ ନେଇ ବହୁଉଚ୍ଚରେ ଖୁବ୍‌ ପାତଳା ପବନରେ ଉଡ଼ିବାକୁ ହେବ । ସେଥିପାଇଁ ଏହାର ଯନ୍ତ୍ର ଏବଂ ଗଠନରୀତିର ପରିବର୍ତ୍ତନ ମଧ୍ୟ ଆବଶ୍ୟକ । ସେହିପରି ୱାଟରଲୁ ଯୁଦ୍ଧରେ ଗୁଳିର ଗତି ଘଣ୍ଟାକେ ୫୦୦ ମାଇଲ ଥିଲା; କିନ୍ତୁ ଆଧୁନିକ କମାଣରେ ଗୁଳି ଘଣ୍ଟାକେ ୨୦୦୦ ମାଇଲ ବେଗରେ ଗତି କରେ । ଅର୍ଥାତ୍‌ ଆଖିର ପଲକ ପଡ଼ିବା ସମୟ ଭିତରେ ଏହା ଅଧ ମାଇଲ ଦୂରରେ ଥିବା ବସ୍ତୁକୁ ଧ୍ୱଂସ କରିପାରେ । ତଥାପି ଏହାର ଗତିକୁ ଶବ୍ଦର ବେଗ ସଙ୍ଗେ ସମାନ କରବାକୁ ଗଲେ ଲକ୍ଷ୍ୟ ଭୁଲ ହେବା ଅବଶ୍ୟମ୍ଭାବୀ; କାରଣ ତଦ୍ଦ୍ୱାରା ପବନର ପ୍ରତିରୋଧ ବହୁଗୁଣରେ ବଢ଼ିଯାଏ ।

 

ବସ୍ତୁଠାରୁ ଶବ୍ଦ ଯେପରି ଅଧିକ ବେଗଗାମୀ, ସେହିପରି ଶବ୍ଦ ଅପେକ୍ଷା ଆଲୋକର ଗତି ଦଶଲକ୍ଷ ଗୁଣ ବେଶି । ଜଗତରେ ସବୁଠାରୁ ଦ୍ରୁତ ବିରାଟ ବସ୍ତୁଗୁଡ଼ିକ ମଧ୍ୟରେ ସୁଦୂରବର୍ତ୍ତୀ କେତେକ ତାରାପୁଞ୍ଜର ଉଦାହରଣ ଦିଆଯାଇପାରେ । ତଥାପି ସେଗୁଡ଼ିକର ଗତି ଆଲୋକ ଗତିର ଏକଦଶମାଂଶ ବୋଲି ସ୍ଥିର ହୋଇଅଛି ।

 

ମନୁଷ୍ୟର ବେଗ ଆପାତତଃ ବ୍ୟୋମଯାନର ଶବ୍ଦକୁ ଆୟତ୍ତ କରିବା ପାଇଁ ଘଣ୍ଟାକେ ୭୫୦ ମାଇଲ ହେବାର ସମ୍ଭାବନା ଅଳ୍ପ ଥିବା ସ୍ଥଳେ, କେଉଁ କାଳେ ସେ ଯେ ଆଲୋକ ସହିତ ସମାନ ବେଗରେ ଗତି କରିପାରିବ, ତାହା କଳ୍ପନା କରିବାକୁ ମଧ୍ୟ ସମୟ ଆସି ନାହିଁ । ମନୁଷ୍ୟର ଦେହବିଜ୍ଞାନ ଆଲୋଚନାରୁ ଦେଖାଯାଏ ଯେ, ତାହାପାଇଁ ବେଗଗତିର କୈାଣସି ଧରାବନ୍ଧା ସୀମା ନିର୍ଦ୍ଦିଷ୍ଟ ହୋଇ ନାହିଁ । ଅର୍ଥାତ୍‌ ଯେତେ ବେଶି ବେଗରେ ଗତି କରୁପଛେ ତାହାର ଶ୍ୱାସ-ପ୍ରଶ୍ୱାସ ବା ନାଡ଼ୀର ରକ୍ତ ଚାଳନାରେ କିଛି ବାଧା ବିପଦର ଆଶଙ୍କା ନାହିଁ; କିନ୍ତୁ ଅତି ଦ୍ରୁତବେଗରେ ଗତି କରିବାକୁ ହେଲେ ଗୋଟିଏ ନିୟମ ତାହାକୁ ବରାବର ମାନିବାକୁ ହେବ । ବନ୍ଧୁକର ଗୁଳି ପରି କିମ୍ବା ଆଲୋକର ରଶ୍ମି ପରି ତାହାର ଗତିପଥକୁ ସିଧାସଳଖ ରଖିବା ଆବଶ୍ୟକ । ବାଧାବନ୍ଧପୂର୍ଣ୍ଣ ସ୍ଥଳ କିମ୍ବା ଜଳପଥର କଥା ଛାଡ଼ିଦେଇ କେବଳ ଅବାଧ ଆକାଶପଥର କଥା ଧରାଗଲେ, ସେଠାରେ ହଠାତ୍‌ ବକ୍ରଗତିଦ୍ୱାରା ମନୁଷ୍ୟର ରକ୍ତ ଓ ଶ୍ୱାସପ୍ରଶ୍ୱାସର ଚାଳନାରେ ବାଧାପଡ଼ି ତାକୁ ଅଚେତନ କରିଦିଏ, ଏବଂ ବେଗର ପରିମାଣ ଅତ୍ୟଧିକ ହେଲେ ସେହି ମୁହୂର୍ତ୍ତରେହିଁ ତାହାର ଜୀବନର ଯାତ୍ରାପଥ ସମାପ୍ତ ହୁଏ ।

 

ବସ୍ତୁର ଗତି ସମ୍ବନ୍ଧେ ଯେଉଁ ନିୟମ, ଜ୍ଞାନଜଗତରେ ବୋଧ ହୁଏ ସେହି ନିୟମ ପାଳିବାକୁ ପଡ଼େ; କାରଣ ବସ୍ତୁ ଓ ଜ୍ଞାନ ପରସ୍ପର ଅଭିନ୍ନ । ବସ୍ତୁଜଗତରେ ଘଟଣାବଳିର ପରିଣତି ଏବଂ ପ୍ରକାଶହିଁ ଜ୍ଞାନରୂପେ ଉଦ୍ଭାସିତ ହେଇଥାଏ । ମନୁଷ୍ୟର ଜ୍ଞାନ ଆହରଣ ପାଇଁ ଧର୍ମ, ଦର୍ଶନ, ସାହିତ୍ୟ, ଇତିହାସ, ବିଜ୍ଞାନ ବା ଗଣିତ ପ୍ରଭୃତି ଯେତେଗୁଡ଼ିଏ ବିଭାଗ ବିଦ୍ୟମାନ ଏବଂ ପ୍ରତି ବିଭାଗରେ ପୃଥିବୀର ନାନା ଭାଷାରେ ଯେତେ ଗ୍ରନ୍ଥ ଲିଖିତ ହୋଇଅଛି, ତହିଁ ମଧ୍ୟରୁ କୈାଣସିଟି ଅପାର୍ଥିବ ନୁହେ । ଅର୍ଥାତ୍‌ ବସ୍ତୁଜଗତର ବହୁ ଘଟଣାବଳିର ପରୀକ୍ଷାର ଫଳହିଁ ତହିଁରେ ଲିପିବଦ୍ଧ ହୋଇଅଛି; ସୁତରାଂ ଜ୍ଞାନରାଜ୍ୟରେ ଯେଉଁମାନେ ଦ୍ରୁତବେଗରେ ଧାବମାନ, ସେମାନଙ୍କର ପ୍ରକୃତି ଓ ଆଚରଣ ସରଳ ଓ ଋଜୁ ହେବାହିଁ ସ୍ୱାଭାବିକ । କୁଟିଳତା ସବୁପ୍ରକାର ବେଗ ଓ ଉନ୍ନତିର ପଥ ରୋଧ କରେ ।

 

ଆଜି ଯେଉଁସବୁ ‘ମିସିଲ୍‌’ ବା ଅଦ୍ଭୁତ କ୍ଷେପଣାସ୍ତ୍ରମାନ ଆବିଷ୍କୃତ ହୋଇ ମହାବେଗରେ ପୃଥିବୀର ଚତୁର୍ପାଶ୍ଵରେ ପ୍ରଦକ୍ଷିଣ କରୁଛନ୍ତି; କିମ୍ବା ଚନ୍ଦ୍ରଲୋକ ପର୍ଯ୍ୟନ୍ତ ପହଞ୍ଚି ପାରିଛନ୍ତି, ତହିଁରୁ ମଧ୍ୟ ପ୍ରମାଣିତ ହୁଏ ଯେ ବେଗ ହିଁ ଉନ୍ନତିର ଲକ୍ଷଣ ।

Image

 

ହିନ୍ଦୀ ସାହିତ୍ୟର କଥାସମ୍ରାଟ୍‌ ପ୍ରେମଚନ୍ଦ

 

କାଶୀ ନଗରର ପାଞ୍ଚ ମାଇଲ ଦୂରରେ ପାଣ୍ଡେପୁର ବୋଲି ଗୋଟିଏ ଛୋଟ ଗ୍ରାମ ଅଛି-। ଏହି ଗ୍ରାମରୁ ଗୋଟିଏ ବାଳକ ନିତି ସକାଳ ଆଠଟା ବେଳେ ବହିପତ୍ର ଧରି ବାହାରେ-। କେତେବେଳେ ଖାଲି ପାଦରେ, କେବେ ଅବା ଛିଣ୍ଡା ପୁରୁଣା ଜୋତା ପିନ୍ଧି ଚାଲି ଚାଲି ବନାରସ ସହରରେ ପହଞ୍ଚେ । ସ୍କୁଲରୁ ସାଢ଼େ ତିନିଟା ବେଳେ ଛୁଟି ପାଇ ସେଠାରୁ ସିଧା ଟୁଇଶାନ୍‌ କରିବାକୁ ଯାଏ । ସନ୍ଧ୍ୟା ଛଅଟା ଯାଏ ଟୁଇଶାନ୍‌ କରି ପୁଣି ପାଞ୍ଚ ମାଇଲ ବାଟ ଚାଲି ଚାଲି ରାତ୍ରି ଆଠଟା ବେଳକୁ ଗ୍ରାମରେ ଉପସ୍ଥିତ ହୁଏ । ଖରା, ବର୍ଷା, ଶୀତ, ବାରମାସ ଏହି ଭାବରେହିଁ ତାହାର ବିତିଯାଏ । ଏହି ଭାବରେହିଁ ନବଯୁଗର ହିନ୍ଦୀ ସାହିତ୍ୟର କଥାସମ୍ରାଟ ପ୍ରେମଚନ୍ଦଙ୍କର ପ୍ରାଥମିକ ଜୀବନ ଆରମ୍ଭ ହୋଇଥିଲା ।

 

୧୮୮୧ ମସିହାରେ ଏହି ପାଣ୍ଡେପୁର ଗ୍ରାମର ଗୋଟିଏ ଦରିଦ୍ର କାୟସ୍ଥ ଗୃହରେ ପ୍ରେମଚନ୍ଦ ଜନ୍ମିଥିଲେ । ତାଙ୍କର ପିତା ମାସକୁ କୋଡ଼ିଏ ଟଙ୍କା ଦରମାରେ ଡାକଘରେ ସାମାନ୍ୟ କିରାନି କାର୍ଯ୍ୟ କରୁଥିଲେ । ପ୍ରେମଚନ୍ଦଙ୍କର ମାତ୍ର ପନ୍ଦର ବର୍ଷ ବୟସରେ ତାଙ୍କୁ ବିବାହ କରାଇଦେଇ ବର୍ଷକ ପରେ ପିତା ଇହଧାମ ଛାଡ଼ି ଚାଲିଗଲେ । ପ୍ରେମଚନ୍ଦଙ୍କ ପାଖରେ ସେତେବେଳେ କିଛି ଧନ ନଥିଲା । ଯାହା ବା ଥିଲା, ପିତାଙ୍କ ଚିକିତ୍ସାରେ ସବୁତକ ଖର୍ଚ୍ଚ ହୋଇ ଯାଇଥିଲା । ସ୍କୁଲ୍‌ରେ ବିନା ଫିସ୍‌ରେ ପଢ଼ି ଏବଂ ଟୁଇଶାନ୍‌ କରି ପ୍ରେମଚନ୍ଦ ଦ୍ୱିତୀୟ ବିଭାଗରେ ମ୍ୟାଟ୍ରିକୁଲେଶନ୍‌ ପରୀକ୍ଷାଟି ପାଶ୍‌ କଲେ ।

 

ବନାରସ୍‌ କୁଇନ୍ସ କଲେଜରେ କେବଳ ପ୍ରଥମ ବିଭାଗରେ ପାସ୍‌ କରିଥିବା ଛାତ୍ରର ସ୍ଥାନ ଥିଲା । ଦ୍ୱିତୀୟ ବିଭାଗରେ ପାଶ୍‌ କରିଥିବାରୁ ପ୍ରେମଚନ୍ଦଙ୍କ ପାଇଁ କଲେଜ ଦ୍ୱାର ବନ୍ଦ ହେଲା । ତଥାପି ପଢ଼ିବାର ଏକ ପ୍ରବଳ ଇଚ୍ଛା ଘେନି କଲେଜ ଯିବାକୁ ସେ ଚେଷ୍ଟା କଲେ । ଖଣ୍ଡେ ସୁପାରିସ ପତ୍ର ନେଇ କୁଇନ୍ସ କଲେଜର ପ୍ରିନ୍ସିପାଲ ଡକ୍ଟର ରିଚାର୍ଡସନ୍‌ଙ୍କ ସଙ୍ଗେ ସେ ଦେଖା କଲେ । କଲେଜର ଅଳ୍ପ କେତେଗୋଟି ସ୍ଥାନ ପାଇଁ ତାଙ୍କ ସଙ୍ଗେ ବହୁ ଛାତ୍ର ପ୍ରତିଯୋଗୀ ଥିଲେ । ସମସ୍ତଙ୍କର ଗୋଟିଏ ପରୀକ୍ଷା କରାଗଲା । ଗଣିତରେ ଅପାରଗ ହେବାରୁ ପ୍ରେମଚନ୍ଦଙ୍କୁ ନିରାଶ ହୋଇ ଫେରିବାକୁ ପଡ଼ିଲା । ତାହା ପରେ ମାସକୁ ପାଞ୍ଚଟି ଟଙ୍କା ବେତନରେ ଖଣ୍ଡିଏ ଟୁଇଶାନ୍‌ କରି ସେ ସହରରେ ରହିଲେ । ଏହି ଟଙ୍କାରେ ସେ ନିଜ ଖର୍ଚ୍ଚ ତୁଲାଇ କ୍ୱଚିତ୍‌ ଦି’ ଟଙ୍କା ଟଙ୍କାଏ ବଳି ପଡ଼ିଲେ ସେତକ ଘରକୁ ପଠାଇ ଦେଉଥିଲେ । ଥରେ ନିଜ ଖର୍ଚ୍ଚ ପାଇଁ ତାଙ୍କ ପାଖରେ ଗୋଟିଏ ମାତ୍ର ପଇସା ନଥିଲା । ନିଜେ କିଣିଥିବା ଖଣ୍ଡିଏ ଅଙ୍କ ବହି ବିକ୍ରି କରିବାକୁ ଘରୁ ବାହାରିଲେ । ବହି ଦୋକାନରେ ପୁସ୍ତକଟିକୁ ଗୋଟିଏ ଟଙ୍କାରେ ବିକି ଫେରିବାବେଳେ ଜଣେ ହେଡ୍‌ମାଷ୍ଟରଙ୍କ ସଙ୍ଗେ ତାଙ୍କର ସାକ୍ଷାତ ହୁଏ । ଉକ୍ତ ହେଡ୍‌ମାଷ୍ଟରଙ୍କ ଅନୁଗ୍ରହରୁ ତାଙ୍କର ସ୍କୁଲ୍‌ରେ ମାସକୁ ଅଠର ଟଙ୍କା ଦରମାରେ ପ୍ରେମଚନ୍ଦଙ୍କୁ ଗୋଟିଏ ଶିକ୍ଷକ କାର୍ଯ୍ୟ ମିଳିଥିଲା । ଏହା ୧୮୯୯ ମସିହାର ଘଟଣା ।

 

ଏହା ପରେ ସେ ଶିକ୍ଷାବିଭାଗରେ ସବ୍‌ଡେପୁଟି ଇନ୍‌ସ୍‌ପେକ୍ଟର ପଦରେ ନିଯୁକ୍ତ ହେଇ ଅନେକ ଦିନ ସେହି କାର୍ଯ୍ୟ କରିଥିଲେ ଏବଂ ବାହାର ଛାତ୍ରରୂପେ ଏଫ୍‌.ଏ. ପରୀକ୍ଷାରେ ମଧ୍ୟ ଉତ୍ତୀର୍ଣ୍ଣ ହୋଇଥିଲେ । ଭିନ୍ନ ଭିନ୍ନ ସ୍ଥାନରେ ଅଧିକାଂଶ ସମୟ ଗସ୍ତ କରି ପାନାହାରରେ ବ୍ୟତିକ୍ରମ ଏବଂ ବାଲ୍ୟଜୀବନର ଦୁଃଖଦାରିଦ୍ର୍ୟ ଯୋଗୁ ତାଙ୍କ ଉଦରରେ ନାନା ରୋଗ ଜନ୍ମିଥିଲା । ସ୍ୱାସ୍ଥ୍ୟର ଉନ୍ନତି ପାଇଁ ସେ ଗୋରଖପୁର ଜିଲ୍ଲାର ନର୍ମାଲ ସ୍କୁଲରେ ଶିକ୍ଷକ କାର୍ଯ୍ୟ ଗ୍ରହଣ କରିଥିଲେ । ଏହିଠାରେ ପୁଣି ବାହାର ଛାତ୍ର ରୂପେ ବି.ଏ. ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଥିଲେ । ଉଦରର ରୋଗ ଉପଶମପାଇଁ ସେ ଜଳ–ଚିକିତ୍ସା ଆରମ୍ଭ କଲେ; କିନ୍ତୁ ଉକ୍ତ ଚିକିତ୍ସାରେ ରୋଗ ବେଶି ପରିମାଣରେ ବଢ଼ିଲା । ଯାହାହେଉ, କୈାଣସି କାରଣରୁ ସେତେବେଳେ ସେ ଭଲ ହୋଇଗଲେ ।

 

୧୯୨୦ ମସିହାରେ ମହାତ୍ମା ଗାନ୍ଧୀ ଗୋରଖପୁର ଯାଇଥିଲେ । ଅସହଯୋଗ ଆନ୍ଦୋଳନର ତାହା ଆରମ୍ଭକାଳ । ସେ ସମୟରେ ମହାତ୍ମା ଗାନ୍ଧୀଙ୍କର ଭାଷଣ ଶୁଣି ପ୍ରେମଚନ୍ଦ ଲେଖିଥିଲେ, “ମହାତ୍ମାଜୀଙ୍କ ଦର୍ଶନର ପ୍ରତାପ ଏହି ଯେ, ମୁଁ ତାହାଦ୍ୱାରା ମରିବାଠାରୁ ହଠାତ୍‌ ଜୀଇଁ ଉଠିଲି ।’’ ଏହା ପରେ ସେ ସରକାରୀ ଚାକିରି ତ୍ୟାଗ କରି ସାହିତ୍ୟକ୍ଷେତ୍ରରେ ପୂର୍ଣ୍ଣରୂପେ ଆତ୍ମସମର୍ପଣ କଲେ ।

 

ମୁନ୍‌ସି ପ୍ରେମଚନ୍ଦ ପହିଲେ ଉର୍ଦ୍ଦୁଭାଷାରେ ହିଁ ଲେଖୁଥିଲେ । ସାଧାରଣତଃ ଦେଖାଯାଏ, ଔପନ୍ୟାସିକମାନେ ଆଗ ଛୋଟ ଗଳ୍ପରୁ ଆରମ୍ଭ କରିଥାନ୍ତି; କିନ୍ତୁ ପ୍ରେମଚନ୍ଦ ଆଗ ଉପନ୍ୟାସ ଲେଖି ପରେ ଛୋଟ ଗଳ୍ପରେ ହାତ ଦେଇଥିଲେ । ତାଙ୍କର ପ୍ରଥମ ଉପନ୍ୟାସ ୧୯୦୨ରେ ଏବଂ ଦୁଇବର୍ଷ ପରେ ଦ୍ୱିତୀୟ ଉପନ୍ୟାସ ବାହାରିଥିଲା । ୧୯୦୭ ମସିହାରେ ସେ କ୍ଷୁଦ୍ରଗଳ୍ପ ଲେଖିବାକୁ ଆରମ୍ଭ କଲେ । ପ୍ରଥମେ ଉର୍ଦ୍ଦୁ ପତ୍ରିକାରେ ‘ନବାବରାୟ’ ନାମରେ ଲେଖୁଥିଲେ । ଏହି ନାମରେ ସେ ନିଜ ଘରେ ଜଣାଶୁଣା ଏବଂ ନିଜ ଗ୍ରାମରେ ମଧ୍ୟ ଏହି ନାମ ତାଙ୍କର ପରିଚୟ । ଯେତେଦିନ ଉର୍ଦ୍ଦୁରେ ରଚନା କରୁଥିଲେ, ସେତେଦିନ ଉର୍ଦ୍ଦୁ ଜଗତର ସେ ବାଦଶା ଥିଲେ । ତାହାପରେ ୧୯୧୭ ମସିହାରେ ଯେତେବେଳେ ହିନ୍ଦୀ ସଂସାରରେ ପହିଲେ ପ୍ରବେଶ କଲେ, ସେଠାରେ ସେ ସମ୍ରାଟର ଆସନ ଅଧିକାର କରି ବସିଲେ । ହିନ୍ଦୀ ସାହିତ୍ୟାକାଶର ଉଜ୍ଜ୍ୱଳତମ ତାରକାରୂପେ ସମସ୍ତଙ୍କର ଦୃଷ୍ଟି ସେ ଆାକର୍ଷଣ କଲେ । ସମସ୍ତଙ୍କ ସମ୍ମାନ, ଶ୍ରଦ୍ଧା ଓ ସ୍ନେହ ଉପରେ ତାଙ୍କ ଆସନ ପ୍ରତିଷ୍ଠିତ ହେଲା ।

ଏ ଯୁଗର ହିନ୍ଦୀ ସାହିତ୍ୟରେ ମୈାଳିକ ରଚନା ବେଶି ପରିମାଣରେ ନଥିଲା । ସଂସ୍କୃତ, ବଙ୍ଗଳା ଓ ଇଂରାଜୀରୁ ବହୁ ଗଳ୍ପ ତର୍ଜମା କରାହୋଇ ଏ ସାହିତ୍ୟକୁ ପୁଷ୍ଟ କରିଥିଲା । ମୈାଳିକ ରଚନା ନାମରେ ଯାହା ସବୁ ପ୍ରକାଶିତ ହେଉଥିଲା, ତାହା ଉପରେ ମଧ୍ୟ ଏହି ସକଳ ସାହିତ୍ୟର ପ୍ରଭାବ ଅତିରିକ୍ତ ଥିଲା । ୧୯୧୪ ଖ୍ରୀଷ୍ଟାବ୍ଦରେ ଗତ ୟୁରୋପୀୟ ମହାଯୁଦ୍ଧ ସମୟରୁ ହିନ୍ଦୀ ସାହିତ୍ୟର ଜାଗରଣ ଦେଖାଗଲା । ଅନ୍ୟ ସାହିତ୍ୟର ଅନୁକରଣ ପ୍ରଭାବରୁ ମୁକ୍ତ ହୋଇ ଏହା ନିଜ ଗୋଡ଼ରେ ଠିଆ ହୋଇ ଶିଖିଲା ଏବଂ ଏହି ମୁକ୍ତିବାର୍ତ୍ତାର ସର୍ବପ୍ରଧାନ ଅଗ୍ରଦୂତ ଥିଲେ ମୁନ୍‌ସି ପ୍ରେମଚନ୍ଦ । ସର୍ବୋତ୍କୃଷ୍ଟ ପ୍ରଥମ ମୈାଳିକ ଲେଖକରୂପେ ସେ ହିନ୍ଦୀ ସାହିତ୍ୟର ପ୍ରାଣପ୍ରତିଷ୍ଠା କରିଥିଲେ । ହିନ୍ଦୁସ୍ଥାନର ସ୍ୱରୂପ କଅଣ, ତାହାର ସମସ୍ୟା କଅଣ, ତାହାର ସୁଖଦୁଃଖ କେଉଁଠି, ତାହାର ପୁରୁଷ ଏବଂ ନାରୀ, ତାହାର କୃଷକ କୁଲି ମଜୁରିଆ, ତାହାର କିରାନି, ତାହାର ଧନୀ ଜମିଦାର ବା ସାହୁକାରଙ୍କର ସହଜ ସତ୍ୟ ଜୀବନଚରିତ୍ର ହିଁ ପ୍ରେମଚନ୍ଦ ସାହିତ୍ୟର ପ୍ରଧାନ କଥାବସ୍ତୁ। ତାଙ୍କ ଭାଷାରେ ମଧ୍ୟ ଯେଉଁ ସରଳ ସ୍ୱଚ୍ଛନ୍ଦ ଶୈଳୀର ପରିଚୟ ମିଳେ, ହିନ୍ଦୀ ସାହିତ୍ୟକ୍ଷେତ୍ରରେ ତାହା ଅସାଧାରଣ । ଭାଷାରେ ଏହିରୂପ ଶୈଳୀ ଆଣିବା ପାଇଁ ଲେଖକ ପକ୍ଷରେ ପ୍ରଗାଢ଼ ସାଧନା ଓ ଅଭ୍ୟାସର ଆବଶ୍ୟକ । ଉର୍ଦ୍ଦୁରେ ଲେଖିବା ସମୟରେହିଁ ପ୍ରେମଚନ୍ଦ ଅଭ୍ୟାସଦ୍ୱାରା ତାହାକୁ ଆୟତ୍ତ କରିପାରିଥିଲେ ।

 

‘ନବନିଧି’ ନାମକ ଗଳ୍ପସଂଗ୍ରହ ତାଙ୍କର ପ୍ରଥମ ପ୍ରକାଶିତ ହିନ୍ଦୀ ରଚନା । ଏହି ସଂଗ୍ରହ ମଧ୍ୟରୁ ଅଧିକାଂଶ ଗଳ୍ପ ମୋଗଲ ସାମ୍ରାଜ୍ୟର ମଧ୍ୟାହ୍ନକାଳର ଘଟଣା ଉପରେ ଲିଖିତ । ଗଳ୍ପଗୁଡ଼ିକ ଇତିହାସର ଘଟଣା ମଧ୍ୟରେ ଆବଦ୍ଧ ରହିଥିବାରୁ ଲେଖକ ତହିଁରେ ସ୍ୱାତନ୍ତ୍ର୍ୟ ଫୁଟାଇ ପାରିନାହାନ୍ତି । ତେଣୁ ତାହା ଖୁବ୍‌ ଉଚ୍ଚ ଧରଣର ରଚନା ନୁହେ । ତଥାପି ସେଗୁଡ଼ିକର ବିଷୟନିରୂପଣରେ ଏବଂ ବର୍ଣ୍ଣନାଭଙ୍ଗିରେ ପ୍ରେମଚନ୍ଦଙ୍କର ନିପୁଣ ଲେଖନୀର ପରିଚୟ ମିଳେ । ‘ରାଜା ହରଦୌଲ’ ଏବଂ ‘ରାଣୀ ସାରନ୍ଧା’ ନାମକ ପ୍ରଥମ ଦୁଇଟି ଗଳ୍ପ ବୁନ୍ଦେଲର ବୀରତ୍ୱ କାହାଣୀଦ୍ୱାରା ପାଠକଚିତ୍ତକୁ ଐତିହାସିକ ଯୁଗକୁ ଟାଣିନିଏ ।

 

ତାଙ୍କର ଦ୍ୱିତୀୟ ଗଳ୍ପସଂଗ୍ରହ ‘ସପ୍ତ ସରୋଜ’ର କାହାଣୀ ଗୁଡ଼ିକ ହିନ୍ଦୀ ସାହିତ୍ୟରେ ନବଯୁଗର ସୂଚନା ଦେଇଥିଲା । ସେଥିରେ ଆଧୁନିକ ବିଶ୍ୱସାହିତ୍ୟର ଗଳ୍ପ-ଶୈଳୀ ବିକଶିତ । ଏହି ସଂଗ୍ରହର ‘ବଡ଼ ଘରର ଝିଅ’ ଓ ‘ପଞ୍ଚ ପରମେଶ୍ୱର’ ପ୍ରଭୃତି କେତେକ ଗଳ୍ପ ହିନ୍ଦୀ ସାହିତ୍ୟରେ ଅମର ହୋଇ ରହିବାର ପ୍ରତିଷ୍ଠା ଅର୍ଜନ କରିଅଛି । ‘ପ୍ରେମ ପୂର୍ଣ୍ଣିମା’ ନାମକ ଅନ୍ୟ ଏକ ଗଳ୍ପସଂଗ୍ରହ ‘ସପ୍ତ ସରୋଜ’ର ରଚନାରୀତିକୁ ଅନୁସରଣ କରିଅଛି । ଏହି ସଂଗ୍ରହ ମଧ୍ୟରେ ‘ଶଙ୍ଖନାଦ’ ଏବଂ ‘ଦୁର୍ଗଙ୍କ ମନ୍ଦିର’ ନାମକ ଦୁଇଟି ଗଳ୍ପ ପ୍ରେମଚନ୍ଦଙ୍କର ‘ପ୍ରେମ-ଦ୍ୱାଦଶୀ’ ନାମକ ସର୍ବୋତ୍କୃଷ୍ଟ ବାରୋଟି ଗଳ୍ପ ମଧ୍ୟରେ ସ୍ଥାନ ପାଇଅଛି ।

 

‘ପ୍ରେମ ପଚିଶି’ ନାମକ ଗଳ୍ପସଂଗ୍ରହରେ କେତେଗୁଡ଼ିଏ କଥା ସତ୍ୟାଗ୍ରହ ଆନ୍ଦୋଳନ ସମୟରେ ରଚିତ ହୋଇଥିଲା । ସେଥିପାଇଁ ଅନେକ ଗଳ୍ପରେ ମହାତ୍ମା ଗାନ୍ଧିଙ୍କ ପ୍ରତି ଲେଖକଙ୍କର ଶ୍ରଦ୍ଧା ଓ ଅନୁରକ୍ତି ଫୁଟି ଉଠିଅଛି । ‘ସୋହାଗର ଶାଢ଼ୀ’, ’ଦୁଃସାହସ’, ‘ଆଦର୍ଶ ବିରୋଧ’ ଏବଂ ‘ପଶୁଠାରୁ ମନୁଷ୍ୟ’ ପ୍ରଭୃତି ଗଳ୍ପରେ ରାଜନୈତିକ ରଙ୍ଗ ସୁଷ୍ପଷ୍ଟ ।

 

ହିନ୍ଦୀ ଉପନ୍ୟାସ ମଧ୍ୟରେ ତାଙ୍କର ପ୍ରଥମ ପ୍ରକାଶିତ ‘ସେବା ସଦନ’ ସାହିତ୍ୟକ୍ଷେତ୍ରରେ ଯୁଗାନ୍ତର ଆଣିଅଛି । ଏହି ଉପନ୍ୟାସରେ ପାରିବାରିକ ଓ ସାମାଜିକ ପରିସ୍ଥିତିର ବାସ୍ତବ ରୂପଟି ବିକଶିତ । ବର୍ତ୍ତମାନ ହିନ୍ଦୁସମାଜ କିପରି ଜଟିଳ ସମାସ୍ୟାରେ ଜଡ଼ିତ ଏବଂ ତାହାଦ୍ୱାରା ପାରିବାରିକ ଜୀବନ କିପରି କଷ୍ଟମୟ ହୁଏ, ବିବାହରେ ଦାନ ଯୌତୁକ ଆଦି କୁରୀତି ଓ କୁସଂସ୍କାର ଦ୍ୱାରା କିପରି ଏ ସମାଜ ଦିନକୁ ଦିନ ଦୁଃସ୍ଥ ଓ ଦୁର୍ବଳ ହୋଇ ପଡ଼ୁଅଛି; କିପରି ଦୁର୍ଦ୍ଦଶା ଓ ଅବମାନନା ମଧ୍ୟରେ ହିନ୍ଦୁ ବିଧବାକୁ କାଳ କାଟିବାକୁ ହୁଏ; ସମାଜରେ ଓ ଘରେ ପ୍ରାଚୀନତା ଏବଂ ନବୀନତା ଭିତରେ କିପରି ନିରନ୍ତର ଦ୍ୱନ୍ଦ୍ୱ ଚାଲିଅଛି, ଇତ୍ୟାଦି ଚିତ୍ରର ନିର୍ମଳ ଅନୁ ଭିତିପୂର୍ଣ୍ଣ ଅଙ୍କନହିଁ ‘ସେବା-ସଦନ’ ଉପନ୍ୟାସର ବିଶେଷତ୍ୱ ।

 

ଏହାର ତିନି ଚାରି ବର୍ଷ ପରେ ତାଙ୍କର ‘ପ୍ରେମାଶ୍ରମ’ ନାମକ ଛଅ ଶହ ପୃଷ୍ଠାରବଡ଼ ଉପନ୍ୟାସ ପ୍ରକାଶିତ ହେଲା; କିନ୍ତୁ ଆକାର ତୁଳନାରେ ଉପନ୍ୟାସଟିର ପ୍ରଭାବ ବା ଆଦର ଆଶାନୁରୂପ ହେଲା ନାହିଁ । କଳା ଏବଂ ତତ୍ତ୍ୱଜ୍ଞାନ ଦୃଷ୍ଟିରୁ ‘ରଙ୍ଗଭୂମି’ ପ୍ରେମଚନ୍ଦଙ୍କର ସର୍ବଶ୍ରେଷ୍ଠ ସୃଷ୍ଟି । ସେଥିରେ ମନୁଷ୍ୟର ବ୍ୟକ୍ତିତ୍ୱ ଓ ସତ୍ୟ ଉପରେ ଅତି ନିଗୂଢ଼ ସୂକ୍ଷ୍ମ ବିଚାର କରାଯାଇଅଛି ଏବଂ ଦେହ ଉପରେ ଆତ୍ମାର ବିଜୟ ଘୋଷିତ ହୋଇଅଛି । ‘କର୍ମଭୂମି’ ଉପନ୍ୟାସରେ ସମାଜଚିତ୍ରଣରେ ଲେଖକଙ୍କର ଅସାମାନ୍ୟ ବିଚକ୍ଷଣତା ବିକଶିତ ହୋଇଅଛି ।‘ଗୋଦାନ’ ପ୍ରେମଚନ୍ଦଙ୍କର ଅନ୍ତିମ ରଚନା । ଏଥିରେ ଚିତ୍ର ଓ ସମସ୍ୟାଗୁଡ଼ିକର ସଜୀବ ସମାବେଶ ଦେଖାଯାଏ-। ଗ୍ରାମ୍ୟ ଜୀବନରେ ନିରାଟ ବାସ୍ତବ ରୂପହିଁ ଏହି ଉପନ୍ୟାସର ପ୍ରଧାନ ବିଷୟ-। ନାଗରିକ ଜୀବନର ଚିତ୍ରଣ ହିନ୍ଦୀ ଉପନ୍ୟାସର ଅସଲ କଥାବସ୍ତୁ ରୂପେ ଏଥିପୂର୍ବେ ଗ୍ରହଣ କରାଯାଉଥିଲା । ପ୍ରେମଚନ୍ଦ ଦେଖିଲେ ଯେ, ଏହା କେବଳ ୟୁରେପୀୟ ଛାଞ୍ଚର ଅନୁକରଣ । ୟୁରୋପରେ ଅଧିକ ଲୋକ ନଗରରେ ରହନ୍ତି ଏବଂ ଗ୍ରାମର ସଂଖ୍ୟା ସେଠାରେ ଅଳ୍ପ । ଅତଏବ ସେ ଦେଶର ଔପନ୍ୟାସିକ ପକ୍ଷରେ ନାଗରିକ ଚରିତ୍ରଚିତ୍ରଣ ସ୍ୱାଭାବିକ; କିନ୍ତୁ ଭାରତବର୍ଷର ଅବସ୍ଥା ଏ ସମ୍ୱନ୍ଧରେ ଠିକ୍ ବିପରୀତ ଥିବାରୁ ଏ ଦେଶର ସାହିତ୍ୟ ବେଶି ପରିମାଣରେ ଗ୍ରାମ ସହିତ ସଂଯୁକ୍ତ ରହିବା ଉଚିତ୍‌ । ନଚେତ୍‌ ଏ ଦେଶର ସାହିତ୍ୟ ମୈାଳିକ ନ ହୋଇ କେବଳ ଅସ୍ୱାଭାବିକ ଅନୁକରଣର ବଶବର୍ତ୍ତୀ ହୋଇ ରହିଥିବ । ‘ଗୋ ଦାନ’ ହିନ୍ଦୀ ସାହିତ୍ୟର ଦୃଷ୍ଟିକୋଣକୁ ଗ୍ରାମ ପ୍ରତି ଫେରାଇ ଆଣିଥିଲା ।

 

ଗ୍ରନ୍ଥ ରଚନା ବ୍ୟତୀତ ସେ ପତ୍ରିକା ସମ୍ପାଦନରେ ମଧ୍ୟ କୃତିତ୍ୱ ଦେଖାଇ ଅଛନ୍ତି । ୧୯୨୬ ମସିହାଠାରୁ ଆରମ୍ଭକରି କେତେକ ବର୍ଷ ସେ ଲକ୍ଷ୍ନୌର ବିଖ୍ୟାତ ହିନ୍ଦୀ ମାସିକ ‘ମାଧୁରୀ’ରସମ୍ପାଦନ କରିଥିଲେ । ପରେ ସ୍ୱୟଂ ‘ହଂସ’ ନାମକ ଏକ ମାସିକ ଏବଂ ‘ଜାଗରଣ’ ନାମକ ସାପ୍ତାହିକ ପତ୍ର ପ୍ରକାଶ କରିଥିଲେ; କିନ୍ତୁ ସେଥିରେ ତାଙ୍କୁ ବହୁ ଆର୍ଥିକ କ୍ଷତି ସହିବାକୁ ହୋଇଥିଲା । ‘ଜାଗରଣ’ରେ ମାସକୁ ପ୍ରାୟ ୨୦୦ ଟଙ୍କା କ୍ଷତି ହେଉଥିଲା । ୧୯୩୬ ମସିହା ଅକ୍ଟୋବର ୮ ତାରିଖରେ ପ୍ରେମଚନ୍ଦଙ୍କର ମୃତ୍ୟୁ ହେଲା । ‘ହଂସ’ ପତ୍ରିକାଟି ତାଙ୍କର ସ୍ମାରକରୂପେ ବହୁବର୍ଷ ପ୍ରକାଶିତ ହେଉଥିଲା । ଉକ୍ତ ପତ୍ରିକା ପ୍ରଥମେ ତାଙ୍କ ସହଧର୍ମିଣୀ ଶ୍ରୀମତୀ ଶିବରାଣୀ ଦେବୀ ସମ୍ପାଦନ କରୁଥିଲେ । ତାହାପରେ ତାଙ୍କର ପୁତ୍ର ଶ୍ରୀଯୁକ୍ତ ଶ୍ରୀପତି ରାୟ ଏହାର ସମ୍ପାଦକ ହେଲେ।

 

 

ପ୍ରେମଚନ୍ଦ ଥିଲେ ଆଧୁନାତନ ପ୍ରଥମ ହିନ୍ଦୀ ଲେଖକ, ଯାହାଙ୍କ ରଚନା କେବଳବଙ୍ଗଳା,ଗୁଜୁରାଟୀ, ମରହଟ୍ଟୀ,ଉର୍ଦ୍ଦୂ ବା ତାମିଲ ଆଦି ଭାରତୀୟ ଭାଷାରେ ନୁହେ, ଇଂରାଜୀ ଓ ଜର୍ମାନୀ ପ୍ରଭୃତି ବିଦେଶୀ ଭାଷାରେ ମଧ୍ୟ ତର୍ଜମା କରାଯାଇଅଛି । ବଡ଼ ସାହିତ୍ୟିକର ପ୍ରମାଣ ଏହି ଯେ ସେ ସବୁଠାରୁ ବେଶି ଲୋକପ୍ରିୟ ହୋଇଥାନ୍ତି ଏବଂ ସମସାମୟିକ ଓ ପରବର୍ତ୍ତୀ ବହୁ ସାହିତ୍ୟିକ ତାଙ୍କୁ ଅନୁକରଣ କରିଥାନ୍ତି । ପ୍ରେମଚନ୍ଦଙ୍କଠାରେ ଏ ସମସ୍ତ ହିଁ ସତ୍ୟ ହୋଇଅଛି । ବର୍ତ୍ତମାନ ଉର୍ଦ୍ଦୁ ଉପନ୍ୟାସ ଏବଂ ହିନ୍ଦୀ ଲେଖକମାନଙ୍କ ରଚନାଶୈଳୀ, ବର୍ଣନାଭଙ୍ଗୀ କିମ୍ବା ଭାଷାଗଠନରେ ପ୍ରେମଚନ୍ଦଙ୍କର ଛାୟା ପଡ଼ିଅଛି । ସମାଲୋଚକମାନେ ରୁଷ ସାହିତ୍ୟର ବିଶ୍ୱବିଖ୍ୟାତ କଥାକାର ଟଲ୍‌ଷ୍ଟୟ ଏବଂ ଗର୍କିଙ୍କ ସହିତ ତାଙ୍କର ତୁଳନା କରିଥାନ୍ତି ।

            

ସାହିତ୍ୟକ୍ଷେତ୍ରରେ ବିସ୍ତୃତ ଖ୍ୟାତି ଅର୍ଜନ କରି ମଧ୍ୟ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କୁ ଦାରିଦ୍ର୍ୟ ଓ ଅଭାବ ମଧ୍ୟରେ କାଳାତିପାତ କରିବାକୁ ପଡ଼ିଥିଲା । ‘ବିଶାଳ ଭାରତ’ ନାମକ କଲିକତା’ର ହିନ୍ଦୀ ମାସିକ ପତ୍ରିକାର ସମ୍ପାଦକ ଶ୍ରୀଯୁକ୍ତ ବନାରସୀ ଦାସ ଚତୁର୍ବେଦୀ କଲିକତା ଯିବା ପାଇଁ ଅନେକ ଥର ତାଙ୍କୁ ନିମନ୍ତ୍ରଣ କରିଥିଲେ । ଜାପାନର ବିଶିଷ୍ଟ କବି ଓ ଦାର୍ଶନିକ ୟୋନ୍‌ନୋଗୁଚି ଯେତେବେଳେ କଲିକତା ଆସିଥିଲେ, ତାଙ୍କ ସଙ୍ଗେ ସାକ୍ଷାତ୍‍ କରିବାପାଇଁ ଏବଂ ଆଉଥରେ ଦୀନବନ୍ଧୁ ଏଣ୍ଡ୍ରୁଜଙ୍କ ସଙ୍ଗେ ଦେଖା କରିବାକୁ ତାଙ୍କୁ ସେ ଆହ୍ୱାନ କରିଥିଲେ । ଦୀନବନ୍ଧୁ ଏଣ୍ଡ୍ରୁଜ ପ୍ରେମଚନ୍ଦଙ୍କର କେତେଗୁଡ଼ିଏ ଗଳ୍ପର ଇଂରାଜୀ ଅନୁବାଦ ନିଜେ ଦେଖିବେ ବୋଲି ସେତେବେଳେ ସ୍ୱୀକୃତ ହୋଇଥିଲେ; କିନ୍ତୁ ଅର୍ଥାଭାବରୁ ସେ ଆସି ପାରିଲେ ନାହିଁ ।

 

ଶୀର୍ଣ୍ଣ ଦେହରେ ରୋଗ ସହିତ ମଧ୍ୟ ଆଜୀବନ ଯୁଦ୍ଧ କରିବାକୁ ତାଙ୍କୁ ହୋଇଥିଲା । ତଥାପି ସବୁବେଳେ ସେ ମିଷ୍ଟଭାଷୀ ଓ ହର୍ଷମୁଖ ଥିଲେ । ଶ୍ରୀଯୁକ୍ତ ଚତୁର୍ବେଦୀ ବନାରସରେ ତାଙ୍କ ସଙ୍ଗେ ଦୁଇଟି ଦିନ ଅତିବାହିତ କରି ଲେଖିଛନ୍ତି, “ଏହି ଦୁଇ ଦିନ ଭିତରେ ଆମ୍ଭେ ଦୁହେଁ ପ୍ରାୟ ଶହେ ଥର ହସିଛୁଁ । ସେ ତୁମ ସଙ୍ଗେ ଘଣ୍ଟା ଘଣ୍ଟା କାଳ ହସିପାରନ୍ତି । କଥାବାର୍ତ୍ତାରୁ ସେ ଯେ ଜଣେ ମହାନ୍‌ ସାହିତ୍ୟିକ, ତାହା ବୁଝିବା କଠିନ । ସମସ୍ତଙ୍କ ସଙ୍ଗେ ସମାନ ହୋଇ କଥା କହିବା ହିଁ ତାଙ୍କର ଅଭ୍ୟାସ । ଦୁଃଖ ଦାରିଦ୍ର୍ୟକୁ ସେ ଜୀବନର ସହଜ ଓ ସ୍ୱାଭାବିକ ଅବସ୍ଥା ରୂପେ ଗ୍ରହଣ କରିଥିଲେ । କୈାଣସି ଧନଶାଳୀ ଲୋକକୁ ବଡ଼ ଲୋକ ହେବାର କଳ୍ପନା ସେ କରିପାରୁ ନଥିଲେ-।” ନିଜର ଆକାଂକ୍ଷା ସମ୍ବନ୍ଧେ ସେ କହିଅଛନ୍ତି, “ଧନ କିମ୍ବା ଯଶର ଲାଳସା ମୋହର ନାହିଁ-। ମୋଟର କିମ୍ବା କୋଠାବାଡ଼ି ମୋର ଲୋଡ଼ା ନୁହେଁ । ହଁ, ମୋର ଏକାନ୍ତ ଲୋଡ଼ା ଏହି ଯେ, ଦୁଇ ଚାରିଖଣ୍ଡ ଉଚାଙ୍ଗ ପୁସ୍ତକ ଲେଖେଁ ।”ଦୁଇଟି ପୁତ୍ର ଏବଂ ଗୋଟିଏ କନ୍ୟାକୁ ନେଇ ପ୍ରେମଚନ୍ଦ ନିଜର ଛୋଟ ପରିବାରଟି ଗଢ଼ିଥିଲେ । ପୁତ୍ରମାନଙ୍କ ସମ୍ବନ୍ଧେ ସେ ଲେଖିଛନ୍ତି, “ମୋର ଦୁଇଟି ପୁଅଙ୍କ ସମ୍ବନ୍ଧେ କୈାଣସି ବଡ଼ ଲାଳସା ନାହିଁ । କେବଳ ଏତିକି ଚାହେଁ ଯେ, ସେମାନେ ସଚ୍ଚା ଓ ପକ୍କା ଲୋକ ହୁଅନ୍ତୁ । ବିଳାସୀ ଏବଂ ଧନୀ ଲୋକର ଖୁସାମତିଆ ସନ୍ତାନକୁ ମୁଁ ଘୃଣା କରେ । ମୁଁ ମଧ୍ୟ ଶାନ୍ତିରେ ବସିବାକୁ ଚାହେଁ ନାହିଁ । ସ୍ୱଦେଷ ଏବଂ ସାହିତ୍ୟ ପାଇଁ କିଛି କରିବାହିଁ ମୋର ବଡ଼ ସୁଖ-। ହଁ, ରୁଟି ଡାଲି ଆଉ ତୋଳାଏ ଘିଅ ଏବଂ ମୋଟା ଲୁଗା ଖଣ୍ଡେ ହିଁ ମୋ ପକ୍ଷରେ ଯଥେଷ୍ଟ-।”

 

ପନ୍ଦର ବର୍ଷ ମାତ୍ର ବୟସରେ ଯାହାଙ୍କର ପାଣି ଗ୍ରହଣ କରିଥିଲେ, ସେହି ଶିବରାଣୀ ଦେବୀ ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କର ଦୁଃଖସୁଖର ସଙ୍ଗିନୀ ହୋଇ କର୍ମର ପ୍ରେରଣା ଓ ଶକ୍ତିରୂପେ କାର୍ଯ୍ୟ କରିଥିଲେ । ପ୍ରେମଚନ୍ଦଙ୍କର ସାହଚର୍ଯ୍ୟ ଓ ସାହିତ୍ୟିକ ପ୍ରଭାବବଳରେ ଶିବରାଣୀଙ୍କର ଅନ୍ତରର ପ୍ରତିଭା ମଧ୍ୟ ବିକଶିତ ହୋଇଅଛି ଏବଂ କେତେଗୁଡ଼ିଏ ଛୋଟ ଗଳ୍ପ ଲେଖି ହିନ୍ଦୀ ସାହିତ୍ୟରେ ସେ ସୁନାମ ଅର୍ଜନ କରିପାରି ଅଛନ୍ତି । ସ୍ୱାମୀଙ୍କର ମୃତ୍ୟୁଶଯ୍ୟାର ଚିତ୍ର ସେ ଏହିରୂପେ ଚିତ୍ରଣ କରିଅଛନ୍ତି, “ବାବା ଧୁନ୍ନୁ, ଟିକିଏ ପଙ୍ଖା ଖୋଲି ଦେ ତ, ବଡ଼ ଗରମ ହେଉଛି–ଏହିସ୍ୱର ତାଙ୍କରି ଥିଲା । ଟିକିଏ ପରେ ସାନ ପୁଅ ବନ୍ନୁ ଦୌଡ଼ି ଦୌଡ଼ି ମୁଁ ରହିଥିବା ଘର ଭିତରକୁ ଆସିଲା ଏବଂ କହିଲା, ‘ମା, ବାପାଙ୍କର ବାନ୍ତି ହୋଇଛି ।’ ଆଶଙ୍କା, ଭୟ ଏବଂ ଦୁଃଖରେ ମୁଁ ଚମକି ପଡ଼ିଲି । ଝଟ୍‌ କରି ଯେତେବେଳେ ସେଠି ପହଞ୍ଚି ତାଙ୍କ ରକ୍ତବାନ୍ତି ଦେଖିଲି, ସେତେବେଳେ ଥରି ଉଠିଲି । ମୋର ଦେହମୟ ବିଜୁଳି ଲାଗି ଯେପରି ଘା’ ହୋଇଗଲା । ଟିକିଏ ପରେ ମୋତେ ସେ ଅସ୍ଫୁଟ ସ୍ୱରରେ କହିଲେ, “ରାଣୀ,ଏବେ ମୁଁ ଚାଲିଲି ।”

 

ଯେଉଁ ଭାଷାକୁ ଭାରତ ବର୍ଷରେ ସବୁଠାରୁ ବେଶି ଲୋକ କହନ୍ତି ଏବଂ ସବୁଠାରୁ ବେଶି ଲୋକ ବୁଝନ୍ତି, ସେହି ଭାଷା–ବେଦୀର ଏ ଯୁଗର ସର୍ବଶ୍ରେଷ୍ଠ ପୁରୋଧା ସାମାନ୍ୟ ସମ୍ବଳ ଘେନି ସଂସାରକୁ ଆସିଥିଲେ ଏବଂ ସାମାନ୍ୟ ସମ୍ବଳରେ ହିଁ ସମସ୍ତ ଜୀବନ ନିର୍ବାହ କରି ସଂସାର ଛାଡ଼ି ଯାଇଅଛନ୍ତି ।

Image

 

Unknown

କୈଶୋର ଜ୍ଞାନ

 

ମନୁଷ୍ୟଜୀବନକୁ ସାଧାରଣତଃ ପାଞ୍ଚଗୋଟି ଅବସ୍ଥାରେ ବିଭକ୍ତ କରାଯାଇଥାଏ, ଯଥା–ଶୈଶବ, କୈଶୋର, ଯୌବନ, ପ୍ରୌଢ଼ ଓ ଜରା । ଏହିସବୁ ଅବସ୍ଥା ମଧ୍ୟରୁ କୈଶୋର ଏବଂ ଯୌବନ ମନୁଷ୍ୟ ଜୀବନର ପ୍ରଥମ ବିକାଶକାଳ । ଶିକ୍ଷାକ୍ଷେତ୍ରରେ ଆଧୁନିକ ପଣ୍ଡିତମାନେ ଏହି ଅବସ୍ଥାକୁ ସମ୍ୟକ୍‌ ଆଲୋଚନା ଓ ବିଶ୍ଲେଷଣ କରିଅଛନ୍ତି । ଏଗାର ବର୍ଷଠାରୁ ଅଠରବର୍ଷ ପର୍ଯ୍ୟନ୍ତ ସାତଟି ବର୍ଷକୁ କୈଶୋର ଏବଂ ଅଠର ବର୍ଷରୁ ପଚିଶବର୍ଷ ପର୍ଯ୍ୟନ୍ତ ସାତଟି ବର୍ଷକୁ ଯୌବନାବସ୍ଥାର ସମୟରୂପେ ନିରୂପଣ କରାଯାଇଅଛି । ଭାରତୀୟ ପ୍ରାଚୀନ ପ୍ରଥା ଅନୁଯାୟୀ ବ୍ରହ୍ମଚର୍ଯ୍ୟ, ଗାର୍ହସ୍ଥ୍ୟ, ବାନପ୍ରସ୍ଥ ଓ ଯତିବ୍ରତ–ଏହି ଚାରୋଟି ଆଶ୍ରମ ମଧ୍ୟରୁ ଉକ୍ତ ଅବସ୍ଥାଟି ପ୍ରଥମ ଆଶ୍ରମ ଏବଂ ଗୁରୁଗୃହରେ ଶିକ୍ଷାଲାଭ କରିବା ସମୟ । ବ୍ରହ୍ମଚର୍ଯ୍ୟପରେ ଗାର୍ହସ୍ଥ୍ୟ ଆଶ୍ରମରେ ପ୍ରବେଶ କରିବାର ନିୟମ ଅଛି । ବର୍ତ୍ତମାନ ଯୁଗରେ ମଧ୍ୟ ସେହି ପ୍ରାଚୀନ ପ୍ରଥା କେତେକ ପରିମାଣରେ ଅନୁସୃତ ହେବାର ଦେଖାଯାଏ । ବିଶ୍ୱ ବିଦ୍ୟାଳୟମାନଙ୍କରେ ଏହି ସମୟ ମଧ୍ୟରେହିଁ ଶିକ୍ଷା ସମାପ୍ତ କରିବାର ବ୍ୟବସ୍ଥା ହୋଇଅଛି ଏବଂ ଅଧିକାଂଶ ସରକାରୀ ଚାକିରି ପାଇଁ ବୟସର ସୀମା ପଚିଶବର୍ଷ ନିର୍ଦ୍ଦିଷ୍ଟ ଅଛି ।

 

ଏଗାରଠାରୁ ଅଠର ବର୍ଷ ବୟସ ପର୍ଯ୍ୟନ୍ତ କିଶୋର ଅବସ୍ଥାକୁ ଜୀବନର ପ୍ରଥମ ଉନ୍ମେଷକାଳ ବୋଲିବାକୁ ହେବ । ଏହି ସମୟରେହିଁ ମନୁଷ୍ୟର ଦେହ ଓ ମନରେ ଯେଉଁ ଦ୍ରୁତ ପରିବର୍ତ୍ତନ ଦେଖାଯାଏ, ତାହା ସମଗ୍ର ଭବିଷ୍ୟତ୍‌ ଜୀବନକୁ ନିୟନ୍ତ୍ରିତ କରିଥାଏ । ଏହି ବୟସରେ ହିନ୍ଦୁ ବାଳକମାନଙ୍କୁ ବ୍ରତ ଉପନୟନ ଦ୍ୱାରା ବ୍ରହ୍ମଚାରୀ ହେବାକୁ ପଡ଼େ ଏବଂ ଖ୍ରୀଷ୍ଟିୟାନ ପିଲାମାନେ ଗୀର୍ଜା ଘରେ ଖ୍ରୀଷ୍ଟଧର୍ମରେ ଦୀକ୍ଷିତ ହୁଅନ୍ତି । ଏପରି କି ଅଷ୍ଟ୍ରେଲିଆର ଆଦିମ ଅଧିବାସୀମାନେ ମଧ୍ୟ କିଶୋରମାନଙ୍କୁ ଭୂତପ୍ରେତପୂର୍ଣ୍ଣ ନିଜର ରହସ୍ୟମୂଳକ ଆଦିମ ଧର୍ମ ଶିକ୍ଷା ଦିଅନ୍ତି ।

 

ପ୍ରକୃତିର ନିୟମ ଅନୁଯାୟୀ ବାଳିକାମାନଙ୍କର କୈଶୋର ବାଳକମାନଙ୍କର ଦୁଇବର୍ଷ ପୂର୍ବରୁ ଆରମ୍ଭ ହୋଇଥାଏ । ସେଥିପାଇଁ ଉଚ୍ଚତା ଓ ଓଜନ ବାଳକ ଅପେକ୍ଷା ବାଳିକାର ଚଞ୍ଚଳ ବୃଦ୍ଧିପ୍ରାପ୍ତ ହୁଏ । ଓଜନ କିମ୍ବା ଉଚ୍ଚତାରେ ବଢ଼ିବାର ଅର୍ଥ ସେମାନଙ୍କର ମାଂସପେଶୀ ଓ ଅସ୍ଥି ପୁଷ୍ଟ ଏବଂ ସବଳ ହୁଏ । ହସ୍ତପଦର ଅସ୍ଥିଗୁଡ଼ିକ ଲମ୍ବ ଏବଂ ଟାଣ ହୁଏ, ବକ୍ଷ ପ୍ରଶସ୍ତ ହୁଏ । ମାସଂପେଶୀ ଗୁଡ଼ିକର ବୃଦ୍ଧି ସଙ୍ଗେ ସଙ୍ଗେ ଦେହର ଶକ୍ତି ମଧ୍ୟ ଅଧିକ ହୁଏ । ବେଶି ଓଜନର ପଦାର୍ଥ ଉଠାଇବା କିମ୍ବା କୈାଣସି କାର୍ଯ୍ୟରେ ବଳପ୍ରୟୋଗ କରିବାର ଇଚ୍ଛା ଜାଗ୍ରତ ହୁଏ । ଏଗାରଠାରୁ ଷୋଳ ବର୍ଷ ମଧ୍ୟରେ ବାଳକ ବାଳିକା ଉଭୟଙ୍କର ଶକ୍ତି ପୂର୍ବାପେକ୍ଷା ଦୁଇଗୁଣ ବୃଦ୍ଧି ପାଇଥାଏ । ତଥାପି ବାଳକର ଦୈହିକ ଶକ୍ତି ବାଳିକା ଅପେକ୍ଷା ବେଶି ଚଞ୍ଚଳ ବଢ଼େ । ବାଳକମାନଙ୍କର ପୌରୁଷର ଚିହ୍ନସ୍ୱରୂପ ମୁଖରେ ଲୋମ ଉଦ୍‌ଗମ ହୁଏ ଏବଂ କଣ୍ଠସ୍ୱର ଭାଙ୍ଗିପଡ଼େ-। ମାଂସପେଶୀ ଓ ଅସ୍ଥି ବୃଦ୍ଧି ପାଇବାପାଇଁ ଅଧିକ ଆହାର ଆବଶ୍ୟକ କରେ ଏବଂ ସେଥି ସଙ୍ଗେ ପାକଶକ୍ତି ମଧ୍ୟ ବଢ଼ିଯାଏ । ମୁଖର ଅସ୍ଥି ଲମ୍ବ ଓ ଶକ୍ତ ହୁଏ ।

 

ଦେହର ଉପରେ ଯେଉଁ ସବୁ ପରିବର୍ତ୍ତନ ଦେଖଯାଏ; ଅଭ୍ୟନ୍ତରରେ ମଧ୍ୟ ଶ୍ୱାସନଳୀ, ହୃଦଯନ୍ତ୍ର ଓ ପାକଯନ୍ତ୍ର ସେହି ଅନୁପାତରେ ବୃଦ୍ଧି ପାଏ । ଦେହର ପରିବର୍ତ୍ତନ ସଙ୍ଗେ ମାନସିକ ଅବସ୍ଥା ମଧ୍ୟ ଅତ୍ୟନ୍ତ ଚଞ୍ଚଳ ଓ ଅସ୍ଥିର ହୋଇପଡ଼େ । ନାନା ବିଷୟ ଜାଣିବାକୁ ବା ଶିଖିବାକୁ ସେ ଚେଷ୍ଟାକରେ, ଅଥଚ କୈାଣସି ବିଷୟକୁ ଦୃଢ଼ତା ସହିତ ଅନୁଶୀଳନ କରିବାର ସ୍ଥରତା ତାହାର ଆସିନଥାଏ । ସବୁ କାର୍ଯ୍ୟରେ ସେ ବ୍ୟଗ୍ର ହେବାର ଦେଖାଯାଏ ଏବଂ ଚାଲିବା ଅପେକ୍ଷା ଦୌଡ଼ିବା ତାହା ପକ୍ଷରେ ଅଧିକ ସହଜ ହୁଏ । ବର୍ଷାନଦୀ ପରି ସକଳ ନିୟମବନ୍ଧନର ସୀମା ଲଘିଂବା ହିଁ ତାହାର ସାଧାରଣ କାର୍ଯ୍ୟ ହେଇପଡ଼େ ।

 

ବାଳିକାମାନେ ବାରଠାରୁ ଚଉଦ ବର୍ଷ ବୟସ ପର୍ଯ୍ୟନ୍ତ ଏବଂ ବାଳକମାନେ ଚଉଦଠାରୁ ପନ୍ଦର ବର୍ଷ ମଧ୍ୟରେ ଅଧିକ ପୁଷ୍ଟ ହୋଇ ଅଠର ବର୍ଷଯାଏ ଶୀଘ୍ର ଶୀଘ୍ର ବୃଦ୍ଧିପ୍ରାପ୍ତ ହୁଅନ୍ତି । ତେରଠାରୁ ଷୋଳ ବର୍ଷ ପର୍ଯ୍ୟନ୍ତ ବକ୍ଷ ଯେପରି ପ୍ରଶସ୍ତ ହୁଏ, ହୃଦୟ ମଧ୍ୟ ଆକାର ଓ ଶକ୍ତିରେ ବଢ଼ିଯାଏ । ହୃଦୟର ବୃତ୍ତିଗୁଡ଼ିକ ସେହି ପରିମାଣରେ ବିକଶିତ ହୁଏ । ଅଳ୍ପ କଥାରେ କାନ୍ଦିବା କିମ୍ବା ହସିବା ଏବଂ ଦୟା, କ୍ଷମା, ସହାନୁଭୂତି, ସ୍ନେହ, ପ୍ରୀତି, ବନ୍ଧୁତା ଆଦି ଏହି ସମୟରେ ଅତି ସହଜ ଘଟଣା ହୋଇପଡ଼େ । ସାମାନ୍ୟ ବିଷୟରେ ଉଲ୍ଲଷିତ ବା ଉତ୍ସାହିତ ହେବାର ଦେଖାଯାଏ; କିନ୍ତୁ ହୃତ୍‌ପିଣ୍ଡ ସହିତ ରକ୍ତକୋଷଗୁଡ଼ିକ ବଢ଼ି ନଥାଏ । ତେଣୁ ଶିରା ପ୍ରଶିରା ଓ ରକ୍ତ ଚଳନାର କେନ୍ଦ୍ରସ୍ଥାନ ମସ୍ତିଷ୍କର ବୁଦ୍ଧି ଓ ବିଚାରଶକ୍ତି ଅପେକ୍ଷାକୃତ ଅଳ୍ପ ବିକଶିତ ହୋଇଥାଏ ।

 

କୈଶୋରର ମାନସିକ ଅବସ୍ଥାକୁ ଦୁଇ ଭାଗରେ ବିଭକ୍ତ କରାଯାଇଅଛି, ଯଥା–(୧) ଚିନ୍ତା ଓ (୨) ଅନୁଭୂତି । ପ୍ରଥମେ, ଅତୀତ ଉପରେ ତାହାର ଘୋର ଅସନ୍ତୋଷ ଜାତ ହୁଏ । ବାଲ୍ୟ ବୟସରେ ସେ ଯେଉଁ କାର୍ଯ୍ୟ କରିଥିଲା ଏବଂ ଯେଉଁଠାରେ ଯାହା କହିଥିଲା, ସେ ସକଳ ସ୍ମରଣକରି ଲଜ୍ଜିତ ହୁଏ । କଣ୍ଡେଇ ବା ଖେଳନାକୁ ଅକାରଣ ମୂଲ୍ୟହୀନ ବସ୍ତୁରୂପେ ସେ ତ୍ୟାଗ କରେ । ବର୍ତ୍ତମାନ ବୟସ୍କମାନଙ୍କ ସଙ୍ଗେ ସମାନ ହେବାକୁ ସେ ଲୋଡ଼େ; ସମାନ ଆସନରେ ବସିବାକୁ, ସମାନ ହୋଇ ଚାଲିବାକୁ ଓ ସମାନଭାବରେ କଥା କହିବାକୁ ଇଚ୍ଛାକରେ; ଆଉ ଶିଶୁ ହୋଇ ରହିବାପାଇଁ ତାହାର ଘୃଣା ଜାତ ହୁଏ । ଭିତରେ ଭିତରେ ନୂତନ ଆଦର୍ଶ ଓ ନୂତନ ନେତୃତ୍ୱ ଦ୍ୱାରା ଚାଳିତ ହେବାର ବାସନା ନୀରବରେ ଜାଗ୍ରତ ହୁଏ । ପୂର୍ବେ ହୁଏତ ଇଞ୍ଜିନ ଡ୍ରାଇଭର ହେବାକୁ ତାହାର ଇଚ୍ଛାଥିଲା; ବର୍ତ୍ତମାନ ଚାହେଁ ଡାକ୍ତର ହେବାପାଇଁ । ପୂର୍ବେ ଅବା ଜଣେ ସ୍କୁଲମାଷ୍ଟର ହେବାକୁ କିମ୍ୱା ସାଇକଲ ଚଳାଇବାକୁ ଆକାଂକ୍ଷା ଥିଲା; କିନ୍ତୁ ବର୍ତ୍ତମାନ ତାହାର ଅଭିଳାଷ ଜଣେ ଦେଶନେତା ହେବାପାଇଁ ଅଥବା ବ୍ୟୋମଯାନରେ ଉଡ଼ିବାକୁ । ଚିନ୍ତାଧାରା ଓ ଆଦର୍ଶର ଏହି ରୂପ ପରିବର୍ତ୍ତନ ସଙ୍ଗେ ସଙ୍ଗେ ତାହାର ଭବିଷ୍ୟତ ଜୀବନର ଭିତ୍ତି ଗଠିତ ହୋଇଥାଏ ।

 

ଦ୍ୱିତୀୟରେ, ତାହା ଚିତ୍ତରେ ଏକ ନୂତନ କୌତୁହଳ ଜାଗ୍ରତ ହୁଏ । ବହିର୍ଜ୍ଜଗତ ସହିତ ଘନିଷ୍ଠଭାବରେ ପରିଚିତ ହେବାପାଇଁ ସେ ଲୋଡ଼େ । ସ୍ୱଦେଶ ବା ବିଦେଶର ବୀର କିମ୍ୱା ମହାପୁରୁଷମାନେ କି ଭାବରେ ନିଜ ଜୀବନ ଗଠନ କରିଅଛନ୍ତି, କିପରି ଚିନ୍ତା ଏବଂ ଅଧ୍ୟବସାୟ, ସାହସ ବା ଶକ୍ତି ଦେଖାଇଅଛନ୍ତି ଅଥବା ସେମାନଙ୍କର ଦୋଷ, ତ୍ରୁଟି ଓ ଅଭାବ କେଉଁଠାରେ, ତାହା ଜାଣିବାପାଇଁ ପ୍ରବଳ ଇଚ୍ଛା ଜାତ ହୁଏ । ପଢ଼ିବାକୁ, ଖେଳିବାକୁ, ଅପରିଚିତ ସମବୟସୀମାନଙ୍କ ସଙ୍ଗେ ନୂତନ ବନ୍ଧୁତା କରିବାକୁ ସେ ଆଗ୍ରହ ପ୍ରକାଶ କରେ । ଆଉମଧ୍ୟ କେବେ କେବେ ନିର୍ଜ୍ଜନ ସ୍ଥାନରେ ବସି ଚିନ୍ତା କରିବାକୁ ସେ ସୁଖ ପାଏ । ନିଜର ପିତାମାତା ଓ ପରିବାର ମଧ୍ୟରେ ବହୁ ଅଭାବ ଦେଖି ତାହାର ଅସନ୍ତୋଷ ଜାତ ହୁଏ ଏବଂ ଶିକ୍ଷକଙ୍କ କଥାରେ ସନ୍ଦେହ ଜନ୍ମେ । ଭାରତୀୟ ସଂସ୍କାର ଓ ବେଷ୍ଟନୀ ଅନୁଯାୟୀ ଭାରତର ବହୁ କିଶୋରଙ୍କ ଜୀବନରେ ସମାଜ ଓ ପରିବାରର ବନ୍ଧନ କାଟି ସନ୍ନ୍ୟାସୀ କରିବାର ଚେଷ୍ଟା ଦେଖାଯାଏ । ମନେ ହୁଏ, ଆଜି ମଧ୍ୟ ଏ ଦେଶରେ ଧ୍ରୁବଙ୍କର ଆଦର୍ଶ ସମ୍ପୂର୍ଣ୍ଣ ବିଲୁପ୍ତ ହୋଇନାହିଁ । ଏହି ସମୟରେ ହିଁ ବୁଦ୍ଧ ଏବଂ ଶଙ୍କର ଆଦି ମହାଯୋଗୀମାନେ ସଂସାର ତ୍ୟାଗ ପାଇଁ ପ୍ରସ୍ତୁତ ହୋଇଥିବାର ଜଣାଯାଏ ।

 

ତୃତୀୟରେ, ନିଜକୁ ପ୍ରକାଶ କରିବାର ବାସନା ତାହାର ବଳବତୀ ହୋଇପଡ଼େ ଏବଂ ପୃଥିବୀପୃଷ୍ଠରେ ନିଜର ଯଥାସ୍ଥାନଟି ବାଛିନେବାକୁ ସେ ଲୋଡ଼େ । ନିଜର ସ୍ୱାର୍ଥ ଅପେକ୍ଷା ଅପରର ହିତ ପ୍ରତି ସେ ମନ ବଳାଏ । ସେବା, ସାହଚର୍ଯ୍ୟଦ୍ୱାରା ସ୍ୱୀୟ ବିଶେଷତ୍ୱ ଫୁଟାଇବାକୁ ଇଚ୍ଛା ଜାତ ହୁଏ । ସାହିତ୍ୟଚର୍ଚ୍ଚା, କବିତାରଚନା, ଡାଏରି ରଖିବା କିମ୍ୱା ସଙ୍ଗୀତ ବା ଚିତ୍ରଶିଳ୍ପରେ ନିଜକୁ ପ୍ରକାଶ କରିବା ପାଇଁ ସେ ଚେଷ୍ଟିତ ହୁଏ ।

 

ପ୍ରକୃତି ପ୍ରତି ତାହାର ଭାବ ମଧ୍ୟ ନୂତନ ରୂପ ଗ୍ରହଣ କରେ । ଅଦୃଶ୍ୟ ଓ କାଳ୍ପନିକ ଆଡ଼କୁ ତାହାର ଚିତ୍ତ ଅଧିକ ଆକୃଷ୍ଟ ହୁଏ । ନିଜର ଅସ୍ପଷ୍ଟ ଭାବପ୍ରବଣତାକୁ ଘେନି ସେ ଅସଂଖ୍ୟ ତାରକା ଖଚିତ ଆକାଶ କିମ୍ୱା ଗଭୀର ସାଗର ବହୁ ଅଭୂତ କଳ୍ପନା କରି ବାକୁ ଶିଖେ । ସମସ୍ତ ପ୍ରକୃତି ଏକ ନୂତନ ବେଶରେ ତାହା ସମକ୍ଷରେ ଉଭା ହୁଏ । ବାଲ୍ୟାବସ୍ଥାରେ ଯେଉଁ ଚନ୍ଦ୍ରକୁ ‘ଜହ୍ନମାମୁଁ’ କହି କେବଳ ଗୋଟିଏ ସୁନାଥାଳୀ ବୋଲି ସେ ବିଚାରୁଥିଲା କିମ୍ୱା ଯେଉଁ ନଦୀଶଯ୍ୟାରେ ବୁଲି ଖୁସି ହେଉଥିଲା, ସେଗୁଡ଼ିକ ତାହାର କଳ୍ପନାକୁ ବର୍ତ୍ତମାନ ବିଚିତ୍ରଭାବରେ ପ୍ରଭାବିତ କରନ୍ତି । ଅରଣ୍ୟ, ପର୍ବତ, ଲତା, କୁସୁମ ଆଦି ନୂତନ ଅର୍ଥ ଘେନି ପ୍ରକାଶିତ ହୁଅନ୍ତି । କିଶୋରର ଧର୍ମଭାବ ମଧ୍ୟ ପରିବର୍ତ୍ତିତ ହୁଏ । ଜୀବନ ଅପେକ୍ଷା ମୃତ୍ୟୁଚିନ୍ତା ତାହାକୁ ଅଧିକ ଅଭିଭୂତ କରେ । ଜୀବନର ଦୁଃଖ ଦୈନ୍ୟ ଦେଖି ତାହାର କୋମଳ ପ୍ରାଣ ଆଲୋଡ଼ିତ ହୋଇଉଠେ-। ଶୈଶବର ନୈଶ୍ଚିନ୍ତ୍ୟ ଓ ଆନନ୍ଦରାଜ୍ୟରୁ ଆସି ନିଜର ବର୍ତ୍ତମାନ ଓ ଭବିଷ୍ୟତା ପାଇଁ ଚିନ୍ତା କରିବାକୁ ସେ ଶିଖେ ।

 

ଶେଷରେ ବାଳକର ପୁରୁଷର ଓ ବାଳିକାର ନାରୀର ଉଦ୍ୱେକ ହୁଏ । ଉଭୟ ବାଳକବାଳିକା ପରସ୍ପରଠାରୁ ପୃଥକ୍‌ ବୋଲି ଅନୁଭବ କରନ୍ତି । ଏଥିପୂର୍ବେ ଉଭୟେ ସମାନଭାବରେ ମିଳିମିଶି ଏକତ୍ର ଖେଳିବା, ବୁଲିବା, ଖାଇବା, ଶୋଇବା ଆଦି କର୍ମ ନିର୍ବିକାର ଚିତ୍ତରେ କରୁଥିଲେ । ବର୍ତ୍ତମାନ ଜଣେ ଅନ୍ୟ ନିକଟରେ କଥା କହିବାକୁ ମଧ୍ୟ ସଙ୍କୋଚ ବୋଧକରେ । ଏହାର ଉଦାହରଣ ପୁରାଣରେ ଶୁକଦେବଙ୍କ ଉପଖ୍ୟାନରେ ମିଳେ । ଶୁକଦେବ ଯେତେ ବେଳେ ସନ୍ନ୍ୟାସ କରିବାକୁ ବାହାରିଲେ, ତାଙ୍କୁ ଫେରାଇ ଆଣିବା ପାଇଁ ତାଙ୍କର ପିତା ଅନୁଧାବନ କରିଥିଲେ । ପଥପାର୍ଶ୍ୱରେ ଗୋଟିଏ ପୁଷ୍କରିଣୀରେ କେତେକ କିଶୋରୀ ଉଲଗ୍ନ ଅବସ୍ଥାରେ ସ୍ନାନ କରୁଥିଲେ । ଶୁକମୁନିଙ୍କ ସଙ୍ଗେ ସେମାନେ ସେହି ଅବସ୍ଥାରେ ହିଁ କଥାବାର୍ତ୍ତା କଲେ, କିନ୍ତୁ ତାଙ୍କ ପିତାଙ୍କୁ ଦେଖି ପାଣି ଭିତରେ ପଶିଗଲେ । ପଚାରିବାରୁ ଉତ୍ତର କଲେ, ଶୁକମୁନିଙ୍କୁ ଦେଖି ସେମାନଙ୍କ ମନରେ କୌଣସି ବିକାର ଜାତ ହୋଇନଥିଲା; କିନ୍ତୁ ତାଙ୍କ ପିତାଙ୍କୁ ଦେଖି ବିକାର ଜନ୍ମିଥିଲା । ଏହି ଉପାଖ୍ୟାନଦ୍ୱାରା ଅବଶ୍ୟ ଶୁକମୁନିଙ୍କ ଚରିତ୍ରକୁ ଅସାଧାରଣରୂପେ ଚିତ୍ରଣ କରିବାର ଚେଷ୍ଟା କରାଯାଇଅଛି । କିନ୍ତୁ ତାଙ୍କ ପିତାଙ୍କ ପରି ସାଧାରଣ ସ୍ତ୍ରୀ ପୁରୁଷ ପରସ୍ପର ନିକଟରେ ସଚେତ ହୋଇ ପଡ଼ିଥାନ୍ତି ଏବଂ କିଶୋର ବୟସରେ ହିଁ ଏହି ଭାବରେ ଆରମ୍ଭ ହୋଇଥାଏ ।

 

କିଶୋର କିମ୍ୱା କିଶୋର ପରସ୍ପର ପାର୍ଶ୍ୱରେ ଲଜ୍ଜ୍ୟା ବୋଧକରେ ଏବଂ ଅନ୍ୟମାନେ ନିକଟରେ ଥିଲେ କିଶୋରର କଥାରେ ଉଚ୍ଚ୍ୱାସ ଓ ସ୍ୱରର ଉଚ୍ଚତା ଧରା ପଡ଼ିଯାଏ । ଅନ୍ୟମାନଙ୍କ ଅପେକ୍ଷା ସ୍ୱୀୟ କଥାବାର୍ତ୍ତା ଓ ଭାବଭଙ୍ଗିରେ ସେ ବିଶେଷତ୍ୱ ଦେଖାଇ ହୁଏ । କିଶୋରୀ ମଧ୍ୟ କେତେବେଳେ ଚଞ୍ଚଳ ଓ କେତେବେଳେ ଲଜ୍ଜ୍ୟା ନମ୍ର ହୋଇ ନିଜର ସଚେତ ଅବସ୍ଥାକୁ ଜଣାଇଦିଏ-। କିଶୋରର ହଠାତ୍‌ ନିଜରୂପ ଉପରେ ଦୃଷ୍ଟିପଡ଼େ । ନିଜର କେଶ, ଦନ୍ତ, ନଖ ବା ପୋଷାକ ପରିଚ୍ଛଦକୁ ସୁନ୍ଦର ଓ ସୁଶ୍ରୀ କରିବା ଚେଷ୍ଟାରେ ରହେ । କିଶୋରୀ ମଧ୍ୟ ନିଜର ମୁଖ, ନିଜର ଶାଢ଼ୀ, ନିଜର ହାସ୍ୟ, ଚାହାଣି ଓ ଗତିବିଧିରେ ଗୋଟିଏ ସାମଞ୍ଜସ୍ୟ ଆଣିବାକୁ ଲୋଡ଼େ । ସୁତରାଂ ଉଭୟଙ୍କର ହିଁ ଏହି ସମୟରେ ପ୍ରଥମ ଥର ପାଇଁ ଦର୍ପଣଟା ଅତି ଆବଶ୍ୟକ ହୋଇପଡ଼େ।

 

ଭାରତବର୍ଷରେ ଏହି ବୟସରୁ ହିଁ କିଶୋରୀମାନଙ୍କ କଠୋର ଅବରୋଧ ପ୍ରଥାର ଆରମ୍ଭ ହୋଇଥାଏ । ସାମାଜିକ ଅନୁଶାସନ ଅନୁସାରେ ଉଭୟଙ୍କୁ ପରସ୍ପରଠାରୁ ପୃଥକ୍‍ ରହିବାକୁ ହୁଏ ଏବଂ ବିବାହ ପର୍ଯ୍ୟନ୍ତ କେହି କାହାରି ସହିତ ସାକ୍ଷାତ୍‌ କରିବାପାଇଁ ନିଷେଧ କରି ଦିଆଯାଏ । ଏପରି କି କ୍ଷତ୍ରିୟ କରଣ ଆଦି ଯେଉଁ ସବୁ ପରିବାରରେ ଯୁବତୀ ବିବାହ ପ୍ରଚଳିତ, ସେଠାରେ ଅବିବାହିତା ଯୁବତୀକନ୍ୟା ପିତା ସମକ୍ଷରେ କିମ୍ୱା ଭଗିନୀ ଭ୍ରାତା ସମକ୍ଷରେ ମଧ୍ୟ ବାହାରେ ନାହିଁ । ତାହାର କାରଣ, ଏହି ସମୟରେ କିଶୋର କିଶୋରୀ ପ୍ରବୃତ୍ତିର ବଶବର୍ତ୍ତୀ ହୋଇ ନିଜ କାର୍ଯ୍ୟରେ ଫଳାଫଳ ଦେଖିପାରନ୍ତି ନାହିଁ । ସେଥିଲାଗି ବହୁ ଭୟାବହ ଦୁର୍ଘଟଣା ଘଟିଥାଏ । କବି ରାଧାନାଥଙ୍କର ‘‘ପାର୍ବତୀ’’ କାବ୍ୟର କୌଶଲ୍ୟା ଚରିତ୍ରରେ ଏବଂ କେଦାରଗୌରୀ କାବ୍ୟର ପିତା-କନ୍ୟା ଓ ଭ୍ରାତା-ଭଗିନୀଙ୍କ ମଧ୍ୟରେ ଏହିରୂପ ଦୁର୍ଘଟଣା ବର୍ଣ୍ଣିତ । ଅଧିକାଂଶ ଆତ୍ମହତ୍ୟା ଓ ଜୀବନବ୍ୟାପୀ ମହାବ୍ୟାଧି ଏହି ସମୟରେ ହିଁ ଦୁର୍ଘଟଣା ।

 

ତେଣୁ, ଏହି ଅବସ୍ଥାକୁ ସୁନିୟନ୍ତ୍ରିତ କରିବାପାଇଁ ପ୍ରାଚୀନ ଓ ଆଧୁନିକ ପଣ୍ଡିତମାନେ ବହୁ ଚିନ୍ତା ଓ ଗବେଷଣା ଲିପିବଦ୍ଧ କରିଅଛନ୍ତି । ଭାରତୀୟ ଆର୍ଯ୍ୟ ଋଷିମାନେ ବ୍ରହ୍ମଚର୍ଯ୍ୟ ପାଳନ ପାଇଁ ବହୁ ସୂଷ୍ମ ଦର୍ଶନର ଫଳସ୍ୱରୂପ ବ୍ୟବସ୍ଥାମାନ ଦେଇଅଛନ୍ତି । ଏ ସମୟରେ କିପରି ଆହାର କରିବା ଉଚିତ, କିପରି ବ୍ୟାୟାମ ଓ ପରିଚ୍ଛେଦ ଆବଶ୍ୟକ ଇତ୍ୟାଦି ବିଷୟରେ ସେମାନେ ଆଲୋଚନା କରିଥିଲେ । ବର୍ତ୍ତମାନ ପଣ୍ଡିତମାନେ ମଧ୍ୟ କିଶୋରର ଜୀବନ ନିୟନ୍ତ୍ରଣ ପାଇଁ ଯୁଗୋପଯୋଗୀ ବ୍ୟବସ୍ଥାମାନ କରିଅଛନ୍ତି । କିଶୋର ଚିତ୍ତରେ ଯେଉଁ ଗଣଭାବ ଜାତ ହୋଇଥାଏ, ତାହା ଚରିତାର୍ଥ କରିବା ପାଇଁ ସ୍କୁଲ କଲେଜରେ ଆଲୋଚନାସଭାର ବ୍ୟବସ୍ଥା ହୋଇଅଛି । ବ୍ୟାୟାମ ପାଇଁ ଡ୍ରିଲ୍‍, ଫୁଟବଲ, କ୍ରିକେଟ୍‌ ଆଦି ଏବଂ ସେବା ଓ ସାହଚାର୍ଯ୍ୟ ପାଇଁ ସ୍କାଉଟ୍‌ ସଂଗଠନ ପ୍ରଚଳିତ ।

 

ଏସବୁ ବ୍ୟବସ୍ଥା ସତ୍ତ୍ୱେ ପ୍ରତ୍ୟେକ କିଶୋର କିଶୋରୀ ନିଜର ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ପ୍ରତି ପ୍ରଗାଢ଼ ଯତ୍ନ ନେବା ଆବଶ୍ୟକ । ନିଜେ ନ ପଢ଼ିଲେ କାହାରିକୁ ପଣ୍ଡିତ କରିଦେବା କୌଣସି ଶିକ୍ଷକ ପକ୍ଷରେ ଯେପରି ଅସମ୍ଭବ, ନିଜର ଚେଷ୍ଟା ଓ ଅଭିନିବେଶ ବ୍ୟତୀତ ସ୍ୱୀୟ ସ୍ୱାସ୍ଥ୍ୟ ଓ ମନୁଷ୍ୟତା ଗଠନ କରିବା ଅନ୍ୟ କାହାରି ପକ୍ଷରେ ସେହିପରି ସମ୍ଭବପର ନୁହେ ।

Image

 

ମୋହେନ୍‌-ଜୋ-ଦାରୋ

 

ମାନବସଭ୍ୟତାର ଯେଉଁ ସବୁ ବିବରଣୀ ଇତିହାସର ପୃଷ୍ଠାରେ ଧାରାବାହିକରୂପେ ଲିଖିତ, ତାହା ବ୍ୟତୀତ ଅଲେଖା ହୋଇ ମଧ୍ୟ ଅସଂଖ୍ୟ ବିବରଣୀ ଦେଶର ଭୂମିତଳେ ପ୍ରୋଥିତ ରହିଅଛି । ପ୍ରତି ଉନ୍ନତ ଦେଶର ପ୍ରତ୍ନତତ୍ତ୍ୱ ବିଭାଗମାନ ପ୍ରତିଷ୍ଠିତ ହୋଇ ଭୂମିଖନନ ଦ୍ୱାରା ସମାଧିପ୍ରାପ୍ତ ପ୍ରାଚୀନ ସଭ୍ୟତାକୁ ଆଲୋକକୁ ଆଣୁଅଛି । ବହୁ ଅର୍ଥବ୍ୟୟ ଓ ଅଧ୍ୟବସାୟ ଫଳରେ ଏହି ଖନନକାର୍ଯ୍ୟଦ୍ୱାରା ମାନବ ସଭ୍ୟତାର ନାନା ନୂତନ ତଥ୍ୟ ଓ ବିବରଣୀ ଆବିଷ୍କୃତ ହେଉଅଛି ଏବଂ ମନୁଷ୍ୟର ଜ୍ଞାନରାଜ୍ୟକୁ ବିସ୍ତୃତତର କରୁଅଛି ।

 

ଭାରତବର୍ଷରେ ସରକାରୀ ପ୍ରତ୍ନତତ୍ତ୍ୱ ବିଭାଗ ପ୍ରତିଷ୍ଠିତ ହୋଇଅଛି ଏବଂ ଭାରତର ଦେଶୀୟ ରାଜ୍ୟମାନଙ୍କରେ ଯଥା ଗୋଆଲିଅରର ବାଘଗୁମ୍ପା, ହାଇଦ୍ରାବାଦର ଅଜନ୍ତା ଗୁହା କିମ୍ୱା ମୟୂରଭଞ୍ଜର ଖିଚିଙ୍ଗଠାରେ ମଧ୍ୟ ଏହିପରି କନନକାର୍ଯ୍ୟ ଫଳରେ ବହୁ ତଥ୍ୟ ଆବିଷ୍କୃତ ହୋଇଅଛି-। ବିହାରର ରାଜଗୃହଠାରେ ଖନନ-କ୍ରିୟାଦ୍ୱାରା ପ୍ରାଚୀନ ନାଗରିକ ଜୀବନ, ଶିକ୍ଷା ବା ସଭ୍ୟତା ସମ୍ୱନ୍ଧେ ନାନା ଆଲୋକ ମିଳିଅଛ । ଓଡ଼ିଶାର ନଳତୀଗିରି ବା ପୁଷ୍ପଗିରି ସମୀପରେ ମଧ୍ୟ ଅତୀତ ଯୁଗରେ ଏକ ନଗର ଅବସ୍ଥିତ ଥିବାର ଏବଂ ଗୋଟିଏ ବିଶ୍ୱବିଦ୍ୟାଳୟ ଓ ଛାତ୍ରାବାସ ଥିବାର ହୁଏନ୍‌ସାଙ୍କ ବିବରଣୀରୁ ଜଣାଯାଏ; କିନ୍ତୁ ଭାରତବର୍ଷର ଅନ୍ୟ ଅନେକ ପ୍ରାଚୀନ ସ୍ଥାନ ପରି ଧନ ବା ଅଧ୍ୟବସାୟ ଅଭାବରୁ ଏହା ଅନାବିଷ୍କୃତ ।

 

ଭାରତ ସରକାରଙ୍କ ପ୍ରତ୍ନତତ୍ତ୍ୱବିଭାଗର ସର୍ବବୃହତ୍‌ ଆବିଷ୍କାର ସିନ୍ଧୁପ୍ରଦେଶର ମୋହେନ୍‌-ଜୋ-ଦାରୋ ଓ ପଞ୍ଜାବର ହରପ୍‌ପା ନାମକ ଦୁଇଟି ସ୍ଥାନ । ଉକ୍ତ ଦୁଇଟି ସ୍ଥାନର ଖନନ ଫଳରେ ପୃଥିବୀପୃଷ୍ଠର ଏକ ପ୍ରାଚୀନତମ ସଭ୍ୟତା ଆବିଷ୍କୃତ ହୋଇ ସମଗ୍ର ମାନବଜାତିର ଅତୀତ ଇତିହାସରେ ଯୁମାନ୍ତର ଆଣିଅଛି । ଏହି ଧ୍ୱଂସସ୍ତୂପ ମଧ୍ୟରୁ ଯେଉଁ ଅବଶେଷ ମିଳୁଅଛି, ତାହା ଭାରତୀୟ ସଭ୍ୟତାର ପ୍ରାଚୀନତ୍ୱ ସମ୍ୱନ୍ଧେ ପୂର୍ବତନ ଧାରଣାକୁ ଆମୂଳ ପରିବର୍ତ୍ତିତ କରିଅଛି । ୧୯୨୨ ଖ୍ରୀଷ୍ଟାବ୍ଦ ପୂର୍ବେ, ଯେତେବେଳେ ଏହି ସକଳ ସ୍ତୂପର ଖନନକାର୍ଯ୍ୟ ଆରମ୍ଭ ହୋଇନଥିଲା, ସେତେବେଳେ ପ୍ରାଗବୈଦିକ ଯୁଗର ସଭ୍ୟତାର ନିଦର୍ଶନ ସ୍ୱରୂପ ତମ୍ୱା ଅଥବା ପଥରଦ୍ୱାରା ପ୍ରସ୍ତୁତ ଅସ୍ତ୍ର ବା ଗୃହୋପକରଣ ଭାରତର ନାନା ସ୍ଥାନରୁ ଆବିଷ୍କୃତ ହୋଇଥିଲା; କିନ୍ତୁ ଏହି ସବୁ ବିକ୍ଷିପ୍ତ ବସ୍ତୁକୁ ନେଇ ସେକାଳର ସଭ୍ୟତା ସମ୍ୱନ୍ଧେ ଯଥେଷ୍ଟ ଜ୍ଞାନଲାଭ କରିବା ସମ୍ଭବ ନଥିଲା ।

 

ସେ ପର୍ଯ୍ୟନ୍ତ ପଣ୍ଡିତମାନେ ୠଗ୍‌ବେଦର ସମୟକୁ ହିଁ (ଅର୍ଥାତ୍‌ ଖ୍ରୀଷ୍ଟ ଜନ୍ମର ୧୫୦୦ ବର୍ଷ ପୂର୍ବେ) ଭାରତୀୟ ସଂସ୍କୃତିର ପ୍ରାଚୀନତମ କାଳରୂପେ ନିର୍ଣ୍ଣୟ କରିଥିଲେ; କିନ୍ତୁ ହରପ୍‌ପା ଓ ମୋହେନ-ଜୋ-ଦାରୋର ପ୍ରତ୍ନସମ୍ପଦ ପ୍ରମାଣିତ କରିଅଛି ଯେ ତାହାର ଦୁଇଗୁଣ ବା ଖ୍ରୀଷ୍ଟପୂର୍ବ ତିନିହଜାର ବର୍ଷ ପୂର୍ବେ ଭାରତବକ୍ଷରେ ଏକ ବିଶାଳ ସଭ୍ୟତା ବିରାଜିତ ଥିଲା । ଏହି ସଭ୍ୟତାର ଚିହ୍ନ ସିନ୍ଧୁନଦୀ ତୀରରୁ ଏବଂ ତାହାର ନିକଟବର୍ତ୍ତୀ ବହୁ ସ୍ଥାନକୁ ମିଳିଅଛି । ସେଥିପାଇଁ ତାହା ସିନ୍ଧୁ-ସଭ୍ୟତା ନାମରେ ପରିଚିତ ।

 

ଉକ୍ତ ଆବିଷ୍କାର-ଯଜ୍ଞର ପଟ୍ଟପୁରୋଧା ଥିଲେ ପରଲୋକଗତ ପଣ୍ଡିତ ରଖାଲଦାସ ବନ୍ଦ୍ୟୋପାଧ୍ୟାୟ । ସେ ମହାଶୟ ଇଂରାଜୀରେ ଓଡ଼ିଶାର ଏକ ସୁବୃହତ୍‌ ଇତିହାସ ଲେଖି ଏହି ପ୍ରଦେଶରେ ସୁପରିଚିତ । ମୋହେନ୍‌-ଜୋ-ଦାରୋ ଏବଂ ହରପ୍‌ପାର ସ୍ତୂପ ଆବିଷ୍କାର ପାଇଁ ବନ୍ଦ୍ୟୋପାଧ୍ୟାୟ ମହାଶୟ ଯେଉଁ ଧୈର୍ଯ୍ୟ ଓ ଅଧ୍ୟବସାୟ ସହିତ ସ୍ଥାନେ ସ୍ଥାନେ ବୁଲି ପରୀକ୍ଷା କରିଥିଲେ, ତାହା ତାଙ୍କର ପାଣ୍ଡିତ୍ୟ ସଙ୍ଗେ ସଙ୍ଗେ ତାଙ୍କୁ ଜଣେ ବିଶିଷ୍ଟ ସାଧକରୂପେ ପ୍ରମାଣିତ କରିଅଛି । ପ୍ରତ୍ନତତ୍ତ୍ୱ-ଆବିଷ୍କାର-ଜଗତରେ ସେ ଯେଉଁ ଅକ୍ଷୟ କୀର୍ତ୍ତି ରଖିଯାଇଛନ୍ତି, ସେଥିପାଇଁ ସେ ସ୍ମରଣୀୟ ।

 

ନବାବିଷ୍କୃତ ସିନ୍ଧୁ-ସଭ୍ୟତାର କୌଣସି ବିବରଣ କିମ୍ୱଦନ୍ତୀ କିମ୍ୱା ପ୍ରାଚୀନ ସାହିତ୍ୟରୁ ମିଳେ ନାହିଁ । ମୋହେନ୍‌-ଜୋ-ଦାରୋ ବା ହରପ୍‌ପାରୁ ଯେଉଁ ଲିପି ଆବିଷ୍କୃତ ହୋଇଅଛି, ତାହା ଏ ପର୍ଯ୍ୟନ୍ତ କେହି ପଢ଼ି ବୁଝିବାକୁ ସମର୍ଥ ହୋଇନାହିଁ । ତେବେ ଉକ୍ତ ସ୍ଥାନର ଲୋକମାନଙ୍କର ଉନ୍ନତ ଧରଣର ଗୃହନିର୍ମାଣ, ପଥଘାଟର ବିନ୍ୟାସ ଏବଂ ବ୍ୟବହାର୍ଯ୍ୟ ସାମଗ୍ରୀଗୁଡ଼ିକର ପରିପାଟୀ ସେ ଯୁଗର ରହସ୍ୟକୁ ବହୁ ପରିମାଣରେ ଉଦ୍‌ଘାଟିତ କରିଅଛି ।

 

ସିନ୍ଧୁ-ସଭ୍ୟତା ତାମ୍ର ଏବଂ ପ୍ରସ୍ତର ଯୁଗର ସଭ୍ୟତା । ଏଠାରେ ଲୌହର କୌଣସି ନିଦର୍ଶନ ନାହିଁ ୠକ୍‌ବେଦରେ ମଧ୍ୟ ଲୁହାର ଉଲ୍ଲେଖ କୌଣସିଠାରେ ଦେଖାଯାଏ ନାହିଁ । ବୈଦିକ ସଭ୍ୟତା ସିନ୍ଧୁ ସଭ୍ୟତାର ପରବର୍ତ୍ତୀ ଏବଂ ଏକ ପୃଥକ୍‌ ଜାତି ଦ୍ୱାରା ଏହା ସୃଷ୍ଟି । ତଥାପି ତାମ୍ର-ପ୍ରସ୍ତର ଯୁଗରେହିଁ ଉଭୟ ସଭ୍ୟତାର ଜନ୍ମ । ପଣ୍ଡିତମାନଙ୍କ ମତରେ ସିନ୍ଧୁ ଓ ପଞ୍ଜାବ ପ୍ରଦେଶର ଆବିଷ୍କାର ଦ୍ୱାରା ଯେଉଁ ପ୍ରାଚୀନ ସଭ୍ୟତାର ନିଦର୍ଶନ ମିଳିଅଛି, ତାହା ପ୍ରାଚୀନତର ଏକ ଭିତ୍ତି ଉପରେ ଦଣ୍ଡାୟମାନ ।

 

ସିନ୍ଧୁ-ସଭ୍ୟତାର ନିଦର୍ଶନ ହରପ୍‌ପା ଏବଂ ମୋହେନ୍‌-ଜୋ-ଦାରୋ ମଧ୍ୟରୁ ଶେଷୋକ୍ତ ସ୍ଥାନଟି ଅଧିକ ବିଖ୍ୟାତ । ସିନ୍ଧି ଭାଷାରେ ‘ମୋହେନ୍‌-ଜୋ-ଦାରୋ’ ଶବ୍ଦର ଅର୍ଥ ‘ମୃତର ସ୍ତୂପ’ । ସିନ୍ଧୁ ପ୍ରଦେଶର ଲରକାନା ଜିଲ୍ଲାର ୨୪୦ ଏକରବ୍ୟାପୀ ଏକ ଉର୍ବର ଭୂମି ଉପରେ ମୋହେନ୍‌-ଜୋ-ଦାରୋ ନଗରର ବହୁ ଧ୍ୱଂସସ୍ତୂପ ଦଣ୍ଡାୟମାନ । ସମସ୍ତ ନଗରଟି ବଡ଼ ବଡ଼ ରାସ୍ତା ବା ରାଜପଥଦ୍ୱାରା ବିଭିନ୍ନ ବଜାର ବା ସାହିରୂପେ ବିଭକ୍ତ । ରାଜପଥରେ ବହୁ କୋଠରୀ ପୂର୍ଣ୍ଣ ବଡ଼ ବଡ଼ ଅଟ୍ଟାଳିକାର ନିଦର୍ଶନ ମିଳେ । ରାଜପଥରୁ ଅନେକ ଛୋଟ ଛୋଟ ଗଳିରାସ୍ତା ଯାଇଥିବାର ମଧ୍ୟ ଦେଖାଯାଏ । ଗୋଟିଏ ଗଳିରୁ ଅନ୍ୟ ଗଳିକୁ ବା ରାଜପଥକୁ ଯାତାୟାତ ହେଉଥିଲା । ରାଜପଥ ଉପରେ ଅଟ୍ଟାଳିକାଗୁଡ଼ିକର ସମ୍ମୁଖସ୍ଥ ତଳମହଲରେ ଦୋକାନ ବଜାର ବସୁଥିଲା ଏବଂ ଭିତରେ ଗୃହସ୍ଥମାନେ ବାସ କରୁଥିଲେ ।

 

ମଧ୍ୟଯୁଗର ଗୃହଗୁଡ଼ିକର ଇଟା, ପଥର ବା କାଠ ଉପରେ ଯେପରି ନାନା ବିଚିତ୍ର କାରୁକାର୍ଯ୍ୟ ଦେଖାଯାଏ, ମୋହେନ୍‌-ଜୋ-ଦାରୋର ହର୍ମ୍ୟରେ ତାହା ନାହିଁ । ଉଭୟ କଞ୍ଚା ଓ ପୋଡ଼ା ଇଟାରେ ଗୃହଗୁଡ଼ିକ ନିର୍ମିତ । ଇଟାଗୁଡ଼ିକ ଲମ୍ୱା ଚୌଡ଼ାରେ ଠିକ୍‌ ବର୍ତ୍ତମାନ ଯୁଗର ଇଟା ପରି । ନଗରର ପରିକଳ୍ପନା ମଧ୍ୟ ଅବିକଳ ଆଧୁନିକ ଧରଣର । ଘରଗୁଡ଼ିକରେ ଦୁଆର, ଝରକା ଓ ଉପର ମହାଲାକୁ ପାହାଚ ଥିଲା ଏବଂ ପ୍ରତି ଘରେ ଇଟା କୂଅ ଥିବାର ପ୍ରମାଣ ମିଳେ । ସାଧାରଣ ଲୋକଙ୍କ ବ୍ୟବହାର ପାଇଁ ମଧ୍ୟ ରାଜପଥ ପାର୍ଶ୍ୱରେ ପକ୍କା କୂଅ ଥିଲା । ସହରର ଜଳନିଷ୍କାସନ ପାଇଁ ନାଳ ଓ ବର୍ତ୍ତମାନ ଛୋଟ ଛୋଟ ସହରରେ ପ୍ରଚଳିତ ପକ୍‌କାପାଇଖାନା ପରି ପାଇଖାନା ମଧ୍ୟ ଦେଖା ଯାଏ । ସବୁଠାରୁ ଆଶ୍ଚର୍ଯ୍ୟ ଜିନିଷ, ଗୋଟିଏ ସୁବୃହତ୍‌ ସାଧାରଣ ସ୍ନାନାଗାର । ଏହା ଉତ୍ତର-ଦକ୍ଷିଣରେ ୧୮୦ ଫୁଟ ଦୀର୍ଘ ଓ ପୂର୍ବ ପଶ୍ଚିମରେ ୧୦୮ ଫୁଟ ପ୍ରସ୍ଥ । ଚତୁର୍ଦ୍ଦିଗ ପ୍ରାଚୀର ଦ୍ୱାରା ପରିବେଷ୍ଟିତ । ଏହି ସ୍ନାନାଗାରର ମଧ୍ୟଭାଗରେ ଗୋଟିଏ ପ୍ରାଙ୍ଗଣ ଏବଂ ଉକ୍ତ ପ୍ରାଙ୍ଗଣରେ ପ୍ରାୟ ୨୬ ହାତ ଲମ୍ୱା ଓ ୧୦ ହାତ ଚୌଡ଼ାର ଗୋଟିଏ ସନ୍ତରଣ କୁଣ୍ଡ ଦେଖାଯାଏ ।

 

ନିରାମିଷ-ଖାଦ୍ୟ ମଧ୍ୟରେ ଯବ, ଗହମ, ଖଜୁରୀକୋଳି ଓ ଗାଈ ଦୁଧ ପ୍ରଚଳିତ ଥିବାର ପ୍ରମାଣ ମିଳେ ଏବଂ ଆମିଷ ମଧ୍ୟରେ ମାଛ, ଶୁଖୁଆ, କଇଁଛ, ମେଣ୍ଡା, ଘୁଷୁରି ଓ କୁକୁଡ଼ା ମାଂସ ବ୍ୟବହୃତ ହେଉଥିଲା । ଗୃହପାଳିତ ଜୀବ ମଧ୍ୟରେ ଗୋରୁ, ମଇଁଷି, ମେଣ୍ଡା ହାତୀ, ଓଟ, ଘୁଷୁରି, ଛେଳି ବା କୁକୁଡ଼ା ପ୍ରଭୃତି ଥିବାର ଅନୁମାନ କରାଯାଏ । କୁକୁର ଏବଂ ଘୋଡ଼ାର କଙ୍କାଳ ମଧ୍ୟ ଏଠାରୁ ମିଳିଅଛି; କିନ୍ତୁ ଘୋଡ଼ା ସମ୍ୱନ୍ଧେ ଆଉ କିଛି ବିଶେଷ ପ୍ରମାଣ ଦେଖାଯାଏ ନାହିଁ । ବନ୍ୟଜନ୍ତୁ ମଧ୍ୟରେ ହରିଣ, ବନ୍ୟଗୋରୁ, ଗଣ୍ଡାର, ବାଘ, ବାନର, ଭାଲୁ, ନେଉଳ, ମୂଷା ପ୍ରଭୃତିର ଆକୃତି ପୋଡ଼ା ମାଟି ବା ପଥରର ମୋହର ଉପରେ ଅଙ୍କିତ ଥିବାର ଦେଖାଯାଏ । ସୁନା, ରୂପା, ତମ୍ୱା, ଟିଣ, ସୀସା ଏବଂ ପିତଳ ଧାତୁଦ୍ରବ୍ୟଗୁଡ଼ିକ ପ୍ରଚଳିତ ଥିଲା । ସୁନାରେ ହାର ପ୍ରଭୃତି ଅଳଙ୍କାର ତିଆରି ହୋଇ ଧନୀଗୃହରେ ରୌପ୍ୟପାତ୍ରରେ ତାହା ସଞ୍ଚିତ ହେଉଥିଲା । ତମ୍ୱାଦ୍ୱାରା ବର୍ଚ୍ଛା, ଛୁରୀ, ଖଣ୍ଡା, କୁରାଢ଼ି, ବାସନ, ବଳା ବା ମୁଦି ପ୍ରଭୃତି ପ୍ରସ୍ତୁତ ହେଉଥିଲା ।

 

କିନ୍ତୁ ପଥରର ବ୍ୟବହାର ପ୍ରଚୁର ନଥିଲା । ପଥରର ଶିଳ, ଚକି, ନିକ୍ତି ମୋହର, ଦେବମୂର୍ତ୍ତି, ମାଳି ଓ ଅନ୍ୟାନ୍ୟ ଅଳଙ୍କାର ବ୍ୟତୀତ ଗୃହନିର୍ମାଣରେ ତାହାର ବ୍ୟବହାର ପ୍ରାୟ ଦେଖିବାକୁ ମିଳେ ନାହିଁ ।

 

ମୋହେନ୍‌-ଜୋ-ଦାରୋରେ ନାନାଜାତୀୟ ଲୋକ ବାସ କରୁଥିଲେ । ସେମାନଙ୍କର ଅସ୍ଥି, କଙ୍କାଳ ପ୍ରଭୃତି ଦ୍ୱାରା ଏହା ପ୍ରମାଣିତ ହୋଇଅଛି । ସୁତରାଂ ପୋଷାକ ପରିଚ୍ଛଦ ବିଭିନ୍ନ ଥିଲା-। ଦୁଇଟି ମୂର୍ତ୍ତିରୁ ଦେଖାଯାଏ ଯେ ପୁରୁଷମାନେ ବାମସ୍କନ୍ଧ ଉପରୁ ଦକ୍ଷିଣ କକ୍ଷସ୍ଥଳ ବେଷ୍ଟନ କରି ଉତ୍ତରୀୟ ବ୍ୟବହାର କରୁଥିଲେ । ପୋଡ଼ା ମାଟିରୁ ପୁରୁଷମୂର୍ତ୍ତିଗୁଡ଼ିକର କେବଳ ମସ୍ତକାଭରଣ ବ୍ୟତୀତ ଦେହର ଅବଶିଷ୍ଟ ଅଂଶ ପ୍ରାୟ ନଗ୍ନ ଦେଖାଯାଏ ଏବଂ ନାରୀମୂର୍ତ୍ତିଗୁଡ଼ିକର କଟୀଦେଶହିଁ ବସ୍ତ୍ରଦ୍ୱାରା ଆବୃତ ରହିଥିଲା । ପୁରୁଷମାନେ ନିଶ ଦାଢ଼ୀ ଓ ମୁଣ୍ଡରେ ଦୀର୍ଘ କେଶ ରଖୁଥିଲେ-। ନର୍ତ୍ତକୀ ମୂର୍ତ୍ତିରୁ ମୁଣ୍ଡରେ ଖୋଷା ପକାଇବା ଏବଂ ବେଶୀ ବାନ୍ଧିବାର ପ୍ରମାଣ ମିଳେ । ଉଭୟ ସ୍ତ୍ରୀ ପୁରୁଷହିଁ ହାର, ମୁଣ୍ଡଫିତା, ବଳା ଓ ମୁଦି ବ୍ୟବହାର କରୁଥିଲେ । ସ୍ତ୍ରୀଲୋକମାନଙ୍କ ପାଇଁ ଶଙ୍ଖା ଅଣ୍ଟାସୂତା, କାନଫୁଲ ଓ ଗୋଡ଼ର ମଲ ପ୍ରଭୃତି ସୁନା, ରୂପା, ପିତଳ, ତମ୍ୱା, ହାତୀଦାନ୍ତ ବା ମୂଲ୍ୟବାନ୍‌ ପଥରଦ୍ୱାରା ନିର୍ମିତ ହୋଇଥିଲା । ପୋଡ଼ା ମାଟିପାତ୍ରଗୁଡ଼ିକରେ ଗାଢ଼ ନାଲି ଉପରେ କଳା ରଙ୍ଗରେ ତ୍ରିଭୁଜ, ଚତୁର୍ଭୁଜ ଆଦି ଜ୍ୟାମିତିକ ଚିତ୍ର ଓ ବଳୟ, ପାନିଆ, ମତ୍ସ୍ୟ, ବୃକ୍ଷଲତା ଚକ୍ରିତ ଥିବାର ଦେଖାଯାଏ । ସେଥିରୁହିଁ ଚିତ୍ରବିଦ୍ୟା ସେତେବେଳେ ସ୍ଥଳ ଓ ଅପରିପକ୍ୱ ଅବସ୍ଥାରେ ଥିବାର ପ୍ରମାଣିତ ହୁଏ । ଅକ୍ଷରଗୁଡ଼ିକ ମଧ୍ୟ ଲତା, ପତ୍ର, ତୀର, ମତ୍ସ୍ୟ ବା ନିକ୍ତି ପ୍ରଭୃତି କେତେଗୋଟି ସଙ୍କେତ ମଧ୍ୟରେ ଆବଦ୍ଧ; ତେଣୁ ଏହାକୁ ପାଠ କରିବା ଦୁଃସାଧ୍ୟ ।

 

ମୋହେନ୍‌-ଜୋ-ଦାରୋବାସୀମାନଙ୍କର ଧର୍ମ ସମ୍ୱନ୍ଧେ ଯେଉଁ ପ୍ରମାଣ ମିଳିଅଛି, ତାହା କେବଳ ପଥର ମୋହର ବା ତାମ୍ରଫଳରେ ଖୋଦିତ ଛବି ଏବଂ ମାଟି, ପଥର ବା ଧାତୁନିର୍ମିତ ମୂର୍ତ୍ତି ବ୍ୟତୀତ ଆଉ କିଛି ନୁହେ । ଏଠାରୁ ଯେଉଁ ମାତୃକା ମୂର୍ତ୍ତି ମିଳିଅଛି, ସେହିପରି ମୂର୍ତ୍ତି ପାରସ୍ୟ, ଏଲାମ, ମେସୋପଟେମିଆ, ଏସିଆ ମାଇନର, ସିରିଆ, ପାଲେଷ୍ଟାଇନ, ବଲ୍‌କାନ ଏବଂ ଇଜିପ୍ଟ ପ୍ରଭୃତି ମଧ୍ୟ-ଏସିଆର ସ୍ଥାନମାନଙ୍କରୁ ବହୁ ପରିମାଣରେ ଆବିଷ୍କୃତ ହୋଇଅଛି ଏବଂ ସେ ସକଳ ସ୍ଥାନରେ ଏହି ମାତୃକାପୂଜା ପ୍ରଚଳିତ । ଏଥିରୁହିଁ କେହି କେହି ଅନୁମାନ କରନ୍ତି ଯେ, ଏକ ସମୟରେ ନାଇଲ ନଦୀକୂଳରୁ ସିନ୍ଧୁ ନଦୀ ପର୍ଯ୍ୟନ୍ତ ଗୋଟିଏ ସଭ୍ୟତା ଓ ସଂସ୍କୃତି ବିଦ୍ୟମାନ ଥିଲା-। ଏହି ଦେବୀମୂର୍ତ୍ତି ପରବର୍ତ୍ତୀ କାଳରେ ଆଦ୍ୟା ପ୍ରକୃତି ବା ଶକ୍ତିରୂପେ ହିନ୍ଦୁ-ସମାଜରେ ପୂଜିତ-

 

ମାତୃକା-ପୂଜା ସଙ୍ଗେ ସଙ୍ଗେ ଶିବପୂଜା ପ୍ରଚଳିତ ଥିବାର ଗୋଟିଏ ମୋହରର ଚିତ୍ରରୁ ପ୍ରମାଣିତ ହୋଇଅଛି। ଏଥିରେ ଯୋଗାସନରେ ଉପବିଷ୍ଟ ଏକ ତ୍ରିବକ୍ତ ଦେବମୂର୍ତ୍ତିର ଚତ୍ୟୁପାର୍ଶ୍ୱରେ ବ୍ୟାଘ୍ର, ହସ୍ତୀ, ଗଣ୍ଡାର, ମହିଷ ଏବଂ ନିମ୍ନରେ ମୃଗ ଖୋଦିତ ହୋଇଅଛି । ତେଣୁ ଶିବଙ୍କୁ ଏଠାରେ କେବଳ ମହାଯୋଗୀ ରୂପରେ ନୁହେ, ପଶୁପତି ଭାବରେ ମଧ୍ୟ କଳ୍ପନା କରାଯାଇଅଛି । ଏହିରୂପ କେତେ ଗୋଟି ପ୍ରସ୍ତରମୂର୍ତ୍ତି ମଧ୍ୟ ମୋହେନ୍‌-ଜୋ-ଦାରୋରୁ ମିଳିଅଛି ଏବଂ ଶୈବ ଓ ଶାକ୍ତଧର୍ମକୁ ଭାରତର ପ୍ରାଚୀନତମ ଧର୍ମରୂପେ ପ୍ରମାଣିତ କରିଅଛି ।

Image

 

ବରିସ୍‌ପାସ୍ତରନାକ

 

ପ୍ରସିଦ୍ଧ ରୁଷ କବି ଏବଂ ସାହିତ୍ୟକ ବରିସ୍‌ ପାସ୍ତରନାକଙ୍କର ଦେହାନ୍ତ ଘଟିଛି । ୧୯୫୮ରେ ତାହାଙ୍କୁ ନୋବେଲ ପୁରସ୍କାର ମିଳିଥିବା ଘଟଣାରେ ପୃଥିବୀବ୍ୟାପୀ ଚାଞ୍ଚଲ୍ୟ ଖେଳିଯାଇଥିଲା । ଯେଉଁ ଗ୍ରନ୍ଥ ଲାଗି ପୁରସ୍କାର ଘୋଷିତ ହୋଇଥିଲା, ତାହା କବିତା ନୁହେ, ଉପନ୍ୟାସ । ଗ୍ରନ୍ଥଟିର ନାମ ‘‘ଡକ୍ଟର ଝିବାଗୋ’’ ।

 

ଗ୍ରନ୍ଥଟି ରୁଷ୍‌ ବିପ୍ଲବକୁ ସ୍ୱାଗତ କରୁନଥିବା ଯୋଗୁଁ ରୁଷ ଦେଶରେ ଏହାର ପ୍ରକାଶକୁ ନିଷିଦ୍ଧ କରି ଦିଆଯାଇଥିଲା । ଘଟଣାଚକ୍ରରେ ଇଟାଲିର ଜଣେ ବାମପନ୍ଥୀ ପ୍ରକାଶକ ଡକ୍ଟର ଝିବାଗୋ ଉପନ୍ୟାସଟିକୁ ପ୍ରକାଶ କରନ୍ତି । ତା’ ପରେ ତାହା ନୋବେଲ ପୁରସ୍କାର ଲାଗି ଉପଯୁକ୍ତ ବିବେଚିତ ହୁଏ । ମାତ୍ର ରୁଷ୍‌ର ସୋଭିଏଟ୍‌-ଲେଖକ-ୟୁନିୟନ୍‌ ପ୍ରଥମରୁ ଏହାକୁ ଅଗ୍ରାହ୍ୟ କରି ଦେଇଥିବାରୁ ବର୍ତ୍ତମାନ ତୁମୂଳ ପ୍ରତିବାଦ କରିଥିଲେ ଏବଂ ଗ୍ରନ୍ଥକର୍ତ୍ତା ପାସ୍ତରନାକ୍‌ ଜଣେ ଦେଶଦ୍ରୋହୀ ଓ ପ୍ରଗତିର ଶତ୍ରୁଭାବରେ ଚକ୍ରିତ ହୋଇଥିଲେ । ପୁଣି ଡ଼କ୍ଟର ଝିବାଗୋ ଯେ ଉଚ୍ଚକୋଟିର ଉପନ୍ୟାସ ନୁହେଁ ଏବଂ ଏକ କ୍ଷୟିଷ୍ଣୁ ପ୍ରତିଭାର ଅବସନ୍ନ ସୃଷ୍ଟି ମାତ୍ର ରୁଷ୍‌ ଲେଖକ ୟୁନିୟନ୍‌ ଦ୍ୱାରା ଏହି ଭାବରେ ତାହା ସମାଲୋଚିତ ହେଲା । ଅବଶ୍ୟ ସୋମରସେଟ୍‌ ମୋମ୍‌ଙ୍କ ଭଳି କୌଣସି ରାଜନୈତିକ ମତବାଦ ସହିତ ଜଡ଼ିତ ନଥିବା ଇଂଲଣ୍ଡର ଶ୍ରେଷ୍ଠ ସାହିତ୍ୟକ ମଧ୍ୟ ଉପନ୍ୟାସର କଳା-ଦୃଷ୍ଟିରୁ ଡକ୍ଟର ଝିବାଗୋକୁ ଖୁବ୍‌ ଉଚ୍ଚ ସ୍ଥାନ ଦେଇ ନାହାନ୍ତି । ସେ ଯାହାହେଉ, ଶେଷରେ ପରିସ୍ଥିତି ଏଭଳି ତିକ୍ତ ହୋଇ ପଡ଼ିଲା ଯେ ପାସ୍ତରନାକ ନୋବେଲ ପୁରସ୍କାର ଗ୍ରହଣ କରିବାକୁ ମନା କରିଦେଲେ । କାରଣ ତାହା ଗ୍ରହଣ କରିବାକୁ ଗଲେ ସ୍ୱଦେଶରୁ ମଧ୍ୟ ନିର୍ବାସିତ ହେବାର ଭୟ ଥିଲା ।

 

ଏହି ଘଟଣାର ଦୁଇବର୍ଷ ପରେ ଏବେ ସେ ଚିରକାଳ ପାଇଁ ସକଳ ଜଞ୍ଜାଳରୁ ମୁକ୍ତ ହୋଇ ପୃଥିବୀପୃଷ୍ଠରୁ ମଧ୍ୟ ନିର୍ବାସିତ ହୋଇଛନ୍ତି । ମୃତ୍ୟୁ ସମୟକୁ ତାଙ୍କୁ ୭୦ ବର୍ଷ ହୋଇ ଥିଲା ।

 

କବି ପାସ୍ତରନାକ ଜନ୍ମଲାଭ କରିଥିଲେ, କଳାଚର୍ଚ୍ଚାର ନିବିଡ଼ ବେଷ୍ଟନୀ ଭିତରେ । ତାଙ୍କ ପିତା ଲେନ୍‌ଏଡ଼୍‌ ଥିଲେ ଜଣେ ଚିତ୍ରକର, ପୁଣି ମା’ ଥିଲେ ପିୟୋନୋ-ଓସ୍ତାଦ ଓ ସଙ୍ଗୀତ ଶିଳ୍ପୀ । ତେଣୁ ପିଲାଦିନୁଁ ପାସ୍ତରନାକ ସଙ୍ଗୀତ ଆଡ଼କୁ ଆକୃଷ୍ଟ ହୋଇଥିଲେ । ପରେ ଏହି ସଙ୍ଗୀତ-ପ୍ରୀତିର ବିକାଶ ଘଟିଲା କବିତା ମାଧ୍ୟମରେ ।

 

୧୯୨୧ରେ ତାଙ୍କ ପିତା ରୁଷିଆରୁ ଆସି ଜର୍ମାନୀରେ ରହିଥିଲେ । ଜର୍ମାନୀର ସର୍ବୋଚ୍ଚ କର୍ତ୍ତାରୂପେ ହିଟ୍‌ଲର ଯେତେବେଳେ କ୍ଷମତାକୁ ଆସନ୍ତି, ସେହି ସମୟରେ ସେ ଇଂଲଣ୍ଡ ଯାଇ ସେଠାରେ ପ୍ରାଣତ୍ୟାଗ କଲେ । ଏବେ ପାସ୍ତରନାକଙ୍କର ଜଣେ ଭଉଣୀ ଅକ୍ସଫୋର୍ଡ଼ର ଏକ ଅଧ୍ୟାପକଙ୍କୁ ବିବାହ କରି ଇଂଲଣ୍ଡରେ ରହୁଛନ୍ତି ।

 

ନିଜର ମାତୃଭାଷା ଛାଡ଼ି ବରିସ୍‌ ପାସ୍ତରନାକ୍‌ ଇଂରାଜୀ ଜର୍ମାନୀ ଓ ଫରାସି ଭାଷାରେ ଅନର୍ଗଳ କଥାବାର୍ତ୍ତା କରନ୍ତି । ମସ୍କୋରୁ ପ୍ରାୟ ଚାଳିଶ ମିନିଟ୍‌ର ବାଟରେ ଗୋଟିଏ ଛୋଟିଆ ଗାଁରେ ସେ ରହୁଥିଲେ । ସେହି ଗ୍ରାମରେ ସୋଭିଏଟ୍‌ ଲେଖକ ୟୁନିୟନ ପକ୍ଷରୁ ୧୯୩୦ ଖ୍ରୀଷ୍ଟାବ୍ଦରେ ଏକ ବସତି ସ୍ଥାପିତ ହୋଇଥିଲା ।

 

ଷ୍ଟାଲିନ୍‌ଙ୍କ ମୃତ୍ୟୁପରେ ପ୍ରଥମେ ଡକ୍ଟର ଝିବାଗୋ ବହିର ସମ୍ବାଦ ରୁଷ୍‍ ତ୍ରିକାରେ ପ୍ରକାଶିତ ହୁଏ । କାରଣ ଏକଦା ଜଣେ ନେତୃସ୍ଥାନୀୟ ରୁଷ୍‌ ଲେଖକ ହେଲେହେଁ ୨୦ ବର୍ଷ ପର୍ଯ୍ୟନ୍ତ ପାସ୍ତରନାକ୍‌ ପ୍ରାୟ କିଛି ଲେଖା ପ୍ରକାଶ କରିନଥିଲେ । ରୁଷ୍‌ର ତତ୍କାଳୀନ ରାଜନୈତିକ ତଥା ସାମାଜିକ ପରିସ୍ଥିତିର ବୈପ୍ଳବିକ ଅସ୍ଥିର ଭାବଧାରା ସଙ୍ଗେ ସାହିତ୍ୟ ସୃଷ୍ଟି ଯେପରି କି ବ୍ୟାହତ ହୋଇପଡ଼ିଲା । ଧ୍ୟାନନିଷ୍ଠ କବିପ୍ରାଣର ସୃଷ୍ଟିସ୍ଥିତି ଯେପରି କି ଏକ ପ୍ରଳୟ ବାତ୍ୟାରେ ଆପଣାର ମୂଳକୁ ଖୋଜିପାଇଲା ନାହିଁ । ଏହି ସମୟ ମଧ୍ୟରେ ତାଙ୍କର ଶ୍ରେଷ୍ଠବନ୍ଧୁ କବି ମାୟାକୋଭ୍‌ସ୍କିଙ୍କ ଆତ୍ମହତ୍ୟାରେ ସେ ଦାରୁଣ ଆଘାତ ପାଇଲେ ।

 

ଏହାପରେ ୧୯୫୪ ଏପ୍ରିଲରେ ଡକ୍ଟର ଝିବାଗୋ ଗ୍ରନ୍ଥର ସନ୍ନିହିତ ଦଶଟି ଚମତ୍କାର କବିତା ସୋଭିଏଟ୍‌ ଲେଖକ ୟୁନିୟନ୍‌ ଦ୍ୱାରା ପ୍ରଚାରିତ ‘‘ଜ୍ଞାମ୍ୟ’’ ପତ୍ରିକାରେ ପ୍ରକାଶିତ ହୁଏ । ଏହାର ଉପକ୍ରମଣିକାରେ ପାସ୍ତର୍‌ନାକ୍‌ ଲେଖିଛନ୍ତି ।

 

‘‘ଗ୍ରୀଷ୍ମୠତୁ ମଧ୍ୟରେ ଉପନ୍ୟାସଟି ସମାପ୍ତ ହେବ ବୋଲି ଅନୁମତି ହୁଏ । ଏହାର ବିଷୟବସ୍ତୁ ୧୯୦୩ ଠାରୁ ୧୯୨୯ ମଧ୍ୟରେ ଆବଦ୍ଧ । ଏଥିସଙ୍ଗେ ସଂଲଗ୍ନ ହେବ, ମାତୃଭୂମି ଲାଗି ମହାସମର ସମ୍ପର୍କରେ ଏକ ପ୍ରାନ୍ତ ଅନୁଚିନ୍ତା ।

 

‘‘ଉପନ୍ୟାସର ନାୟକ ୟୁ .ଏ. ଝିବାଗୋ ଜଣେ ଚିକିତ୍ସକ, ଚିନ୍ତାଶୀଳ ପୁରୁଷ । ସୃଜନୀ ଶକ୍ତି ଓ ଶିଳ୍ପୀର ପ୍ରାଣ ଘେନି ତାଙ୍କ ସତ୍ୟାନୁସନ୍ଧିତ୍ସାର ଅବସାନ ଘଟେ ୧୯୨୯ ମୃତ୍ୟୁ ବରଣ କରି-। ଯୌବନକାଳରେ ଲିଖିତ ତାହାଙ୍କ ପାଣ୍ଡୁ ଲିପି ମଧ୍ୟରେ କେତେକ କବିତା ଦେଖିବାକୁ ମିଳେ-। ସେ ସବୁ ଗ୍ରନ୍ଥଶେଷରେ ସନ୍ନିବେଶିତ ହେବ । ସେହି କବିତା ମଧ୍ୟରୁ ଏଠାରେ କେତେକ ପ୍ରକାଶିତ ହେଲା ।’’

 

ପାସ୍ତରନାକ ଏହି ଉକ୍ତି ମଧ୍ୟରେ ନିଜକୁହିଁ ଯେ କବିତା ରଚୟିତା ରୂପେ ପ୍ରଚ୍ଛନ୍ନ ରଖିଛନ୍ତି, ତାହା ସୁଷ୍ପଷ୍ଟ । ନୋବେଲ ପୁରସ୍କାର ଲାଗି ବିବେଚିତ ଗ୍ରନ୍ଥ ସ୍ୱଦେଶରେ ଅନାଦୃତ ହେବା ପୁଣି ଗ୍ରନ୍ଥକାର ଦେଶଦ୍ରୋହୀ ବୋଲି ନିନ୍ଦିତ ହୋଇ ଉକ୍ତ ପୁରସ୍କାରକୁ ପ୍ରତ୍ୟାଖ୍ୟାନ କରିବା ଘଟଣା ନୋବେଲ ପୁରସ୍କାର ଇତିହାସରେ ଏହାହିଁ ପ୍ରଥମ । ଏହି ଘଟଣା ଫଳରେ ରାଜନୀତି ପ୍ରଭାବହିଁ ପ୍ରଧାନ କାରଣ । ଶେଷରେ ଅବସ୍ଥା ଏପରି ତିକ୍ତ ଆକାର ଧରିଲା ଯେ, ପାସ୍ତରନାକଙ୍କ ପକ୍ଷରେ ସ୍ୱଦେଶରୁ ବିତାଡ଼ିତ ହେବାର ପ୍ରଶ୍ନ ମଧ୍ୟ ଉଠିଲା ଏବଂ ମାତୃଭୂମିରେହିଁ କବି ଶେଷ ନିଶ୍ୱାସ ତ୍ୟାଗ କରିବାର ସୁଯୋଗ ପାଇବା ଲାଗି ରୁଷ୍‌ ସରକାରଙ୍କୁ ନିବେଦନ କଲେ । ସେ ନିବେଦନ ଅବଶ୍ୟ ଗୃହୀତ ହେଲା । ମାତ୍ର ଡକ୍ଟର ଝିବାଗୋ ଯେ ପୃଥିବୀରେ ଶୀତଳଯୁଦ୍ଧକୁ ଉତ୍ତେଜିତ କଲା ଭଳି ଏକ ଅସ୍ତ୍ରରୂପେ ବ୍ୟବହୃତ ହେବ, ଏହା ପାସ୍ତରନାକ କଳ୍ପନା କରିପାରି ନଥିଲେ । ଏହାହିଁ ସତ୍ୟ-ଦ୍ରଷ୍ଟା କବି ପକ୍ଷରେ ସବୁଠାରୁ ମର୍ମନ୍ତୁଦ ହେଲା, ନୋବେଲ ପୁରସ୍କାର ନ ପାଇବା କିମ୍ୱା ନିଜ ବାସଭୂମିରୁ ତାଡ଼ନା ପାଇବା ନୁହେ ।

 

ନିଜ ଦେଶର ରାଜନୀତି ଓ ସାମାଜିକ ପରିବର୍ତ୍ତନ ବିରୁଦ୍ଧରେ ଲେଖନୀ ଚଳନା କରି, ଆଉ ସେଠାରେ ଅବସ୍ଥାନ କରିବା ଅବଶ୍ୟ ଅବାନ୍ତର ବୋଧ ହୋଇପାରେ । ଏବଂ ସେଥିଲାଗି ରାଷ୍ଟ୍ର ଯଦି କିଛି ଦଣ୍ଡବିଧାନ କରେ ତାହା ରାଷ୍ଟ୍ର ପକ୍ଷରୁ ଅବା ଅନ୍ୟାୟ ହେବ କାହିଁକି ? ମାତ୍ର କବି ଲେଖକ ଓ ଭାବୁକର ଧର୍ମ ହେଲା ସତ୍ୟର ଅନୁସନ୍ଧାନ । ଡକ୍ଟର ଝିବାଗୋର ସେହି ଅନୁସନ୍ଧାନହିଁ ସାହିତ୍ୟର ଧର୍ମ । ଅସଂଖ୍ୟ ଜନମତ ବିରୁଦ୍ଧରେ ଗଲେ ସୁଦ୍ଧା ତାହାରି ପ୍ରତିଷ୍ଠା କରିବାକୁ ସେ ଲୋଡ଼େ । ସସବୁ ଯୁଗର ଶ୍ରେଷ୍ଠ ସାହିତ୍ୟ ସେହି ବାଣୀକୁହିଁ ପ୍ରଚାର କରି ଆସିଛି । ଜନମତର ଅନ୍ଧତାକୁ ଉଜ୍ଜ୍ୱଳ କରି ଜଳି ଉଠିଚି ସତୀ ସୀତାର ଅଗ୍ନି ପରୀକ୍ଷା । ଦେଶ, କାଳ, ରାଷ୍ଟ୍ର, ରାଜନୀତି, ସବୁରି ଉର୍ଦ୍ଧ୍ୱରେ ଘୋଷିତ ହୋଇଛି ସତ୍ୟର ଆହ୍ୱାନ, ବାସ୍ତବତାର ଆହ୍ୱାନ । ତାହା ଭ୍ରୁକ୍ଷେପ କରେ ନାହିଁ ଦୁଃଖକୁ ପୁଣି ମୃତ୍ୟୁକୁ । ସେହି ଆହ୍ୱାନ ଦେଇ ଏକାଧିକ ନିର୍ଭୀକ କବି, ଭାବୁକ ମତାନ୍ଧ ରାଷ୍ଟ୍ର ଓ ଜନତାର ଶୀକାର ହୋଇ ପଡ଼ିଛନ୍ତି । ସେମାନଙ୍କ ରକ୍ତରେ ପୃଥିବୀର ଇତିହାସ ପୃଷ୍ଠା ରଞ୍ଜିତ । ସେ ଆହ୍ୱାନ ଦେଶ କାଳର ସୀମା ମଧ୍ୟରେ ଆବଦ୍ଧ ନୁହେ । ତାହା ରୁଷ୍‌ କିମ୍ୱା ଆମେରିକାର ପ୍ରଭେଦ, ସ୍ୱୀକାର କରେ ନାହିଁ । ସ୍ୱୀକାର କରେ ନାହିଁ କୌଣସି ଏକ ନିର୍ଦ୍ଧିଷ୍ଟ ରାଜଦରବାର, ରାଜନୀତିକ ସଂସ୍ଥା କିମ୍ୱା ବିଚାରଳୟର କାନୁନ୍‌ । ତାହା ମାନବିକତାର ଆହ୍ୱାନ । ସେଇ ଆହ୍ୱାନ ତୋଳି ପାସ୍ତରନାକ୍‌ ବିଶ୍ୱସାହିତ୍ୟରେ ସହୀଦ ହୋଇଛନ୍ତି ।

Image

 

ଲାବଣ୍ୟବତୀର ଉପେନ୍ଦ୍ର ଭଞ୍ଜ

 

କବିମାତ୍ରେ ଜଣେ ଯାଦୁକର । କୁତ୍ସିତକୁ ସୁନ୍ଦର, ନୀଚକୁ ଉଚ୍ଚ, ଘୃଣାକୁ ପ୍ରେମପୂର୍ଣ୍ଣ ଏବଂ ହୀନକୁ ମହତ୍‌ କରିବାର ଅଦ୍ଭୁତ କର୍ମ କବିର କାଉଁରି କାଠିରେ ହିଁ ସମ୍ଭବପର ହୋଇଥାଏ । ହିସାଂ-ଦ୍ୱେଷ-ଲୋଭ-ମୋହପୂର୍ଣ୍ଣ ପୃଥିବୀକୁ ଚିର ଆନନ୍ଦମୟ, ଆଲୋକମୟ ସ୍ୱର୍ଗଲୋକରେ ପରିଣତ କରିପାରେ-କେବଳ କବି । ଯଥାର୍ଥରେ ସ୍ୱର୍ଗଲୋକର ପରିକଳ୍ପନା କବିକୁଳରହିଁ ଜୀବନ୍ତ ସୃଷ୍ଟି ।

 

ଲାବଣ୍ୟବତୀର ସ୍ରଷ୍ଟା କବିସମ୍ରାଟ ଉପେନ୍ଦ୍ରଭଞ୍ଜ ଏହି ବିଚିତ୍ର ଆଲୌକିକ ଯାଦୁବିଦ୍ୟାରେ ବିଚକ୍ଷଣ । ତାହାଙ୍କର ଏକାଧିକ ରଚନା ମଧ୍ୟରେ ଉପେନ୍ଦ୍ର ଭଞ୍ଜକୁ ଧରିପାରିବା ସବୁଠାରୁ କଠିଣ କାର୍ଯ୍ୟ । ଶ୍ରେଷ୍ଠ ଶିଳ୍ପୀମାନେ ନିଜର ଶିଳ୍ପ ଭିତରେହିଁ ଆତ୍ମଗୋପନ କରିଥାନ୍ତି । ଇଂରାଜୀ ସାହିତ୍ୟର ମହାକବି ସେକ୍‌ସପିଅରଙ୍କୁ ତାଙ୍କ ରଚନା ମଧ୍ୟରେ ପାଇବା ସେହି କାରଣରୁ ଦୁଷ୍କର ବୋଲି ସମାଲୋଚକମାନଙ୍କର ମତ । କବି-ଅନ୍ତର ସକଳ ରସରେ ରସାଣିତ । ବୀର, ବିଭତ୍ସ, କରୁଣ, କୁତ୍ସିତ, ଶୃଙ୍ଗାର, ବାତ୍ସଲ୍ୟ, ଆଦି ସକଳ ରସରେ ଭଞ୍ଜ ଅନୁପ୍ରାଣିତ ହୋଇଛନ୍ତି ଓ ଜୀବନର ପ୍ରତି କ୍ଷେତ୍ରରେ ଗଭୀର ପ୍ରେରଣା ଲାଭ କରିଛନ୍ତି ।

 

ସେକ୍‌ସପିଅରଙ୍କୁ ଯେପରି ଶ୍ରେଷ୍ଠ ଯାଦୁକର ରୂପେ ବର୍ଣ୍ଣନା କରାଯାଏ ଏବଂ ତାଙ୍କର ଟେମ୍ପେଷ୍ଟ ନାଟକରେ ଏହି ଯାଦୁକରି ବିଦ୍ୟାରେ ବିଚକ୍ଷଣତା ଦେଖାଯାଏ, ଲାବଣ୍ୟବତୀ ମହାକାବ୍ୟରେ କବିସମ୍ରାଟ ମଧ୍ୟ ସେହିପରି ଶ୍ରେଷ୍ଠ ଯାଦୁକର ରୂପେ ପ୍ରତିପନ୍ନ ହୋଇଛନ୍ତି । କଳ୍ପନାର ଇନ୍ଦ୍ରଜାଲ ବୁଣିବାରେ କବିସମ୍ରାଟ ଅନତିକ୍ରମଣୀୟ । ସିଂହଳ ରାଜନବରରେ ଐନ୍ଦ୍ରଜାଲିକର ରାମଲୀଳା ପ୍ରଦର୍ଶନ ପୁଣି ଯୋଗିନୀଙ୍କ ମାୟାବଳରେ ଲାବଣ୍ୟବତୀର ଶୟନ କକ୍ଷରେ ଚନ୍ଦ୍ରଭାନୁର ମିଳନ ସଙ୍ଗେ ଟେମ୍ପେଷ୍ଟରେ ପ୍ରସ୍‌ପେରୋଙ୍କ ଯାଦୁବିଦ୍ୟା ବଳରେ ସମୁଦ୍ର ମଧ୍ୟରେ ଝଡ଼ ସୃଷ୍ଟି ଏବଂ ଏରିୟଲ୍‌ ମାଧ୍ୟମରେ ମିରଣ୍ଡା ସହିତ ତାହାର ପ୍ରେମିକ ଫଡ଼ନାଣ୍ଡ୍‌ର ମିଳନ ଚିତ୍ରର ଆଶ୍ଚର୍ଯ୍ୟ ସାମଞ୍ଜସ୍ୟ ଦେଖାଯାଏ । ଘୋର ଅରଣ୍ୟ ଭିତରେ ଏକାକୀ ସୁବର୍ଣ୍ଣମୟ ନଗରରେ ଲାବଣ୍ୟବତୀ ତାହାର ପୂର୍ବଜନ୍ମରେ ବାଞ୍ଛାବତୀ ନାମ ଧାରଣ କରି ଯେତେବେଳେ ଚନ୍ଦ୍ରଭାନୁର ପୂର୍ବଜନ୍ମରେ ପ୍ରେମ-ସନ୍ନ୍ୟାସୀ ପ୍ରଭାକରକୁ ଭେଟିଛି, ସେ ଚିତ୍ର ମନେପକାଇ ଦିଏ ଅରଣ୍ୟବାସିନୀ ମିରଣ୍ଡା ସହିତ ତାହାର ପ୍ରଣୟୀ ଫଡ଼ିନାଣ୍ଡ୍‌ର ମିଳନ ଦୃଶ୍ୟ । ମିରଣ୍ଡା ଯେପରି ତାହାର ନିର୍ବାସନରେ ପ୍ରଥମ ପୁରୁଷକୁ ଦେଖି କହି ଉଠିଛି ‘‘ଆହା ମନୁଷ୍ୟ କି ସୁନ୍ଦର !’’ ଠିକ୍‌ ସେମିତି ନିଜକୁ ପାସୋରି ପକାଇ ସହଜ ଭାବରେ ବାଞ୍ଛାବତୀ ଆତ୍ମସମର୍ପଣ କରିଛି ପ୍ରଭାକରର ବାହୁଯୁଗଳ ମଧ୍ୟରେ । ଉପେନ୍ଦ୍ରଭଞ୍ଜ ଇଂରାଜୀ ଜାଣିନଥିଲେ କିମ୍ୱା ସେକ୍‌ସପିଅରଙ୍କ ନାଟକ ପଢ଼ିନଥିଲେ ମଧ୍ୟ ଦୁଇ ମହାକବିଙ୍କ କଲ୍ପନାରେ ଏହି ଅଭୂତ ସାମଞ୍ଜସ୍ୟ ରହିବା ବିଚିତ୍ର ନୁହେଁ ।

 

ଲାବଣ୍ୟବତୀ ଯଥାର୍ଥରେ ବିଶ୍ୱର ସକଳ ଲାବଣ୍ୟର ଏକ ଚରମ ଆଧାର । କେବଳ ଶରୀର-ଲାବଣ୍ୟ ନୁହେ, ଦେହ ମନ ଚରିତ୍ର ଓ ଆତ୍ମାର । ପୁଣି ରୂପ ବର୍ଣ୍ଣନା ଅନୁରୂପ ଭାଷା ନିର୍ବାଚନ, ଭାବ ପ୍ରକାଶନ ଓ ଉପମା ଅଳଙ୍କାର ଦ୍ୱାରା ରଚନାଶୈଳୀରେ ଅସାଧାରଣ ସୌନ୍ଦର୍ଯ୍ୟ ଫୁଟିଉଠିଛି । ପୁଣି ପ୍ରତି ସର୍ଗର ଛନ୍ଦ ମଧ୍ୟରେ ତାହା ନବ ଭଙ୍ଗୀ ଓ ବିଚିତ୍ର ରୀତିରେ ଗୀତ ହୁଏ । ତେଣୁ ପ୍ରତ୍ୟେକ ସର୍ଗର ପ୍ରଚଳିତ ନାମକରଣ କରାହୋଇଛି ଛାନ୍ଦ । ସଙ୍ଗୀତମୟ ଭାଷା, ଛନ୍ଦ, ଉପମା ଓ ଅଳଙ୍କାରସମଷ୍ଟିରେ ଲାବଣ୍ୟବତୀ ରଚନା ଯେଉଁ ସ୍ୱପ୍ନଲୋକର ଅବତାରଣା କରିଛି, ତାହା ଚିର ନୂତନ, ଚିର ସତେଜ । ଛନ୍ଦ ଓ ଭାଷାର ଚମତ୍କାରିତା ସଙ୍ଗେ ବର୍ଣ୍ଣନାର ଚାତୁରି ପ୍ରତ୍ୟେକ ଚରିତ୍ରକୁ ସୁନ୍ଦର, ମହାନ, ଚାକ୍ଷୁଷ, ମୂର୍ତ୍ତିମନ୍ତ ଓ ବାସ୍ତବ କରି ଗଢ଼ିଛି । ପ୍ରତି ନାରୀ ଚରିତ୍ରର କେଶ ବିନ୍ୟାସଠାରୁ ଆରମ୍ଭ କରି ଚକ୍ଷୁ, ନାସା, କର୍ଣ୍ଣ, ଅଧର, ଦନ୍ତ, ଚିବୁକ, ଗ୍ରୀବା, ବକ୍ଷ, ହସ୍ତ, ପଦ, ନାଭି, ଉରୁ, ଅଙ୍ଗୁଳି ସମେତ ସକଳ ଅବୟବ ବର୍ଣ୍ଣନାରେ କବିଙ୍କର ସୂଷ୍ମଦୃଷ୍ଟିର ପରିଚୟ ମିଳେ ।

 

ବାସ୍ତବିକ କୋଣାର୍କର ଶିଳ୍ପୀ ଭଳି ମହାନ୍‍ କଳ୍ପନା ମଧ୍ୟରେ କବିଙ୍କର ସୂଷ୍ମତମ ଚିନ୍ତା ଲାବଣ୍ୟବତୀର ଛତ୍ରେ ଛତ୍ରେ ପ୍ରତିଭାତ । ରୂପ-ବର୍ଣ୍ଣନା, ଚରିତ୍ର-ଚିତ୍ରଣ, ଋତୁ-ବର୍ଣ୍ଣନା, ବିଚ୍ଛେଦ ମିଳନ, ପୁଣି ଚନ୍ଦ୍ରଭାନୁର ଶିକାର ବର୍ଣ୍ଣନାରେ ଓ କାଳକେୟ ପ୍ରଭୃତି ରାକ୍ଷସମାନଙ୍କର ଦମନରେ ଯେଉଁ ବୀର ରସର ଅବତାରଣା କରାଯାଇଛି, ସବୁରି ଭିତରେ ଏକ ଅବିଚ୍ଛିନ୍ନ କରୁଣ ରସ ଅନ୍ତଃସ୍ରୋତା ଫଲ୍‍ଗୁ ପରି ପ୍ରବାହିତ । କରୁଣ ରସହିଁ କାବ୍ୟକୁ ମାଧୁର୍ଯ୍ୟରେ ମଣ୍ଡିତ କରେ । ଲାବଣ୍ୟବତୀ ମହାକାବ୍ୟର ସାର୍ଥକତା ଏହିଠାରେ ହିଁ ନିହିତ । ପୁଣି ଲାବଣ୍ୟବତୀର ରୂପ ବର୍ଣ୍ଣନା ଯେପରି ଜଗତର ଶେଷବାଣୀ । ସୌନ୍ଦର୍ଯ୍ୟର ଏକ ବିରାଟ ଅଭିଯାନ ମଧ୍ୟରେ ଲାବଣ୍ୟବତୀର ରୂପ ଅଗ୍ରଦୂତ ଭଳି ଦେଦୀପ୍ୟମାନ । ଯୌବନର ପ୍ରଥମ ସ୍ପର୍ଶରେ ସେ ରୂପ ଅଲୌକିକ, ଅତୁଳନୀୟ ହୋଇ ଉଠିଛି । ସଖୀମାନେ ତାହା ଜାଣିପାରି କୌତୁକ ସଙ୍କେତଦ୍ୱାରା ପରିହାସ କରିଛନ୍ତି ଓ ଲାବଣ୍ୟବତୀକୁ ବିଧାନ ଅନୁସାରେ ଗୃହ ମଧ୍ୟରେ ଗୋପନ କରି ରଖିଛନ୍ତି ।

 

‘‘ଘୋଡ଼ାଇଦେଲେ ଯେ ଜରି ଘୋଡ଼ଣୀ’’

ଶମ୍ପାରେ ଆଚ୍ଛାଦିତ ନିଶାମଣି

ରୋପଣ ଚିତ୍ର ଅତୁଳା ପିତୁଳା

କେ କଲା କର କେହି ସ୍ଥିର ହେଲା ସେ

ଅକ୍ଷିପକ୍ଷିୀ ଅଠାକାଠି ଯେ

ଘୋଡ଼ାଇ ଦେଲେ କି ଏହି ଭାବନାରେ କିଛି ଦିନ ଥାଉ ସୃଷ୍ଟି ଯେ ।’’

 

ବିଧାନ ଅନୁସାରେ ପ୍ରଥମ ପୁଷ୍ପବତୀ ଲାବଣ୍ୟବତୀକୁ ଗୋପନରେ ରଖିବାପାଇଁ ସଖୀମାନେ ତାହାର ସର୍ବାଙ୍ଗରେ ଜରିଘୋଡ଼ଣି ଘୋଡ଼ାଇଦେଲେ । ଲାବଣ୍ୟବତୀର ଶୁଭ୍ର ସୁନ୍ଦର ରୂପ ସୂଷ୍ମ ସ୍ୱର୍ଣ୍ଣ ଜରିଘୋଡ଼ଣି ମଧ୍ୟରୁ ବିଦ୍ୟୁତ୍‍ ଦ୍ୱାରା ଚନ୍ଦ୍ର ଆଚ୍ଛାଦିତ ପରି ଦେଖାଗଲା । ସେ ସୌନ୍ଦର୍ଯ୍ୟ ବର୍ଣ୍ଣନାନୀତ । ସ୍ନାନ, ପ୍ରସାଧନ, ଶୟନ, ଗମନ ଆଦି ବିଭିନ୍ନ ଅବସ୍ଥାରେ ଲାବଣ୍ୟବତୀର ରୂପର ବ୍ୟାଖ୍ୟା କରିବାକୁ ଏଠାରେ ସ୍ଥାନାଭାବ । ଏହି ଗୋଟିଏ ମାତ୍ର ଉଦାହରଣ ଅବଶ୍ୟ ଅକିଞ୍ଚିତ୍‍କର; କିନ୍ତୁ ଏହି ଗୋଟିକରେ ଯେଉଁ ବର୍ଣ୍ଣନା ଅତି ସଂକ୍ଷେପରେ କରାଯାଇଛି, ତାହା ପ୍ରଣିଧାନଯୋଗ୍ୟ । ସଖୀମାନେ ଲାବଣ୍ୟବତୀର ରୂପକୁ ଜରି ଘୋଡ଼ଣିରେ ଲୁଚାଇଦେଲେ କାହିଁକି-? କାରଣ ଲାବଣ୍ୟବତୀର ସୌନ୍ଦର୍ଯ୍ୟରେ ସମସ୍ତ ସୃଷ୍ଟିର ଧୈର୍ଯ୍ୟଚ୍ୟୁତି ଘଟିବ ଓ ସୌନ୍ଦର୍ଯ୍ୟର ପ୍ରଳୟରେ ତାହା ଲୁପ୍ତ ହୋଇଯିବ, ଏହିଭଳି ଆଶଙ୍କା କରି ସଖୀମାନେ ଭାବିଛନ୍ତି ‘‘ସୃଷ୍ଟି କିଛିଦିନ ଥାଉ ।’’

 

ଉପେନ୍ଦ୍ର ଭଞ୍ଜଙ୍କ ସମୟରେ ଅର୍ଥାତ୍‍ ମାତ୍ର ଅଷ୍ଟାଦଶ ଶତାବ୍ଦୀରେ ଆଞ୍ଚଳିକତା ବା ପ୍ରାଦେଶିକତାର ସ୍ଥାନ ଯେ ସାହିତ୍ୟରେ ଆଦୌ ନଥିଲା, ଲାବଣ୍ୟବତୀର ପ୍ରଧାନ ନାୟକ ନାୟିକା କର୍ଣ୍ଣାଟ ଓ ସିଂହଳର ହୋଇଥିବା ଘଟଣାରୁହିଁ ତାହା ସ୍ପଷ୍ଟ ପ୍ରମାଣିତ । କୌଣସି ଚରିତ୍ର ବା କୌଣସି ଚିନ୍ତା କିମ୍ୱା ବର୍ଣ୍ଣନା ଭିତରେ କୁତ୍ସିତ କଦର୍ଯ୍ୟ ଆବିଳତା, ସଂକୀର୍ଣ୍ଣତା, କ୍ଷୁଦ୍ରତା ଓ ହୀନତାର ଚିହ୍ନ ମାତ୍ର ନାହିଁ । ପୁଣ୍ୟମୟ ଭାରତ ଭୂମି ଏକ କଳ୍ପଲୋକ ସ୍ୱପ୍ନଲୋକରେ ପରିଣତ । ସବୁ ନାରୀ ପୁରୁଷହିଁ ସୁନ୍ଦର, ମହତ୍‍, ମଧୁର, ମହୀୟାନ ।

 

ଲାବଣ୍ୟବତୀ ଏକ ଶୀର୍ଷସ୍ଥାନୀୟ ସୌକୁମାର୍ଯ୍ୟ ସୃଷ୍ଟିର ଚରମ ନିଦର୍ଶନ । ଶକୁନ୍ତଳାଙ୍କ ପ୍ରତି ଜର୍ମାନ ମହାକବି ଗ୍ୟେଟେଙ୍କର ପ୍ରଶଂସା ମଧ୍ୟ ଲାବଣ୍ୟବତୀ ପ୍ରତି ପ୍ରଯୁଜ୍ୟ ହୋଇପାରେ-‘‘ମୁଁ ତୁମର ନାମ ଉଚ୍ଚାରଣ କରିବା ମାତ୍ରେ ଆଗୋ ଲାବଣ୍ୟବତୀ ବିଶ୍ୱର ସକଳ ସୌନ୍ଦର୍ଯ୍ୟହିଁ ସେହି ଗୋଟିଏ କଥାରେ ଉଚ୍ଚାରିତ ହୁଏ ।’’

Image

 

ରବୀନ୍ଦ୍ର-ସାହିତ୍ୟରେ ବିଶ୍ୱପ୍ରେମ

 

ଅସଂଖ୍ୟ ଅବିରାମ ଲୀଳାୟିତ ସୃଷ୍ଟିର ସ୍ୱରୂପ-ବହୁ ବିଚିତ୍ର ରସ ଓ ଛନ୍ଦରେ ତାହା ରସାନ୍ୱିତ ଓ ଧ୍ୱନିତ । ଯୁଗେ ଯୁଗେ ସାହିତ୍ୟ ଏହି ଛନ୍ଦକୁ ଗ୍ରହଣ କରିବାକୁ, ନବ ନବ ରଙ୍ଗରେ ସ୍ୱୟଂ ରଞ୍ଜିତ ହେବାକୁ ଓ ଛନ୍ଦରେ ଧ୍ୱନିତ ହେବାକୁ ଉଦ୍ୟମ କରେ । ଏହି ଅଦ୍ଭୁତ ବିଶ୍ୱ ସୃଷ୍ଟିର ମର୍ମାନୁଭୂତି ଲାଗି ସାହିତ୍ୟର କି ଅଦମ୍ୟ ପ୍ରୟାସ ! ଦେଶ, ଜାତି, ବର୍ଣ୍ଣ, ଗୋଷ୍ଠୀ ନିର୍ବିଶେଷରେ ମାନବ ସମାଜରେ ଯେଉଁ ଚିରନ୍ତନ ସତ୍ୟ ଆବହମାନ କାଳରୁ ନୂତନ ଭାଷାଭଙ୍ଗୀ ମଧ୍ୟରେ ଆତ୍ମପ୍ରକାଶ କରେ ତାହାରି, ପରିଚର୍ଯ୍ୟାରେ ସକଳ ଶ୍ରେଷ୍ଠ ସାହିତ୍ୟ ନିୟୋଜିତ ।

 

ରବୀନ୍ଦ୍ରନାଥଙ୍କ ବିପୁଳ ରସସୃଷ୍ଟି ମଧ୍ୟରେ ଏହି ସତ୍ୟର ହିଁ ସନ୍ଧାନ ମିଳେ । ଯାହା ଭାଷା ଧର୍ମ ନିର୍ବିଶେଷରେ ସକଳ ଦେଶରେ ସାଧାରଣ ସତ୍ୟରୂପେ ଗୃହୀତ-କବିତା, ସଙ୍ଗୀତ, ନାଟକ, ଉପନ୍ୟାସ, ଗଳ୍ପ ଆଦି ବିଭିନ୍ନ ଆକାରରେ ଏହି ସର୍ବଦେଶୀୟ ଏବଂ ସର୍ବଯୁଗୀୟ ସତ୍ୟହିଁ ଅପରୂପ ରସ ମାଧୁର୍ଯ୍ୟରେ ମହିମାମୟ । ଏହି ସତ୍ୟକୁ ଆତ୍ମସ୍ଥ କରିବାକୁ ଯାଇ ବାରମ୍ୱାର କବି ହାରି ଯାଇଛନ୍ତି । ବାରମ୍ୱାର ପରାଜିତ ପ୍ରାଣ କାନ୍ଦି ଉଠିଛି । ରସ-ଜଳଧିରେ ବୁଡ଼ି ସେ ସର୍ବ ଦିଗରେ ଛନ୍ଦର ଜାଲ ମଧ୍ୟରେ ନିଜକୁ ଛନ୍ଦି ହୋଇଥିବାର ଅନୁଭବ କରିଛନ୍ତି । ରୂପ ମଧ୍ୟରେ ଅରୂପର ସ୍ପର୍ଶ, କ୍ଷୁଦ୍ର ମଧ୍ୟରେ ବୃହତ୍ତମର ଚେତନାରେ ଅଭିଭୂତ କବିର ଅନ୍ତର । ବ୍ୟକ୍ତି ଯେଉଁଠାରେ ବ୍ୟଷ୍ଟି ମଧ୍ୟରେ ଆପଣାକୁ ପାଏ, ଜୀବାତ୍ମା ପରମାତ୍ମାରେ ବିଲୀନ ହେବାକୁ ଲୋଡ଼େ, ଜାତୀୟତା ଉପଲବ୍‍ଧି କରେ ଆନ୍ତର୍ଜାତୀୟ ଭାବଧାରାକୁ । ରବୀନ୍ଦ୍ରନାଥଙ୍କ ସାଧନାର ବୈଶିଷ୍ଟ୍ୟ ସେହିଠାରେ । ସୀମା ମଧ୍ୟରେ ଅସୀମର ଅବକାଶହିଁ ତାହାଙ୍କ ଦର୍ଶନ ।

 

ରବୀନ୍ଦ୍ର ସାହିତ୍ୟର ପ୍ରାରମ୍ଭ କାଳରୁ ହିଁ ବିଶ୍ୱ ପ୍ରେମର ଆବାହନ କରାଯାଇଛି–

 

‘‘ହୃଦୟ ଆଜି ମୋର କେସନେ ଗଲା ଖୋଲି

ଜଗତ ଆସି ତହିଁ କରୁଛି କୋଳାକୋଳି ।’’

 

‘‘ଜୀବନ-ସ୍ମୃତି’’ରେ କବିଙ୍କର ଏହି ଅବିସ୍ମରଣୀୟ ସ୍ୱୀକୃତି । ଶୈଶବରେ ଏକ ସୁପ୍ରଭାତରେ କବି ଅନ୍ତରରେ ବିଶ୍ୱର ଅନ୍ତର ପ୍ରତିଭାତ ହେଲା । ଏହା ଯେପରି ବାଇବଲ୍‍ ବର୍ଣ୍ଣିତ ବିଶ୍ୱ-ସୃଷ୍ଟିର ଆଦିମ ବର୍ଣ୍ଣନାକୁ ମନେପକାଇ ଦିଏ–ଦୁର୍ଭେଦ୍ୟ ନିବିଡ଼ ଅନ୍ଧକାର ମଧ୍ୟରେ ଆଲୋକର ପ୍ରଥମ ଜନ୍ମ । ସ୍ରଷ୍ଟାର ନିର୍ଦ୍ଦେଶ–ଆଲୋକ ଏବଂ ଘୋର ତମସାକୁ ଦୂର କରି ଆଲୋକର ଉତ୍ପତ୍ତି । ସେହି ଆଲୋକର ସଚକିତ ସ୍ପର୍ଶ ସକଳ ମନୁଷ୍ୟ ଦୃଷ୍ଟିରେ କେଉଁ ଶୁଭ ମୁହୂର୍ତ୍ତରେ ଘଟିଯାଏ, କବି ଓ ସ୍ରଷ୍ଟା ହିଁ କେବଳ ତାହାକୁ ଦର୍ଶନ କରନ୍ତି ଏବଂ ବିଶ୍ୱର ସକଳ ଦ୍ୱାର ତାଙ୍କ ସମକ୍ଷରେ ଉନ୍ମୁକ୍ତ ହୁଏ-। ସମଗ୍ର ଜଗତରେ ସେହି ଆଲୋକର ମିଳନ-ଶଙ୍ଖ ସଦା ମନ୍ଦ୍ରିତ ।

 

ରବୀନ୍ଦ୍ରନାଥ ଏହି ମିଳନର ପୂଜାରୀ । ସକଳ କବି ଓ ଧର୍ମପୋଦେଷ୍ଟା ଯେଉଁ ବିଶ୍ୱ-ମୈତ୍ରୀର ବାଣୀ ଉଚ୍ଚାରଣ କରିଛନ୍ତି, ରବୀନ୍ଦ୍ର-ସାହିତ୍ୟର ମର୍ମବାଣୀ ତାହାହିଁ । ଯେଉଁଠାରେ ବର୍ଣ୍ଣଭେଦ, ଜାତିଭେଦ, ଧନୀ ଓ ଦରିଦ୍ର ଭେଦ, ମୂଲିଆ ଓ ମାଲିକର ଭେଦ, ସରଳ ଓ ଦୁର୍ବଳର ଭେଦ ନିହିତ, ସେହିଠାରେ ହିଁ ଦ୍ୱେଷ ଈର୍ଷା, ହିଂସା ଓ ସଂଘର୍ଷର ସୂତ୍ରପାତ । ରବୀନ୍ଦ୍ର-ରଚନା-ବଳୀରେ ଏହି ଭେଦରାଶିକୁ ମିଥ୍ୟା ଓ ଅବାସ୍ତବ ରୂପେ ପ୍ରମାଣ କରିବାର ଏକ ବିଧିବଦ୍ଧ ମୌଳିକ ପ୍ରଚେଷ୍ଟା ପରିଲକ୍ଷିତ ।

 

ଜୀବନ ଦେବତା ଓ ବିଶ୍ୱ ଦେବତା କଥା ଦୁଇଟିର ପୁନରାବୃତ୍ତି ଭାରତୀୟ ସନ୍ଥ ଓ ଭକ୍ତ କବିମାନଙ୍କ ରଚନାବଳୀର ପ୍ରଧାନ ଉପଜୀବ୍ୟ । ଓଡ଼ିଆ ଭଜନଗୁଡ଼ିକରେ ଜୀବ ଓ ପରମର ବିଚାର ନାମରେ ତାହା ଗ୍ରଥିତ । ମାନବ ଜୀବନର ଏହି ସକଳ ଚିରନ୍ତନ ସତ୍ୟ ହିଁ କବୀର, ତୁଳସୀ ଦାସ, ତୁକାରାମ, ସୁରଦାସ, ମୀରାବାଈ ପ୍ରମୁଖ ଭକ୍ତମାନଙ୍କ ରଚନାରେ ପ୍ରତିବିମ୍ୱିତ ।

 

‘‘ସୋନାର ତରୀ’’, ‘ମାନସୀ’, ‘ଚିତ୍ରା’, ‘ବଳାକା’ ଏବଂ ଶତ ସହସ୍ର କବିତା ଓ ସଙ୍ଗୀତ ମାଧ୍ୟମରେ ଯେଉଁ ହୃଦୟାବେଗ ଓ ଭବୋଚ୍ଛ୍ଵାସ ପ୍ରକାଶ ଲଭିଛି, ତାହାର ଚରମ ନିବେଦନ ସମାପ୍ତ ହୋଇଛି ବିଶ୍ୱ-ପ୍ରେମରେ । ଅସଂଖ୍ୟ ବନ୍ଧନ ମଧ୍ୟରେ ମୁକ୍ତିର ସ୍ୱାଦ ଲାଭ କରିବାହିଁ କବିଙ୍କର ଏକାନ୍ତ ଆକାଂକ୍ଷା । ସମଗ୍ର ବିଶ୍ୱକୁ ଏକକ ରୂପେ ଅନୁଭବ କରିବା ତାଙ୍କର ଅଦ୍ୱୈତ ସାଧନା । ‘‘ଜଗତ ମଧ୍ୟରେ ଆମ୍ଭମାନଙ୍କର ଏପରି ‘ଏକ’ ନାହିଁ ଯାହା ଚିରଦିନ ଅବଲମ୍ବନୀୟ । ପ୍ରକୃତି କ୍ରମାଗତ ଆମ୍ଭମାନଙ୍କୁ ଏକରୁ ଏକାନ୍ତରକୁ ଘେନି ଯାଉଛି–ଗୋଟିକୁ କାଢ଼ି ନେଇ ଆଉ ଗୋଟିକୁ ଦେଉଛି । ଆମ୍ଭମାନଙ୍କ ଶୈଶବର ଏକ ଯୌବନର ଏକ ନୁହେଁ । ଯୌବନର ଏକ ବାର୍ଦ୍ଧକ୍ୟର ଏକ ନୁହେଁ । ଇହଜନ୍ମର ଏକ ପରଜନ୍ମର ଏକ ନୁହେଁ । ଏହି ରୂପେ ଶତ ସହସ୍ର ଏକ ମଧ୍ୟରେ ପ୍ରକୃତି ଆମ୍ଭମାନଙ୍କୁ ସେହି ଏକ ମହତ୍‍ ‘ଏକ’ର ଦିଗରେ ଘେନି ଯାଉଛି । ସେହି ଦିଗରେ ହିଁ ଆମ୍ଭମାନଙ୍କୁ ଅଗ୍ରସର ହେବାକୁ ପଡ଼ିବ-ପଥ ମଧ୍ୟରେ ବଦ୍ଧ ହୋଇ ରହିବାକୁ ମୁଁ ଆସି ନାହିଁ-ମୁଁ ବୈରାଗ୍ୟ ଶିଖାଉଛି । ଅନୁରାଗକୁ ବଦ୍ଧ କରି ନ ରଖିଲେ ତାହାକୁ ହିଁ ବୈରାଗ୍ୟ ବୋଲାଯାଏ । ଅର୍ଥାତ୍‍ ବୃହତ୍‍ ଅନୁରାଗକୁ ହିଁ ବୈରାଗ୍ୟ କହନ୍ତି । ପ୍ରକୃତିର ବୈରାଗ୍ୟ ଦେଖ । ସେ ସମସ୍ତଙ୍କୁ ଭଲ ପାଏ ବୋଲି କାହାରିପାଇଁ ଶୋକ କରେ ନାହିଁ । ତାହାର ଦୁଇ ଚାରିଟା ଚନ୍ଦ୍ର ସୂର୍ଯ୍ୟ ଚୂନା ହୋଇଗଲେ ମଧ୍ୟ ପ୍ରକୃତିର ମୁଖ ଅନ୍ଧକାର ହୁଏ ନାହିଁ । ଅଥଚ ଗୋଟିଏ ସାମାନ୍ୟ ତୃଣର ଅଗ୍ରଭାଗରେ ମଧ୍ୟ ତାହାର ଅସୀମ ହୃଦୟର ସମସ୍ତ ଯତ୍ନ, ସମସ୍ତ ଆଦର ଅବସ୍ଥିତ । ତାହାର ଅନନ୍ତ ଶକ୍ତି କାର୍ଯ୍ୟ କରୁଛି-ଅପ୍ରତିହତ ଜାହ୍ନବୀ ପରି ଅଖଣ୍ଡ ପ୍ରବାହିତ ପ୍ରେମର ସ୍ରୋତ । ତାହାର ପ୍ରବହମାନ ସ୍ରୋତ ଉପରେ ସିଲ୍‍ ମୋହର ମାରି ଦେଇ ମୋର ବୋଲି କେହି ଧରି ରଖିପାରିବ ନାହିଁ । ସେ ଜନ୍ମରୁ ଜନ୍ମାନ୍ତରକୁ ପ୍ରବାହିତ ହେବ । ବିସ୍ମୃତି ମଧ୍ୟରେ ବୈଚିତ୍ର୍ୟ ଓ ବୈଚିତ୍ର୍ୟ ମଧ୍ୟରେ ଅସୀମ-ଏକର ଅଭିମୁଖରେ କ୍ରମାଗତ ଧାବମାନ ହେବାକୁ ପଡ଼ିବ । ଅନ୍ୟପଥ ମୁଁ ଦେଖୁନାହିଁ ।

 

ରବୀନ୍ଦ୍ର-ସାହିତ୍ୟରେ ଏହି ରୂପ ଐକ୍ୟବୋଧ କିମ୍ବା ଭେଦବାଧାହୀନ ଅଦ୍ୱୈତବାଦ ଛତ୍ରେ ଛତ୍ରେ ନିହିତ । ତାଙ୍କର ‘ଗୋରା’ ଉପନ୍ୟାସରେ ପ୍ରାଚ୍ୟ ପାଶ୍ଚାତ୍ୟର ମିଳନ ପରିଷ୍ଫୁଷ୍ଟ । ସାମ୍ରାଜ୍ୟବାଦର ପକ୍ଷପାତୀ ଇଂରେଜ କବି ରଡ଼ିୟାଡ଼୍‍ କିପ୍‍ଲିଙ୍ଗ୍ ଙ୍କର ସେହି ଭେଦୋକ୍ତି-‘The east is east, the west is west and the two can never meet,’’ ଅର୍ଥାତ୍‍ ପ୍ରାଚ୍ୟ ତାହାର ସ୍ୱତନ୍ତ୍ରତା ଯୋଗୁଁ ଯେପରି ପ୍ରାଚ୍ୟ ନାମରେ ଅଭିହିତ, ପାଶ୍ଚାତ୍ୟ ମଧ୍ୟ ସେହିପରି ଏବଂ ଦୁହିଁଙ୍କ ମଧ୍ୟରେ ମିଳନ ଅସମ୍ଭବ । ରବୀନ୍ଦ୍ରନାଥଙ୍କ ‘ଗୋରା’ ଚରିତ୍ର ଏହି ଉକ୍ତିକୁ ଅପ୍ରମାଣ କରିବାକୁ ଉଦ୍ୟତ ।

 

ଧମନୀରେ ପାଶ୍ଚାତ୍ୟ ରକ୍ତ ଘେନି ‘ଗୋରା’ ପ୍ରାଚ୍ୟ ସଂସ୍କୃତିରେ ଲାଳିତ ପାଳିତ ହୋଇଛି । ଯେତେବେଳେ ଯୌବନାବସ୍ଥାରେ ସେ ଜାଣିପାରିଛି ଯେ ତାହାର ଦେଶ ଜାତି ଓ ଧର୍ମ ପ୍ରାଚ୍ୟ ନୁହେଁ, ପାଶ୍ଚତ୍ୟ; ଆଜନ୍ମରୁ ନିଜର ଜନନୀ ବୋଲି ଯାହାକୁ ବିଶ୍ୱାସ କରି ଆସିଥିଲା ସେ ତାହାର ଜନନୀ ନୁହେଁ, କେବଳ ପାଳୟତ୍ରୀ; ସେତେବେଳେ ତାହାର ବିଶ୍ୱାସ ଉପରେ ଯେଉଁ ଚମର ଆଘାତ ଲାଗିଥିଲା, ଗୋରାର ଚାରତ୍ରିକ ଦ୍ୱନ୍ଦ ଓ ବିଫଳତା ସେ ଆଘାତରେ ହାହାକାର କରି ଉଠିଛି । ଯେଉଁ ପ୍ରାଚ୍ୟ ସଂସ୍କୃତି ଦେବ ବେଦୀ ଓ ପୂଜା ପର୍ବକୁ ସେ ଏକାନ୍ତ ଆତ୍ମୀୟ ବୋଲି ବିଚାର କରି ଆସିଥିଲା, ଦିନେ ତାହା ନିଜର ଜନ୍ମ ଏବଂ ପିତାମାତାଙ୍କ ପରିଚୟ ସମ୍ୱାଦରେ ହଠାତ୍‍ ଦୂରରୁ ଦୂରତର ହୋଇଯାଇଛି । ଆପଣାକୁ ପର ବୋଲି ଭାବିବାକୁ ଯାଇ ଗୋରା ଯେଉଁ ଦୋଳାୟିତ ସଂଶୟ-ଜାଲରେ ପତିତ ହୋଇଛି, ତାହା କେବଳ ରବୀନ୍ଦ୍ରନାଥଙ୍କର ଦ୍ୱନ୍ଦ ନୁହେଁ, ସମଗ୍ର ବିଶ୍ୱବାସୀର ମାନସିକ ଦ୍ୱନ୍ଦ । ସେ ଦ୍ୱନ୍ଦକୁ ଶିଳ୍ପୀ ଅପୂର୍ବ କୌଶଳ ଓ ଚତୁରତାର ସହିତ ଉପସ୍ଥାପିତ କରି ବିଶ୍ୱମାନବ ଯେ ଦ୍ୱିଧାହୀନ ଏକ ଅବିଚ୍ଛେଦ୍ୟ ଗୋଷ୍ଠୀ ଓ ସଂସ୍କୃତିର ଅନ୍ତର୍ଭୁକ୍ତ, ସେହି ଚରମ ସତ୍ୟର ପ୍ରତିପାଦନ କରିଛନ୍ତି ।

 

କ୍ଷୁଦ୍ର ଗଳ୍ପ ରଚନାରେ ସିଦ୍ଧହସ୍ତ ରବୀନ୍ଦ୍ରନାଥଙ୍କ ‘‘କାବୁଲିବାଲା’’ଙ୍କ ଗଳ୍ପଟିକୁ ଅନ୍ୟତମ ନିଜର ରୂପେ ଗ୍ରହଣ କରାଯାଇପାରେ । ଅର୍ଥଲୋଭୀ ନୃଶଂସ ପ୍ରକୃତିର କାବୁଲିବାଲାର ହୃଦୟ ସହସ୍ର ସହସ୍ର କୋଶ ଦୂରରେ କିପରି ନିଜ ଶିଶୁର ସ୍ମରଣରେ ଗୋଟିଏ ଅନ୍ୟ ଧର୍ମ ଓ ପୃଥକ୍‍ ଜାତିର ଭାରତୀୟ ଶିଶୁ ପ୍ରତି ମମତାପୂର୍ଣ୍ଣ ହୋଇ ଉଠିଛି, ମାନବୀୟ ସ୍ନେହ, ପ୍ରେମ, ଶ୍ରଦ୍ଧା, ଭକ୍ତି ଆଦି ସୁମହିତ୍‍ ଗୁଣଗୁଡ଼ିକ ଯେ ଦେଶ ଜାତି ଧର୍ମର ବାଧା ବନ୍ଧନକୁ ଅସ୍ୱୀକାର କରେ, ଗଳ୍ପ ଭିତରେ ସେହି ସତ୍ୟର ସାର୍ଥକତା ରୂପ ଲାଭ କରିଛି । କିନ୍ତୁ ରବୀନ୍ଦ୍ରନାଥଙ୍କ ବିଶ୍ୱ-ପ୍ରେମ ଅନ୍ଧ ନୁହେଁ । ତାହା ବିଶ୍ୱକୁ ସଂପୂର୍ଣ୍ଣ ରୂପେ ବୁଝିବାରେ, ଆପଣାର କରିବାରେ, ତାହାର ଆଲୋକ ଅନ୍ଧାର, ଦୁଃଖ ସୁଖ, କୁତ୍ସିତ ସୁନ୍ଦର ସକଳ ଦିଗକୁ ତନ୍ନ ତନ୍ନ କରି ଦେଖିବାରେ ପର୍ଯ୍ୟବସିତ । ପୃଥିବୀକୁ ନମସ୍କାର କରି ସେ କହିଛନ୍ତି–

 

ଆଜି ମୋର ପ୍ରଣତି ଗ୍ରହଣ କର ପୃଥିବୀ,

ଶେଷ ନମସ୍କାରେ ଅବନତ

ଦିବାବସାନର ବେଦିତଳେ ।

ମହା ବୀର୍ଯ୍ୟବତୀ-ତୁମେ ବୀର ଭୋଗ୍ୟା ।

ଲଳିତ କଠୋର ତୁମେ ବିପରୀତ-

ପୁରୁଷ ନାରୀର ମିଶ୍ରିତ ତୁମରି ପ୍ରକୃତି

ମନୁଷ୍ୟର ଜୀବନ ଦୋଳାୟିତ କର ତୁମେ ଦୁଃସହ ଦ୍ୱନ୍ଦେ ।

ଦକ୍ଷିଣ ହସ୍ତରେ ତୁମେ ପୂର୍ଣ୍ଣକର ସୁଧା

ବାମ ହସ୍ତେ ଚୂର୍ଣ୍ଣ କର ପାତ୍ର

ତୁମ ଲୀଳା କ୍ଷେତ୍ର କର ମୁଖରିତ ଅଟ୍ଟ ବିଦ୍ରୂପରେ ।

ଦୁଃସାଧ୍ୟ କର ବୀରର ଜୀବନକୁ

ଅଧିକାର ଯା’ର ମହତ୍‍ ଜୀବନରେ ।

ଶ୍ରେୟକୁ କର ଦୁର୍ମୂଲ୍ୟ

କୃପା କର ନାହିଁ କୃପାପାତ୍ରକୁ ।

ତୁମରି ବୃକ୍ଷେ ବୃକ୍ଷେ ପ୍ରଚ୍ଛନ୍ନ ରଖିଛ

ପ୍ରତି ମୁହୂର୍ତ୍ତରେ ସଂଗ୍ରାମ ।

ଫଳ ଶସ୍ୟେ ତାହାର ଜୟମାଲ୍ୟ ହୁଏ ସାର୍ଥକ୍ୟ ।

ଜଳେ ସ୍ଥଳେ ତୁମରି କ୍ଷମାହୀନ ରଣରଙ୍ଗଭୂମି

ସେହିଠାରେ ମୃତ୍ୟୁ ମୁଖେ ଘୋଷିତ ହୁଏ

ବିଜୟୀ ପ୍ରାଣର ଜୟବାର୍ତ୍ତା ।

ତୁମରି ନିର୍ଦ୍ଦୟତା ଭିତ୍ତିରେ ଉଠିଚି

ସଭ୍ୟତାର ଜୟ ତୋରଣ ।

 

କବି ସେହି ଜୟ-ତୋରଣ ସମକ୍ଷରେ ନମସ୍କାର ଜଣାଇଛନ୍ତି । ହୃଦୟାବେଗରେ ସମଗ୍ର ବିଶ୍ୱକୁ ପ୍ରେମାଲିଙ୍ଗନ ଦେବାକୁ ଯାଇ ନିଜର ଅକିଞ୍ଚନତା ବ୍ୟଥିତ କବିପ୍ରାଣକୁ ପଦେ ପଦେ ଲଜ୍ଜ୍ୟା ଦେଇଛି–

ମନୁଷ୍ୟର କେତେ କୀର୍ତ୍ତି, କେତେ ନଦୀ ଗିରି ସିନ୍ଧୁ ମରୁ

କେତେ ଯେ ଅଜଣା ଜୀବ, କେତେ ଯେ ଅପରିଚିତ ତରୁ

ରହିଗଲା ଅଗୋଚରେ । ବିଶାଳ ବିଶ୍ୱର ଆୟୋଜନ । ତଥାପି ଏଇ ପରିଚିତ ଏବଂ ଅପରିଚିତ ବିଶ୍ୱର ସଂଗୀତ ମୁହୁର୍ମୁର୍ହୁ କବି ଅନ୍ତରକୁ ଆନ୍ଦୋଳିତ କରିଛି । ଅତି ନିକଟରେ ଥାଇ ମଧ୍ୟ ଯାହା ଦୂରତର ଓ ଅଜଣା, ସାହିତ୍ୟ ସଂଗୀତରେ ତାହାକୁ ଆପଣାର କରିବାକୁ ସେ ବ୍ୟାକୁଳ ହୋଇଛନ୍ତି । ଜୀବନର ସବୁ ଫାଙ୍କକୁ ସେ ପୂର୍ଣ୍ଣ କରିବାକୁ ଲୋଡ଼ିଛନ୍ତି ।

ଏଇ ସ୍ୱର ସାଧନାରେ ନ ଛୁଇଁଲା ବହୁତ ଯେ ଡ଼ାକ

ରହିଗଲା ଫାଙ୍କ

କଳ୍ପନାରେ ଅନୁମାନି ଧରିତ୍ରୀରେ ମହା ଏକତାନ

କେତେ ଯେ ନିସ୍ତବ୍‍ଧ କ୍ଷଣେ ପୂର୍ଣ୍ଣ କରିଅଛି ମୋରପ୍ରାଣ ।

କବି ତନ୍ତ୍ରୀର ଯେଉଁ ଐକ୍ୟତାନ ଅନୁରଣିତ, ତାହା ତାଙ୍କର ନିଜସ୍ୱ ନୁହେ, ସମଗ୍ର ବିଶ୍ୱର-

ସାହିତ୍ୟର ଐକ୍ୟତାନ ସଙ୍ଗୀତ ସଭାରେ

ଏକତାରା ହସ୍ତେ ଯା’ର, ସେ ଯେହ୍ନେ ସମ୍ମାନ ଲଭିପାରେ,

ମୂକ ଯେହୁ ଦୁଃଖେ ସୁଖେ

ନତଶିର ସ୍ତବ୍‍ଧ ଯେହୁ

ବିଶ୍ୱର ସମ୍ମୁଖେ ।

 

ଯେଉଁ କବି କେନ୍ଦରା ବଜାଇ ଦ୍ୱାରେ ଦ୍ୱାରେ ଭିକ୍ଷାମାଗେ, ତାହାକୁ ମଧ୍ୟ ଉପଯୁକ୍ତ ସମ୍ମାନ ଦେବାକୁ ବିଶ୍ୱଭାରତୀର କବି ପାସୋରି ନାହାନ୍ତି । ରବୀନ୍ଦ୍ର ସାହିତ୍ୟରେ ବିଶ୍ୱପ୍ରେମ ଖୋଜିବାକୁ ହେବ ନାହିଁ । ବିଶ୍ୱ ପ୍ରେମର ଭୂମିକାରେ ହିଁ ସମୁଦାୟ ରବୀନ୍ଦ୍ର ସୃଷ୍ଟିର ଆଲୋଚନା କରିବାକୁ ହେବ ।

Image

 

ଫକୀରମୋହନଙ୍କ ଚରିତ୍ର ଚିତ୍ରଣ

 

‘‘ସ୍ତ୍ରୀୟାଂ ଚରିତ୍ରଂ ପୁରୁଷସ୍ୟ ଭାଗ୍ୟମ୍‍

ଦେବା ନ ଜାନାନ୍ତି କୁତଃ ମନୁଷ୍ୟାଃ ।’’

 

ସ୍ତ୍ରୀ ଚରିତ୍ର ଓ ପୁରୁଷ ଭାଗ୍ୟକୁ ଦେବତାମାନେ ସୁଦ୍ଧା ଜାଣନ୍ତି ନାହିଁ, ମନୁଷ୍ୟ ଅବା କି ଛାର ! ସେଇଥିପାଇଁ ବୋଧହୁଏ ସ୍ତ୍ରୀ ପୁରୁଷଙ୍କ ଚରିତ୍ର ଓ ଭାଗ୍ୟ ବିଶ୍ଳେଷଣ କରିବା ପାଇଁ କବି, ଔପନ୍ୟାସିକ, ନାଟ୍ୟକାରମାନଙ୍କର ପ୍ରବଳ ଉଦ୍ୟମ ଦେଖାଯାଏ । ରାମାୟଣ, ମହାଭାରତ ଓ ଅନ୍ୟାନ୍ୟ କାବ୍ୟ ପୁରାଣ ଇତିହାସର କେତେକ ଚରିତ୍ର ସେଥିପାଇଁ ଆଜି ଆମ ଆଗରେ ଜୀବନ୍ତ ଆଦର୍ଶ ।

ଯୁଗଧର୍ମ ଅନୁଯାୟୀ ସମାଜର ନୀତି ବା ଆଦର୍ଶର ମୂଲ୍ୟବୋଧ ବଦଳିଯାଏ । ଭକ୍ତି, ପ୍ରୀତି, ଦୟା, ସେହ୍ନ ଆଦି ମଣିଷର ମୌଳିକ ସଦ୍‍ଗୁଣଗୁଡ଼ିକ ସହିତ ଲୋଭ, କ୍ରୋଧ, ହିଂସା, ଘୃଣା, ଗର୍ବ, ଅହଙ୍କାର ଦୁର୍ଗୁଣ ସବୁ ତାହାର ଚାରିତ୍ରିକ ଆଦିମ ବ୍ୟାଖ୍ୟା । ଏଇସବୁ ସୁଗୁଣ ବା ଦୁର୍ଗୁଣକୁ ମଣିଷ ଜୀବନରୁ ଅଲଗା କରି ହେବ ନାହିଁ । ସେ ସବୁର ସମଷ୍ଟି ହିଁ ଜୀବନ । କିନ୍ତୁ ସେ ସବୁ ସୁଗୁଣ ବା ଦୁର୍ଗୁଣର ପଟ୍ଟଭୂମି ଉପରେ ବ୍ୟକ୍ତି ସଙ୍ଗେ ପରିବାର ସମାଜ ଓ ରାଷ୍ଟ୍ରର ସମ୍ପର୍କ ବିଚାର କଲେ ଅତୀତ ସଙ୍ଗେ ବର୍ତ୍ତମାନର ଅନେକ ପ୍ରଭେଦ ଆଖିରେ ପଡ଼େ । ରାମାୟଣ ମହାଭାରତ ଯୁଗରେ ସତ୍ୟ ଓ ସତୀତ୍ୱ, ପିତାପୁତ୍ର, ପତିପତ୍ନୀ, ନ୍ୟାୟ ଅନ୍ୟାୟ, ଧର୍ମ ଅଧର୍ମର ବିଚାର ଯାହା ଥିଲା, ଆଜି ଠିକ୍‍ ସେହିପରି ନାହିଁ । ସତ୍ୟରକ୍ଷା କରିବାକୁ କେହି ଆଜି ବନବାସୀ ହୁଏ ନାହିଁ; କିମ୍ୱା ସତୀତ୍ୱ ପରୀକ୍ଷା ପାଇଁ ଅଗ୍ନିରେ ପଶେ ନାହିଁ । ତଥାପି ମନୁଷ୍ୟ ଭିତରେ ପାପ ପୁଣ୍ୟ, ଦେବତା ରାକ୍ଷସ, ଆଲୁଅ ଅନ୍ଧାର ଆଜି ମଧ୍ୟ ନାନା ଭାବରେ ଦେଖାଦିଏ । ସେମାନଙ୍କ ତାରତମ୍ୟ ଫୁଟାଇ ଆଜିର ନାଟକ ଉପନ୍ୟାସ ଲେଖାଯାଏ । ପ୍ରତି ଲୋକର ଚେହେରା ଭଳି ତାହାର ଚରିତ୍ର ମଧ୍ୟ ଅନ୍ୟ ଜଣକଠାରୁ ଫରକ୍‍ । ଚିତ୍ରକରର ତୂଳୀ ପରି ନାଟ୍ୟକର କିମ୍ୱା ଔପନ୍ୟାସିକର ଲେଖନୀଦ୍ୱାରା ସେ ସବୁ ଚେହେରା ବା ଚରିତ୍ରର ବୈଚିତ୍ର୍ୟ ଫୁଟି ଉଠେ । ପୁଣି ପ୍ରତି ଚରିତ୍ରଠାରୁ ଅପର ଚରିତ୍ରର ବୈଶିଷ୍ଟ୍ୟ ଦେଖାଇବା ହେଲା, ନିପୁଣ ଶିଳ୍ପୀର ପରିଚୟ ।

ଇଂରାଜୀ ସାହିତ୍ୟରେ ରାଣୀ ଏଲିଜାବେଥଙ୍କ ସମୟରୁ ଭିକ୍ଟୋରିଆଙ୍କ ଯୁଗ ପର୍ଯ୍ୟନ୍ତ ନାଟ୍ୟକାର ଔପନ୍ୟାସିକମାନେ ଭାରତୀୟ ସାହିତ୍ୟର ପୌରାଣିକ ଯୁଗଭଳି ଆଦର୍ଶ ଚରିତ୍ର ଚିତ୍ରଣ ଉପରେ ଅଧିକ ଦୃଷ୍ଟି ଦେଉଥିଲେ । ଫକୀରମୋହନ ମଧ୍ୟ ସେହି ରୀତି ଅନୁସରଣ କରି ଓଡ଼ିଆ ଉପନ୍ୟାସର ପ୍ରାଣ ପ୍ରତିଷ୍ଠା କରିଛନ୍ତି । ଆଜି କିନ୍ତୁ ବିଶ୍ୱ ସାହିତ୍ୟରେ ଚରିତ୍ର ଚିତ୍ରଣ ଗୌଣ ସ୍ଥାନରେ ଆସି ପହଞ୍ଚିଲାଣି । ଆଦର୍ଶର ସ୍ଥାନକୁ ଅଧିକାର କରିଛି ବାସ୍ତବତା । ଆଦର୍ଶ-ଦେବତୁଲ୍ୟ କିମ୍ୱା ଆଦର୍ଶ-ପିଶାଚ ଚରିତ୍ର କୌଣସି ଏକ ମନୁଷ୍ୟଠାରେ ଦେଖାଇବା ସତ୍ୟ ନୁହେଁ । ବରଂ ସତ୍ୟର ଅପଳାପ । କି ସ୍ତ୍ରୀ କି ପୁରୁଷ ପ୍ରତି ମନୁଷ୍ୟ ଭିତରେ ଦେବତା ପିଶାଚର ପ୍ରଭାବ ପଡ଼ିଥାଏ, ପାରିପାର୍ଶ୍ୱିକ ଅବସ୍ଥା ଓ ଘଟଣାଚକ୍ରକୁ ଘେନି । ସେହି ଅବସ୍ଥା ଓ ଘଟଣାଚକ୍ରର ପ୍ରଭାବରେ ଭଲ ଚରିତ୍ର ମନ୍ଦ ହୋଇଯାଇପାରେ; ପୁଣି ତାହାର ଠିକ୍‍ ଓଲଟା ମଧ୍ୟ ଖୁବ୍‍ ସମ୍ଭବ । ତେଣୁ ଚରିତ୍ରର ଦୋଷାଦୋଷ ଅପେକ୍ଷା ଅବସ୍ଥା-ଚକ୍ରର ଦୋଷାଦୋଷ ଉପରେ ଆଜିର ଲେଖକ ଅଧିକ ଧ୍ୟାନନିଷ୍ଠ । ଘଟଣାବଳୀର ଦ୍ରୁତ ପରିବର୍ତ୍ତନ ଭିତରେ ମନସ୍ତାତ୍ତ୍ୱିକ ସମୀକ୍ଷା ମଧ୍ୟ ଆଧୁନିକ ଉପନ୍ୟାସର ଆଉ ଗୋଟିଏ ଦିଗ । ଫକୀରମୋହନଙ୍କ ‘‘ଛମାଣ ଆଠଗୁଣ୍ଠ’’ର ରାମଚନ୍ଦ୍ର ମଙ୍ଗରାଜ କିମ୍ୱା ‘‘ଚମ୍ପା’’ର ଚରିତ୍ର ଯେପରି କେବେହେଲେ ଭଲ ହୋଇ ନପାରେ, ସେଇପରି ମଙ୍ଗରାଜ-ଗୃହିଣୀଙ୍କ ଚରିତ୍ରରେ କୌଣସି ପ୍ରକାର ଦୋଷାରୋପ କଳ୍ପନାତୀତ । ତେଣୁ ଏସବୁ ହେଲେ ଆଦର୍ଶ ଚରିତ୍ର ।

ସେହିପରି ଶାରୀଆ ଭଗିଆଙ୍କର ମୂର୍ଖତା ଓ ସହଜ ଅନ୍ଧବିଶ୍ୱାସ ଦୂର ହେବା ଅସମ୍ଭବ । ସେ ଦୁହିଙ୍କର ଆଦରପାଳିତ ଗାଈଟି ଆଉ ଛମାଣ ଆଠଗୁଣ୍ଠ ଜମି ସୁଦ୍ଧା ମଙ୍ଗରାଜଙ୍କ ପାଇଁ ଅଭିପ୍ରେତ; ଯେଉଁ ମଙ୍ଗରାଜ ତାଙ୍କ ସହକର୍ମୀଙ୍କ ଜରିଆରେ ଠାକୁର ରୂପେ ଅବତରି ପାରନ୍ତି, ବ୍ରାହ୍ମଣ ଭୋଜନ, ଦାନ ପୁଣ୍ୟ ଅର୍ଜିବାକୁ ଯାଇ ନିଜ କୃପଣତାକୁ ଲୁଚାଇ ପାରନ୍ତି ନାହିଁ, ସତ୍ୟ ଓ ନ୍ୟାୟର ଛଳନା ଦେଖାଇ ଅସତ୍ୟ ଅନ୍ୟାୟର ପୂରା ପ୍ରଶ୍ରୟ ଦିଅନ୍ତି; କିନ୍ତୁ ‘‘ଛମାଣ ଆଠଗୁଣ୍ଠ’’ ବର୍ଣ୍ଣିତ ଚରିତ୍ରମାନଙ୍କର ଅନ୍ତିମ ଅବସ୍ଥା ବିଚାର କଲେ କ’ଣ ବୁଝାଯାଏ ? ମୃତ୍ୟୁ ଯେପରି ସବୁ ଭଲମନ୍ଦ, ପାପ ପୁଣ୍ୟ, ଧର୍ମ ଅଧର୍ମକୁ ଅତି ବିକଳ ରୂପେ ଏକାକାର କରି ପକାଇଛି । ରାମଚନ୍ଦ୍ର ମଙ୍ଗରାଜ ଶାରିଆକୁ ହତ୍ୟା କରିଥିବା ଅପରାଧରେ ଜେଲ ଯାଇଛନ୍ତି । ସେଠାରେ ଡକାୟତମାନଙ୍କଠାରୁ ପ୍ରହାର ଖାଇ ପୁଣି ପାଗଳ ଅବସ୍ଥାରେ ଭଗିଆଦ୍ୱାରା ଆହାତ ହୋଇଛନ୍ତି । ଶେଷରେ ମୁକୁଳି ଘରକୁ ଫେରିଛନ୍ତି । ମୃତ୍ୟୁ-ଶଯ୍ୟାରେ ନିଜର ସାଧ୍ୱୀ ପତି-ପରାୟଣା ସ୍ତ୍ରୀଙ୍କ ସ୍ମୃତି ଛଡ଼ା ତାଙ୍କର ଶାନ୍ତି ସାନ୍ତ୍ୱନା ଲାଗି ଆଉ କିଛି ନାହିଁ । ଚମ୍ପା ସର୍ବସ୍ୱ ଅପହରଣ କରି ନିହତ ହୋଇଛି, ଭଗିଆ ପାଗଳ ହୋଇ ମରିଛି, ଶାରୀଆ ମରିଛି ଅନାହାରରେ ।

‘‘ଛମାଣ ଆଠଗୁଣ୍ଠ’’ର ନାରୀ ଚରିତ୍ର ଚମ୍ପା ସଙ୍ଗରେ ‘‘ମାମୁଁ’’ ଉପନ୍ୟାସର ଚିତ୍ରକଳା ତୁଳନୀୟ । କିନ୍ତୁ ଚିତ୍ରକଳା ଯେପରି ନାଜର ନଟବର ଦାସଙ୍କୁ ନିଜର ରୂପ ଭିତରେ ହଳାହଳ ଖୁଆଇ ଶେଷ କରିଛି, ଚମ୍ପା ସେପରି କରିନାହିଁ ମଙ୍ଗରାଜଙ୍କୁ; ବରଂ ମଙ୍ଗରାଜଙ୍କ ଲୋଭ ଦୁର୍ନୀତିର ରୂପ ଘେନି ସେ ତାଙ୍କ ଧ୍ୱଂସର କାରଣ ହୋଇଛି । ମଙ୍ଗରାଜଙ୍କ ଭଳି ନଟବର ମଧ୍ୟ ନିଜ ଅର୍ଜିତ ପାପ ଅନ୍ୟାୟର ପ୍ରାୟଶ୍ଚିତ୍ତ ରୂପେ ଜେଲ ଭୋଗିଛନ୍ତି ! ସେହି ସୁଯୋଗରେ ସ୍ୱରୂପ ପ୍ରକାଶ ପାଇଛି ଚିତ୍ରକଳାର । ନଟବରଙ୍କ ନିଜ ବିଧବା ଭଉଣୀ ଚାନ୍ଦମଣିର ସବୁ ଧନ ଚୋରି କରି ଶେଷରେ ସେ ନିଜେ ମଧ୍ୟ ଗିରଫ ହୋଇଛି ଓ ଜେଲ ଭୋଗିଛି ।

ନାରୀ ଚରିତ୍ର ଓ ପୁରୁଷର ଭାଗ୍ୟ ଜାଣିବାକୁ ଯେ ଦେବତାମାନେ ମଧ୍ୟ ଅପାରଗ, ବାସ୍ତବିକ ଚିତ୍ରକଳା-ନଟବର ଏବଂ ମଙ୍ଗରାଜ-ଚମ୍ପାଙ୍କ ଉଦାହରଣରୁ ତାହାର କିଛି ସୂଚନା ମିଳେ । ଚିତ୍ରକଳା ଓ ଚମ୍ପାର ଚରିତ୍ର ବୁଝିବାକୁ ନଟବର କିମ୍ୱା ମଙ୍ଗରାଜ ଯେପରି ଅକ୍ଷମ ହୋଇ ତାଙ୍କ କୂଟ ଚକ୍ରର ଶିକାର ହୋଇ ପଡ଼ିଛନ୍ତି, ସେହିପରି ସେ ଦୁଇଟି ପୁରୁଷଙ୍କ ଭାଗ୍ୟକୁ ଏହି ସ୍ତ୍ରୀ ଦୁହେଁ ମଧ୍ୟ ଗଢ଼ିଆଣିଛନ୍ତି । ତାଙ୍କ ଆର୍ଥିକ ଜୀବନର ଉତ୍‍ଥାନ ଯେମିତି ଏଇ ଦୁଇ ନାରୀଙ୍କ କୂଟ କୌଶଳ ଦୁର୍ନୀତି ଦୁଶ୍ଚରିତ୍ର ବଳରେ ଘଟିଛି, ସେମିତି ଦୁଇ ପୁରୁଷଙ୍କ ଘୋର ପତନ ଲାଗି ମଧ୍ୟ ଏଇ ଦୁଇଜଣ ନାରୀ ଦାୟୀ । ଅବଶ୍ୟ ଗାଁଉଲି ସ୍ତ୍ରୀ ଚମ୍ପା ଓ ଗାଁ ମାମଲତକାର ରାମଚନ୍ଦ୍ର ମଙ୍ଗରାଜଙ୍କ ଚରିତ୍ର ତୀକ୍ଷ୍ଣତା ପୁଣି ନଗ୍ନତା ସହରୀ ନାଜର ନଟବର ଦାସ ଓ ସହରିଆଣୀ ଚିତ୍ରକଳାଠାରେ ଅନେକ ପରିମାଣରେ ମାର୍ଜିତ ମୁଲାୟମ ହୋଇପଡ଼ିଛି । ହେବାର କଥା । ଏଇଠି ଆଧୁନିକ ଶିକ୍ଷା ପାଇଥିବା ନଟବର ଓ ସହରୀ ଚାଲିଚଳନରେ ଅଭ୍ୟସ୍ତା ଚିତ୍ରକଳାର ଛାପଚିକ୍କଣ ଘୋଡ଼ଣୀ ତଳେ ଚମ୍ପା ମଙ୍ଗରାଜଙ୍କର ସେଇ ଗ୍ରାମ୍ୟ ଆଦିମ ପିଶାଚ ହିଁ ମୁଣ୍ଡ ଟେକିଛି ।

ଆଧୁନିକ ଧୋବଧାଉଳିଆ ଶିକ୍ଷା ସଙ୍ଗେ ସଭ୍ୟତାର ସଦର ମଫସଲ ତଫାତ୍‍ଟାକୁ ‘‘ମାମୁଁ’’ ଓ ‘‘ଛମାଣ ଆଠଗୁଣ୍ଠ’’ର ଚରିତ୍ରମାନଙ୍କ ଜରିଆରେ ଫକୀରମୋହନ ପଦାରେ ପକାଇଦେଇଛନ୍ତି । ଆଧୁନିକ ଶିକ୍ଷାର ଆଉ ଏକ ପରିମାଣ ‘‘ପ୍ରାୟଶ୍ଚିତ୍ତ’’ ଉପନ୍ୟାସର ନାୟକ ଗୋବିନ୍ଦଚନ୍ଦ୍ରଙ୍କ ଚରିତ୍ର । କଳ୍ପନାପ୍ରବଣ ଗୋବିନ୍ଦଚନ୍ଦ୍ର କଲେଜରେ ପଢ଼ିବା ବେଳେ ପ୍ରେମାଭିନୟ କରିବାକୁ ଗଲେ । ସେହି କାଳ୍ପନିକ ପ୍ରେମକୁ କେନ୍ଦ୍ର କରି ତାଙ୍କର ବଢ଼ି ଉଠିଲା ସମାଜ-ସଂସ୍କାର ସ୍ପୃହା । ରାଜୀବଲୋଚନଙ୍କ ଛଳନାର ଶିକାର ହୋଇ ଇନ୍ଦୁମତୀର କବିପ୍ରତିଭା ବିଷୟରେ ତାଙ୍କର ସନ୍ଦେହ ଜନ୍ମିଲା ନାହିଁ । ସୁନ୍ଦରୀ ଗୁଣବତୀ ଇନ୍ଦୁମତୀକୁ ପାଇବା ଲାଗି ସେ ନିଜର ବାପ ମା ସମାଜ ପରିବାରକୁ ସୁଦ୍ଧା ତ୍ୟାଗ କଲେ । ବିବାହ ସରିବା ପରେ ଦିନେ ରାତି ଅଧରେ ଲୁଚି ଛପି ଶଶୁର ଘରକୁ ଆସୁଥିବା ବେଳେ ଚୋର-ସନ୍ଦେହରେ ସେ ଯେଉଁ ପ୍ରହାର ପାଇଲେ, ସେଥିରେ ତାଙ୍କର ପ୍ରେମ ଓ ସମାଜସଂସ୍କାର ସ୍ୱପ୍ନ ଭାଙ୍ଗିଗଲା ।

‘‘ଛମାଣ ଆଠଗୁଣ୍ଠ’’ର ରାମଚନ୍ଦ୍ର ମଙ୍ଗରାଜ ଜେଲରୁ ଖଲାସ ହୋଇ ମୃତ୍ୟୁଶଯ୍ୟାରେ ଅନୁତାପ କରିଛନ୍ତି; ସେଇ ଜେଲ ଗାରଦରେ ହିଁ ହୋଇଛି ‘‘ମାମୁଁ’’ର ନଟବର ଦାସଙ୍କ ଅନୁଶୋଚନା; ଆଉ କଟକ ଡାକ୍ତରଖାନାରେ ନିଜକୃତ ଅନ୍ୟାୟର ପ୍ରାୟଶ୍ଚିତ୍ତ କରିଛନ୍ତି ଗୋବିନ୍ଦଚନ୍ଦ୍ର-। ଏହି ତିନିଗୋଟି ଉପନ୍ୟାସର ପ୍ରଧାନ ନାୟକମାନଙ୍କର ଶିକ୍ଷାଦୀକ୍ଷା ପରିବେଶ ମଧ୍ୟରେ ସେତେବେଳର ସାମାଜିକ ଜୀବନ-ଚିତ୍ର ପ୍ରତ୍ୟକ୍ଷରୂପେ ପାଠକ ସମକ୍ଷରେ ଫୁଟିଉଠେ ତାହା ଯେପରି ବାସ୍ତବ, ସେହିପରି ମାନବୀୟ ଆଦର୍ଶରେ ପରିପୂର୍ଣ୍ଣ ।

ଫକୀରମୋହନଙ୍କ ଚତୁର୍ଥ ଉପନ୍ୟାସ ‘‘ଲଛମା’’ । ‘‘ଲଛମା’’ ଅନ୍ୟ ତିନିଟି ଉପନ୍ୟାସ ଭଳି ସାମାଜିକ ନୁହେଁ, ଐତିହାସିକ । ମୁସଲମାନ ମରହଟ୍ଟାମାନଙ୍କର ପରସ୍ପର ବିବଦମାନ କ୍ଷୟିଷ୍ଣୁ ଶାସନର ଚିତ୍ର ଏଥିରେ ପ୍ରତିଫଳିତ । ପୁଣି ହିନ୍ଦୁ ମୁସଲମାନ ମଧ୍ୟରେ ଯେଉଁ ଉଗ୍ର ସାମ୍ପ୍ରଦାୟିକତା ଭାରତକୁ ଦୁର୍ବଳରୁ ଦୁର୍ବଳତର କରି ପକାଇଥିଲା ଏବଂ ଯାହାର ସୁଯୋଗ ନେଇ ଇଂରେଜ ଶାସନ ଏ ଦେଶରେ ପ୍ରତିଷ୍ଠିତ ହେଲା, ସେହି ଐତିହାସିକ ସନ୍ଧିକ୍ଷଣ ଉପନ୍ୟାସର ଭୂମିକା ।

ବାଲେଶ୍ୱର ଜିଲ୍ଲା ରାୟବଣିଆ ଦୁର୍ଗର ଅଧିପତି ସାମନ୍ତରାୟ ରାଘବ-ରାଟସିଂହ-ଜଗଦ୍ଦେବ-ବୈରୀଗଞ୍ଜନ-ମାନ୍ଧତା ନିଃସନ୍ତାନ । ଦଳେ ପଶ୍ଚିମା ଜଗନ୍ନାଥ ଯାତ୍ରୀଙ୍କ ଉପରେ ବର୍ଗୀମାନଙ୍କ ଆକ୍ରମଣ ହୁଏ । ଯାତ୍ରୀଙ୍କ ଭିତରୁ ଲଛମା ଓ ତାହାର ସ୍ୱାମୀ ବାଦଲ ସିଂ ପରସ୍ପରଠାରୁ ଅଲଗା ହୋଇଯାନ୍ତି । ଲଛମାକୁ ଆଶ୍ରୟ ମିଳେ ରାୟବଣିଆ ଦୁର୍ଗରେ । ବାଦଲ ସିଂ ଆଶ୍ରୟ ପାଏ ନବାବ ଆଲିବର୍ଦ୍ଦି ଖାଁଙ୍କ ଶିବିରରେ । ମରହଟ୍ଟା ମୁସଲମାନ ମଧ୍ୟରେ ପ୍ରଥମେ ହଳଦୀପଦା ଓ ପରେ ଫୁଲ୍‍ଓଆରଠାରେ ଯେଉଁ ଯୁଦ୍ଧ ହୁଏ, ତହିଁରେ ରାୟବଣିଆର ପାଇକମାନେ ମୁସଲମାନ ପକ୍ଷରେ ଲଢ଼ି ବର୍ଗୀମାନଙ୍କୁ ହଟାଇ ଦିଅନ୍ତି ।

ମରହଟ୍ଟାମାନଙ୍କ ଆକ୍ରମଣର ପ୍ରତିଶୋଧ ନେବାପାଇଁ ଲଛମା ପୁରୁଷ ବେଶରେ ସଜ୍ଜିତା ହୁଏ । ବାଦଲ ସିଂ ମଧ୍ୟ ତାହାର ପିତୃହନ୍ତା ବର୍ଗୀମାନଙ୍କ ଉପରେ ପ୍ରତିଶୋଧ ନେବା ଲାଗି ସୁଯୋଗ ଖୋଜୁଥିଲେ । ଶେଷରେ ବାଦଲ ସିଂ ଓ ପୁରୁଷବେଶଧାରିଣୀ ଲଛମା ଦୁହେଁ ଦୁହିଁଙ୍କ ଅଜଣାରେ ମରହଟ୍ଟା ସେନାପତି ଭାସ୍କର ପଣ୍ଡିତଙ୍କୁ ଆକ୍ରମଣ କରି ହତ୍ୟା କଲେ । ପୁରସ୍କାର ସ୍ୱରୂପ ଆଲିବର୍ଦ୍ଦି ଖାଁ ସେ ଦୁହିଙ୍କୁ ରାୟବଣିଆ ଦୁର୍ଗର ଅଧିପତି କରିଦେଲେ । ବୀରତ୍ୱ, ସାହସ ଏବଂ ଯୁଦ୍ଧ ବର୍ଣ୍ଣନାର ଚମତ୍କାରିତାରେ ଶାରଳା ଦାସ ଓ ବ୍ରଜନାଥ ବଡ଼ଜେନାଙ୍କ ପରମ୍ପରା ରକ୍ଷା କରିଛନ୍ତି ଫକୀରମୋହନ ଲଛମା ଉପନ୍ୟାସରେ ।

ନାଟକ କିମ୍ୱା ଉପନ୍ୟାସର ପ୍ରଧାନ ନାୟକ ନାୟିକାମାନଙ୍କ ଚରିତ୍ରର ବୈଶିଷ୍ଟ୍ୟ ବିକଶିତ ହୋଇଥାଏ, ଗୌଣ ଚରିତ୍ରଗୁଡ଼ିକ ସାହାଯ୍ୟରେ । ଫକୀରମୋହନଙ୍କ ଚରିତ୍ରଚିତ୍ରଣର କୌଶଳ ଏହି ଗୌଣ ଚରିତ୍ରମାନଙ୍କ ବିଶ୍ଳେଷଣଦ୍ୱାରା ବୁଝାପଡ଼େ । ‘ମାମୁଁ’ ଉପନ୍ୟାସରେ ନଟବର ଓ ଚିତ୍ରକଳାକୁ ଛାଡ଼ି ସରସ୍ୱତୀ ଦେଈ, ଚାନ୍ଦମଣି, ବିଶାଖା, ଗେହ୍ନେଇ, ଛାମୂକରଣ ଘର ବଡ଼ବୋହୂ, ମକ୍ରାମା, ଚମ୍ପୀଅପା, ଶାରୀଆ, ଚେମି ନଣନ୍ଦ, କଉଶୁଲୀ, ପାରୀ, ନାକଫୋଡ଼ିଆ ମା’, ସାଧୁ ସାହୁ, ସାହୁଆଣୀ, ଶ୍ୟାମ ସାମଲ ଓ ହରିବୋଲି ବାରିକର ନାମକରଣ ଦ୍ୱାରାହିଁ ଆମେ ଏକ ନିପଟ ଓଡ଼ିଆ ପରିବେଶରେ ଥିଲାପରି ଅନୁଭବ କରୁଁ । ସେହିପରି ‘ଛମାଣ ଆଠଗୁଣ୍ଠ’ରେ ମଙ୍ଗରାଜ, ଚମ୍ପା ଓ ଶାରୀଆଙ୍କ ଛଡ଼ା ଗୋବର ଚୌକିଦାର, ଦିଲ୍‍ଦାର ମିଆଁ ଜମିଦାର, ଯଶୋଦା, ମାରକଣ୍ଡିଆ ମା, ମୁକୁନ୍ଦା, ଗୋବିନ୍ଦା ଓ ‘ପ୍ରାୟଶ୍ଚିତରେ’ ଗୋବିନ୍ଦଚନ୍ଦ୍ର, ଇନ୍ଦୁମତୀ, ରାଜୀବଲୋଚନ, ବୈଷ୍ଣବଚରଣ, ସଇତା, ସଦାନନ୍ଦ, କମଳଲୋଚନ ପୁଣି ‘ଲଛମା’ରେ ମଧୁମଲ୍ଲ, କାନ୍ଥିଗାଁର ଜଗା ଫତେ ସିଂହ ମା ବୁଢ଼ୀର ଚରିତ୍ର ଅନ୍ୟାନ୍ୟ ଚରିତ୍ରଗୁଡ଼ିକ ପରି ଅପରିହାର୍ଯ୍ୟ ହୋଇପଡ଼ିଛନ୍ତି । ଏହି ଗୌଣ ଚରିତ୍ରମାନଙ୍କର ସ୍ୱାତନ୍ତ୍ର୍ୟ କେବଳ ନାମରେ ନୁହେଁ, ଗୁଣରେ ମଧ୍ୟ ପରିଷ୍ଫୁଟ ।

କ୍ଷୁଦ୍ର ଗଳ୍ପଗୁଡ଼ିକ ମଧ୍ୟ ଗୋଟିଏ ଗୋଟିଏ ବାସ୍ତବ ଚରିତ୍ରର ବିକାଶକୁ ଘେନି ଗୁନ୍ଥା ଯାଇଛି । ‘‘ରେବତୀ’’, ‘‘ଲଛମନିଆ’’, ‘‘ରାଣ୍ଡୀପୁଅ ଅନନ୍ତା’’, ‘‘ପେଟେଣ୍ଟ ମେଡିସିନ୍‍’’, ‘‘ମୌନାମୌନି’’, ‘‘ପୁନର୍ମୁଷିକୋଭବ’’, ‘‘କମଳାପ୍ରସାଦ ଗୋରାପ’’ ମଧ୍ୟରେ ଯେତେ ହସକାନ୍ଦର ରୂପ ସେ ଆଙ୍କି ଯାଇଛନ୍ତି, ତହିଁରେ ଅବଶ୍ୟ କେଉଁଠି କେଉଁଠି ଅତିରଞ୍ଜନ ଓ ସାମଞ୍ଜସ୍ୟ ହୀନତାର ପରିଚୟ ମିଳିଥାଏ । କିନ୍ତୁ ଚରିତ୍ର ବର୍ଣ୍ଣନା ମଧ୍ୟରେ ଯେଉଁ ସବୁ ବ୍ୟଙ୍ଗ ବିଦ୍ରୂପ ହାସ୍ୟରସ ସୃଷ୍ଟିର ସଙ୍କେତ ବିଦ୍ୟମାନ, ତାହା ଫକୀରମୋହନଙ୍କର ଅନନୁକରଣୀୟ ବିଶେଷ ଶୈଳୀ । ଯଥାର୍ଥରେ ଓଡ଼ିଆ ସାହିତ୍ୟରେ ବାସ୍ତବବାଦୀ ଚରିତ୍ରଚିତ୍ରଣର ଆଧୁନିକ ମୂଳଦୁଆ ପକାଇଛନ୍ତି ଫକୀରମୋହନ-

ସମୁଦାୟ ଗ୍ରହ ଉପଗ୍ରହ ସୂର୍ଯ୍ୟ ଚାରିପାଖେ ପରିକ୍ରମା କଲା ଭଳି ଫକୀରମୋହନଙ୍କ ଚରିତ୍ରରାଜିର କେନ୍ଦ୍ରସ୍ଥଳ ଗୋଟିଏ । ତାହା ହେଉଛି ଆଲୋକ ଓ ଆନନ୍ଦ; ଆଦର୍ଶ ସମାଜ ଓ ଅମୃତ ଜୀବନହିଁ ସେମାନଙ୍କର ଲକ୍ଷ୍ୟସ୍ଥଳ ।

Image

 

ବିଶ୍ୱରୂପ-ଦର୍ଶନ

 

(ସେ ସାହିତ୍ୟ ନିଶ୍ଚୟ ଅସାମାନ୍ୟ, ଯେଉଁ ସାହିତ୍ୟରେ ସମଗ୍ର ବିଶ୍ୱର ଓ ଭବିଷ୍ୟତ ସମାଜର ପ୍ରତିବିମ୍ୱ ଅଙ୍କିତ । ଶିଶୁ ଭିତରେ ବିଶ୍ୱରୂପ ଦର୍ଶନ କଳ୍ପନା ସମ୍ଭବ ହୋଇଥିଲା । ନବ ଯୁଗର ପ୍ରତୀକ ଶିଶୁ-ଅମୃତର ଅଧିକାରୀ ସେ...କୌଣସି କଂସ ତାହାକୁ ନିଧନ କରିବା ଅସମ୍ଭବ-ସେହି ଚିତ୍ର ଶିଶୁ କୃଷ୍ଣଙ୍କ ମୁଖ ଗହ୍ୱର ଭିତରେ ଦର୍ଶନ କରିଥିଲେ ମା ଯଶୋଦା । ...ସେହି ଚିତ୍ର ଦର୍ଶନ କରିଥିଲା ମହିଷାସୁର-ନାରୀ ଦୁର୍ବଳ ନୁହେଁ...ନିଖିଳ ସମ୍ଭାବନାର ଜନନୀ ସେ...ତାହାର ଗୋଟିଏ ହାତରେ ବରାଭୟ ଓ ଅନ୍ୟ ହାତରେ ଖଡ଼୍‍ଗ-ଖର୍ପର ! ମନୁଷ୍ୟ କ୍ଷୁଦ୍ର ନୁହେଁ, ବିରାଟର ଏକ ଅଂଶ-ବିଶ୍ୱରୂପ-ଦର୍ଶନର ଏହା ହେଉଛି ମୌଳିକ ତାତ୍ପର୍ଯ୍ୟ ଓ ତାହା ଏହି ପ୍ରବନ୍ଧର ପ୍ରତିପାଦ୍ୟ ବସ୍ତୁ ।)

ଆମ ପୁରାଣ ସାହିତ୍ୟରେ ବିଶ୍ୱରୂପ-ଦର୍ଶନର ଏକାଧିକ ଉଦାହରଣ ମିଳେ । ଏହି ଚିତ୍ର ସାହାଯ୍ୟରେ ଜଗତରେ ଜନ୍ମମୃତ୍ୟୁର ରହସ୍ୟ ଏବଂ ମନୁଷ୍ୟ ଜୀବନରେ ବ୍ୟକ୍ତିଗତ ତଥା ସାମୂହିକ ଦର୍ଶନକୁ ଯେଡ଼େ ସହଜରେ ଦେଖାଇ ଦିଆଯାଇଛି, ତାହାର ତୁଳନା ବିଶ୍ୱ ସାହିତ୍ୟରେ ଦୁର୍ଲ୍ଲଭ ।

ମନୁଷ୍ୟ ଜୀବନର ଅସଂଖ୍ୟ ଉତ୍‍ଥାନ ପତନ, ଯୁଦ୍ଧ ବିଗ୍ରହ, ଶତ୍ରୁମିତ୍ର, ହିଂସା ପ୍ରେମ, କୀର୍ତ୍ତି ଅପକୀର୍ତ୍ତିର ରୂପ, ତାହାର ଶକ୍ତି ଏବଂ ଦୁର୍ବଳତା, ଗର୍ବ ଏବଂ କ୍ଷମତାର ପରିଣାମ ହିଁ ମହାକାଳର କରାଳମୁଖରେ ଅହରହ ଲୀନ ହୋଇଯାଏ, ପୁଣି ନାନା ବିଚିତ୍ର ଅଦ୍ଭୁତ ରୂପ ଘେନି ଜୀବନ୍ତ ହୋଇଉଠେ । ରୂପ ଭିତରେ ଅରୂପ, ସୀମା ଭିତରେ ଅସୀମ ଏବଂ କ୍ଷୁଦ୍ର ପୌତ୍ତଳିକତା ଭିତରେ ଦେଶ କାଳାତୀତ ପରମେଶ୍ୱରର ଆବିଷ୍କାର ପୃଥିବୀର ଆଉ କେଉଁ ସାହିତ୍ୟରେ ଏପରି ସ୍ପଷ୍ଟ ଓ ଜୀବନ୍ତ ହୋଇ ଥିବାର ଜଣାଯାଇ ନାହିଁ ।

ବିଶ୍ୱରୂପ ଦର୍ଶନରେ ଗୋଟିଏ ଉଦାହରଣ ମିଳେ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା ବର୍ଣ୍ଣନରେ । ଶିଶୁ ମୃତ୍ତିକା ଭକ୍ଷଣ କଲେ ଜନନୀ ଯଶୋଦା ପୁଅକୁ ଆକଟ କରି ମୁହଁରୁ ତାହାର ମାଟି କାଢ଼ିବାକୁ ଉଦ୍ୟତ ହୁଅନ୍ତି । ପୁଅ ପାଟି ମେଲାକରି ଦେଖାଏ । ପାଟି ଭିତରକୁ ଚାହିଁ ଯଶୋଦା ସ୍ତମ୍ଭୀଭୂତ ! ଶିଶୁର ସେହି କ୍ଷୁଦ୍ର ମୁଖ ମଧ୍ୟରେ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡର ଦୃଶ୍ୟ ଦେଖି ଜନନୀଚିତ୍ତ ଭୀତ ବିହ୍ୱଳ ହୋଇପଡ଼ିଲା ।

ନିଜ କୋଳରେ ବଢ଼ାଇଥିବା ଏବଂ ଅତି କ୍ଷୁଦ୍ର ଓ ସଂକୀର୍ଣ୍ଣ ବୋଲି ବିଚାରୁଥିବା ଏଇ ଶିଶୁ ତେବେ ତ ଶିଶୁ ନୁହେଁ ! ତାହା ଭିତରେ ଯେ ସମଗ୍ର ବିଶ୍ୱ ବିଦ୍ୟମାନ । ସେ ଦୃଶ୍ୟ ଦେଖି ଯଶୋଦା ନିଜର ମାତୃତ୍ୱ ସଙ୍ଗେ ପୁତ୍ରର ଶିଶୁତ୍ୱକୁ ସୁଦ୍ଧା ପାସୋରି ପକାଇଲେ । ସେ ଆଉ ତାକୁ ଆକଟ କରିବେ କ’ଣ, ନିଜ ଅସ୍ମିତା ମଧ୍ୟ ତାଙ୍କର ଦୂର ହୋଇଗଲା । ମଣିଷ ପିଲାଠାରେ କେତେ ଜଣ ମାଆ ଏହି ଦୃଷ୍ୟ ଦେଖିପାରନ୍ତି ? ଯଶୋଦାଙ୍କ ଛଡ଼ା ଆଉ ବୋଧହୁଏ କେବେ କେହି ଦେଖିନାହିଁ, ଅବା ସେ ସୌଭାଗ୍ୟ ପାଇନାହିଁ । ମାତ୍ର ଶିଶୁଠାରେହିଁ ସମଗ୍ର ବିଶ୍ୱର ଓ ଭବିଷ୍ୟତ ସମାଜର ବିରାଟ ପ୍ରତିବିମ୍ବ ଦର୍ଶନ କରିବା ପରିକଳ୍ପନା ଯେଉଁ ସାହିତ୍ୟରେ ସମ୍ଭବ ହୋଇପାରିଛି, ତାହା ଅସାମାନ୍ୟ ।

ନବଯୁଗର ପ୍ରତୀକ ସେହି ଶିଶୁହିଁ ଯେ ସମଗ୍ର ବିଶ୍ୱର ଅଧିକାରୀ ଏବଂ ତାହାର ହତ୍ୟା କିମ୍ବା ବିନାଶ ଯେ କୌଣସି କଂସପକ୍ଷରେ ସମ୍ଭବପର ନୁହେଁ, ଶିଶୁ କୃଷ୍ଣଙ୍କ ମୁଖରେ ସେହି ଚିତ୍ର ଦଖାଇ ଦିଆଯାଇଛି । କବି ଏବଂ ଭକ୍ତ ତାହାହିଁ ଭଗବତ୍‍ ରୂପ ବୋଲି ଅନୁଭବ କରି ଅଭିଭୂତ ହୁଏ-। ଜନନୀ ଯଶୋଦା ସେ ରୂପରେ ସୃଷ୍ଟିର ଲୀଳା ଦର୍ଶନକରି ବିମୋହିତ ହୋଇଛନ୍ତି-। ଜନନୀ ପକ୍ଷରେ ସୃଷ୍ଟି ବୈଚିତ୍ର୍ୟ ଦେଖିବାହିଁ ସ୍ୱାଭାବିକ, ଯେଉଁ ସୃଷ୍ଟିରେ ମୁହୁର୍ମୁହୁ ଅସଂଖ୍ୟ ଜୀବ ଜାତହୋଇ ବିଲୀନ ହେଉଛନ୍ତି । ମୁହୁର୍ମୁହୁ ବିଶ୍ୱ-ବୈଚିତ୍ର୍ୟ ଉଦ୍‍ଭାସିତ ହେଉଛି ।

କୁରୁକ୍ଷେତ୍ରରେ ଅର୍ଜୁନଙ୍କ ବିଶ୍ୱରୂପ ଦର୍ଶନ ଏହାଠାରୁ ଅବଶ୍ୟ ପୃଥକ୍‍ । ତାହା ଜନନୀ ସମକ୍ଷରେ କ୍ରୀଡ଼ାରତ ଶିଶୁର ବିଶ୍ୱରୂପ ନୁହେଁ, ଯୋଦ୍ଧା ସମକ୍ଷରେ ଯୁଦ୍ଧ ପାଇଁ ପ୍ରେରଣା ଦେବାର, ଜଡ଼ତା ଓ ନିରୁଦ୍ୟମକୁ ବିନାଶ କରିବା ସକାଶ ବିଶ୍ୱରୂପ ପ୍ରଦର୍ଶନ । ନିଦ୍ରିତକୁ ଜାଗ୍ରତ କରିବା ଓ ନିଶ୍ଚେଷ୍ଟକୁ ସଚେଷ୍ଟ କରିବା ପାଇଁ ତାହା ଅଭିପ୍ରେତ । ଜୀବନାଦର୍ଶର ଏହି ଚରମ ବ୍ୟାଖ୍ୟା ଉପରେ ବହୁତ ଟୀକା ଟିପ୍‍ପଣୀ ହୋଇ ଯାଇଛି ଏବଂ ଏବେ ମଧ୍ୟ ହେଉଛି ।

ଆଉ ଗୋଟିଏ ଉଦାହରଣ ଦେଖାଯାଏ ଜଗନ୍ମାତା ଦୁର୍ଗାଙ୍କର ମହିଷାସୁର ଦଳନ ଉପାଖ୍ୟାନରେ । ମୋହାନ୍ଧ ମହିଷାସୁର-ଚିତ୍ତରେ ପାପ ବଳବତ୍ତର ହୋଇ ଶେଷରେ ତାହା ବିଶ୍ୱରୂପସୀ ପାର୍ବତୀଙ୍କ ରୂପ ଦର୍ଶନ ଲାଳସାରେ ପ୍ରକଟିତ ହେଲା । ଦେବଗଣ ତାହାର ଅତ୍ୟାଚାରରେ ବିକଳ ବିବ୍ରତ ହୋଇ ଏହାହି ଦୁର୍ବୃତ୍ତର ନିଧନ ଲାଗି ପ୍ରଦାନ ଉପାୟ ବୋଲି ପାଞ୍ଚିଥିଲେ ଏବଂ ଜଗଜ୍ଜନନୀ ଉମାଙ୍କ ନିକଟରେ ତାହା ପ୍ରାର୍ଥନା କରିଥିଲେ । ମାତୃ ହୃଦୟ ଅସୀମ କ୍ରୋଧ ଓ ଘୃଣାରେ ପ୍ରଜ୍ଜ୍ୱଳିତ ହୋଇଉଠିଲା । ଖଡ଼୍‍ଗ ଖର୍ପର ଧାରଣା କରି ଓ ବନ ଫୁଲମାଳ ବଦଳରେ ମୁଣ୍ଡମାଳ ଗଳାରେ ଝୁଲାଇ ବିଶ୍ୱମୋହିନୀ ଗୌରୀ ରକ୍ତ ଲହ ଲହ ଜିହ୍ୱାରେ ବିଶ୍ୱ-ସଂହାରୀଣୀ ଭୈରବୀ ଦୁର୍ଗା ରୂପ ଗ୍ରହଣ କଲେ ।

ହିନ୍ଦୁ କଳ୍ପନାରେ ବିଶ୍ୱ ପ୍ରକୃତିକୁ ଯେ ଜନ୍ମ ଦିଏ, ସେହି ତାହାକୁ ଗ୍ରାସ କରିବାକୁ ଉଦ୍ୟତ ହେଲା । ଆଦି ପୁରୁଷ ଶିବ-ଅଙ୍କର ସୃଷ୍ଟି ବିଳାସ ତ୍ୟାଗ କରି ଆଦି ପ୍ରକୃତି ଯୋଦ୍ଧା ବେଶରେ ନିର୍ଗତ ହେଲେ ଦୁଷ୍ଟ ସଂହାର ପାଇଁ । ମହିଷାସୁର ବର ଲାଭ ଜରିଛି, ଅଜେୟ ଓ ଅମର ବର । ସେହି ବର ଖଣ୍ଡିତ ହେଲା, ଚୂଡ଼ାନ୍ତ ପାପ ଲାଳସା ହେତୁରୁ, ଚୂଡ଼ାନ୍ତ ଅପ୍ରାକୃତିକତା ବା ଅସ୍ୱାଭାବିକତା ଦୋଷରୁ । ସୀମାତିରିକ୍ତ ଅନ୍ୟାୟ ଓ ଅତ୍ୟାଚାରୀ ସଇତାନର ରାଜତ୍ୱ ନିଜ ବିଲୋପକୁ ନିଜେ ଡାକି ଆଣିଲା ।

ମହିଷାସୁର ସୈନ୍ୟବଳକୁ ହତ୍ୟା କରି ରଣୋନ୍ମାଦିନୀ ଦୁର୍ଗା ସେମାନଙ୍କର ରକ୍ତପାନ କଲେ । ମହିଷାସୁର ସମକ୍ଷରେ ଉଭା ହୋଇ ଦେବୀ ଗୋଟିଏ ପାଦ ଉର୍ଦ୍ଧ୍ୱକୁ ଉତ୍ତୋଳନ କଲେ, ରାକ୍ଷସ-ଚକ୍ଷୁରେ ଉଦ୍‍ଭାସିତ ହେଲା, ବିଶ୍ୱରୂପ । ସେ ରୂପ ଦର୍ଶନ କରି ତାହାର ସମସ୍ତ ଶକ୍ତି ନଷ୍ଟ ହୋଇଗଲା । ଶକ୍ତିରୂପଣୀ ଦେବୀ ରାକ୍ଷସର ଶକ୍ତି ହରଣ କରି ତାହାକୁ ନିର୍ବୀର୍ଯ୍ୟ ନିସ୍ତେଜ କରିଦେଲେ । ଶେଷରେ ତାହାଙ୍କ ବର୍ଚ୍ଛାଘାତରେ ମହିଷାସୁରର ପ୍ରାଣଗଲା ଏବଂ ପଦାଘାତରେ ସେ ପାତାଳଗାମୀ ହେଲା ।

ତେବେ ଏହି ବିଶ୍ୱରୂପର ଅସଲ ମର୍ମ କ’ଣ ? ଯେଉଁ ରୂପକୁ ଦେଖି ମାତା ନିଜ ସନ୍ତାନକୁ ମହାପୁରୁଷ ଜ୍ଞାନ କରେ, ଯୋଦ୍ଧା ଧନୁଶର ଉତ୍ତୋଳନ କରି ଯୁଦ୍ଧରେ ପ୍ରବୃତ୍ତ ହୁଏ ପୁଣି ଦୁଷ୍ଟ ଜନର ନିଧନ ଘଟେ ? ସହଜରେ କହି ହେବ ଯେ ମନୁଷ୍ୟର ଆତ୍ମ-କେନ୍ଦ୍ରିକତା ବା ବ୍ୟକ୍ତି ସଂକୀର୍ଣ୍ଣତାକୁ ତୁଟାଇ ଦେଇ ସେ ଯେ ସମଗ୍ର ଜଗତର ଏକ ଅଂଶ ବିଶେଷ, ସ୍ୱାଧୀନ ହେଲେ ହେଁ ସ୍ୱେଚ୍ଛାଧୀନ ନୁହେ-ସାମାଜିକ ନିୟମର ବଶବର୍ତ୍ତୀ-ଏହି କଥାକୁ ପ୍ରତିପନ୍ନ କରିବା ବିଶ୍ୱରୂପ ଦର୍ଶନର ମୌଳିକ ତାତ୍ପର୍ଯ୍ୟ, ପୁଣି ନାରୀ ଅଥବା ଶିଶୁ ମଧ୍ୟ ଦୁର୍ବଳ ନୁହେଁ, ତାହା ଭିତରେ ମହା ଶକ୍ତି ନିଦ୍ରିତ ।

ସାଧାରଣ ଦୃଷ୍ଟିରେ ଜଗତଟା ଯେ ଖଣ୍ଡିତ ହୋଇ ଦେଖାଦିଏ-କିଏ ନିଜଲୋକ, କିଏ ପର ଲୋକ, କିଏ ନିଜ ବାପ ବଡ଼ ବାପ, ଗୁରୁ, ମାମୁଁ, ଭାଇ, ପୁଅ, ନାତି, ବନ୍ଧୁ, ଶଶୁର, ଜାଇଁ ଆଉ କିଏ ଅବା ଅଚିହ୍ନା ଅଜଣା ଶତ୍ରୁ; କିଏ ସ୍ୱଦେଶ, କିଏ ବିଦେଶ, ସ୍ୱଜାତି ବା ବିଜାତି ସବୁ ଧାରଣା ବଳରେ ମଣିଷର ଯେଉଁ ଭେଦଜ୍ଞାନ ଉପୁଜେ, ତାହାକୁ ଦୂରକରି ବିଶ୍ୱ ବ୍ରହ୍ମାଣ୍ଡକୁ ଏକ ଓ ଅବିଭକ୍ତରୂପେ ଦେଖିବାକୁ ହେବ । ଏହିପରି ଏକ ସର୍ବବ୍ୟାପୀ ସାମୂହିକ ପ୍ରଚ୍ଛଦପଟ ଉପରେ ପ୍ରତି ମନୁଷ୍ୟକୁ ନିଜର କର୍ତ୍ତବ୍ୟ ସ୍ଥିର କରିବାକୁ ହେବ ।

ମହାକାଳର ଚିରନ୍ତନ ନିୟମର ଦାସ ସେ । ତହିଁରୁ ବହିର୍ଭୂତ ହେବାର ଉପାୟ ତାହାର ନାହିଁ । ଜନ୍ମ, ଶୈଶବ, ଯୌବନ, ବାର୍ଦ୍ଧକ୍ୟ କିମ୍ୱା ମୃତ୍ୟୁ ଆଦି ଅବସ୍ଥାନ୍ତରରୁ ମୁକ୍ତି ଲାଭ କରିବା ମନୁଷ୍ୟ ପକ୍ଷରେ ସମ୍ଭବପର ନୁହେ । ଅନ୍ୟାୟ ବିରୁଦ୍ଧରେ ଲଢ଼ିବାକୁ ହେବ, ନିଜକୁ ତଥା ଜଗତକୁ ତାହାର ଆକ୍ରମଣରୁ ବଞ୍ଚାଇବା ପାଇଁ ।

ଅନ୍ୟପ୍ରତି ଅତ୍ୟାଚାର କଲେ ତାହା ନିଜ ଉପରକୁହିଁ ଲେଉଟିଆସେ । ଅପରକୁ ହତ୍ୟାକଲେ ନିଜର ନିଧନହିଁ ଅବଶ୍ୟମ୍ଭାବୀ । ବିଶ୍ୱ-ରୂପ-ଦର୍ଶନର ଏହି ସନାତନ ସୂତ୍ରକୁ ଆଜିସୁଦ୍ଧା କେହି ଛିନ୍ନ କରି ପାରିନାହିଁ । ଏହା ଯେତିକି ପ୍ରାଚୀନ ସେତିକି ନବୀନ ମଧ୍ୟ । ମନୁଷ୍ୟର ସକଳ କର୍ମ ଏହି ସୂତ୍ରରେ ଗ୍ରଥିତ । ତାହାବୋଲି କର୍ମକୁ ଛାଡ଼ିବାକୁ ହେବ ନାହିଁ, କରିବାକୁ ହେବ । ଦୋଷମୁକ୍ତ ହେଲେହେଁ ଯେଉଁକର୍ମ ସ୍ୱାଭାବିକ ବା ନିଜ ସ୍ୱାଭାବିକ ଅନୁକୁଳ, ତାହା କଦାପି ତ୍ୟାଜ୍ୟ ନୁହେଁ । କାରଣ ନିଆଁକୁ ଧୁଆଁ ବେଢ଼ିଲା ଭଳି ସବୁ କାର୍ଯ୍ୟରେ ଦୋଷ ନିହିତ ଥାଏ-‘‘ସହଜଂ କର୍ମ କୌନ୍ତେୟ ସଦୋଷମପି ନ ତ୍ୟଜେତ୍‍ । ସର୍ବାରମ୍ଭାହି ଦୋଷେଣ ଧୂମେନାଗ୍ନି-ରିବାବୃତାଃ ।’’

Image

 

Unknown

ଓଡ଼ିଆ ସାହିତ୍ୟର ପରମ୍ପରା

 

କଥାରେ ଅଛି, ‘‘ମନ ଫୁଲାଣିଆ ଗୀତ ଗାଏ ।’’ ମନ ଖୁସି ଥିଲାବେଳେ ଗୀତ ବୋଲାଯାଏ-ସାହିତ୍ୟ ଲେଖା ହୁଏ । ମନ ଖୁସି ରହେ କେଉଁ ଅବସ୍ଥାରେ ? ଯେତେବେଳେ ତାହା ସୁସ୍ଥ ସବଳ ନିର୍ମଳ । ଦେହ ସୁସ୍ଥ ଥିବାବେଳେ ମନ ସୁସ୍ଥ ରହେ । ଦେହ ସୁସ୍ଥ ରହେ ଯେତେବେଳେ ସମାଜରେ ଅନ୍ନବସ୍ତ୍ରର ଅଭାବ ନ ଥାଏ । ସେତିକିବେଳେ ମନକୁ ଭାବିବାକୁ ଫୁରସତ୍‍ ମିଳେ ଯଥେଷ୍ଟ, ଯୁଣି ସେ ଭାବନାକୁ ସାହିତ୍ୟରେ ରୂପରେଖ ଦେବା ପାଇଁ ଦେହ ମଧ୍ୟ ଥାଏ ସବଳ ।

 

ସମାଜରେ ଏହି ଅବସ୍ଥା ଆଣିବା ହେଲା ଉତ୍‍କୃଷ୍ଟ ଶାସନର କାମ । କର୍ମୀ, ଶ୍ରମିକମାନଙ୍କ ମନ ଖୁସିକରିବାକୁ, ବିଶ୍ରାମ ଦେବାକୁ, ଖେଳ କୌତୁକରେ ଦେହ ମନକୁ ତାଜା ରଖିବାକୁ ଦେଶେ ଦେଶେ ଆଜି କେତେ ପ୍ରକାର ବନ୍ଦୋବସ୍ତ ହେଉଛି । ସ୍ୱାସ୍ଥ୍ୟ ନିବାସମାନ ଗଢ଼ା ଯାଉଛି । ତାହା ଫଳରେ ଦେହ ମନର ଫୁର୍ତ୍ତି ବଢ଼ି ଆହୁରି କାମ କରିବାକୁ ଉତ୍ସାହ ମିଳୁଛି ।

 

ସବୁ ଯୁଗରେ ସାହିତ୍ୟ ହେଲା ସମାଜର ଦର୍ପଣ । ସାହିତ୍ୟ ଭିତରେ ଆମେ ସମାଜର ମୁହଁ ଦେଖୁଁ । ସମାଜ ଉଚ୍ଚସ୍ତରରେ ଥିବାବେଳେ, ଉଚ୍ଚ ସାହିତ୍ୟର ସୃଷ୍ଟି ହୁଏ । ଏହିଭଳି ଅବସ୍ଥାରେ ଓଡ଼ିଆ ସାହିତ୍ୟର ଜନ୍ମ ଆଉ ଉନ୍ନତି । ସେତେବେଳେ ଓଡ଼ିଶାରେ ରାଜତ୍ୱ କରୁଥାନ୍ତି, ଆଦର୍ଶ ସମାଟ କପିଳେନ୍ଦ୍ର ଦେବ । ମହାନ୍‍ ସଂସ୍କୃତ ସାହିତ୍ୟର ଗଣ୍ଡି ଭିତରୁ ଉତୁରି ସେତିକିବେଳେ ଓଡ଼ିଆ ସାହିତ୍ୟ ତାହାର ନିଜରୂପ ପ୍ରକଟ କଲା । ଶୂଦ୍ରମୁନି ସାରଳା ଦାସ ବଜାଇଲେ ତାହାର ପ୍ରଥମ ଡିଣ୍ଡିମ କପିଳେନ୍ଦ୍ରଙ୍କ ସମୟର ଆଦର୍ଶ-ସମାଜର ଦର୍ପଣକୁ ଟେକି ଧରିଲେ । ତାଙ୍କ ‘ଚଣ୍ଡୀପୁରାଣ’ ‘ବିଲଙ୍କା ରାମାୟଣ’ ଭଳି ଆଉ କେତେ ଗୁଡ଼ିଏ ଗ୍ରନ୍ଥ ଭିତରେ ‘ସାରଳା ମହାଭାରତ’ ଆଜି ବି ସେହି ଦର୍ପଣ ଧରି ଆମଆଗରେ ଠିଆ ହୋଇଛି । ତାହାରି ଭିତରେ ଓଡ଼ିଆ ଜାତୀୟତା’ର ପ୍ରାଣ ପ୍ରତିଷ୍ଠା ହେଲା, ଆଉ ଏହି ‘‘ଜମ୍ୱୁଦ୍ୱୀପେ ଭ୍ରତଖଣ୍ଡେ ଓଡ୍ରାଷ୍ଟ୍ର ମଣ୍ଡଳ’’ରେ ଗୋଟିଏ ସ୍ୱତନ୍ତ୍ର ଭାଷା ପୁଣି ସ୍ୱତନ୍ତ୍ର ସାହିତ୍ୟର ହେଲା ଆବିର୍ଭାବ । ଏହା ଭିତରେ କେତେ ବୀର ସୈନିକ ଖଣ୍ଡା ଧାରରେ ଗୋଦାବରୀ ଠାରୁ ଗଙ୍ଗା ପର୍ଯ୍ୟନ୍ତ ଯୁଦ୍ଧ ଜୟ କରି ସାମ୍ରାଜ୍ୟ ବିସ୍ତାର କଲେ । କେତେ ଶିଳ୍ପୀ ନିହଣ ମୁନରେ ପଥର ଖୋଳି ଅଦ୍‍ଭୂତ ଦେଉଳ ଗଢ଼ିଲେ । ଆଉରି କେତେ କବି ଲେଖନ ମୁନରେ ସାହିତ୍ୟ ରଚନା କରି ଏହି ଭୂମି ଖଣ୍ଡର ଜୟ ଜୟ କଲେ ।

 

କିନ୍ତୁ ଏହି ଉଡ୍ରାଷ୍ଟ ମଣ୍ଡଳ ଯେ ଜମ୍ୱୁଦ୍ୱୀପ ଭ୍ରତଖଣ୍ଡ ଠାରୁ ନିଆରା ନୁହେଁ, ସେ କଥା କବି ପାଶୋରି ନାହାନ୍ତି । ବରଂ ମହାଭାରତର ବୀରମାନେ ଯେ ଓଡ଼ିଶାର ବୀର, ପୁଣ୍ୟ ଭୂମି ଭାରତରେ ଓଡ଼ିଶା ଯେ ଏକ ଶ୍ରେଷ୍ଠ ତୀର୍ଥ, ସେହି ଚିତ୍ର ସେ ଆମ ଆଗରେ ଧରିଛନ୍ତି ।

 

‘‘କଳି ମଳ ବିଧ୍ୱଂସିନୀ କୋଟି ଦେବୀପୂଜା

ପ୍ରମାଣ ମାତ୍ରେ ଖଣ୍ଡଇ କପିଳେଶ ରାଜା ।’’

 

ଓଡ଼ିଶାର ଘରେ ଘରେ ଯେଉଁ ମହାଭାରତର ପୂଜା ପାଠ, ତାହାରି ଆରମ୍ଭରେ ଶାରଳା ଠାକୁରାଣୀଙ୍କ ବର୍ଣ୍ଣନା ଭିତରେ କପିଳେନ୍ଦ୍ର ରାଜାଙ୍କୁ ମଧ୍ୟ ସ୍ଥାନ ଦିଆଯାଇଛି । ଆପଣାକୁ ଜନ୍ମମୂର୍ଖ ବୋଲି ବାରମ୍ୱାର ପରିଚୟ କରାଇ କେବଳ ସାରଳାଙ୍କ କୃପାରୁ ସେ ମହାଭାରତ ଲେଖିଥିବା କଥ ପ୍ରକାଶ କରିଛନ୍ତି । କବିଙ୍କର ଏହି ସ୍ୱୀକୃତି ଭିତରେ ବହୁତ ନିଗୂଢ଼ କଥାଅଛି ।

 

‘‘ଶୁଣ ସୁଜ୍ଞ ଜନେ କରି ଏକ ଚିତ୍ତ

ଜନ୍ମରୁ ମୁରୁଖ ମୁହିଁ ନୁହଇ ପଣ୍ଡିତ ।

ସୁପ୍ରଶନ୍ନେ ଆଜ୍ଞା ମୋତେ ଦେଲେ ଶାକାମ୍ଭରୀ

ଲଭତୁ ବିଳାସ ମହାଭାରତ ବିସ୍ତାରି ।’’

 

ଆଗରୁ ଭାଷା ଥିଲା, ଦେବଭାଷା, । ସାହିତ୍ୟ ଥିଲା ସଂସ୍କୃତ, ଆଉ ତାହାର ଚର୍ଚ୍ଚା କରୁଥିଲେ ବ୍ରାହ୍ମଣ ପଣ୍ଡିତମାନେ । ମାତ୍ର ପୈଶାଚିକ ଭାଷା ଓଡ଼ିଆକୁ ଯେବେ ତା’ର ଅବନତି ଘଟିଲା, ତାହାର କବି ଲେଖକ ତେବେ କିଏ ? ନିଶ୍ଚୟ ସେ ମୂର୍ଖ ଶୂଦ୍ରକୁଳର । ଅଳ୍ପ କେତେ ଜଣ ସଂସ୍କୃତି ପଣ୍ଡିତ ଗୋଷ୍ଠୀର ବିଳାସ ଆସନରୁ ଖସି ଆସି ବାଗ୍‍ ଦେବୀ ମୂର୍ଖ ନିରକ୍ଷର ଶୂଦ୍ର ଅଛୁଆଁ ସାଧାରଣ ମଣିଷ ସମାଜ ଭିତରେ ଆପଣା ମହିମା ବାଣ୍ଟି ଦେବାକୁ ଇଚ୍ଛାକଲେ । ତେଣୁ ତାଙ୍କର ପୂଜକ ମଧ୍ୟ ସେଇ ଶ୍ରେଣୀରୁ ବାହାରିଲେ । ବ୍ରାହ୍ମଣ ପୁରୋହିତ ଆଉ ଲୋଡ଼ା ହେଲେ ନାହିଁ । ଓଡ଼ିଆ ସାହିତ୍ୟର ଜନ୍ମ ବୃତ୍ତାନ୍ତ ଭିତରେ ଏଇ ତଥ୍ୟଟିକୁ ପାସୋରି ଦେଇ ହେବନାହିଁ । କାହିଁକ ନା ସେତିକି ବେଳୁଁ ସଂସ୍କୃତର ଏକଛତ୍ର ରାଜତନ୍ତ୍ର ଓଡ଼ିଆ ସାହିତ୍ୟର ଗଣତନ୍ତ୍ର ଭିତରେ ଲୁଚିଯିବା ପାଇଁ ଆରମ୍ଭ କଲା । ଯେଉଁ ଭାଷାକୁ ଏ ଅଞ୍ଚଳର ମୂର୍ଖ ପଣ୍ଡିତ ସ୍ତ୍ରୀ ପୁରୁଷ ପିଲା ବୁଢ଼ା ସମସ୍ତେ କହନ୍ତି, ସମସ୍ତେ ବୁଝନ୍ତି, ସେହି ଭାଷା ହେଲା ସାହିତ୍ୟର ସମ୍ପତ୍ତି । ଆଉ ସେ ସମ୍ପତ୍ତିର ପ୍ରଥମ ମାଲିକ ହେଲେ ଶୂଦ୍ରମୁନି ସାରଳା ଦାସ ।

 

ଆକୁମାରୀ ହିମାଳୟ ଆମର ଏଇ ଅତି ପୁରାଣ ପବିତ୍ର ଭାରତବର୍ଷ । ବିଶ୍ୱ ସଭ୍ୟତାର ଆଲୋକଧାରୀ ହୋଇ ସେ ଚିରବିଦ୍ୟମାନ । ହଜାର ହଜାର ବର୍ଷ ଆଗରୁ ସେଇ ଭାରତକୁ କବୀଶ୍ୱର ବ୍ୟାସଦେବ ମହାଭାରତ ରୂପରେ ଦେଖିଥିଲେ, ପୁଣି ଦେଖାଇଥିଲେ । ତାଙ୍କଠାରୁ ବଡ଼ ନାମକରଣ ଏ ଦେଶର କେହି କରିନାହିଁ । ସାରଳାଦାସ ସେଇ ଭାରତକୁ ମହାନ୍‍ କରି ବାଣ୍ଟିଲେ ଓଡ଼ିଶାର ଘରେ ଘରେ । ମହାଭାରତକୁ ପରିଚୟ କରାଇଲେ ଓଡ଼ିଶାର ପୁରପଲ୍ଲୀରେ । ଓଡ଼ିଶା ଭୂଖଣ୍ଡର ସଂଯୋଗ ସ୍ଥାପନ କଲେ, ଋଷିଜନବନ୍ଦିତ ମହାଭାରତ ସହିତ । ଆଜି ଶହ ଶହ ବର୍ଷ ପରେ ସେହି ପ୍ରେରଣା ହିଁ ଆମକୁ ଉଦ୍‍ବୋଧନ ଦିଏ । ଆତ୍ମା ଭିତରେ ପରମାତ୍ମା, ଏହି ଭିତରେ ବହୁ, ପୁଣି ବହୁ ଭିତରେ ଏକର ଦର୍ଶନ, ଓଡ଼ିଶା ଭିତରେ ଭାରତ–ପୁଣି ଭାରତ ଭିତରେ ଓଡ଼ିଶାକୁ ଦେଖିବା ହେଲା ଓଡ଼ିଆ ମହାଭାରତର କବି ଶୂଦ୍ରମୁନି ସାରଳା ଦାସଙ୍କର ସାଧନା । ସେଇ ସାଧନା ହିଁ ଆମର ପୁଣ୍ୟ ପରମ୍ପରା ।

Image

 

ଓଡ଼ିଆ ନାଟକ ଓ ରଙ୍ଗମଞ୍ଚର ଐତିହାସିକ ଅଭ୍ୟୁତ୍‍ଥାନ

 

ଉତ୍କୃଷ୍ଟକଳାର ଦେଶ ଉତ୍କଳ । କୋଣାର୍କ, ଭୁବନେଶ୍ୱର ଓ ପୁରୀର ବିଖ୍ୟାତ ମନ୍ଦିରମାନ ଆଜି ତାହାର ଜୀବନ୍ତ ଇତିହାସ, ଅତୀତର ମୂକସାକ୍ଷୀ । ଏ ସବୁର ମୂଳରେ ରହିଛି ଅତି ପ୍ରାଚୀନ କାଳରୁ ଏ ଦେଶରେ ନୃତ୍ୟ, ଅଭିନୟ ଓ ସଙ୍ଗୀତର କ୍ରମିକ ସାଧନା । ଭୁବନେଶ୍ୱର ନିକଟବର୍ତ୍ତୀ ଉଦୟଗିରି ଗୁମ୍ଫାର ପ୍ରସ୍ତର ଗାତ୍ରରେ ଏହାର ସ୍ପଷ୍ଟ ପ୍ରମାଣ ମିଳୁଛି । ରଙ୍ଗାଳୟର (Theatre) ପରିବେଶ ମଧ୍ୟରେ ନଟୀର ବିଚିତ୍ର ନୃତ୍ୟ-ଭଙ୍ଗୀର ଭାସ୍କର୍ଯ୍ୟ କି ସୁନ୍ଦର, କି ମନୋଜ୍ଞ ! ଡକ୍ଟର ଚାର୍ଲସ୍‍ ଫେବ୍ରିଙ୍କ ମତରେ ଖ୍ରୀ: ଅ: ୨ୟ ଶତକରେ ଏହି ନୂତ୍ୟକଳା ଏ ଦେଶରେ ପ୍ରଚଳିତ ଥିଲା ।

 

କିନ୍ତୁ ଏ ହେଲା ଅତି ପ୍ରାଚୀନ କାଳର କଥା । ଆଧୁନିକ ଯୁଗରେ କ’ଣ ହୋଇଛି-ତାହା ହିଁ ବର୍ତ୍ତମାନ ଆଲୋଚନାର ବିଷୟ । ଓଡ଼ିଆ ନାଟ୍ୟକଳା ଅଧୁନା ଯଥେଷ୍ଟ ଉନ୍ନତି ଲାଭ କରିଛି । ନାଟକର ରଚନା ରୀତି ଓ ଶିଳ୍ପ-ନୈପୁଣ୍ୟରେ ଦ୍ରୁତ ପରିବର୍ତ୍ତନ ଘଟିଛି । ଅଭିନୟ ଏବଂ ମଞ୍ଚ-ସଜ୍ଜାରେ ଆଧୁନିକ ରୁଚି ସ୍ପଷ୍ଟରୁ ସ୍ପଷ୍ଟତର ହୋଇଛି । ଅଭିନେତା-ଅଭିନେତ୍ରୀ ରୂପେ ସ୍ତ୍ରୀ ଓ ପୁରୁଷ ଉଭୟେ ଯୋଗ ଦେଇଛନ୍ତି । ଚଳିତ ଯୁଗର ସାମାଜିକ ଇତିହାସ କହିବାରେ-ବାସ୍ତବ ଜୀବନର ସମସ୍ୟା, ସଂଘର୍ଷ ଏବଂ ଦୈନନ୍ଦିନ ଜୀବନର ସ୍ୱାଭାବିକ ଘଟଣାବଳୀର ଯଥାର୍ଥ ପ୍ରଦର୍ଶନରେ ଆଧୁନିକ ନାଟକର ଆଖ୍ୟାନ ଭାଗ ତଥା ଚରିତ୍ର ସୃଷ୍ଟି ସଫଳକାମ ହୋଇଛି । ଅଧୁନା କଟକରେ ଦୁଇଟି ଏବଂ ପୁରୀ ଓ ବ୍ରହ୍ମପୁରରେ ଦୁଇଟି, ଏପରି ଚରୋଟି ରଙ୍ଗମଞ୍ଚ ଓଡ଼ିଶାରେ ଅଛି । କିନ୍ତୁ ଆଧୁନିକ ଉପକରଣ ଅଭାବରୁ ଏଗୁଡ଼ିକ ସେତେ ଉନ୍ନତ ହୋଇ ପାରି ନାହିଁ । ତଥାପି ପ୍ରତ୍ୟହ ଶହ ଶହ ଲୋକ ଅଭିନୟ ଦେଖିବାକୁ ଯାଉଛନ୍ତି । ଦିନକୁ ଦିନ ସେମାନଙ୍କର ସଂଖ୍ୟା ମଧ୍ୟ ଆଶାନୁରୂପ ବଢ଼ି ଚାଲିଛି ।

 

ଆଧୁନିକ ଥିଏଟର-ଅଭିନୟ ବେଶି କାଳର କଥା ନୁହେଁ । ଚଳିତ ଶତକ ମଧ୍ୟରେ ହିଁ ଏହାର ଦ୍ରୁତ ଉନ୍ନତି ଘଟିଛି । କିନ୍ତୁ ଓଡ଼ିଆ ନାଟ୍ୟକଳାର ମୂଳ ଉତ୍ସ ପ୍ରବାହିତ ହୋଇଆସିଛି ପଞ୍ଚଦଶ ଶତକରୁ । ଏହି ସମୟରେ ଓଡ଼ିଶାର ଗଜପତି ରାଜା କପିଳେନ୍ଦ୍ର ଦେବ ‘ପର୍ଶୁରାମ-ବିଜୟ’ ନାମକ ଏକାଙ୍କିକା ଲେଖିଥିଲେ । ତାହାଙ୍କର ପୌତ୍ର ପ୍ରତାପରୁଦ୍ର ଦେବ ଲେଖିଥିଲେ ‘ଅଭିନବ ବେଣୀ-ସଂହାରମ୍‍’ ଏକାଙ୍କିକା । ଚୈତନ୍ୟଙ୍କର ପ୍ରିୟ ଶିଷ୍ୟ ରାୟ ରାମାନନ୍ଦ ସେତେବେଳେ ଦକ୍ଷିଣ ଓଡ଼ିଶାର ରାଜ୍ୟପାଳ ରୂପେ ନିଯୁକ୍ତ ହୋଇଥିଲେ । ସେ ଲେଖିଥିଲେ ପୂର୍ଣ୍ଣାଙ୍ଗ ‘ଜଗନ୍ନାଥ ବଲ୍ଲଭ ନାଟକ ।’ କଥିତ ଅଛି, ଏହି ନାଟକର ଅଭିନୟ ପାଇଁ ଜଗନ୍ନାଥ ମନ୍ଦିରର ଦେବଦାସୀମାନେ ଅଭିନେତ୍ରୀ ରୂପେ ଅବତୀର୍ଣ୍ଣ ହୋଇଥିଲେ ।

 

ରାମାନନ୍ଦଙ୍କର ନାଟକମାନ ଯେଉଁ ରଙ୍ଗମଞ୍ଚରେ ଅଭିନୀତ ହେଉଥିଲା, ଆଜି ସେହି ସ୍ଥାନଟି ପୁରୀର ‘‘ଜଗନ୍ନାଥ ବଲ୍ଲଭ’’ ଉଦ୍ୟାନ ନାମରେ ପରିଚିତ । ରାଜା କପିଳେନ୍ଦ୍ର ଓ ପ୍ରତାପରୁଦ୍ରଙ୍କର ନାଟକମାନ ଦଶହରା ଉପଲକ୍ଷେ ସ୍ୱତନ୍ତ୍ର ରଙ୍ଗମଞ୍ଚରେ ଅଭିନୀତ ହେଉଥିଲା । ଆଶ୍ଚର୍ଯ୍ୟର କଥା, ସେ ଯୁଗରେ ମଧ୍ୟ କେବଳ ପୁରୀରେ ନୁହେଁ, ଓଡ଼ିଶାର ବିଭିନ୍ନ ସ୍ଥାନରେ ଅନ୍ୟୂନ ୨୪ଟି ଏକାଙ୍କିକା ନାଟକ ଅଭିନୀତ ହୋଇ ପାରିଥିଲା । ଏହି ନାଟକମାନ ସରଳ ସଂସ୍କୃତ ଭାଷାରେ ରଚିତ ହୋଇଥିଲା । ସାଧାରଣ ଲୋକେ ଯେପରି ସହଜରେ ବୁଝିପାରିବେ ଏବଂ ଅଭିନୟଟିକୁ ପସନ୍ଦ କରିବେ, ସେଥିପ୍ରତି ନାଟ୍ୟକାରମାନଙ୍କର ବିଶେଷ ଦୂରଦୃଷ୍ଟି ଥିଲା । ନାଟକୀୟ ସଂଳାପ ମୁଖ୍ୟତଃ ସଂସ୍କୃତ ଭାଷାରେ ରଚିତ ହେଉଥିଲେହେଁ ଅଭିନୟକୁ ଅଧିକ ଚିତ୍ତାକର୍ଷକ କରିବାପାଇଁ ନାଟକର ସ୍ଥାନେ ସ୍ଥାନେ ଓଡ଼ିଆ ଭାଷାରେ ରଚିତ କେତେକ ସଂଗୀତ ଦିଆ ଯାଉଥିଲା । କିନ୍ତୁ ଏହି ନାଟକମାନଙ୍କ କଥାବସ୍ତୁର ମୂଳ ଉତ୍ସ ଥିଲା ରାମାୟଣ, ମହାଭାରତ ଓ ଅନ୍ୟାନ୍ୟ ପୁରାଣ-ଗଳ୍ପ ।

 

ଆମ ଭାଷାରେ ସବୁଠୁଁ ପ୍ରାଚୀନ ଗଣନାଟକ ହେଉଛି ରାମ ଓ କୃଷ୍ଣଲୀଳା । ଓଡ଼ିଶାର ପ୍ରାଚୀନ ନୃତ୍ୟାଭିନୟ ମଧ୍ୟରେ ଦଣ୍ଡନାଟ ମଧ୍ୟ ଅନ୍ୟତମ ଉଲ୍ଲେଖଯୋଗ୍ୟ ଅଭିନୟ । ନୃତ୍ୟ ଛଳରେ ଏଥିରେ ଶିବ ଓ ପାର୍ବତୀଙ୍କ ବିବାହ ପ୍ରସଙ୍ଗ ପ୍ରଦର୍ଶିତ ହୁଏ । ଏବେ ଷଢ଼େଇ-କଳାର ଯେଉଁ ଛଉନାଟ ଆନ୍ତର୍ଜାତିକ ସୁନାମ ଅର୍ଜନ କରିଛି, ତାହା ମଧ୍ୟ ଏକ ପ୍ରକାର ନୃତ୍ୟାଭିନୟ । ସେଥିରେ ରାମାୟଣ ଏବଂ ମହାଭରତର ଗଳ୍ପମାନ ନୃତ୍ୟଚ୍ଛଳରେ ପ୍ରଦର୍ଶିତ ହୁଏ । ଏହି ନାଚପାଇଁ ମୁଖା ବ୍ୟବହୃତ ହୁଏ । ‘ଛଉ’ ଶବ୍ଦର ଆକ୍ଷରିକ ଅର୍ଥ ‘ଛବି’ (ଚିହ୍ନ) ଏବଂ କାହାରି କାହାରି ମତରେ ‘ଛାଉଣି’ ବୋଲି ଅଭିପ୍ରେତ । ପ୍ରଥମେ ହୁଏତ ଏହା ଓଡ଼ିଶାର ପାଇକ ସେନାମାନଙ୍କ-ଦ୍ୱାରା ଯୁଦ୍ଧକାଳୀନ ସେନା-ଛାଉଣୀମାନଙ୍କରେ କିମ୍ୱା ରାଜ-ଦରବାରରେ ଅଭିନୀତ ହେଉଥିଲା । କିନ୍ତୁ ଏବେ ସାଧାରଣତଃ ଚୈତ୍ର ସଂକ୍ରାନ୍ତି ଦିନ ଯଥାବିଧି ଉପବାସ ଓ ଶିବଦୁର୍ଗାଙ୍କର ଆରାଧନାସହ ଏହି ନୃତ୍ୟର ଅଭିନୟ ପ୍ରଦର୍ଶିତ ହୁଏ ।

 

ପୁଣି ‘ରାସଲୀଳା’ ଏବଂ ‘ରଙ୍ଗସଭା’ର ନୃତ୍ୟ-ଗୀତାଭିନୟ ଏହି ପ୍ରସଙ୍ଗରେ ଅବଶ୍ୟ ବର୍ଣନୀୟ । ରାସଲୀଳାରେ ପ୍ରେମିକ-ଶିରୋମଣି କୃଷ୍ଣ, ରାଧା ଏବଂ ଗୋପାଙ୍ଗନାମାନଙ୍କର ନିତ୍ୟଲୀଳାର ମାଧୁର୍ଯ୍ୟ ବିଶେଷ ରୂପେ ଅଭିନୟ ମଧ୍ୟରେ ପ୍ରକଟିତ ହୁଏ । ଏହା ଦୁଇ ଭାଗରେ ବିଭକ୍ତ । ବସନ୍ତ ସମୟରେ ଯାହା ଅଭିନୀତ ହୁଏ, ତାହା ବସନ୍ତ ରାସ ଏବଂ ଶରତ କାଳରେ ଯାହା ଅଭିନୀତ ହୁଏ, ତାହା ଶରତ୍‍ ରାସ । ରାସଲୀଳାର ଗୀତଗୁଡ଼ିକ ରଚିତ ହୁଏ ପ୍ରସିଦ୍ଧ ଗଣକବି ପିଣ୍ଡିକି ଶ୍ରୀ ଚନ୍ଦନଙ୍କଦ୍ୱାରା । ପିଣ୍ଡିକିଙ୍କ ଭାଷାରେ ବଙ୍ଗଳା ଭାଷାର ପ୍ରଭାବ ପରିଲକ୍ଷିତ ହୁଏ । ପିଲାମାନଙ୍କଦ୍ୱାରା ସାଧାରଣତଃ ଏହି ଗୀତମାନ ଆବୃତ୍ତି କରାଯାଏ । ରଙ୍ଗସଭା ବା ଅସୁରରାଜ କଂସଙ୍କର ରଙ୍ଗମହଲର ଅଭିନୟରେ ପ୍ରଦର୍ଶିତ ହୁଏ-କଂସ-ନିଧନ ପ୍ରସଙ୍ଗ । କଂସ କିପରି ମୁରଲୀଧାରୀ କୃଷ୍ଣଙ୍କୁ କୌଶଳରେ ମାରିବାପାଇଁ ସ୍ୱୀୟ ରଙ୍ଗମହଲର ଏକ ବିଶେଷ ଦରବାରକୁ ଡାକିଲେ ଏବଂ ଶେଷରେ କିପରି ମଞ୍ଚଉପରୁ ଖସି ପ୍ରାଣତ୍ୟାଗ କଲେ, ଏହା ହିଁ ହେଲା ରଙ୍ଗସଭାର ପ୍ରଧାନ ପ୍ରତିପାଦ୍ୟ ବିଷୟ । ଲୋକମାନଙ୍କର ବିପୁଳ ଆନନ୍ଦ, ଉଦ୍ଦୀପନା ମଧ୍ୟରେ ଗାଁ ଗହଳରେ ଏହି ଅଭିନୟ ପ୍ରାୟ ମାସେ କାଳ ପ୍ରତି ସନ୍ଧ୍ୟାରେ ପ୍ରଦର୍ଶିତ ହୁଏ ।

 

କ୍ରମେ ଊନବିଂଶ ଶତକ ବେଳକୁ ଓଡ଼ିଆ ଗଣନାଟକମାନ ଗଦ୍ୟ ଭାଷାରେ ରଚିତ ହେଲା । ଅଭିନୟ ଏବଂ ସଂଳାପରେ ଆବଶ୍ୟକ ପରିବର୍ତ୍ତନ ଘଟିଲା । ଏ ଦିଗରେ ପ୍ରଥମ ଅଗ୍ରଣୀ ଥିଲେ-ଜଗୁ ଦାସ ଓ ଗୋପଳ ଦାସ । ଗୋପାଳ ଦାସ ‘ରଙ୍ଗସଭା’ର ଅଭିନୟ ଓ ସଂଳାପରେ ଆବଶ୍ୟକ ପରିବର୍ତ୍ତନ ଆଣିଲେ । ଦେଶର ଚାରିଆଡ଼େ ଏହା ବିଶେଷ ରୂପେ ଆଦୃତ ହେବାକୁ ଲାଗିଲା ।

 

ଚଳିତ ଶତକର ପ୍ରସିଦ୍ଧ ଗଣନାଟ୍ୟକାରରୂପେ ବୈଷ୍ଣବ-ପାଣିଙ୍କ ଆସନ ସୁପ୍ରତିଷ୍ଠିତ । ଲୋକ-ରୁଚିର ଅନୁକୁଳ ପୁରାଣକଥା ଅବଲମ୍ୱନରେ ଆଧୁନିକ ସମାଜ ଚିତ୍ର ପରିବେଷଣ କରି ସେ ତାହାଙ୍କର ଜୀବନକାଳ ମଧ୍ୟରେ ବହୁସଂଖ୍ୟକ ଗଣନାଟକ ଲେଖିଛନ୍ତି । ତାହାଙ୍କର ନାଟକମାନ ସହାନୁଭୂତିପୂର୍ଣ୍ଣ ବାସ୍ତବତାର ସ୍ପର୍ଶରେ ରଞ୍ଜିତ । ଆଧୁନିକ ଶିକ୍ଷାର ଅବାଞ୍ଛନୀୟ ପ୍ରଭାବ, ଗ୍ରାମ୍ୟ ଓ ସହର ଜୀବନର ତଫାତ୍‍ ଏବଂ ଦାରିଦ୍ର୍ୟ, ଆଶା ଓ ଉଚ୍ଚାକାଂକ୍ଷା ଘେନି ଗାଁ ଗହଳରେ ଲୋକେ କିପରି ଭାଗ୍ୟ ଅନ୍ୱେଷଣପାଇଁ କଲିକତା’ର ଚଟକଳର କୁଲିଗିରି କରି ପେଟ ପୋଷନ୍ତି, ଏ ସବୁର ଅତି ବାସ୍ତବ ଚିତ୍ର ତାହାଙ୍କର ଲେଖନୀରେ ରୂପାୟିତ ହୋଇଛି ।

 

ବୈଷ୍ଣବପାଣିଙ୍କର ବ୍ୟଙ୍ଗରଚନାମାନ ଅତୁଳନୀୟ । ଶିକ୍ଷିତ ଗୋଷ୍ଠୀଙ୍କ ପ୍ରତି ତାହାଙ୍କର ଶ୍ଳେଷ (pun) ଅଧିକାଂଶ ସମୟରେ ଆବୃତ୍ତ କରାଯାଏ–

 

ପାଠ ପଢ଼ିବି ମୁଁ ପାଠ ପଢ଼ିବି

ମଧୁବାବୁ ସଙ୍ଗେ ଲଢ଼ିବି

ଭାରିଯାକୁ ହେବି କୋଟି ନମସ୍କାର

ମାଆ ମୁଣ୍ଡେ ବିଧା କୋଡ଼ିବି ।

 

ବୈଷ୍ଣବ ପାଣି ଦେହତ୍ୟାଗ କଲେ-ମଇମାସ ୧୯୫୬ ଖ୍ରୀଷ୍ଟାବ୍ଦରେ । ତାଙ୍କର ସାମୟିକ ତଥା ସହକର୍ମୀ ରୂପେ ଶ୍ରୀ କୃଷ୍ଣପ୍ରସାଦ ବସୁଙ୍କ ନାମ ଉଲ୍ଲେଖଯୋଗ୍ୟ । ଓଡ଼ିଆ ଯାତ୍ରାକୁ ତାହାଙ୍କର ଦାନ ଅବିସ୍ମରଣୀୟ । ଏବେ ମଧ୍ୟ ସେ ‘ପାଲା’ ଲେଖୁଛନ୍ତି ।

 

ବୈଷ୍ଣବ ପାଣିଙ୍କ ପଦାଙ୍କ ଅନୁସରଣକାରୀ ନାଟ୍ୟକାର ହେଉଛନ୍ତି ବାଳକୃଷ୍ଣ ମହାନ୍ତି । ସେ କେବଳ ନାଟକ ଲେଖି ନାହାନ୍ତି, ବୈଷ୍ଣବପାଣି ଓ କୃଷ୍ଣପ୍ରସାଦଙ୍କ ଭଳି ଏକ ସମୟରେ ସେ ମଧ୍ୟ ଥିଲେ ଜଣେ ଖ୍ୟାତି-ସମ୍ପନ୍ନ ଅଭିନେତା ଓ ନିଜ ଯାତ୍ରାଦଳର ଗୁରୁ । ସୁଦୂର ବଙ୍ଗଦେଶ ପର୍ଯ୍ୟନ୍ତ ତାହାଙ୍କର ନାମ ଡାକ ଥିଲା । ତାହାଙ୍କ ନାଟକର କଥାବସ୍ତୁ ଆଧୁନିକ ସମସ୍ୟା ଅପେକ୍ଷା ପୌରାଣିକ ଉପାଖ୍ୟାନ ଭିତରେ ହିଁ ବିଶେଷ ରୂପେ ସୀମାବଦ୍ଧ । ତାହାଙ୍କର ଗଣନାଟକମାନ ମୁକ୍ତ ରଙ୍ଗମଞ୍ଚରେ ଅଭିନୀତ ହୁଏ ଏବଂ ଗାଁ ଗହଳର ଅଶିକ୍ଷିତ ଲୋକେ ହିଁ ସାଧାରଣତଃ ଏହାର ପ୍ରଧାନ ରସଗ୍ରାହୀ ଦର୍ଶକ ।

 

ଅପେରା ବା ଗଣ-ନାଟ୍ୟକଳାର ତିନୋଟି ବିଭାଗ-ଲୀଳା, ସୁଆଙ୍ଗ ଓ ଯାତ୍ରା । ବୈଷ୍ଣବ ପାଣି ଓ ବାଳକୃଷ୍ଣଙ୍କ ଅନୁସରଣରେ କ୍ରମେ ଏ ଦିଗରେ ବହୁ ଲେଖକ ବହୁତ ନାଟକ ଲେଖିଛନ୍ତି; କିନ୍ତୁ ସେମାନଙ୍କ ଭିତରେ ଭିଖାରୀ, ବନ୍ଧୁ, ମାଗୁଣି, ଦୁଷ୍କର, ପଦ୍ମନାଭ ପ୍ରମୁଖ ନାଟ୍ୟକାରମାନେ ବିଶେଷ ରୂପେ ଜଣାଶୁଣା । ଅପେରା ପାର୍ଟିର ବରାଦ ମୁତାବକ ନାଟକ ଲେଖିଦେବାପାଇଁ ଆହୁରି ଅନେକ ଗଣକବି ଅଛନ୍ତି ଓ ନୂଆକୁ ବାହାରୁଛନ୍ତି । ଅପେରା ପାର୍ଟିରୁ ସେମାନେ କିଛି କିଛି ଟଙ୍କା ପାଆନ୍ତି । ଫଳରେ ଏବେ ମଧ୍ୟ ଗାଁ ଗହଳରେ ଅପେରା ପାର୍ଟି ବଞ୍ଚି ରହିଛି । ଅଶିକ୍ଷିତ ଜନସାଧାରଣଙ୍କ ପକ୍ଷରେ ଏହା ଯେପରି ଏକ ଶିକ୍ଷାର ମାଧ୍ୟମ, ସେହିପରି ରସଚର୍ଚାର ଏକ ଅବଲମ୍ବନ ।

 

୧୮୮୫ ଖ୍ରୀଷ୍ଟାବ୍ଦରେ ମହନ୍ତ ରଘୁନାଥ ପୁରୀ ଗୋସ୍ୱାମୀ କଟକ ନିକଟସ୍ଥ କୋଠପଦା ମଠ ହତା ଭିତରେ ଅନୁନ୍ନତ ଧରଣର ଏକ ରଙ୍ଗମଞ୍ଚ ତିଆରି କଲେ । ଏଥିରେ ପ୍ରଧାନତଃ ବୈଷ୍ଣବ ପାଣିଙ୍କର ‘ଯାତ୍ରା’ କେତେ ବର୍ଷ ଧରି ଅଭୀନୀତ ହେଲା ।

 

ଏହାପରେ ମହାଭାରତ ଓ ରାମାୟଣ ମହାଗ୍ରନ୍ଥର ନାଟକୀୟ ରୂପ ଦେଲେ ଯଥା କ୍ରମେ ଗୋପୀନାଥ ନନ୍ଦ ଓ ହରିହର ମିଶ୍ର । ଉଭୟ ନାଟକ ପଠନ ଦୃଷ୍ଟିରୁ ବିଶେଷ ରୂପେ ଆଦୃତ ହେଲା । କିନ୍ତୁ ମୂଳଗ୍ରନ୍ଥ ପରି ଏଗୁଡ଼ିକ ଥିଲା ବିରାଟକାୟ । ଏକ କାଳୀନ ସମୁଦାୟ ଅଂଶ ଅଭିନୟ କରିବା ପ୍ରାୟ ସମ୍ଭବପର ହେଉ ନ ଥିଲା ।

 

ଆଧୁନିକ ଓଡ଼ିଆ ନାଟକ ପ୍ରଥମେ ରଚିତ ହେଲା ଐତିହାସିକ କଥାବସ୍ତୁକୁ ଘେନି । ରାମଶଙ୍କର ରାୟଙ୍କର ଐତିହାସିକ ‘‘କାଞ୍ଚିକାବେରୀ’’ ନାଟକ ଏ ଦିଗରେ ପ୍ରଥମ ସାହସିକ ପଦକ୍ଷେପ । ରାମଶଙ୍କର ସର୍ବମୋଟ ୧୪ ଖଣ୍ଡି ନାଟକ ଲେଖ ଯାଇଅଛନ୍ତି । ଆଧୁନିକ ଓଡ଼ିଆ ନାଟକର ସେ ହେଉଛନ୍ତି ଅବିସମ୍ୱାଦିତ ଜନ୍ମଦାତା । ସେକ୍‍ସପିଅରଙ୍କ ନାଟକୀୟ ଶୈଳୀ ତାଙ୍କୁ ବିଶେଷ ରୂପେ ପ୍ରଭାବିତ କରିଥିଲା । ସ୍ୱଚ୍ଛନ୍ଦରେ ହୃଦୟର ଗଭୀରତମ ଭାବନାଗୁଡ଼ିକ ପ୍ରକାଶ କରିବାପାଇଁ ସେ ମୁକ୍ତ ଛନ୍ଦରେ ସର୍ବପ୍ରଥମେ ଓଡ଼ିଆ ନାଟକ ଲେଖିଲେ । କିନ୍ତୁ ସଂସ୍କୃତ ନାଟକର ରଚନା-ରୀତିକୁ ସେ ଏକାବେଳକେ ପରିତ୍ୟାଗ କରି ନ ଥିଲେ । ସଂସ୍କୃତ ରୀତିର ଅନୁସରଣରେ ତାହାଙ୍କ ନାଟକର ପ୍ରାରମ୍ଭରେ ‘ପ୍ରସ୍ତାବନା’ ଅଂଶ ଦିଆଯାଇଛି । ସାମାଜିକ କୁସଂସ୍କାରଗୁଡ଼ିକୁ ସେ ତୀବ୍ର ସମାଲୋଚନା କରୁଥିଲେ । ସେ କେବଳ ଐତିହାସିକ ସାମାଜିକ ଓ ପୌରାଣିକ ନାଟକ ଲେଖି ନାହାନ୍ତି, ଜୀବନ ଚରିତ-ମୂଳକ କଥାବସ୍ତୁକୁ ମଧ୍ୟ ନାଟ୍ୟରୂପ ଦେଇଛନ୍ତି । ତାଙ୍କ ରଚନାରେ ସେକ୍‍ସପିୟରଙ୍କ ରୀତି ଦ୍ରଷ୍ଟବ୍ୟ ।

 

ସେତେବେଳେ କଟକରେ ଅସ୍ଥାୟୀ ଭାବରେ ‘ଉଷା’ ଓ ‘ବାସନ୍ତୀ’ ରଙ୍ଗମଞ୍ଚ ତିଆରି ହୋଇଥିଲା । ଏଥିରେ ଦର୍ଶକମାନଙ୍କ ବସିବାପାଇଁ ସ୍ୱତନ୍ତ୍ର ରୂପେ ଏକ ପ୍ରେକ୍ଷାଳୟ ଏବଂ ଅଭିନୟ ଦେଖାଇବା ପାଇଁ ସ୍ୱତନ୍ତ୍ର ଏକ ମଞ୍ଚର ବ୍ୟବସ୍ଥା ଥିଲା ।

 

କାମପାଳ ମିଶ୍ରଙ୍କ ଲିଖିତ ‘ସୀତା-ବିବାହ’ରେ ରାମାୟଣ-ପ୍ରସିଦ୍ଧ ସୀତାଙ୍କର ବିବାହ ବିଷୟ ବର୍ଣ୍ଣିତ ହୋଇଥିଲେ ମଧ୍ୟ ଏହା ନିଜସ୍ୱ ଶୈଳୀ ଓ ଭାଷାର ଚମତ୍କାରିତା ଯୋଗୁଁ ବିଶେଷ ଆଦୃତ ହୋଇ ପାରିଥିଲା । ଅପରିଣତ ବୟସରେ ଦେହତ୍ୟାଗ କରିଥିଲେ ମଧ୍ୟ ସେ ଆହୁରି ୩ ଖଣ୍ଡି ଉତ୍କୃଷ୍ଟ ନାଟକ ଲେଖି ଯାଇଛନ୍ତି । ଅନ୍ୟତମ ନାଟ୍ୟକାର ଶ୍ରୀ ଭିଖାରୀଚରଣ ପଟ୍ଟନାୟକ, ରାମଶଙ୍କର ରାୟଙ୍କର ପଦାଙ୍କ ଅନୁସରଣ କରିଛନ୍ତି । ସେ ଦେଶପ୍ରେମୀ, ନୀତିବାଦୀ ଓ ଆଦର୍ଶ ସାହିତ୍ୟସେବୀ । ଭିଖାରୀଚରଣଙ୍କର ‘‘କଟକ ବିଜୟ’’ ଓ ‘‘ନନ୍ଦିକେଶରୀ’’ ନାଟକ ଐତିହାସିକ ବିଷୟବସ୍ତୁ ଅବଲମ୍ବନରେ ରଚିତ । ରାମଶଙ୍କରଙ୍କର ‘କାଞ୍ଚିକାବେରୀ’ରେ ବର୍ଣ୍ଣିତ ହୋଇଛି-କାଞ୍ଚିର ସୁନ୍ଦରୀ ରାଜକନ୍ୟା ପଦ୍ମାବତୀଙ୍କୁ ବିବାହ କରିବାକୁ ଉଚ୍ଛୁକ ଓଡ଼ିଶା ରାଜାଙ୍କର ଦାକ୍ଷିଣାତ୍ୟରେ କାଞ୍ଚି-ବିଜୟ ପ୍ରସଙ୍ଗ । ଏହି ବିଷୟବସ୍ତୁକୁ ଘେନି ପରବର୍ତ୍ତୀ କାଳରେ ୰ଗୋଦାବରୀଶ ମିଶ୍ର ‘‘ପୁରୁଷୋତ୍ତମ ଦେବ’’ ଓ ସର୍ବଶେଷରେ ଶ୍ରୀ କାଳୀଚରଣ ପଟ୍ଟନାୟକ ‘ଅଭିଯାନ’ ନାଟକ ଲେଖି ଅଛନ୍ତି । ରାମଶଙ୍କରଙ୍କ ଲିଖିତ ‘‘କାଞ୍ଚିକାବେରୀ’’ ନାଟକ ରଙ୍ଗମଞ୍ଚରେ ସାଫଲ୍ୟମଣ୍ଡିତ ହୋଇପାରି ନ ଥିଲା । କାରଣ ଆଧୁନିକ ନାଟକର ଆବ୍‍ହାଓ୍ୟା ଏଥିରେ ନଥିଲା ।

 

କେତେକ ସମାଲୋଚକଙ୍କ ମତରେ ୧୮୮୭ ମସିହାରେ ବାବୁ ଜଗମୋହନ ଲାଲାଙ୍କ ଲିଖିତ ‘‘ବାବାଜୀ’’ ଓଡ଼ିଆରେ ସର୍ବପ୍ରଥମ ସାମାଜିକ ନାଟକ । ତାଙ୍କ ଦ୍ୱିତୀୟ ନାଟକ ‘‘ସତୀ’’ରେ ସେ ଦେଖାଇଛନ୍ତି-ଜଣେ ସତୀନାରୀ କିପରି ନିଜର ଚମତ୍କାର କୌଶଳ ଓ ବୁଦ୍ଧିମତ୍ତା ପ୍ରୟୋଗ କରି ଜଣେ କାମୁକ ଅତ୍ୟାଚାରୀ ରାଜାଙ୍କଠାରୁ ସତୀତ୍ୱ ରକ୍ଷା କରିଥିଲେ ଏବଂ ଅବଶେଷରେ ନିରୁପାୟ ହୋଇ ଆତ୍ମହତ୍ୟା କରିଥିଲେ । ବିଷୟବସ୍ତୁ ଦୃଷ୍ଟିରୁ ଏହି ନାଟକଟି ଏକ ମୌଳିକ ରଚନା । ସମାଜ-ସଂସ୍କାର ପାଇଁ ଏହା ଉଦ୍ଦିଷ୍ଟ ।

 

ଓଡ଼ିଶାର ଅଗ୍ରଗଣ୍ୟ ନେତା ୰ ମଧୁସୂଦନ ଦାସ ଏହି ନାଟକକୁ ତତ୍କାଳୀନ ଓଡ଼ିଆ ସାପ୍ତାହିକ ପତ୍ରିକା ‘‘ଉତ୍କଳଦୀପିକା’’ ମାଧ୍ୟମରେ ଉଚ୍ଚ ପ୍ରଶଂସା କରିଥିଲେ । ମଧୁସୂଦନ କଟକରେ ଥିବା ସ୍ୱୀୟ ବାସଭବନ ନିକଟରେ ଗୋଟିଏ ଚିରସ୍ଥାୟୀ ରଙ୍ଗମଞ୍ଚ ନିର୍ମାଣ କରାଇଥିଲେ । କନିକା ଏବଂ ଢେଙ୍କାନାଳର ରାଜାଦ୍ୱୟ ମଧ୍ୟ ନାଟକ-ଅଭିନୟପ୍ରତି ବିଶେଷ ରୂପେ ଆକୃଷ୍ଟ ହୋଇ ନିଜ ନିଜ ରାଜପ୍ରାସାଦ ନିକଟରେ ରଙ୍ଗମଞ୍ଚ ନିର୍ମାଣ କରାଇଥିଲେ ।

 

ଖ୍ରୀଷ୍ଟାବ୍ଦ ୧୯୦୨ରେ ପାରଳାଖେମୁଣ୍ଡିରେ ଅନ୍ୟ ଏକ ରଙ୍ଗମଞ୍ଚ ତିଆରି ହେଲା । ପାରଳାଖେମୁଣ୍ଡିର ପଦ୍ମନାଭ ନାରାୟଣ ଦେବ ସ୍ୱଲିଖିତ ‘ବାଣଦର୍ପଦଳନ’ ନାଟକଟିର ଅଭିନୟପାଇଁ ଏହା ନିର୍ମାଣ କରାଇଥିଲେ । ପଦ୍ମନାଭ ନାରାୟଣ ଦେବଙ୍କ ଜ୍ୟେଷ୍ଠ ଭ୍ରାତ ପାରଳାଖେମୁଣ୍ଡିର ତତ୍କାଳୀନ ରାଜାସାହେବ ଗୌରଚନ୍ଦ୍ର ଗଜପତି ନାରାୟଣ ଦେବ ମଧ୍ୟ ‘‘ଧ୍ରୁବ’’ ଓ ଆଉ କେତେକ ପୌରାଣିକ ନାଟକ ଲେଖିଥିଲେ । ତନ୍ମଧ୍ୟରୁ କେତେଗୁଡ଼ିଏ ଏହି ରଙ୍ଗମଞ୍ଚରେ ଅଭିନୀତ ହୋଇଥିଲା ।

 

ଖ୍ରୀଷ୍ଟାବ୍ଦ ୧୯୦୩ରେ କବିଭୂଷଣ ଘନଶ୍ୟାମ ମିଶ୍ର ‘କାଞ୍ଚନମାଳୀ’ ନାମକ ଏକ ସାମାଜିକ ନାଟକ ଲେଖିଲେ । କାଞ୍ଚନମାଳୀ ହେଉଛି ଜଣେ ବ୍ରାହ୍ମଣ କନ୍ୟା । ସାତ ବର୍ଷ ବୟସରେ ତାହାର ହେଲା ବିବାହ । କିନ୍ତୁ ବିବାହର ଠିକ୍‍ ତିନିବର୍ଷ ପରେ ସେ ହେଲା ବିଧବା । ଏଇ ଅଭାଗିନୀ ବାଳିକାର ହୃଦୟବିଦାରକ ଶୋକଗାଥା ହେଉଛି ନାଟକଟିର କଥାବସ୍ତୁ । ଏ ପର୍ଯ୍ୟନ୍ତ କୌଣସି ନାଟ୍ୟକାର ଏପରି ଶୋକ ପ୍ରଧାନ କଥାବସ୍ତୁକୁ ଘେନି ସ୍ୱତନ୍ତ୍ର ନାଟକ ଲେଖି ନ ଥିଲେ ।

 

ଖ୍ରୀଷ୍ଟାବ୍ଦ ୧୯୦୪ରେ ଖଡ଼ିଆଳ ଯୁବରାଜ ‘ନାଟକ ରଚନା-ପ୍ରଣାଳୀ’ ଶୀର୍ଷକ ଏକ ନିବନ୍ଧ ଲେଖିଥିଲେ । ଓଡ଼ିଆ ସାହିତ୍ୟର ନାଟକୀୟ ରଚନାରୀତି ସମ୍ୱନ୍ଧରେ ଏହାହିଁ ପ୍ରଥମ ନିବନ୍ଧ-। ଦ୍ୱିତୀୟ ନିବନ୍ଧକାର ରୂପେ ଅଧ୍ୟାପକ ଶ୍ରୀ ଗିରିଜାଶଙ୍କର ରାୟଙ୍କର ଦାନ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ-। ‘‘ଓଡ଼ିଆ ନାଟ୍ୟକଳା’’ ତାଙ୍କର ଏକ ଉପାଦେୟ ଗ୍ରନ୍ଥ ।

 

ଚିକିଟିର ରାଜାସାହେବ ରାଧାମୋହନ ରାଜେନ୍ଦ୍ରଦେବ ସ୍ୱଲିଖିତ କେତେଗୁଡ଼ିଏ ନାଟକର ଅଭିନୟ ପ୍ରଦର୍ଶନପାଇଁ ଏକ ରଙ୍ଗମଞ୍ଚ ନିର୍ମାଣ କରାଇଥିଲେ । ନାଟକ ଲେଖିବାରେ ସେ ଅବିକଳ ସଂସ୍କୃତ ରଚନା-ରୀତିକୁ ଅନୁସରଣ କରିଥିଲେ । ତାହାଙ୍କ ନାଟକର କଥାବସ୍ତୁ ଥିଲା ମୁଖ୍ୟତଃ ପୌରାଣିକ ଉପାଖ୍ୟାନ । ତାଙ୍କର ରଚନା ଶୈଳୀ ମଧ୍ୟ ଥିଲା ପ୍ରାଚୀନତାର ପରିପୋଷକ-। ରାଧାମୋହନଙ୍କର ନାଟକଗୁଡ଼ିକ କେବଳ ତାହାଙ୍କର ନିଜ ନିର୍ମିତ ରଙ୍ଗମଞ୍ଚରେ ଅଭିନୀତ ହେଉଥିଲା । ଏହା ଛଡ଼ା ଅନ୍ୟତ୍ର କୌଣସି ସ୍ଥାନରେ ଏଗୁଡ଼ିକର ଅଭିନୟ ହୋଇନାହିଁ ।

 

ଓଡ଼ିଆ ନାଟକର ଉନ୍ନତି ହେବା ସଙ୍ଗେ ସଙ୍ଗେ ‘ରାସ-ଲୀଳା’ର ଅଭିନୟ ମଧ୍ୟ କ୍ରମେ ଅଧିକତର ଜନପ୍ରିୟ ହେବାକୁ ଲାଗିଲା । ଏହାର ପ୍ରଧାନ କାରଣ ହେଉଛି, ଅଭିନୟରେ ଗୀତ ଏବଂ ନାଚର ସମାବେଶକୁ ଲୋକେ ଅଧିକ ପସନ୍ଦ କରୁଥିଲେ । ତଦାନୀନ୍ତନ ନାଟ୍ୟକାରମାନେ ଏଥିପ୍ରତି ବିଶେଷ ଦୃଷ୍ଟି ଦେଉ ନ ଥିଲେ । ସୁତରାଂ ୧୯୧୭ରେ ଗୋବିନ୍ଦଚନ୍ଦ୍ର ସୁରଦେବଓଙ୍କର ଅପେରା ପାର୍ଟି ଗଠିତ ହେବା ସଙ୍ଗେ ସଙ୍ଗେ ସାରା ଓଡ଼ିଶାରେ ଲୀଳା ଯାତ୍ରାର ଲୋକପ୍ରିୟତା ବଢ଼ିବାକୁ ଲାଗିଲା । ଏହି ଅପେରା ପାର୍ଟିର ଅଭିନୟ ମୁଖ୍ୟତଃ ବାଳକମାନଙ୍କଦ୍ୱାରା ହେଉଥିଲା । ରାଧା, କୃଷ୍ଣ ଓ ଗୋପୀ ଭୂମିକାରେ ବାଳକମାନେ କିପରି ଅଭିନୟ କରିବେ-ନିଜେ ସୁରଦେଓ ତାହା ଶିକ୍ଷା ଦେଉଥିଲେ । ରାସଲୀଳାର ଅତ୍ୟାଧୁନିକ ନାଟ୍ୟ ରୂପ ଦେବାରେ ସୁରଦେଓ ହେଉଛନ୍ତି ପ୍ରଥମ ପଥଦ୍ରଷ୍ଟା । ସ୍ୱର୍ଗତ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ମଧ୍ୟ ପ୍ରଥମରୁ ନିଜେ ଏକ ରାସଯାତ୍ରା ଦଳର ପରିଚାଳକ ତିଲେ । ତାଙ୍କର ‘କାଳୀୟ ଦଳନ’ ଅଭିନୟ ଗାଁ ଗହଳରେ ବିଶେଷ ରୂପେ ଲୋକପ୍ରିୟତା ଅର୍ଜନ କରିଥିଲା ।

 

ସୁରଦେଓଙ୍କ ପଦାଙ୍କ ଅନୁସରଣ କରି ମୋହନସୁନ୍ଦର ଦେବ ଗୋସ୍ୱାମୀ ଅନ୍ୟ ଏକ ରାସଦଳ ଗଠନ କରିଥିଲେ । ତାହାଙ୍କ ରାସଯାତ୍ରା ମଧ୍ୟ ସମଗ୍ର ଓଡ଼ିଶାରେ ସୁନାମ ଅର୍ଜନ କରିଥିଲା । ଗୋସ୍ୱାମୀଙ୍କ ଯାତ୍ରାଦଳର ବିଶେଷତ୍ୱ ଏହି ଯେ ରାସଲୀଳାରେ ସେ ଓଡ଼ିଆ ବୈଷ୍ଣବ କବିମାନଙ୍କ ରଚିତ ସଙ୍ଗୀତମାନ ଦେଉଥିଲେ ।

 

ପଣ୍ଡିତ ଗୋଦାବୀରଶ ମିଶ୍ର ଓ ଶ୍ରୀଯୁକ୍ତ ଅଶ୍ୱିନୀକୁମାର ଘୋଷ ଉଭୟେ ଓଡ଼ିଶାର ସୁପ୍ରସିଦ୍ଧ ନାଟ୍ୟକାର । କିନ୍ତୁ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କର ନାଟକମାନ ଅଶ୍ୱିନୀକୁମାରଙ୍କ ନାଟକ ତୁଳନାରେ ରଙ୍ଗମଞ୍ଚରେ ସେତେ ସାଫଲ୍ୟମଣ୍ଡିତ ହୋଇପାରି ନାହିଁ । ଅଶ୍ୱିନୀକୁମାର ସାମାଜିକ, ଐତିହାସିକ, ପୌରାଣିକ ନାଟକମାନ ବହୁ ସଂଖ୍ୟାରେ ଲେଖିଛନ୍ତି । ଏକ ସମୟରେ ସେ ଥିଲେ ଅପ୍ରତିଦ୍ୱନ୍ଦୀ ନାଟ୍ୟକାର । ‘ବଳଙ୍ଗା ଥିଏଟର’ ଦଳ ସହିତ ସେ ସଂପୃକ୍ତ ଥିଲେ । କାଳକ୍ରମେ ବଳଙ୍ଗା ଥିଏଟର ଦଳ ଭାଙ୍ଗିଗଲା । କଟକରେ ତିଆରି ହେଲା ଏକ ସ୍ଥାୟୀ ରଙ୍ଗମଞ୍ଚ-ଅନ୍ନପୂର୍ଣ୍ଣା । ଅନ୍ନପୂର୍ଣ୍ଣା ନବୀନ ନାଟ୍ୟକାରମାନଙ୍କୁ ସ୍ୱାଗତ ଜଣାଇଲା, କିନ୍ତୁ ଅଶ୍ୱିନୀକୁମାର ଏହାର ପ୍ରଧାନ ନାଟ୍ୟକାର ହୋଇ ରହିଲେ । ଏହି ଥିଏଟର ଦଳର ପ୍ରତିଷ୍ଠାତା ଓ ପରିଚାଳକ ଥିଲେ-ପୁରୀ ବଳଙ୍ଗା ଗ୍ରାମର ୰ବନମାଳୀ ପତି । ଥିଏଟରପ୍ରତି ଲୋକରୁଚି ବୃଦ୍ଧି କରିବାରେ ତାହାଙ୍କର ନେତୃତ୍ୱ ଅନସ୍ୱୀକାର୍ଯ୍ୟ ।

 

ଅଶ୍ୱିନୀକୁମାର ସମସ୍ତଙ୍କଠାରୁ ଅଧିକ ସଂଖ୍ୟକ ପୂର୍ଣ୍ଣାଙ୍ଗ ନାଟକ ଲେଖିଥିଲେ । ତାଙ୍କର ନାଟକୀୟ ସଂଳାପମାନ ଯେପରି ବଳିଷ୍ଠ, ସେହିପରି ଭାଷା ମଧ୍ୟ ଶବ୍ଦାଡ଼ମ୍ୱରଯୁକ୍ତ । ‘‘କୋଣାର୍କ’’ ତାହାଙ୍କର ସର୍ବୋତ୍କୃଷ୍ଟ ନାଟକ । ବାରବର୍ଷର ବଢ଼େଇ ପୁଅ କୋଶାର୍କ ମନ୍ଦିରର ଚୂଡ଼ା ମାରିବାକୁ ଯାଇ କିପରି ନିଜର ପ୍ରାଣ ପର୍ଯ୍ୟନ୍ତ ଉତ୍ସର୍ଗ କରିଛି, ଏହା ହିଁ ନାଟକଟିର କଥାବସ୍ତୁ । ଅଶ୍ୱିନୀକୁମାର ନାଟ୍ୟକାର ରୂପେ ସୁନାମ ଅର୍ଜନ କଲା ପରେ ପରେ ତାହାଙ୍କୁ ଅନୁସରଣ କଲେ-ସବୁଜ ଗୋଷ୍ଠୀର ଲେଖକମାନେ । ଏମାନେ ପାଶ୍ଚାତ୍ୟ ସାହିତ୍ୟଦ୍ୱାରା ବିଶେଷ ରୂପେ ଅନୁପ୍ରାଣିତ ହୋଇଥିଲେ ।

 

ରମାରଞ୍ଜନ ମହାନ୍ତିଙ୍କର ‘ଗୌଡ଼ ବିଜେତା’ ନାମକ ଐତିହାସିକ ନାଟକ ‘ସବୁଜ-ସାହିତ୍ୟ’ର ସମସାମୟିକ ରଚନା । ବିଭିନ୍ନ ସ୍ଥାନରେ ବିଶେଷତଃ ଅବ୍ୟବସାୟୀ ନାଟ୍ୟ ସଙ୍ଘଦ୍ୱାରା ଏହା ବହୁତ ବାର ଅଭିନୀତ ହୋଇଛି । ହରିଶ୍ଚନ୍ଦ୍ର ବଡ଼ାଳଙ୍କର ‘‘ଦେଶର ଡାକ’’, ବୈକୁଣ୍ଠନାଥଙ୍କର ‘‘ମୁକ୍ତିପଥେ’’, ମାୟାଧର ମାନସିଂହଙ୍କର ‘‘ପୂଜାରିଣୀ’’ ଏବଂ ଲେଖକର ‘‘ପ୍ରିୟଦର୍ଶୀ’’ ନାଟକ ସବୁଜ ସଙ୍ଘଦ୍ୱାରା ପ୍ରକାଶିତ ହୋଇଛି । କିନ୍ତୁ ଏହି ନାଟକମାନ କୌଣସି ରଙ୍ଗମଞ୍ଚରେ ଅଭିନୀତ ହୋଇ ନାହିଁ ।

 

ମୋହନ ଗୋସ୍ୱାମୀଙ୍କ ପରେ ରାସଯାତ୍ରାର ଆଉ ଏକ ଦଳ ଗଢ଼ିଲେ କବିଚନ୍ଦ୍ର କାଳୀଚରଣ । କିନ୍ତୁ କିଛି କାଳ ପରେ ସେ ନିୟମିତ ନାଟକ ରଚନାରେ ମନ ଦେଲେ ଏବଂ ଓଡ଼ିଶା ଥିଏଟର୍ସ ନାମକ ଏକ ଥିଏଟର ଦଳ ସଂଗଠନ କଲେ । ତାହାଙ୍କର ସାମାଜିକ ନାଟକଗୁଡ଼ିକ ବର୍ତ୍ତମାନ ସମାଜର ଅସ୍ପୃଶ୍ୟତା ଓ ଅନ୍ନଚିନ୍ତାର ଦାରୁଣ ପରିସ୍ଥିତି ଅବଲମ୍ବନରେ ଲିଖିତ । ରାତି ରାତି ଧରି ଏହି ନାଟକମାନ ଜନାକୀର୍ଣ୍ଣ ପ୍ରେକ୍ଷାଗୃହରେ ପ୍ରଦର୍ଶିତ ହୋଇଛି । ତାହାଙ୍କର ‘ଭାତ’ ନାଟକ ବିଷୟବସ୍ତୁ ଦୃଷ୍ଟିରୁ ଯଥେଷ୍ଟ ଲୋକପ୍ରିୟତା ଅର୍ଜ୍ଜନ କରିଛି । ଏଥିରୁ ଯୁଦ୍ଧୋତ୍ତର ଅର୍ଥନୈତିକ ଦୁରବସ୍ଥା ଓ ଖାଦ୍ୟାଭାବର କେତେକ ସୂଚନା ମିଳେ । ବୁଭୁକ୍ଷୁ ଜନତାର ଦୁଃଖ ଦାରିଦ୍ର୍ୟପାଇଁ ଦାୟୀ କିଏ ? ଯେଉଁ ଜମିଦାର ପ୍ରଜାଙ୍କ ସୁଖଦୁଃଖରେ ଭାଗ ନିଏ ନାହିଁ, କୌଣସି ପ୍ରକାର ହାରିଗୁହାରି ଶୁଣେ ନାହିଁ, ତାହାରି ପୁତ୍ରକନ୍ୟା ସମସ୍ୟାର ସମ୍ମୁଖୀନ ହୋଇ କଂଗ୍ରେସ ଦଳର ସେବା ଅନୁଷ୍ଠାନରେ ମିଶି କିପରି ଭାବରେ ଅତ୍ୟାଚାରୀ ଜମିଦାରର ହୃଦୟ ମଧ୍ୟ ପରିବର୍ତ୍ତନ କରିପାରନ୍ତି, ଏହା ହିଁ ହେଲା ‘ଭାତ’ ନାଟକର ମୁଖ୍ୟ କଥାବସ୍ତୁ । ‘ରକ୍ତମାଟି’ ତାହାଙ୍କ ନାଟକ ରଚନାର ଏକ ଉଜ୍ଜ୍ୱଳ ସ୍ୱାକ୍ଷର । ଏହାର ପ୍ରଧାନ ନାୟକ ଜଣେ ବିପ୍ଲବୀ କବି । ଅସ୍ପୃଶ୍ୟ ଶ୍ରେଣୀରୁ ସେ ନିଜର ଜୀବନ-ସଙ୍ଗିନୀ ଗ୍ରହଣ କରନ୍ତି ଏବଂ ନାୟକ ନାୟିକା ଉଭୟେ ହାତ ଧରାଧରି ହୋଇ ଆଗେଇ ଚାଲନ୍ତି–ସମାଜରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବାକୁ । ସାଧକ ମହାପୁରୁଷମାନଙ୍କ ଜୀବନ-ଚରିତମୂଳକ ନାଟକ ରଚନାରେ ମଧ୍ୟ କାଳୀଚରଣଙ୍କ କୃତିତ୍ୱର ନିଦର୍ଶନ ମିଳେ । ବିଶେଷତଃ ‘ଜୟଦେବ’ ନାଟକ ତାହାଙ୍କର ଏକ ସାର୍ଥକ ସୃଷ୍ଟି । ‘ଓଡ଼ିଶା ଥିଏଟର୍ସ’ର ପ୍ରେକ୍ଷାଳୟରେ ବହୁ ରାତ୍ରି ଏହା ଅଭିନୀତ ହୋଇଛି ।

 

‘ଅନ୍ନପୂର୍ଣ୍ଣା’ ଥିଏଟର କ୍ରମେ ଏକ ବ୍ୟବସାୟୀ ଦଳରେ ପରିଣତ ହେଲା । ଶ୍ରୀ ଗୋପାଳ ଛୋଟରାୟଙ୍କର ‘ଜହର’ ନାଟକ ଏହି ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ଅଭିନୀତ ହେଉଥିଲାବେଳେ ଦର୍ଶକମାନଙ୍କ ମଧ୍ୟରେ ଚହଳ ସୃଷ୍ଟି କରିଥିଲା । ନାଟକର ପ୍ରଦାନ ନାୟକ ଜହର ହେଉଛନ୍ତି ଜଣେ ଚିନ୍ତାଶୀଳ ବିପ୍ଲବୀ ଲେଖକ । ସମାଜରେ ମୁନାଫାଖୋର ମହାଜନମାନଙ୍କର କିଳାପୋତେଇ ବ୍ୟବସାୟ, କଂଗ୍ରେସ ଓ କମ୍ୟୁନିଷ୍ଟ ଦଳର ରାଜନୈତିକ କାରସାଦି ଦେଖି ତାହାଙ୍କ ମନରେ ଜାଗିଲା ଭୀଷଣ ପ୍ରତିକ୍ରିୟା । ଫଳସ୍ୱରୂପ ସମାଜର ଏହି ଦୁର୍ନୀତି ନିବାରଣପାଇଁ ସେ ଲେଖନୀ ଧାରଣ କଲେ । ନାନାପ୍ରକାର ଦୁଃଖ ନିର୍ଯାତନାର ସମ୍ମୁଖୀନ ହୋଇ ଶେଷରେ ସେ କିପରି ଆପଣା ଆଦର୍ଶରେ ଦୃଢ଼ ରହିଲେ, ଏହାହିଁ ନାଟକଟିର ପ୍ରଧାନ କଥାବସ୍ତୁ । ‘ଫେରିଆ’ ମଧ୍ୟ ଅନୁରୂପ ଏକ ସାମାଜିକ ଓ ରାଜନୈତିକ ନାଟକ । ସହର ଛାଡ଼ି ଗାଁ ଗହଳକୁ ଫେରି ଆସ ଏବଂ ଜାତୀୟ ପୁନର୍ଗଠନ କାମରେ ଆପଣାକୁ ନିୟୋଜିତ କର–ଏହି ପ୍ରଚାରମୂଳକ ମନୋବୃତ୍ତି ଉପରେ ନାଟକଟି ରଚିତ । ଜାତୀୟ ସଙ୍ଗୀତ ବୋଲା ହେଉଛି, ଜାତୀୟ ପତାକା ଉଡ଼ୁଛି, ବାଳକ-ବାଳିକା ସମାଜ ସେବକମାନେ ଦଳ ଦଳ ହୋଇ ଶୋଭାଯାତ୍ରାରେ ଗାଁ ଗହଳକୁ ଫେରୁଛନ୍ତି-ଠିକ୍‍ ଏହି ଦୃଶ୍ୟ ପରେ ନାଟକଟି ଶେଷ ହୋଇଛି ।

 

କୃତୀ ନାଟ୍ୟକାର ରୂପେ ଅଧୁନା ଗୋପାଳଛୋଟରାୟ, ରାମଚନ୍ଦ୍ର ମିଶ୍ର ଓ ଅଦ୍ୱୈତଚରଣ ମହାନ୍ତି ବିଶେଷ ରୂପେ ଜଣାଶୁଣା । ମଞ୍ଚସଜ୍ଜା ଦିଗରେ ଏମାନେ ଯଥେଷ୍ଟ ଜ୍ଞାନ ଅର୍ଜ୍ଜନ କରିଛନ୍ତି । ଚରିତ୍ର-ଚିତ୍ରଣ କରିବାରେ ପ୍ରତ୍ୟେକ କଳାକୁଶଳୀ । ପୁଣି ଶ୍ଳେଷ ଓ ବାକ୍‍ଚାତୁରୀ ପରିବେଷଣ କରିବାରେ ସିଦ୍ଧହସ୍ତ ଥିବାରୁ ସମସ୍ତେ ସୁନାମ ଅର୍ଜ୍ଜନ କରିପାରିଛନ୍ତି । ଜନପ୍ରିୟ ନାଟ୍ୟକାର ରୂପେ ରାମଚନ୍ଦ୍ର ମିଶ୍ରଙ୍କର ସ୍ଥାନ ଅପ୍ରତିଦ୍ୱନ୍ଦୀ । ‘ଘରସଂସାର’ ଅକସ୍ମାତ୍‍ ତାଙ୍କୁ ରଙ୍ଗମଞ୍ଚରେ ଖ୍ୟାତିମଣ୍ଡିତ କଲା । ତାଙ୍କ ନାଟକାବଳୀର ଦୃଶ୍ୟ ପ୍ରଧାନତଃ ପଲ୍ଲୀସମାଜର ପ୍ରଚ୍ଛଦପଟ୍ଟ ଉପରେ ଅଙ୍କିତ ଏବଂ ପ୍ରଧାନ ଚରିତ୍ରମାନ କୃଷକ ସମାଜରୁ ହିଁ ଆନୀତ । କୃଷକ ଜୀବନକୁ ପ୍ରେମ ଓ ଅନୁକମ୍ପା ସହିତ ସେ ଯେପରି ଚିତ୍ରଣ କରିଛନ୍ତି, ତାହା ଅନନ୍ୟ । ‘ଘରସଂସାର’ ଏକ ପାରିବାରିକ କଳହ ଉପରେ ଲିଖିତ ଏବଂ ପ୍ରଧାନ ନାୟକର ତ୍ୟାଗ ବଳରେ ମର୍ମନ୍ତୁଦ ବିଚ୍ଛେଦ, ମିଳନରେ ପରିଣତ ହୋଇଛି । ‘ସାଇ ପଡ଼ିଶା’ ତାଙ୍କର ଅନ୍ୟ ଏକ ସାର୍ଥକ ସାମାଜିକ ନାଟକ ।

 

ମନୋରଞ୍ଜନ ଦାସ, ଲକ୍ଷ୍ମୀଧର ନାୟକ, ଭଞ୍ଜକିଶୋର ପଟ୍ଟନାୟକ ଏବଂ ନରସିଂହ ମହାପାତ୍ର ମଧ୍ୟ ଅତ୍ୟାଧୁନିକ ନାଟ୍ୟକାର ଭାବରେ ସୁପରିଚିତ । ଲକ୍ଷ୍ମୀଧର ନାୟକଙ୍କର ‘ଲାଲ ଚାବୁକ୍‍’ ନାଟକରେ ଜଣେ ସର୍ବହରା କବିର ଚରିତ୍ରକୁ ଅତି ସୁନ୍ଦର ଭାବରେ ଚିତ୍ରଣ କରାଯାଇଛି । ଦାରିଦ୍ର୍ୟର କଷାଘାତ ମଧ୍ୟରେ କବି ଜୀବନର ବିରାଟ ଉଚ୍ଚାକାଂକ୍ଷାର ପରିଣତି କ’ଣ ହୋଇପାରେ, ଏହି ବାସ୍ତବ ଚିତ୍ର ପ୍ରଦାନ ନାଟକଟି ସଫଳତା ଲାଭ କରିଛି । ଶ୍ରୀ ରାମଚନ୍ଦ୍ର ମହାପାତ୍ରଙ୍କର ‘‘ସୁଦାମା’’ ନାଟକ ପୌରାଣିକ ବିଷୟବସ୍ତୁକୁ ଘେନି ଲିଖିତ ହୋଇଥିଲେ ହେଁ ବହୁବର୍ଷ ପର୍ଯ୍ୟନ୍ତ ଏହାର ଅଭିନୟ ଅବ୍ୟବସାୟିକ ରଙ୍ଗମଞ୍ଚରେ ଜନପ୍ରିୟ ହୋଇଥିଲା । ଉପନ୍ୟାସକୁ କୃତିତ୍ୱ ସହିତ ନାଟରୂପ ଦେବାରେ ମଧ୍ୟ ଶ୍ରୀଯୁକ୍ତ ମହାପାତ୍ର ଅଗ୍ରଣୀ, ଫକୀରମୋହନଙ୍କ ‘ମାମୁଁ’ ଉପନ୍ୟାସର ସେ ଯେଉଁ ନାଟ୍ୟରୂପ ଦେଇଥିଲେ, ତାହା ଏକ ସଫଳ ଉଦ୍ୟମ । ତାଙ୍କପରେ ଓଡ଼ିଆ ଉପନ୍ୟାସକୁ ନାଟ୍ୟରୂପ ଦେବାର ଉଦ୍ୟମ ଦେଖାଯାଏ ଶ୍ରୀ ପ୍ରାଣବନ୍ଧୁ କରଙ୍କଠାରେ; ‘‘ମାଟିର ମଣିଷ’’ ଉପନ୍ୟାସକୁ ସେ ନାଟକ ଆକାରରେ ଲେଖିଛନ୍ତି ଏବଂ ତାହାର ଅଭିନୟ କଟକ ଓ ଅନ୍ୟାନ୍ୟ ସ୍ଥାନରେ ଚିତ୍ତାକର୍ଷକ ହୋଇଛି ।

 

ବର୍ତ୍ତମାନ ଏକାଧିକ ଯୁବକ ମୌଳିକ ନାଟକ ରଚନାରେ ଉଜ୍ଜ୍ୱଳ ଭବିଷ୍ୟତର ସୂଚନା ଦେଇଛନ୍ତି । ଓଡ଼ିଶା ସରକାରଙ୍କ ସଙ୍ଗୀତ ନାଟକ ଏକାଡେମୀ ମଧ୍ୟ ସେମାନଙ୍କୁ ସମୁଚିତ ଉତ୍ସାହ ଦେଇଥାନ୍ତି ।

 

ଦର୍ଶକଙ୍କର ରୁଚି ହିଁ ନାଟ୍ୟକଳାର ପରିମାପକ । ପ୍ରଧାନତଃ ଦର୍ଶକମାନଙ୍କ ପାଇଁ ନାଟକ ଏକାନ୍ତ ରୂପେ ଉଦ୍ଦିଷ୍ଟ ଏବଂ ଦର୍ଶକମାନେ ହିଁ ନାଟକର ମର୍ଯ୍ୟାଦା ରକ୍ଷାପାଇଁ ଦାୟୀ । କିନ୍ତୁ ଏବର ଦର୍ଶକମାନଙ୍କ ଭିତରୁ ଅଧିକାଂଶ ନିରକ୍ଷର ଏବଂ କଳାଜ୍ଞାନ-ବିବର୍ଜିତ । ତେଣୁ ଲୋକପ୍ରିୟତା ପାଇଁ ଶସ୍ତା ଦରର ହସନାଚ ଓ ଗୀତର ସମାବେଶ ଆଜି ନାଟକର ଏକ ଆବଶ୍ୟକୀୟ ଅଙ୍ଗ ହୋଇ ପଡ଼ିଛି । ଏଗୁଡ଼ିକୁ ଏକାବେଳକେ ଉଠାଇଦେବା ସମ୍ଭବ ହୋଇପାରୁ ନାହିଁ । ଆଶାର ବିଷୟ, ଏବେ କେତେକ ପେଶାଦାର ଅଭିନେତା ଓ ଅଭିନେତ୍ରୀ ବାହାରିଛନ୍ତି । ଏମାନେ ପୂର୍ବବର୍ତ୍ତୀ ଅଭିନେତା ଓ ଅଭିନେତ୍ରୀମାନଙ୍କ ଅପେକ୍ଷା ଅଭିନୟ କଳାରେ ଯଥେଷ୍ଟ ନିପୁଣତା ଅର୍ଜନ କରିଛନ୍ତି ।

 

ଓଡ଼ିଆ ରଙ୍ଗମଞ୍ଚର କୃତିତ୍ୱ ଏହି ଯେ ଆଧୁନିକ ଦ୍ରୁତ ପରିବର୍ତ୍ତନଶୀଳ ଘଟଣାଗୁଡ଼ିକ ଏଥିରେ ଧାରାବାହିକ ଭାବରେ ପ୍ରଦର୍ଶିତ ହୋଇପାରିଛି । ସ୍ୱାଧୀନତା ପ୍ରାପ୍ତିର ପରେ ପରେ ଘଟିଥିବା ଘଟଣାମାନ, ଯଥା-ସାମ୍ପ୍ରଦାୟିକ ହତ୍ୟାକାଣ୍ଡ, ଶରଣାର୍ଥୀ ସମସ୍ୟା, ପଡ଼ି ପ୍ରଥାର ପରିଣାମ, କଳାବଜାର, ଦୁର୍ଭିକ୍ଷ ଓ ଅନାଟନ ଆଦ ବିକାଶୋନ୍ମୁଖ ଆଧୁନିକ ଜୀବନ-ଧାରର ପ୍ରତିବନ୍ଧକ ଘଟଣାମାନ ଗୋଟିଏ ହେଲେ ଏଥିରୁ ବାଦ ଯାଇ ନାହିଁ ।

 

ଆଧୁନିକ ନାଟକରେ ନିଃସନ୍ଦେହ ରୂପେ ଗଣ ଆବେଦନ ଆତ୍ମପ୍ରକାଶ କରିଛି, ଯଦିବା ବୁଦ୍ଧିଜୀବୀମାନଙ୍କ ଚିନ୍ତାର ଉନ୍ମେଷପାଇଁ ଏଥିରେ ଯଥେଷ୍ଟ ଉପାଦାନ ନାହିଁ ।

 

ଅତୀତରେ ଭ୍ରାମ୍ୟମାଣ ପେଶାଦାର ଯାତ୍ରାଦଳମାନେ ରାଜା ଓ ଜମିଦାରମାନଙ୍କଠାରୁ ସାହାଯ୍ୟ ଓ ଉତ୍ସାହ ଲାଭ କରୁଥିଲେ । ଉତ୍କଳ-ନୃତ୍ୟ-ନାଟକ-ସଙ୍ଗୀତ ଏକାଡେମୀ, ପ୍ରତିଷ୍ଠିତ ହୋଇଛି ଏବଂ ଏହି ଅନୁଷ୍ଠାନ ପ୍ରଦେଶର ରଙ୍ଗମଞ୍ଚ ଅଭିନେତା ଓ ନାଟ୍ୟକାରମାନଙ୍କୁ ଉତ୍ସାହ ଦେବା ଦିଗରେ ବିଭିନ୍ନ ଦିଗରୁ ଯତ୍ନ କରୁଛନ୍ତି । ବର୍ତ୍ତମାନ ସର୍ବପ୍ରଥମେ ଏକାନ୍ତ ଆବଶ୍ୟକ ପଡ଼ୁଛି-ସମ୍ପୂର୍ଣ୍ଣ ଉପକରଣ ସହ ଏକ ଆଧୁନିକ ଧରଣର ରଙ୍ଗମଞ୍ଚ । ଏହାଦ୍ୱାରା ଅଭିନେତା ଓ ନାଟ୍ୟକାରମାନେ ସମସ୍ତଙ୍କର ସାହାଯ୍ୟ ଓ ସହାନୁଭୂତି ପାଇ ପାରିବେ, ଅଧିକରୁ ଅଧିକ ଉତ୍ସାହିତ ହେବେ । ନୂତନ କଳାକାରମାନଙ୍କପାଇଁ ଏହି ରଙ୍ଗମଞ୍ଚ ଏକ ତାଲିମ କେନ୍ଦ୍ରର କାର୍ଯ୍ୟ କରିବ । ତାଲିମ ଦେବାପାଇଁ ବିଶେଷଜ୍ଞ ନିଯୁକ୍ତି ଲୋଡ଼ା ନାହିଁ । କାରଣ ଆମର ଅନେକ ଅଭିଜ୍ଞ ଓ ଦକ୍ଷ ଶିଳ୍ପୀ ଅଛନ୍ତି । କିନ୍ତୁ ଏହି ଶିଳ୍ପୀମାନଙ୍କର ଅବସ୍ଥ ଆଜି କ’ଣ ହୋଇଛି ? କେତେକ ଚିର ଦାରିଦ୍ର୍ୟକୁ ବରଣ କରିଛନ୍ତି ଏବଂ ଆଉ କେତେକ ନିଖିଳ ଭାରତ କଟକ ବେତାର କେନ୍ଦ୍ରରେ ଅସ୍ଥାୟୀ ନିଯୁକ୍ତିପାଇଁ ଆଶାନ୍ୱିତ ହୋଇପଡ଼ି ରହିଛନ୍ତି । ଶିଳ୍ପୀମାନେ ଅନାହାରକ୍ଳିଷ୍ଟ ଥିବା ପର୍ଯ୍ୟନ୍ତ କଳାର କୌଣସି ପ୍ରକାର ଉନ୍ନତି ସାଧିତ ହୋଇପାରେ ନାହିଁ ।

 

ସ୍ୱାଧୀନତା ପ୍ରାପ୍ତିପରେ ଜୀବନର ଦୈନନ୍ଦିନ ସମସ୍ୟା-ପଞ୍ଚବାର୍ଷିକ ଯୋଜନା, ଦାରିଦ୍ର୍ୟ ମୋଚନପାଇଁ ନିର୍ମିତ ହେଉଥିବା ବିରାଟ ନଦୀବନ୍ଧ ଯୋଜନା ଓ ଜଳବିଦ୍ୟୁତ୍‍ ଉତ୍ପାଦନ କେନ୍ଦ୍ର, ଅଜ୍ଞାନତା ଓ ରୋଗ, ଶାନ୍ତି ସ୍ଥାପନର ପନ୍ଥା, ସମୃଦ୍ଧି ଓ ସୁଖ ପ୍ରଭୃତି ବିଷୟବସ୍ତୁ ଏବେ ମଧ୍ୟ ସଫଳତା’ର ସହିତ ରଙ୍ଗମଞ୍ଚରେ ପ୍ରଦର୍ଶିତ ହେବାକୁ ବାକି ରହିଛି । ଶିଶୁମାନଙ୍କ ଶିକ୍ଷଣୀୟ ବିଷୟ ଦେଖାଇବା–ପାଇଁ ଓ ଦେଶର ଭବିଷ୍ୟତ୍‍ ନାଗରିକରୂପେ ସେମାନଙ୍କର ଚରିତ୍ର ଗଠନପାଇଁ–ଏକ ‘ଶିଶୁ ରଙ୍ଗମଞ୍ଚ’ର ମଧ୍ୟ ଆବଶ୍ୟକତା ରହିଛି । ‘ଓଡ଼ିଶା ସଙ୍ଗୀତ ପରିଷଦ’ର ଆନୁକୂଲ୍ୟରେ ପୁରୀ ‘ଅନ୍ନପୂର୍ଣ୍ଣା’ ରଙ୍ଗମଞ୍ଚରେ ୧୯୫୬ ଜାନୁଆରୀ ମାସ ଦ୍ୱିତୀୟ ସପ୍ତାହରେ ଶିଶୁମାନଙ୍କ ଉପଯୋଗୀ କେତେଗୁଡ଼ିଏ ନାଟକ ମଞ୍ଚସ୍ଥ କରା ହୋଇଥିଲା ।

 

ସୁଖର କଥା ଯେ, ବର୍ତ୍ତମାନ ଏକ ଆଧୁନିକ ଧରଣର ରଙ୍ଗମଞ୍ଚ ନିର୍ମାଣପାଇଁ ଜନତା ସହାନୁଭୂତି ଦେଖାଇ ଶିଳ୍ପୀମାନଙ୍କ ସହିତ ସହଯୋଗ କରିବାକୁ ପ୍ରସ୍ତୁତ । ଏହି ଜାତୀୟ ରଙ୍ଗମଞ୍ଚ ଅତୀତ ଗୌରବର ଅଧିକାରୀ ହେବା ସଙ୍ଗେ ସଙ୍ଗେ ବର୍ତ୍ତମାନପାଇଁ ପ୍ରେରଣା ଓ ଆନନ୍ଦ ଯୋଗାଇବ ଏବଂ ଭବିଷ୍ୟତପାଇଁ, ଏକ ଉଜ୍ଜ୍ୱଳ ଉଷାଲୋକର ସନ୍ଧାନ ଦେବ ।

Image

 

ଦକ୍ଷିଣାୟନ

 

ଉତ୍ତରରେ ଦେବତାତ୍ମା ନଗାଧିରାଜ ହିମାଳୟ–ଯେଉଁଠାରେ କୁମାରଙ୍କର ସମ୍ଭବ ହେଲା, ଉତ୍ପତ୍ତି ହେଲା ଆର୍ଯ୍ୟ ସଭ୍ୟତାର କୌମାର୍ଯ୍ୟ; ନୈମିଷାରଣ୍ୟର ଛାୟାଚ୍ଛନ୍ନ ଶୀତଳତା ମଧ୍ୟରେ ଉଦ୍ଭାସି ଉଠିଲା ମାନବ ପ୍ରତିଭାର ଅନିର୍ବାଣ ଔଜ୍ଜ୍ୱଲ୍ୟ । ଆଉ ଦକ୍ଷିଣରେ ସମ୍ଭୂତା କନ୍ୟାକୁମାରୀ । ଦୁଇ ଦିଗରେ ଦୁଇ ସୀମାରେଖା ଟାଣି ଆମେ କେବଳ ଉତ୍ତର ଦକ୍ଷିଣ ଦିଗ ନିର୍ଣ୍ଣୟ କରୁଁ । ନ ହେଲେ ଉଭୟେ ଏକ । ଏକ ସୂର୍ଯ୍ୟହିଁ ଦକ୍ଷିଣାୟନ ଉତ୍ତରାୟଣ କରେ, ପୂର୍ବ ପଶ୍ଚିମରେ ତା’ର ଉଦୟ ଅସ୍ତ ହୁଏ । ଅଥଚ ବାସ୍ତବରେ ସୂର୍ଯ୍ୟର ଉଦୟ ଅସ୍ତ ଉତ୍ତର ଦକ୍ଷିଣ କିଛି ନାହିଁ । ସେ ସ୍ଥିର, ସ୍ଥାଣୁ, ଅଚଞ୍ଚଳ, ସନାତନ । ଗତି କେବଳ ଆମର, ଆମର ଏଇ ଧରିତ୍ରୀ ମାତାର । ତାହାରି ନିୟମ ମାନି ଆମେ ଗତି କରୁଁ, ତାହାକୁହିଁ ଖଣ୍ଡବିଖଣ୍ଡ କରି ଆମେ ଉତ୍ତର ଦକ୍ଷିଣ, ପ୍ରାଚ୍ୟ ପାଶ୍ଚତ୍ୟ, ଦେଶ ବିଦେଶରେ ନାମିତ କରୁଁ, ସୃଷ୍ଟିକରୁଁ ଅସଂଖ୍ୟ ଭେଦ ବିଭେଦ-ଆର୍ଯ୍ୟ, ଦ୍ରାବିଡ଼, ଧବଳ, କୃଷ୍ଣ, ହରିତ, ଲୋହିତ ବର୍ଣ୍ଣବିଦ୍ୱେଷ ।

 

ପୃଥିବୀର ଏହି ଅବିଶ୍ରାନ୍ତ ଘୂର୍ଣ୍ଣାୟମାନ ଗତିହିଁ ସୃଷ୍ଟକଲା ଦିବାରାତ୍ର, ଆଲୋକ ଅନ୍ଧକାର, ବର୍ଷା ବସନ୍ତ, ଶୀତ ଉଷ୍ଣ, ସୁଖ ଦୁଃଖ, ପଣ୍ଡିତ ମୂର୍ଖ, ସବଳ ଦୁର୍ବଳ । ପୃଥିବୀ ସହିତ ଗତିକରେ ଜୀବ, ଉଦ୍ଭିଦ, ମନୁଷ୍ୟ । ଇଚ୍ଛା ନ କଲେ ମଧ୍ୟ ସେ ଏହି ଗତିର ଦାସ । ନ ହେଲେ ତାହାକୁ ପୃଥିବୀ ଉପରୁ ଅଲଗା ରହିଯିବାକୁ ହେବ । ବେଗବାନ୍‍ ହେଲେ ଏଇ ଗତିହିଁ ହୁଏ ପ୍ରଗତି-ପ୍ରୋଗ୍ରେସ୍‍ । ବେଗହିଁ ପ୍ରଗତିର ଲକ୍ଷଣ-ଆଉ ସେ ପ୍ରଗତିର ଚରମ ଚିହ୍ନ ହେଲା ପୃଥିବୀର ଗତି ସଙ୍ଗେ ସମାନ ହେବା-ରେଲ, ଜାହାଜ, ମଟର, ବ୍ୟୋମଯାନ, ସ୍ପୁଟ୍‍ନିକ, ମିସିଲ୍‍ସ୍‍ ଦ୍ୱାରା ପୃଥିବୀର ବେଗ ସଙ୍ଗେ ମଣିଷର ବେଗକୁ ସମାନ କରିବାକୁ ହେବ । ସେଇଥିପାଇଁ ଚାଲିଛି ଗତିର ଦୌଡ଼-କ୍ଷିପ୍ରତର ହୋଇ ପଡ଼ୁଚି ଘଡ଼ିକି ଘଡ଼ି ମଣିଷର ରେସ୍‍-ଗତିର ଏଇ ପ୍ରବଳ ପ୍ରତିଦ୍ୱନ୍ଦିତା ଭିତରେ ଯାହାର ବେଗ ଯେତେ ବେଶି, ଯେତିକି ଯେ ଆଗେଇଲା ସେତିକି ସେ ପ୍ରଗତିଶୀଳ, ଉନ୍ନତ, ସୁସଭ୍ୟ । ଆଉ ସେ ଆଗେଇଯିବା ଭିତରେ ଯେତିକି ସେ ରାତିକୁ ଦିନ, ଅନ୍ଧାରକୁ ଆଲୁଅ କରି ପାରିଲା, ସେତିକି ସେ ଯୋଗ୍ୟତର ।

 

ସେ ରାତିରେ କଟକ ଷ୍ଟେସନରୁ ମାନ୍ଦ୍ରାଜ ମେଲ ଧରିବା ବେଳେ ଏସବୁ କଥା ମୁଁ ଭାବୁ ନଥିଲି । ଭାବିବାକୁ ସମୟ ଅବା କାହିଁ ? ବଳଦଟଣା କିମ୍ୱା ମଣିଷଟଣା ଗାଡ଼ିର ରାଜ୍ୟରେ ରେଳ ମଟରହିଁ ଆମର ପ୍ରଗତି । ତେବେ ସେଇ ପ୍ରଧାନ ପ୍ରଗତି ଲାଗି ମଧ୍ୟ କମ୍‍ ସଂଘର୍ଷର ସମ୍ମୁଖୀନ ହେବାକୁ ପଡ଼େ ନାହିଁ ।

 

ସ୍ୱାଧୀନତା ପରେ ରେଲ ଗାଡ଼ିର ଚାରିଟି ଶ୍ରେଣୀ ଭିତରୁ ଗୋଟିଏ ଶ୍ରେଣୀକୁ ଉଠାଇଦେଇ ସବା ଉପରେ ଶୀତତାପ-ନିୟନ୍ତ୍ରଣ ଶ୍ରେଣୀ ରଖାଯାଇଛି । ଶ୍ରେଣୀହୀନ ହେବାକୁ ଅନେକ ବାକି-ଶୈଶବ ଯୌବନ ଜରା ମରଣ-ତୁ ତୁମେ ଆପଣ ଆଜ୍ଞା ଅବଧାନ-ଏସବୁ ଦୂର ନ ହେବା ପର୍ଯ୍ୟନ୍ତ । ତଳ ଶ୍ରେଣୀରେ ବସିବାକୁ ଥାନ, ଉପର ଶ୍ରେଣୀରେ ଶୋଇବାକୁ ଥାନ । ଦୁନିଆ ଭିତରେ ଏଡ଼େ ସହଜରେ କ’ଣ ଥାନ ମିଳେ ? ମାନ୍ଦ୍ରାଜ ମେଲ କଲିକତାରୁ ଉପରଓଳି ଛାଡ଼ି ରାତି ଅଧକୁ ପହଞ୍ଚେ କଟକ ଷ୍ଟେସନ । ଉପର ଶ୍ରେଣୀରେ ଦଶ ଦିନ ଆଗରୁ ରିଜର୍ଭେସନ କରିବାକୁ ହେବ । ତେବେ ସୁଦ୍ଧା ସ୍ଥିରତା ନାହିଁ । ରେଳଗାଡ଼ିର ପ୍ରକୃତି ଯେ ହେଲା ଅସ୍ଥିର ! କଟକ ଓଆଲ୍‍ଟେୟାର କୋଚ୍‍ରେ ଆଗ ସ୍ଥାନଟିଏ ଅଧିକାର କରିନେବା ନିରାପଦ । ପରଦିନ ପଛେ ଓଆ୍‍ଲଟେୟାରଠାରେ ଡବା ବଦଳ କରାଯିବ । ରିଜର୍ଭେସନ କକ୍ଳାର୍କଙ୍କର ଏହି ସହାନୁଭୂତି ସୂଚକ ପରାମର୍ଶ ଗ୍ରହଣ କଲି ।

 

ଖ୍ରୀଷ୍ଟଜନ୍ମର ୧୯୫୭ ସାଲ ସେପ୍ଟେମ୍ବର ମାସ ୨୯ ତାରିଖର ମାନ୍ଦ୍ରାଜ ମେଲ ଦୂରରୁ ଆଲୋକରଶ୍ମି ଛୁଟାଇ କଟକ ଷ୍ଟେସନରେ ଆସି ଅଟକିଲା । ହଠାତ୍‍ ଖବର ମିଳିଲା, ରିଜର୍ଭେସନ ଅଛି । ଗାଡ଼ି ଛାଡ଼ିବାକୁ ଅଳ୍ପବାକି । ଓଆଲଟେୟାର କୋଚ୍‍ରୁ ବିଛଣାପତ୍ର ଗୁଡ଼ାଇ ଯିବାପାଇଁ କମ୍‍ ସେ କମ୍‍ ଅଧମାଇଲ-ଅନ୍ତତଃ ବ୍ୟଗ୍ରତା ମାନ୍ଦ୍ରାଜ ଡବାକୁ ବିବେଚନାରେ । ଗାଡ଼ି ଛାଡ଼ିବାର ଷ୍ଟେସନଘଣ୍ଟା ଟିଂଟିଂ କଲାଣି । ଗାର୍ଡ଼ ହାତରେ ନେଳି ଲଣ୍ଠନ ଓ ମୁହଁରେ ହୁଇସିଲ୍‍ ଗୁଞ୍ଜି ଦଣ୍ଡାୟମାନ । ବିଛଣାପତ୍ର ଗୁଡ଼ାଇ ଦେ ଦୌଡ଼ ଗାଡ଼ିଟାର ଗୋଟାଏ ସୀମାରୁ ଅନ୍ୟ ସୀମାକୁ । ତା’ପରେ ଦୀର୍ଘ ନିଃଶ୍ୱାସ, ଗାଡ଼ି ଇଞ୍ଜିନ୍‍ ସହିତ ରେଲଯାତ୍ରୀର । ଏଥର ନୀରଲମ୍ବ ହୋଇ ଶୋଇଯିବାକୁ ହେବ । ପର ଦିନ ଓଆଲ୍‍ଟେୟାରଠାରେ ଏହି ପର୍ବଟାର ଯେଉଁ ଅଭିନୟ କରିବାକୁ ପଡ଼ିଥାନ୍ତା, କଟକ ଷ୍ଟେସନରୁ ତଦୁପରି ଆପାତତଃ ଯବନିକା ପାତହେଲା ।

 

ଶୋଇବା ଭିତରେ ପାର ହୋଇ ଆସିଲି ଓଡ଼ିଶାର ବିଲ ପର୍ବତ ନଦୀ ଗ୍ରାମର ସୁପରିଚିତ ଦୃଶ୍ୟାବଳୀ । ବିଶେଷକରି ‘‘ମରାଳମାଳିନୀ ନୀଳାମ୍ୱୁଚିଲିକା’’ର ପ୍ରଶାନ୍ତ କୋମଳ ଦିଗହରା ଛବି । ଆଖି ଫିଟିଲା ସୂର୍ଯ୍ୟର ଆଘାତରେ । ରେଳଗାଡ଼ିର ଦୁଇ ପାଖରେ ମହା ବେଗରେ ପଛକୁ ଛୁଟିଛି ପ୍ରତିକ୍ରିୟାଶୀଳ ତାରଖୁମ୍ୱ ସମେତ ଗୋଟିକ ପରେ ଗୋଟିକ ଲେଖାଁ ସାନ ସାନ ରେଳ ଷ୍ଟେସନ, ପୁଣି ତାଳ ଖଜୁରି ଆମ୍ବ ପଣସ ଗଛ ସହିତ ଗୋଟିଏ ପରେ ଗୋଟିଏ ଗ୍ରାମ କିମ୍ୱା ସହର । ଅଥଚ ଯାତ୍ରୀ ସମେତ ରେଳ ଡବାଟି ଯେପରି ସ୍ଥିର ନିଶ୍ଚଳ ! ପ୍ରଗତିଶୀଳ ଠିକ୍‍ ଆମର ଏଇ ପୃଥିବୀ ଭଳି ।

 

କାଳିଦାସଙ୍କର ତମାଳତାଳବନରାଜିନୀଳା ବର୍ଣ୍ଣନାଟିକୁ ଚାରି ପାଖର ଦୃଶ୍ୟ ମନେ ପକାଇଦିଏ । ବାସ୍ତବିକ ଏପରି ଗହନ ନିଘଞ୍ଚ ତାଳବନ ଭାରତର ଅନ୍ୟତ୍ର ବିରଳ । ରେଳ ଷ୍ଟେସନରେ ତାଳସଜ, ତାଳ ପତ୍ରପଙ୍ଖା, ତାଳପତ୍ରରେ ଛାଉଣୀ ଘର । ଅଳ୍ପ କେତେକ ଘଣ୍ଟା ଭିତରେ ଓଡ଼ିଶା ଛାଡ଼ି ମୁଁ ଯେ ଆନ୍ଧ୍ର ରାଜ୍ୟରେ ହେଲିଣି, ଏହା ବେଶ୍‍ ବୁଝିହୁଏ । ପୁରୁଷମାନଙ୍କ କଳା ମଚମଚ ଚମଡ଼ା ଉପରେ ନିର୍ମଳ ଧୋବ ଫରଫର ପରିଧାନ । ରମଣୀମାନଙ୍କର ଅବଗୁଣ୍ଠନଶୂନ୍ୟ କେଶ ପ୍ରସାଧନର ଅପୂର୍ବ ଭଙ୍ଗି । ସୌନ୍ଦର୍ଯ୍ୟ ଚର୍ଚ୍ଚାରେ ଦାକ୍ଷିଣାତ୍ୟ-ପରାକାଷ୍ଠାର ଯେଉଁ ଅବିମିଶ୍ର ମୌଳିକ ପରିଚୟ ମିଳେ, ଉତ୍ତର ଭାରତରେ ତାହା ବିରଳ । ଅବିବାହିତା କିମ୍ୱା ବିବାହିତା କନ୍ୟାମାନେ ମୁଣ୍ଡରେ ଲୁଗା ଦିଅନ୍ତି ନାହିଁ । ସେ ପ୍ରଥା କେବଳ ମୁଣ୍ଡିତକେଶା ବିଧବାମାନଙ୍କ ପକ୍ଷରେ ପ୍ରଯୁଜ୍ୟ, କେବଳ ଶୋକଛାୟାଚ୍ଛନ୍ନ ନିରାଭରଣଟା ଯେ ଲୋକଲୋଚନରୁ ଗୋପନୀୟ, ତାହା ଦାକ୍ଷିଣାତ୍ୟର ନିଷ୍ଠାବତୀ ନାରୀ ଅଧିକ ବୁଝେ । ସୌନ୍ଦର୍ଯ୍ୟ ହିଁ ସ୍ୱୟଂ ପ୍ରକାଶ ।

 

ଗାଡ଼ି ଭତିରେ ଆହାର ଲାଗି ସୁନ୍ଦର ସୁବ୍ୟବସ୍ଥା । ମାନ୍ଦ୍ରାଜ ମେଲରେ ଅବଶ୍ୟ ଡାଇନିଂ କାର ଅଛି । ମାତ୍ର ନିରାମିଷାଶୀ ଶାକାହାରୀମାନଙ୍କ ଲାଗି ଷ୍ଟେସନର ବନ୍ଦୋବସ୍ତ ଅଳ୍ପବ୍ୟୟରେ ଅଧିକ ପରିଷ୍କୃତ ପରିଚ୍ଛନ୍ନ ପରି ମନେହୁଏ । ପୂର୍ବ ଷ୍ଟେସନମାନଙ୍କରୁ କ୍ଷୁଧାର ସ୍ମାରକ ରୂପେ ପାଞ୍ଚସୁଉକା ପଇସା ଦେଲେ ଖଣ୍ଡିଏ ଟିକେଟ ମିଳେ । ପରବର୍ତ୍ତୀ ନିର୍ଦ୍ଦିଷ୍ଟ ଷ୍ଟେସନର ଖାଦ୍ୟ ମିଳିବାର କଥା । ସେଠାରେ ଗୋଟିଏ ପରିଷ୍କାର ଟିଫିନ କେରିୟରରେ ଗରମ ଭାତ, ଡାଲି, ସମ୍ବର, ଚାରୁ, ଚହ୍ନା, ଚଟଣି, ଟିକିଏ ଭଲ ଘିଅ, ଚିକ୍‍ ଚିକ୍‍ ଲୋଟା ଭିତରେ ନିର୍ମଳ ପାଣି ପୁଣି ଟିଫିନ କେରିୟର ଉପରେ ଖୋସାଯାଇଥିବା ଖଣ୍ଡିଏ କଦଳୀପତ୍ର ଧରି ଗାଡ଼ି ଭିତରେ ହାଜର ହୁଅନ୍ତି ଜଣେ ଶୁଚିମନ୍ତ ପରିବେଶକ । ଖାଦ୍ୟର ପରିବାଣ ଦୁଇଜଣ ସାଧାରଣ ଭଦ୍ରଲୋକଙ୍କ ପାଇଁ ଯଥେଷ୍ଟ । ଆୟୋଜନ ଦେଖିଲେ ଅଗ୍ନିମାନ୍ଦ୍ୟ ରୋଗୀର ମଧ୍ୟ ଉଦରାଗ୍ନି ପ୍ରଜ୍ଜ୍ୱଳିତ ହେବା ସଙ୍ଗେ ସଙ୍ଗେ ଭୋଜନ ବ୍ୟବସ୍ଥା ନ କରି ସେ ରହିପାରେ ନାହିଁ । ଷ୍ଟେସନର ଭିଡ଼ ପାର ହୋଇ ଗାଡ଼ି ଛାଡ଼ିଦିଏ-ମାତ୍ର ଏ କ’ଣ !

 

ଝରକାର ଉଭୟ ପାର୍ଶ୍ୱରେ ହଠାତ୍‍ ଆବିର୍ଭୂତ ହୁଏ ଦୁଇ ଚାରିଟା କଳାକୋତରା ମଣିଷ ମୁହଁ । ଗାଡ଼ି ଭିତରକୁ ହାତ ବଢ଼ାଇ ଛିଡ଼ା ହୋଇଛନ୍ତି ଜଣ କେତେ ନଗ୍ନଦେହ ଭିକାରୀ ବାଳକ ଓ ଯୁବକ । ଆଖିରେ ଓଠରେ ଭିକ୍ଷାର କାକୁତି ! ଚଳନ୍ତାଗାଡ଼ିର ବାହାର ପଟେ ଏହି ଅମୃତସ୍ୟ ପୁତ୍ରମାନଙ୍କୁ ଛିଡ଼ା କରାଇ କାହାର ଗୁଣ୍ଡା ଅବା ପାଟିକି ଯିବ ! କେଉଁ ଆର୍ଯ୍ୟ ସନ୍ତାନ ନିଜର ଦଗ୍‍ଧ ଉଦର ପାଇଁ ଏଡ଼େ ବଡ଼ ମହତ୍‍ ପାତକ କରି ବସିବ !

 

ଆମେ କିନ୍ତୁ ଶ୍ରୀଜଗନ୍ନାଥ ଧାମର ଓଡ଼ିଶା ଅଧିବାସୀ । ପୁରୀ-ମନ୍ଦିର ଭିତରେ ମହାପସାଦ ସେବନ କାଳରେ ଏହାଠାରୁ ଢେର ବିକଟତର ଦୃଶ୍ୟରେ ଅଭ୍ୟସ୍ତ । ମାତ୍ର ସେ ହେଲା ଖାସ୍‍ ପବିତ୍ର ମନ୍ଦିର ଅଭ୍ୟନ୍ତର ବ୍ୟପାର । ସେଠାରେ ଗୃହପାଳିତ ପଶୁଙ୍କ ପରି ଭିକ୍ଷୁକମାନେ ବ୍ୟବହୃତ ହେଲେହେଁ ସବୁ ପାପ କ୍ଷାଳିତ ହୁଏ । ଏଠାରେ କିନ୍ତୁ ଅନ୍ୟ ଭଦ୍ରଲୋକମାନଙ୍କ ସଙ୍ଗେ ଏକ ରେଲଡବା ଭିତରେ ବସି, ଏଇ କ୍ଷୁଧିତ ଭିକ୍ଷୁକମାନଙ୍କ ଲୋଲୁପ ଦୃଷ୍ଟି ପ୍ରତି ନିର୍ଲିପ୍ତ ରହି ଭୋଜନରେ ଲିପ୍ତ ହେବାଟା ଭଦ୍ରତା ସଦାଚାର ସୌଜନ୍ୟ ଉପରେ କିପରି ଟିକିଏ ଆଘାତ ଅଶ୍ୱସ୍ତି ଆଣେ । ଯାହାହେଉ ଭୋଜନରତ ଜଣେ ସହଯାତ୍ରୀ ଏହି ଅସୁବିଧାରୁ ସମସ୍ତଙ୍କୁ ଉଦ୍ଧାର-କଲେ । ଉଠିଯାଇ ସେ ଭିକ୍ଷୁମାନଙ୍କ ପ୍ରତି ଯେଉଁ ଘୃଣା ବ୍ୟଞ୍ଜକ ଭାଷାବାଣ ନିକ୍ଷେପ କଲେ ତାହା ବୁଝିବାକୁ ମୋର ଉପାୟ ନଥିଲା । ଭିକାରୀମାନେ ମଧ୍ୟ ବୁଝିଲେ କି ନାହିଁ । ମାତ୍ର ସ୍ୱସ୍ଥାନରେ ଅବିଚଳିତ ରହିଲେ । ତାହା ପରେ ଯେମିତି ରାଗରେ ସେ ରେଲ ଝରକାର କାଠ କବାଟଗୁଡ଼ିକ ଖଟ୍‍ ଖାଟ୍‍ କରି ବନ୍ଦ କରିଦେଲେ, ସେତେବେଳେ ତାହା ସବୁରି ବେଶ୍‍ ବୋଧଗମ୍ୟ ହେଲା ।

 

ଭିକାରୀମାନେ ରହିଲେ ବାହାରେ, ଆଉ ଆମେ ପ୍ରଥମ ଶ୍ରେଣୀର ଯାତ୍ରୀମାନେ ଗାଡ଼ି ଭିତରେ ନିଶ୍ଚିନ୍ତରେ ଆହାରରେ ବ୍ୟାପୃତ ରହି ସରକାରଙ୍କ ଅପାରଗତା ଓ ଦେଶବାସୀଙ୍କ ନିଶ୍ଚେଷ୍ଟତାକୁ ତୀବ୍ର ଭାବରେ ସମାଲୋଚନା କରିବାରେ ଲାଗି ପଡ଼ିଲୁଁ । ବାସ୍ତବିକ ଘରେ ହୋଟେଲରେ କିମ୍ୱା ରେଳଡବାରେ କବାଟ ଆବିଷ୍କାର କରି ମନୁଷ୍ୟ ଯେଉଁ ବୁଦ୍ଧିର ପରିଚୟ ଦେଇଛି, ମନେ ମନେ ତାହାର ତାରିଫ ନ କରି ରହିପାରିଲି ନାହିଁ । ବିଶେଷକରି ମନୁଷ୍ୟର ଜୀବନ ଧାରଣ ଲାଗି ଅଗଣିତ ବୁଭୁକ୍ଷୁ ଭିକ୍ଷୁକମୁଖରୁ ଛଡ଼ାଇ ଲୁଚାଇ ନିଜେ ଆଢ଼ୁଆଳରେ ଆହାର କରିବା ଲାଗି କବାଟର ଆବଶ୍ୟକତା ଅସାମାନ୍ୟ । ତଥାପି ଭିକ୍ଷାର ଅବସାନ ନାହିଁ ।

 

ପ୍ରତି ଷ୍ଟେସନରେ ରୁଗ୍‍ଣ, ବିକଳାଙ୍ଗ, ବୃଦ୍ଧ, ଶିଶୁ, ବାଳକ, ବାଳିକା ହାତପତେଇ ଭିକ ମାଗୁଛନ୍ତି । ପୁଣି ଆହୁରି ଏକ ବିଚିତ୍ର ଭିକାରୀ ଦେଖିଲି । ହାତରେ ତାଙ୍କର ଗୋଲାକାର ପେଡ଼ି । ପେଡ଼ି ଭିତରୁ ଫେଣା ଟେକିଛି ବିଷାକ୍ତ ସର୍ପ । ଅହି ସର୍ବତ୍ର ବାଧ୍ୟତେ । ଯାତ୍ରାକାଳରେ ଏହି ଅଶୁଭ ସଙ୍କେତ ଦର୍ଶନ ! କିନ୍ତୁ ବିଶୁଦ୍ଧ ଭିକାରୀ ଶ୍ରେଣୀଟା ସମାଜ ପକ୍ଷରେ କୌଣସି ଅଂଶରେ କମ୍‍ ବିଷାକ୍ତ କମ୍‍ ଅଶୁଭ କି ?

 

ବେଜ୍‍ଓ୍ୱାଡ଼ା ଷ୍ଟେସନରେ ଗାଡ଼ି ଲାଗିଲା ବେଳକୁ ରାତି ହୋଇଯାଇଥାଏ । ରେଳ ଉପରୁ ବେଜସ୍ୱାଡ଼ା ସହରର ଦୃଶ୍ୟ କି ଚମତ୍କାର ! ବିପୁଳ ବିସ୍ତୃତ ବିଦ୍ୟୁତ୍‍ ଆଲୋକରାଶି ନଦୀ ଜଳରେ ପ୍ରତିଫଳିତ ହୋଇ ମନୋହର ମାୟାପୁରୀର ଭ୍ରମ ଜନ୍ମାଉ ଥାଏ । ଅପରିଚିତ ସ୍ଥାନରେହିଁ ରହସ୍ୟମୟ କଳ୍ପନା ଅଧିକ ଘନୀଭୂତ ହୁଏ । ଶଙ୍କା ସଙ୍କୋଚ ଓ ସନ୍ଦେହ ମିଳିତ ହୋଇ ସ୍ପଷ୍ଟକୁ ପୁଣି ବାସ୍ତବକୁ ରହସ୍ୟମୟ କରିଥାନ୍ତି ।

 

ଅକ୍ଟୋବର ପହିଲା ସକାଳେ ଗାଡ଼ି ମାନ୍ଦ୍ରାଜ ଷ୍ଟେସନରେ ପହଞ୍ଚିଲା । ମହାଭାରତ ବର୍ଣ୍ଣିତ ମଦ୍ର ଦେଶ । ଦୁଇଟି ମଦ୍ରଦେଶ ମଧ୍ୟରୁ ଗୋଟିଏ ଉତ୍ତର ସୀମାରେ ପଞ୍ଜାବ ଅନ୍ତର୍ଗତ ଈରାବତୀ ଓ ଚନ୍ଦ୍ରଭାଗା ମଧ୍ୟବର୍ତ୍ତୀ ଭୂମି; ଅନ୍ୟଟି ଦକ୍ଷିଣ ସୀମାରେ ମାନ୍ଦ୍ରାଜ-ଯେଉଁଠି ଇଂରେଜମାନଙ୍କର ପ୍ରଥମ ପଦକ୍ଷେପର ଚିହ୍ନ ଇତିହାସରେ ଅଙ୍କିତ । ସେହି କାରଣରୁ କି କ’ଣ, ମାନ୍ଦ୍ରାଜ ଷ୍ଟେସନରେ ଘୋଘା ପାଟିତୁଣ୍ଡ ହାଉଡ଼ା ପ୍ରଭୃତି ଅନ୍ୟ ବୃହତ୍‍ ରେଳ ଷ୍ଟେସନମାନଙ୍କ ତୁଳନାରେ ଢ଼େର କମ୍‍ । ମୁଣ୍ଡବୋଝିଆ କୁଲିଙ୍କ ସଂଖ୍ୟା ମଧ୍ୟ ତଦ୍ରୂପ । ବିଛଣା ବାକ୍‍ସ ନେବା ପାଇଁ ହାତଠେଲା ଟ୍ରଲିର ପ୍ରଚଳନ ବେଶି । ଯାତ୍ରୀମାନେ ନୀରବରେ ଗାଡ଼ିରୁ ଓହ୍ଳାଉଛନ୍ତି । ଷ୍ଟେସନରେ ଭେଟିବାକୁ ଆସିଥିବା ବନ୍ଧୁମାନଙ୍କ ସଙ୍ଗେ ସଂଯତ ଭାବରେ ହସି ମିଳିତ ହେଉଛନ୍ତି । ଯେପରିକି ନିଜ ରାଜ୍ୟରେ ସେମାନେ ବାକ୍‍ ସଂଯମ ଅଭ୍ୟାସ କରି ବାହାରେ ଅତିଭାଷୀ ହୋଇପଡ଼ିଥିବାର ଦେଖାଯାନ୍ତି ।

 

ଉତ୍ତର ଦକ୍ଷିଣର ମଧ୍ୟ ସ୍ଥଳରେ ଅବସ୍ଥିତ ରହି ଓଡ଼ିଶା ନା ଉତ୍ତର ନା ଦକ୍ଷିଣ ହୋଇପାରିଲା । ତାହାର ସଂଗୀତ ନୃତ୍ୟ, କଳା, ସାହିତ୍ୟ ହିନ୍ଦୁସ୍ଥାନୀ କିମ୍ୱା କର୍ଣ୍ଣାଟକୀ ହୋଇ ନପାରି ତ୍ରିଶଙ୍କୁ ଭଳି କେବଳ ଓଡ଼ିଶୀ ହୋଇ ରହିଗଲା । ଆମର ସାହିତ୍ୟ, ଆମର ମନ୍ଦିର ନିର୍ମାଣ ପ୍ରଣାଳୀ ଉତ୍ତର କିମ୍ୱା ଦକ୍ଷିଣରୁ ବେଶି ଆହରଣ କରି ନିଜତ୍ୱ ପ୍ରତିଷ୍ଠା କରିଛି, ତାହା ଆଜି ଗଭୀର ଗବେଷଣାର ବିଷୟ । ତଥାପି ଆମେ ହିନ୍ଦୀ ବଙ୍ଗଳା ଯେତେ ପରିମାଣରେ ବୁଝିପାରୁଁ, ଦକ୍ଷିଣ ଭାରତୀୟ ଭାଷା ତାହାର ଶତାଂଶରୁ ଏକାଂଶ ବୁଝିବା ମଧ୍ୟ ଆମ ପକ୍ଷରେ କଷ୍ଟକର । କେବଳ ଆନ୍ତର୍ଜାତୀୟ ଭାଷା ଇଂରାଜୀ ଶିଖିଥିଲେ କୌଣସି ଅସୁବିଧା ନାହିଁ । ହିନ୍ଦୀ ମଧ୍ୟ ଏଠାରେ କେହି କେହି ବୁଝନ୍ତି ।

 

ମାନ୍ଦ୍ରାଜ ଷ୍ଟେସନରେ ଯେଉଁ ସଂଯମ ଶିଷ୍ଟତା’ର ପରିଚୟ ମିଳେ, ତାହାକୁ ଦକ୍ଷିଣ ଭାରତୀୟ ସଂସ୍କୃତିର ମୁଖବନ୍ଧ ବୋଲାଯାଇପାରେ । ଆହାର ବିହାର ବେଶ ପରିଚ୍ଛଦ ସର୍ବତ୍ର ଏକ ସୁଚିନ୍ତିତ ପରିପାଟି ଓ ଶୃଙ୍ଖଳା ଦେଖାଯାଏ । ମିତବ୍ୟୟତା ମଧ୍ୟରେ ସୌନ୍ଦର୍ଯ୍ୟ ଓ ସୌକୁମାର୍ଯ୍ୟର ବିକାଶ ସାଦନ ଯେପରି ଦାକ୍ଷିଣାତ୍ୟର ପ୍ରଧାନ କୃଷ୍ଟି । ଯୋଗ୍ୟମ୍‍ ଯୋଗ୍ୟେନ ଯୁଞ୍ଜୟେତ୍‍-ଯାହାର ସ୍ଥାନ ଯେଉଁଠି, ସେ ସମ୍ପର୍କରେ ବୋଧହୁଏ ସେମାନେ ଉତ୍ତର ଭାରତୀୟମାନଙ୍କ ଅପେକ୍ଷା ଅଧିକ ଅବହିତ । ସେଇଥିପାଇଁ ଦକ୍ଷିଣ ଭାରତୀୟ ବିଶ୍ୱବିଦ୍ୟାଳୟମାନଙ୍କରେ ଛାତ୍ର-ବିକ୍ଷୋଭ ଏତେ ଅଳ୍ପ । ଅଥଚ ବିଦ୍ୟାରେ ବୁଦ୍ଧରେ କର୍ମଠତାରେ ସେମାନେ ଏତେ ବେଶି ପାରଦର୍ଶୀ ।

 

ଟ୍ୟାକ୍‍ସି କିମ୍ୱା ରିକ୍‍ସା ଭଡ଼ା କଲିକତା ବମ୍ବେ ତୁଳନାରେ ମାନ୍ଦ୍ରାଜରେ ନିଶ୍ଚୟ ଅଧିକ । ସାଇକଲ ରିକ୍‍ସାରେ ଏକାଧିକ ଯାତ୍ରୀଙ୍କୁ ବସାଇ ଏବଂ ବାକ୍‍ସ ବିଛଣାର ପ୍ରାଚୁର୍ଯ୍ୟରେ ସେମାନଙ୍କ ଦୈହିକ ସତ୍ତା ଲୋପକରି ନଗର ରାସ୍ତାର ଦୃଶ୍ୟକୁ ହାସ୍ୟାସ୍ପଦ କରିବା ମାନ୍ଦ୍ରାଜ କର୍ପୋରେଶନ୍‍ ଦ୍ୱାରା ନିଷିଦ୍ଧ । ଜଣେ ରିକ୍‍ସାବାଲା କେବଳ ଜଣେ ଯାତ୍ରୀକୁ ଟାଣି ନେବାହିଁ ସମୀଚୀନ । ଜଣେ ରିକ୍‍ସାବାଲା ଉପରେ ଏକାଧିକ ଆରୋହୀ ବୋଝେଇ ହେବାଟା ମନୁଷ୍ୟର ସାଧାରଣ ମର୍ଯ୍ୟାଦା ପକ୍ଷରେ ଯେ ହାନିକର, ମାନ୍ଦ୍ରାଜ କର୍ପୋରେସନର ଏହି ନିୟମଦ୍ୱାରା ତାହା ସ୍ଥିରୀକୃତ ହୋଇଛି । ଆମ୍ଭେମାନେ ନିୟମଟି ଜାଣି ନଥିବାରୁ ଏହି ଅସୁବିଧାର ସମ୍ମୁଖୀନ ହୋଇ ଅଗତ୍ୟା ଫୁଟ୍‍ପାଥର ଆଶ୍ରୟ ନେଇଥିଲୁ ।

 

ନଗରୀ ମଧ୍ୟରେ ଅବସ୍ଥିତ ପ୍ରଧାନ ମନ୍ଦିର ଭିତରେ ସୁଦ୍ଧା ଅଦ୍ଭୁତ ଶୃଙ୍ଖଳାର ପରିଚୟ ମିଳେ । ପଣ୍ଡାମାନଙ୍କର ଉତ୍ପାତ ଏଠାରେ ସ୍ୱପ୍ନ । ଦର୍ଶନ କରାଇବା ପାଇଁ ଟଣା ଓଟରା ନାହିଁ କିମ୍ୱା ଦାନ ଦକ୍ଷିଣା ପାଇଁ ଯବରଦସ୍ତି ନାହିଁ । ମାନ୍ଦ୍ରାଜରେ ନବନିର୍ମିତ ଯେଉଁ ଦାସ ପ୍ରକାଶ ହୋଟେଲ୍‍ରେ ରହିଲୁଁ, ତାହାର ନିରାଡ଼ମ୍ୱର ନିରାମିଷ ଖାଦ୍ୟପେୟ ସହିତ ସହଜ ସଦାଚାର ପରିପାଟୀ ଉଲ୍ଲେଖଯୋଗ୍ୟ । ଆମିଷ ହୋଟେଲଗୁଡ଼ିକ ଏଠାରେ ମିଲିଟାରି ହୋଟେଲ ନାମରେ ପରିଚିତ । ସୈନ୍ୟମାନଙ୍କ ଯୋଗ୍ୟ ଆମିଷ ଆହାର ଏହି ଭୋଜନାଳୟଗୁଡ଼ିକର ବିଶେଷ ଆକର୍ଷଣ । ଆମେରିକାର ୱାସିଂଟନ ରାଜଧାନୀ ଭଳି ରୁଫ୍‍ ଗାର୍ଡନ ବା ଗୃହଗୁଡ଼ିକର ଛାତ ଉପରେ ଉଦ୍ୟାନ-ସଜ୍ଜା ମାନ୍ଦ୍ରାଜ ନଗରର ଏକ ବିଶେଷତ୍ୱ । ଏହା ଦକ୍ଷିଣ ଭାରତୀୟ ସୌନ୍ଦର୍ଯ୍ୟବୋଧର ଅନ୍ୟତମ ନମୁନା । ଲତା ପୁଷ୍ପ ଶୋଭିତ ଛୋଟ ବଡ଼ ଉଦ୍ୟାନ ନଥିବା ଗୃହର ସଂଖ୍ୟା ମାନ୍ଦ୍ରାଜରେ ଅଧିକ ନୁହେଁ । ନାନା ଜାତିର ଶ୍ୟାମାୟମାନ ଲତା ଗୁଳ୍ମ ମଧ୍ୟରେ ବିଚିତ୍ର ରଙ୍ଗର ପୁଷ୍ପସ୍ତବକ ତରୁଣୀ ରମଣୀର କେଶ ବିନ୍ୟାସ ପରି ଗୃହଗୁଡ଼ିକ ରୁଦ୍ଧିମନ୍ତ ରସୋତ୍ତୀର୍ଣ୍ଣ ରଚନାର ବୈଦ୍‍ଗଧ୍ୟ ଆଣି ଦେଇଛି ।

 

ମଧ୍ୟାହ୍ନରେ ଏଡ଼ିୟାର କଳାକ୍ଷେତ୍ର ଦେଖିବାକୁ ଗଲି ଏବଂ ସନ୍ଧ୍ୟାରେ ମ୍ୟାରିନା ବିଚ୍‍ । ସୁଶୀତଳ ଦ୍ରୁମଚ୍ଛାୟାତଳେ ଏଡ଼ିୟାର କଳାକ୍ଷେତ୍ରର ବେଷ୍ଟନୀ ଶାନ୍ତିନିକେତନର ଶାନ୍ତ ସମାହିତ ମନୋରମ ଦୃଶ୍ୟକୁ ସ୍ମରଣ କରାଇ ଦିଏ । ବୁଲି ବୁଲି ଯେତିକି ଦେଖିଲୁଁ, ତହିଁରୁ ମନେହେଲା କଳାକ୍ଷେତ୍ରରେ ଏକ ପୌରାଣିକ ପବିତ୍ରତା ସୁରକ୍ଷିତ । ଆନିବେସାନ୍ତଙ୍କର ଏଇ ଅପୂର୍ବ କୀର୍ତ୍ତି ଦକ୍ଷିଣ ଭାରତୀୟ କଳା ସଂସ୍କୃତି ଚର୍ଚ୍ଚାର ପୀଠସ୍ଥଳ ରୂପେ ଆଜି ମଧ୍ୟ ବିଦ୍ୟମାନ ।

 

କିଛି ଦୂରରେ ମ୍ୟାରିନା ବିଚ୍‍ । ସାନ୍ଧ୍ୟ ସମୀରଣ ସେବନ ଲାଗି ବହୁ ସଂଖ୍ୟକ ନରନାରୀଙ୍କର ସମାବେଶ । ଲାଉଡ ସ୍ପିକର ସାହାଯ୍ୟରେ ରେଡ଼ିଓ କାର୍ଯ୍ୟନିର୍ଘଣ୍ଟ ଦ୍ୱାରା ଏହା ଅହରହ ମୁଖରିତ । ପୁରୀର ସଂକୀର୍ଣ୍ଣ ଉପକୂଳ ଭଳି ସମୁଦ୍ର ଏଠାରେ ଉପଭୋଗ୍ୟ ନୁହେଁ, ଉପକୂଳଟିହିଁ ଉପଭୋଗ୍ୟ । ସମୁଦ୍ର ଢେଉର କ୍ରୀଡ଼ା ଦେଖିବା ଲାଗି ବହୁ ଦୂର ବାଲୁକା ପଥ ଅତିକ୍ରମ କରିବାକୁ ହୁଏ । ଉପକୂଳର ବିସ୍ତୁତି ସମକ୍ଷରେ ସାଗର ନୀଳଲହରୀ ଯେପରି ଦୂରକୁ ସଂକୁଚିତ ହୋଇ ପଡ଼ିଛି ।

 

ଅକ୍ଟୋବର ୨ ତାରିଖ ସନ୍ଧ୍ୟାରେ କୋଚିନ୍‍ ଏକ୍‍ସପ୍ରେସ ଧରିଲି । ଏହି ରେଲ ଲାଇନଟି ଭାରତ ଉପଦ୍ୱୀପର ପୂର୍ବ ଉପକୂଳରୁ ପଶ୍ଚିମ ଉପକୂଳ ପର୍ଯ୍ୟନ୍ତ ଗତି କରିଛି । ରାତି ପାହିବା ପରେ ଆଭାଡ଼ି (ଏଠାରେ ଜାତୀୟ କଂଗ୍ରେସର ଅଧିବେଶନ ହୋଇଥିଲା) ଅତିକ୍ରମ କରି ଗାଡ଼ି କେରଳ ରାଜ୍ୟରେ ପ୍ରବେଶ କରିଥିଲା ।

 

କେରଳ ଯେ ଏକ ପୃଥକ୍‍ ରାଜ୍ୟ, ଏହା ତାହାର ନାରିକେଳ ଦନର ପ୍ରାଚୁର୍ଯ୍ୟରୁ ଜଣାପଡ଼ିଗଲା । ନାରିକେଳରୁହିଁ କେରଳ ନାମଟି ଅପଭ୍ରଂଶ । ନାରିକେଳ ବ୍ୟତୀତ ତାଳ, ଖଜୁରି, ଆମ୍ବ, ଲଙ୍କାମ୍ବ, ପଣସ ବୃକ୍ଷରେ ରେଳ ଲାଇନର ଉଭୟ ପାର୍ଶ୍ୱ ଆଚ୍ଛାଦିତ । ମାତ୍ର ସେ ସବୁ ଅବିନ୍ୟସ୍ତ ନୁହେଁ । ସର୍ବତ୍ର ଯେପରି ମନୁଷ୍ୟ ହସ୍ତର ଯତ୍ନ ଅଙ୍କିତ । ଘରଗୁଡ଼ିକ ଛଡ଼ା ଛଡ଼ା-ଅଧିକାଂଶ ଇଟା କାନ୍ଥ, ଟାଇଲ ଛପର । ମାଙ୍କଡ଼ା ପଥର ପାଚେରି । ଆମ ନାରିକେଳ କୁଞ୍ଜ ମଧ୍ୟରେ ତାହା ନିର୍ମିତ । କେରଳ ଏକ ନଦୀ ପର୍ବତର ରାଜ୍ୟ । ମାତ୍ର ପାର୍ବତ୍ୟ ଭୂମିରେ ନାରିକେଳ ଜନ୍ମ ନଥିବାର ଧାରଣା ଏଠାରେ ଦୂର ହୋଇଯାଏ । ପାହାଡ଼ ପର୍ବତ ଉପରେ ନାରିକେଳ ବନ, ମଧ୍ୟରେ ମନୁଷ୍ୟର ଆବାସ । ସମତଳ ଭୂମିରେ ଧାନ ଚାଷ । ପର୍ବତ କନ୍ଦର ନଦୀ ନାଳ ବିଲ ହିଡ଼ ସର୍ବତ୍ର ମନୁଷ୍ୟ ହସ୍ତର ସଯତ୍ନ ସ୍ପର୍ଶ । ଏଥିରୁହିଁ ପ୍ରମାଣିତ ହୁଏ ଯେ କେରଳର ଆନୁପାତିକ ଲୋକସଂଖ୍ୟା ଭାରତର ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଅଧିକ । ପୁରୁଷମାନେ ଯେତେ କୃଷ୍ଣକାୟ ହେଲେ ମଧ୍ୟ ଅଳ୍ପ ପରିଧାନରେ ବେଶି ପରିଷ୍କାର ପରିଚ୍ଛନ୍ନ । କେହି କେହି ଅସୁନ୍ଦରୀ ହେଲେ ମଧ୍ୟ କେରଳର କନ୍ୟା ସୁହାସିନୀ ସୁବେଶିନୀ ସୁକେଶିନୀ ।

 

ପୁରୁଷମାନଙ୍କ ଅଣ୍ଟାରେ ଖଣ୍ଡେ ଚାରିହାତି ଧଳାଲୁଙ୍ଗି ଏବଂ ଦେହରେ ହାଫ୍‍ଶାର୍ଟ-ବାସ୍‍-! ଲାଖପତି ନାୟାର ନମ୍ବୁଦ୍ରି ପଦଠାରୁ ଦିନ ମଜୁରିଆ ପର୍ଯ୍ୟନ୍ତ ସବୁରି ଏକ ବେଶ-। ଏକାଧିକ ଶିକ୍ଷିତ ପୁରୁଷଙ୍କ ବେକରେ ସୁନାଚେନ ଝୁଲୁଛି । ନାରୀମାନଙ୍କ ଆଭରଣରେ ମଧ୍ୟ ଏକ ସାରଲ୍ୟ ଓ ସଂଯମର ପରିଚୟ ମିଳେ । ଅବଶ୍ୟ ମୂଲ୍ୟବାନ ଜରିପାଡ଼ ଶାଢ଼ୀ ଲାଗି କେରଳର ରାଜଧାନୀ ତ୍ରିଭେନ୍ଦ୍ରମ ବିଖ୍ୟାତ । ତଥାପି ସେଇ ଶାଢ଼ୀ ପରିଧାନରେ ମଧ୍ୟ କେରଳ ରମଣୀର ସୌଷ୍ଟବ ପରିଷ୍ଫୁଟ । ଧୋବ ଶାଢ଼ୀହିଁ ଯୁବତୀ ପୌଢ଼ା ସବୁରି ସାଧାରଣ ପରିଧେୟ । ରଙ୍ଗୀନର ପ୍ରଚଳନ ସାମାନ୍ୟ ।

 

କୋଚିନ୍‍ ଏକ୍‍ସପ୍ରେସ୍‍ରୁ ଏର୍ଣ୍ଣାକୁଲମଠାରେ ଓହ୍ଳାଇପଡ଼ି କୋଟାୟମ୍‍ ଗାଡ଼ିରେ ଉଠିଲୁଁ । କୋଟାୟମ୍‍ ସହରରେ ପହଞ୍ଚିଲା ବେଳକୁ ଅପରାହ୍ନ ଚାରିଟା । କୋଟାୟମ୍‍ ଏକ ସୁରମ୍ୟ ପାର୍ବତ୍ୟ ସହର । ଏହିଠାରେ ଆଜିଠାରୁ ସାତ ତାରିଖ ପର୍ଯ୍ୟନ୍ତ ସମସ୍ତ କେରଳ ସାହିତ୍ୟ ସମ୍ମଳିନୀର ୨୬ଶ ଅଧିବେଶନ ଅନୁଷ୍ଠିତ ହେଉଛି । ଉକ୍ତ ସମ୍ମିଳନୀ ହିଁ ମୋର ଦାକ୍ଷିଣାତ୍ୟ ଭ୍ରମଣର ଲକ୍ଷ୍ୟସ୍ଥଳ ।

 

କେରଳର ଭାଷା ମାଲାୟଲମ୍‍ ହେଲେ ମଧ୍ୟ କେରଳ-ସାହିତ୍ୟ ପରିଷଦ-ପୀଠରେ ଆଲୋଚିତ ହୋଇଥିଲା ବିଭିନ୍ନ ଭାରତୀୟ ସାହିତ୍ୟ । ପ୍ରାୟ ପାଞ୍ଚ ସହସ୍ର ଶ୍ରୋତାଙ୍କ ଉପଯୋଗୀ ନିର୍ମିତ ହୋଇଥାଏ, ଆଲୋକମାଳା ସଜ୍ଜିତ ଏକ ସୁଦୃଶ୍ୟ ସଭାମଣ୍ଡପ । ମଣ୍ଡପର ଏକ ପାର୍ଶ୍ୱରେ ସମ୍ମିଳନୀ କାର୍ଯ୍ୟାଳୟ, ଅପର ପାର୍ଶ୍ୱରେ ବିରାଟ ପୁସ୍ତକ ଓ ଚିତ୍ର ପ୍ରଦର୍ଶନୀ । ପ୍ରଥମ ଦିନ ସାହିତ୍ୟ ପରିଷଦର ଉଦ୍‍ଘାଟନ କରିଥିଲେ ଭାରତର କେନ୍ଦ୍ରମନ୍ତ୍ରୀ ଏବଂ ବଙ୍ଗର ସୁପରିଚିତ କବି ଓ ସାହିତ୍ୟିକ ଅଧ୍ୟାପକ ହୁମାୟୁନ କବୀର ।

 

ପାଞ୍ଚଦିନ ଧରି ସମ୍ମିଳନୀ ମଣ୍ଡପ ସକାଳ ୮ଟାରୁ ରାତି ୨ଟା ପର୍ଯ୍ୟନ୍ତ ଶ୍ରୋତାମାନଙ୍କ ଦ୍ୱାରା ପରିପୂର୍ଣ୍ଣ । ଗଳ୍ପ, କବିତା, ନାଟକ, ଉପନ୍ୟାସ, ଜୀବନୀ, ଭ୍ରମଣକାହାଣୀ, ଲୋକନୃତ୍ୟ, ଲୋକଗୀତ ପୁଣି ଶାସ୍ତ୍ରୀୟ ସଙ୍ଗୀତାଦିର ଆଲୋଚନା ବ୍ୟତୀତ ଭାରତର ବିଭିନ୍ନ ଭାଷାରେ ନାଟକ ଓ ରଙ୍ଗମଞ୍ଚ ବିଷୟକ ରାଜି ପ୍ରବନ୍ଧମାନ ସମାଗତ ପ୍ରତିନିଧିମାନେ ପାଠ କରିଥିଲେ । ମାତ୍ର ଆଶ୍ଚର୍ଯ୍ୟର କଥା, ପ୍ରତି ଅଧିବେଶନରେ ମନେହେଉଥାଏ ସମ୍ମିଳନୀ ମଣ୍ଡପରୁ ଜଣେ ହେଲେ ଶ୍ରୋତା ଯେପରି କେବେ କାହିଁ ଯାଇ ନାହାନ୍ତି । ପ୍ରଥମ ଦିନ ଯେ ଯେଉଁ ଆସନରେ ବସିଥିଲେ, ଶେଷ ଦିନ ପର୍ଯ୍ୟନ୍ତ ସେହିଠାରେ ହିଁ ସେ ରହିଯାଇଛନ୍ତି ଯେମିତି ଅବା ! ପଞ୍ଚମ ଦିନ ଯେଉଁ ଶିଶୁ-ସାହିତ୍ୟ ସମ୍ମିଳନୀ ବସିଥିଲା, ଏବଂ ପ୍ରାୟ ପାଞ୍ଚ ସହସ୍ର ବାଳକ-ବାଳିକାଙ୍କ ମଧ୍ୟରେ ବାର ତେର ବର୍ଷ ବୟସ୍କ ଶ୍ରୀ କୁମାର ସଭାପତିତ୍ୱ କରିଥିଲେ, ସେଥିରେ ମଧ୍ୟ ଏହି ଅଦ୍ଭୁତ ଶୃଙ୍ଖଳା ଜ୍ଞାନର ପରିଚୟ ମିଳିଥିଲା । ମନେହେଲା, ଶୃଙ୍ଖଳାଜ୍ଞାନଟା କେବଳ ମନୁଷ୍ୟର ନୁହେଁ, କେରଳ ପ୍ରକୃତିର । କେରଳୀୟ ବର୍ଷାନୁଭୂତି ଜୀବନରେ ଭୁଲିବାର ନୁହେଁ । ଅର୍ଦ୍ଧ ରାତ୍ରିରେ ଥରେ ହଠାତ୍‍ ନିଦ୍ରା ଭଗ୍ନ ହେଲା-ଜଳପତନର ଶବ୍ଦ ଶୁଣି । ଅଥଚ ଦିନରେ ଆକାଶ ଥିଲା ସମ୍ପୂର୍ଣ୍ଣ ନିର୍ମଳ । ସେ ପୁଣି କିପରି ବର୍ଷଣ ! ବଜ୍ର ବିଦ୍ୟୁତ ବା ବତାସ ନାହିଁ, ଅଥଚ ଅନର୍ଗଳ ବାରି ବର୍ଷା, କ୍ରନ୍ଦନ ଚିତ୍କାରହୀନ ଅବିଶ୍ରାମ ଅଶ୍ରୁଧାରା ଯେପରି ।

 

ମାଲାୟଲମ୍‍ କବି ସମ୍ମିଳନୀର ଉଦ୍‍ଘାଟନ-ଉତ୍ସବର ପୌରୋହିତ୍ୟ କରିଥିଲେ ‘‘ଆକାଶବାଣୀ’’ର ଡିରେକ୍ଟର ଜେନେରାଲ ଶ୍ରୀ ଜଗଦୀଶ ଚନ୍ଦ୍ର ମାଥୁର । ତତ୍‍କାଳୀନ ମୁଖ୍ୟମନ୍ତ୍ରୀ ଶ୍ରୀ ନମ୍ବୁଦ୍ରି ପାଦ ଏବଂ ଶିକ୍ଷାମନ୍ତ୍ରୀ ଶ୍ରୀ ମୁଣ୍ଡେଶରୀ ମଧ୍ୟ ବିଭିନ୍ନ ଉତ୍ସବର ପୁରୋଧା ହୋଇଥିଲେ । ସବୁଠାରୁ ମୋର ଶ୍ରେଷ୍ଠ ସୌଭାଗ୍ୟର ବିଷୟ ହୋଇଥିଲା, ମହାକବି ଭାଲାଥୋଲଙ୍କର ଦର୍ଶନଲାଭ-। ଆଧୁନିକ ମାଳୟଲମ୍‍ ସାହିତ୍ୟର ସମୃଦ୍ଧି ଲାଗି ସେ ମୁଖ୍ୟତଃ ଦାୟୀ ।

 

କେରଳ-ସାହିତ୍ୟ-ସମ୍ମିଳନୀର ଆଦର୍ଶ ଓ କେରଳର ଆତିଥେୟତାରେ ଆପ୍ୟାୟିତ ଅଭ୍ୟାଗତମାନଙ୍କୁ କନ୍ୟାକୁମାରୀ ଦେଖାଇବାର ସୁବ୍ୟବସ୍ଥା ମଧ୍ୟ ହୋଇଥିଲା । ଭାରତର ଦକ୍ଷିଣ ସୀମାରେ ଅବସ୍ଥିତ କନ୍ୟାକୁମାରୀ ଦର୍ଶନ ! କେହି କି କେବେ ସେ ସୁଯୋଗ ଛାଡ଼ିପାରେ ?

 

ସାତ ତାରିଖ ସକାଳେ ଯାତ୍ରା ଆରମ୍ଭ କଲୁଁ କୋଟାୟମ୍‍ଠାରୁ ରାଜଧାନୀ ତ୍ରିଭେନ୍ଦ୍ରମ୍‍ ଅଭିମୁଖରେ । ସେଥିଲାଗି ମଟରଗାଡ଼ିର ବ୍ୟବସ୍ଥା ହୋଇଥିଲା । ଚମତ୍କାର ! ତେବେ ତ କେରଳକୁ ଆହୁରି ନିକଟରୁ ଦେଖିବାର ସୁବିଧା ! ଗ୍ରାମପରେ ଗ୍ରାମ ଛାଡ଼ି ମଟର ଗାଡ଼ି ପ୍ରାୟ ଶହେ ମାଇଲ ରାସ୍ତା ଧାବିତ ହେବାକୁ ଲାଗିଲା ସିଧା ଦକ୍ଷିଣ ଦିଗରେ । ମାତ୍ର କେଉଁଠାରେ ଯେ ଗୋଟିଏ ଗ୍ରାମ ଶେଷ ହୋଇ ଆଉ ଗୋଟିଏ ଆରମ୍ଭ ହୋଇଛି, ତାହା ଜାଣିବା କଷ୍ଟକର । ପୁଣି ପାଣ୍ଡାଲମ୍‍ ଏବଂ ଆଦୁର ଦୁଇଟି ସହର ହେଲେ ମଧ୍ୟ ଉଭୟ ମଧ୍ୟରେ ବ୍ୟବଧାନ ମାତ୍ର ଛଅ ମାଇଲ ।

 

ପ୍ରତି ଗ୍ରାମରେ ସ୍କୁଲ ଏବଂ ଅଧିକାଂଶ ଗ୍ରାମରେ ଖ୍ରୀଷ୍ଟିଆନ ଗୀର୍ଜା ଦେଖାଯାଏ । ବାଳକବାଳିକାମାନେ ହାତରେ ବହି ଓ ଜଳଖିଆ ଟିଣ ଧରି ସ୍କୁଲ କଲେଜକୁ ଚାଲିଛନ୍ତି ଧାଡ଼ି ଧାଡ଼ି ହୋଇ । ଶୈଶବରୁ ଯେପରି ଏମାନଙ୍କୁ ଅଭ୍ୟାସ କରିବାକୁ ହୁଏ ଏକ ସୈନିକ ଶୃଙ୍ଖଳା । ଭାସ୍କୋଡ଼ାଗାମାଙ୍କ କାଲିକଟ୍‍ ଆଗମନ କାଳରୁ ପ୍ରାୟ ପାଞ୍ଚ ଶହ ବର୍ଷ ହେଲା କେରଳବାସୀ ଖ୍ରୀଷ୍ଟଧର୍ମ ଓ ବୈଦେଶିକ ସଂସ୍କୃତି ସହିତ ପରିଚିତ ହୋଇ ଆସିଛନ୍ତି । କେରଳରେ ଶିକ୍ଷିତ ସଂଖ୍ୟା, ବିଶେଷ କରି ସ୍ତ୍ରୀ ଶିକ୍ଷା ସେହି କାରଣରୁ ହିଁ ଅଧିକ ବୋଲି କାହାରି କାହାରି ମତ ।

 

ସାତ ତାରିଖ ତ୍ରିଭେନ୍ଦ୍ରମ୍‍ର ଅତିଥି ଭବନରେ ଅତିବାହିତ କରି ପରଦିନ ସକାଳ ୯ଟାରେ କନ୍ୟାକୁମାରୀ ଯାତ୍ରା କଲୁଁ । ଆକାଶଚୁମ୍ବୀ ପଶ୍ଚିମଘାଟ ପର୍ବତମାଳା ମଧ୍ୟରେ ଯେତିକି ଆଗକୁ ସମୁଦ୍ରର ନିକଟବର୍ତ୍ତୀ ହେଉଥାଉଁ, ସେତିକି ବେଶି କନ୍ୟାକୁମାରୀ ଦର୍ଶନର ଆଗ୍ରହ ଆକାଂକ୍ଷା ଜାଗରିତ ହୋଇଉଠୁଥାଏ । ଚାହୁଁ ଚାହୁଁ ପର୍ବତ ଶ୍ରେଣୀର ଅନ୍ତରାଳରୁ ବିଶାଳ ସୁନୀଳ ଭାରତ ମହାସାଗର ଦୃଷ୍ଟିପଥାରୂଢ଼ ହେଲା । ଏହିଠାରେ ଆରବ ସାଗରର ସଙ୍ଗମ । ତାହାର ଈଷତ୍‍ ପିଙ୍ଗଳ ବର୍ଣ୍ଣ ସଲିଳଭାଗ ଭାରତ ମହାସାଗରର ସ୍ୱଚ୍ଛ ସୁନୀଳ ଜଳରାଶିକୁ ଆଲିଙ୍ଗନ କରୁଛି ଧ୍ୟାନରତ ଶିବଙ୍କ ଅଙ୍କରେ ତପସ୍ୱିନୀ ପାର୍ବତୀ ଭଳି । ଏହିଠାରେ ଉଠିଆସିଛି ସୁନୀଳ ସାଗର ଗର୍ଭରୁ ଭାରତବର୍ଷ । ପଶ୍ଚିମଘାଟର ସୁଉଚ୍ଚ ପର୍ବତମାଳା ଭାରତ ଉପଦ୍ୱୀପର ଏହି ସୀମାବିନ୍ଦୁକୁ ପରମ ପୁଲକରେ ସ୍ପର୍ଶ କରି ଅପୂର୍ବ ଗାମ୍ଭୀର୍ଯ୍ୟମୟ ମହନୀୟ କରି ରଖିଛି । ଏହିଠାରେ ଯାତ୍ରୀ ତାହାର ସମୁଦାୟ ପୁଞ୍ଜୀଭୂତ ସ୍ମୃତି ଓ ସତ୍ତାକୁ ନିଶ୍ଚିନ୍ତରେ ସମର୍ପଣ କରିଦେବାକୁ ଲୋଡ଼େ । ଏହିଠାରେ ବିବେକାନନ୍ଦ ଗାନ୍ଧୀଙ୍କ ଧ୍ୟାନଘାଟ ସ୍ନାନଘାଟ ଅବସ୍ଥିତ । ଏହିଠାରେ ମୋର ସମଗ୍ର ଦେହ ମନକୁ ଅଜାଡ଼ି ଦେଇ ମହାମହିମାମୟୀ ପୁଣ୍ୟଭୂମି ଭାରତମାତା ଉଦ୍ଦେଶ୍ୟରେ ନିଃଶେଷ କରିଦେଲି ମୋର ସକଳ ନମସ୍କାର ।

Image

 

ଆଧୁନିକ ନାରୀ

 

ଭାରତବର୍ଷର ଅବସ୍ଥା ପୃଥିବୀର ଆଉ ସବୁ ଦେଶମାନଙ୍କଠାରୁ ନିଆରା । ଏଠାରେ ସବୁ ରକମର ବ୍ରତ, ଉପାସନା ଓ ଅନଶନ ଫଳରେ ଆମେ ହୁଏନ୍‍ସାଁଙ୍କ ଅମଳରେ ଯାହା ଥିଲୁଁ, ସେଥିରୁ ଆଜି ଖୁବ୍‍ ବେଶି ବଦଳି ନାହୁଁ । ସେ ମହାଶୟ ହଜାର ବର୍ଷରୁ ଉପର ହେବ ଭାରତବର୍ଷକୁ ଆସି ତାଙ୍କର ମାତୃଭୂମି ଏବଂ ଆମ୍ଭମାନଙ୍କର ପୁଣ୍ୟଭୂମି ଭିତରେ ଯେଉଁ ଯୋଗସୂତ୍ରଟି ଥାପି ଯାଇଛନ୍ତି, ତାହା ଅତି ଆଶ୍ଚର୍ଯ୍ୟ ଭାବରେ ଆଜିସୁଦ୍ଧା ଆଗପରି ରହି ଯାଇଅଛି । ଚାଏନାସିଲ୍‍କ ଖରିଦ କରିବାରେ ସେ ଦେଶର ବ୍ୟବସାୟୀ ବ୍ୟକ୍ତିବିଶେଷଙ୍କ ଉପରେ ଆମର ଧାରଣା ଖୁବ୍‍ ପ୍ରୀତିକର ନ ହେଲେହେଁ ତମାମ ପୃଥିବୀ ଗୋଟାକରେ ଆର୍ଯ୍ୟ ନାମଧାରୀ ସାମାଜିକ ପ୍ରଥା ଓ ଆଚାର ପଦ୍ଧତିରେ ଭାରତକୁ ଆଜି କେହି ବେଶି ସମର୍ଥନ କରୁଥାଏ ତ, ସେ ଚାଏନା । ଆଉ ମଧ୍ୟ ପୃଥିବୀର ସବୁ ବଳଶାଳୀ ସ୍ୱାଧୀନ ଜାତିମାନଙ୍କଠାରୁ କୃପା ଓ ଅନୁକମ୍ପା ପାଇବା ସ୍ଥାନରେ କୌଣସି ଜାତି ଆଜି ନିଜକୁ ପ୍ରତିଷ୍ଠିତ କରିପାରିଛି ତ, ସେ ପ୍ରଥମେ ଭାରତବର୍ଷ, ନ ହେଲେ ଚାଏନା । କେବଳ ଫରକ ଏତିକି ଯେ, ଚାଏନାର ଲୋକେ ଦଶଟା ଗୁଳି ଖାଇଲେ ଅନ୍ତତଃ ପାଞ୍ଚଟା ଗୁଳି ଫଏର କରନ୍ତି, ଭାରତର ଲୋକଙ୍କ ପାଇଁ ବନ୍ଧୁକରେ ଗୁଳି ପଶିବା ଆଗରୁ ସେ ବନ୍ଧୁତାର ଦ୍ୱାହି ଦେଇ ବନ୍ଦୀଶାଳାରେ ପଶିସାରିଥାନ୍ତି; ଅଥବା ସୀତା ଏବଂ ଦ୍ରୌପଦୀଙ୍କ ଯୁଗରୁ ନାରୀହରଣ ବ୍ୟାପାରଟା ଭାରତୀୟ ହିନ୍ଦୁମାନଙ୍କର ଆଜି ପର୍ଯ୍ୟନ୍ତ ଯେପରି ଦିହସହା ହୋଇ ପଡ଼ିଛି, ଚାଏନାର ଲୋକେ ଏପରି ଘଟଣାର କୌଣସି ଦାର୍ଶନିକ ତତ୍ତ୍ୱ ଉଦ୍ଭାବନ କରିବାକୁ ହୁଏ ତ ଅକ୍ଷମ । ତଥାପି ଭାରତୀୟମାନଙ୍କ ପରି ଚୈନ ପୁରୁଷମାନେ ମଧ୍ୟ ନିଜେ ଯେପରି ପ୍ରହାର ସହିପାରନ୍ତି, ନିଜର ସ୍ତ୍ରୀ ମାନଙ୍କୁ ମଧ୍ୟ ସେହିପରି ପ୍ରହାର ଦେଇପାରନ୍ତି । ଶିଶୁମାନଙ୍କ ହାତରୁ ଚାଏନାର ଶହ ଶହ ଯୁବତୀ ବୋହୂ ଆତ୍ମରକ୍ଷା କରିବା ପାଇଁ ଯେମିତି ଆତ୍ମହତ୍ୟା କରନ୍ତି, ଭାରତର ଶହ ଶହ ସୀତାସାବିତ୍ରୀ ସେମିତି ଗଡ଼ିଆପାଣି, ଲଙ୍ଗଳଦୌଡ଼ି କିମ୍ବା କିରୋସିନି ତେଲର ଆଶ୍ରୟ ନେଇଥାନ୍ତି । ଉଭୟ ଦେଶରେହିଁ ନିଜ ସ୍ତ୍ରୀକୁ ଛାଡ଼ି ଅନ୍ୟ ଯେ କୌଣସି ଭଦ୍ର ମହିଳାଙ୍କ ଦ୍ୱାରରେ ପୁରୁଷ ପକ୍ଷରେ ପ୍ରବେଶ ନିଷେଧ ଏବଂ ବିବାହପୂର୍ବରୁ ନିଜ ପାଇଁ ନିର୍ବାଚିତା ସ୍ତ୍ରୀକୁ ଦର୍ଶନ କରିବାକୁ ମଧ୍ୟ ମନା ।

 

ଚାଏନା ଓ ଭାରତବର୍ଷରେ ନାରୀ ଏବଂ ପୁରୁଷର ଆଜି ଯେଉଁ ଅବସ୍ଥା, ଅଳ୍ପଦିନ ହେଲା ପୃଥିବୀର ସବୁ ଦେଶମାନଙ୍କରେ ଏହି ଅବସ୍ଥା ଊଣା ଅଧିକେ ରହିଥିଲା; ବର୍ତ୍ତମାନ କିନ୍ତୁ ଅନ୍ୟ ସବୁ ଦେଶମାନଙ୍କ ପରି ଚାଏନା ଓ ଭାରତବର୍ଷରେ ମଧ୍ୟ ନାରୀର ସ୍ୱତନ୍ତ୍ର ହେବାର ସ୍ପୃହା ମୁଣ୍ଡ ଟେକି ଉଠିଅଛି । ଚାଏନାର ଝିଅମାନେ ଶିକ୍ଷା ବିଭାଗରୁ ଆରମ୍ଭ କରି ପୋଲିସ ବିଭାଗ ପର୍ଯ୍ୟନ୍ତ ଦଖଲ କରିବାକୁ ଯେମିତି ବସିଲେଣି, ଭାରତୀୟ ଶିକ୍ଷିତା ଝିଅଙ୍କର ମଧ୍ୟ ଶିକ୍ଷୟିତ୍ରୀ ହେବାଟା ଏକମାତ୍ର ଉଚ୍ଚାକାଂକ୍ଷା ନୁହେ । ସମାଜ ଓ ରାଷ୍ଟ୍ରରେ ସେମାନେ ଆଜି ଯେଉଁ ସବୁ ଦାବୀ ଉପସ୍ଥାପିତ କରିଅଛନ୍ତି, ତାହା ଅନ୍ୟ ସଭ୍ୟ ଦେଶର ନାରୀମାନଙ୍କ ଦାବୀଠାରୁ ହୀନ ନୁହେ । ଚିକିତ୍ସା ଓ ଆଇନ ପ୍ରଭୃତି ବ୍ୟବସାୟମାନଙ୍କରେ ଭାରତୀୟ ନାରୀ ଆଜି ଯେଉଁ କୃତିତ୍ୱ ଦେଖାଇଅଛି, ତାହା କଦାପି ଆଗ୍ରାହ୍ୟ ନୁହେ । ଅଳ୍ପଦିନ ଆଗେ କଲିକତାରେ ଏକ ସଙ୍ଗରେ ବହୁସଂଖ୍ୟକ ମହିଳାଙ୍କୁ ମାଜିଷ୍ଟ୍ରେଟ ନିଯୁକ୍ତ କରାଯାଇଅଛି, ବମ୍ୱେଇରେ ଆହୁରି ବେଶି ଏବଂ ମାନ୍ଦ୍ରାଜରେ ତାହା ଅପେକ୍ଷା ଯଥେଷ୍ଟ ବେଶି । କେବଳ ମାନ୍ଦ୍ରାଜ ବ୍ୟବସ୍ଥାପକ ସଭାରେହିଁ ଏକାଧିକ ନାରୀ ସଭ୍ୟରୂପେ ନିର୍ବାଚିତ ହୋଇ ନାହାନ୍ତି କିମ୍ୱା କଲିକତା କର୍ପୋରେସନ୍‌ରେ ହିଁ ନାରୀ ସଭ୍ୟ ନିର୍ବାଚିତ ହୋଇ ନାହାନ୍ତି; କେରଳ ରାଜ୍ୟର ବ୍ୟବସ୍ଥାପକ ସଭାରେ ୧୯୨୦ ସାଲଠାରୁହିଁ ନାରୀ-ସଭ୍ୟ ନିର୍ବାଚିତ ହୋଇଆସୁଛନ୍ତି । ନୂଆ-ଶାସନ-ଖସଡ଼ାର ବ୍ୟବସ୍ଥା ଅନୁସାରେ ପ୍ରାଦେଶିକ ବ୍ୟବସ୍ଥାପକ ସଭାମାନଙ୍କରେ ନାରୀ-ସଭ୍ୟଙ୍କର ସଂଖ୍ୟା ବଢ଼ିଯାଇଛି ଏବଂ ବିଭିନ୍ନ ପ୍ରଦେଶର ମନ୍ତ୍ରୀମଣ୍ଡଳରେ ନାରୀ ମନ୍ତ୍ରୀ ନିଯୁକ୍ତ ହୋଇଅଛନ୍ତି । ଯେନେଭାର ଯେଉଁ କମିଟି *Traffic in women and children. ନାରୀ ଏବଂ ଶିଶୁ ଚାଲାନ ସମ୍ୱନ୍ଧରେ ବିଚାର କରୁଅଛି, ସେଠାକୁ ଏଥିପୂର୍ବେ ଭାରତୀୟ ମହିଳାପ୍ରତିନିଧି ନିଯୁକ୍ତି ହୋଇଅଛନ୍ତି । ଜାତୀୟ କଂଗ୍ରେସ ଆନ୍ଦୋଳନରେ ଯୋଗ ଦେଇ ନାରୀ ପୁରୁଷ ପରି ଧୈର୍ଯ୍ୟ ଓ ସାହାସ ଦେଖାଇଅଛି । ସେତିକି ନୁହେ, ପୂର୍ବରୁ ତ୍ରିବାଙ୍କୁଡ଼, କୋଚିନ ଓ ବରୋଦା ପ୍ରଭୃତି ରାଜ୍ୟମାନଙ୍କରେ ନାରୀକୁ ଛାଡ଼ପତ୍ର ଓ ଉତ୍ତରାଧିକାର ସଂକ୍ରାନ୍ତ ଯେଉଁ ସବୁ ଦାବୀ ମଞ୍ଜୁର କରାଯାଇଥିଲା ଏବଂ ବରୋଦାର ଗୁରୁକୁଳ ଆଶ୍ରମର ଝିଅମାନଙ୍କୁ ବିଦେଶକୁ ପଠାଇ ମହାରାଜା ସେମାନଙ୍କର ନୃତ୍ୟ, ଖେଳ, କସରତ୍‍ ପ୍ରଭୃତି ଯେପରି ପ୍ରଦର୍ଶନ କରାଇଥିଲେ, ସେଥିରେ ଭାରତବର୍ଷର କେବଳ ବନିତାଙ୍କୁ ଛାଡ଼ି ଆବାଳବୃଦ୍ଧ ସମସ୍ତେ ହଠାତ୍‍ ଘୋର ପ୍ରତିବାଦ କରି ଉଠନ୍ତେ ।

 

ତାହା ନ କରିବାର କାରଣ ଭାରତବର୍ଷ ପରି ଅତି ପୁରୁଣା ଦେଶରେ ମଧ୍ୟ ସାମାଜିକ ଓ ଆର୍ଥିକ ଅବସ୍ଥାର ଏକ ମହାବିପ୍ଲବ ଆସି ପହଞ୍ଚି ଯାଇଅଛି । ସେଥିରେ ନୀତି ଶବ୍ଦଟା ଉପରେ ନିତାନ୍ତ ପକ୍ଷରେ ଗୋଟାଏ ନୂଆ ଅର୍ଥ ନ ଯୋଡ଼ିଲେ ଆଉ ରକ୍ଷା ନାହିଁ । ଏପରି ଅର୍ଥ ଭାରତର ପୁରୁଣା ପୋଥିରେ ମଧ୍ୟ ପ୍ରଚୁର ଅଛି ଏବଂ ରାମାୟଣ ଓ ମହାଭାରତ ଯୁଗରେ ମଧ୍ୟ ନିର୍ଜଳା ବ୍ୟଭିଚାରକୁ ଯେପରି ଆଚାର ନାମରେ ଚଳାଇ ଦିଆଯାଇଅଛି, ତାହାର ଅଧିକ ଉଦାହରଣ ଦେବା ଦରକାର ନାହିଁ । ଜୀବନର ଆଉ ସବୁ ଅବସ୍ଥା ସଙ୍ଗରେ ଏହି ଆଚାରଗୁଡ଼ିକ ମଧ୍ୟ ବଦଳିଯିବା ସ୍ୱାଭାବିକ । ନୀତି ଶବ୍ଦଟା ଏହି ଆଚାର ଉପରେହିଁ କାର୍ଯ୍ୟତଃ ଖୁବ୍‍ ବେଶି ନିର୍ଭର କରେ; ସୁତରାଂ ଏହି ନୀତି ଶବ୍ଦର ସଂଜ୍ଞାଟି ଆଜି ବଦଳିଯିବା କେବଳ ଆବଶ୍ୟକ ନୁହେ, ଅବଶ୍ୟମ୍ଭାବୀ । ଆଉ ମଧ୍ୟ ଆଚାରକୁ ଛାଡ଼ି ଆର୍ଯ୍ୟମାନଙ୍କର ସ୍ଥିତି ଏତେଦୂର ଅନାବଶ୍ୟକ ଯେ, ସେମାନଙ୍କ ପକ୍ଷରେ ଗୋବଧକୁ ମଧ୍ୟ ପ୍ରକାରାନ୍ତରରେ ବାଧା ଦେବା ଅସମ୍ଭବ ହୋଇ ଉଠିଅଛି; କାରଣ ମଲା ଗୋରୁର ଚମଡ଼ା ଓ ହଣା ଗୋରୁର ଚମଡ଼ା ବାଛି ବ୍ୟବହାର କରିବାକୁ ଗଲେ ଆର୍ଯ୍ୟାବର୍ତ୍ତର ତମାମ ବ୍ରାହ୍ମଣ ଜାତିଟିକୁ ହୁଏତ ଅଚଳ ରହିବାକୁ ହେବ, ନଚେତ୍‍ ହୁକ୍‍ଓର୍ମ ରୋଗରେ ମରିବାକୁ ପଡ଼ିବ । ଆଶ୍ରମଗୁଡ଼ିକର ନିୟମର ମାନି ଚଳିବାକୁ ହେଲେ ବ୍ରହ୍ମଚର୍ଯ୍ୟ ଅଭ୍ୟାସ ବଳରେ ବ୍ୟବସ୍ଥାସଭା ମାନଙ୍କରେ ହିନ୍ଦୁ ପ୍ରତିନିଧିଙ୍କ ସଂଖ୍ୟା କ୍ରମେ କମିବାକୁ ଲାଗିବ, ଗାର୍ହସ୍ଥ୍ୟ ନିୟମକୁ ମାନି ବମ୍ୱେ ଉପକୂଳ ଛାଡ଼ି ବିଲାତ କିମ୍ୱା ଆମେରିକା ଯାତ୍ରା କଲେ ଜାତିପାତ ହେବ । ଆହୁରି ମଧ୍ୟ ହିନ୍ଦୁ ମହାସଭାର ବଡ଼ ବଡ଼ ହିନ୍ଦୁ ନେତାମାନଙ୍କୁ ବାନପ୍ରସ୍ଥ ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ ଏବଂ ବୟୋବୃଦ୍ଧ ମାନଙ୍କର ହିମାଳୟଯାତ୍ରା କରିବାର କାଳ ଅତୀତ ହୋଇଅଛି ବୋଲି ତାଙ୍କ ଉପରେ ନୋ କନ୍‍ଫିଡେନ୍ସ (ଅଣବିଶ୍ୱାସ) ପ୍ରସ୍ତାବ ଆଣିବାକୁ ହେବ । ଗୃହିଣୀର ନିୟମ ପାଳିବାକୁ ହେଲେ ଶ୍ରୀମତୀ ସରୋଜିନୀ ପ୍ରମୁଖ ଶହ ଶହ ବିବାହିତା ନାରୀଙ୍କୁ ଜେଲଘରୁ ଫେରି ସ୍ୱାମୀଘରେ ପଶିବା ଆଗରୁ ଛୋଟ ହେଉ, ବଡ଼ ହେଉ ଗୋଟିଏ ଅଗ୍ନି ପରୀକ୍ଷା ଦେବାକୁ ହୋଇଥାନ୍ତା । ଆଉ ମଧ୍ୟ କୌଣସି କାରଣରୁ ପତିକୁ ଛାଡ଼ିଲେ ଯେ ନାରୀ ପତିତା ହୁଏ ନାହିଁ, ଏହାର ଉଦାହରଣ ବିବାହିତା ଝିଅମାନଙ୍କର ବାପ ଘରଠାରୁ ଆରମ୍ଭକରି ଭାରତବର୍ଷ ରାଜନୀତି ଓ ଧର୍ମ୍ମନୀତି ଚର୍ଚ୍ଚାର ସବୁ ରକମ ଆଶ୍ରମଗୁଡ଼ିକରେ ସହଜରେ ମିଳିପାରେ । ଏହି ସବୁ ଉଦାହରଣକୁ ବିଚାର କଲେ ବୁଝାଯାଏ ଯେ, ପୁରୁଣାକାଳିଆ ନୈତିକତାର ଯେଉଁ ସବୁ ଆଇନ ସମାଜରେ ପ୍ରଚଳିତ ଅଛି, କାମରେ ସେ ଆଇନକୁ ଅମାନ୍ୟ ନକରି ଆଜି ‘ପଦମେକଂ’ ଚଳିବା ସମ୍ଭବ ନୁହେ । ଏହି ନୈତିକତାକୁ ସ୍ୱାସ୍ଥ୍ୟକର ଓ ବିଜ୍ଞାନସମ୍ମତ କରିବାକୁ ହେଲେ ଯଦି କେତେଗୁଡ଼ିଏ ପ୍ରାଚୀନ ସଂସ୍କାରକୁ ତ୍ୟାଗ କରିବାକୁ ପଡ଼େ ତେବେ ସେଥିପାଇଁ କୃପଣ ହେଲେ ପୁରୁଷର ଅବସ୍ଥା କୃପାର ବିଷୟ ହୋଇ ପଡ଼ିବ । କାରଣ ନାରୀର ଜୀବନ ଯେ ଆଉ ସବୁ ଜୀବଙ୍କ ପରି ସହଜ ଓ ସ୍ୱଚ୍ଛନ୍ଦ ହେବା ଆବଶ୍ୟକ, ଏହାକୁ ଦେହ ଓ ମନରେ ରୁଗ୍‍ଣ ନ ହେଲେ କୌଣସି ଜୀବିତ ପୁରୁଷ ପ୍ରତିବାଦ କରିନପାରେ ।

 

ଅବଶ୍ୟ ପୁରୁଷ ସହିତ ସବୁକ୍ଷେତ୍ରରେ ସମକକ୍ଷ ହେବା ପାଇଁ ନାରୀର ଯୋଗ୍ୟତା ସମ୍ୱନ୍ଧରେ ନାରୀପୁରୁଷର ସୃଷ୍ଟିକାଳଠାରୁ ଆଜି ପର୍ଯ୍ୟନ୍ତ ଯାହା ସବୁ ପ୍ରମାଣ ଅଛି, ନାରୀ ସପକ୍ଷରେ ସେଗୁଡ଼ିକର ସଂଖ୍ୟା ଖୁବ୍‍ ଅଳ୍ପ । ତାହାର ଅକ୍ଷମତା ପାଇଁ ଯେ ପୁରୁଷହିଁ ଏକମାତ୍ର ଦାୟୀ, ଏ କଥା ମଧ୍ୟ ଆଖି ବୁଝି କହିହେବ ନାହିଁ । ପୁରାଣ ଓ ଇତିହାସର ପୃଷ୍ଠା ଲେଉଟାଇ ନାରୀ ଓ ପୁରୁଷଙ୍କର କାର୍ଯ୍ୟକୁ ଅଲଗା ଅଲଗା କରି ଦେଖିଲେ, ରୋମକ ସାମ୍ରାଜ୍ୟ କିମ୍ୱା ରାମରାଜ୍ୟଠାରୁ ଆରମ୍ଭ କରି ଆଜି ସୁଦ୍ଧା ସମାଜର ହିତପାଇଁ ନାରୀ ଯେଉଁସବୁ ଦାନ କରିଅଛି, ସେଥି ଭିତରେ ପୁରୁଷର ବଂଶବୃଦ୍ଧି କରିବାହିଁ ସବୁଠାରୁ ବଡ଼ ବୋଲି ମନେ ହୁଏ । ଅବଶ୍ୟ ଏ ଦାନକୁ ହୀନ କିମ୍ବା ହେୟ ବୋଲି କୁହାଯାଇ ନପାରେ । ତାହା କହିବା ଆଗରୁ ପୁରୁଷକୁ ଆତ୍ମହତ୍ୟା ଦ୍ୱାରା ନିଜ ସୃଷ୍ଟିକୁ ଅସ୍ୱୀକାର କରିବାପାଇଁ ପ୍ରସ୍ତୁତ ହେବାହିଁ ଅଧିକ ଯୁକ୍ତିସଙ୍ଗତ; କିନ୍ତୁ ନାରୀ ଯେବେ ନିଜକୁ ଖାଲି ସନ୍ତାନ ଉତ୍ପାଦନର ଗୋଟିଏ ଉପାଦାନ କରି ରଖେ, ତାହାହେଲେ ସେ ପୁରୁଷଠାରୁ କେବଳ ଯତ୍ନ ଦାବୀ କରିପାରେ, ସମ୍ମାନ ନୁହେ ।

 

ଆଉ ମଧ୍ୟ ସମୂହଭାବରେ ଦେଖିବାକୁ ଗଲେ ତମାମ ପୃଥିବୀ ଭିତରେ ନାରୀ ଆଜିସୁଦ୍ଧା ଯଥାର୍ଥରେ ସ୍ୱାଧୀନ ହୋଇପାରି ନାହିଁ । ଯେଉଁ ସବୁ ସଭ୍ୟ ଦେଶରେ ନାରୀକୁ ଖାଲି ଯୁଦ୍ଧ କରିବା ବ୍ୟତୀତ ଆଉ ସବୁକ୍ଷେତ୍ରରେ କମ୍‍ ବେଶି ଦେଖିବାକୁ ମିଳେ ଏବଂ ଆକାଶରେ ଉଡ଼ିବାଠାରୁ ସମୁଦ୍ରରେ ପହଁରିବା ପର୍ଯ୍ୟନ୍ତ ସବୁ ରକମର ଖେଳ କସରତ୍‍ କିମ୍ବା ସାହିତ୍ୟ ବିଜ୍ଞାନ ଇତିହାସ ରାଜନୀତି ପ୍ରଭୃତିରେ ତାହାର ବୁଦ୍ଧିର ପରିଚୟ ପାଉଁ ଏବଂ ଯେଉଁଠାରେ ଘରେ ବାହାରେ ପୁରୁଷଠାରୁ ତାହାର ସ୍ଥାନ ନ୍ୟୂନ ନୁହେ, ସେଠାରେ ମଧ୍ୟ ନାରୀର ଶକ୍ତି ପୁରୁଷଠାରୁ ହୀନ ହୋଇ ରହିଅଛି । ସେଥିପାଇଁ ଜଣେ ପୁରୁଷର ହୁକୁମରେ ଜର୍ମାନୀ ରାଜ୍ୟର ଲକ୍ଷ ଲକ୍ଷ ନାରୀ ସଭା ସମିତି, ସ୍କୁଲ କଲେଜ ଓ କାରଖାନା, ଲ୍ୟାବରେଟରୀ ଛାଡ଼ି ନୀରବରେ ରୋଷେଇଶାଳରେ ପଶିଅଛନ୍ତି; ଜଣେ ପୁରୁଷର ହୁକୁମରେ ଇଟାଲୀର ହଜାର ହଜାର ନାରୀଙ୍କୁ ଏକା ଦିନରେ ଅନ୍ତୁଡ଼ିଶାଳର ବ୍ୟବସ୍ଥା କରିବାକୁ ହୋଇଅଛି । *ହିଟ୍‍ଲରଙ୍କ ନିର୍ଦ୍ଦେଶରେ ବହୁ ନାରୀଙ୍କର ଗୃହଚର୍ଯ୍ୟା ଓ ମୁସୋଲିନିଙ୍କ ନିର୍ଦ୍ଦେଶରେ ବହୁ ଯୁବତୀଙ୍କର ସମୂହ ବିବାହ । ପୁରୁଷ ପରି ନିଜ ଦେହକୁ ବାହାରେ ପ୍ରକାଶ କରିବାର ସୁବିଧା ପାଇଥିଲେହେଁ ସେହି ଅନୁପାତରୁ ଅନେକ ବେଶି ନିଜର ମନଟିକୁ ସେ ଘୋଡ଼ାଇ ରଖିଅଛି । ପୁରୁଷକୁ ମୁଗ୍‍ଧ କରିବା ପାଇଁ ଦେହ ଓ ମନର ଯେତିକି ଅଂଶ ଖୋଲିବା ଦରକାର, ସେ ଦିଗରେ ତାହାର ତ୍ରୁଟି ନାହିଁ । ଦେହ ଓ ମନର ଯେତିକି ମୂଢ଼ତା ଓ କୁତ୍ସିତ ଅଂଶ ଲୁଚାଇ ନ ରଖିଲେ ତାହାର ଆକର୍ଷଣ କମିଯିବାର ଆଶଙ୍କା ଅଛି, ସେଥିପାଇଁ ତାହାର ପ୍ରାଣାନ୍ତ ଚେଷ୍ଟା । ପୁରୁଷକୁ ଜବତ୍‍ କରିବା ପାଇଁ ସେ କୌଣସି ଅନ୍ୟାୟ ଉପାୟକୁ ଅସାଧ୍ୟ ମନେ କରେ ନାହିଁ । ପୁରୁଷକୁ ଖୁସି ରଖିବା ପାଇଁ ଅତି ନିକୃଷ୍ଟ ପରିଚର ପରି ନିଜକୁ ସେ ନିୟୋଗ କରିପାରେ; କାରଣ ତାହାର ଉଦ୍ଦେଶ୍ୟ, ଶେଷରେ ତାକୁ ଗୋଟିଏ ‘ବାଳଚର’ କରି ସେ ରଖିବ-ନିଜର ସବୁ ସୁବିଧା ତାହାରିଦ୍ୱାରା କରାଇନେବ, ଅଭାବ ଆପଦ ବେଳେ ତାହାଠାରୁ ସାହଯ୍ୟ ପାଇବ, ନିଜକୁ ସୁନ୍ଦରୀ କରିବା ପାଇଁ ତାହା ନିକଟରୁ ବେଶର ଦାବୀ କରିବ ଏବଂ ସେଥିରେ ସେ ଦାତାକର୍ଣ୍ଣ କିମ୍ୱା ରାଜା ହରିଶ୍ଚନ୍ଦ୍ରଙ୍କର ଉଦାହରଣ ଦେଖାଇ ନପାରିଲେ ପ୍ରତିଦିନ ନିଜର ଗୋଟିଏ ଲେଖାଏଁ ନୂଆ ବେମାର ସୃଷ୍ଟି କରି ଚବିଶ ଘଣ୍ଟା ପୁରୁଷକୁ ଜାଗରୂକ ରଖିବ ।

 

ପ୍ରକୃତରେ ନାରୀ ଯେ ତାହାର ନିଜ ଅବସ୍ଥା ପାଇଁ ନିଜେ ସବୁଠାରୁ ବେଶି ପରିମାଣରେ ଦାୟୀ, ପୁରୁଷର ଅନ୍ୟାୟ ଅତ୍ୟାଚାର ବିଚାରିଲା ବେଳେ ଏ କଥାଟି ଭୁଲିଯିବା ଉଚିତ ନୁହେ । ୟୁରୋପ ଓ ଆମେରିକାର ନାରୀ ଯେତେ ସ୍ୱାତନ୍ତ୍ର୍ୟ ପାଇଅଛି, ସେଥିରେ ସେ ତା’ର ମନର ସ୍ୱାତନ୍ତ୍ର୍ୟକୁ ଦେଖାଇବାକୁ ଯେମିତି ଅପଟୁ ବୋଲି ପ୍ରମାଣିତ ହୋଇଅଛି ଏବଂ ନିଜର ସବୁ ବିଚାରବୁଦ୍ଧିକୁ ପୁରୁଷର ହୁକୁମ ତଳେ ବିସର୍ଜନ ଦେବାକୁ ଯେମିତି ଆପତ୍ତି କରି ନାହିଁ, ଚାଏନା କିମ୍ୱା ଭାରତବର୍ଷର ଅପେକ୍ଷାକୃତ ଅଶିକ୍ଷିତା ନାରୀ ମଧ୍ୟ ଯେଉଁ ଅବସ୍ଥାରେ ପଡ଼ିଅଛି, ସେଥିପାଇଁ ପୁରୁଷଠାରୁ ସେ କୌଣସି ଅଂଶରେ କମ୍‍ ଦାୟୀ ବୋଲି ମନେ ହୁଏ ନାହିଁ । ଚାଏନା କିମ୍ୱା ଭାରତବର୍ଷରେ ଯେଉଁ ଅଳ୍ପ କେତେ ଜଣ ନାରୀ ସାହିତ୍ୟ, ରାଜନୀତି, ଶିକ୍ଷା-ବିଭାଗ ଓ ପୁଲିସ ବିଭାଗରେ କୃତିତ୍ୱ ଦେଖାଇଅଛନ୍ତି, ସେହିମାନେହିଁ ଏସବୁ ଦେଶର ନାରୀ-ସମାଜ ବୋଲି କୁହାଯାଇ ନପାରେ । ତଥାପି ସେମାନେ ମଧ୍ୟ ଯେଉଁ ପରିମାଣରେ ସ୍ୱତନ୍ତ୍ର ହୋଇ ପାରିଅଛନ୍ତି, ତାହାକୁ ପୁରୁଷର ସ୍ୱାତନ୍ତ୍ର୍ୟ ସଙ୍ଗରେ ଓଜନ କଲେ ଅନେକ ଫରକ ଦେଖାଯାଏ ଏବଂ ପୁରୁଷ ଖାଲି ଶାରୀରିକ ଗଠନରେ ନାରୀଠାରୁ ଉତ୍କୃଷ୍ଟ, ଏ କଥାଟାରେ ହଠାତ୍‍ ବିଶ୍ୱାସ ଆସେ ନାହିଁ ।

 

ୟୁରୋପରେ ଅନେକ ବର୍ଷ ତଳେ ଯେମିତି କେବଳ ଧର୍ମ-ବିପ୍ଲବ ଚାଲିଥିଲା, ପ୍ରୋଟେଷ୍ଟାଣ୍ଟ, କ୍ୟାଥଲିକ୍‍ମାନଙ୍କ ପ୍ରଭାବ ରାଷ୍ଟ୍ର ଓ ସମାଜର ପ୍ରତି କ୍ଷେତ୍ରରେ ଅନୁଭୂତ ହେଉଥିଲା; ଭାରତବର୍ଷର ଅବସ୍ଥା ତାହାର ଅନେକ ଆଗରୁ ବୌଦ୍ଧ, ହିନ୍ଦୁ, ଜୈନ ପ୍ରଭୃତିଙ୍କ କଳହଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଊଣା ଅଧିକେ ସମାନଭାବରେ ରହିଅଛି । ଆଉ ମଧ୍ୟ ନାରୀ ସ୍ୱଭାବତଃ ପୁରୁଷଠାରୁ ବେଶି ଭାବପ୍ରବଣ ଥିବାରୁ ଏବଂ ଧର୍ମକ୍ଷେତ୍ରରେ ତାହାକୁ ସହଜ ଅଧିକାର ମଞ୍ଜୁର ହୋଇ ନଥିବାରୁ, ସବୁ ଯୁଗରେ ସେ ଧର୍ମ ପ୍ରତି ଆକୃଷ୍ଟ ହୋଇଅଛି । ସୁତରାଂ, ଭାରତବର୍ଷର ଧର୍ମ ଯେମିତି ‘ସନାତନ’, ନାରୀ ମଧ୍ୟ ସେମିତି ସ୍ଥାଣୁ । ଧର୍ମପ୍ରଚାରକ ପୁରୁଷକୁ ଦେବତା ପରି ସେ ଏତେ ବେଶି ଭକ୍ତି କରିଅଛି ଏବଂ ସେ ଭକ୍ତିରେ ପୁରୁଷପ୍ରାଣ ଏତେଦୂର ବିଗଳିତ ଓ ଆକୃଷ୍ଟ ହୋଇ ଉଠିଅଛି ଯେ, ନାରୀକୁ ସେ ମାୟା କହିବା ବ୍ୟତୀତ ଅନ୍ୟ ବିଶେଷଣ ଖୋଜି ପାଇନାହିଁ । ନାରୀ ମଧ୍ୟ ଏହାକୁ ଚାଟୁବାକ୍ୟ ମନେକରି ନିଜର ଦେହ ଓ ମନକୁ ଅଧିକ ରହସ୍ୟମୟ କିମ୍ୱା ମାୟାମୟ କରିବାକୁ ଯାଇଅଛି । ଯେଉଁ ସବୁ କଦର୍ଯ୍ୟ ଅଭ୍ୟାସଗୁଡ଼ିକ ଦିନେ ସେ ଆବରଣ ଭିତରେ ଲୁଚାଇ ରଖି, ଆଉ ସମସ୍ତଙ୍କ ଆଖିରେ ଧୂଳିଦେଇ ସୁନାମ ଅର୍ଜନ କରିଥିଲା, ଆବରଣଟି ଖୋଲିଯିବା ପରେ ଆଜି ତାହାର ସବୁ ମହାତ୍ମ୍ୟ ଊଣା ହୋଇଯାଇଅଛି । ମିଶର ଦେଶର ନାରୀ ପର୍ଦ୍ଦା ଉହାଡ଼ରେ ଥିବାଯାକେ ତାହାକୁ ଏହିପରି ପୃଥିବୀ ଗୋଟାକର ଲୋକେ ଶ୍ରେଷ୍ଠ ସୁନ୍ଦରୀ ବୋଲି କଳ୍ପନା କରିଥିଲେ; କିନ୍ତୁ ଯେଉଁ ଦିନ ସେ ପଦାକୁ ମୁହଁ କାଢ଼ିଲା, ସେ ଦିନ ତାହାର ସ୍ତାବକମାନଙ୍କୁ ମୁହଁ ବୁଲାଇବାକୁ ହୋଇଥିଲା ।

 

ଯାହାହେଉ, ପୁରୁଷ ସାହାଯ୍ୟରେ ଭାରତୀୟ ନାରୀ ନିଜେ ମଧ୍ୟ ନିଜକୁ ଲୁଚାଇ ରଖିବାକୁ ନିରାପଦ ମନେ କରିଛନ୍ତି; କିନ୍ତୁ ଯେଉଁ ଆଡ଼େ ଲୁଚିବାକୁ ଯାଉ, ନିଜର ଅକ୍ଷମତା ଓ ଅକୀର୍ତ୍ତିକୁ ଲୁଚାଇପାରି ନାହିଁ । ହଜାର ହଜାର ବର୍ଷଯାଏ କେବଳ ରୋଷାଇଶାଳର ମାର୍ଫତରେ ରହିଲେ ମଧ୍ୟ ରୁଷା ଅଭିମାନ ଛଡ଼ା ସେଠାରୁ ଆଉ କିଛି ଅଧିକା ସେ ଶିଖି ନାହିଁ । ପୁରୁଷ-ପାଚକ ସଙ୍ଗରେ ପ୍ରତିଯୋଗିତା କଲେ ନାରୀର ବୋଧହୁଏ ପାଚନ ଆବଶ୍ୟକ ହେବ । ଯେଉଁଠାରେ ସେପରି ପ୍ରତିଯୋଗିତା ନାହିଁ, ସେଠାରେ ମଧ୍ୟ ସେ କରିଛି କ’ଣ ?-ଅଜୀର୍ଣ୍ଣ, ଅଗ୍ନିମାନ୍ଦ୍ୟ, ପ୍ଳିହା, ଗୁଳ୍ମ, ମେଲେରିଆ । ଏଥିପାଇଁ ଅବଶ୍ୟ ଭାରତୀୟ ପୁରୁଷର ଭୋଜନଲିପ୍‍ସା କେତେକ ପରିମାଣରେ ଦାୟୀ; କିନ୍ତୁ ଯେଉଁଠାରେ ଏ ଦେଶର ନାରୀ ଜନନୀ ହେବାର ଗର୍ବ କରିଅଛି, ସେଠାରେ ତାହାର କାର୍ଯ୍ୟ ଆଲୋଚନା କଲେ କେବଳ ଲଜ୍ଜ୍ୟା ହୁଏ ନାହିଁ, ଆତଙ୍କ ଜାତ ହୁଏ । ପୂର୍ବେ କେତେକ ବର୍ଷତଳେ ମହୀଶୂର ରାଜ୍ୟର ଶିଶୁ ସପ୍ତାହ ଉତ୍ସବରେ ସେ ରାଜ୍ୟର ସ୍ୱାସ୍ଥ୍ୟ ଡିରେକ୍ଟର ଡକ୍ଟର କାର୍ଭେ ଏକ ବିବରଣୀ ପ୍ରକାଶ କରିଥିଲେ । ସେଥିରୁ ଦେଖାଯାଏ, ଭାରତବର୍ଷରେ ପ୍ରତି ବର୍ଷ ଯେତେ ଶିଶୁ ମରନ୍ତି, ତାଙ୍କର ସଂଖ୍ୟା ବୟସ୍କ ମୃତ୍ୟୁସଂଖ୍ୟାର ସାତଗୁଣ ଏବଂ ଇଂଲଣ୍ଡର ଶିଶୁମୃତ୍ୟୁର ତିନିଗୁଣ ! ଏ ଦେଶରେ ପ୍ରତି ପାଞ୍ଚଟି ଶିଶୁଙ୍କ ଭିତରୁ ଜଣେ ମରେ ଏବଂ କେତେକ ସ୍ଥାନରେ ଯେତେ ଶିଶୁଙ୍କର ଜନ୍ମ ହୁଏ, ସେଥିଭିତରୁ ପ୍ରାୟ ଅଧେ ମରନ୍ତି । ଆଉ ମଧ୍ୟ ଯୋଗୀଋଷିସେବିତ ପବିତ୍ର ଭାରତଭୂମିରେ ଦିନକୁ ହାରାହାରି ଛଅହଜାର ଶିଶୁଙ୍କର ମୃତ୍ୟୁ ହୁଏ ! ବାକୀ ଯେଉଁ କେତେ ଜଣ ଦୈବାତ୍‍ ବଞ୍ଚିଯାନ୍ତି, ସେମାନଙ୍କ ଭିତରୁ କଣା, କୁଜା, ଛୋଟାଙ୍କର ହିସାବ ସେ ନେଇ ନାହାନ୍ତି, କିମ୍ୱା ଯେଉଁମାନଙ୍କର ଚାରିବର୍ଷ ଦିନୁଁ ଚାଳିଶା ଧରେ ଅଥବା ବାର ବର୍ଷରୁ ବାଳ ପାଚେ, ସେମାନଙ୍କୁ ମଧ୍ୟ ତାଲିକାରେ ଆଣି ନାହାନ୍ତି ।

 

ନାରୀକୁ ଲୁଚାଇ ରଖି ଭାରତୀୟ ପୁରୁଷକୁ ଅନେକ କ୍ଷେତ୍ରରେ ତାହାର ଅଭିନୟ ହିଁ କରିବାକୁ ହୋଇଥାଏ । ଧର୍ମକ୍ଷେତ୍ରରେ ଅନେକ ପୁରୁଷଙ୍କୁ ସଖୀଭାବାପନ୍ନ ହୋଇ ନାରୀର ବେଶ ପିନ୍ଧିବାକୁ ହୁଏ; ନାରୀର ଅନୁକରଣରେ ବେପଥୁ ଓ ରୋମାଞ୍ଚ ପ୍ରଭୃତିର ଭାବାବେଶ ଅଭ୍ୟାସ କରିବାକୁ ହୁଏ । ରାଜନୀତି କ୍ଷେତ୍ରରେ ହୁଏ ତ ଭିକ୍ଷା ଏବଂ କ୍ରନ୍ଦନ, ତାହା ନାମଞ୍ଜୁର ହେଲେ ରୁଷା ଏବଂ ଅଭିମାନ । ସମାଜ ଓ ପରିବାରରେ ମଧ୍ୟ ଭାରତବର୍ଷର ପୁରୁଷ ଜାତିଟାକୁ ନାରୀସୁଲଭ ଲଜ୍ଜ୍ୟା ଗ୍ରାସ କରିଅଛି । ନିଜ ସମାଜକୁ ସମାଜ କହିବାକୁ ତାହାର ଲଜ୍ଜ୍ୟା, ନିଜ ସ୍ତ୍ରୀର ନାମ ଉଚ୍ଚାରଣ କରିବାକୁ ଲଜ୍ଜ୍ୟା, ନିଜ ସନ୍ତାନକୁ କୋଳରେ ଧରିବାକୁ ଲଜ୍ଜ୍ୟା, ନିଜ ଭାଷାରେ କଥା କହିବାକୁ କଣ୍ଠରୁଦ୍ଧ । ପୁରୁଷର ଏହି ଦୁର୍ଦ୍ଦଶା ବଢ଼ାଇବା ପାଇଁ ନାରୀ ମଧ୍ୟ ଘରକୋଣଠାରୁ ଆରମ୍ଭ କରି ସ୍କୁଲ କଲେଜରୁ ଫେରି ସୁଦ୍ଧା ନିଜ ପାଇଁ ଖାଲି ଭୂଷଣ ଦାବୀ କରି ତାହାକୁ ଭୂଷଣ୍ଡକାକ କରି ରଖିଅଛି । ପାଠୋଈ ଓ ମୂର୍ଖଝିଅଙ୍କ ଭିତରେ ଆଜି ଯେଉଁ ପ୍ରଭେଦ ଦେଖାଯାଏ, ବାସ୍ତବିକ୍‍ ଏ ଦେଶରେ ତାହା କେବଳ ଗୋଟାଏ ବେଶ ପରିବର୍ତ୍ତନ ଛଡ଼ା ଆଉ ବେଶି କିଛି ହେଇପାରି ନାହିଁ । ସେଥିପାଇଁ ମଧ୍ୟ ଆଜିକାଲି ଏକା ଏକା ପୁରୁଷର ଋଚିପରିବର୍ତ୍ତନଟା ବେଶି ଦାୟୀ କିମ୍ୱା ନାରୀର ମୌଳିକ ଚିନ୍ତାହିଁ ତାହାର ବଡ଼ କାରଣ; ଏହା ନିଷ୍ପତ୍ତି କରିବା କଠିଣ । କାରଣ ପାଠଶାଠ ଜାଣି ସୁଦ୍ଧା ସେ ଆଜି ମୂର୍ଖ ଝିଅଙ୍କଠାରୁ ବେଶ-ବିନ୍ୟାସରେ ବହୁତ ସମୟ ଓ ଅର୍ଥ ନଷ୍ଟ କରେ, ସେମାନଙ୍କଠାରୁ ବେଶି ସହଜ ହେବାପାଇଁ ପଦାକୁ ଆସି ନିଜକୁ ବେଶି ଜଟିଳ କରେ, ତାଙ୍କରି ପରି କୃପଣ ଓ ଲୋଭୀ, ହିଂସିକୁଡ଼ୀ ଓ କଳିହୁଡ଼ୀ ଏବଂ ସେହିମାନଙ୍କ ପରି ଭୟାଳୁ ଓ ନିଦ୍ରାଳୁ ହୁଏ ।

 

ଏପରି ଦୁରବସ୍ଥାକୁ ଦୂର କରିବାପାଇଁ ନାରୀକୁ ମୂର୍ଖ ରଖିବାର ଉପଦେଶ ଦେବାକୁ ମଧ୍ୟ ଏ ଦେଶରେ ପୁରୁଷଙ୍କର ଅଭାବ ହେବ ନାହିଁ-ଯେପରି କି ସେହିମାନଙ୍କ ବ୍ୟବସ୍ଥା ଅନୁସାରେହିଁ ନାରୀ ମୂର୍ଖ କିମ୍ୱା ପଣ୍ଡିତ ହୋଇ ଯାଇପାରେ । ଅବଶ୍ୟ ସେମାନଙ୍କର ପ୍ରଭାବ ଯେ ଯଥେଷ୍ଟ, ଏ କଥା ଭାରତବର୍ଷର ଶତକଡ଼ା ୯୫ ଜଣ ସ୍ତ୍ରୀଙ୍କୁ ଦେଖିଲେ ହିଁ ବୁଝାଯାଏ । ସେଥିପାଇଁ ଏସବୁ ବ୍ୟବସ୍ଥାର ଅପେକ୍ଷା ନରଖି ନାରୀକୁ ନିଜ ବିଷୟରେ ଅଧିକ ଚିନ୍ତା କରିବାକୁ ହେବ । କିପରି ଶିକ୍ଷାଦ୍ୱାରା ସେ ତାହାର ବର୍ତ୍ତମାନର କଳଙ୍କଗୁଡ଼ିକରୁ ମୁକ୍ତ ହୋଇପାରିବ, ତାହା ନାରୀକୁହିଁ ଉଦ୍ଭାବନ କରିବାକୁ ହେବ । ପରିବାର, ସମାଜ ଓ ରାଷ୍ଟ୍ରରେ ନିଜକୁହିଁ ନିଜର ସ୍ଥାନ ନିର୍ଦ୍ଦେଶ କରିବାକୁ ହେବ । ତାହା ନ ହେଲେ ପୁରୁଷର ଅନୁଗ୍ରହରୁ ସେ ଯେତେଗୁଡ଼ିଏ ଅଧିକାର ପାଏ, ପୁରୁଷର ନିଗ୍ରହରୁ ସେଗୁଡ଼ିକୁ ହରାଇବାପାଇଁ ମଧ୍ୟ ନିଜକୁ ପ୍ରସ୍ତୁତ କରିବାକୁ ହେବ । ପୁରୁଷର ଅନୁଗ୍ରହ ନିଗ୍ରହକୁ ଅପେକ୍ଷା ନ ରଖିଲେ ନାରୀକୁ ବେଶି ସାହସୀ ହେବାକୁ ପଡ଼ିବ, ଅଳ୍ପ ଛଳନା କରିବାକୁ ହେବ; ବେଶି କାମ କରିବାକୁ ହେବ, ଅଳ୍ପ ମିଛ କହିବାକୁ ହେବ; ବେଶି ବୁଝିବାକୁ ହେବ ଓ ଅଳ୍ପ ଓଷାବ୍ରତ କରିବାକୁ ହେବ; ବେଶି ସେବା ଓ ଅଳ୍ପ ପ୍ରେମ କରିବାକୁ ହେବ; ବେଶି ଜାଣିବାକୁ ଓ ଅଳ୍ପ କହିବାକୁ ହେବ; ଅଳ୍ପ ମାନିବାକୁ ଏବଂ ବେଶି ଅବାଧ୍ୟ ହେବାକୁ ପଡ଼ିବ । ଗୋଟିଏ କଥାରେ ବର୍ତ୍ତମାନର ଦୁରବସ୍ଥାରୁ ଉଦ୍ଧାର ପାଇବାକୁ ଏବଂ ନିଜର ସ୍ଥିତି ସମ୍ୱନ୍ଧରେ ନିଶ୍ଚିନ୍ତ ହେବାପାଇଁ ନାରୀ ଅଧିକ ସାହସୀ, ଶକ୍ତିମତୀ ଓ ନିର୍ଭୀକ ହେବା ଆବଶ୍ୟକ ।

Image

 

କହି ପୁଚ୍ଛି ଜାଣେ ଯେ

 

ବାକ୍ୟ, ମନ ଓ ହାତ ଗୋଡ଼ ଲଗାଏତ ଯେତୋଟି ଇନ୍ଦ୍ରିୟକୁ ମିଶାଇ ମଣିଷର ସଂଜ୍ଞା ତିଆରି ହୋଇଅଛି, ପୃଥିବୀରେ ସଭ୍ୟ, ଅସଭ୍ୟ ସମସ୍ତଙ୍କୁ ଚାହିଁ ମନେହୁଏ, ସେଥିଭିତରୁ ହାତ ଗୋଡ଼ହିଁ ସବୁଠୁଁ ବେଶି ବଳୁଆ । ଯାହାର ହାତଗୋଡ଼ ଯେତିକି ବୋଲ-କରିପାରେ, ଦୁନିଆରେ ମଣିଷପରି ଚାଲି ବୁଲିବାକୁ ପରୁଆ ତାହାର ସେତିକି କମ । ହାତ ଗୋଡ଼ ପଛକୁ ଦେଖାଯାଏ ମୁହଁ-ଜୋର ଏବଂ ସବାଶେଷରେ ବିଦ୍ୟା ବୁଦ୍ଧି ନାମଧେୟ ଇନ୍ଦ୍ରିୟଜାତ ଗୁଣମାନ ବୋଧହୁଏ ଥାର୍ଡକ୍ଳାସରେ ଥାନ ପାଇବ ।

 

ଏରୂପ ଶ୍ରେଣୀ ବିଭାଗରେ ଯାଥାର୍ଥ୍ୟ ବୁଝିବା ପାଇଁ ବିସ୍ତର ଉଦାହରଣ ସମସ୍ତଙ୍କର ସବୁ ପାଖରେ ପୂରି ରହିଛି । ‘‘ଜୋର ଯାହାର ମୂଲକ ତାହାର’’ କଥାଟା ପଛରେ ଯେ ଅନେକ ଅଭିଜ୍ଞତା ଓ ପର୍ଯ୍ୟବେକ୍ଷଣ ଲୁଚିଅଛି; ପୁଣି ପୃଥିବୀର ଅଳ୍ପ କେତୁଟା ସତ୍ୟ ଭିତରୁ ଏ ଯେ ଗୋଟେ ବଡ଼ ସତ୍ୟ ଏବଂ ଏତକ ପ୍ରମାଣ କରିବା ପାଇଁ ଡାର୍‍ଉଇନଙ୍କଠାରୁ ନିଟ୍ ସେଙ୍କ ପର୍ଯ୍ୟନ୍ତ ବୈଜ୍ଞାନିକ ଓ ଦାର୍ଶନିକଗଣ ଏବଂ ସେମାନଙ୍କର ବହୁ ଚେଲା ଓ ଟୀକାକାର ଯେ ଅସୁମାରି ଶବ୍ଦ ଲେଖି ଯାଇଛନ୍ତି, ସେ କଥା ମନେ ପକାଇଲେ ଅନାମଧେୟ ଏହି ଓଡ଼ିଆ ପ୍ରବଚନକାରଙ୍କୁ ସାବାସ ନ କହି ଚାରା କାହାର ? ଏହି ପ୍ରବଚନକାରଙ୍କ କଥା ସଙ୍ଗେ ଇଂଲଣ୍ଡର ବିଜ୍ଞାନ-ବିଶାରଦ ଡାର୍‍ଉଇନଙ୍କ Survival of the Fittest ଏବଂ ଜର୍ମାନ ଦାର୍ଶନିକ ନିଟ୍‍ ସେଙ୍କର Will-to-power ପୁଣି ଭାରତର ଶ୍ରେଷ୍ଠ ଋଷିଙ୍କର ‘‘ନାୟମାତ୍ମା ବଳହୀନେନ ଲଭ୍ୟଃ’’ କଥାଗୁଡ଼ିକ ତୁଳିଦେଲେ ବରାବର ସମାନ ଓଜନ ହେବ ନାହିଁ କି ? ଗୋଟିଏ କଥାକୁହିଁ ଟିକିଏ ଫରକ ବାଟରେ ଅଲଗା ଭାଷାରେ କହିବାର ଭଙ୍ଗି ଛଡ଼ା ଏଗୁଡ଼ିକରେ ଆଉ କ’ଣ ଅଛି ?

 

ଏବେ ମଧ୍ୟ ଆମେ ଦେଖୁଥାଇଁ, ସାଧାରଣତଃ ଯେଉଁ ଲୋକଙ୍କୁ ଆଦିମ ଓ ଅନାର୍ଯ୍ୟ କହିଥାନ୍ତି, ତାଙ୍କ ଭିତରେ ସବୁଠୁଁ ବଳୁଆ ଲୋକର ଆୟୋଜନ ଅଧିକାର ଯେମିତି ଅଧିକ, ସଭ୍ୟ ଆର୍ଯ୍ୟଙ୍କ ଭିତରେ ବି ଠିକ୍‍ ସେୟା । ପଶୁ ମାଙ୍କଡ଼ ଭିତରେ ମଧ୍ୟ ବଳୁଆ ମାଙ୍କଡ଼, ବଳୁଆ କୁକୁର ବା ବଳୁଆ ଷଣ୍ଢ ନିଜ ଆହାର ବିହାର ପାଇଁ ଦୁର୍ବଳଠାରୁ ବେଶି ଆଦାୟ କରିଥାଏ । ଆର୍ଯ୍ୟ ଅନାର୍ଯ୍ୟ ସବୁ ମଣିଷ ଆପଣାର ବଳ ପରଖ ପାଇଁ ସୁବିଧା ପାଇଲେ ସବୁ ପ୍ରକାର ଧର୍ମ ଓ ନୀତି ମୁହଁରେ ଉକ୍ତ ରୂପ ଆଚରଣ କରିବାକୁ ଛାଡ଼େ ନାହିଁ ।

 

ଏ ତଥ୍ୟର ଉଦାହରଣ ପାଇଁ ଖାଲି କୁକୁର କୁକୁରୀ, ଷଣ୍ଢ ଗାଈ କିମ୍ୱା ପୁରୁଷ ଓ ସ୍ତ୍ରୀର ସମ୍ୱନ୍ଧ ଉଲ୍ଲେଖ କଲେ ଯଥେଷ୍ଟ ହେବ–ନାହିଁ । ଟିକିଏ ନିରେଖି ଚାହିଁଲେ ବଳୁଆ ବ୍ୟକ୍ତିଠାରୁ ବଳୁଆ ଜାତିର ସ୍ୱାର୍ଥପରତା ଭୀଷଣତର ଉତ୍କଟ ଓ ମାରତ୍ମାକ । ବିଜିତ ଦେଶର ସ୍ତ୍ରୀ ଉପରେ ବିପକ୍ଷ ସୈନ୍ୟମାନେ ଯେଉଁ ଧର୍ଷଣ କରନ୍ତି, ତାହା ଆଜି ମଧ୍ୟ ଅସାଧାରଣ ଘଟଣା ନୁହେ । ଦୁର୍ବଳ ବୋଲି ତାହାର ପୈତୃକ ଚୁଟି କେରାକ ପାଇଁ କେତେ ପରିହାସ, ଅପମାନ ଓ ଝିଙ୍କା ଓଟରା ସହି ଶେଷରେ ସମଗ୍ର ଓଡ଼ିଆ ଜାତିଟା ପିତୃପୁରୁଷଙ୍କ ଶ୍ରାଦ୍ଧ କରି ଲଣ୍ଡା ହେବାକୁ ବାଧ୍ୟ ହୋଇଛି; ଅଥଚ ଶିଖ୍‍ ଜାତିଟା ସୁସଭ୍ୟ ଇଂରେଜ ସମ୍ରାଟଙ୍କ ଦରବାରରେ ମଧ୍ୟ ଖାଲି ଚୁଟି ନୁହେଁ, ତହିଁରେ ପାନିଆଁ ଖୋସି ଏବଂ ଲମ୍ବାଦାଢ଼ିରେ ଲୁହାବଳାଲଗା ହାତ ବୁଲାଇ ନିର୍ବିକାର ଚିତ୍ତରେ ବସୁଛି, ସେତିରେ କାହାରି ଟିକିଏ ଉଁ ଚୁଁ ହେବାକୁ ସାହସ ନାହିଁ !

 

ହାତ ଗୋଡ଼ ଯାହାର ବେଶି ବୋଲ କରେନାହିଁ, ତାକୁ ପ୍ରାୟ କିସ୍ତିମାତ୍‍ କରିବାର ଦେଖାଯାଏ ମୁହଁ ଜୋରରେ । କିନ୍ତୁ ହାତ ଗୋଡ଼ ଚାଳକ ପାଖରେ କଥାର ଚାଳକକୁ ଅନେକ ସମୟ ତୁନି ରହିଥିବାର ଦେଖାଯାଏ । ପୃଥିବୀର ନାରୀ ଏବଂ ଶିଶୁଜାତିର ଏହିକାରଣରୁ ମୁହଁ ବେଶି ବୋଲକରେ ଏବଂ ଭାରତବର୍ଷର ନାରୀ ଏହି କାରଣରୁ ପୁରୁଷ ଆଗରେ ଚୁପ୍‍ । ଏହି କାରଣରୁ ହିଁ ମିଲିଟାରିଜିମ୍‍ର ଆସନ ଆଜି ପୃଥିବୀର ଶୀର୍ଷସ୍ଥାନରେ ଏବଂ ଆନ୍ତଜାର୍ତିକ ଲିଗ୍‍ର ରାଜନେତିକ ବାକ୍‍ସ୍ଫୁର୍ତ୍ତି ଇଟାଲି ଜର୍ମାନୀର ସାମରିକ ଧମକ ପାଖରେ ଏକାବେଳେ ତୁଚ୍ଛ ଓ ଅର୍ଥହୀନ । ଏହି କାରଣରୁ ହିଁ ଆମ ଆଖି ଆଗରେ କେତେ କାଳର ଗୋଟେ ପୁରୁଣା ସାମ୍ରାଜ୍ୟ ସ୍ୱାଧୀନତା ହରାଇ ବୈଧବ୍ୟ ଗ୍ରହଣ କଲା, ଆଉ ଗୋଟାକର ଦଶା ତାହାହିଁ ହେବାକୁ ଯାଉଛି ।

 

ଏବିସିନିଆରେ କୁହାଳିଆ ଲୋକେ ଥିଲେ, ଚାଏନାରେ ମଧ୍ୟ ଅଛନ୍ତି; କିନ୍ତୁ ଆଧୁନିକ ରୀତିରେ ଗୋଇଠା ଚାପୁଡ଼ା ମାରିବାପାଇଁ ସେ ଦେଶ ଲୋକଙ୍କର ହାତ ଗୋଡ଼ ଖୁବ୍‍ ସମର୍ଥ ନୁହେ; ସେଥିଲାଗି ତାଙ୍କର ଏହି ଦଶା । ଯେତେ କୁହାଳିଆ ହୁଅ, ଭଲ ରୂପେ ଯେ ହାତ ଗୋଡ଼ ଚଳାଇ ଜାଣେ, ତାହା ପାଖେ ସାବଧାନରେ ମୁହଁ ଫିଟାଇବାକୁ ପଡ଼ିବ । ଯୁଦ୍ଧଭୂଇଁର ନାନା ଅଦ୍ଭୁତ ଗପ ଭିତରେ ଶୁଣାଯାଏ–ଦିନେ ଦିନେ ମଲା ଖଣ୍ଡିଆ ସୈନ୍ୟସଂଖ୍ୟା ଏତେ ବେଶି ହୋଇ ପଡ଼େ ଯେ, ଡାକ୍ତର ପକ୍ଷରେ ପ୍ରତି ସୈନ୍ୟକୁ ପରୀକ୍ଷା କରି କିଏ ମଲା, କିଏ ଜୀଅନ୍ତା ବାରି ପାରିବା ଅସମ୍ଭବ ହୋଇ ଉଠେ । ମଲା ଖଣ୍ଡିଆଙ୍କ ନିଆରା ନିଆରା ସୁମାରି କରି ସାର୍ଟି ଫିକେଟ୍‍ ଦେଲାବେଳେ ଡାକ୍ତରର ଏ କ୍ଷେତ୍ରରେ ଭୁଲ ହେବା ହିଁ ସାଧାରଣ କଥା ଏବଂ ଠିକ୍‍ ହେବା ବରଂ ଅସାଧାରଣ । ସେଥିପାଇଁ ଏରୂପ ମଲା ସାର୍ଟି ଫିକେଟ୍‍ ପାଇ ସାରିବା ପରେ କେହି କେହି ଜୀଅନ୍ତା ସୈନ୍ୟର ହୋସ ଆସିଗଲେ ଏବଂ ସେ ମଲାଲୋକ ପାଖେ ରଖାହୋଇଥିବାର ଆପତ୍ତି କଲେ, ଜଗୁଆଳମାନେ ତାହାର ସାକ୍ଷ୍ୟ ଅପେକ୍ଷା ଡାକ୍ତର ସାର୍ଟିଫିକେଟ୍‍ ବେଶି ମୂଲ୍ୟବାନ ଓ ବିଶ୍ୱାସଯୋଗ୍ୟ ବୋଲି ଜବାବ ଦିଅନ୍ତି । ଅଥଚ ସେହି ସୈନ୍ୟର ହାତଗୋଡ଼ ଯେବେ ଟିକିଏ ଚଳୁଥାନ୍ତା ତେବେ ଜଗୁଆଳ କଥା କ’ଣ, ଯେ କେହି ଡାକ୍ତରଙ୍କୁ ମଧ୍ୟ ଆଗ ଆପଣାର ଦେହ ମୁଣ୍ଡ ସମ୍ଭାଳିପରେ ତାହାକୁ ପରୀକ୍ଷା କରିବାକୁ ହୁଅନ୍ତା ।

 

ଅବଶ୍ୟ ନିତାନ୍ତ ବିକାରଗ୍ରସ୍ତ ନ ହେଲେ ୩୬୫ଦିନ କୌଣସି ଲୋକ ଖାଲି ହାତଗୋଡ଼ ପ୍ରୟୋଗ କରିବାକୁ ସୁଖ ପାଇବ ନାହିଁ । ଯେଉଁମାନେ ଯୁଦ୍ଧ କରନ୍ତି, ତାଙ୍କୁ ମଧ୍ୟ ବହୁ କାଳ ବିଶ୍ରାମ କରି ଥରେ ଅଧେ ଯୁଦ୍ଧଭୂଇଁରେ ଓହ୍ଳାଇବାକୁ ହୋଇଥାଏ । ଇଂଲଣ୍ଡ, ଆମେରିକା ଓ ରୁଷିଆ ପ୍ରଭୃତି କେତୁଟା ଦେଶର ସୈନ୍ୟମାନେ ତ ପ୍ରଥମ ମହାଯୁଦ୍ଧ ପରଠାରୁ ପ୍ରାୟ କୋଡ଼ିଏ ବର୍ଷ ହେବ ଖାଲି ଲେଫ୍‍ଟ ରାଇଟ୍‍ ଛଡ଼ା ଆଉ କିଛି ଉଲ୍ଲେଖଯୋଗ୍ୟ କାମ କରିଥିବାର ଶୁଣା ନାହିଁ । ସ୍ପେନ୍‍ ଦେଶରେ ଯେଉଁ ରାଜନୈତିକ ଘର-କଜିଆ ଲାଗିଥିଲା, ତାହାର ସାଲତମାମୀରୁ ଦେଖାଯାଏ, ତହିଁରେ ମରି ଶୋଇଥିଲେ ଦଶ ଲକ୍ଷ ଏବଂ ଖଣ୍ଡିଆ ଓ ଅକର୍ମଣ୍ୟ ହୋଇ ପଡ଼ିଥିଲେ ଏହି ସଂଖ୍ୟାର ପ୍ରାୟ ଦୁଇ ଗୁଣ । ଆମ୍ଭେମାନେ ସ୍ପେନ୍‍–ଦେଶର ଅନେକ ଦୂରରେ ବେଶ୍‍ ନିରାପଦରେ ଅଛୁଁ । ଆମ ନିଜର କିମ୍ୱା କେହି ବନ୍ଧୁ ସ୍ୱଜନର କିଛି କ୍ଷତି ଘଟି ନାହିଁ । ତେଣୁ ସ୍ପେନ୍‍ ବା ଶାଙ୍ଘାଇର ଯୁଦ୍ଧ ଖବର ପାଇବା, ମଲା ଓ ଖଣ୍ଡିଆଙ୍କର ସଂଖ୍ୟା ଜାଣିବା, ଆମ ପାଇଁ ଖୁବ୍‍ ସ୍ପନ୍ଦନପୂର୍ଣ୍ଣ ଓ ଉପଭୋଗ୍ୟ ହୋଇପାରେ । ସେମିତି କିଛି ଖବର ନ ଥିଲେ ‘କିଛି ନାହିଁ’ କହି ଖବର କାଗଜକୁ ତାଚ୍ଛଲ୍ୟ କରିପାରୁଁ । କିନ୍ତୁ ଯେଉଁମାନେ ଅସଲ ଯୁଦ୍ଧ କରନ୍ତି, ଅନ୍ୟକୁ ହାଣନ୍ତି ବା ନିଜେ ହାଣ ଖାନ୍ତି, ତାଙ୍କ ଭିତରୁ ଅତି ଅଳ୍ପ ଖବର କାଗଜ ପଢ଼ିନ୍ତି ବା ପଢ଼ି ଜାଣନ୍ତି । ଯେ ବା ପଢ଼ନ୍ତି, ସ୍ପନ୍ଦନ ଅନୁଭବ କରିବାର କ୍ଷେତ୍ର ତାଙ୍କର ଅତି ସଂକୀର୍ଣ୍ଣ ଓ ନିଘଞ୍ଚ ଏବଂ କୌଣସି ସ୍ପନ୍ଦନର ବଶବର୍ତ୍ତୀ ହୋଇ ଅନ୍ୟ ଅପରିଚିତ ଲୋକୁ (ଯାହା ସଙ୍ଗେ କେବେ ହେଲେ ନିଜର ଶତ୍ରୁତା ନାହିଁ କି ନ ଥିଲା) ଆଖି ବୁଜି ହତ୍ୟା କରନ୍ତି ନାହିଁ । କାରଖାନାର କୁଲି ଯେମିତି କଳପାଖେ ଛିଡ଼ା ହୋଇ କାମ କରେ, ଚାଷୀ ଯେମିତି ବିଲରେ ହଳ ବୁଲାଏ, କିରାନି ଯେମିତି ଅଫିସ ଘରେ ଫାଇଲ ଘାଣ୍ଟେ, ତାଙ୍କର ମଣିଷ ମାରିବା କାମ ସେମିତି । ମାତ୍ର ଦେଶପ୍ରେମର ସ୍ପନ୍ଦନ ଖାଲି ଅଳ୍ପ କେତେଜଣ ଖବରକାଗଜ ପଢ଼ୁଆଙ୍କୁ ଗ୍ରାସ କରିଥାଏ ।

 

ସୈନ୍ୟ ବିଭାଗରେ ମଧ୍ୟ ଯେଉଁମାନେ ନାମ ଲେଖାନ୍ତି, ସେମାନେ ସମସ୍ତେ ହିଁ ଚାକିରି ଓ ଖାତିରି ପାଇବା ପାଇଁ ତାହା କରନ୍ତି । ଦେଶ ପାଇଁ ଆତ୍ମବଳି ଦେବାର କାହାର ଉଦ୍ଦେଶ୍ୟ ଥାଏ, ସେ ସମ୍ୱନ୍ଧେ ଏ ଯୁଗରେ ଅତି ଅଳ୍ପ ବିବରଣ ପ୍ରକାଶିତ ହୋଇଅଛି । ବରଂ ଯେଉଁମାନେ ଯୁଦ୍ଧଭୂଇଁରେ ଓହ୍ଲାନ୍ତି, ଯେଉଁ ଶ୍ରେଣୀରୁ ସୈନ୍ୟମାନଙ୍କୁ ନିଆଯାଏ ଏବଂ ସମଗ୍ର ପୃଥିବୀର ଏ ମୁଣ୍ଡୁ ସେ ମୁଣ୍ଡ ଯାଏ ଯାହାଙ୍କ ସଂଖ୍ୟା ପନ୍ଦର ପଣରୁ ବେଶି ପଛେ କମ ନୁହେ, ସେମାନେ ପ୍ରାୟ ଶାନ୍ତିପ୍ରିୟ ବୋଲି ଅନେକ ବିବରଣୀ ଆଖି ଆଗରେ ପଡ଼େ । ପୃଥିବୀ ଉପରର ଏହି ବହୁ ଏବଂ ଅଧିକାଂଶ ହିଁ ଯୁଦ୍ଧ ନାଁ ଶୁଣି ଭୟ କରନ୍ତି, ହଣାମରାଠାରୁ ଦୂରରେ ରହିବାକୁ ଲୋଡ଼ନ୍ତି । କେଉଁ ଦେଶର ସ୍ତ୍ରୀ ଆପଣା ବାପ ଭାଇ ପିଲା ଛୁଆଙ୍କୁ ଘେନି ଦୁଃଖ ଓ ଅଭାବର ଘରଟିରେ ହସ ଖୁସି କରୁଥିବା ବେଳେ ଆକାଶର ଚଡ଼କ ପଡ଼ି ପର କ୍ଷଣରେ କାହାକୁ ହାତଗୋଡ଼ହୀନ ଏବଂ କାହାକୁ ପ୍ରାଣହୀନ ଦେଖି ଦେଶ ପାଇଁ ବା ସେମିତି ଗୋଟାଏ କିଛି ବଡ଼ ଆଦର୍ଶ ଯୋଗୁଁ ଏହା ତ୍ୟାଗ କଲା ବୋଲି ତୃପ୍ତି ପାଇବ ? ଦିନଯାକ ପରିଶ୍ରମ ପରେ ଘର ଭିତରେ ଶାନ୍ତିରେ ଶୋଇଥିବା ବେଳେ କେଉଁ ପୁରୁଷ ରାତି ଅଧରେ ଆପଣା ପୁଅ ଭାର୍ଯ୍ୟା ରକ୍ତରେ ଭାସୁଥିବାର ଦୃଶ୍ୟ ସୁଖକର ମଣିବ ?

 

ଭାରତର ଶତକଡ଼ା ନବେ ଲୋକ ଯେ ଗରିବ ଏବଂ ପୃଥିବୀ ଲୋକ ସଂଖ୍ୟାର ଏହିପରି ବା ଏଥିରୁ କିଛି କମ୍‍ ଅନୁପାତ ଲୋକ ଯେ ଅଭାବ ନଅଣ୍ଟ ଭିତରେ ଯୁଗ ଯୁଗ ଧରି ତୁନି ହୋଇ ପଡ଼ିଛନ୍ତି, ପୁଣି ଯେତେ ସ୍ଳୋଗାନ୍‍ ତାଙ୍କ ଆଗେ ଗାଇଲେ ହେଁ ବଦ୍ଧ ପୋଖରୀକୁ ଟେକା ଫିଙ୍ଗିଲା ପରି ତାହା ସେମାନଙ୍କ ଶାନ୍ତି ପ୍ରକୋଷ୍ଠକୁ ବିଚଳିତ କରିବା ଯେ ସହଜ ନୁହେ, ଏଥିରୁ ବଳି ତାଙ୍କ ଶାନ୍ତି-ପ୍ରିୟତା’ର ବଡ଼ ପ୍ରମାଣ କ’ଣ ଥାଇପାରେ ?

 

ସମାଜତତ୍ତ୍ୱ ଗବେଷଣା କରୁଥିବା କେହି କେହି ମତ ଦିଅନ୍ତି, ପୃଥିବୀରେ ଯେତେ କିଛି ଅଶାନ୍ତି ଓ ଗଣ୍ଡଗୋଳ, ତାହା ଅତି ଅଳ୍ପ ସଂଖ୍ୟକ ଲୋକ ହିଁ ଘଟାଇଥାନ୍ତି ଏବଂ ସେ ସମସ୍ତେ ପ୍ରାୟ ଆଦର୍ଶବାଦୀ । ଦେଶ ଜାତି ପ୍ରେମର ଦ୍ୱାହି ଦେଇ ଏହି କେତେଜଣ ଆଦର୍ଶବାଦୀ ହିଁ ପୃଥିବୀରେ ଯେଉଁ ଭୀଷଣ ପୈଶାଚିକ ଘଟଣା ରାଶିର କାରଣ ହୋଇ ଅଛନ୍ତି, ଗୋଟି ଗୋଟି କରି ତାହାକୁ ବାଢ଼ି ବସିଲେ ଯେ କେହି ଶୁଣି ତାଜିବ ହେବ । ଯେତେ ବିକଳ ବୀଭତ୍ସ ନିର୍ମମ ଓ ନିରାଟ ହେଲେ ମଧ୍ୟ ସତଟାକୁ ସଯତ୍ନରେ ଘୋଡ଼ାଇ ରଖିବା ପାଇଁ ଆଦର୍ଶବାଦ ପରି ସୁନ୍ଦର ସୁକୁମାର ଚିତ୍ତାକର୍ଷକ ଘୋଡ଼ଣିଟିଏ ବୋଧହୁଏ ଆଉ ଦ୍ୱିତୀୟ ନାହିଁ । ପ୍ରଥମ ମହାଯୁଦ୍ଧଟାକୁ ସବୁ ଦେଶର ସବୁ ଣ୍ରେଣୀ ଲୋକ ନିନ୍ଦା କରିଛନ୍ତି । ଲେଖକ ଓ ସମ୍ପାଦକମାନେ ଏହି ବର୍ବରତାକୁ ସଭ୍ୟ ମନୁଷ୍ୟ ପରିତ୍ୟାଗ କରିବା ପାଇଁ ଶହେ ମୁହଁରେ ଘୋଷିଚନ୍ତି । ସବୁ ଦେଶର ବକ୍ତା ଓ ରାଜନୀତିଜ୍ଞମାନେ ଭବିଷ୍ୟତ ଯୁଦ୍ଧକୁ ଏଡ଼ିବା ପାଇଁ ପ୍ରରୋଚନା ଦେଇଛନ୍ତି । ନିରସ୍ତ୍ରୀକରଣର ସଭା ବସି କେତେ ଆଲୋଚନା ହୋଇଯାଇଛି । ତଥାପି ୧୯୧୮ ମସିହା ନଭେମ୍ୱର ମାସଠାରୁ ୨୦ ବର୍ଷ ହେଲା ପ୍ରତି ଦେଶର ମୃତ ସୈନିକଙ୍କୁ ସମ୍ମାନ ଦେଖାଇବାକୁ ମହା ସମାରୋହରେ ସବୁ ଦେଶରେ ଉତ୍ସବ କରାଯାଉଅଛି ଏବଂ ପ୍ରକାରାନ୍ତରେ ଆଗାମୀ ଯୁଦ୍ଧ ପାଇଁ ସବୁ ଦେଶର ଲୋକଙ୍କୁ ଉତ୍ସାହ ଦେବାରେ ତ୍ରୁଟି ନାହିଁ । ଧର୍ମ ଓ ନୈତିକତାର ଆଦର୍ଶ ତଳେ ଦୈନିକ ହଜାରଟା ଠକାମୀ ପ୍ରତି ଲୋକଙ୍କୁ ଅଙ୍ଗେ ନିଭାଇବାକୁ ପଡ଼ୁଛି ଏବଂ ତାହାକୁ ପ୍ରାଚୀନ ରୀତି ତଳେ ରଖି ଦେଇ ରକ୍ଷା ପାଇବାକୁ ହୁଏତ ଗୋଟାଏ ବାଟ ଅଛି । କିନ୍ତୁ ଏରୂପ ଉତ୍ସବ ଯେ ପୃଥିବୀ ଉପରେ ସର୍ବଶ୍ରେଷ୍ଠ ସୁସଭ୍ୟ, ସୁଶିକ୍ଷିତ, ସୁବିଚାରକ ବୋଲାଉଥିବା ଜାତିମାନଙ୍କର ସୁଚିନ୍ତିତ କାମ, ପୁଣି ସରକାରୀ ଢାକ ଢୋଲ ପିଟି ସବୁ ଦେଶରେ ପାଳିତ ହେଉଅଛି, ଏ କାମ ପାଇଁ କ୍ଷମା ଖୋଜିବାକୁ ଗଲେ ବିଶ୍ୱବ୍ରହ୍ମାଣ୍ଡର କେଉଁ କୋଣରେ ତାହା ମିଳିବ ଭଲା ?

 

ପୃଥିବୀର ଏହି ଅଳ୍ପ-ସଂଖ୍ୟକ ବୁଦ୍ଧିଜୀବୀଙ୍କୁ କୁହାଳିଆ ଶ୍ରେଣୀରେ ଧରାଯାଇପାରେ । ଏମାନେ ନିଜେ ହାଡ଼ଭଙ୍ଗା କଠିନ କାମ କରିବାକୁ ଯେତେ ପାରଗ ନୁହନ୍ତି, ଅନ୍ୟକୁ ତାହା କରିବାକୁ ଫୁସୁଲାଇ ପାରିବାରେ ବେଶି ତତ୍ପର । ଅତି ବଡ଼ ଧନୀ ଓ ବ୍ୟବସାୟ ମାଲିକମାନଙ୍କ ପରି ଏମାନେ ତୁଚ୍ଛା ଘୁଙ୍ଗୁଡ଼ି ପକେଇ ବେଶି ଭୋଜନରେ ମରନ୍ତି ନାହିଁ; କିନ୍ତୁ ଯାହାଙ୍କର କିଛି ନାହିଁ, ତାଙ୍କୁ ନିରାହାରରେ ମରିବା ପାଇଁ ଉତ୍ସାହ ଉତ୍ତେଜନା ଦିଅନ୍ତି ଢେର । ନିଜର ମାରିବାକୁ ସୁବିଧା ସାହାସ ନ ଥିବାର ଅନ୍ୟକୁ ମାରିବାପାଇଁ ତିଆରି କରନ୍ତି । କହିପୁଛି ଜାଣିବା ଛଡ଼ା ସେମାନେ ଆଉ କିଛି ଜାଣନ୍ତି ନାହିଁ, ଅବଶ୍ୟ ସବୁବେଳେ ଆପଣାର ଦେହକୁ ଓ ଧନ ସମ୍ପତ୍ତିକୁ ଜଗି ରଖି । ଚତୁରତା ଗୁଣରେ ଯଥାର୍ଥରେ ପୁଇଁ ଚିଙ୍ଗୁଡ଼ି ବିକନ୍ତି ଏହିମାନେ, କାରଣ ଉକ୍ତ ଶ୍ରେଣୀର ସବୁ ଗୁଡ଼ିକ ପ୍ରାୟ ପଚା ଚିଙ୍ଗୁଡ଼ି କାରବାରବାଲା ।

 

ମଫସଲ ଗାଁରେ ଟାଉଟରଗିରି କରିବାଠାରୁ ଆରମ୍ଭ କରି କୋର୍ଟ କଚେରୀରେ ଓକିଲାତି ଏବଂ ବ୍ୟବସ୍ଥା ସଭା କିମ୍ୱା ପାର୍ଲିମେଣ୍ଟରେ ରାଜନୈତିକ ବାକ୍‍ସ୍ପୁର୍ତ୍ତି କରିବା ପର୍ଯ୍ୟନ୍ତ ଏହି ପୁଇଁ-ଚିଙ୍ଗୁଡ଼ି ବିକିବା ଲୋକେ ଭର୍ତ୍ତି ହୋଇ ଅଛନ୍ତି । କଥାର ଚାତୁରିରେ କଠୋର କର୍କଶ ବାସ୍ତବକୁ ମଧ୍ୟ ଏକ କୋମଳ ମୁଲାଏମ ଘୋଡ଼ଣି ଭିତରେ ସଜାଇ ଦେଖାଇବାକୁ ଏମାନେ ଅଭ୍ୟସ୍ତ ଲକ୍ଷ ଲକ୍ଷ ଭଙ୍ଗା କୁଡ଼ିଆର ପ୍ରତିନିଧି ହୋଇ ସରକାରୀ ରାଜଧାନୀଗୁଡ଼ିକର କୋଠା ବାଡ଼ି ଚାକଚିକ୍ୟ ଠିକ୍‍ ଯେମିତି ଏକ ନିର୍ଲ୍ଲଜ ଘୋଡ଼ଣୀର କାମ କରିଥାଏ, ଏ ସବୁ ହାସଲ କରିବାକୁ କଥାର କାଇଦା ତାଙ୍କର ବଡ଼ ଅସ୍ତ୍ର । କୌଣସି ବିଷୟରେ ତାଙ୍କର ନିଜର ପାଣ୍ଡିତ୍ୟ ବା ଅଭିଜ୍ଞତା ଦରକାର ନାହିଁ; କାରଣ ସବୁ ବିଷୟରେ ପଣ୍ଡିତ ଓ ଅଭିଜ୍ଞ ଲୋକର ପରାମର୍ଶ ପାଇବା ସବୁବେଳେ ତାଙ୍କ ହାତପାଉଣାରେ । ଇତିହାସ, ବିଜ୍ଞାନ, ସାହିତ୍ୟ ଯାହା ଖୋଜନ୍ତୁ ସବୁ ବିଷୟରେ ଶସ୍ତାରେ ତାଙ୍କୁ ପରାମର୍ଶ ମିଳିପାରେ । ଆଉ ତେବେ କ’ଣ ଦରକାର ତାଙ୍କର ? ଚିକିତ୍ସା-ବିଜ୍ଞାନ ? ସେଥିପାଇଁ ବଡ଼ ବଡ଼ ଚିକିତ୍ସା ବ୍ୟବସାୟୀ ବା କର୍ମଚାରୀଙ୍କର ତ ଅଭାବ ନାହିଁ । ଆଇନ କାନୁନ ? ବିଚାରାଳୟରେ ପ୍ରଦାନ ବିଚାରପତି, ଏଡ଼୍‍ ଭୋକେଟ ଜେନେରାଲ ବା ଲର୍ଡ଼ ଚାନ୍‍ସେଲର ସେଥିପାଇଁ ନିଯୁକ୍ତ ଅଛନ୍ତି । ଧର୍ମ, ଦର୍ଶନ, ଏପରିକି ରାଜନୀତି ସମ୍ୱନ୍ଧେ ମଧ୍ୟ ତାଙ୍କର ଗଭୀର ଜ୍ଞାନ ଅର୍ଜନ କରିବାର କି ଗରଜ ଅଛି ? ଆଉ କ’ଣ ଧନ ? ଧନର ପୁଣି କି ଅଭାବ ?

 

ଧନୀମାନଙ୍କର ଧନର ସୁରକ୍ଷା ଯେ ତାଙ୍କର ବଡ଼ କାମ !–ଖାଲି ଅଶିକ୍ଷିତ ଚୋର ଡକାଏତଙ୍କ ଆକ୍ରମଣରୁ ନୁହେ, ଶିକ୍ଷିତ ଭଦ୍ରଲୋକଙ୍କ ଆକ୍ରମଣରୁ ମଧ୍ୟ । ଯଥାର୍ଥରେ ବଡ଼ ବଡ଼ ମିଲ୍‍ ମାଲିକ ବ୍ୟବସାୟ ଓ ବ୍ୟାଙ୍କର୍‍ମାନଙ୍କର ଏଜେଣ୍ଟଗିରି କରନ୍ତି ଏହିମାନେ, ଏବଂ ପୃଥିବୀରେ ପ୍ରାୟ ସବୁ ସ୍ୱାଧୀନ ଦେଶ ହିଁ ପ୍ରଧାନତଃ ସେହି ଧନିକମାନଙ୍କ ଅଧୀନରେ ରହିଥିବାରୁ, ବ୍ୟବସାୟୀଙ୍କ ସ୍ୱାର୍ଥକୁ ଜଗିବା ପାଇଁ ପୁଣି ଆଉ ସବୁ ଦେଶରେ ତାଙ୍କର ଚିଜଗୁଡ଼ିକ ଭଲ କାଟତି ପାଇଁ ଏହି ସରକାରୀ ଏଜେଣ୍ଟ୍ ଅନ୍ୟ ଦେଶ ଏଜେଣ୍ଟ୍ ଙ୍କ ସଙ୍ଗେ ସଭା କରନ୍ତି, ଆଲୋଚନା କରନ୍ତି, ତର୍କ କରନ୍ତି; ଚୁକ୍ତିପତ୍ର ଲେଖି ତହିଁରେ ଦସ୍ତଖତ କରନ୍ତି ଏବଂ ପର ମୁହୂର୍ତ୍ତରେ ଦରକାର ପଡ଼ିଲେ ଗୋଟାଏ ଚୁକ୍ତିକୁ ଚିରି ଅନ୍ୟ ଏକ ଦେଶ ସଙ୍ଗେ ଆଉ ଗୋଟିଏ ଚୁକ୍ତିରେ ନାଁ ଲେଖନ୍ତି କିମ୍ୱା କୌଣସି ଚୁକ୍ତି ଦ୍ୱାରା ସିଦ୍ଧାନ୍ତ ସମ୍ଭବ ନ ହେଲେ, ସବୁ ଚୁକ୍ତିକୁ ଦଳି ତା’ ସଙ୍ଗେ ମଣିଷର ମସ୍ତିଷ୍କ ଓ ବିଚାରବୁଦ୍ଧିକୁ ମଧ୍ୟ ଉତ୍ସର୍ଗ କରନ୍ତି, ଆଦିମକାଳରୁ ପ୍ରଚଳିତ ଏକମାତ୍ର ଦେହ ଓ ଧନ ବଳ ଉପରେ । କାରଣ ସେଥିରେ ତାଙ୍କ ନିଜର କିଛି କ୍ଷତି ନାହିଁ । ଧନିକର ଧନହାନି ଓ ନିର୍ଦ୍ଧନର ପ୍ରାଣହାନି ହିଁ ସବୁ ଲଢ଼େଇର ଶେଷ ଫଳ ହୋଇଥାଏ । ଯେଉଁମାନେ ଧନ କମାନ୍ତି, ଆଉ ଯେ ଧନ ଜମାନ୍ତି, ସେହିମାନେ ହିଁ ଯୁଦ୍ଧଭୂଇଁରେ ସୈନିକ ହୋଇ ମରନ୍ତି କିମ୍ୱା ଯୁଦ୍ଧର ସବୁ ଖର୍ଚ୍ଚ ତୁଲାନ୍ତି । ଅଥଚ ଯୁଦ୍ଧ ହେବା ନ ହେବାର ବିଚିତ୍ର ବ୍ୟବସ୍ଥା ଏହି ସରକାରୀ ଏଜେଣ୍ଟମାନଙ୍କ ମର୍ଜି ଉପରେ ହିଁ ନିର୍ଭର କରେ-

 

ଇଂଲଣ୍ଡ, ଆମେରିକା, ଜାପାନ, ଜର୍ମାନୀ ଆଦି ନାମଜାଦା ବ୍ୟବସାୟୀ ଦେଶମାନଙ୍କର ସରକାରଗୁଡ଼ିକ କହି-ପୁଚ୍ଛି-ଜାଣିଲା ଏଜେଣ୍ଟମାନଙ୍କଦ୍ୱାରା ହିଁ ଚଳୁଥିବାର ଦେଖଯାଏ । ଅବଶ୍ୟ ଜାପାନ, ଜର୍ମାନୀ, ଇଟାଲି, ତୁର୍କି ବା ଚାଇନା ସରକାରର ଚାଳକମାନେ ଖାଲି କହି-ପୁଛି-ଜାଣିଲା ଲୋକ ନୁହନ୍ତି । ଭଲରୂପେ ହାତଗୋଡ଼ ଚଳାଇବା ବିଷୟରେ ମଧ୍ୟ ସେମାନେ ଧୁରନ୍ଧର । ସେଥିପାଇଁ ତାଙ୍କଦ୍ୱାରା ପରର ହାତଗୋଡ଼ ଛିଡ଼ିବାର ଭୟ ଯେମିତି ଅଛି, ଆପଣାର ହାତଗୋଡ଼ ଭାଙ୍ଗିବାର ଆପଦ ମଧ୍ୟ ସେଥିରୁ କମ୍‍ ନୁହେଁ । ନିଜର ପୁଇଁ-ଚିଙ୍ଗୁଡ଼ି ବିକିବା ପାଇଁ ସେମାନେ ଖାଲି ମୁହଁ ନୁହେଁ, ଦେହକୁମଧ୍ୟ ବିସର୍ଜନ ଦେଇ ପାରନ୍ତି । ଅବଶ୍ୟ ସଦ୍ୟ ସାହସ ପାଇଁ ସେମାନେ ସାବାସର ଯୋଗ୍ୟ ହେଲେହେଁ, ପକ୍‍କା ବ୍ୟବସାୟୀ ହିସାବରେ ତାଙ୍କ ଥାନ ଇଂଲଣ୍ଡ ଓ ଆମେରିକାର ଅନେକ ତଳେ । କାରଣ ଇଂଲଣ୍ଡ ଆମେରିକା ପରି କହି ପୁଛି ଜାଣିବାର କାଏଦାକୁ ପୂରା ହାସଲ କରି ପାରିବାର ଯୋଗ୍ୟତା ସେମାନେ ଅର୍ଜି ନାହାନ୍ତି । କହୁଁ କହୁଁ ପଦ ପଦକେ ହାଣମାର ଓ ଲଢ଼େଇ କଥା ତାଙ୍କ ମୁହଁରୁ ବାହାରି ପଡ଼େ, ଚିଙ୍ଗୁଡ଼ି ବିକିବା କଥା ଏକାବେଳେ ପାସୋରଯାଏ । ମଝିରେ ମଝିରେ ଭାରତବର୍ଷର ନାମ ବିଦେଶୀ ପତ୍ର ପତ୍ରିକାରେ ଆଜିକାଲି ଦେଖିବାକୁ ମିଳୁଥିଲେ ହେଁ ଏ ସବୁ ଦେଶ ସଙ୍ଗେ ତାହାର ତୁଳନା ହୋଇ ନ ପାରେ । କାରଣ ତାହାର ବାସ୍ତବ ସ୍ୱରୂପ ଯାହା ଅଛି, ସେ ଖାଲି ଗୋଟାଏ ଛାୟା ମାନ । ଏହି ଛାୟା ବା ମରୀଚିକା ଭିତରେ ଯେତିକି ସତ୍ୟ ପରିଚୟ ସେ ଆଜିଯାକେ ପାଇଛି, ତହିଁରେ ଗାଁ ପଧାନଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ ପର୍ଯ୍ୟନ୍ତ କହି ପୁଛି ଜାଣିବାକୁ ଚେଷ୍ଟା କରୁଥିବାର ଏଥି ଭିତରେ କେତେକ ପ୍ରମାଣ ମିଳିଛି ।

 

କିନ୍ତୁ ସେ ପ୍ରମାଣ ଭାରତର କବିତା ଦର୍ଶନ ଆଦି ବିଦ୍ୟାଚର୍ଚ୍ଚାଠାରୁ ବଡ଼ ପ୍ରମାଣ ନୁହେ । ଭାରତର ପୁରୁଣର ତୀର୍ଥ ଓ ମନ୍ଦିର ପରି ତାହାର ଅତୀତ ବିଦ୍ୟାଚର୍ଚ୍ଚାରେ ମଧ୍ୟ କିଛି ବାସ୍ତବତା ଥିଲା-। ଏକ୍ଷଣି ପୃଥିବୀ ମାନଚିତ୍ରରେ ଭାରତର ବର୍ତ୍ତମାନ ଛାୟାରେ ଆବୃତ ଥିଲେହେଁ ତାହାର କଥଞ୍ଚିତ୍‍ ପରିଚୟ ଯେ କବିତା ଓ ନୀତି ଚର୍ଚ୍ଚାରେ ପ୍ରକାଶିତ ହୋଇଅଛି, ଏ କଥା ଅସ୍ୱୀକାର୍ଯ୍ୟ ନୁହେ-। ସାହିତ୍ୟ ଓ ବିଜ୍ଞାନ କ୍ଷେତ୍ରରେ ଏ ଯୁଗରେ କେତେଜଣ କୃତୀ ବ୍ୟକ୍ତିଙ୍କର ନାମ ଦେଶର ସୀମା ପାର ହୋଇଅଛି । ଅର୍ଥାତ୍‍ ଆଖିରେ ପଡ଼ିବା ଭଳି ବସ୍ତୁ ଭାରତବର୍ଷରେ ଯଦି କିଛି ଥାଏ, ତା’ହେଲେ ପହିଲେ ଏହି ବିଦ୍ୟା ଚର୍ଚ୍ଚାକୁ ହିଁ ଧରିବାକୁ ହେବ । ହାତଗୋଡ଼ ଚଳାଇବା ସମ୍ୱନ୍ଧେ ଶିଶୁଠାରୁ ମଧ୍ୟ ସେ ହୀନ, କହି ପୁଛି ଜାଣିବାକୁ ବାକି ଅଛି ତା’ର ଢ଼େର । ପ୍ରବନ୍ଧର ଆଦ୍ୟରେ ଯେଉଁ ଶ୍ରେଣୀ-ବିଭାଗ କରାଯାଇଥିଲା, ସେ ଅନୁସାରେ ଭାରତବର୍ଷର ସ୍ଥାନ ତୃତୀୟ ଶ୍ରେଣୀରେ । ତାହାର ମୁହଁ ବା ହାତ ଗୋଡ଼ର ବ୍ୟବହାର ସୁବଠୁଁ କମ୍‍ ।

 

ଭାରତର ସବୁ କିସମର ଦେବତା-ଗୋଠରେ ବିଦ୍ୟାର ଦେବତାଙ୍କୁ ଯେମିତି କଳ୍ପନା କରାଯାଇଛି, ସେହି ଆଦର୍ଶ ଓ ଆଭିଜାତ୍ୟକୁ ଏ ଦେଶବାସୀ ଧର୍ମତଃ ମାନି ଚଳି ଆସିଛି । ତେଣୁ ହୁଏ ତ ସେ କିମାକାର ଗଜାନନ ଅବା ଲମ୍ୱୋଦର ସାଜି ମୂଷିକ ବାହନ ଉପରେ ତିନି ବ୍ରହ୍ମାଣ୍ଡ ବୁଲୁଥିବାର କଳ୍ପନା କରୁଛି, ନଇଲେ ବୀଣାବାଦିନୀ ବାଣୀଙ୍କର ନାରୀତ୍ୱ ପାଖେ ମୁଣ୍ଡ ନୁଆଇଁ ରହୁଛି-। ଯେତେ ବିଦ୍ୟା-ବାଗୀଶ ହେଲେହେଁ ତାହାର ଆଦର୍ଶ ଏହିପରି ସ୍ଥାଣୁ ବା ଅଚଳ କିମ୍ୱା ଏ ଦେଶର ନାରୀ ପରି ତାହାର ଲକ୍ଷ୍ୟ ଜଣେ ସଚଳ ସବଳ ଆଶ୍ରୟଦାତା ସ୍ୱାମୀ । ବିଦ୍ୟା-ଚର୍ଚ୍ଚା ଅବସ୍ଥାରେ ରହି ତାହାକୁ ଏହିରୂପ ଆଦର୍ଶ ଓ ଲକ୍ଷ୍ୟ ଘେନି ଗତି କରିବାକୁ ହେଉଅଛି । କାରଣ ବିଦ୍ୟାଚର୍ଚ୍ଚାର ଫଳ ସାଧାରଣତଃ ଏହା ହିଁ ହୋଇଥିବାର ଦେଖାଯାଏ । ଏହି ଗୋଟିଏ ଦିଗରୁ ବିଚାର କଲେ ଭାରତବର୍ଷ ପୃଥିବୀର ଆଉ ସବୁ ଦେଶ ତୁଳନାରେ ନିହାତି ପଛରେ ନୁହେଁ । ମେଧାବୀ ହିସାବରେ ଏ ଦେଶର ଛାତ୍ର ଅନ୍ୟ କୌଣସି ଦେଶ ଛାତ୍ରଠାରୁ ଅଳ୍ପ ପାଠ ମନେ ରଖିପାରେ ନାହିଁ, ଆପଣା ଦେଶର ମହତ୍ୱ ଓ ମର୍ଯ୍ୟାଦା ଅଳ୍ପ ବୁଝେ ନାହିଁ । ଚାଲାଖ ହିସାବରେ ଏ ଦେଶର ଓକିଲ, ଡାକ୍ତର, ବ୍ୟବସ୍ଥା ସଭାର ସଭ୍ୟ, ଧନିକ ବା ପଣ୍ଡିତର ଦକ୍ଷତା ମଧ୍ୟ ଊଣା ନୁହେଁ । ତଥାପି ପୃଥିବୀର ଆଉ ସବୁ ଦେଶ ସଙ୍ଗେ ଏ ଦେଶ ଯେ ସମାନ କଛ ପକାଇ ପାରୁନାହିଁ, ତାହାର କାରଣ ଅନ୍ୟ ବାଟ ନ ଥିବାରୁ ଏଠା ‘ମୁଖିଆ’ ଲୋକଙ୍କର ମୁଖର ଅଭାବ ବୁଝିବାକୁ ହେବ । କବି, ପଣ୍ଡିତ, ବୈଜ୍ଞାନିକ, ଦାର୍ଶନିକ, ଶିକ୍ଷକ, କଳ କାରଖାନା ବା ଜାହାଜ ଏରୋପ୍ଳେନର ଚାଳକ ଏ ଦେଶରେ ଅଭାବ ହେବେ ନାହିଁ । ଏ ଦେଶ ଲୋକେ ପୃଥିବୀର ଆଉ କେଉଁ ଦେଶଠାରୁ ଶିଳ୍ପ ବାଣିଜ୍ୟ ଉଦ୍ଭାବନ ଅବିଷ୍କାର ଦିଗରେ ନିହାତି ପଛରେ ପଡ଼ିବେ ନାହିଁ । ଯେଉଁ ଦିଗରେ ଯାହା ଅଭାବ ଥିବ, ତାହାକୁ ପୂରଣ କରିବାକୁ ମଧ୍ୟ ତାଙ୍କୁ ବେଶି ସମୟ ଲାଗିବ ନାହିଁ ।

 

ଏ କଥାଟା ଜାତି ବିଷୟରେ ଯମିତି, ବ୍ୟକ୍ତି ସମ୍ୱନ୍ଧେ ମଧ୍ୟ ସେୟା । ପୃଥିବୀର ଆଉ ସବୁ ଦେଶ ସଙ୍ଗେ ଭାରତବର୍ଷର ତୁଳନା କଲେ ଯାହା ଦେଖୁଁ, ଭାରତର ଆଉ ସବୁ ପ୍ରଦେଶ ସଙ୍ଗେ ଓଡ଼ିଶାର ତୁଳନା କଲେ ମଧ୍ୟ ସେଇତା । ଓଡ଼ିଶାର ଅନ୍ୟ ଅଭାବଯାକ ବୋଧହୁଏ ଗୌଣ ହୋଇପଡ଼ନ୍ତା; ସେ ଯେବେ ମାନ୍ଦ୍ରାଜ, ବଙ୍ଗ, ବିହାର ପ୍ରଭୃତି ପ୍ରଦେଶମାନଙ୍କ ସଙ୍ଗେ ଖାଲି ଟିକିଏ ଚତୁରତାର ସହିତ କହି ପୁଛି ଜାଣନ୍ତା ।

Image

 

ବୌଦ୍ଧଯୁଗର ଚିତ୍ରକଳା

 

ଖ୍ରୀଷ୍ଟାବ୍ଦର ଆରମ୍ଭକାଳରେ ଭାରତୀୟ ଚିତ୍ରକଳାର ଇତିହାସରେ ଏକ ଶ୍ରେଷ୍ଠ ଯୁଗର ପରିଚୟ ମିଳେ । ଐତିହାସିକମାନେ ଏହି ସମୟକୁ ୫୦ ଖ୍ରୀଷ୍ଟାବ୍ଦଠାରୁ ୭୦୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ନିର୍ଣ୍ଣୟ କରିଅଛନ୍ତି । ଏହି ସମୟକୁ ବୌଦ୍ଧଯୁଗ ବୋଲାଯାଇଥାଏ । କାରଣ ଭାରତବର୍ଷର ଅଧିକାଂଶ ଅଧିବାସୀ ସେତେବେଳେ ଉକ୍ତ ଧର୍ମକୁ ସ୍ୱୀକାର କରିଥିଲେ । ସେତେବେଳେ ସମସ୍ତ ପ୍ରାଚ୍ୟଭୂଖଣ୍ଡ ବୌଦ୍ଧ-ଭାରତୀୟ ସଭ୍ୟତାରେ ଅନୁପ୍ରାଣିତ ହୋଇଥିଲା, ସମଗ୍ର ଏସିଆ ମହାଦେଶ ଭାରତବର୍ଷରୁହିଁ ପ୍ରେଣା ଲାଭ କରିଥିଲା । ପୁଣ୍ୟଭୂମି କୋଶଳ ଜନସମାଜର ପରମ ସ୍ୱର୍ଗ ଥିଲା ଏବଂ ମହାଗୁରୁ ବୁଦ୍ଧଙ୍କର ବାଣୀ ସକଳ ଦେଶର ଶ୍ରେଷ୍ଠ ମନ୍ତ୍ରରୂପେ ଗୃହୀତ ହୋଇଥିଲା ।

 

ଶିକ୍ଷା ସଂସ୍କୃତିର କ୍ଷେତ୍ର ବିସ୍ତୃତ ହୋଇ ନାନା ସ୍ଥାନରେ ଶିକ୍ଷାକେନ୍ଦ୍ରମାନ ପ୍ରତିଷ୍ଠିତ ହେଲା; କିନ୍ତୁ ଏହି ନୂତନ ଧର୍ମ ଚିତ୍ରକଳା-କ୍ଷେତ୍ରରେ ଯେପରି ପ୍ରକାଶିତ ହୋଇଥିଲା, ସେପରି ଆଉ କୌଣସି କ୍ଷେତ୍ରରେ ନୁହେଁ । ସନୁଷ୍ୟସମାଜରେ ଧର୍ମର ପ୍ରଭାବଦ୍ୱାରା ବହୁ ଶିଳ୍ପ, ସାହିତ୍ୟ ଓ ଦର୍ଶନର ସୃଷ୍ଟି ହୋଇଥାଏ । ଇତିହାସରେ ତାହାର ପ୍ରଚୁର ପ୍ରମାଣ ନିହିତ; କିନ୍ତୁ ପ୍ରାଚ୍ୟ ଦେଶମାନଙ୍କରେ ବୌଦ୍ଧଯୁଗର ଚିତ୍ରକଳା ଯେଉଁ ପ୍ରଭାବ ବିସ୍ତାର କରିଥିଲା, ତାହାର ଦୃଷ୍ଟାନ୍ତ ବିରଳ-

 

ସିଂହଳ, ଜାଭା, ବ୍ରହ୍ମଦେଶ, ନେପାଳ, ଖୋଟାନ, ତିବ୍ଦତ ଏବଂ ଚାଏନାରେ ପ୍ରାଚୀନ ଯୁଗର ଗୌରବମୟ ଭାସ୍କର୍ଯ୍ୟ, ସ୍ଥାପତ୍ୟ ତଥା ଚିତ୍ରକଳାର ଯେତେ ନିଦର୍ଶନ ମିଳେ, ସେ ସମସ୍ତହିଁ ବୌଦ୍ଧଧର୍ମର ପ୍ରେରଣାସମ୍ଭୁତ । ଭାରତବର୍ଷରେ ଉକ୍ତ ଧର୍ମହିଁ ଚିତ୍ରକଳାର ଚୁଡ଼ାନ୍ତ ପରାକାଷ୍ଠାର ପ୍ରମାଣ ଦେଇଅଛି । ଏହି ଚିତ୍ରକଳାର ସୃଷ୍ଟି ଅତ୍ୟନ୍ତ ସ୍ୱାଭାବିକ । ବୌଦ୍ଧଧର୍ମକୁ ବିଶ୍ଳେଷଣ କଲେ ଦେଖାଯାଏ, ମୂଳତଃ ଏହା ଚିତ୍ରସମ୍ୱଳିତ । ଏହାର ପ୍ରାଚୀନତମ ମୌଳିକ ଉପାଖ୍ୟାନଗୁଡ଼ିକ ଲେଖନୀ ଅପେକ୍ଷା ତୂଳୀର ହିଁ ଅଧିକ ଉପଯୋଗୀ । କିମ୍ୱଦନ୍ତୀଗୁଡ଼ିକ ମଧ୍ୟ ପ୍ରଧାନତଃ ଛବିଳ ।

 

ପୁଣି, ଏସିଆ ମହାଦେଶ-ଅନ୍ତର୍ଗତ ବିଭିନ୍ନ ଦେଶମାନଙ୍କରେ ଭିନ୍ନ ଭିନ୍ନ ଭାଷା ପ୍ରଚଳିତ ଥିବାରୁ ଭାବ ଆଦାନ ପ୍ରଦାନ ପକ୍ଷରେ ଭାଷା ଅପେକ୍ଷା ଚିତ୍ରର ଆବଶ୍ୟକତା ଅଧିକ ହୋଇପଡ଼ିଲା-। ବୌଦ୍ଧଧର୍ମ ସମ୍ୱନ୍ଧେ ଜ୍ଞାନଲାଭ କରିବାର ସ୍ପୃହା ସମଗ୍ର ଏସିଆଖଣ୍ଡରେ ଜାଗ୍ରତ ହୋଇ ଉଠିବାରୁ ଉକ୍ତ ଧର୍ମର ଶିଳ୍ପାଚାର୍ଯ୍ୟ ଚିତ୍ର ସାହାଯ୍ୟରେ ହିଁ ଧର୍ମଶିକ୍ଷା ଦେବାକୁ ପ୍ରଶସ୍ତ ମନେ କଲେ-। ଏହି ସକଳ ଚିତ୍ରକୁ ସଙ୍ଗରେ ଘେନି ପରିବ୍ରାଜକମାନେ ଦେଶ ଦେଶାନ୍ତର ଭ୍ରମଣ କରୁଥିଲେ-। ନେପାଳ ଏବଂ ତିବ୍ଦତର ବୌଦ୍ଧମନ୍ଦିରଧ୍ୱଜା ଉପରେ ଯେଉଁ ସବୁ ଚିତ୍ର ଅଙ୍କିତ, ସେଗୁଡ଼ିକ ସାଧାରଣ ଲୋକେ ବୁଝିବା ଯେପରି ସହଜ, ଯେ କୌଣସି ଭାଷା ସାହାଯ୍ୟରେ ତାହା ସମ୍ଭବ ହୁଅନ୍ତା ନାହିଁ-। ପ୍ରଥମେ ଏହି ଚିତ୍ର ସାହାଯ୍ୟରେ ବୌଦ୍ଧଧର୍ମପିପାସୁ ସୁଦୂର ଚାଏନା ସହିତ ଭାରତର ସଂସ୍କୃତିଗତ ସମ୍ପର୍କ ସ୍ଥାପିତ ହୋଇଥିଲା ଏବଂ ୬୭ ଖ୍ରୀଷ୍ଟାବ୍ଦରେ ଚୀନସମ୍ରାଟ ମିଙ୍ଗ୍ ଟାଇଙ୍କ ଅନୁରୋଧକ୍ରମେ ଭାରତର ବୌଦ୍ଧ ପରିବ୍ରାଜକ କାଶ୍ୟପମ୍‍ଦୁଙ୍କ ବୌଦ୍ଧ ସ୍ଥାପିତ୍ୟ ଓ ଚିତ୍ରକଳାର କେତେଗୁଡ଼ିଏ ନମୁନା ସଙ୍ଗରେ ଘେନି ଚାଏନାକୁ ଯାତ୍ରା କରତିଥିଲେ । ଏହି ସମୟରୁ ସପ୍ତମ ଶତାବ୍ଦୀ ପର୍ଯ୍ୟନ୍ତ ଭାରତୀୟ ଶିଳ୍ପ-ପରିବ୍ରାଜକମାନେ ଚୀନ ଦେଶକୁ ଯାତ୍ରା କରିବାକୁ ଲାଗିଲେ ଏବଂ ସେ ଦେଶରେ ବୌଦ୍ଧଚିନ୍ତା ଓ ଶିଳ୍ପକଳାର ପ୍ରଚାର କରିଥିଲେ । ସେମାନଙ୍କ ମଧ୍ୟରୁ କେହି କେହି ଚୀନଦେଶରେ ବସତି ସ୍ଥାପନ କରିଥିଲେ ଏବଂ କାନ୍ଥ ଦେହରେ ପଲସ୍ତରା ଉପରେ ଜଳସହିତ ରଙ୍ଗ ସଂଯୋଗରେ ଚିତ୍ରାଙ୍କନ କରିଥିଲେ । ଚିତ୍ରାଙ୍କନର ଏରୂପ ରୀତି ସେ ସମୟରେ କେବଳ ଭାରତବର୍ଷରେ ହିଁ ପ୍ରଚଳିତ ଥିଲା-

 

ଆହୁରି ପୂର୍ବାଞ୍ଚଳରେ ଜାପାନରେ ମଧ୍ୟ ସପ୍ତମ ଶତାବ୍ଦୀର ଚିତ୍ରାଙ୍କନଗୁଡ଼ିକରେ ଭାରତୀୟ ରୀତିର ଉଜ୍ଜ୍ୱଳ ପ୍ରମାଣ ପରିଦୃଷ୍ଟ ହୁଏ । ହୋରିଉଜୀ ମନ୍ଦିରଗାତ୍ରରେ ଯେଉଁ ବିଖ୍ୟାତ ଚିତ୍ରଗୁଡ଼ିକ ଅଙ୍କିତ, ତାହାର ସମୟ ଅଷ୍ଟମ ଶତାବ୍ଦୀର ପ୍ରଥମଭାଗ ବୋଲି ଅନୁମାନ କରାଯାଇଅଛି-। ତହିଁରେ ଅଜନ୍ତା ଗୁହାର ଅଙ୍କନରୀତିର ପ୍ରଭାବ ସ୍ପଷ୍ଟରୂପେ ପ୍ରତିଫଳିତ । ଅଜନ୍ତା ଚିତ୍ରରେ ଯେଉଁ ରେଖାର ଦୃଢ଼ତା, ଜୀବନ୍ତ ଅନୁଭୂତି ଏବଂ ବର୍ଣ୍ଣବିନ୍ୟାସର ବିକାଶ ଲକ୍ଷ୍ୟ କରାଯାଏ, ସେ ସକଳର ସାକ୍ଷ ଜାପାନୀ କଳାରୁ ମିଳିଥାଏ; ସୁତରାଂ ଚାଏନା ପରି ସୁଦୂର ଜାପାନ ସହିତ ମଧ୍ୟ ଭାରତବର୍ଷର କୃଷ୍ଟିଗତ ସଂଯୋଗ ବହୁ ପ୍ରାଚୀନ କାଳରୁ ପ୍ରତିଷ୍ଠିତ ହୋଇଅଛି ।

 

ବୌଦ୍ଧଭାରତ ସେତେବେଳେ ସମଗ୍ର ଏସିଆ ମହାଦେଶର ପରମ ତୀର୍ଥ ଥିଲା । ପଞ୍ଚମ ଶତାବ୍ଦୀରେ ଚୀନପରିବ୍ରାଜକ ଫାହଏନ୍‍ ଏବଂ ସପ୍ତମ ଶତାବ୍ଦୀରେ ହୁଏନ୍‍ସାଙ୍କ ଭାରତ ଆଗମନ ପ୍ରସିଦ୍ଧ ହେଲେହେଁ ଅନ୍ୟ କେତେକ ପରିବ୍ରାଜକ ମଧ୍ୟ ଚାଏନାରେ ବୌଦ୍ଧ-ଧର୍ମ ପ୍ରତିଷ୍ଠାର ନିଦର୍ଶନସ୍ୱରୂପ ଚୈନିକ ଚିତ୍ରକଳାର ନମୁନା ସଙ୍ଗରେ ଘେନି ଭାରତକୁ ଆସିଥିଲେ । ସେଥିରୁହିଁ ବୁଝାଯାଏ ଯେ, ଭାରତୀୟ ବୌଦ୍ଧକଳାର ପ୍ରଭାବ ସମଗ୍ର ଏସିଆ ମହାଦେଶରେ ପଡ଼ିଥିଲା ।

 

ବୌଦ୍ଧକଳାର ଆରମ୍ଭ ଏବଂ ତାହାର କ୍ରମିକ ବିକାଶର ଲକ୍ଷଣମାନ ଅଜନ୍ତା ଗୁହାଗୁଡ଼ିକରୁହିଁ ଦେଖାଯାଏ । ସିଂହଳର ସିଗିରିଆ ମନ୍ଦିରରେ ମଧ୍ୟ ଏହି କଳାର ବିକାଶ-ଯୁଗର ଗୋଟିଏ ଦିଗ ଲକ୍ଷ୍ୟ କରାଯାଏ । ଗୋଆଲିୟାର ରାଜ୍ୟର ବାଘଗୁମ୍ଫାର କାନ୍ଥ ଉପରେ ଅଙ୍କିତ ଚିତ୍ରଗୁଡ଼ିକ ବହୁପରିମାଣରେ ନଷ୍ଟ ହୋଇ ଯାଇଥିଲେହେଁ ବୌଦ୍ଧକଳାର ପ୍ରାଚୁର୍ଯ୍ୟର ନିଦର୍ଶନ ତହିଁରେ ଅଭାବ ନାହିଁ । ଏହି ତିନିଗୋଟି ସ୍ଥାନରେ ବୌଦ୍ଧକଳାର ଅବଶେଷ ବିଦ୍ୟମାନ । ସେଥିମଧ୍ୟରୁ ଅଜନ୍ତା ଗୁହାରେ ଯେଉଁ ବିକାଶ ଓ ପରାକାଷ୍ଠା ଦେଖାଯାଏ, ବୌଦ୍ଧକଳାର ପ୍ରତିନିଧିରୂପେ ଏଠାରେ ତାହାରି ଆଲୋଚନା କରାଯିବ ।

 

ହାଇଦ୍ରାବାଦ ରାଜ୍ୟର ଫରଦାୟର ନାମକ ଗ୍ରାମରେ ଦକ୍ଷିଣ-ପଶ୍ଚିମ କୋଣରେ ଚାରି ମାଇଲ ଦୂରବର୍ତ୍ତୀ ଏକ ପର୍ବତଗାତ୍ରରେ ଅଜନ୍ତାର ମନ୍ଦିରଗୁଡ଼ିକ ଆବିଷ୍କୃତ ହୋଇଅଛି । ଉକ୍ତ ଫରଦାପୁର ଗ୍ରାମକୁ ଗ୍ରେଟ୍‍ ଇଣ୍ଡିୟାନ ପେନିନ୍‍ସୁଲାର ରେଲଓୟେର ଜଳଗାଓଁ ଷ୍ଟେସନଠାରୁ ଯାତାୟାତ ପାଇଁ ସଡ଼କ ଅଛି । ଫରଦାପୁରଠାରୁ ଚାରି ମାଇଲ ବାଟ ଜଙ୍ଗଲ ଏବଂ ପାହାଡ଼ ମଧ୍ୟରେ ଗଲେ ଅଜନ୍ତା ନିକଟରେ ପହିଞ୍ଚବାକୁ ହୁଏ । ଅଜନ୍ତା ଗୁହାର ସର୍ବମୋଟ ସଂଖ୍ୟା ୨୯ ଗୋଟି । ବୌଦ୍ଧଗୁମ୍ଫାଗୁଡ଼ିକ ଉନ୍ନତ ଧରଣର କୋଠାଘର ପରି ଏବଂ ପାହାଡ଼ ଗାତ୍ରରେ ଅର୍ଦ୍ଧବୃତ୍ତାକାରରେ ଅବସ୍ଥିତ । ପାହାଡ଼ ତଳେ ଯେଉଁ କ୍ଷୁଦ୍ର ଝରଣାଟି ପ୍ରବାହିତ, ସେଠାରୁ ଅଜନ୍ତାର ଉଚ୍ଚତା ପ୍ରାୟ ଏକଶତ ଫୁଟ; ସ୍ଥାନଟି ରମଣୀୟ ପ୍ରାକୃତିକ ଦୃଶ୍ୟରେ ବେଷ୍ଟିତ ।

 

ଗୁହା-ମନ୍ଦିରଗୁଡ଼ିକର ନିର୍ମାଣକୌଶଳ ସମ୍ୱନ୍ଧେ ଉଲ୍ଲେଖ-ଯୋଗ୍ୟ ବହୁ ବିଷୟ ଥିଲେହେଁ ତାହାର କାନ୍ଥ ଉପରେ ଅଙ୍କିତ ଚିତ୍ରଗୁଡ଼ିକହିଁ ଶ୍ରେଷ୍ଠ କଳାର ନିଦର୍ଶନରୂପେ ବିଖ୍ୟାତ । ଏହି ଚିତ୍ରଗୁଡ଼ିକ କାଳଗ୍ରାସରେ ଅନେକାଂଶରେ ନଷ୍ଟ ହୋଇପଡ଼ିଅଛି; କିନ୍ତୁ ଯେତିକି ଅବଶିଷ୍ଟ ଅଛି, ସମଗ୍ର ପ୍ରାଚ୍ୟଭୂଖଣ୍ଡରେ ଦିନେ ତାହା ଗର୍ବର ସାମଗ୍ରୀ ଥିଲା । ଆଜି ମଧ୍ୟ ତାହା କେବଳ ଭାରତରେ ନୁହେ, ପ୍ରାଚୀନ ପ୍ରାଚ୍ୟ କଳାର ପ୍ରତିନିଧିରୂପେ ବିଦ୍ୟମାନ ।

 

ଆବିଷ୍କୃତ ୨୯ ଗୋଟି ଗୁହା ମଧ୍ୟରୁ ୧୮୭୯ ଖ୍ରୀଷ୍ଟାବ୍ଦରେ କେବଳ ୧୬ଗୋଟି ଗୁହା ଅଳ୍ପାଧିକ ପରିମାଣରେ ଚିତ୍ରସମ୍ୱଳିତ ଥିବାର ବର୍ଣ୍ଣିତ ଅଛି । ସବୁ ଗୁହାଗୁଡ଼ିକହିଁ ଏହି ଭାବରେ ପ୍ରଥମେ ଚିତ୍ରିତ ହୋଇଥିବାର ଚିହ୍ନ ଦେଖାଯାଏ; କିନ୍ତୁ ଏହି ୧୬ ଗୋଟି ଗୁହା ମଧ୍ୟରୁ ୧୯୧୦ ଖ୍ରୀଷ୍ଟାବ୍ଦ ବେଳକୁ ଦଶ ଗୋଟି ଗୁହାର ଚିତ୍ର ପ୍ରାୟ ବିଲୁପ୍ତ ହୋଇ ଯାଇଅଛି । ଅବଶିଷ୍ଟ ଛଅଟି ଗୁହାର କାନ୍ଥ, ଖମ୍ୱ ଏବଂ ଛାତର ତଳଦେଶ ଚିତ୍ରପୂର୍ଣ୍ଣ । ଗୁହାଗୁଡ଼ିକରୁ କେତେଗୋଟିର ଦୀର୍ଘ ପ୍ରସ୍ଥ ପ୍ରାୟ ୬୦ବର୍ଗଫୁଟ । ଏଥିରୁ ଚିତ୍ରଗୁଡ଼ିକର ପ୍ରାଚୁର୍ଯ୍ୟ ସମ୍ୱନ୍ଧେ ଅନୁମାନ କରାଯାଇପାରେ; କିନ୍ତୁ ତାହା ଗୋଟିଏ ନିର୍ଦ୍ଦିଷ୍ଟ କାଳ କିମ୍ୱା ନିର୍ଦ୍ଦିଷ୍ଟ ଶ୍ରେଣୀର ଅନ୍ତର୍ଭୁକ୍ତ ନୁହେ । ବହୁଶିଳ୍ପୀଙ୍କର ଅଙ୍କନରୀତି ଓ ବ୍ୟକ୍ତିତ୍ୱ ମଧ୍ୟ ଏଥିରେ ପରିସ୍ଫୁଟ । ଏହି ଦୃଷ୍ଟିରୁ ଅଜନ୍ତା ଚିତ୍ରଗୁଡ଼ିକର ଆଜି ପର୍ଯ୍ୟନ୍ତ ଯଥାର୍ଥ ଶ୍ରେଣୀବିଭାଗ କରାଯାଇ ପାରି ନାହିଁ । ଆପାତତଃ ତାହାର ଚିତ୍ରସମ୍ୱଳିତ ଛଅଗୋଟି ଗୁହାର ସମୟ ନିରୂପଣ ନିମୋକ୍ତରୂପେ କରାଯାଇଅଛି–

 

(୧) ନବମ ଓ ଦଶମ ଗୁହାର ସମୟ ୧୦୦ ଖ୍ରଷ୍ଟାବ୍ଦ ।

 

(୨) ଦଶମ ଗୁହାର ସ୍ତମ୍ଭଗୁଡ଼ିକର ସମୟ ୩୫୦ ଖ୍ରୀଷ୍ଟାବ୍ଦ ।

 

(୩) ଷୋଡ଼ଶ ଓ ସପ୍ତଦଶ ଗୁହାର ସମୟ ୫୦୦ ଖ୍ରୀଷ୍ଟାବ୍ଦ ।

 

(୪) ପ୍ରଥମ ଓ ଦ୍ୱିତୀୟ ଗୁହାର ସମୟ ୬୨୬-୬୨୮ ଖ୍ରୀଷ୍ଟାବ୍ଦ ।

 

ଏଥିରୁ ଦେଖାଯାଏ ଯେ ଅଜନ୍ତା ଚିତ୍ରଗୁଡ଼ିକର ସମୟ ଛଅ-ଗୋଟି ଶତାବ୍ଦୀ ମଧ୍ୟରେ ବିସ୍ତୃତ । ଚିତ୍ରିତ ବିଷୟ ମଧ୍ୟରୁ କେତେ ଗୋଟ ସମସାମୟିକ ଐତିହାସିକ ଘଟଣାର ବିଷୟକୁ ଛାଡ଼ିଦେଲେ ବାକିଗୁଡ଼ିକ ବୌଦ୍ଧଜାତକ କିମ୍ୱା ବୁଦ୍ଧଙ୍କର ଅତୀତକାଳର ବହୁ ଅବତାରର ଘଟଣାବଳୀରେ ପୂର୍ଣ୍ଣ । ପ୍ରାଚୀନତମ ବୌଦ୍ଧଗଳ୍ପଗୁଡ଼ିକ ଏହି ଚିତ୍ରମାନଙ୍କରେ ପ୍ରତିଫଳିତ ହୋଇଅଛି ଏବଂ ପ୍ରାଚ୍ୟ-ଦେଶର ନାନା ସ୍ଥାନର ବୌଦ୍ଧଶିଳ୍ପୀମାନେ ରଙ୍ଗ କିମ୍ୱା ପ୍ରସ୍ତରଦ୍ୱାରା ତାହାକୁ ଜୀବନ୍ତ କରି ଯାଇଅଛନ୍ତି ।

 

ନବମ ଓ ଦଶମ ଗୁହା ଦୁଇଟିର ଚିତ୍ରାବଳୀ ପ୍ରାଚୀନତମ ହେଲେହେଁ ତାହାର ଶିଳ୍ପ-କୌଶଳ ଓ ଅଙ୍କନନୈପୁଣ୍ୟକୁ ଦେଖି ମନେହୁଏ, ବୌଦ୍ଧକଳାର ଏହା ପ୍ରାରମ୍ଭିକ ଯୁଗ ନୁହେ । ଅର୍ଥାତ୍‍ ଏହା ଅନଭିଜ୍ଞ ଶିଳ୍ପୀର ପ୍ରଥମ ଚେଷ୍ଟା ନ ହୋଇ ଏକ ପରିପକ୍ୱ ଏବଂ ମାର୍ଜିତ ପ୍ରାଚୀନ କଳା-ପଦ୍ଧତିର ପରିଚୟ ଦେଇଥାଏ । ଅଜନ୍ତାର ନିକଟବର୍ତ୍ତୀ ସ୍ଥାନମାନଙ୍କରେ ଦ୍ରାବିଡ଼ ରାଜାମାନେ ରାଜତ୍ୱ କରୁଥିବାର ପ୍ରମାଣ ଉକ୍ତ ଚିତ୍ରଗୁଡ଼ିକରୁ ମିଳେ । ସେମାନେ ବ୍ରାହ୍ମଣ୍ୟ ଧର୍ମର ଅନ୍ତର୍ଭୁକ୍ତ ଥିଲେହେଁ ବୌଦ୍ଧଧର୍ମ ପ୍ରତି ବାଧା ଜନ୍ମାଇ ନଥିଲେ । ବୌଦ୍ଧ ଶିଳ୍ପିଗଣ ପାରିପାର୍ଶ୍ୱିକ, ସାମାଜିକ ଓ ରାଜନୈତିକ ଉତ୍‍ଥାନପତନଦ୍ୱାରା ପରାଜିତ ନ ହୋଇ ଧ୍ୟାନମଗ୍ନ ଯୋଗୀ ପରି ସ୍ୱୀୟ ଅନ୍ତର୍ଦୃଷ୍ଟି ପ୍ରତିଭାକୁ ତୂଳୀ ଉପରେ ହିଁ ନିବେଶ କରିଥିଲେ; କିନ୍ତୁ ସେମାନଙ୍କ ଅନ୍ତର୍ଦୁଷ୍ଟି ଚତୁଷ୍ପାର୍ଶ୍ୱର ସଂକୀର୍ଣ୍ଣ ଗିରିଗୁହା କିମ୍ୱା ଅରଣ୍ୟ ମଧ୍ୟରେ ଆବଦ୍ଧ ନ ରହି ଏକ ବିଶାଳତର ଓ ପୂର୍ଣ୍ଣତର ଜୀବନର ସୂଚନା ଦେଇଅଛି । ଯେଉଁଠାରେ ରାଜାର ଚିତ୍ର ଅଙ୍କିତ, ସେଠାରେ ରାଜ-ପରିଷଦର ସମାରୋହ ଏବଂ ଐଶ୍ୱର୍ଯ୍ୟ ପ୍ରତିଫଳିତ । ଦୃଶ୍ୟଗୁଡ଼ିକ ଏକ ବିପୁଳ ପ୍ରାଣପ୍ରବାହଦ୍ୱାରା ଜୀବନ୍ତ ଓ ଚଞ୍ଚଳ ହୋଇ ଉଠିଅଛି ।

 

ଅଜନ୍ତାର ପ୍ରାଚୀନତମ ଚିତ୍ରଣରୀତି ସାରଲ୍ୟ ଓ ସାହସିକତା ବ୍ୟଞ୍ଜକ; ତାହାର ପ୍ରେରଣାପୂର୍ଣ୍ଣ ଦୃଶ୍ୟଗୁଡ଼ିକର ସମାବେଶ ନିଖୁଣ ଏବଂ ମନୁଷ୍ୟମୂର୍ତ୍ତିର ହସ୍ତଗୁଡ଼ିକର ପ୍ରକାଶଭଙ୍ଗୀ ବିଶେଷରୂପେ ଲକ୍ଷ୍ୟ କରିବାର ବସ୍ତୁ । ଏହାର ପ୍ରାୟ ୨୫୦ ବର୍ଷ ପରେ ପରବର୍ତ୍ତୀ ଚିତ୍ରଗୁଡ଼ିକ ଅଙ୍କିତ ହୋଇଥିଲା । ଏଗୁଡ଼ିକ ବିଶେଷତଃ ମୂର୍ତ୍ତି ଆକାରରେ ଦଶମ ଗୁହାର ସ୍ତମ୍ଭ ଉପରେ ନିହିତ । ପୂର୍ବବର୍ତ୍ତୀ ଚିତ୍ରଠାରୁ ଏଗୁଡ଼ିକର ସମୟର ବ୍ୟବଧାନ ଅଧିକ ଥିବାରୁ ଅଙ୍କନରୀତିରେ ବିଶେଷ ପ୍ରଭେଦ ଲକ୍ଷ୍ୟ କରାଯାଏ । ମସ୍ତକର ପ୍ରଭା ଏବଂ ପରିଧାନ-ନିର୍ମାଣ ଢଙ୍ଗରୁ ଉତ୍ତର-ପଶ୍ଚିମ ପ୍ରାନ୍ତର ବୌଦ୍ଧଗ୍ରିସୀୟ ସ୍ଥାପିତ୍ୟ ସହିତ ତାହାର ସାମଞ୍ଜସ୍ୟ ଥିବାର ବୁଝାପଡ଼େ । ଚରିତ୍ରଚିତ୍ରଣ ଅସାଧାରଣ ନ ହେଲେହେଁ ତାହାର ଭଙ୍ଗୀ ସରଳ ସମ୍ଭ୍ରାନ୍ତ ଭାବର ପରିଚୟ ଦେଇଥାଏ ଏବଂ ପ୍ରାରମ୍ଭ ଯୁଗର ଚିତ୍ର ଅପେକ୍ଷା ସେଗୁଡ଼ିକର ପରିକଳ୍ପନା ପ୍ରଶସ୍ତତର । ଏହି ଚିତ୍ର ସବୁର ଅଙ୍କନକାଳରେ ଦାକ୍ଷିଣାତ୍ୟର ରାଜନୈତିକ ପରିସ୍ଥିତିର ସୁସ୍ପଷ୍ଟ ବିବରଣ ମିଳେ ନାହିଁ । ତଥାପି ଏହି ସମୟରେ ଗୁପ୍ତବଂଶର (ଖ୍ରୀ: ଅ: ୩୨୦) ଅଭ୍ୟୁଦୟ ହୋଇଥିବାର ଜଣାଯାଏ ଏବଂ ସମୁଦ୍ରଗୁପ୍ତଙ୍କର ଗୌରବମୟ ଶାସନର ପ୍ରେରଣାଦ୍ୱାରା ଚିତ୍ରଗୁଡ଼ିକ ସମ୍ଭବତଃ ପ୍ରଭାବିତ ହୋଇଥିବ ।

 

ଷୋଡ଼ଶ ଏବଂ ସପ୍ତଦଶ ଗୁହାର ଚିତ୍ର ଷଷ୍ଠ ଶତାବ୍ଦୀର ବୌଦ୍ଧ କଳାର ନିଦର୍ଶନ । ଏହି ସମୟରେ ପାରିପାର୍ଶ୍ୱିକ ଦେଶ ଭକତକ ବଂଶ ଦ୍ୱାରା ଶାସିତ ହେଉଥିଲା । ଏହି ରାଜବଂଶର ବିସ୍ତୃତ ବିବରଣୀ ସମ୍ୱନ୍ଧେ ଇତିହାସ ନୀରବ । ଷୋଡ଼ଶ ଗୁହାର ବହିର୍ଦ୍ଦେଶରେ ଗୋଟିଏ ଭଗ୍ନ ପ୍ରସ୍ତରଲିପିରୁ ବୁଝାଯାଏ ଯେ, ଏହି ବୌଦ୍ଧବିହାରଟି ଉକ୍ତ ରାଜବଂଶର ଜନୈକ ମନ୍ତ୍ରୀଙ୍କ ପୁତ୍ରର ନିର୍ଦ୍ଦେଶକ୍ରମେ ଖୋଦିତ ହୋଇଥିଲା । ଏହି ରାଜବଂଶ ଦିନେ ଅତ୍ୟନ୍ତ ଶକ୍ତିଶାଳୀ ଥିଲା । ପ୍ରମାଣସ୍ୱରୂପ ଗୁପ୍ତବଂଶ ସଙ୍ଗେ ତାହାର ବୈବାହିକ ସମ୍ପର୍କ ସ୍ଥାପିତ ହୋଇଥିଲା । ଷୋଡ଼ଶ ଗୁହାର ଚିତ୍ରଗୁଡ଼ିକ ସପ୍ତଦଶ ଗୁହାର ଚିତ୍ର ଅପେକ୍ଷା ପୂର୍ବବର୍ତ୍ତୀ ଏବଂ ବହୁ ପରିମାଣରେ ନଷ୍ଟ ହୋଇଯାଇଛି, କିନ୍ତୁ ସପ୍ତଦଶ ଗୁହାର ଚିତ୍ରଗୁଡ଼ିକ ଆଜି ପର୍ଯ୍ୟନ୍ତ ପ୍ରାୟ ଅକ୍ଷୁର୍ଣ୍ଣ ଅଛି । ସେଥିରେ ଗଳ୍ପକଥନର ରୀତି ପରିସ୍ଫୁଟ ଏବଂ ବୁଦ୍ଧଙ୍କର ଜନ୍ମ, ଜୀବନକାଳ ଏବଂ ମୃତ୍ୟୁର ବହୁ ଭାବାବେଶମୟ କାହାଣୀରେ ତାହା ପରିପୂର୍ଣ୍ଣ । ଚିତ୍ରଗୁଡ଼ିକର ପରିକଳ୍ପନାରେ ଅପେକ୍ଷାକୃତ ଅଳ୍ପ ଆଦର୍ଶବାଦ ଏବଂ ଅଧିକ ନାଟକୀୟ ରୀତି ଲକ୍ଷିତ ହୁଏ । ଜୀବନ ସହିତ ପ୍ରତ୍ୟକ୍ଷ ସମ୍ୱନ୍ଧ ପ୍ରତିଷ୍ଠା କରି ଦର୍ଶକର ଚିତ୍ତ ଆକର୍ଷଣ ଉଦ୍ଦେଶ୍ୟରେ ତାହାର ବିଷୟବସ୍ତୁ ନିର୍ବାଚିତ । ଚିତ୍ରଗୁଡ଼ିକ ଜୀବନ୍ତ, ପ୍ରାଣମୟ ଓ କରୁଣ । ବୋଧହୁଏ ଭାରତବର୍ଷରେ ବୌଦ୍ଧଧର୍ମର ପ୍ରଭାବ କ୍ଷୟ ହେବା ସମୟରେ ଧର୍ମ ଉପାଖ୍ୟାନଗୁଡ଼ିକ ଚିତ୍ରସମ୍ୱଳିତ କରି ସାଧାରଣରେ ସହଜ ପ୍ରଚାର କରିବା ପାଇଁ ଅଙ୍କିତ ହୋଇଥିଲା ।

 

ପ୍ରଥମ ଓ ଦ୍ୱିତୀୟ ଗୁହା ଦୁଇଟି ସର୍ବାପେକ୍ଷା ପରବର୍ତ୍ତୀ ଚିତ୍ରର ପରିଚୟ ଦେଇଥାଏ । ଏହାର ସମୟ ପ୍ରଥମ ଗୁହାରେ ଅଙ୍କିତ ଗୋଟିଏ ଦୃଶ୍ୟରୁ ସ୍ଥିର କରାଯାଇଅଛି । ଏହି ଚିତ୍ରଟି ରାଜା ଦ୍ୱିତୀୟ ପୁଲକେଶିନ୍‍ ପାରସ୍ୟ ଅଧିପତି ଖୁର୍‍ସୁ ପାର୍ଭିଜଙ୍କର ଜଣେ ରାଜପ୍ରତିନିଧିଙ୍କୁ ଗ୍ରହଣ କରିବାର ଦୃଶ୍ୟରୂପେ ବିବେଚିତ । ଘଟଣାଟି ୬୨୬ଠାରୁ ୬୨୮ ଖ୍ରୀଷ୍ଟାବ୍ଦ ମଧ୍ୟରେ ଘଟିଥିବାର ଅନୁମାନ କରାଯାଏ । ଉକ୍ତ ଐତିହାସିକ ଘଟଣାର ଚିତ୍ର ବ୍ୟତୀତ ଆହୁରି ଅନେକ ଚିତ୍ରରୁ ମଧ୍ୟ ପାରସ୍ୟ ଏବଂ ତାହାର କଳା ସହିତ ଅଜନ୍ତା ଚିତ୍ରକଳାର ସମ୍ପର୍କ ଥିବାର ପରିଚୟ ମିଳେ ।

 

ପ୍ରଥମ ଗୁହାଟିରେ ଚିତ୍ରର ପରିମାଣ ପ୍ରଚୁର ଏବଂ ସେଥିମଧ୍ୟରୁ ଗୌତମ ବୁଦ୍ଧଙ୍କର ଗୋଟିଏ ଧ୍ୟାନର ମୂର୍ତ୍ତି ଅଜନ୍ତାର ଚିତ୍ର-ଜଗତରେ ଅତୁଳନୀୟ । ଅନ୍ୟ ଏକ ଦିଗରୁ ମଧ୍ୟ ଉକ୍ତ ଗୁହାର ଚିତ୍ରରାଜିର ବିଶେଷତ୍ୱ ବିଦ୍ୟମାନ । ୮୫୦ ଖ୍ରୀଷ୍ଟାବ୍ଦରେ ଖୋଦିତ ଜାଭାଦ୍ୱୀପର କେତେକ ବୌଦ୍ଧ ସ୍ଥାପତ୍ୟ ସଙ୍ଗେ ଏହାର ସାମଞ୍ଜସ୍ୟ ଅଛି । ଏହି ସୁଦୂର ଦ୍ୱୀପରେ ବଡ଼ବୁଦର ସ୍ତୂପର ମହନୀୟ ଶିଳ୍ପକଳା ଭାରତୀୟ ଚିତ୍ରର ଶୈଳୀକୁ ଗ୍ରହଣ କରିଥିବା ଏଥିରୁ ଅନୁମିତ ହୁଏ ।

 

ଦ୍ୱିତୀୟ ଗୁହାରେ ଅଜନ୍ତା-କଳାର ଶେଷରଶ୍ମି ପରିଲକ୍ଷିତ । ଅଜନ୍ତାର ବିଶ୍ୱବିଖ୍ୟାତ ଚିତ୍ରକଳା ଏହି ଗୁହାରେହିଁ ଅନ୍ତିମ ସମାଧି ଲଭିଅଛି ବୋଲିବାକୁ ହେବ । ଏଥିରେ ଅନ୍ତତଃ ଦୁଇଗୋଟି ଶିଳ୍ପରୀତିର ପରିଚୟ ମିଳିଥାଏ ଏବଂ ଦୁଇଟିଯାକହିଁ ଅଜନ୍ତାର ଅନ୍ୟସବୁ ଗୁହାର ଶଳ୍ପଧାରାଠାରୁ ପୃଥକ୍‍ । ଏଥିମଧ୍ୟରୁ ଗୋଟିଏ ରୀତି ଅତି ସାଧାରଣ ଏବଂ ଲୌକିକ । ଖୋଟାନ୍‍ କିମ୍ୱା ତିବ୍ଦତର ଅପେକ୍ଷାକୃତ ପରବର୍ତ୍ତୀ ଚିତ୍ର ସହିତ ତାହାର ସାମଞ୍ଜସ୍ୟ ଅଛି । ଅନ୍ୟଟି ବହୁ ଅଂଶରେ ତ୍ରୁଟିପୂର୍ଣ୍ଣ ଏବଂ ସେଗୁଡନିକର ପରିକଳ୍ପନାରେ ଯେଉଁ ଅସାମଞ୍ଜସ୍ୟ ଦେଖାଯାଏ, ସେଥିରୁହିଁ ମନେହୁଏ, ତାହା ଅତି ଅପରିପକ୍ୱ ତୂଳୀ ପ୍ରସୂତ । କେବଳ କେନ୍ଦୀଭୂତ ମୂର୍ତ୍ତିଗୁଡ଼ିକ ପ୍ରତିଭାଶାଳୀ ଅଭିଜ୍ଞ ଶିଳ୍ପୀହସ୍ତର ପରିଚୟ ଦେଇଥାଏ; କିନ୍ତୁ ତାହାର ପାରିପାର୍ଶ୍ୱିକ ଦୃଶ୍ୟରେ ଶିଳ୍ପୀର ହସ୍ତ ଏବଂ ଦୃଷ୍ଟିର ଅପରିପକ୍ୱତାହିଁ ପ୍ରଧାନ । ଏହି ଗୁହାର ଚିତ୍ରଗୁଡ଼ିକରେ ଭାରତରେ ବୌଦ୍ଧଧର୍ମର ପ୍ରତିପତ୍ତି ଶିଥିଳ ପଡ଼ିଥିବାର ଲକ୍ଷଣ ପ୍ରକଟିତ ।

 

ଅଜନ୍ତାର ଚିତ୍ରକଳା ଏହିରୂପେ ଅତୀତ ଭାରତୀୟ ସଭ୍ୟତାର ଏକ ଗଭୀର ଓ ବିସ୍ତୃତ ଅଧ୍ୟୟନର ସାମଗ୍ରୀରୂପେ ପରିଗଣିତ ହୋଇଛି ।

Image